Unknown

 

 

 

 

 

 

 

 

 

 

 

ଏତେ ସ୍ୱପ୍ନ ଏତେ ଆଲୋକ

ସାତକଡ଼ି ହୋତା

 

ଉତ୍ସର୍ଗ

 

ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ହାତରେ

 

ମାନନୀୟା,

 

ନୂତନ ରୁପାନ୍ତରିତ ଦିବ୍ୟଜୀବନ ଆଉ କଳ୍ପନାର ବସ୍ତୁ ନୁହେଁ । ସେଥିପାଇଁ ସମାଜ ଏବଂ ଜୀବନର ସବୁ କ୍ଷେତ୍ରରେ ନିଶ୍ଚିତ ଭାବରେ ଯେଉଁ ପ୍ରବଳ ଉଦ୍ୟମ ଆରମ୍ଭ ହୋଇଛି, ଆପଣ ଏ ରାଜ୍ୟର ସବୁ କ୍ଷେତ୍ରରେ ତାକୁ ସଂଜୀବିତ, ସମନ୍ୱିତ ଏବଂ ବେଗଗାମୀ କରି ସମୃଦ୍ଧି ଏବଂ ସମ୍ପୂର୍ଣ୍ଣ ଜୀବନର ପ୍ରତିଷ୍ଠା ପାଇଁ ପଥ ପ୍ରଶସ୍ତ କରୁଥିବାରୁ ନମସ୍ୟା ଏବଂ ସ୍ମରଣୀୟା ।

 

ସେଥିପାଇଁ ଶ୍ରଦ୍ଧା, ଶୁଭେଚ୍ଛା ଏବଂ ଆନ୍ତରିକତାର ସହିତ ଏହି ଉପନ୍ୟାସ ଆପଣଙ୍କ ହାତରେ ଅର୍ପଣ କଲି ।

 

ସାତକଡ଼ି ହୋତା

☆☆☆

 

ନିଜକଥା

 

‘‘ଏତେ ସ୍ୱପ୍ନ ଏତେ ଆଲୋକ’’ ମୋର ତୃତୀୟ ଉପନ୍ୟାସ । ମଣିଷ ସୁଖୀ, ପ୍ରସିଦ୍ଧ, ସୁସ୍ଥ ଏବଂ ସୁନ୍ଦର ହେବାପାଇଁ ଯେଉଁ ସଂଗ୍ରାମ କରିଆସୁଛି ଏହି ଉପନ୍ୟାସର ଚରିତ୍ରମାନଙ୍କରେ ତାକୁ ସଂଜୀବିତ କରିବା ପାଇଁ ଚେଷ୍ଟା କରାଯାଇଛି । ସମସ୍ତ ସ୍ଖଳନ, ଅପର୍ଣ୍ଣତା ଏବଂ ତିକ୍ତତା ସତ୍ତ୍ୱେ ଜୀବନ ଏବେ ବି ଲୋଭନୀୟ ଏବଂ ଆକର୍ଷଣୀୟ । ପୁଣି ସମସ୍ତ ଅପର୍ଣ୍ଣତାକୁ ପରିତ୍ୟାଗ କରି ନୂତନ ପରିପୂର୍ଣ୍ଣ ଜୀବନର ସ୍ୱାଦ ପାଇଁ ଯେଉଁ ଉଦ୍ୟମ କାଳାନ୍ତର ମଧ୍ୟରେ ହୋଇଆସିଛି ମଣିଷର ସେହି ସୃଜନଶୀଳ ଉଦ୍ୟମକୁ ସ୍ୱୀକାର କଲେ ସମାଜର ରୂପାନ୍ତର ମଧ୍ୟରେ ଜୀବନର ହିଁ କେବଳ ଜୟଧ୍ୱନି ଶୁଣାଯିବ । ସେହି ସ୍ୱୟଂ ସମ୍ପୂର୍ଣ୍ଣ, ଶୁଭଙ୍କର ଏବଂ ସୁନ୍ଦର ଜୀବନର ଆଉ କଳ୍ପନାର ବସ୍ତୁ ନୁହେଁ–ନିଶ୍ଚିତ ସମ୍ଭାବନାରେ ସମୃଦ୍ଧ ।

 

ଏହି ପରିପ୍ରେକ୍ଷୀରେ ଏହି ଉପନ୍ୟାସର ମୂଲ୍ୟାଙ୍କନ ହେଲେ ରସଗ୍ରାହୀ ପାଠକମାନଙ୍କ ପାଖରେ ମୁଁ ଚିର ଋଣୀ ରହିବି ।

 

ଲେଖକ

☆☆☆

 

ଏକ

 

ଟୁପୁ ଟୁପୁ ହୋଇ ବର୍ଷା ପଡ଼ୁଥିଲା ।

 

ଆକାଶର ମେଘମାନଙ୍କୁ ଦେଖୁ ଦେଖୁ ଅନ୍ୟମନସ୍କ ହୋଇଯାଇଥିଲା ସୁନୀତା ।

 

ଭସାମେଘ ପରି ମନଟି ତା’ର ଭାସିଯାଉଥିଲା ନଗର, ଜନପଦ, ନଦ, ନଦୀ, ଅରଣ୍ୟ, ପ୍ରାନ୍ତର, ଆକାଶ ଓ ସାଗର ଉପରେ । ପ୍ରସାରିତ ପୃଥିବୀର ପ୍ରଶସ୍ତ ଦିଗନ୍ତ ଝାପସା ହୋଇଆସୁଥିଲା ଭସା ବାଦଲର ସମାବେଶରେ ।

 

ସେ ଲକ୍ଷ୍ୟହୀନ ଦୃଷ୍ଟିରେ ଚାହିଁଥିଲା ।

 

ସେଇ ଦୃଷ୍ଟି ମଧ୍ୟଦେଇ ଲକ୍ଷ୍ୟହୀନ କେତେ ଭାବନା, କେତେ କଳ୍ପନା ଝରିପଡ଼ୁଥିଲା ଶୀତ ସକାଳର କୁହୁଡ଼ି ପରି । ଅସ୍ପଷ୍ଟତା ବୋଳି ହୋଇଯାଇଥିଲା ସୁନୀତାର ଦୃଷ୍ଟିରେ ।

 

ଭାଇ ଭାଉଜ କୋରାପୁଟ ଚାଲିଯାଇଛନ୍ତି ଭାଇଙ୍କ ବଦଳି ପରେ । ମାଉସୀଙ୍କ ସହିତ ସେ ରହିଯାଇଛି ଘରେ ଚାକିରିଟିଏ ସନ୍ଧାନ କରିବାପାଇଁ । ସେଇଥିପାଇଁ ଭାଇଙ୍କ ନିର୍ଦ୍ଦେଶ ଭାଉଜଙ୍କ ଅନୁରୋଧ ସତ୍ତ୍ୱେ ସେମାନଙ୍କ ସହିତ କୋରାପୁଟ ଯାଇପାରିନଥିଲା ସୁନୀତା ।

 

କିନ୍ତୁ କାମଟିଏ କଉଁଠି ପଡ଼ିନାହିଁ ଯେ, ଶୁଖିଲା ପତର ବା ଫୁଟିଲା ଫୁଲ ପରି ଉଠାଇନବ ହାତ ବଢ଼େଇ । ଏମ୍‌. ଏ. ପାଶ୍‌ କରି ନିଯୁକ୍ତିକାମୀ ପ୍ରାର୍ଥୀମାନଙ୍କ ଶୋଭାଯାତ୍ରାରେ ମନର ଉତ୍ତାପ ଏବଂ ଉତ୍ସାହ ନେଇ ଯୋଗଦେଲା ଯେତେବେଳେ କ’ଣ ଜାଣିଥିଲା ଏଇ ଶୋଭାଯତ୍ରା କେବଳ ଆଗେଇ ଯିବାପାଇଁ । ଏହାର ଶେଷନାହିଁ । ଆରମ୍ଭ ବି କେଉଁଠି ହଜିଯାଇଛି କିଏ କହିପାରିବ ? ବେକାର ତାଲିକାରେ ନାମ ଲେଖାଇ ସେଇ ବିଡ଼ମ୍ବିତ ଜୀବନର ବେଦନା ମଧ୍ୟରେ ନିଜ ଜୀବନର ପ୍ରୟୋଜନକୁ ପରିଖିନବା ପାଇଁ ସମୟ ଦିନେ ଆସିବ ଏହା ଛାତ୍ରୀ ଜୀବନର ଫୁଟିବା ଭିତରେ କେବେହେଲେ କଳ୍ପନା ବି କରିନଥିଲା । ସେତେବେଳର ଗୋଟିଏ ଆଶା କେବଳ ଫୁଟିବ, ଗୋଟିଏ କାମନା କେବଳ ସୁବାସ ବିତରଣ କରି ପବନରେ ମିଶିଯିବ । ଫୁଟିଛି ସେ ଅବଶ୍ୟ । ମହକ ବି କମ୍ ବିତରଣ କରିନାହିଁ । କିନ୍ତୁ ସେଇ ଫୁଟିବା ବଣ ଫୁଲ ପରି ଅଦେଖା, ଅଖୋଜା ରହିଯାଇଛି ।

 

ଏ ପର୍ଯ୍ୟନ୍ତ କେବଳ ଚାଲିଆସିଛି–ଆଗେଇଯାଇଛି ଆଗରେ ଲମ୍ବି ଯାଇଥିବା ପଥଉପରେ । ଅଟକି ଯାଇନାହିଁ । ଅଟକି ଯିବାପାଇଁ ବେଳ ପାଇନାହିଁ । ଏବେ କିନ୍ତୁ ମଝି ରାସ୍ତାରେ ଅଟକିଯାଇ ଝାଳ ପୋଛି, ଟିକିଏ ନିଶ୍ୱାସ ନେଇ ପୁଣି ଅନେଇଛି ଆଗକୁ–କେଉଁ ଆଡ଼କୁ ଯିବ ? ଅନେକ ପଥ ଲମ୍ୱିଯାଇଛି ଆଗ ଛକରୁ ।

 

ପୃଥିବୀର ପ୍ରଶସ୍ତ ପଥଉପରେ କେତେ ଉପପଥ ନିଶ୍ଚିହ୍ନ ହୋଇଯାଇଛି । ପୁଣି କେତେ ଶାଖା ପଥ ପ୍ରସାରିତ ହୋଇଯାଇଛି ପ୍ରଧାନ ପଥରୁ । ଯେଉଁ ଦିଗକୁ ଚାହିଁବ ଦେଖିବ ପ୍ରବାହମାନ ନଦୀ ପରି ଲମ୍ବାମାନ ଏଇ ପଥଗୁଡ଼ିକ । ଏହାର ଶେଷ ନାହିଁ, ଯେତିକି ଯିଏ ଚାଲିପାରିବ ତା’ର ସେତିକି । ପଥ କେବେ କାହାକୁ ତା’ ଉପରେ ଚାଲିବା ପାଇଁ ମନା କରିନାହିଁ । କିନ୍ତୁ ପଥ ପ୍ରାସ ସହ୍ୟ କରିବା ପାଇଁ ପାଦରେ ଯଥେଷ୍ଟ ଶକ୍ତି ଥିବା ପ୍ରୟୋଜନ । ଶ୍ରମ, ସ୍ୱେଦ, ସାଧନା ଏବଂ ଶୋଣିତର ସଙ୍ଗୀତରେ ପଥପୃଷ୍ଠ ଭାସ୍ୱର, ମୁଖରିତ । କେତେ କେତେ ପଦଚିହ୍ନ ହଜିଯାଇଛି ଏଇ ପଥଉପରେ; ପୁଣି ଅଳ୍ପ କେତେ ଉଜ୍ଜ୍ୱଳ ହୋଇ ଫୁଟିଉଠିଛି ଧୂଳି, ବାଲି, ଗୋଡ଼ି ଉପରେ । ସହସ୍ର କୋଟି ଅଚିହ୍ନା ମୁହଁ ମେଳରେ ଫୁଟିଉଠିଛି ଗୋଟେ ଚିହ୍ନା ମୁହଁ ଶୁଣାସ୍ୱର ।

 

ତା’ ସ୍ୱର କେହି ଶୁଣିନାହିଁ । ସେ କାହାର ଦୃଷ୍ଟିରେ ପଡ଼ିନାହିଁ । ଶୋଭାଯାତ୍ରାର ଅଗଣିତ ପଦଧ୍ୱନି ଭିତରେ, ସମାବେଶର ଅନେକ ଆବିର୍ଭାବ ମଧ୍ୟରେ ସେ ଅଚିହ୍ନା, ଅଜଣା ରହିଯାଇଛି । କ୍ଷତି ନାହିଁ । ସେ ସଂଗ୍ରାମ କରି ଯିବ । ଉଦ୍ୟମ କରି ଯିବ । ସେ ଆଶା ରଖିଛି ନିଜଉପରେ । ସେଇ ଆଶାରେ ଆଗକୁ ଆଗକୁ ଯିବାପାଇଁ ଉଦ୍ୟମ କରିବ ସୁନୀତା ।

 

ଇଣ୍ଟରଭ୍ୟୁ ପାଇଁ ଚିଠି ଆସିଛି । ରାତି ବସ୍‌ରେ କଟକ ଯିବ । କଟକର ଏକ ବାଣିଜ୍ୟ ପ୍ରତିଷ୍ଠାନ ଡକାଇଛନ୍ତି ଇଣ୍ଟରଭ୍ୟୁ ପାଇଁ । ନନ୍ଦରାମ ହୁନତାରାମ ପରିଚାଳିତ ସେବା ଏବଂ ସେବା ଲିମିଟେଡ କମ୍ପାନୀ ପାଇଁ ଜଣେ ସାମାଜିକ ସେକ୍ରେଟେରୀ ଆବଶ୍ୟକ । ଯୋଗ୍ୟତା ସମ୍ପର୍କରେ ଯେତେ ଆଗ୍ରହ ନ ଥିଲା, ଯେ ଯୋଗ୍ୟତାକୁ ଦେଖିବା ପାଇଁ ସେତିକି ପ୍ରୟୋଜନ ଡାଇରେକ୍ଟରମାନଙ୍କର ।

 

ସୁନୀତା ଯୋଗ୍ୟା କି ଅଯୋଗ୍ୟା ନିଜେ ସ୍ଥିର ନ କରି ଦରଖାସ୍ତଟି ପକେଇଦେଇଥିଲା କମ୍ପାନୀ ଠିକଣାରେ । କମ୍ପାନୀର କର୍ତ୍ତାମାନେ ଚାହିଁଥିଲେ ପ୍ରାର୍ଥିନୀ ନାରୀ ହୋଇଥିବେ, ସୁନ୍ଦରୀ ଏବଂ ସ୍ୱାସ୍ଥ୍ୟବତୀ ହବା ନୀତାନ୍ତ ପ୍ରୟୋଜନ । କୌଣସି ବିଷୟରେ ବିଶ୍ୱବିଦ୍ୟାଳୟ ଡିଗ୍ରୀ ପାଇଥିବେ ଏବଂ ପରକୁ ଆପଣାର କରିବାର ବିଶେଷ ସଦ୍‌ଗୁଣର ଅଧିକାରିଣୀ ହୋଇଥିବେ ।

 

ସେଇ ଦରଖାସ୍ତ ଯଥାସ୍ଥାନରେ ଉପସ୍ଥିତ ହୋଇ ଚିଠି ଆସିଛି ତା’ ପାଖକୁ ଇଣ୍ଟରଭିଉରେ ଉପସ୍ଥିତ ରହିବା ପାଇଁ । କଟକର ବିଶିଷ୍ଟ ହୋଟେଲ–ହୋଟେଲ କ୍ୟାପିଟାଲରେ ଇଣ୍ଟର୍‌ଭିଉ, ସନ୍ଧ୍ୟା ସାତଟାରେ । ଇଣ୍ଟରଭିଉ ପରେ ପ୍ରାର୍ଥିନୀମାନଙ୍କୁ ପ୍ରତିଷ୍ଠାନର ଡାଇରେକ୍ଟରମାନଙ୍କ ସହିତ ରାତ୍ରି ଭୋଜନରେ ଯୋଗଦେବା ପାଇଁ ହେବ । ଇଣ୍ଟରଭିଉ ପାଇଁ ଯାଇ ଶେଷରେ ରାତ୍ରି ଭୋଜନ ପାଇଁ ନିମନ୍ତ୍ରିତ ହେବ, ଏହା କଳ୍ପନା କରିନଥିଲା । କିନ୍ତୁ ଅନ୍ୟ ଉପାୟ ନାହିଁ । ଚାକିରିଟିଏ ନୀତାନ୍ତ ଲୋଡ଼ା, ଜୀବନକୁ ପ୍ରତିଷ୍ଠିତ କରିବା ପାଇଁ ଏହାହିଁ ନିମ୍ନତମ ଆବଶ୍ୟକତା । ସେଇଥିପାଇଁ ମନା ନ କରି ମନକୁ ମନେଇନେଲା ସୁନୀତା । ସେ ତ ଯାଉନାହିଁ–ଅନେକ ଯିବେ ତା’ ପରି । କିନ୍ତୁ ରାତ୍ର ଭୋଜନର ନିମନ୍ତ୍ରଣ ପାଇଁ ଯେତିକି ନୁହେଁ, ତହିଁରେ ଯୋଗଦାନ କରିବାର ଆଶଙ୍କାରେ ଏବଂ ଉତ୍ତେଜନାରେ ସେତିକି ଝାଳେଲଗଲା ସେ । କିନ୍ତୁ ଦବିଗଲାନି । ନିର୍ଭୟ ହବାପାଇଁ ଶିଖିବ । ଆଶିଥିଲେ ଆଶଙ୍କା ଥାଏ । ଆଗାମୀ ଆଶାର ଆଲୋକରେ ଆଶଙ୍କା ମଉଳିପଡ଼ିଲା ମନଭିତରେ ।

 

ଯିବାପାଇଁ ସଜଡ଼ା ସଜଡ଼ି କରିସାରିଛି । ଦାଣ୍ଡପିଣ୍ଡାର ବେଞ୍ଚ ଉପରେ ବସି ବସି କେତେ କଅଣ ଭାବୁଥିଲା ସୁନୀତା ।

 

ସମ୍ମୁଖରେ ଲମ୍ବିଯାଇଛି ସଡ଼କ ବଳଙ୍ଗ ନଦୀର ସମାନ୍ତରାଳ ଭାବରେ । ସଡ଼କର ଦୁଇପାଖରେ ବସ୍ତି । ପଶ୍ଚିମ ପଟରେ ବଳଙ୍ଗ । ବର୍ଷାଦିନ, ନଦୀରେ ପାଣିଆସିଛି । ଅଳ୍ପ ଦୂରରେ ନଦୀର ପୋଲଉପରେ ତା’ ଘର । ଠିକ୍‌ ତା’ ଘର କହିଲେ ଭୁଲ୍ ହେବ । ସେମାନଙ୍କର ଘର । ତା’ ଭାଇ ଶଙ୍କର ଏଇ ଘରକୁ କିଣିନେଇଥିଲେ ଜଣେ ବଙ୍ଗୀୟ ଭଦ୍ରବ୍ୟକ୍ତିଙ୍କ ପାଖରୁ । ସେଇଦିନୁ ଏଇଘର ସୁନୀତାର ଘର ହୋଇଯାଇଛି ।

 

ଘର ବାରନ୍ଦାରେ ବସିଲେ ନଦୀର ପୋଲ ଆଖିରେପଡ଼େ । ସେ ଚାହିଁଥିଲା ପୋଲ ଉପରକୁ । ଠିକ୍‌ ପୋଲ ସେପାଖରେ ପଶ୍ଚିମକୁ ଲମ୍ବିଯାଇଛି ରାସ୍ତା ଉଦଳା ଅଭିମୁଖରେ । ପଶ୍ଚିମ ଦିଗନ୍ତରେ ସୂର୍ଯ୍ୟର ଶେଷ ରଶ୍ମି ବିଛାଡ଼ି ହୋଇପଡ଼ିଥିଲା । ମେଘ କଟିଯାଇଥିଲା ଦିଗନ୍ତରୁ ।

 

ଅଥଚ ମଝି ଆକାଶରେ ଏବେବି ମେଘ ରହିଛି । ମଝିରେ ମଝିରେ ଟୁପ୍‌ଟାପ୍‌ ବୃଷ୍ଟି ପଡ଼ୁଛି ପୃଥିବୀ ଉପରେ । ସେଇ ବର୍ଷା ବାଦଲ ଭରା ଆକାଶକୁ ଅନାଇଲା ସୁନୀତା । କେତେ ମେଘ ପବନରେ ଭାସି ବୁଲୁଛନ୍ତି ଏପାଖରୁ ସେପାଖ । ମନର ଭାବନାଗୁଡ଼ିକ ଏଇପରି ଭାସିବୁଲନ୍ତି-

 

ବଗ ବଗୁଲି ପରମେଲି ଉଠିଯାଉଥିଲେ ନଦୀ ସେପାରିକୁ ।

 

ବାଡ଼ଉପରେ ଜହ୍ନି ଗଛରେ ଫୁଲ ଫୁଟିଛି । ହଳଦିଆ ଫୁଲଉପରେ ଉଡ଼ିବୁଲୁଛି ପ୍ରଜାପତି । ଗୋଟେ ଦୁଇଟା ପୁଅଝିଅ ଗୀତ ଗାଇ ପ୍ରଜାପତି ଧରୁଥିଲେ–ଜହ୍ନିଫୁଲ ଠୋ ଠୋ.....

 

ଜହ୍ନିଫୁଲ ପରି ସୁନ୍ଦର ମଣିଷର ଆଶାସିକ୍ତ ଭବିଷ୍ୟତ ।

 

ସେଇ ସୁନ୍ଦର ଭବିଷ୍ୟତର କଳ୍ପନା କରୁଥିଲା ସୁନୀତା । ଏମ୍‌. ଏ. ପାଶ୍‌ କରିଛି ଇତିହାସରେ । ବିଶ୍ୱବିଦ୍ୟାଳୟରେ ଚତୁର୍ଥ ହୋଇଥିଲା ସେ । ପଢ଼ା ଶେଷ ହେବାପରେ ସଂସାରରେ ପ୍ରବେଶ ନକରି ସଂଗ୍ରାମୀ ହବାପାଇଁ ସ୍ଥିର କରିଛି ସୁନୀତା । ବିବାହର ପ୍ରୟୋଜନ ଉପଲବ୍‌ଧ କରିନାହିଁ । ଦିନେହେଲେ ମନ ଉଚ୍ଚାଟ ହୋଇନାହିଁ ସାଙ୍ଗସୁଖରେ ବିଳାସ କରିବା ପାଇଁ-

 

କିଛିଦିନ ପରମେଲି ଉଡ଼ିବା ପାଇଁ ଚାହେଁ, ଜୀବନର ସ୍ୱାଦ ପରଖିନବା ପାଇଁ ଇଚ୍ଛାହୁଏ-। ଆଜିଯାଏଁ ଭାଇ ଭାଉଜଙ୍କ ଅର୍ଥରେ ବଡ଼ ହୋଇଛି । ଶ୍ରମ ଏବଂ ସାଧନାର ମୂଲ୍ୟ ବୁଝିପାରି ନାହିଁ-। ନିଜ ଗୋଡ଼ରେ ଛିଡ଼ାହୋଇ ସ୍ୱାବଲମ୍ବିନୀ ଭାବରେ ନିଜକୁ ଅଧିଷ୍ଠିତ କରି ଆତ୍ମ ଗୌରବରେ ଅନାଇବ ଦୁନିଆକୁ । ବିବାହ କରି ଏଇ ଅଭିଷେକରୁ ନିଜକୁ ବଞ୍ଚିତ କରିବ କାହିଁକି-? ଜୀବନ ଆରମ୍ଭରୁ ଶେଷଯାଏ ସେ କ’ଣ କେବଳ ଅନ୍ୟର ହାତଟେକାକୁ ଚାହିଁ ଦିନ ଗଣିବ ? ସେଇଥିପାଇଁ ବିବାହର ସମସ୍ତ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିଛି ।

 

ସୂର୍ଯ୍ୟର ଚେନାଏ ରଶ୍ମି ମେଘଭିତରୁ ଉଙ୍କିମାରୁଥିଲା । ସେଇ ସୁନେଲି କିରଣର ଝଲକାଏ ସୁନୀତାର ଦେହ ମୁହଁ ଉପରେ ମେଞ୍ଚାଏ ତରଳ ସୁନା ବିଞ୍ଚିଦେଇ ଯାଇଥିଲା ।

 

–ନୀତା....ଏ ନୀତା....

 

ସେ ଶୁଣିପାରିଲା ନାହିଁ ।

 

–ଏଡ଼େ ଅନ୍ୟମନସ୍କ ହୋଇ କ’ଣ ଭାବୁଛୁ ମ ! କାହାକଥା ମନ ଉପବନରେ ରଙ୍ଗ ବୋଳିଛି କିଲୋ ।

 

ସୁନୀତାର ପାଞ୍ଚ ହାତ ଦୂରରେ ଚାଲି ଯାଉ ଯାଉ ଛିଡ଼ାହୋଇପଡ଼ି ମନ୍ତବ୍ୟ କଲା ଅରୁଣା ।

 

ଶେଷ ପଦକ କାନରେ ପଡ଼ିଲା ସୁନୀତାର । ସେ ସେଇପରି ଉତ୍ତରଳ ସ୍ୱରରେ ଖତେଇହୋଇ କହିଲା–ତୋରି କଥା ମନେପଡ଼ୁଛି ଲୋ ଅରୁ.... ।

 

–ସ......ତେ ? ଜିଭ ଲେଉଟାଇ ପରିହାସ କଲା ଅରୁଣା ।

 

–ତା’ହେଲେ କଅଣ ମିଛରେ କହୁଛି ? ପାଲଟା ଉତ୍ତରଦେଲା ସୁନୀତା ।

 

ଆଗକୁ ନ ଯାଇ ପାଖକୁ ଆସି ସୁନୀତାର କାନ୍ଧଉପରେ ହାତରଖି ଛିଡ଼ାହେଲା ଅରୁଣା-

 

ସୁନୀତାର ସହପାଠିନୀ । ବି.ଏ. ପାଶ୍ କରି ଘରେ ବସିଛି । ପଢ଼ିପାରି ନାହିଁ ଆଗକୁ । ସୁବିଧା ହୋଇନାହିଁ । ବିବାହ ହବାପାଇଁ ବାପା ବହୁତ ଚେଷ୍ଟା କରିଛନ୍ତି, କିନ୍ତୁ ଯୋଗାଡ଼ ହୋଇନି । ଦବା ନବାର କଥାଉପରେ ଇତି ହୋଇଛି ସବୁ । ବାପ କଲେକ୍ଟର ଅଫିସରେ କିରାଣି । ସରଗର ଚାନ୍ଦଟିଏ ଆଣି ଭାବୀ ଜାମାତାର ହାତଉପରେ ଥୋଇଦବା ପାଇଁ ସାହସ କରିପାରିନାହାନ୍ତି ।

 

ସୁନୀତା ଅରୁଣାର ଚିବୁକ ଉପରେ ଟିପଦେଇ କହିଲା.....ଅରୁ....

 

–କହୁନୁ...

 

–କ’ଣ ଠିକ୍‌ କଲୁ ଯେ....

 

–କେଉଁ କଥା ମ...

 

–ଇଣ୍ଟରଭିଉ...

 

–ଚୁ....ଉ....ପ୍‌ ।

 

ଜିଭ କାମୁଡ଼ି ଧୀରେ ଧୀରେ କହିଲା ଅରୁ । ତାପରେ ସୁନୀତାକୁ ଆଉ କୁହାଇନଦେଇ ଘର ଭିତରକୁ ଟାଣିନେଲା କିଛି କହିବା ପାଇଁ ।

 

ଦୁହେଁ ଯାଇ ବସିଲେ ସୁନୀତାର ଶୋଇବା ଘରେ । ମାଉସୀ ବସି ବସି ଭାଗବତ ପଢ଼ୁଥିଲେ । ବଳ ବୟସ ଗଲେ ଭାଗବତ ଏବଂ ଭଗବାନଙ୍କୁ ନେଇ ପଡ଼ିରହେ ମଣିଷ । ଏକା ଏକା ଦିନ ଗଣିବା ପାଇଁ ସାହସ ହୁଏନା । ସେଇ ଅଦୃଶ୍ୟ ଶକ୍ତିର ଅନନ୍ତ ସତ୍ତା ଉପରେ ନିର୍ଭର କରି ଆଶ୍ୱସ୍ତ ହୁଏ ସେ ।

 

–ତୁ ତା’ହେଲେ ଯାଉଛୁ ?

 

–ଆଉ କଅଣ କରନ୍ତା ଯେ....

 

–ଯା, ଶୁଭ ହେଉ । କିନ୍ତୁ ମୁଁ ଆଉ ପାରିଲିନି ।

 

–ଡରକୁଳି.....

 

–ସାହସ ହେଲାନି ବାପାଙ୍କୁ କହିବା ପାଇଁ । କାହାକୁ ନ କହି ଦରଖାସ୍ତ ପଠେଇ ଦେଇଥିଲି ତୋର ଠିକଣା ଦେଇ । ହେଲେ ବାପାଙ୍କ ମତ ଜାଣିଛୁ ତୁ । କେଉଁ ସାହସରେ କହନ୍ତି ତାଙ୍କୁ ।

 

–ମାଉସୀଙ୍କୁ କହିଲୁନି କାହିଁକି ?

 

–ମା’କୁ କହିଥିଲି । ସେ ଜିଭ କାମୁଡ଼ି କହିଲା–କ’ଣ କହିଲୁ ! ତୁ ଘର ଛାଡ଼ିଯିବୁ ବାର ଦୁଆର ଶୁଣ୍ଢିପିଣ୍ଡା ହୋଇ ଚାକିରି କରିବା ପାଇଁ । କୁଳର ମାନ ମହତ....

 

ଆଉ କହିପାରିଲା ନାହିଁ ଅରୁଣା । ତା’ର ଥରିଲା ଥରିଲା କଣ୍ଠର ଭିଜା ଭିଜା ଉଚ୍ଚାରଣ ଭିତରେ ଅନ୍ତର ଭିତରର ଅକଳନ୍ତି ବେଦନା ଝରିଆସୁଥିଲା । ବର୍ଷାର ଧାରପରି ।

 

ତାକୁ କୋଳ ଉପରକୁ ଆଉଜାଇ ନେଇ ପ୍ରବୋଧ ଦବାପାଇଁ ତା’ ପିଠିଉପରେ ନିଜର ନରମ ଆଙ୍ଗୁଳିଗୁଡ଼ିକୁ ସଞ୍ଚାରିତ କଲା ସୁନୀତା । ଅରୁଣା ସାନ୍ତ୍ୱନା ପାଇଲା ସେଥିରେ ।

 

–ନିଜକୁ ନିଃସହାୟ, ଦୁର୍ବଳ କରିଦେଏନା ଅରୁ ।

 

–ବଳ ଆଉ ପାଉଛି କୋଉଠୁ.... ତୋ ପରି ଯଦି ସ୍ୱାଧୀନ ହୋଇଥାଆନ୍ତି...

 

–ମୁଁ ତ ସ୍ୱର୍ଗରୁ ଖସିପଡ଼ିନି ଲୋ ଅରୁ । ତୋରି ପରି ଝିଅ ତ ମୁଁ ।

 

–ନା, ମୋ ପରି ନୋହୁଁ । ନୋହିଲେ ମୁଁ ପଛରେ ପଡ଼ି ରହନ୍ତି କାହିଁକି ? ତୁ ନିର୍ଭୟରେ, ନିର୍ଦ୍ୱନ୍ଦ୍ୱରେ ଯାହା ଭଲ ବୋଲି ସ୍ଥିର କରୁଛୁ କରିପାରୁଛୁ । କିନ୍ତୁ ହାତେ ଏକାକୀ ଚାଲିଯିବା ପାଇଁ ଅନୁମତି ଲୋଡ଼ାହୁଏ ମୋର ।

 

–ଆଜିର ଦୁନିଆରେ ଛିଡ଼ାହେବା ପାଇଁ ହେଲେ ନିଜକୁ ପ୍ରତିଷ୍ଠିତ କରିବାପାଇଁ ହେବ । ନିର୍ଭୟ ନହେଲେ ନିର୍ଭର କରିବାକୁ ହବ ଅନ୍ୟଉପରେ । ଦୃଢ଼ତା ନ ଥିଲେ ଆପଣା ଛାଇର ଭୟରେ ଆପଣେ ମଉଳିଯିବ ମଣିଷ ।

 

–କିନ୍ତୁ ସତରେ ତୁ କ’ଣ ପାରିବୁ ?

 

–କାହିଁକି ନ ପାରିବି ଯେ । ଦଶଜଣ ପାରିଛନ୍ତି । ମୁ କେଉଁଠାରେ ସେମାନଙ୍କଠାରୁ ଅଯୋଗ୍ୟା ଯେ....

 

–ନା ସେ କଥା କହୁନି । କିନ୍ତୁ ସେମାନଙ୍କ ପରି ହୋଇପାରିବୁ ତ ?

 

–ମାନେ ?

 

–ଭାଇ କହନ୍ତି, ସେଗୁଡ଼ା କୁଆଡ଼େ ମାନ ମହତ ସବୁ ଖାଇ ବସିଛନ୍ତି ।

 

–ସେମାନେ ହୁଏତ ସେଇପରି ହୋଇଥିବେ । କିନ୍ତୁ ତୁ କାହିଁକି ସେପରି ହେବୁ, ମୁଁ କାହିଁକି ସେପରି ହେବି ?

 

–ଅନ୍ୟ ପଥ ନାହିଁ । ପୁରୁଷ ମେଳରେ ଜଣେ ଝିଅ କେତେଦିନ ଅଲଗା ରହିପାରିବ ?

 

–ପଥ ଅଛି । ଯିବୁ କି ନାହିଁ ଆଗ ସ୍ଥିର କର । ତାପରେ ଦେଖିବୁ ଦିନର ଆଲୋକ ପରି ସବୁ ସ୍ପଷ୍ଟ ହୋଇଯିବ ଆଖିଆଗରେ । ବଳ ଆସିବ ଦେହକୁ । ମନକୁ....

 

–ମୁଁ ଏତେ ଭାବିପାରେନା । ଏଭଳି ଚିନ୍ତା କରିପାରେନା ଲୋ ନୀତା ।

 

–ଭାବିଲେ ଭାବାନ୍ତର ହୁଏ ସିନା । ଏଥିପାଇଁ ଆତ୍ମପ୍ରତ୍ୟୟ ଆବଶ୍ୟକ ।

 

–କିନ୍ତୁ ଆମ ସମାଜରେ ଏହାର ଚଳଣି....

 

କଥା ଛଡ଼େଇନେଇ କହିଲା ସୁନୀତା–

 

–ଚଳାଇନେଲେ ଚଳିଯାଏ ସବୁ । ଥରେ ଚାଲି ଶିଖିଲେ ଦେହଟା ଆଉ ବୋଝ ହୋଇଉଠେ ନାହିଁ । ଆଉ ସମାଜ କଥା ଯେ–ଏଇ ସମାଜଟା କେତେଦିନୁ, କେଉଁ କାଳରୁ ତିଆର ହୋଇଛି କିଏ ଜାଣେ ? ସମୟର ପାଣି ପବନରେ କଳଙ୍କିଲାଗି ଦୁର୍ବଳ ହୋଇଯାଇଛି । ଯେତିକି ଭଲ ସେତିକି ଗ୍ରହଣ କରି କଳଙ୍କି ଲଗା ଅଂଶତକ ବାଦ ନଦେଲେ ଚଳିହବନି ଆଜିକାଲିର ଜଟିଳ ଦୁନିଆରେ ।

 

–କିନ୍ତୁ....

 

–କିନ୍ତୁ ନୁହେଁ ଲୋ ଅରୁ । ଝିଅ ହୋଇ ଜନମ ପାଇଛୁ ବୋଲି ସବୁବେଳେ ଅନ୍ୟର ଆଶ୍ରୟ ପାଇଁ ଅନାଇ ନ ବସି, ନିଜର ମାନମହତ ମର୍ଯ୍ୟଦା ରକ୍ଷା କରିବାପାଇଁ ଅନ୍ୟର ସହାୟତା ଉପରେ ନିର୍ଭର ନକରି, ନିଜେ ନିଜକୁ ରକ୍ଷା ନକଲେ ଚଳିବ କିମିତି ?

 

–କିନ୍ତୁ ନାରୀ ତ ଯୁଗ ଯୁଗ ଧରି କେବଳ ନିର୍ଭର କରିଆସିଛି । ଅନ୍ୟର ଅନୁକମ୍ପାକୁ ଅନାଇ ରହିଛି ।

 

–ସେ କଥା ମାନିବା ପାଇଁ ପ୍ରସ୍ତୁତ ନୁହେଁ ମୁଁ । ନିର୍ଭୟରେ ଚାଲିବି ମୁଁ ଇଚ୍ଛା ଅନୁସାରେ । ସେଥିରେ ଅନ୍ୟର ବାଧା ମୁଁ ସ୍ୱୀକାର କରିବି ନାହିଁ ।

 

–ସେଇଥିପାଇଁ ସାହସ କରି ତୁ ଗୋଡ଼ କାଢ଼ିଛୁ ବାହାରକୁ ଯିବାପାଇଁ ।

 

–ତା’ହେଲେ ତୁ ଯାଉନୁ ?

 

–ନା, ତୁ ଯା । ଜଗନ୍ନାଥେ ତୋର ମଙ୍ଗଳ କରନ୍ତୁ ।

 

–ସେଇ ପଦକୁ ସବୁବେଳେ କହୁଥା ଲୋ ଅରୁ । ହେଲେ ତୁ ଯାଇଥିଲେ ସାଙ୍ଗ ହୋଇ ଯାଇଥାଆନ୍ତେ । ବେଶ୍ ମଜା ହୋଇଥାନ୍ତା ।

 

–ଏତେ ସପନକୁ ରାତି କାହିଁ ଲୋ ନୀତା ! ହୀନ କପାଳ ମୁଁ । ସେ ଭାଗ୍ୟ ନାହିଁ ମୋର-

 

ପୁଣି ଅରୁଣାର କଣ୍ଠରେ ଆଦ୍ରତା । ଉଚ୍ଚାରଣରେ କମ୍ପନ ।

 

କଥାର ମୋଡ଼ ଫେରାଇ ବଳଙ୍ଗର ବହିଯାଉଥିବା ଅବାରିତ ବାରିଧାରାଆଡ଼ୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲା ନୀତା–ମୁଁ ଯଦି ଅଟକି ଯାଏଁ, ମାଉସୀକୁ ଦେଖିବୁ....

 

–ତୁ ନ କହିଲେ ସେ କଥା ମୁଁ କଅଣ କରିବିନି ଯେ...

 

ସୁନୀତାର ମୁହଁ ଉପରୁ ଚେନାଏ ହସ ଝରିପଡ଼ିଲା । ସେଇ ହସର ଛୁଆଁ ଲାଗିଲା ଅରୁଣାର ମନରେ । ସେ ନୀତାର ଓଠ ଧରି କହିଲା–ଯଦି ଭାଗ୍ୟରେ ଥାଏ ଦେଖିବି କାହା ହାତରେ ପଡ଼ୁଛୁ ତୁ....

 

–ତୋର ସେ ଭାଗ୍ୟ ନ ହେଉ ଲୋ ଅରୁ.....

 

ଖତେଇ ହେଇ କହିଲା ସୁନୀତା ।

 

ଅରୁଣା ଜାଣେ ସୁନୀତାର ମନ । ଦୁହେଁ ସାଙ୍ଗ ହୋଇ ସ୍କୁଲରୁ କଲେଜ ଯାଏ ପଢ଼ିଛନ୍ତି । ପାଖାପାଖି ଘର । କୌଣସି କାମରେ ନୀତା ପୁଅମାନଙ୍କ ପଛରେ ପଡ଼ିଯାଇନାହିଁ । ପଢ଼ାରେ ଯେପରି ସବୁବେଳେ ଭଲ ଫଳ ଦେଖାଇଆସିଛ, କଲେଜର ବିଭିନ୍ନ ଅନୁଷ୍ଠାନ ଓ ସଭା ସମିତିରେ ନିଜର ନାମକୁ ସେଇପରି ଉଜ୍ଜ୍ୱଳତାର ସହିତ ଜାହିର କରିଛି । ଅନେକ ସାଙ୍ଗ ଏବଂ ଅଧ୍ୟାପକ ତା’ ରୂପର ଆଲୋକରେ ଆଲୋକିତ କରିବା ପାଇଁ ଚାହିଁଛନ୍ତି ନିଜ ନିଜର ମନ ଗହନର ନିବିଡ଼ ଅନ୍ଧକାରକୁ । ସମସ୍ତେ ବିଫଳ ହୋଇ ଫେରିଯାଇଛନ୍ତି ବିଷାଦରେ । ସମସ୍ତ ପାଖରେ ପ୍ରଗଲ୍‌ଭ ସୁନୀତା ନୀରବ ହୋଇଯାଇଛି । ସବୁ ପ୍ରଶ୍ନର ଉତ୍ତର ଏବଂ ସମସ୍ତ ସମସ୍ୟାର ସମଧାନ କରିବାପାଇଁ ସେ ଘଣ୍ଟାଘଣ୍ଟା ଧରି ତର୍କ କରିଛି, ନୂତନ କିଛି କରିବାର ପ୍ରେରଣାରେ ଅସ୍ଥିର ହୋଇଛି; କିନ୍ତୁ ଯେଉଁଠି ତାକୁ ମୁଖର କରିବା ପାଇଁ ଅନ୍ୟମାନେ କାମନା ଏବଂ ପ୍ରାର୍ଥନା କରିଛନ୍ତି, ସେଠାରେ ସମ୍ପୂର୍ଣ୍ଣ ନିର୍ଲିପ୍ତତା ଭିତରେ ନିଭିଯାଇଛି । ସେଇଥିପାଇଁ ଅନେକ ତାକୁ ଦାମ୍ଭିକ ଏବଂ ରୁକ୍ଷ ଭାବରେ ଅଭିହିତ କରିବାକୁ ପଛେଇନାହାନ୍ତି । କିନ୍ତୁ ସେମାନଙ୍କର ସ୍ମୃତିରେ ଯେପରି ସେ ହଜାଇଦେଇ ନାହିଁ ନିଜକୁ, ସେମାନଙ୍କର ନିନ୍ଦାରେ ମଧ୍ୟ ଜର୍ଜରିତ କରିନାହିଁ ନିଜକୁ ।

 

ସୁନୀତା ମିଶ୍ର ସୁଶ୍ରୀ, ସୁନ୍ଦରୀ । ଦୀର୍ଘ ଏବଂ କ୍ଷୀଣାଙ୍ଗୀ । ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣତା ମଧ୍ୟରେ ସଜୀବ ଏବଂ ସୁଦୀପ୍ତା । ଘନକୃଷ୍ଣ କେଶଗୁଚ୍ଛ । ଦୀର୍ଘ ଆୟତ ନୟନ । ଫୁଲପରି ପରିଷ୍କାର ସୁସମନ୍ତିମ ଦନ୍ତପନ୍ତି ସର୍ବୋପରି ଏକ ଆକର୍ଷଣୀୟ ଲାବଣ୍ୟ ତାକୁ ସୁନ୍ଦର ଏବଂ ମଧୁର କରିଥିଲା । ସେ ବିଶ୍ୱ ସୁନ୍ଦରୀ ନୁହେଁ, ଏପରିକି ଅତି ସୁନ୍ଦରୀ ମଧ୍ୟ ନୁହେଁ । କିନ୍ତୁ ସେ ଏକକ ସୁଷମାରେ ମଣ୍ଡିତା-। ନିଜର ଶ୍ରୀରେ ବିଭୂଷିତା । ନିଜେ ନିଜର ସେଇ ସ୍ୱାଭିମାନୀ ରୂପକୁ ଦେଖି ବେଳେବେଳେ ମୁଗ୍‌ଧ ମୋହିତ ହୋଇଥିଲା ସୁନୀତା । ସେଇ ସ୍ୱୟଂ ମୁଗ୍‌ଧ ରୂପକୁ ନିଜପାଖରେ ତୋଳିଧରି ନାରୀ ପ୍ରାଣର ସମସ୍ତ ନିର୍ଯ୍ୟାସକୁ ନିଜଭିତରେ ସାଇତି ରଖୁଥିଲା ସେ ।

 

ଅରୁଣା ବିଦାୟନେଲା ଶୁଭରାତ୍ରି ଏବଂ ଶୁଭଯାତ୍ରା ଜଣାଇ । ତାକୁ ଆଗେଇଦେଇ ଆସ ମାଉସୀଙ୍କର ବାକି କାମ ଶେଷ କରି ନିଜେ ଖାଇନେଲା ସହଜ ସରଳ ଖାଦ୍ୟ, ବାହୁଲ୍ୟ ନାହିଁ, ଆଡ଼ମ୍ବର ନାହିଁ । ସ୍ୱଳ୍ପତା ମଧ୍ୟରେ ସୁଗମ ଜୀବନର ସ୍ୱାଦ ଅନୁଭବ କରେ ସେ । ବହୁଳତା ଜଟିଳତାର ମଧ୍ୟରେ ଅନୁଭବ ନଥାଏ, ଥାଏ କେବଳ ସ୍ୱାଦହୀନତାର ସମ୍ଭୋଗ ।

 

ରାତି ଦଶଟାରେ କଟକ ବସ୍‌ ବାରିପଦା ଛାଡ଼େ । ସମସ୍ତ ଜିନିଷପତ୍ର ପୁଣି ଭଲ କରି ଥରେ ସଜାଡ଼ିନେଇ ରିକ୍‌ସା ଡାକିବା ପାଇଁ ଶିଖିକୁ ପଠେଇଦେଲା ସୁନୀତା । ଘରଦ୍ୱାର ଯେଉଁଠି ବନ୍ଦ ହବା କଥା ବନ୍ଦ କରି ମାଉସୀଙ୍କ ପାଖରେ ସବୁ ବୁଝେଇଦେଇ ପ୍ରଣାମ କରି ପାଦଧୂଳି ନେଲା-

 

ଦଶମିନିଟ ମଧ୍ୟରେ ରିକ୍‌ସା ଆଣି ଶିଖି କହିଲା–ଦେଈ, ରିକ୍‌ସାବାଲା ଅପେକ୍ଷା କରିଛି-

 

ସୁଟକେଶ ଓ ବେଡିଂଟିକୁ ରିକ୍‌ସା ଉପରକୁ ପଠେଇଦେଇ ଉପରକୁ ଚାହିଁ ଟିକିଏ ପ୍ରଣତ ହେଲା ସୁନୀତା । ତା’ପରେ ରିକ୍‌ସା ଉପରେ ବସିଲା ଯାଇ । ରିକ୍‌ସା ଚାଲିଲା ବସ୍‌ଷ୍ଟାଣ୍ଡଆଡ଼କୁ ।

 

ମେଘ ମେଦୁର ଆକାଶରେ ଅପାଙ୍କ୍ରେୟ କୋଣରେ କେତୋଟି ତାରା ଆଖିମିଟିକା ମାରୁଥିଲେ । ସେ ସେମାନଙ୍କୁ ଦେଖିଲା । ଆଖି ବନ୍ଦ କରି ପୁଣି ଖୋଲିଲା । ସେଇ ଆଖି ବନ୍ଦ କରିବା ଏବଂ ଖୋଲିବା ମଧ୍ୟରେ ସେ ତାରାଗୁଡ଼ିକର ଶୁଭେଚ୍ଛା ଗ୍ରହଣ କଲା ଉଦାର ହୃଦୟରେ ।

 

ଦୁଇ

 

କର୍ମ ନିୟୋଗ ସଂସ୍ଥା ମଙ୍ଗଳାବାଗ ଛକର ପୂର୍ବ କୋଣରେ । ପୂର୍ବରୁ ଏହାର ନାମ ଥିଲା ପର୍ସନାଲ ପ୍ରକିଓରମେଣ୍ଟ ବ୍ୟୁରୋ । ଏବେ ସେ ନାମ ବଦଳ କରାଯାଇ ସମସ୍ତେ ବୁଝିପାରିଲା ଭଳି ନୂତନ ଓଡ଼ିଆ ନାମ ଦିଆଯାଇଛି । ବେସରକାରୀ ଶିଳ୍ପ ଓ ବାଣିଜ୍ୟ ସଂସ୍ଥାରେ ନିଯୁକ୍ତି ପାଇଁ ପ୍ରାର୍ଥୀ ମନୋନୟନ କରିବା ଏହି ସଂସ୍ଥାର ପ୍ରଧାନ କାର୍ଯ୍ୟ । ଅଫିସ୍ ଆଗରେ ବଡ଼ ବଡ଼ ଅକ୍ଷରରେ ଲେଖା ଫଳକ ଦୂରରୁ ପଥଚାରୀର ଦୃଷ୍ଟି ଆକର୍ଷଣ କରେ ।

 

ଶ୍ରାବଣ ମାସର ଏକ ଅଳସୁଆ ସକାଳ–ଅଜଗର ପରି ଭିଡ଼ିମୋଡ଼ି ହେଉଚି ପାଣି କାଦୁଅରେ । ମେଘ ବର୍ଷୁଛି ଝିପି ଝିପି ହୋଇ । ଜୀବନଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ ନହେଲେ ମଧ୍ୟ ପ୍ରଖର ହୋଇନି । ଧିମେଇ ଧିମେଇ ଚାଲିଛି । ରାସ୍ତାଉପରେ ଯାନବାହନର ଭିଡ଼ ଧୀରେ ଧୀରେ ଜମିଉଠୁଛି । ସଡ଼କର ଖାଲିସ୍ଥାନମାନଙ୍କରେ ପାଣି ଜମିଚି ଠାଏ ଠାଏ । ମୋଟର ଗୋଟେ ଚାଲିଗଲେ ପାଣି ଛିଟିକିପଡ଼ୁଛି ଅସାବଧାନ ପଥଚାରୀ ଉପରେ । କଟକ ସହର ଧବଳ ଟଗର ପରି ସଫା ବା ସୁନ୍ଦର ନୁହେଁ । ଆଗନ୍ତୁକକୁ ଆକର୍ଷଣ କରେନାହିଁ । ବରଂ ଆଶଙ୍କା ଉପୁଜାଇବା ଭଳି ବହୁ ଉପାଦାନ ଅଛି ଏଇ ସହର ଭିତରେ । ସାବଧାନ ହୋଇ ନ ଚାଲିଲେ ବା ଗାଡ଼ି ଚଲାଇଲେ ଅଜସ୍ର ଖାଲଢିପ ବା ଭଙ୍ଗା ରାସ୍ତାର ଦାଢ଼ୁଆ ସ୍ଥାନରେ ଦୁର୍ଘଟଣା ଘଟିବାର ସମ୍ଭାବନା ଅନେକ ଥାଏ । ଠାଏ ଠାଏ ପାଖରେ ବାସ କରୁଥିବା ଲୋକମାନେ ଅଇଁଠାପତ୍ର, ପାଉଁଶ, ପରିବା ଚୋପା ବା ମାଛକାତି ଜମା କରିଛନ୍ତି–ସାଧାରଣ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପ୍ରତି ଦୃଷ୍ଟି ନ ଦେଇ । ବୁଲା ଷଣ୍ଢ, ଗାଈ ବା କୁକୁର ସ୍ୱାଧୀନ ଭାବରେ ବିଚରଣ କରୁଛନ୍ତି ରାସ୍ତାଉପରେ । କିନ୍ତୁ ଏସବୁକୁ ପଛରେ ପକେଇ ଜୀବନଯାତ୍ରା ଆଗେଇ ଚାଲିଛି । ମଣିଷର ଜୀବନ କଟକ ସହର ପରି ବହୁବର୍ଣ୍ଣା ଏବଂ ଖାଲଢିପରେ ପରିପୂର୍ଣ୍ଣ । ସେ ଦୁନିଆର ଏଇ ଅସମତଳ, ଅସମାନ୍ତରାଳ ଏବଂ ଅସମସ୍ତିସ ପଥରେ ଚାଲିଛି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ । କିନ୍ତୁ ସେ ଲକ୍ଷ୍ୟ କେଉଁଠି ସେ କଅଣ ଜାଣେ ସବୁବେଳେ ? ହୁଏତ ଜାଣେନା । ହୁଏତ ଜାଣେ । ଯେଉଁଠି ଜାଣେ ସେଠାରେ ପହଞ୍ଚିବା ପାଇଁ ଚାଲେ ସଂଗ୍ରାମର ଉତ୍ତେଜନା ନେଇ; ଯେଉଠି ଜାଣେନା ସେ ଯାଏ ଯିବାର ବେଦନା ନେଇ । ଲକ୍ଷ୍ୟ ଯାହାହେଉ, ଉଦ୍ଦେଶ୍ୟ ଯାହା ଥାଉନା କାହିଁକି ବିଂଶ ଶତାବ୍ଦୀର ମଧ୍ୟଭାଗ ପରେ ଯେଉଁମାନେ ମଣିଷ ଭାବରେ ରାଜପଥ ଉପରକୁ ଆସୁଛନ୍ତି, ସେମାନଙ୍କୁ ସକାଳ ସନ୍ଧ୍ୟା ସ୍ନାନ ଏବଂ ପ୍ରସାଧନ ଘରଆଗରେ, ଦ୍ୱିପ୍ରହର ଏବଂ ସନ୍ଧ୍ୟାର ଭାତଥାଳି ପାଖରେ ଏବଂ ସନ୍ଧ୍ୟାର ସିନେମା ହଲ ବା ଷ୍ଟେସନରେ ବୁକିଂ ଅଫିସ୍ ଆଗରେ ଲାଇନ ଲଗାଇବାକୁ ପଡ଼େ । ଜୀବନକୁ ପ୍ରତିଷ୍ଠା କରିବା ପାଇଁ ଯେଉଁମାନେ ଆଗ୍ରହୀ ସେମାନଙ୍କର ଲାଇନ୍ ବଢ଼େ ମଙ୍ଗଳାବାଗ ଛକରେ କର୍ମନିୟୋଗ ସଂସ୍ଥା ସମ୍ମୁଖରେ । ମଣିଷର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ କର୍ମ କୋଳାହଳ । ସେଇ କର୍ମଟିଏ ଖୋଜିନେଇ ଜୀବନକୁ ଏକ ଗତାନୁଗତିକତାର ବିଷାଦ ଭିତରେ ଛାଡ଼ିଦବା ପାଇଁ କର୍ମନିୟୋଗ ସଂସ୍ଥା ପାଖରେ ଛିଡ଼ା ହେବାକୁପଡ଼େ । ପ୍ରାର୍ଥୀମାନଙ୍କର ସଂଖ୍ୟା ବୃଦ୍ଧିପାଉଛି, ବୃଦ୍ଧିପାଉଛି ଜନସଂଖ୍ୟା । କିନ୍ତୁ କାମ ବଢ଼ୁନି । ଗୋଟିଏ କାମ ପାଇଁ ହଜାରେ ଲୋକଙ୍କର ଭିଡ଼ ଜମେ । କର୍ମନିୟୋଗ ସଂସ୍ଥା କୋଳାହଳରେ ପୂରିଉଠେ । ସେଇ କୋଳାହଳରେ ଲୁଚିଯାଏ ବ୍ୟକ୍ତିର ବେଦନା, ବେକାର ଯୁବକର ଉତ୍ସାହ, ଉନ୍ମାଦନା । ସମସ୍ତେ ଆସି ଛିଡ଼ାହୁଅନ୍ତି ସ୍ୱପ୍ନଝରା ଦୃଷ୍ଟିନେଇ, ଫେରିଯାଆନ୍ତି ଆଲୋକର ଉତ୍ତାପ ସହିନପାରି । କର୍ମନିୟୋଗ ସଂସ୍ଥା ସମସ୍ତଙ୍କର, କିନ୍ତୁ କାହାର ନୁହେଁ । ଆଧୁନିକ ଯୁଗର ନିର୍ଲିପ୍ତତା ଏବଂ ନିଦାରୁଣ ଋକ୍ଷତା ନାଇ ଅଭ୍ୟର୍ଥନା କରେ ଯିମିତି ଫେରାଇଦିଏ ସେଇପରି । ତୁମେ ଯାଅ, ଯିବାକୁ କେହି ମନାକରିବ ନାହିଁ । ଫେରିଆସ ପଥ ରୋକି କେହି ଛିଡ଼ାହେବ ନାହିଁ । ଯିବ ଯେପରି ଏକା, ବାହୁଡ଼ିବ ସେଇପରି ଏକକ ହୋଇ । କର୍ମନିୟୋଗ ସଂସ୍ଥାର ନିର୍ଲିପ୍ତତା ଓ ନିସଙ୍ଗତା ମଧ୍ୟରେ ଶୁଣାଯାଏ ଗୋଟିଏ ଆଶ୍ୱାସନା–ଆସ, ଅଧିକ ସଂଖ୍ୟାରେ ଆସ । ଅଧିକ ସଂଖ୍ୟାରେ ଆସ । କେହି ତୁମକୁ ମନା କରୁନାହିଁ ଆସିବା ପାଇଁ କିନ୍ତୁ ଆଗକୁ ଯିବାପାଇଁ ଆଉ ପଥ ନାହିଁ । ପଥର ପାଚେରୀ ସାମ୍ନାରେ । ଯିମିତି ଆଶା ନେଇ ଆସିଥିଲ ସିମିତି ନିରାଶା ନେଇ ଫେରିଯାଅ ।

 

ବିଂଶ ଶତାବ୍ଦୀର ଏହାହିଁ ସିଦ୍ଧାନ୍ତ ।

 

ଏହି ସିଦ୍ଧାନ୍ତ ସମ୍ମୁଖରେ ନତମସ୍ତକ ହୋଇ ଯଦି ରହିପାରେ ମଣିଷ ତାହେଲେ ସେ ମଧ୍ୟ ଦିନେ ନିର୍ଲିପ୍ତତାର ନିସଙ୍ଗତାରେ ମଉଳିଯିବ ଧରିତ୍ରୀର ଧୂସରିତ ବକ୍ଷରୁ । ନିର୍ଲିପ୍ତତାର ନିଦାରୁଣ ଅନ୍ଧକାର ଭିତରେ ମଣିଷକୁ ଛାଡ଼ିଦେଇ ତା’ର ହାହାକାରର ସହସ୍ର କରୁଣତାରେ ମୂର୍ତ୍ତ ହୋଇଛି ପୃଥିବୀ । କୌଣସି ଅନୁଷ୍ଠାନ, ବ୍ୟକ୍ତି ବା ସମାଜ ଯେତିକି ନିର୍ଲିପ୍ତ, ଭାବହୀନ ସେତିକି ଆଧୁନିକ । ସେଥିପାଇଁ ବର୍ତ୍ତମାନର ପୃଥିବୀରେ ଯନ୍ତ୍ର ଓ ମଣିଷ ମଧ୍ୟରେ କାହାକୁ ତୁମେ ବାଛିନବ ତାହା ନିଃସନ୍ଦେହରେ ବିଚାର କରିବାର ବେଳ ଆସିଛି । ନିର୍ଦ୍ୱନ୍ଦ୍ୱ ଏବଂ ନିସଂଦିଗ୍‌ଧ ଚିତ୍ତରେ ଆଜିର ସଂସ୍ଥା ଏବଂ ଅନୁଷ୍ଠାନ ବାଛିନଉଛି ଯନ୍ତ୍ର । ଏହି ଯନ୍ତ୍ର ତୁମର ସବୁ କଥା ବୁଝି, ଜଟିଳ ସମସ୍ୟାର ସମାଧାନ କରିବ, ଫର୍ଦ୍ଦ ଫର୍ଦ୍ଦ ହିସାବର ସମାଧନ କରିବ । ତମର ମସ୍ତିଷ୍କଠାରୁ ଅନେକ କ୍ଷିପ୍ର ଏବଂ ଉତ୍କୃଷ୍ଟ ହେବ ତା’ର ପରିବେଷଣ ।

 

ଏଇ ଯୁଗରେ ଯେଉଁମାନେ ଜନ୍ମଗ୍ରହଣ କରୁଛନ୍ତି ସେମାନଙ୍କ ସଂଖ୍ୟା ଯେପରି କୋଟି କୋଟି ଅର୍ବୁଦ ଅର୍ବୁଦ; ସେମାନଙ୍କର ସମସ୍ୟା ମଧ୍ୟ ସେହିପରି ଜଟିଳ କୁଟିଳ ଏବଂ ଅସଂଖ୍ୟ । ପ୍ରତିଦିନ ପୃଥିବୀର ରାଜପଥ ଉପରେ ଆଗେଇ ଆସୁଛନ୍ତି କୋଟି କୋଟି ଜନତା କାମ କରିବା ପାଇଁ । ଏତେ କାମ କେଉଠିଁ ଅଛି ? ସେମାନଙ୍କର ଊର୍ଜସ୍ୱଳ ଏଇ ଧରଣୀରେ ଏତେ ଶସ୍ୟ କାହିଁ-? ସେମାନଙ୍କ ବସବାସ ପାଇଁ ସ୍ଥାନ କେଉଁଠାରେ ?

 

ଏ ପ୍ରଶ୍ନର ଉତ୍ତର କିଏ ଦବ ? କେହି ଦେଉ ବା ନଦେଉ, ସମସ୍ତେ ଯିବେ ଉତ୍ତର ଶୁଣିବା ପାଇଁ । ଯେପରି ଜାଣିଶୁଣି ନଶୁଣିବା ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି । ଯେଉଁମାନେ ଆଗେଇ ଯାଉଛନ୍ତି ସଂସ୍ଥାନ ପାଇଁ ସେମାନଙ୍କ ସଂଖ୍ୟା ଟିକିନିଖି ରଖିଛି କର୍ମନିୟୋଗ ସଂସ୍ଥା । ସେମାନେ ଏ ଦେଶରେ ଧୂଳି ମାଟିରେ ଲାଳିତ ଅସଂଖ୍ୟ ଅରକ୍ଷିତ ଅମୃତ ଶିଶୁ । ସେମାନଙ୍କର କୋଳାହଳ ପୃଥିବୀର ଆକାଶ, ଅନ୍ତରୀକ୍ଷକୁ ବିଦୀର୍ଣ୍ଣ କରିଛି । ସେମାନଙ୍କର ଦାବି ଶୁଣାଇବା ପାଇଁ ଆଗେଇ ଆସୁଛନ୍ତି ।

 

ଆଗେଇ ଆସିଛନ୍ତି କର୍ମ ନିୟୋଗ ସଂସ୍ଥାରେ ନାମ ଲେଖି କର୍ମ ସଂଧାନ କରିବାପାଇଁ ପ୍ରବୀର, ପ୍ରଣବ, ମନୋଜ, ଅଖିଳ ଓ ସବ୍ୟସାଚୀ । ଆହୁରି ଅନେକ ଛିଡ଼ାହୋଇଛନ୍ତି ପଛରେ । କିଏ ଛତା ଧରି ଛିଡ଼ାହୋଇଛି, କିଏ ବା ବର୍ଷାତିରେ ଆବୃତ କରିଛି ଦେହ, ଆଉ କିଏ ବା ଅନ୍ୟର ଛତାରୁ ଗଡ଼ିଆସୁଥିବା ବର୍ଷାପାଣିରେ କ୍ରମଶଃ ଭିଜି ଭିଜି ଯାଉଛି ।

 

ଅଫିସ୍ ଖୋଲିନାହିଁ । ଖୋଲିବା ପାଇଁ ପ୍ରାୟ ଘଣ୍ଟାକରୁ ବେଶୀ ସମୟ ବାକି ଅଛି ।

 

ଗୋଟେ ଫେରିବାଲା ଡାକ ଛାଡ଼ିଛି–ଗରମ ଚିନାବାଦାମ । ବର୍ଷା ପାଗରେ ଗରମ ପାମ୍ପଡ଼ ।

 

କିଏ କିଏ କିଣୁଛନ୍ତି । କିଏ ପକେଟର ଅବସ୍ଥା ବୁଝି ଉପରକୁ ଅନାଇ ମେଘର ରୂପ ଦେଖୁଛନ୍ତି ।

 

ଖାକି ପୋଷାକ ପିନ୍ଧା ଚୌକିଦାର ଜଣେ ଆସି ସାମ୍ନା ଦରଜାର ତାଲାଟା ଖୋଲିଦେଲା-। ମୃଦୁ ଗୁଞ୍ଜନ ଉଠିଲା ଅପେକ୍ଷା କରୁଥିବା ଉତ୍କଣ୍ଠିତ ଶହଶହ ବେକାର ଯୁବକମାନଙ୍କ ମଧ୍ୟରେ ।

 

ଅଫିସ୍ ଖୋଲିଲା ।

 

ଅଫିସର ଆସିବା ପାଇଁ ଡେରିନାହିଁ ।

 

କେତେଜଣ ପିଅନ ଆସିଲେ । କବାଟ ଝରକା ଖୋଲି ଟେବୁଲ, ଚେୟାର, ଆଲମାରି ସଫା କରିଦେଲେ । ଜଣେ ଝାଡ଼ୁଦେଇ ମଇଳା, କାଗଜ ଟୁକୁରା, କଟା ପେନ୍‌ସିଲର ଅଂଶ ସବୁ ଏକାଠି କରି ଅଫିସର ଏକ କୋଣରେ ରଖାଯାଇଥିବା ଡଷ୍ଟବିନ୍‌ରେ ଢାଳି ଦେଇଗଲା ।

 

ଦଶଟା ବାଜିଗଲା ।

 

ଦମକାଏ ପବନ ଯିମିତି ହୁ ହୁ କରି ଘରଭିତରେ ପ୍ରବେଶ କରେ କବାଟ ଝରକା ଦେଇ, ସେଇପରି ଅଫିସ୍ ଭିତରେ ଚାହୁଁ ଚାହୁଁ ଭର୍ତ୍ତି ହୋଇଗଲେ କର୍ମଚାରୀଙ୍କ ଦଳ । ଡାଇରେକ୍ଟରଙ୍କ କଳା ଆମ୍ୱାସଡର ଗାଡ଼ିଟା ଆସି ଛାଡ଼ିହେଲା ପୋର୍ଟିକୋରେ । ପିଅନ, ଅର୍ଦ୍ଦଳୀ ଦୌଡ଼ିଗଲେ ଆଗକୁ । ଡ୍ରାଇଭର ଗାଡ଼ିର ଦରଜା ଖୋଲି ଛିଡ଼ାହେଲା । ଗାଡ଼ି ଭିତରୁ ଅବତରଣ କରି ନିର୍ବିକାର, ନିର୍ଲିପ୍ତ ଭାବରେ ସମସ୍ତଙ୍କର ନମସ୍କାର ଏଡ଼ିଦେଇ ଜେଟ୍‌ ବେଗରେ ପ୍ରବେଶ କଲେ ଦପ୍ତର ଭିତରେ । ପ୍ରତି ନମସ୍କାର ନାହିଁ । କରୁଣା ନାହିଁ । ନିବେଦନ, ଆବେଦନ ନିଷ୍କରୁଣ ମୁହଁଆଗରେ ଅଗ୍ରାହ୍ୟ ।

 

ମିଷ୍ଟର ପାରିଜାତ ମହାନ୍ତି ନିଜ ପ୍ରକୋଷ୍ଠର ନିର୍ଦ୍ଦିଷ୍ଟ ସ୍ଥାନରେ ବସି ଚିରୁଟରେ ଅଗ୍ନି ସଂଯୋଗ କରି କଳେ ଧୂଆଁ ଟାଣି ଉପରକୁ ଫୁଙ୍କିଦେଇ ଧୂଆଁର କୁଣ୍ଡଳୀଦ୍ୱାରା ପ୍ରହେଳିକା ସୃଷ୍ଟି କଲେ । ଟାଇ ଉପରେ ହାତ ବୁଲେଇ କୋର୍ଟର ସଙ୍କୁଚିତ ଅଂଶ ଠିକ୍‌ କରିନେଲେ । ତା’ପରେ କଣେଇ ଚାହିଁ ବୋତାମ ଉପରେ ଆଙ୍ଗୁଳି ଟିପିଦେଲେ ।

 

କ୍ରୀଂ....କ୍ରୀଂ....କ୍ରୀଂ....

 

–ଗୁଡ୍‌ମର୍ଣ୍ଣିଂ ସାର୍‌.....

 

ଗୁଡ୍‌ମର୍ଣ୍ଣିଂ ଶ୍ରଦ୍ଧା.....

 

–ଆପଣ ଡାକିଲେ ସାର୍‌....

 

–ହଁ, ଆଜି ଏତେ ଭିଡ଼ ଜମିଛି କାହିଁକି ?

 

ଆଜି ପରା ସୌଦାଗରୀ ଅଫିସମାନଙ୍କର କ୍ଳରିକାଲ ପୋଷ୍ଟ ପାଇଁ ଦରଖାସ୍ତ କରିବାର ଶେଷ ତାରିଖ !

 

–ସେଇଥିପାଇଁ ଏତେ ଭିଡ଼ କରିବାର କୌଣସି କାରଣ ରହିବା ଉଚିତ ନୁହେଁ ।

 

–ସେମାନଙ୍କର ଅଛି ସାର୍‌ । ରେଜେଷ୍ଟ୍ରି ନ ହେଲେ ସେମାନଙ୍କର ଦରଖାସ୍ତ ନାକଚ ହୋଇଯିବ ।

 

ହସିଲା ଶ୍ରଦ୍ଧା । ସେଇ ଚେନାଏ ହସରେ ଜିନିଆର ସମସ୍ତ ସୌନ୍ଦର୍ଯ୍ୟ ଝରିପଡ଼ିଲା ଶ୍ରାବଣର ସେହି ସୁସଜ୍ଜିତ ପ୍ରକୋଷ୍ଠ ଭିତରେ । ହସ ମନକୁ ଛୁଏଁ । ତା’ ଦେହଉପରେ ସିଧା ଦୃଷ୍ଟିରଖି କହିଲେ ପାରିଜାତ ପଟ୍ଟନାୟକ– ତମେ କାଲି ଶୀଘ୍ର ଚାଲିଗଲ କାହିଁକି ?

 

–ସିନେମା ଯାଇଥିଲି ସାର୍‌ ।

 

ଶ୍ରଦ୍ଧାର ମୁହଁଉପରେ ଲଜ୍ଜାର ପାଟଳିମା ।

 

–ଏକା ନା ଆଉ କାହା ସାଙ୍ଗରେ ?

 

–କିଏ ସାଙ୍ଗ ଅଛି ଯେ.....

 

–ସାଙ୍ଗର କଅଣ ଅଭାବ ? ଖୋଜିଲେ ହେଲା ।

 

–ମୁଁ ଆସୁଛି ସାର୍‌...

 

ପ୍ରସ୍ଥାନ କଲା ଷ୍ଟେନୋ ଶ୍ରଦ୍ଧା ମହାପାତ୍ର । ତା’ର ନୃତ୍ୟାୟିତ ଗମନ ପଥକୁ ଭାବାନ୍ତର ନେଇ କେତେକ୍ଷଣ ଅନାଇ ରହିଲେ ପାରିଜାତ । ପୁଣି ଆଉ ଗୋଟିଏ ବୋତାମ ଉପରେ ଆଙ୍ଗୁଳି ରଖିଲେ କ୍ରୀଂ.....କ୍ରୀଂ.....କ୍ରୀଂ....

 

କୁର୍ନୀସ କରି ଛିଡ଼ାହେଲା ଚପରାଶି ।

 

–ବଡ଼ ବାବୁ....

 

–ଜୀ ହଜୁର !

 

ମୁହୂର୍ତ୍ତକ ମଧ୍ୟରେ ବଡ଼ ବାବୁ ଆସି ହାଜର ହେଲେ । ମୁହଁ ଉପରେ ଗରୁଡ଼ର ପ୍ରଭୁଭକ୍ତିର ଛାପ ସୁସ୍ପଷ୍ଟ ।

 

–ସାର୍....

 

–ହୁଁ, ଆଜି ଖୁବ୍‌ ଭିଡ଼ ଦେଖୁଛି ଅଫିସ୍ ସାମ୍ନାରେ ।

 

ସେ କଥା ଆଉ କୁହନ୍ତୁନି ସାର୍‌ । କେତୋଟି ସ୍ଥାନ ଖାଲି ଅଛି ଯେ...ପ୍ରାୟ ଦୁଇଶହ ହେବ ଆସି ଛିଡ଼ାହୋଇଛନ୍ତି ବାହାରେ । କାଲି ତ ତିନିଶହ ଦରଖାସ୍ତ ରେଜେଷ୍ଟ୍ରି ହୋଇସାରିଛି ।

 

–ଅଧିକ ଆସିପାରନ୍ତି ?

 

–ଅସମ୍ଭବ ନୁହେଁ । ଆସୁଛନ୍ତି ତ.....

 

–ତା’ହେଲେ ?

 

–ତା’ହେଲେ ଆପଣ ରାଜିହେଲେ ମୁଁ ଫେରେଇଦେବି ।

 

....କିମିତି ?

 

–ପାଞ୍ଚ ଦଶ ଜଣଙ୍କୁ ଫର୍ମ ଦେଇ ତା’ପରେ ଶୁଣେଇଦେବି ଫର୍ମ ଶେଷ ହୋଇଯାଇଛି ବୋଲି ।

 

–ଉତ୍ତମ, କିନ୍ତୁ ସେମାନେ ଫେରିଯିବେ ତ ?

 

–ନ ଗଲେ ଛିଡ଼ାହୁଅନ୍ତୁ ଆପତ୍ତି ନାହିଁ । ହେଲେ ଆମ କାମ ଏତିକିରେ ଶେଷ ।

 

–ସେୟା କରନ୍ତୁ । ତାପରେ ଆଜିର ଏନ୍‌ଗେଜ୍‌ମେଣ୍ଟ...

 

–ମୁଁ ଷ୍ଟେନୋକୁ ଡାକୁଛି ସାର୍‌ ।

 

–ନା, ମୁଁ ଡାକୁଛି ।

 

ପୁଣି ବୋତାମ ଟିପିଲେ ପାରିଜାତ ।

 

ଶ୍ରଦ୍ଧା ଆସି ଛିଡ଼ାହେଲା ।

 

–ସାର୍‌ଙ୍କର ଆଜି କ’ଣ ଏନଗେଜ୍‌ମେଣ୍ଟ ଅଛି ?

 

ପଚାରିଲେ ବଡ଼ ବାବୁ ।

 

–ଆର୍ଯ୍ୟାବର୍ତ୍ତ ଇଣ୍ଡଷ୍ଟ୍ରିଜ୍‌ର ପରଚେଜ୍‌ ଇନିସପେକ୍ଟର ନିର୍ବାଚନ ବୋର୍ଡର ବୈଠକ ଏଗାରଟାରେ ଅପରାହ୍ନ ସାଢ଼େ ତିନିଟାରେ ସେକ୍ରେଟାରୀଏଟ୍‌ରେ ଅନଏମ୍ପଲୟମେଣ୍ଟ ଆଣ୍ଡ ମ୍ୟାନ୍‌ପାୱାର ୟୁଟିଲାଇଜେସନ କମିଟିର ତୃତୀୟ ବୈଠକ । ସନ୍ଧ୍ୟା ସାତଟାରେ ହୋଟେଲ କ୍ୟାପିଟାଲରେ ସେବା ଏବଂ ସେବା ଅନୁଷ୍ଠାନ ତରଫରୁ ମ୍ୟାନେଜିଂ ଡାଇରେକ୍ଟର ନନ୍ଦରାମ ହନୁତରାମଙ୍କ ସାମାଜିକ ଡିନର.....

 

–ଧନ୍ୟବାଦ ଶ୍ରଦ୍ଧା ।

 

–କୃତଜ୍ଞ ସାର୍‌ ।

 

ଶ୍ରଦ୍ଧା ଚାଲିଗଲା । ବାହୁଡ଼ିଗଲେ ବଡ଼ ବାବୁ । ଯେଉଁ ମୁହଁ ଉପରେ ଗରୁଡ଼ର ନମ୍ରତା ନେଇଯାଇଥିଲେ ସେଇ ମୁହଁ ଉପରେ ଗୃଧ୍ରର ନିଷ୍କରୁଣତା ନେଇ ଫେରିଆସିଲେ । ମଧୁବାବୁଙ୍କୁ ପାଖକୁ ଡାକି କ’ଣ ପରାମର୍ଶ ଦେଲେ । ତାପରେ ନିଜ ଅଫିସ୍ ଚାରିପାଖରେ ଥରେ ଟହଲି ଆସି ବସିପଡ଼ିଲେ ନିଜ ଆସନରେ ।

 

–ବଡ଼ ବାବୁ !

 

–କ’ଣ ହେଲା ଦୀନକୃଷ୍ଣ ବାବୁ ?

 

–ଆଜ୍ଞା ଆଜି ପରା ଇଣ୍ଟରଭିଉ !

 

–କାହାର ?

 

–ଏଇ ଦେଖନ୍ତୁ । ଆପଣ ଭୁଲିଗଲେଣି ୟା ଭିତରେ । ବ୍ୟସ୍ତ ଲୋକ । ସେଇଥିପାଇଁ ପରା ମନେପକେଇ ଦବାପାଇଁ....

 

–ଏତେ ଜଞ୍ଜାଳରେ ମନେପଡ଼ିବ କେଉଁଠୁ ?

 

–ସେ କଥା ସତ । ଆଜି ପରା ମୋ ପୁଅ ଜଗଦାନନ୍ଦର...

 

–କେଉଁ ପୋଷ୍ଟ ପାଇଁ କହିଲେ ?

 

–ପରଚେଜ୍‌ ଇନିସପେକ୍ଟର ପାଇଁ ।

 

–ଭଲ କଥା ମନେପକେଇ ଦେଇଛନ୍ତି ଦୀନକୃଷ୍ଣ ବାବୁ । ମୁଁ କହିବି ବଡ଼ ସାହେବଙ୍କୁ ।

 

–ଆଜ୍ଞା ! ସମୟ ହୋଇଗଲାଣି । ଏଇଲେ ସାହେବ ଚାଲିଯିବେ ଯେ... ।

 

–ଆରେ ସତେ ତ ! ହେଲେ ଆପଣ ନିଶ୍ଚିତ ରୁହନ୍ତୁ । କିନ୍ତୁ ମୋ କଥା ମନେଅଛି ତ ?

 

–ଆଜ୍ଞା ନିଶ୍ଚିନ୍ତ ରହନ୍ତୁ ଆପଣ । ମୁଁ ତ ଆପଣଙ୍କ ହାତରେ ଟେକିଦେଇଛି ତାକୁ ସେ ଆପଣଙ୍କର । ମୁଁ ନୁହେଁ, ଆପଣ ତା’ର ମୁରବି.... ।

 

–ଏତେ କଥା ରଖନ୍ତୁ । ଭୁଲି ନ ଗଲେ ସେଇ ଯଥେଷ୍ଟ ।

 

–ସେ କଥା କୁହନ୍ତୁନି ବଡ଼ ବାବୁ ।

 

ଜିଭ କାମୁଡ଼ି କହିପକାଇଲେ ଦୀନକୃଷ୍ଣ ବାବୁ ।

 

ପୁଅ ତାଙ୍କର ଗଣିତରେ ଏମ୍‌: ଏ: ପାଶ୍‌ କରି ଦୁଇବର୍ଷ ହେଲା ଘରେ ବସିଛି । ଯଦି ପରଚେଜିଂ ଇନିସପେକ୍ଟର ହୋଇଯାଏ, କେତେ ଅଧ୍ୟାପକଙ୍କୁ ବର୍ଷ ଦୁଇଟାରେ ଗିଳିପକେଇବ । କାଏଦା ଜାଣନ୍ତି ଦୀନକୃଷ୍ଣ ବାବୁ । ସେଇ କାଏଦା ବଳରେ ହାତ କରିନେଲେ ବଡ଼ ବାବୁଙ୍କୁ । ବଡ଼ ବାବୁଙ୍କ ବୟସ୍କା କନ୍ୟା ରତ୍ନ କାଳୀ ଏବଂ ଦାନ୍ତୁଡ଼ି ହେଲେ କଅଣ ହେବ, ପୁଅ ସୁଖରେ ରହିବ ସବୁଦିନ । ବଡ଼ ହବା ପାଇଁ ଅର୍ଥ ଲୋଡ଼ା, ଭାରିଜା ସୁନ୍ଦର ହେଲେ ତ ପଇସା ଆସିବ ନାହିଁ ହାତକୁ-! ତାପରେ ବଡ଼ ବାବୁଙ୍କ ଝିଅ । ବେକିଂ ରହିବ ପଛରେ । ବଡ଼ ବାବୁଙ୍କ ବଡ଼ ଶଳା ପର୍‌ଚେଜିଂ ବିଭାଗର ସ୍ପେଶାଲ ଅଫିସର ।

 

ବେକିଂ, ପୋଷକତା । ଏ ଯୁଗରେ ତୁମର ଯାହାକିଛି ଯୋଗ୍ୟତା ଥାଉନା କାହିଁକି, ଆଗକୁ ଯିବାପାଇଁ ଇଚ୍ଛାଥିଲେ ବେକିଂ ଚାହିଁ । ତୁମକୁ ସର୍ବଦା ତଳୁ ଉପରକୁ ଉଠାଇବା ପାଇଁ ପଛପଟୁ ଠେଲିବା ପାଇଁ ବା ଉପରୁ ହାତ ବଢ଼ାଇ ଟାଣିନବା ପାଇଁ ଆଉ କାହାର ସହାୟତା ଲୋଡ଼ା । ତୁମର ସମସ୍ତ ଅଯୋଗ୍ୟତା ଏବଂ ପାରଙ୍ଗ ମହାନତାକୁ ଘୋଡ଼ାଇ ରଖି ଏକା କୁଦାକେ ସାମ୍ନାରେ ଛିଡ଼ାହୋଇଥିବା ସମସ୍ତଙ୍କ ମଥାଉପର ଦେଇ ଚାଲିଯିବା ପାଇଁ ପୋଷାକ ତା’ର ପ୍ରୟୋଜନ । ତୁମର ଯଦି ବେକିଂ ନାହିଁ, ପୋଷକତା ନାହିଁ, ଯୋଗାଡ଼ କର । କିମ୍ୱା ଯେଉଁମାନଙ୍କର ବୟସ୍କା କନ୍ୟାରତ୍ନ ଅଛନ୍ତି ସେମାନଙ୍କ ପାଣି ଗ୍ରହଣ କରିପାରିଲେ ଆହୁରି ଭଲ । ନଚେତ୍‌ ଅନ୍ୟ ପଚିଶ ଜଣଙ୍କ ପରି ଅଳିଆଗଦା କଡ଼ରେ ଛିଡ଼ା ହୋଇ ହୋଇ ତୁମର ଚପଲ ଛିଡ଼ିଯିବ ସିନା, ଜୀବନ ଯୁଦ୍ଧରେ ବିଜୟୀ ହୋଇପାରିବ ନାହିଁ ।

 

–ବଡ଼ ବାବୁ ! ବଡ଼ ସାହେବ ଡାକୁଛନ୍ତି । କହିଲା ପିଅନ ।

 

–ଯାଉଛି । ବସିବାପାଇଁ ମିନିଟିଏ ଫୁରୁସତ ନାହିଁ ।

 

କହୁଁ କହୁଁ ମୁହଁରେ ଗୋଟେ ପାନ ପୂରେଇ ବଡ଼ ବାବୁ ଧାଇଁଲେ ବଡ଼ ସାହେବଙ୍କ ପାଖକୁ । ପୁଣି ମୁହଁ ଉପରେ ଗରୁତ୍ୱର ଛାପ ମରା ନମ୍ରତା ଉଜ୍ଜ୍ୱଳ ହୋଇ ଫୁଟିଉଠିଲା ।

 

ମୁଁ ଯାଉଛି ଆବଶ୍ୟକ ହେଲେ ମିଷ୍ଟର ମିଶ୍ରଙ୍କ ପାଖରୁ ବାକି କାମ କରେଇନେବେ ।

 

–ସେ କଥା ମୁଁ କରିନେବି ସାର୍ । ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।

 

–ଆଚ୍ଛା !

 

–ସାର୍‌ ।

 

–କ’ଣ କୁହନ୍ତୁ ।

 

–ଗୋଟାଏ ପର୍ସନାଲ ନିବେଦନ ଥିଲା ସାର୍‌ ।

 

–କୁହନ୍ତୁ ।

 

–ସାର୍‌, ଆମ ଅଫିସ୍‍ର ସିନିଅର କ୍ଳର୍କ ଦୀନକୃଷ୍ଣ ବାବୁଙ୍କର ବଡ଼ ବିପଦ ।

 

–କ’ଣ ହେଲା ତାଙ୍କର ?

 

–ତାଙ୍କ ସ୍ତ୍ରୀ ଶକ୍ତ ବେମାର...

 

–କାହିଁକି ? ହସପିଟାଲରେ ରଖିଦିଅନ୍ତୁ ।

 

–ସେ କଥା ମୁଁ କହିଛି ତାଙ୍କୁ । ହେଲେ କ’ଣ ହେବ । ସାତଟି ସନ୍ତାନର ମା’କୁ ହସ୍‌ପିଟାଲରେ ରଖିବାପାଇଁ ହେଲେ ଅର୍ଥର ବି ପ୍ରୟୋଜନ ତ !

 

–ଏତେ କଥା ଶୁଣିବାପାଇଁ ମୋର ବେଳନାହିଁ ବଡ଼ ବାବୁ । ଯେଉଁ ଲୋକ ସାତଟି ସନ୍ତାନର ପିତା ସେ ନିଶ୍ଚୟ କରିତ୍‌କର୍ମ ପୁରୁଷ ହୋଇଥିବ ।

 

ତାଚ୍ଛଲ୍ୟ କଲେ ବଡ଼ ସାହେବ । କିନ୍ତୁ ଦବିଗଲେନି ବଡ଼ ବାବୁ । ସେ ବଡ଼ ସାହେବଙ୍କ ସହିତ ଏକ ମତ ହୋଇ କହିଲେ–କିନ୍ତୁ କାମରେ ବାଘ ସାର୍‌ ।

 

–ଓଃ ! ଆଇ ସି....

 

ସମୟ ଜାଣି ମୁଣ୍ଡ ବାଳରେ ହାତମାରି ଟିକିଏ ନଇଁଯାଇ ଧୀରସ୍ୱରରେ କହିଲେ ବଡ଼ ବାବୁ ।

 

–ତାଙ୍କର ବଡ଼ପୁଅ ଜଗଦାନନ୍ଦ ମହାନ୍ତି । ଗଣିତରେ ଏମ୍‌, ଏ ଫାଷ୍ଟକ୍ଳାସ୍ । ପରଚେଜିଂ ଇନିସପେକ୍ଟର ପାଇଁ ହେଉଥିବା ଇଣ୍ଟରଭିଉରେ ପ୍ରାର୍ଥୀ....

 

–ଆଚ୍ଛା ଦେଖିବି କ’ଣ କରାଯାଇପାରେ । କିନ୍ତୁ ଆଜିର ଇଣ୍ଟରଭିଉଟା ବଡ଼ ଶକ୍ତ ବଡ଼ ବାବୁ ।

 

–ଆମ ପାଇଁ ଶକ୍ତ । କିନ୍ତୁ ଆପଣଙ୍କ ଟିକିଏ ଦୃଷ୍ଟିଦେଲେ ବଳିଯିବ, ଇମିତି କାମ କଟକ ସହରରେ ନାହିଁ ସାର୍‌ ।

 

–ତା’ ନୁହେଁ ଯେ । ଉପର ମହଲାର କ୍ୟାଣ୍ଡିଡେଟ ଅଛନ୍ତି ।

 

–ସେମାନେ ଥାଆନ୍ତୁ । ସେମାନେ ସବୁବେଳେ ରହିବେ ସାର୍‌ । ତାଙ୍କ ପଛକୁ ତ ପୁଣି କିଏ ରହିବ । ସେଇମାନଙ୍କ ତାଲିକାରେ ଦୀନକୃଷ୍ଣ ବାବୁଙ୍କ ବଡ଼ପୁଅ ଜଗଦାନନ୍ଦର ।

 

–ହଁ, ହଁ । ଦେଖିବି । ଆସେ ତା’ହେଲେ ଆପଣ ଅଫିସ୍ ଦେଖିବେ ।

 

–ଗାଡ଼ି ଠିକ୍‌ ଅଛି ପୋଟିକୋରେ । ଚପରାସିଟା ଗଲା କୁଆଡ଼େ ?

 

କହି କହି ଅବାନ୍ତର ଭାବରେ ବଡ଼ ବାବୁ ଦଉଡ଼ିଲେ ପୋର୍ଟିକୋଆଡ଼କୁ । ଗାଡ଼ିର ଦ୍ୱାର ଖୋଲି ଠିଆ ହୋଇଥିଲା ଡ୍ରାଇଭର ଅଜିତ୍‌ ମିଆଁ ।

 

ପାରିଜାତ ଗୋଟିଏ ବେଗରେ ଗାଡ଼ିରେ ବସିଲେ ଯାଇ । ଦ୍ୱାର ବନ୍ଦ କରି ଅଜିତ୍ ମିଆଁ ଆଗରେ ବସି ଷ୍ଟାର୍ଟଦେଲା ଗାଡ଼ିରେ ।

 

–ସାର୍‌....

 

ପ୍ରାୟ ପାଞ୍ଚ ଦଶ ଜଣ ଏକା ସ୍ୱରରେ ଅନୁନୟ କଲେ । ବଡ଼ ବାବୁ ସତ୍ରସ୍ତ ହୋଇ ସାମ୍ନାକୁ ଯାଇ କହିଲେ–ବଡ଼ ସାହେବ ଯାଉଛନ୍ତି । ଆଗରୁ ହଟିଯାଅ...

 

–ନା, ନା । ଆମର ନିବେଦନ ଅଛି ।

 

ପାରିଜାତ ବିରକ୍ତ ହେଲେ । ବଡ଼ ବାବୁଙ୍କୁ ଡାକି ଗାଡ଼ିଭିତରୁ କହିଲେ–ମୋର ସମୟ ନାହିଁ । ଛୋଟ ସାହେବଙ୍କୁ ଦେଖାକରିବେ କହିଦିଅନ୍ତୁ ।

 

କିନ୍ତୁ ବଡ଼ ବାବୁ କିଛି କହିବା ପୂର୍ବରୁ କେତେଜଣ ଗାଡ଼ିଆଗକୁ ଆସି ଅନୁନୟ କଲେ–ସାର୍‌ ! ଆମେ ସକାଳୁ ଅପେକ୍ଷାକରି ଛିଡ଼ାହୋଇଛୁ ଏଠି । ଅଥଚ ବର୍ତ୍ତମାନ କୁହାଯାଉଛି ଫର୍ମ ନାହଁ । ଆଜି ଶେଷ ତାରିଖ ।

 

ଆଶଙ୍କା ଏବଂ ଉଦ୍‌ବେଗର ସ୍ପଷ୍ଟ ସଙ୍କେତ ସମସ୍ତଙ୍କ ମୁହଁଉପରେ ।

 

–ଶେଷ ତାରିଖ ଯାଏ ଅପେକ୍ଷା କରିବା ପାଇଁ ବଡ଼ ସାହେବ କହିଥିଲେ ? ଚିହିଁକିଉଠିଲେ ବଡ଼ ବାବୁ ।

 

–ଆପଣମାନେ ମିଷ୍ଟର ମିଶ୍ରଙ୍କ ସହିତ ସାକ୍ଷାତ କରନ୍ତୁ । ମୋର ସମୟ ନାହିଁ ।

 

ଅଜିଜ୍‌....

 

ଅଜିଜ୍‌ ମିଆଁ ମିଜାଜ୍‌ ବୁଝେ ସାହେବଙ୍କର । ଗାଡ଼ି ଟିକେ ପଛକୁ ନେଇ ଡାହାଣପଟେ ମୋଡ଼ି ଭାଙ୍ଗି ସିଧା ରାସ୍ତାଧରି ମୁହୂର୍ତ୍ତକରେ ପ୍ରାୟ ଦୁଇଶହ ତରୁଣଙ୍କର ଚାରିଶହ ଜିଜ୍ଞାସୁ ଚକ୍ଷୁ ସମ୍ମୁଖରୁ ଅନ୍ତର କରିଦେଲା ବଡ଼ ସାହେବଙ୍କୁ ।

 

ବଡ଼ ସାହେବ ଚାଲିଗଲେ ।

 

କିନ୍ତୁ ବଡ଼ ବାବୁ ଚାଲିଗଲେ ନାହିଁ । କେତେ ବଡ଼ ସାହେବ ଆସିବେ ଆଉ ଯିବେ । ବଡ଼ ବାବୁ ଏହିପରି ରହିଥିବେ । ବଡ଼ ସାହେବ ନଥିଲେ ଅଫିସ୍ ଚଳିବ, କିନ୍ତୁ ବଡ଼ ବାବୁ ନଥିଲେ ସବୁ ଅଚଳ । ମହାଦେବଙ୍କ ମନ୍ଦିରକୁ ଗଲେ ନନ୍ଦୀକୁ ଦର୍ଶନ କରି ଗଲାପରି ବଡ଼ ସାହେବଙ୍କ ପାଖକୁ ଯିବା ପୂର୍ବରୁ ବଡ଼ ବାବୁଙ୍କ କଥା ନ ବୁଝିଲେ ଦଶଥର ଦଉଡ଼ି କିଛି ଲାଭ ହେବ ନାହିଁ । ବଡ଼ ଠାକୁର ବଡ଼ ଦେଉଳରେ ହାତମେଲି ଯେପରି ସୁଖି, ଦୁଃଖୀ, ଧନୀ, ନିର୍ଦ୍ଧନ, ଦୀନ ଏବଂ ପତିତମାନଙ୍କୁ ଉଦାର ଚିତ୍ତରେ ଡାକୁଛିନ୍ତି ଅଭୟ ଆଶ୍ରୟ ତଳକୁ ଆସିବାପାଇଁ, ସେଇପରି ନିର୍ଭୟରେ ଯଦି ନିର୍ଭରତାର ସହିତ କିଛି କହିବା ପାଇଁ ଚାହିଁ ତାହେଲେ ବଡ଼ ବାବୁଙ୍କ ବଳିଆର ଭୂଜ ତଳେ ଆଶ୍ରୟ ନିଅ । ତାଙ୍କ ହାତ ଚିକ୍‌କଣ ହେଲେ, ତେଲ ଅଭାବରେ ତୁମେ ନୁଖୁରା ଗାଧୋଇବ ନାହିଁ । ସେ ପତିତପାବନ । ବଡ଼ ଅଫିସର ବଡ଼ ଠାକୁରଙ୍କ ବଡ଼ ବାହନ ।

 

ସେଇ ବଡ଼ ଠାକୁରଙ୍କ ବଡ଼ ବାହନକୁ ଧରିବାପାଇଁ ପିଅନ ସହିତ ଆଳାପ କଲା ସବ୍ୟସାଚୀ । ଜଳଖିଆ ଖାଇବାପାଇଁ ଗୋଟିଏ ଟଙ୍କିକିଆ ନୋଟ୍ ତା’ ହାତରେ ଗୁଞ୍ଜିଦେଇ କହିଲା–ବହୁତ କଷ୍ଟକରିଆସିଛି । ଆଜି ଫେରିଗଲେ ଆଉ ଥରେ ଫେରିଆସିବାର ସାହସ ନାହିଁ । ରକ୍ଷା କର ।

 

ମୁରୁକି ହସି ପିଅନ କହିଲା–ଚେଷ୍ଟା କରିବ ବଡ଼ ବାବୁଙ୍କ ପାଇଁ କିଛି... ।

 

ମର୍ମାର୍ଥ ବୁଝି ପକେଟ ଭିତରେ ଥିବା ଶେଷ ସମ୍ବଳ ଦୁଇଟଙ୍କିଆ ନୋଟ ଖଣ୍ଡେ ତା’ ହାତ ଭିତରେ ଗୁଞ୍ଜିଦେଇ କହିଲା ସବ୍ୟସାଚୀ–ମୁଁ ଏଇ କଡ଼ରେ ଛିଡ଼ାହୋଇଛି । ଫରମ ଗୋଟେ ନିଶ୍ଚୟ ଆଣିବ ଯେପରି ।

 

ପିଅନ ଅନ୍ତର ହୋଇଗଲା ବଡ଼ ବାବୁଙ୍କୁ ଧରିବା ପାଇଁ ।

 

ଧରାଧରି ଏ ଯୁଗର କୈବଲ୍ୟ । ଧରାଧରି କରିନପାରିଲେ ବେକାର ରୂପକ ତତ୍ପବୈତରଣୀକୁ ପାରିହେବା ଅସମ୍ଭବ । କୈବଲ୍ୟ ପ୍ରାପ୍ତି ହେଲେ ମଣିଷ ଆଉ ଫେରିଆସେନା ଦହଗଞ୍ଜ ହବାପାଇଁ ଏଇ ମାଟିର ପୃଥିବୀକୁ । ଧରାଧରି କରି ଉତୁରିଯାଇ ପାରିଲେ କ’ଣ କରିବି, କ’ଣ ଖାଇବିର ପଞ୍ଚାକ୍ଷର ମନ୍ତ୍ର ଆଉ ଜପ କରିବାକୁ ହୁଏନା ।

 

କିନ୍ତୁ ସେଇ ଧରାଧରି କରିବାରେ ଧୁରନ୍ଧର ନୁହେଁ ସବ୍ୟସାଚୀ । ଯାହେଲେ ଫର୍ମଟାଏ ନେଇ ପୂରଣ କରି ରେଜେଷ୍ଟ୍ରି କରାଇ ଫେରିଗଲା କର୍ମ ନିୟୋଗ ସଂସ୍ଥାର । ଅନେକ ପକେଟ ଖାଲି କରି ଚିନାବାଦାମ ଚୋବାଇ ମନର ଅବସାଦ ମେଣ୍ଟେଇ ନବାପାଇଁ ଗ୍ରାଣ୍ଡ ବା ଗ୍ରେସ୍ ସିନେମା ହଲରେ କାନ୍ଥରେ ମରାହୋଇଥିବା ବିଜ୍ଞାପିତ ଆଗାମୀ ଛିବିଗୁଡ଼ିକର କେତୋଟି ଦୃଶ୍ୟ ଦେଖିଲେ ଛିଡ଼ାହୋଇ ।

 

ପଇସା ଶେଷ ହୋଇଯାଇଥିଲା । ପକେଟରୁ ଖଣ୍ଡେ ଅଳ୍ପ ଦାମି ସିଗାରେଟ ମୁହଁରେ ଜାକି ଧୂଆଁ ଛାଡ଼ି ଛାଡ଼ି ଆଗେଇ ଚାଲିଲା ସବ୍ୟସାଚୀ । ଗୀତ ଗାଇବା ପାଇଁ ଇଚ୍ଛା ହୋଉଥିଲା ।

 

ଯଦି ସେ ପରଚେଜିଂ ଇନିସ୍‌ପେକ୍ଟର ହୋଇଯାଇପାରନ୍ତା... । ହାତ ମୁଠାରେ ସ୍ୱର୍ଗ । ମଧ୍ୟୋର୍ତ୍ତୀର୍ଣ୍ଣ ବିଂଶ ଶତାବ୍ଦୀରେ ପରଚେଜିଂ ଏବଂ ସପ୍ଳାଇ ଡିପାର୍ଟମେଣ୍ଟରେ କାମ କରି ଦୁଃଖ ରଖିବ ନାହିଁ । ଏଇ ବିଭାଗମାନଙ୍କର ସଂଗମରେ ସ୍ନାନ କରି ତରିଯିବା ପାଇଁ ଭିଡ଼ିହୁଏ ପ୍ରତିଦିନ କଳାବଜାରୀ, ଥନ୍ତଲାପେଟିଆ ଭକ୍ତମାନଙ୍କର । ଭୋଗ ଖାଇ କେତେ ଅଏସ କରନ୍ତି ବଡ଼ ବଡ଼ିଆମାନେ । ଭୋଗ ନପାଇ ଭୋକିଲା ଜନତା ପରି ଜଠରାଗ୍ନିରେ ହାଉଜାଉ ଖାଆନ୍ତି ନାହିଁ ସେମାନେ ।

 

ସବୁ ବଡ଼ ଅଫିସରେ ବଡ଼ ମଣୋହି, ବଡ଼ ଭୋଗର ବିପୁଳ ଆୟୋଜନ ।

 

ଚଟି ଘୋଷାରି ଘୋଷାରି ମେସ୍‌ଆଡ଼କୁ ଅଗ୍ରସର ହେଲା ସବ୍ୟସାଚୀ ।

 

ମହାନଦୀ କୂଳରେ ଯୋବ୍ରା ପୋଲର ପଶ୍ଚିମରେ ଯେଉଁ ବାକ୍‌ସ ତିଆରି କାରଖାନା ଅଛି ତା’ର ଠିକ୍‌ ପଛପଟେ ନନ୍ଦପାଟଣା । ଏହାର ଏକ ନିନ୍ଦିତ କୋଣରେ ବନହଂସୀ ମେସ୍‌ । ଲମ୍ବା ଅଣଓସାରିଆ ଟାଇଲଘର । କବାଟ ଝରକା ଥିଲା ନଥିଲା ପରି । କାନ୍ଥରୁ ପଲସ୍ତରା ଅନେକ ସ୍ଥାନରେ ଖସିପଡ଼ିଛି । ଚାରିପାଖ ବର୍ଷାଦିନିଆା ଘାସ ଏବଂ ଛୋଟ ଛୋଟ ଲତା ଗୁଳ୍ମରେ ପୂର୍ଣ୍ଣ । ଏଇଠି ରହେ ସବ୍ୟସାଚୀ । ସେଇଠି ରହନ୍ତି ଆହୁରି ଅନେକେ–ଯେଉଁମାନେ ଏ ଦେଶରେ ନୂତନ ନାଗରିକ ଭାବରେ ଆସନ୍ତା ନିର୍ବାଚନରେ ଭାଗନେବେ; ସେମାନଙ୍କ ସାର୍ବଭୌମତ୍ୱର କରାମତି ପଣିଆକୁ ପରଖିନେବେ ।

 

ମେସ୍‌ର ଗୋଟିଏ କୋଣରେ ରୋଷଘରେ । ଧୂଆଁ କୁହୁଳି କୁହୁଳି କୁଣ୍ଡଳ ସୃଷ୍ଟି ଝରୁଛି ରୋଷ ଘରର ଛପର ଉପରେ । ଦିନ ପ୍ରାୟ ବାରଟା । ସବ୍ୟସାଚୀର ପେଟରେ ଅନେକ ଭୋକ । ରୋଷ ଘର ଛପର ଉପରେ ଧୂଆଁ ଦେଖି ପେଟଭିତରର ଭୋକ ବି ଭିଡ଼ିମୋଡ଼ି ହେଲା । ଜଠରାଗ୍ନି ଜଳିଉଠିଲା ଅନ୍ନ ପାଇବା ଆଶାରେ ।

 

ଯାହା ହେଉ, ଯାହା କର ବା ନକର ଦେହକୁ ବଞ୍ଚାଇ ରଖିବା ପାଇଁ ଅନ୍ନ ମୁଠାଏ ଲୋଡ଼ା । ନ୍ୟାୟ, ଅନ୍ୟାୟ, ଅବିଚାରର ସ୍ଥାନ ନାହିଁ ସେଥିରେ । ଜଗନ୍ନାଥ ମନ୍ଦିରର ବଡ଼ ପଣ୍ଡାଙ୍କର ଯେପରି ଆହାରର ଆବଶ୍ୟକ, ରାସ୍ତାକଡ଼ର ରିକ୍‌ସାବାଲାର ତଣ୍ଡୁଳ ମୁଠିକରେ ସେହିପରି ପ୍ରୟୋଜନ ।

 

ପ୍ରୟୋଜନ ବୃଦ୍ଧିପାଉଛି ପୃଥିବୀରେ । ବୃଦ୍ଧିପାଉଛି ଜନସଂଖ୍ୟା । ଜନ ଥିଲେ ପ୍ରୟୋଜନ ଥାଏ । ପ୍ରୟୋଜନକୁ ନିୟନ୍ତ୍ରିତ କରିବାପାଇଁ ହେଲେ ଜନ ବୃଦ୍ଧିର ନିୟନ୍ତ୍ରଣ ଆବଶ୍ୟକ । ନୋହିଲେ ଜନ ରହିବେ, କିନ୍ତୁ ସେମାନଙ୍କର ପ୍ରୟୋଜନ ପୂରଣ ହେବନାହିଁ ।

 

ତାହା ପୂର୍ଣ୍ଣ ହେଉ ବା ନ ହେଉ ସେ ଆହାର ମୁଠାଏ ଚାହେଁ । କର୍ମ ନିୟୋଗ ସଂସ୍ଥା ସାମ୍ନାରେ ଛିଡ଼ାହୋଇ ପାଦରେ ପରାଶ ଲାଗିଛି । ଆଜିକୁ ମିଶାଇ ଦଶଥର ଯାଇଛି ଫର୍ମ ଆଣି ଦରଖାସ୍ତ କରିବାପାଇଁ । ଦଶଥର ଇଣ୍ଟରଭିଉ ଦେଲାଣି । କିନ୍ତୁ ଆକାଶ କୁସୁମ ପରି ସାର୍ଥକତା ଆଗରେ ଉଭା ନହୋଇ ସ୍ୱପ୍ନରେ ରହିଯାଇଛି ।

 

ସାର୍ଥକତା କ’ଣ ଏଡ଼େ ସହଜ ଲବ୍‌ଧ । ସେଥିପାଇଁ କ୍ରମାଗତ ସଂଗ୍ରାମ ଲୋଡ଼େ । ପବନର ଯେପରି ବିରତି ନାହିଁ, ସଂଗ୍ରାମ ଚଳାଇନେବାରେ ସେହିପରି ବିଗରମ ନାହିଁ । ତାହା ଅବିରତ ।

 

ଭାତ ଥାଳି । ମୋଟା, ବଗଡ଼ା ଚାଉଳର ଭାତ, ବିରିଡାଲି ସହିତ ସାରୁ ଓ ବୋଇତାଳୁ ପଡ଼ି ଡାଲମା ଏବଂ କରମଙ୍ଗା ଚଟଣି । ବେଶ୍‌ । ଅଧିକ ଲୋଡ଼ାନାହିଁ । ଏତକ ତିରିଶ ଟଙ୍କାରେ ଦୁଇଓଳି ଏପରି ପର୍ଯ୍ୟାପ୍ତ ଭୋଜନ ଦବ କିଏ ? ରାତିରେ ରୁଟି । ପାଞ୍ଚଟି ମଧ୍ୟମ ଧରଣର ଅଟା ରୁଟି ଏବଂ ଘଣ୍ଟାଡାଲମା, ବହୁଦିନ ହେଲା ମେନୁର ପରିବର୍ତ୍ତନ ହୋଇନି, ହୋଇପାରିନି । ସେଇ ଗୋଟାଏ ସୁଆଦର ନିତିଦିନିଆ ରୁଟିନ ମଧ୍ୟରେ ସବୁ ସୁଆଦ ଭୁଲିଯାଇଛି ସବ୍ୟସାଚୀ ।

 

ଚାକିରିଟିଏ ନୀତାନ୍ତ ପ୍ରୟୋଜନ । ନୋହିଲେ ଆଉ କିଛିଦିନ ପରେ ଉପବାସରେ ରହିବାପାଇଁ ହେବ । ଘରକୁ ଫେରିଗଲେ ଭୋଜନ ମିଳିପାରେ । କିନ୍ତୁ ପରିବାରର ଦାୟିତ୍ୱ ବହନ କରିବାର ଗୋଟାଏ ଦାବିକୁ ଯାହାକି ସେ ଆଜିଯାଏ ଏଡ଼ିଆସିଛି, ସମ୍ମୁଖୀନ ହବାକୁ ହେବ । ଟିଉସନ କରି ପ୍ରାୟ ପଚାଶ ଟଙ୍କା ପାଏ ମାସକୁ । ଭିଣୋଇ ମାସକୁ ଦଶଟଙ୍କା ପଠାନ୍ତି । ଏଇ ଷାଠିଏ ଟଙ୍କା ମୂଳଧନରେ ଭବିଷ୍ୟତ ମାଜିଷ୍ଟ୍ରେଟ ବା ପରଚେଜିଂ ଇନିସପେକ୍ଟର ବା କୌଣସି ସୌଦାଗରୀ ଅଫିସର ବାବୁ ହବାପାଇଁ କାମନା କରେ ସେ । ଦୁଃଖ କରେନା, ଦବିଯାଏନା । ଏ ଦେଶର ଅଗଣିତ ଜନତା ଦିନକୁ ମୁଣ୍ଡପିଛା ଚାରିଅଣାରେ ଚଳୁଥିବା ବେଳେ, ସେ ଦିନକୁ ଦୁଇଟଙ୍କା ପାଇ ଭାଗ୍ୟବାନ ନୁହେଁ ତ ଆଉ କଅଣ ?

ବଞ୍ଚିବା ପାଇଁ ବଞ୍ଚିତର ଯୁଦ୍ଧ ଅବିରାମ ଗତିରେ ଚାଲିଛି । ଜୀବନରେ ଏହିପରି ସଂଘର୍ଷ ସଂଗ୍ରାମ ଅଛି ବୋଲି ତାହା ଏତେ ମଧୁର ଓ ଲୋଭନୀୟ । ବଞ୍ଚିବା ସେଇଥିପାଇଁ ଆନନ୍ଦ ନାହିଁ, ଉତ୍ତେଜନା ନାହିଁ ।

ସେଇ ଉତ୍ତେଜନାରୁ ଚେନାଏ ଆଜି ପାଇଥିଲା ସବ୍ୟସାଚୀ । ବଡ଼ ବାବୁଙ୍କ ପାଇଁ ଦୁଇଟଙ୍କା ଦେଇ ପ୍ରଥମଥର ପାଇଁ ଏକ ଗର୍ହିତ କାମ କରିଛି ବୋଲି ମନେ ମନେ ଦୁଃଖ ଏବଂ ଅନୁତାପରେ ମ୍ରିୟମାଣ ହୋଇଥିଲା । କିନ୍ତୁ ତାକୁ ବଞ୍ଚିବାପାଇଁ ହେବ । ସେଥିପାଇଁ ମାନମହତ, ଧର୍ମ ଅଧର୍ମ ଜଗିଲେ ଚଳିବ ନାହିଁ । ଜୀବନ ଯୁଦ୍ଧରେ ନିୟମ ରକ୍ଷା କରିବାରେ ସମ୍ମାନ ଦିଏନା ସମାଜ; କିନ୍ତୁ ଭାଙ୍ଗିବାର ବୀରତ୍ୱକୁ ବାହାଦୁରି ଦିଏ । ମଣିଷ ପରି ମଣିଷ ହୋଇ ବଞ୍ଚିବାର ସ୍ୱପ୍ନ ସେ ଦେଖିନି । କିନ୍ତୁ ମଣିଷ ଭିତରେ ବଞ୍ଚି ରହିବାର ଲୋଭଟିକୁ ଲାଳନ କରିଚି ପାଞ୍ଚ ମନ ପଚିଶ ପ୍ରକୃତି ଦେଇ । ସେଇଥିପାଇଁ ଯାହା ମୂଲ୍ୟ ଦବାକୁ ପଡ଼ିବ ସେ ଦବ, ଅକାତର ଭାବରେ, ଅକୁଣ୍ଠିତ ଚିତ୍ତରେ ।

–କିଏ ? ସବ୍ୟସାଚୀ !

–ହୁଁ, ଅମୟ ଯେ...

–ଦରଖାସ୍ତ ଦେଲୁ ?

–ଦରଖାସ୍ତ ଦବାରେ କେବେ ହେଳା କରିନାହିଁ ।

–ମୁଁ ତୋତେ ଧନ୍ୟବାଦ ଦଉଛି ସବ୍ୟସାଚୀ । ତୁ ଫର୍ମ ପାଇଲୁ କିପରି ?

–ଠିକ୍‌ ସିଧା ରାସ୍ତାରେ ନଯାଇ ଟିକିଏ ଘୂରିଗଲେ ଫର୍ମ କ’ଣ, ପୃଥିବୀର ସବୁ ମିଳିପାରେ ଅମୟ ।

–ମାନେ ?

–ମାନେ ଫାନେ କିଛି ନାହିଁ । ସିଧା କଥା ।

ଟିକିଏ ଅନୁତାପର ସ୍ପର୍ଶ ବୋଳି ଧୀର ସ୍ୱରରେ ଉତ୍ତର ଦେଇ ଅସଲି କଥାଟା ଚାପିଦେଲା ସବ୍ୟସାଚୀ ।

–କାଲି ଇଣ୍ଟରଭିଉ, ମନେଅଛି ନିଶ୍ଚୟ ।

 

–ଅଛି, ହେଲେ ଯିବିନି ଭାବୁଛି ।

 

–ଯିବୁନି, ଆଶ୍ଚର୍ଯ୍ୟ କଥା କହୁଛୁ । ସେକ୍ରେଟେରିଏଟ୍‌ର ଏତେବଡ଼ ଭଲ ପୋଷ୍ଟଟା ହାତଛଡ଼ା କରିଦବା ପାଇଁ....

 

–ତିନୋଟି ସ୍ଥାନ ପାଇଁ ସାତଶହ ପ୍ରାର୍ଥୀ, ତିନିଶହ ପଞ୍ଚସ୍ତରୀ ପ୍ରାର୍ଥିନୀ ।

 

–ପ୍ରାର୍ଥିନୀମାନଙ୍କ ପାଇଁ ତ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ନାହିଁ ।

 

–ନାହିଁ । ତେବେ ଶୁଣୁଛି ଚେଷ୍ଟା ଚାଲିଛି ।

 

–କାହିଁକି ?

 

–ସବୁ କାହିଁକିର ଉତ୍ତର କେହି ଦେବେନାହିଁ । ଦବାର ପ୍ରୟୋଜନ ମଧ୍ୟ ନାହିଁ ସେମାନଙ୍କର । ହୁଏତ ଝିଅମାନଙ୍କ ପାଖରେ ଅଧିକ କର୍ମନିଷ୍ଠା ରହିଛି ।

 

ଦାର୍ଶନିକ ପରି ମନ୍ତବ୍ୟ କଲା ସବ୍ୟସାଚୀ ।

 

–ତା’ହେଲେ ତୁ ଯାଉନୁ ?

 

–ଯାଉନି ସଠିକ୍‌ ତାହା ନୁହେଁ । ଯିବି । କିନ୍ତୁ ଆଶା ନାହିଁ । ଏଣୁ ଯିବା ନଯିବା ସେ କିଛି ଯାଏଆସେ ନାହିଁ ।

 

–ହବନି କାହିଁକି ଭାବୁଛୁ ? ତୋର ଯଥେଷ୍ଟ ଯୋଗ୍ୟତା ଅଛି ସବ୍ୟସାଚୀ...

 

–ତୋର ମଧ୍ୟ ଅଛି ।

 

–ହଁ, ଥାଇପାରେ ।

 

ଦୁହେଁ ଦୁହିଁଙ୍କ କଥାରେ ଉଚ୍ଚହାସ୍ୟ କରି ମେସ୍‌ ପ୍ରାଙ୍ଗଣକୁ ମୁଖରିତ କରି ତୋଳିଲେ ।

 

–ତୋର ପର୍ସନାଲିଟି ଦେଖିଲେ ମୁଁ ଉତ୍ସାହ ପାଏ, ସେଇଥିପାଇଁ ତୋତେ ଦେଖିବାପାଇଁ ମଝିରେ ମଝିରେ ବିନା ନୋଟିସରେ ଚାଲିଆସେ ଏଇପରି ।

 

ମୁଁ କୃତଜ୍ଞ । ମଝିରେ ମଝିରେ ଏଇପରି ଆସିବୁ ନିଶ୍ଚୟ ।

 

ଦୁହେଁ କଥା କହୁଁ କହୁଁ ଯାଇ ବସିଲେ ଯୋବ୍ରାର ପଥର ବନ୍ଧ ଉପରେ । ବର୍ଷା ନଥିଲା; କିନ୍ତୁ ମେଘଥିଲା ଆକାଶରେ । ନଦୀରେ ବେଶ୍ ପାଣି ହୋଇଛି । ଅଧିକ ବର୍ଷା ହେଲେ ବନ୍ୟା ହୋଇପାରେ ।

 

ମହାନଦୀର ପୋଲଉପରେ ଗୋଟାଏ ପାସେଞ୍ଜର ଗାଡ଼ି ଯାଉଛି । ଗାଡ଼ିକୁ ଅନାଉଁ ଅନାଉଁ ଆଖି ଫେରାଇ ଘଡ଼ି ଦେଖି କହିଲା ଅମୟ–ପ୍ରାୟ ଠିକ୍‌ ସମୟରେ ପୁରୀ ପାସେଞ୍ଜର ଯାଉଛି । ବଡ଼ ସୌଭାଗ୍ୟର କଥା ସତରେ ।

 

–ସମୟ ପାଇଁ ଏତେ ଉଦ୍‌ଗ୍ରୀବ ନୁହେଁ ମୁଁ । ଅଫୁରନ୍ତ ସମୟ ବେକାର ଜୀବନରେ । କିନ୍ତୁ ଆଜିକାଲି ଗାଡ଼ିରେ ଭିଡ଼ ଦେଖିଲେ ଭୟହୁଏ । ଗାଡ଼ି ଚଢ଼ିବାପାଇଁ ସାହସ ହୁଏନା ।

 

–ଯେଉଁ ଆଡ଼କୁ ଯିବ ଏଇ ଗୋଟାଏ ଜିନିଷ ଖୁବ୍‌ ଭଲଭାବରେ ଆଖିଆଗରେ ପଡ଼ିବ ସବ୍ୟସାଚୀ । ରେଳଗାଡ଼ି ଦେଖ ବା ଜାହାଜ ଦେଖ ସବୁଠି ଦେଖିବ ଭିଡ଼ ଯିମିତି ଯୋବ୍ରା ପୋଲର ଖରାଦିନିଆ ରାସ୍ତାରେ, ପୁରୀର ବଡ଼ଦାଣ୍ଡରେ ବା ମହତାବ ରୋଡରେ । ସବୁଠି ଜନ ଗହଳି । ସୁଅ ଛୁଟିଛି ମଣିଷର ।

 

–ଜୀବନଟା ଯଦି କେନ୍ଦ୍ରାପଡ଼ା ରାସ୍ତାପରି ଅସମତଳ ନହୋଇଥାଆନ୍ତା ସତରେ କେଡ଼େ ଆରାମରେ ଦଉଡ଼ୁନଥାଆନ୍ତେ ସମସ୍ତେ ?

 

–ସତ । କିନ୍ତୁ ଆରାମରେ ଉତ୍ତେଜନା ନାହିଁ ।

 

–ଆମେ ଏ ଯୁଗର ପ୍ରତିନିଧି । ଆରାମ ଚାହୁଁନା, ଉତ୍ତେଜନା ଚାହୁଁ ।

 

–ସାବାସ୍‌ । ସେଇଥିପାଇଁ ତ କହେ ମୁଁ ସବ୍ୟସାଚୀ ବ୍ୟଥିତ ହୁଅନାହିଁ ହତାଶ ହୁଅନାହିଁ-। କେବଳ ଆଗେଇଚାଲ । ଦେଖିବୁ ତୋତେ ବରଣ କରିବାପାଇଁ କେଉଁ ଏକ ଅଖ୍ୟାତ ଦିନର ପ୍ରଖ୍ୟାତ ସୂର୍ଯ୍ୟ ଦିନେ ବଡ଼ି ସକାଳେ ଅପେକ୍ଷା କରୁଥିବ ।

 

–ତୁ ସାହିତ୍ୟିକ, କବି । ଭାଷାରେ ସୌନ୍ଦର୍ଯ୍ୟ ଅଛି....ଏତେ କିନ୍ତୁ ମୁଁ ବୁଝେନା...କେବଳ ଆଗେଇ ନଗଲେ ମଣିଷ ମରିଯାଏ ବୋଲି ଆଗେଇଯାଏ ।

 

ଚିନାବାଦାମ...ଗରମ ଚିନାବାଦାମ... ମେଘୁଆ ପାଗ କିଣିବା ଆଗ..ଚିନାବାଦାମ... ସରଗରମ । ଚିନାବାଦାମ... ଗରମ ଚିନା ବାଦାମ....

 

ପିଲାଟା ଭଲ ସ୍ୱର ଲଗାଇଛି । କିଣିବା ପାଇଁ ଇଚ୍ଛାହେଲା ସବ୍ୟସାଚୀର । କିନ୍ତୁ ପଇସା-? ପକେଟ ଖାଲି ଯେ, ଡାକିବାପାଇଁ ଯାଇ ଅଟକିଗଲା । ଅମୟ ବୁଝିପାରିଲାକି କେଜାଣି–ଡାକିଲା ଚିନାବାଦାମ ବିକୁଥିବା ପିଲାଟିକୁ ।

 

କୋଡ଼ିଏ ପଇସାର ଚିନାବାଦାମ କିଣିଲା ଅମୟ । ଅଧେ ଅଧେ । ଗରମ ଚିନାବାଦମ ଚୋବାଉ ଚୋବାଉ କହିଲା ସବ୍ୟସାଚୀ–ମୁଁ ତ ପଢ଼ାପଢ଼ି ସେପରି କରିନି । ଯଦି ସାହାଯ୍ୟ କରନ୍ତୁ...ଇଣ୍ଟରଭିଉଟା ଦେଇଆସନ୍ତି ।

 

–ବେଶ୍‌, ଆଃ ମୋ ସାଙ୍ଗରେ । ଘରେ ସନ୍ଧ୍ୟାବେଳେ କିଛି ଆଲୋଚନା କିରିନେବା ।

 

ଦୁହେଁ ଉଠିଲେ । ଚିନାବାଦାମ ଚୋପାଗୁଡ଼ାକ ପଡ଼ିରହିଲା ଭୂଇଁଉପରେ ।

 

ଚିନାବାଦାମ ବିକୁଥିବା ପିଲାଟା ଆଗେଇଯାଇଥିଲା । ଦୁହେଁ ଗଳ୍ପ କରୁ କରୁ ମଙ୍ଗଳାବାଗ ଆଡ଼କୁ ଅଗ୍ରସର ହେଲେ ।

 

ତିନି

 

ହୋଟେଲ କ୍ୟାପିଟାଲ ।

 

ମହାନଦୀର ପଥରବନ୍ଧ ଉପରେ ଦକ୍ଷିଣକୁ ମୁହଁକରି ଠିଆହୋଇଛି ତ୍ରିତଳ ପ୍ରାସାଦ ଆଧୁନିକ, ଆକର୍ଷଣୀୟ, ମନୋରମ । ଗୋଲାପୀ ରଙ୍ଗ । ଉପରୁ କୃତ୍ରିମ ବାଡ଼ ଦୁର୍ବାଦଳର ଚତ୍ୱର । ମଝିରେ ରାସ୍ତା । ଦୁଇକଡ଼ରେ ମୋଟର ରଖିବାପାଇଁ ସ୍ଥାନ । ରାସ୍ତାର ଦୁଇପାଖରେ ସାରିସାରି ନଡ଼ିଆଗଛ । ସାମ୍ନା ପାଚେରୀର କାନ୍ଥ ଛୁଇଁ ଅନେକଗୁଡ଼ିଏ ଦେବଦାରୁ ମଣ୍ଡିତ ଦୁର୍ବାଦଳର ଚତ୍ୱର ମଧ୍ୟସ୍ଥଳରେ ଜଳକୁଣ୍ଡରେ ଜଳକୁଣ୍ଡ । ଜଣେ ନଗ୍ନ ତରୁଣୀର ପୂର୍ଣ୍ଣ କଳସରୁ ପାଣି ଗଡ଼ିପଡ଼ୁଛି କୁଣ୍ଡଭିତରେ ଲାବଣ୍ୟ ଖେଳାଇ ହସିଉଠୁଛି ନୀଳ କଇଁ । ପାଣିଭିତରୁ ଫୁଟିଉଠୁଛି ନାଲି, ନେଳି, ହଳଦିଆ ରଙ୍ଗର କେତୋଟି ଆଲୋକ । ଠାଏ ଠାଏ ଫୁଟନ୍ତା ରଜନୀଗନ୍ଧାର ସୌରଭ ।

 

ଅନୁପମ । ଅପରୂପ ।

 

ଫାଟକ ପାଖରେ ଛିଡ଼ାହୋଇଛି ଦରୱାନ କୁର୍ଣ୍ଣିସ୍‌ କରି ପଥ କଢ଼ାଇ ନବାପାଇଁ । ଉପର ମହଲାର ନୃତ୍ୟାଳୟରୁ ଭାସିଆସୁଛି ପାଶ୍ଚାତ୍ୟ ଜାଜ୍‌ସଙ୍ଗୀତର ଏକ ଉତ୍ତାଳ ତରଙ୍ଗ ।

 

ରଙ୍ଗ ଲାଗିଛି ହୋଟେଲ କ୍ୟାପିଟାଲର ଶୋଭାରେ । କେତେ ରୂପ, କେତେ ରଙ୍ଗ । ପ୍ରୀତିର ପସରା ମେଲାଇ ଆବାହନ କରୁଛି ହୋଟେଲ କ୍ୟାପିଟାଲ । ସ୍ୱାଗତ ଜଣାଉଛି ଅତିଥିମାନଙ୍କୁ ପ୍ରବାସରେ ପ୍ରିୟାର ସ୍ପର୍ଶ ଦବାପାଇଁ । ରାତିର ପ୍ରହର ବଦଳିବା ସଙ୍ଗ ସଙ୍ଗେ ହୋଟେଲର ରୂପ ବି ବଦଳେ । ସନ୍ଧ୍ୟାର ରଙ୍ଗ ଆମେଜର, ପ୍ରଥମ ରାତି ନିଶିଗନ୍ଧାର, ମଧ୍ୟ ରାତ୍ରି ସୋହାଗର ଏବଂ ପାହାନ୍ତା ପୁଲକର । ମନ ଜଗି ମନକୁ ଛୁଏଁ । କାଳ କାଳକର ସଞ୍ଚିତ ତୃଷା, କ୍ଷୁଧା ନିବୃତ୍ତ କରେ । ରାଗ ଓ ରଙ୍ଗର ଦୁନିଆରେ ସଙ୍ଗର ବିଳାସ । ସଙ୍ଗ ନଥିଲେ ରଙ୍ଗ ମଉଳିଯାଏ । ରାଗ ଓ ରଙ୍ଗ ନ ଥିଲେ ସାଙ୍ଗ ସୁଖ ଉତୁରିପାରେ ନାହିଁ । ସଙ୍ଗ ମିଳିଲେ ଅଙ୍ଗେ ଅଙ୍ଗେ ରଙ୍ଗ ଲାଗେ-

 

ସଙ୍ଗ ପାଇଁ ସଙ୍ଗିନୀର ପ୍ରୟୋଜନ । ତାହା ଅବାରିତ ହୋଟେଲ କ୍ୟାପିଟାଲରେ । କୁଣ୍ଠାହୀନତାର ପ୍ରକାଶ ଭିତରେ ଏଠାରେ ଜୀବନ ପ୍ରକୃତି ପରି ନଗ୍ନ, ଆତ୍ମପ୍ରକାଶରେ ବର୍ଣ୍ଣାତ୍ୟ ।

 

ଗାଡ଼ି ପରେ ଗାଡ଼ି ଆସି ପହଞ୍ଚିଲା ସଦର ସମ୍ମୁଖ ପଥଉପରେ । ପାଛୋଟି ଆଣିଲେ ସହକାରୀ ପରିଚାଳକ । ସମସ୍ତଙ୍କ ଦେହରେ ନିର୍ଭୁଲ ରାତ୍ରି ପୋଷାକ । ମୁହଁ ଉପରେ ଆଭିଜାତ୍ୟର ଅଭିମାନ, ଚାଲିଲେ ‘ସବୁ ମୋର’ ଭାବ । ଏଠାରେ କାଏଦା କଟକଣା ମଣିଷକୁ ନିଷ୍ପୀଡ଼ନ ନକରି ଉଦ୍ଦୀପନ କରେ । କାଏଦା ଭିତରେ କଟକଣା ଅନ୍ତର ହୋଇଯାଏ । କଟକଣା ଭିତରେ କାଏଦା କରିବାକୁ ହୁଏ ।

 

ହୋଟେଲ କ୍ୟାପିଟାଲ ଆଗରେ ରିକ୍‌ସା ଛିଡ଼ାହେଲା ଆସି । ଏକା କୁଦାକେ ଓହ୍ଲାଇପଡ଼ିଲା ସୁନୀତା ! ସାମ୍ନାରେ ଆଖି ଝଲସା ଆୟୋଜନ । ନିଜକୁ ଅଧିକ ସତେଜ ଏବଂ ସହଜ କରିନେଲା ସେ । ରିକ୍‌ସାବାଲା ହାତରେ ଟଙ୍କାଟିଏ ଗେଞ୍ଜିଦେଇ ପାଦ ବଢ଼ାଇଲା ଆଗକୁ, ଦରୱାନ ସଲାମ କଲା ।

 

ସେ ଯାଇ ବସିଲା ପ୍ରାର୍ଥିନୀମାନଙ୍କ ପାଇଁ ଥିବା ନିର୍ଦ୍ଦିଷ୍ଟ ପ୍ରତୀକ୍ଷାଳୟରେ । ତା’ ଆସିବା ପୂର୍ବରୁ ଚାରିଜଣ ଆସି ଅପେକ୍ଷା କରୁଥିଲେ । କ୍ରମଶଃ ଜଣ ଜଣ କରି ଅନ୍ୟ ଛଅଜଣ ପ୍ରାର୍ଥିନୀ ଆସି ପହଞ୍ଚିଲେ । ସମସ୍ତଙ୍କୁ ଅଭ୍ୟର୍ଥନା କରି ନିର୍ଦ୍ଦିଷ୍ଟ ସ୍ଥାନରେ ନେଇ ବସାଇଲା ହୋଟେଲର ଅଭ୍ୟର୍ଥନାକାରିଣୀ । କକ୍ଷ ମଧ୍ୟରେ ସାଜ ସଜ୍ଜାରେ ତ୍ରୁଟି ନାହିଁ । ସୁନ୍ଦର, ସୁଋଚିର ପରିଚୟ । ଆଗନ୍ତୁକମାନଙ୍କ ବସିବାପାଇଁ ସୋଫା ଅଛି । ନରମ କାର୍ପେଟ ବିଛା ହୋଇଛି କୋଠରୀ ଯାକ । ସେଣ୍ଟର ଟେବୁଲ ଉପରେ ବିଭିନ୍ନ ରଙ୍ଗର ପୁଷ୍ପ ସଜା ହୋଇଛି । ଗୋଟିଏ କୋଣରେ ସେଲଫରେ କେତେଗୁଡ଼ିଏ ପତ୍ରପତ୍ରିକା । ଅନ୍ୟ ଏକ କୋଣରେ ଗୋଟିଏ ରେଡ଼ିଓ । କାନ୍ଥର ରଙ୍ଗକୁ ସୁହାଇଲା ଭଳି ପର୍ଦ୍ଦା । ଆଲୋକ ପର୍ଯ୍ୟାପ୍ତ, କିନ୍ତୁ କମନୀୟ ।

 

କକ୍ଷର ସାରଲ୍ୟ ଏବଂ ଶ୍ରୀ ଦେଖି ମୁଗ୍ଧ ହେଲା ସୁନୀତା । ପରିବେଶ ବେଶ୍‌ ଅନୁକୂଳ । ଅନ୍ୟ ଯେଉଁମାନେ ଇଣ୍ଟରଭିଉ ପାଇଁ ଆସିଥିଲେ ସେମାନଙ୍କ ମଧ୍ୟରୁ କେବଳ ତିନିଜଣଙ୍କ ସହ ପୂର୍ବରୁ ପରିଚୟ ଥିଲା ସୁନୀତାର । ଆଗପଛ ହୋଇ ସେମାନେ ଏକା କଲେଜରେ ପଢ଼ୁଥିଲେ । ଅନ୍ୟମାନଙ୍କ ମଧ୍ୟରୁ ଚାରିଜଣ କଲିକତାରୁ ଆସିଥିଲେ ଏବଂ ତିନିଜଣ ଆସିଥିଲେ ଦିଲ୍ଲୀ, ଚଣ୍ଡିଗଡ଼ ଏବଂ ବମ୍ୱେରୁ ଜଣେ ଜଣେ ହିସାବରେ । କ୍ରମଶଃ ସମସ୍ତଙ୍କ ସହିତ ସହଜରେ ଆଳାପ ଜମାଇଦେଲା ସୁନୀତା ।

 

ଅଧିକ ସମୟ ଅପେକ୍ଷା କରିବାପାଇଁ ପଡ଼ିଲା ନାହିଁ । ଉଣ୍ଟରଭିଉ ଆରମ୍ଭ ହବାର ସମ୍ବାଦ ଜଣେ କିରାଣି ଆସି ଦେଇଗଲେ । ପ୍ରଥମେ ଡକରା ହେଲା ଦିଲ୍ଲୀରୁ ଆସିଥିବା ପ୍ରାର୍ଥିନୀଙ୍କୁ-। ସେ ଯିବା ଆଗରୁ ଏକା ଚାହାଣି ଢାଳି ପୁଣିଥରେ ସମସ୍ତଙ୍କୁ ପର୍ଯ୍ୟବେକ୍ଷଣ କରିନେଲେ । ସେଇ ଚାହାଣିରେ ପୂରି ରହିଥିଲା ଆତ୍ମବଡ଼ିମା । ମହିଳାଙ୍କ ନାମ ଉଷା ଖାନ୍ନା । ସୁନ୍ଦରୀ ଏବଂ ସୁସଜ୍ଜିତା-। ଦେହର କେତେକ ନିଭୃତ ଅଂଶ ଉଜ୍ଜ୍ୱଳତର ସହିତ ପ୍ରକାଶ କରିଛି ଉଷା ଖାନ୍ନା । ଚାଲିଲେ ଏକ ଆକର୍ଷଣୀୟ ଚଞ୍ଚଳତା । ଅଶ୍ଳୀଳ ମନେହେଲା; କିନ୍ତୁ ଅସହ୍ୟ ମନେକଲା ନାହିଁ ସୁନୀତା-

 

ଉଷା ଖାନ୍ନା ଗଲା ଯେପରି ଛନ୍ଦ ଖେଳାଇ, ଫେରିଆସିଲା ପ୍ରାୟ ପନ୍ଦର ମିନିଟ ପରେ ସେଇପରି ରଙ୍ଗ ଛୁଟାଇ । ମୁହଁରେ ଲାଗି ରହିଥିଲା ବିଜୟିନୀର ହସ । ଅଧର–ରଙ୍ଗର ଚିକ୍‌କଣତାରେ ଥିଲା ଆବାହନ । ସୁନୀତା ଆଗେଇଗଲା ଡାକ ପାଇ । ଚାଞ୍ଚଲ୍ୟ ନାହିଁ । ଅସ୍ୱାଭାବିକତା ନାହିଁ । ସହଜ ଭାବରେ ସେ ନିଜକୁ ପ୍ରକାଶ କରେ, ସଞ୍ଜତ ଆଚରଣ ମଧ୍ୟରେ ଶ୍ରୀ ଖେଳାଏ ।

 

ଇଣ୍ଟରଭିଉ ବୋର୍ଡରେ ପାଞ୍ଚଜଣ ସଦସ୍ୟ ଥିଲେ । ସେମାନଙ୍କ ସମ୍ମୁଖରେ ଯାଇ ବସିଲା ସେ । ତା’ପରେ କଥୋପକଥନ । ପ୍ରଶ୍ନ ନୁହେଁ, ଆଳାପ ଆଲୋଚନା ଛଳରେ ତା’ର ବ୍ୟକ୍ତିଗତ କଥା ସେତିକି ଜାଣିବା ପ୍ରୟୋଜନ ତାହା ଜାଣିନେଲେ ସେମାନେ । ତା’ପରେ କଫି ଆସିଲା । କଫି ପାନ କରୁ କରୁ ମିଷ୍ଟର ପାରିଜାତ ପଟ୍ଟନାୟକ ପ୍ରଶ୍ନକଲେ–ଆଚ୍ଛା, ମିସ୍‌ ମିଶ୍ର, ଆପଣ କ’ଣ ଏଇ କାମ ପସନ୍ଦ କରନ୍ତି ?

 

–ପସନ୍ଦ ନକଲେ ଆସନ୍ତି କାହିଁକି । ଛୋଟ ଉତ୍ତର ସୁନୀତାର ।

 

–ବେଶ୍ ଭଲ କଥା । ସାମାଜିକ କ୍ଷେତ୍ରରେ ନାରୀ କେତେଦୂର ଅଗ୍ରସର ହୋଇପାରେ ଆପଣଙ୍କ ମତରେ ?

 

–ଶୃଙ୍ଖଳାର ଶେଷ ସୀମା ପର୍ଯ୍ୟନ୍ତ । ଦ୍ୱିଧା ବିହରିତ କଣ୍ଠରେ ଉତ୍ତରଦେଲା ସୁନୀତା ।

 

–ଶୃଙ୍ଖଳାର ସୀମା କ’ଣ ସୁନିର୍ଦ୍ଦିଷ୍ଟ ମିସ୍‌ ମିଶ୍ର ?

 

ପ୍ରଶ୍ନକଲେ ବୋର୍ଡର ଆଉ ଜଣେ ସଦସ୍ୟ ମିଷ୍ଟର ପ୍ରଳୟ ଦାସ ।

 

–ନିଶ୍ଚୟ । ଯେଉଁଠୁ ଆଉ ଆଗକୁ ବଢ଼ିଲେ ଶାଳୀନତା ଏବଂ ଶ୍ରୀ ନଷ୍ଟ ହୁଏ ତାହାହିଁ ଶୃଙ୍ଖଳାର ଶେଷ ସୀମା ସାର୍‌ ।

 

–ଆପଣଙ୍କ ସହିତ ମୁଁ ସମ୍ପୂର୍ଣ୍ଣ ଏକମତ ମିସ୍‌ ମିଶ୍ର ।

 

ବେଶ୍‌ ଉଲ୍ଲସିତ ସ୍ୱରରେ କହିଲେ ନନ୍ଦରାମ ହନୁତରାମ କମ୍ପାନୀର ପ୍ରାଧାନ ପରିଚାଳକ ଶ୍ରୀକାନ୍ତ ତ୍ରିପାଠୀ ।

 

–ନିଶା ସେବନ ସମ୍ପର୍କରେ ଆପଣଙ୍କ ବ୍ୟକ୍ତିଗତ ମତ କଅଣ ?

 

ଅଡ଼ୁଆ ପ୍ରଶ୍ନ ପଚାରିଲେ ମିଷ୍ଟର ସାମୁଏଲ ନାଏକ ।

 

–ନିଶା ସେବନ ବା ମୁକ୍ତ ବାୟୁ ସେବନ ଏହା ବ୍ୟକ୍ତିର ସ୍ୱାଧିକାର ସାର୍‌ । ଯେପର୍ଯ୍ୟନ୍ତ ସେ ଅନ୍ୟର ଅଧିକାର ଉପରେ ହସ୍ତକ୍ଷେପ ନକରିଛି ବା ସାମାଜିକ ଶୃଙ୍ଖଳା ଉପରେ ଆଞ୍ଚ ନ ଆଣିଛି । ସେଥିରେ ଆପତ୍ତି କରିବାର କୌଣସି ଯୁକ୍ତି ମୁଁ ଦେଖେନା ।

 

–ଆପଣ ଉଗ୍ର ପ୍ରଗତିବାଦିନୀ ମିସ୍‌ ମିଶ୍ର ।

 

ପିଆଲା ଉପରେ ଶୂନ୍ୟ କପ୍‌ ରଖୁ ରଖୁ କହିଲେ ମିଷ୍ଟର ନାଏକ ।

 

–‘ଇକାବେନା’ ସମ୍ପର୍କରେ କ’ଣ ଧାରଣା ଆପଣଙ୍କର ?

 

ପଚାରିଲେ ଶ୍ରୀକାନ୍ତ ତ୍ରିପାଠୀ ।

 

–ପୁଷ୍ପ ସଜ୍ଜାର ଏହା ଅନ୍ୟତମ ଉତ୍କୃଷ୍ଟ ପ୍ରଣାଳୀ । ଜାପାନୀମାନେ ସେମାନଙ୍କର ସ୍ୱଚ୍ଛଳ ସରଳତା ଭିତରେ ଜୀବନକୁ ମହିମାନ୍ୱିତ କରିବାପାଇଁ ଫୁଲର ପବିତ୍ରତା ମଧ୍ୟରେ ଯେ ଶ୍ରୀ ଓ ସୌନ୍ଦର୍ଯ୍ୟ ଫୁଟାନ୍ତି, ତାହା ପ୍ରକୃତରେ ଅନବଦ୍ୟ ସାର୍‌ ।

 

–ଆପଣଙ୍କର ବିଶେଷ ରୁଚି କେଉଁଥିରେ ମିସ୍‌ ମିଶ୍ର ?

 

ପଚାରିଦେଇ ଭୋକିଲା ଆଖିରେ ତା’ ମୁହଁକୁ ଚାହିଁଲେ ପ୍ରଳୟ ଦାସ ।

 

–ଆଇ ଲାଇକ୍‌ ଆଉଟିଂ...ବୁଲିଯିବା ପାଇଁ ଭଲଲାଗେ ମୋତେ !

 

ଷ୍ଟ୍ରେଞ୍ଜ କୋଏନ୍‌ସିଡାନ୍‌ସ, ମିସ୍ ମିଶ୍ର । ଅଦ୍ଭୁତ ସାମଞ୍ଜସ୍ୟ ଆମ ଦୁଇଙ୍କ ଅଭ୍ୟାସରେ । ବୁଲି ନ ଗଲେ ତ ମୁଁ ଗଳଦ୍‌ଘର୍ମ ହୋଇଯାଏ । ଯୋଗକଲେ ପ୍ରଳୟ ଦାସ ।

 

କଥୋପକଥନ ଗଡ଼ି ଚାଲିଲା । ସେଇ କୋଡ଼ିଏ ମିନିଟର କଥୋପକଥନ ମଧ୍ୟରେ ସେ କ’ଣ ଭଲପାଏ, ସାମାଜିକ ଚଳଣିରେ ଆଧୁନିକତା ବା ରକ୍ଷଣଶୀଳତାର ସମର୍ଥକ; ସବୁ ଗୋଟି ଗୋଟି କରି ଜାଣିନେଲେ ବୋର୍ଡର ସଭ୍ୟମାନେ । ସୁନୀତା ବିଦାୟ ନେଇ ଯେତେବେଳେ ଫେରିଆସେ ବସିବା ସ୍ଥାନକୁ, ଦେଖିଲା ବିନ୍ଦୁ ବିନ୍ଦୁ ଝାଳ ଜମିଛି କପାଳ ଓ କାଖ ତଳେ । ଉଷ୍ମ ହୋଇଉଠିଛି ସର୍ବାଙ୍ଗ ।

 

ପରେ ପରେ ଅନ୍ୟମାନେ ଗଲେ ଓ ଫେରିଲେ । କିଏ ଦଶ ମିନିଟ, ଆଉ କିଏ ବା ସାତ ମିନିଟ୍‌ । ସାଢ଼େ ଆଠଟା ପୂର୍ବରୁ ଇଣ୍ଟରଭିଉ ଶେଷ ହୋଇଗଲା ।

 

ଏହାପରେ ଭୋଜନ ପର୍ବ । ଭୋଜନ ପୂର୍ବରୁ ଯେଉଁ ପାନୀୟର ଆୟୋଜନ ହୁଏ, ସେଥିରେ ଅବଶ୍ୟ ଉଷା ଖାନ୍ନା ବ୍ୟତୀତ ଆଉ କେହି ଯୋଗଦେଇପାଇଲେ ନାହିଁ । ଉଷା ଜିନ୍‌ଭର୍ତ୍ତି ଗ୍ଳାସ୍‌ରେ ଅଧର ଭିଜାଇ ସଙ୍ଗଦେଲା ଅନ୍ୟମାନଙ୍କୁ । କମଳା ରସରେ ସନ୍ତୁଷ୍ଟ ହେଲା ସୁନୀତା ।

 

ପାନ କଲେ ମନ ଉଡ଼େ । ଯେଉଁମାନଙ୍କର ମନ ଉଡ଼ୁଥିଲା ଉପରକୁ ସେମାନଙ୍କ ମଧ୍ୟରୁ ସମସ୍ତେ ସୌଭାଗ୍ୟବାନ ନ ଥିଲେ । କିନ୍ତୁ ପ୍ରଳୟ ଦାସ ଯେତେବେଳେ ଉଡ଼ନ୍ତି ସାଙ୍ଗ ହୋଇ ଉଡ଼ିବା ପାଇଁ ଭଲପାଆନ୍ତି । ସୁନୀଳ ଆକାଶ ବୁକୁରେ ଅମାପ୍‌ ଆଲୋକ ପୃଥିବୀର ଅକଳନ୍ତି ଅନ୍ଧକାର ଏବଂ ଅଶେଷ ଉତ୍ତାପ ସବୁ ଏକା ଏକା ସହି ହୁଏନା । କାଏଦା ଜାଣେ ଉଷା । ଆଭିଜାତ୍ୟର ଅଲିଅଳ ରାଜକନ୍ୟା ସେ । ଆଗେଇ ଆସିଲା । ପ୍ରଳୟ ଦାସଙ୍କ ଶୂନ୍ୟ ଗ୍ଳାସ୍‌ରେ ସ୍କଚ୍‌ ହୁଇସ୍କିରୁ କିଛି ତାଳି ପୂର୍ଣ୍ଣ କଲା ଉଷା । ତା’ ଗ୍ଳାସରେ ଜିନ୍‌ ଢାଳିଦେଲେ ପ୍ରଳୟ । ପୂର୍ଣ୍ଣ ପାତ୍ରରେ ପୁନର୍ବାର ଅଧର ସିକ୍ତ କଲେ ଦୁହେଁ । ପୂର୍ଣ୍ଣ ପାତ୍ର ପରି ତା’ର ପୂର୍ଣ୍ଣ ଉତ୍ତରଳ ଯୌବନ ଆଖିଠାର ଡାକୁଥିଲା, ସମସ୍ତଙ୍କୁ । ସେଇ ଆଖିଠାରର ଅମୋଘ ଆକର୍ଷଣ ଛୁଇଁଲା ପ୍ରଳୟ ଦାସଙ୍କର ମନ ଓ ଦେହକୁ । ତାଙ୍କର ଭୋକିଲା ଆଖିଦୁଇଟା ନଗ୍ନ ବକ୍ଷାଂଶ ଉପରେ ଲୋହନ କରୁଥିଲା ।

 

–ଆପଣ ଦିଲ୍ଳୀ ଆସନ୍ତୁନା ମି: ଦାସ । ଅନୁଯୋଗ କଲା ଉଷା ।

 

–ଓ ଇୟେସ୍‌ ! ଡେଲ୍ଲି ଇଜ୍‌ ଏ ୱାଣ୍ଡରଫୁଲ ସିଟି । ଦିଲ୍ଲୀ ମୋତେ ଖୁବ୍‌ ଭଲଲାଗେ ମିସ୍‌ ଖାନ୍ନା । ଆପଣ କେଉଁ ଏରିଆରେ...କଥା ଛଡ଼ାଇ କହିଲା–କାରୋଲବାଗ୍‌ । ଆପଣ ଯେବେ ଆସିବେ କାଇଣ୍ଡଲି ଗିଭ୍ ମି ଏ ରିଙ୍ଗ୍‌...

 

–ନିଶ୍ଚୟ ନିଶ୍ଚୟ ।–ଉତ୍ସାହିତ ହୋଇ କହିଲେ ପ୍ରଳୟ ।

 

ପ୍ଳିଜ୍‌ ! ଏଇ ଅନୁଗ୍ରହରୁ ଆପଣ ଯିମିତି ବଞ୍ଚିତ ନ କରନ୍ତି ମତେ ।

 

ଆଖିର ଭୂରୁ ନଚାଇ କହିଲା ଉଷା । ପ୍ରଳୟ ଦାସଙ୍କର ଦେହ ଭିତରେ ଯେପରି ମୁହୂର୍ତ୍ତକରେ କିଏ ନିଆଁ ଜାଳି ଦେଇଗଲା । ନିରଙ୍କୁଶ ମନ ସେଇ ନିଆଁର ଜ୍ୱଳନରେ ଜଳିଉଠିଲା ବଡ଼ ବାଗ୍ନିର ତୀକ୍ଷ୍ନତା ନେଇ । ତାଙ୍କର ଆଖିର ଚାହାଣିରେ, ମୁହଁର ପ୍ରକାଶରେ, ଦେହର ଆମେଜରେ ଏବଂ କଥାର ପରଶରେ ସେଇ ନିଆଁର ତାତିଲା ତରାସ ଉତୁରିପଡ଼ିଲା ନଗ୍ନ ଭାବରେ-

 

ସୁନୀତାକୁ ନୂଆ ଲାଗୁଥିଲା ସବୁ । ନୂଆ ଲାଗିବାର ସୁଆଦ ତାକୁ ଭଲ ଲାଗୁଥିଲା । ଦେହରେ ମନରେ ପ୍ରସନ୍ନତାର ଆଭା ଉକୁଟି ଆସୁଥିଲା ।

 

ତାକୁ ପାଖରେ ପାଇ କହିଲେ ପାରିଜାତ–ଆପଣଙ୍କ ଏମ୍‌: ଏ: ରେ କ’ଣ ସବ୍‌ଜେକ୍ଟ ଥିଲା ମିସ୍‌ ଦାସ୍‌ ?

 

–ଇକୋନୋମିକ୍‌ସ ।

 

–ନାଇସ୍‌ । ମୋର ବି ସେଇ ସବ୍‌ଜେକ୍ଟ । ମିଃ ରବିନ୍‌ସନ ଲଣ୍ଡନ ସ୍କୁଲ ଅଫ ଇକୋନମିକ୍‌ସରେ ଥିଲେ ପ୍ରଖ୍ୟାତ ଅଧ୍ୟାପକ । ତାଙ୍କର ଛାତ୍ର ଥିଲି ମୁଁ । ପଢ଼ିବା ଯେପରି ଇଣ୍ଟରେଷ୍ଟିଂ ପଢ଼ାଇବାରେ ଅଧ୍ୟାପକଙ୍କର ଥିଲା ସେହିପରି ଅତୁଳନୀୟ ଆଗ୍ରହ ।

 

–ତାହାହିଁ ସବୁଠୁ ବଡ଼ କଥା । ଶିକ୍ଷକମାନଙ୍କର ଆଦର୍ଶହିଁ ଛାତ୍ରମାନଙ୍କୁ ଉଦ୍‌ବୁଦ୍ଧ କରେ-

 

–ଆପଣ ଆଉ କେଉଁଠି ନିଯୁକ୍ତି ପାଇଁ ଚେଷ୍ଟା କରୁଛନ୍ତି କି ?

 

ତା’ ନିକଟକୁ ଆସି କହିଲେ ପାରିଜାତ । ସୁନୀତା ସମ୍ମାନଜନକ ବ୍ୟବଧାନ ରକ୍ଷା କରି କହିଲା–ହଁ ବହୁତ ସ୍ଥାନରେ । ତେବେ ମୁଖ୍ୟତଃ ଏଇଠି ବା ବ୍ଳକ ଡେଭଲେପମେଣ୍ଟ ଡିପାର୍ଟମେଣ୍ଟରେ କାମ କରିବା ପାଇଁ ମୋର ଉତ୍ସାହ ସର୍ବାପେକ୍ଷା ଅଧିକ ।

 

ଟିକିଏ ନିବିଡ଼ ହୋଇ କହିଲେ ପାରିଜାତ–ବ୍ଳକ୍‌ ପାଇଁ ଇଣ୍ଟରଭିଉ ଡେଟ୍‌ ତ ସ୍ଥିର ହୋଇଯାଇଛି । ଅଗଷ୍ଟ ସାତ ତାରିଖ । ଆପଣ ଜାଣନ୍ତି ବୋଧହୁଏ...

 

–ଅଥଚ ମୁଁ ଜଣେ ପ୍ରାର୍ଥିନୀ, କୌଣସି ସମ୍ବାଦ ଏପର୍ଯ୍ୟନ୍ତ ପାଇନି ।

 

ଟିକିଏ ବିଚଳିତ ହୋଇ କହିଲା ସୁନୀତା ।

 

–ହୁଏତ ଆପଣଙ୍କ ଅନୁପସ୍ଥିତିରେ ଡାକ ଯାଇ ପହଞ୍ଚିଥିବ ବାରିପଦାରେ....

 

–ହୋଇପାରେ । ଏଇ ଖବର ପାଇଁ ଆପଣଙ୍କୁ ଧନ୍ୟବାଦ ନ ଜଣାଇ ରହିପାରୁନି ସାର୍‌-। କହିଲା ସୁନୀତା ।

 

ତା’ର ସାନିଧ୍ୟରେ ନିଜକୁ ସତେଜ କରିନେଇ କହିଲେ ପାରିଜାତ–ସେଇଥିପାଇଁ ଆପଣ ଭାବିବା ଆବଶକ୍ୟ ନାହିଁ । ସମୟ କରି ମତେ ଅଫିସରେ ଦେଖାକରିବେ ମୁଁ ସବୁ ବ୍ୟବସ୍ଥା କରିଦେବି ।

 

ମୁହଁ ଉପରେ ପ୍ରସନ୍ନତାର ସ୍ନିଗ୍ଧ ହସ୍ୟ ଖେଳାଇ କହିଲା ସୁନୀତା–ଅଶେଷ ଧନ୍ୟବାଦ । ମୁଁ ନିଶ୍ଚୟ ସାକ୍ଷାତ କରିବି ଆପଣଙ୍କ ସାଙ୍ଗରେ ।

 

ପାନୀୟ ପର୍ବ ଶେଷ ହେଲା । ଭୋଜନ । ଭୋଜନର ବହୁଳତା ଦେଖି ଆଶ୍ଚର୍ଯ୍ୟ ହୋଇଗଲା ସୁନୀତା । ବହୁ ପ୍ରକାର ଖାଦ୍ୟରେ ଟେବୁଲ ପରିପୂର୍ଣ୍ଣ । କଣ୍ଟା ଚାମଚର କାଏଦା । ଧୀରେଧୀରେ ଆୟତ୍ତ କରିନେଲା ସେ । ଭୋକ ନଥିଲା ବେଶୀ । ହୁଏତ ଖାଇବା ପାଇଁ ଯେଉଁ ପରିବେଶ ଲୋଡ଼ା ତାହା ଠିକ୍‌ ଅନୁକୂଳ ନ ଥିଲା ତା’ ପକ୍ଷରେ ବା ନୂତନ ପରିବେଶର ଉନ୍ମାଦନାରେ ଭୋକ ଯାଇଥିଲା ପେଟରେ ।

 

ମଣିଷର ଉଦାର ପାଇଁ ଏତେ ଖାଦ୍ୟର ପ୍ରୟୋଜନ । ସୁନ୍ଦର, ସୁସ୍ୱାଦୁ ଏବଂ ଲୋଭନୀୟ ଚବ୍ୟ, ଚଷ୍ୟ, ଲେହ୍ୟ ଓ ପେୟର ଆଡ଼ମ୍ବର ଭିତରେ ଆକଣ୍ଠ ଭୋଜନ କରୁଥିଲେ ଅତିଥିମାନେ । ଭୋଜନାଳୟର ଚତୁଃପାର୍ଶ୍ୱରୁ ଲଘୁ ସଙ୍ଗୀତ ମଧୁର ଝଙ୍କାର ଭାସିଆସୁଥିଲା ଦେହ ଓ ମନକୁ ଅଧିକ କ୍ଷୁଧିତ ଅଧିକ ତୁଷିତ କରିବା ପାଇଁ ।

 

ବାହାରେ ମହାନଦୀର ବାଲୁକା ଶଯ୍ୟା ଆଲୋକ ଏବଂ ଅନ୍ଧକାରର ଲୁଚକାଳି ଭିତରେ ଅନନ୍ୟ ହୋଇଉଠିଥିଲା ତା’ର ପ୍ରାସାରିତ ନଗ୍ନରୂପ । ଅଦୂରରେ ଅର୍ଦ୍ଧନଗ୍ନ କେତେଜଣ ଭିକାରି ଛିଡ଼ାହୋଇଥିଲେ ହୋଟେଲ ଆଡ଼କୁ ଚାହିଁ । ଦୁଇ ଚାରିଟା ବୁଲା କୁକୁର ଘୂରି ବୁଲୁଥିଲେ ସନ୍ତ୍ରସ୍ତ ଭାବରେ । ବଳକା ଅଇଁଠା ଖାଦ୍ୟର ଗନ୍ଧ ଏପର୍ଯ୍ୟନ୍ତ ଭାସିଆସୁଥିଲା ପରା ।

 

ଏମାନଙ୍କର ମଧ୍ୟ ଖାଦ୍ୟର ପ୍ରୟୋଜନ । ଜୀବନ ଥିଲେ ପାନ ଓ ଭୋଜନର ଆବଶ୍ୟକତା ଅପରିହାର୍ଯ୍ୟ । କିନ୍ତୁ କିଏ ଦବ ଏମାନଙ୍କୁ ? ପାଣି ପିଇ ପିଇ ଖାଦ୍ୟ ପାଇଁ ବଡ଼ଲୋକୀ ଉଦାର ଜଳୁଛି ଅଧିକ ଭୋଜନ ପାଇଁ ଚିତ୍କାର କରୁଛି ଜଠର...ଯେପରି ପାନ କରି କରି ପାରିଜାତ, ପ୍ରଳୟ ଏବଂ ଅନ୍ୟମାନଙ୍କର ବଡ଼ଲୋକୀ ଉଦର ଜଳୁଛି ଅଧିକ ଭୋଜନ ପାଇଁ ।

 

ମୁଠିଏ ଅନ୍ନ ଲୋଡ଼ା । ଅଧିକ ନୁହେଁ । କେବଳ ମୁଠିଏ ଅନ୍ନ ହେଲେ ବଞ୍ଚିଯିବ ମଣିଷ । ସେଇ ମୁଠିକ ପାଇଁ ସଂଗ୍ରାମ କରେ ମଣିଷ, ଭୋକି ଉଠେ ବୁଲା କୁକୁର, ଅରଣ୍ୟର ଅନ୍ଧକାର ତଳୁ ଛପି ଛପି ଲମ୍ଫଦିଏ ବଣ୍ୟଜନ୍ତୁ । ସଦ୍ୟ ବା ଉଚ୍ଚିଷ୍ଟ ଯାହା ହେଉ, ଏଇ ମୁଠିକ ପାଇଁ ଶ୍ୱାନ ସହିତ ସଂଘର୍ଷ ହୁଏ ରାସ୍ତାକଡ଼ ମଣିଷର ।

 

ଭୋଜନ ଶେଷ ହେଲା । ପୁଣି ଆଳାପ ଆଲୋଚନାରେ ରାତି ସାଢ଼େ ଦଶଟା । ମହାନଦୀ ବୁକୁରେ ନିସ୍ତବ୍‌ତା କ୍ରମଶଃ ଆକ୍ରାନ୍ତ କରୁଥିଲା ହୋଟେଲ କ୍ୟାପିଟାଲର ପରିବେଶକୁ । ବାହାରକୁ ଆସି ସେଇ ନିସ୍ତବ୍‌ଧତା ଭିତରେ ନିଜକୁ ନିଃସଂଗ ମନେକଲା ସୁନୀତା । ଉପରକୁ ଚାହିଁଲା । ସୁବିସ୍ତୀର୍ଣ୍ଣ ଆକାଶ । ତଳେ ଧରଣୀ । ଓଦା ମାଟିରେ ଶାନ୍ତ ଶୀତଳ ସ୍ପର୍ଶ ଦେହରେ, ମନରେ ଓ ସର୍ବାଙ୍ଗରେ ଅନୁଭବ କଲା ସେ ।

 

ପାରିଜାତ, ପ୍ରଳୟ ଏବଂ ଅନ୍ୟମାନେ ପଛରେ ପଡ଼ି ରହିଲେ । କମ୍ପାନୀର ଗାଡ଼ିରେ ଅନ୍ୟ ପ୍ରାର୍ଥିନୀମାନଙ୍କ ସହିତ ଉଠିବସିଲା ସୁନୀତା । ଗାଡ଼ି ଛାଡ଼ିଲା । ପଛରେ ପଡ଼ିରହିଲା ହୋଟେଲ କ୍ୟାପିଟାଲ । ପଛରେ ପଡ଼ିରହିଲା ଉଷା ଖାନ୍ନା ।

 

ଉଷା ଖାନ୍ନା ପଛରେ ପଡ଼ି ରହିଲା ନା ଆଗେଇଗଲା ଚିନ୍ତା କଲ ସୁନୀତା । ସମସ୍ତଙ୍କ ପରି ସେ କମ୍ପାନୀ ଗାଡ଼ିରେ ବସିଲା ନାହିଁ । ପ୍ରଳୟ ଦାସଙ୍କର ଗାଡ଼ିର ଦରଜା ଉନ୍ମୁକ୍ତ ଥିଲା ତା’ ପାଇଁ । ଲିଫ୍‌ଟ ନେଲେ ଦୋଷ କ’ଣ ? ଲିଫ୍‌ଟ ଦେଲେ ଲିଫ୍‌ଟ ମିଳେ ଜାଣିନଥିଲା ସେ । ଉଷା ଲିଫ୍‌ଟ ପାଇଛି ।

 

ସେ ବି ତ ଉଠିବାପାଇଁ ଆହ୍ୱାନ ପାଇଥିଲା । କିନ୍ତୁ ଅନ୍ୟର ଗାଡ଼ି ଭିତରକୁ ଉଠି ବସିବା ପାଇଁ ସାହସ ହେଲାନି । ଅନ୍ୟ ଜଣକର ଭରସା ବା ସହାୟତାରେ ସେ ଉଠିବ–ଏହା ଭାବିବା ପାଇଁ ଲଜ୍ଜାବୋଧ କରେ ସେ । ତା’ର ଆତ୍ମ ଶ୍ଳାଘ । ଉପରେ ଆଞ୍ଚ ଆସେ । ଲିଫ୍‌ଟ ନ ନେଇ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବା ହେଉଛି ବାହାଦୁରି । ତାହା ହିଁ ଆତ୍ମପ୍ରତ୍ୟୟ ଥିବା ବ୍ୟକ୍ତିର ମର୍ଯ୍ୟାଦା ।

 

ନିଜପାଖରେ ନିଜକୁ କେବେ ଛୋଟ କରିଦବ ନାହିଁ ସୁନୀତା । ସେ ବଞ୍ଚିବ । ନିଜକୁ ଛୋଟ କରିଦେଇ ବଞ୍ଚିବାରେ ସ୍ୱାଦ ନାହିଁ, ଶିହରଣ ନାହିଁ । ତା’ର ବଞ୍ଚିବାରେ ବିଡ଼ମ୍ୱନା ରହିବ ନାହିଁ, ରିକ୍ତତାର ହାହାକାର ସ୍ପର୍ଶ କରିବ ନାହିଁ । ସେ ବଞ୍ଚିବ ସଂଗ୍ରାମର ସ୍ୱେଦ ଏବଂ ଶୋଣିତ ଝରାଇ, ସେ ହସିବ ପରାଜୟ ଓ ବିଜୟର ସ୍ୱାଦ ଅନୁଭବ କରି କରି ।

 

ସେ କ’ଣ ପରାଜିତା ? ଉଷା ଖାନ୍ନା ହୁଏତ ସଫଳତା ଅର୍ଜନ କରିଛି । କିନ୍ତୁ ସେଥିରେ ଯାଏଆସେନା । ସେ ଆତ୍ମପ୍ରତିଷ୍ଠା ଭିତରେ ସଫଳତା ଚାହେଁ, ଆତ୍ମ–ବିସର୍ଜନ ଦେଇ ନୁହେଁ ।

 

କମ୍ପାନୀର ପିକ୍‌ଅପ୍‌ ଗାଡ଼ି ଚାଲିଥିଲା କଟକର ଅଙ୍କା ବଙ୍କା ପଥଉପରେ । ଚାନ୍ଦିନି ଚୌକ ମୋଡ଼ ଉପରେ ଗାଡ଼ି ଡାହାଣକୁ ଘୂରିଲା । ରାସ୍ତାଉପରେ ମଇଳା କୁଢ଼ା ଦୁର୍ଗନ୍ଧ ଉଠୁଛି । ନାକରେ ରୁମାଲଦେଲା ସୁନୀତା । ଅଳ୍ପ ଦୂରରେ ମାଉସୀଙ୍କ ବସା । ମାଉସୀ ଆର୍ଯ୍ୟକନ୍ୟା ମହିଳା କଲେଜର ଅଧ୍ୟାପିକା । ତାଙ୍କ ପାଖରେ ରହୁଛି ସୁନୀତା ।

 

ସମସ୍ତଙ୍କୁ ଶୁଭରାତ୍ରି ଜଣାଇ ସେ ଓହ୍ଲାଇଗଲା ଗାଡ଼ିରୁ । ଅନ୍ୟମାନଙ୍କୁ ନେଇ ଗାଡ଼ି ଚାଲିଲା ଆଗକୁ ।

 

ଉଷା ଖାନ୍ନା ଉଷା କାଳ ପର୍ଯ୍ୟନ୍ତ ରହିଗଲା ପ୍ରଳୟ ଦାସଙ୍କ ସାଙ୍ଗରେ । ସଙ୍ଗସୁଖ, ସାନିଧ୍ୟ ପାଇଲେ ଭଲଲାଗେ ତାକୁ । ଦେହ ଓ ମନର ତାତି ମରେ । ଅନେକ ପରିମାଣରେ ଶାନ୍ତ ହୁଏ ଭିତରଟା । ହୁ ହୁ ହୋଇ ଯେଉଁ ନିଆଁ ଜଳୁଛି ଭିତରେ ତା’ ଉପରେ କୁଟା କାଠି ଦେଇ ଅଧିକ ଜଳାଏ ଉଷା । ସେଇ ଜ୍ୱଳନକୁ ସଙ୍ଗ ସୁଖର ଘିଅ ମହୁରେ ଶାନ୍ତ କରେ । ସେ ଆଗକୁ ଯିବ । ତା’ର ସଂକଳ୍ପ ସେ ଉପରକୁ ଉଠିବ । କୌଣସି ବାଧା ପ୍ରତିବନ୍ଧକ ସ୍ୱୀକାର କରିବ ନାହିଁ । କାହିଁକି କରିବ ? ଦୁନିଆ କ’ଣ ତା’ର ସହାୟତା କରିଛି । ସ୍ୱୀକାର କରିଛି ବଞ୍ଚିବାର ଦାବି ?

 

ସହାୟତା କିନ୍ତୁ କରିଥିଲେ ପ୍ରଳୟ ଦାସ । ଶ୍ରାବଣ ରାତ୍ରିର ଫୁଟନ୍ତା ରଜନୀଗନ୍ଧା ପରି ମୁକୁଳିତା ବିକସିତା ହୋଇଥିଲା ଉଷା । ନିରନ୍ଧ୍ର ଅଧିକାର ରାତ୍ରି ମର୍ମର ଉଠିଥିଲା । ପ୍ରାଣ ଚାଞ୍ଚଲ୍ୟର ଚଟୁଳତା ତା’ର ପ୍ରତିଟି ସ୍ନାୟୁକୁ ମୂର୍ତ୍ତ କରି ତୋଳିଥିଲା ।

 

ନୂତନ ପ୍ରଭାତର ଆଲୋକରେ ଦେହର ମୁକ୍ତାଂଶ ନିରୀକ୍ଷଣ କଲା ଉଷା । ଛି ! କି ଉଦ୍ଧତ ମିଷ୍ଟର ଦାସ୍‌ ।

 

ଉଦ୍ଧତ ହୋଇନଥିଲେ ଆଗାମୀ ଦିନର ଶେଷ ଆଲୋକ ନିଭିଯିବା ଆଗରୁ ନିଯୁକ୍ତିପତ୍ର ନେଇ ଅଭିନନ୍ଦନ ଜଣାଇ ପୁଣି ଶ୍ରାବଣର ସରସତା ଅନୁଭବ କରିବା ପାଇଁ ଆବାହନ କରିନଥାଆନ୍ତେ ପ୍ରଳୟ !

 

ଉଷା ଖାନ୍ନା ଜିତିଲା ତା’ହେଲେ !

 

ଚାରି

 

ଜିତିବା ଏବଂ ହାରିବା କାୟା ସହିତ ଛାୟା ପରି ଲାଗି ରହିଛି ମଣିଷ ଜୀବନରେ । ହାରି ହାରି ମଣିଷ ପୁଣି ଜିତିଯାଏ । କେତେବେଳେ ବା ଜିତି ଜିତି ହାରିଯାଏ ଶେଷରେ । କିଏ ଏପରିବି ଅଛି, ଯିଏ ଥରେହେଲେ ଜିତିନାହିଁ କି ହାରିନାହିଁ । ଯେ କେବେ ଜିତି ନାହିଁ ବା ହାରିନାହିଁ ଜୀବନରେ, ସେ ମଣିଷର ବଞ୍ଚିବାର ସ୍ୱାଦ, ସ୍ୱପ୍ନ ଏବଂ ପରିସର କେଡ଼େ ସଙ୍କୁଚିତ ! ହାରିବା ଓ ଜିତିବା ମଧ୍ୟରେ ମଣିଷ ବଞ୍ଚେ । ସେ ହୁଏ କ୍ରିୟାଶୀଳ । କ୍ରିୟାଶୀଳତାହିଁ ଅଗ୍ରଗତିର ସୂଚକ । ସେଇଥିପାଇଁ ହାରିବାର ଲାଞ୍ଛନା ମଧ୍ୟରେ ହାରିଯିବାର ଆଶଙ୍କା କରି ପୁଣି ଜିତିବା ପାଇଁ ସଂଗ୍ରାମ କରେ ଦ୍ୱିଗୁଣ ଉତ୍ସାହରେ ।

 

ସୁନୀତା ଆଜିଯାଏ କେବଳ ଜିତିଆସିଛି । ହାରି ଯାଇନାହିଁ । ହାରିଯିବାର ଆଶଙ୍କା କରିନାହିଁ । ନିଜର ଅଧ୍ୟବସାୟ ଓ ନିଷ୍ଠାଦ୍ୱାରା ସେ ଯାହା ଲକ୍ଷ୍ୟ ବୋଲି ଥରେ ସ୍ଥିର କରିଛି ତାହା ହାତମୁଠା ଭିତରେ ପାଇବାପାଇଁ ସଂଗ୍ରାମ କରିଛି । ସଂକଳ୍ପକୁ ସାକାର କରି ସାଧନା ଆଣିଛି ସଫଳତା । କିନ୍ତୁ ଏଥର ବୋଧେ ହାରିଗଲା ସୁନୀତା । ନା, ତାହା ହୋଇପାରେନା । ଏ ହାରିଯିବାକୁ ସେ ସ୍ୱୀକାର କରିବ ନାହିଁ । ଶକ୍ତି ଏବଂ ସାଧନାଦ୍ୱାରା ସଂଗ୍ରାମ କରିଯିବ ବିଜୟିନୀ ହବା ପର୍ଯ୍ୟନ୍ତ ।

 

ଉଷା ସାର୍ଥକତା ପାଇଛି । ବିଜୟିନୀ ହୋଇଛି ଜୀବନ ଯୁଦ୍ଧରେ । ସେ ଚାହିଁଥିଲା ଚାକିରିଟିଏ । ବଞ୍ଚିବାର ଏକ ଅବଲମ୍ବନ । ପେଟ ପୋଷ ନାହିଁ ଦୋଷ । ଆବଶ୍ୟକ ହେଲେ ସମସ୍ତ ବିନିମୟରେ ତାହା ପାଇବା ପାଇଁ ପଣ କରିଥିଲା ସେ । ତେଣୁ ତା’ ପକ୍ଷରେ ଲକ୍ଷ୍ୟ ସିଦ୍ଧି ପାଇଁ ଅଦେୟ ନଥିଲା କିଛି । ମୂଲ୍ୟ ଦେଇ ସେଇଥିପାଇଁ ନିଯୁକ୍ତିପତ୍ର ଗ୍ରହଣ କରିନେଲା ଉଷା ।

 

ସୁନୀତା ଆଲୋକିତ ପୃଥିବୀରେ ଅନ୍ଧକାରର ଏହି ଅଶ୍ଳୀଳ ରୂପ ଦେଖି ଚମକିପଡ଼ିଲା । ସେ ଆଜିଯାଏ ମଣିଷକୁ ସହଜ ଓ ସୁନ୍ଦର ଭାବରେ ଦେଖିଆସିଛି । ତା’ର ଆଜନ୍ମ ବିଶ୍ୱାସ ଓ ଅଭ୍ୟାସ ଉପରେ ଦାରୁଣ ଆଘାତ ଲାଗିଲା ଯେପରି । ଉଷା ଖାନ୍ନାର ନିରୁତ୍ସାହିତ କଲା ନାହିଁ ତାକୁ, କିନ୍ତୁ ମୂଲ୍ୟ ଦବାର ନିର୍ଲଜ୍ଜ ପ୍ରକାଶ ସମଗ୍ର ସତ୍ତାକୁ ତା’ର ଥରାଇଦେଲା ଭୂମିକମ୍ପର ସ୍ପନ୍ଦନ ଦେଇ । ତେଣୁ ପରାଜିତାର ଗ୍ଳାନି ନୁହେଁ, ଅପରାଜିତାର ଉଦ୍ୟମ ନେଇ ପୁଣି ଅଗ୍ରସର ହେବାପାଇଁ ଶପଥ ନେଲା ସୁନୀତା ।

 

ମାଉସୀଙ୍କ ଅଗଣାରେ ପଦଚାରଣ କରୁ କରୁ ଭାବୁଥିଲା ସେ ।

 

–ନୀତା !

 

ମାଉସୀ ଡାକିଲେ ଭିତରୁ ।

 

କିନ୍ତୁ ଘର ଭିତରକୁ ପ୍ରବେଶ କରୁ କରୁ ନୀଳ ରଙ୍ଗର ପର୍ଦ୍ଦା ଉହାଡ଼ରେ ଥମକି ଛିଡ଼ାହେଲା ସେ । ଭିତରେ ଅପରିଚିତ ଆଗନ୍ତୁକ ।

 

ନୀ...ତା....ଶୁଣୁଛୁ....

 

ମାଉସୀ ପୁଣି ଥରେ ଡାକିଲେ । ପ୍ରକୋଷ୍ଠ ଭିତରେ ପ୍ରବେଶ କରି ଛିଡ଼ାହୋଇ ରହିଲା ସୁନୀତା ।

 

ଭଦ୍ରଲୋକଙ୍କ ସହିତ ପରିଚୟ କରାଇଦେଇ କହିଲେ ମାଉସୀ–ଇୟେ ହେଲେ ମିଷ୍ଟର ଅମିତାଭ ମହାପାତ୍ର । କଟକର ଉଦୀୟମାନ ତରୁଣ ଶିଳ୍ପପତି । ଆଉ ୟେ ମୋର ନିଜ ଭଉଣୀ ଝିଅ ସୁନୀତା ମିଶ୍ର । ଅର୍ଥନୀତିରେ ଏମ୍‌: ଏ; ।

 

ହାତ ଉଠାଇ ଅମିତାଭଙ୍କୁ ନମସ୍କାର କଲା ସୁନୀତା ।

 

–ତୁମେ କେଉଁ କଲେଜରୁ ପାଶ୍ କଲ ସୁନୀତା । କିଛି ମନେକରିବନି ‘ତୁମେ’ କହୁଛି ବୋଲି । ପ୍ରଥମେ ତ ତୁମେ ମୋଠୁ ଅନେକ ସାନ, ତାପରେ ତୁମ ମାଉସୀ ମୋର ସହପାଠିନୀ ଥିଲେ କଲେଜରେ ।

 

–କଳିଙ୍ଗ କଲେଜ ।

 

–ବେଶ୍‌ ଭଲ କଲେଜ । ପୁରୁଣା, ଆଭିଜାତ୍ୟ ଅଛି ।

 

–ହୁଁ । ଏଇ କଲେଜରେ ଏଡ୍‌ମିସନ ପାଇଁ ସତରେ ଭିଡ଼ କରନ୍ତି ଛାତ୍ରଛାତ୍ରୀମାନେ, କହିଲା ସୁନୀତା ।

 

–ଦ୍ୟାଟସ୍‌ ରାଇଟ୍‌ । ପୁରୁଣା କଲେଜ । ଡିସିପ୍ଳିନ ଅଛି । ଆଉ ସବୁଠୁ ବଡ଼ କଥା କ’ଣ ଅନିମା, ଏଇ କଲେଜରେ ସ୍ୱତଃସ୍ଫୁର୍ତ୍ତ ଭାବରେ ବିକାଶ ଲାଭ କରେ ମଣିଷ । ସେଇଥିପାଇଁ ବଡ଼ ହେବାପାଇଁ ସ୍ୱପ୍ନ ଦେଖନ୍ତି ଯେଉଁମାନେ, ଆସନ୍ତି ଦଳ ଦଳ ହୋଇ ଏଇ କଲେଜକୁ ଭର୍ତ୍ତି ହବାପାଇଁ-

 

ଅନିମା ସ୍ମିତହାସ୍ୟ ଖେଳାଇ କହିଲେ–ଆମ କଲେଜକୁ ଏକାବେଳକେ ମାଟିରେ ମିଶାଇ ଦିଅନା ଅମିତାଭ !

 

ଆରେ, ନା, ନା । ତୁମ କଲେଜ ବି ଭଲ ଏକଥା ଅବଶ୍ୟ ମାନିବାକୁ ହବ ।

 

କହୁ କହୁ ହସରେ ଫାଟିପଡ଼ିଲେ ଅମିତାଭ । ଅନିମା ହସୁ ହସୁ ଅତିଥି ସତ୍କାର କରିବାପାଇଁ ଉଠିଗଲେ ଭିତରକୁ ।

 

ଅମିତାଭଙ୍କ ଉଛୁଳା ଦୃଷ୍ଟି ସୁନୀତାର ଛାତିଉପରେ ଘୂରିବୁଲିଲା କ’ଣ ଖୋଜି ଖୋଜି । ସଙ୍କୁଚିତ ହୋଇ ପଣତଟିରେ ଢାଙ୍କିଦେଲା ଅନାବୃତ ଅଂଶ ଟିକକ । ସେଇ ଶାଣିତ ଚାହାଣିର ଆରଣ୍ୟକ ଜ୍ୱଳନ ଆଶ୍ଚର୍ଯ୍ୟ କରିଦେଲା ତାକୁ ମୁହୂର୍ତ୍ତକରେ ।

 

–ଅନିମା କହୁଥିଲେ ତୁମେ କୁଆଡ଼େ ଚାକିରି କରିବାପାଇଁ ଚାହଁ ।

 

–ହଁ ।

 

ଛୋଟ ଉତ୍ତରଟିଏ ଦେଲା ସୁନୀତା ।

 

–କିପରି କାମ ଖୋଜୁଛ ?

 

–ମୋ ଆବଶ୍ୟକତା ଅନୁସାରେ ଚାକିରି ତ ଆଉ ମିଳୁନି । ବରଂ ଚାକିରିର ଆବଶ୍ୟକତା ଅନୁସାରେ ନିଜକୁ ଖାପଖୁଆଇ ନେବି ମୁଁ ।

 

ଉତ୍ତର ଶୁଣି ଖୁସି ହୋଇଗଲେ । ଭବିଷ୍ୟତର ସମ୍ଭାବନାରେ ଲୋଭ ମେଞ୍ଚାଏ ଉତୁରିପଡ଼ିଲା ମୁହଁଉପରେ ।

 

–ଦ୍ୟାଟ ଇଜ୍‌ ଫାଇନ୍‌ । ମୁଁ ଚେଷ୍ଟା କରିବି । ବୋଧେ ମିଳିଯିବ କିଛି ଗୋଟେ....

 

–ତମ ଉପରେ ସେଇ ବିଶ୍ୱାସ ଅଛି ବୋଲି ତ ତୁମକୁ କହିଲି ଅମିତାଭ । ଚେଷ୍ଟା କରି କିଛି ଗୋଟେ ବ୍ୟବସ୍ଥା କରିଦିଅ ନୀତା ପାଇଁ ।

 

ହାତରେ ପ୍ଳେଟ ଭର୍ତ୍ତି ମିଷ୍ଟାନ୍ନ ନେଇ ଘରଭିତରକୁ ପଶୁ ପଶୁ କହିଲେ ଅନିମା । ଚାକର ଚା’ର ସରଞ୍ଜାମ ଓ ଆଉ ଗୋଟିଏ ପ୍ଳେଟରେ ଗରମ ବରା ଆଣି ରଖିଦେଇଗଲା ଟେବୁଲ ଉପରେ-

 

ମିଠା ଥିବା ପ୍ଳେଟ୍‌ଟିକୁ ଅମିତାଭ ଆଗରେ ତୋଳିଧରି ଅନୁନୟ କଲେ ଅନିମା–ମିଠାରୁ ଆରମ୍ଭ କର ।

 

ଗୋଟେ ଗୋଲାପଜାମୁ ଉଠାଇନେଇ କହିଲେ ଅମିତାଭ–ଶେଷରେ ମିଠା ଖାଇଲେ ଅନେକ ସମୟଯାଏ ମିଠା ସମ୍ପର୍କ ରହେ ବୋଲି ଆମ ଦେଶରେ ମିଠା ଦିଆଯାଏ ଶେଷରେ । ‘ମଧୁରେଣ ସମାପୟେତ୍‌’ କଥାଟି ସେଇଥିପାଇଁ ପ୍ରଚଳିତ । କିନ୍ତୁ ତମେ ପ୍ରଥମେ ମିଠା ଖୁଆଇ ଦଉଛ ଅନିମା !

 

ଆଖିର ଶାଣିତ ଦୃଷ୍ଟି ହାଣି ଟିକିଏ ବଙ୍କା ହସର ଛିଟା ଦେଇ କହିଲେ ଅନିମା–ପ୍ରଥମେ ମିଠା ଆଉ ଶେଷରେ ବି ମିଠା ଖାଇଲେ ସବୁଦିନ ମନେରହେ ଅମିତାଭ ।

 

ମିଠା ପରେ ବରା ଏବଂ ତାପରେ ପୁଣି ଚା’ ପିଇବାର ପରିଚୟ ଭିତରେ ଅନିମାଙ୍କର ମନଛୁଆଁ କଥା ପଦକ ଦେହରେ ଲାଗିଲା ଅମିତାଭଙ୍କର । ସେ ଉଲ୍ଲସିତ ହୋଇଉଠିଲେ ।

 

ଗରମ ବରାରୁ ଟୁକୁରାଏ ପାଟିଭିତରେ ଚୋବାଉ ଚୋବାଉ କହିଲେ ଅମିତାଭ–ନାଇସ୍‌, ବୁଝିଲ ଅନିମା ! ଏଇ ବରା ହେଉଛି ଖାଣ୍ଟି ଓଡ଼ିଆ ଖାଦ୍ୟ । ଏହାର ସ୍ୱାଦ ସତରେ ଅନୁପମ ।

 

ଆନନ୍ଦିତ ହେଲେ ଅନିମା । ଅମିତାଭଙ୍କ ମୁହଁଉପରକୁ ଚାହିଁ ଆଲୁଳାୟିତ ହୋଇଗଲେ ଟିକିଏ । ଅନ୍ୟଆଡ଼େ ଚାହିଁଥିଲା ସୁନୀତା ।

 

କପ୍‌ରେ ଚା’ ଢାଳିଲେ ଅନିମା । ସୁନୀତା ଅନୁଭବ କଲା ତା’ ଆପାଦମସ୍ତକ ଯିମିତି ଯୋଡ଼ିଏ ଲେଲିହାନ ଶିଖା ଲେହନ କରୁଛି । ଅମିତାଭଙ୍କ ମୁହଁକୁ ଚାହିଁଦେଇ ପୁଣି ସାଙ୍ଗେ ସାଙ୍ଗେ ମୁହଁ ତଳକୁ କରିନେଲା ସୁନୀତା । ଝାଳେଇ ଯାଇଥିଲା ସେ ସେହି ଆରଣ୍ୟକ ବାଡ୍‌ବାଗ୍ନିର ଝଲସରେ ।

 

ପାଣି ଆଣିବାପାଇଁ ଉଠିଗଲା ଭିତରକୁ । ଅମିତାଭ କହିଲେ–ବଡ଼ ଲଜ୍ଜ୍ୟାଶୀଳା ନା ?

 

–ହବାର କଥା, ପ୍ରଥମ କରି ଦେଖୁଛି ତମକୁ–ଚା’ କପ୍‌ଟି ବଢ଼ାଇ ଦଉଁ ଦଉଁ କହିଲେ ଅନିମା ।

 

–ତୁମେ କିଛି ଚିନ୍ତା କରନା ଅନି । ମୁଁ ଦେଖିବି କ’ଣ କରାଯାଇପାରେ ।

 

ଆଶ୍ୱାସନା ଦେଇ କହିଲେ ଅମିତାଭ–ଦେଖିବି ନୁହେଁ । କରାଇଦେବାକୁ ପଡ଼ିବ । ତୁମ ପାଖରେ ଏ ତ ଅନୁରୋଧ ନୁହେଁ, ଦାବି କହିପାର ।

 

ତାଙ୍କ ମୁହଁଉପରେ ଉକୁଟିଉଠିଲା ପଡ଼ନ୍ତ ଯୌବନର ଶେଷ ରଙ୍ଗ, ତାଙ୍କ ସ୍ୱରରେ ଶୁଣିପାରିଲେ ଅମିତାଭ ବସନ୍ତର ଶେଷ ବେହାଗ । ଏବେବି ତାହେଲେ ସରିଯାଇନାହିଁ ଅନିମାର ସ୍ୱପ୍ନ, ମରିଯାଇ ନାହିଁ ମନର ଶେଷ ସରାଗ ଟିକକ ।

 

ଦିନେ ଏଇ ଅନିମାଙ୍କୁ ନେଇ ନିକାଞ୍ଚନ ବନରେ, ନିର୍ଜନ ବେଳାଭୂମିରେ ଏବଂ ଅଦୃଶ୍ୟ ଅନ୍ଧକାର ଭିତରେ ସୋହାଗ କରିଥିଲେ ଅମିତାଭ । ଜୀବନର ଘାତ ପ୍ରତିଘାତରେ ଦୁହିଁଙ୍କର ପଥ ଅଲଗା ହୋଇଯାଉଛି, କିନ୍ତୁ ମନ ଅଲଗା ହୋଇଯାଇନି ।

 

ସେଇଥିପାଇଁ ତାଙ୍କର କୌଣସି ଅନୁରୋଧ ଏଡ଼ିଯାଇପାରନ୍ତି ନାହିଁ ଅମିତାଭ । ଅନିମା ପାଖରେ ବାରମ୍ବାର ପରାଜୟ ମାନନ୍ତି । ବାରମ୍ବାର ଟାଣିହୋଇ ଆସନ୍ତି ତାଙ୍କର ଟିକେ ସାନିଧ୍ୟ ପାଇଁ, ଟିକିଏ ସଙ୍ଗ ପାଇଁ । ଅନିମାଙ୍କ ସମର୍ପଣ ଭିତରେ ସେ ପାଆନ୍ତି ସଞ୍ଚରିତ ବିଳାସର ଅସରନ୍ତି ପୁଲକ । ତାଙ୍କ ଯାଚନା ଆଗରେ ସମସ୍ତ ବୈଭବ ଢାଳିଦେଇ ଚିରଦିନ ଧରି ସେଇ ଆତ୍ମୋତ୍ସର୍ଗର ଶିହରିତ ଆନନ୍ଦ ମଧ୍ୟରେ ପଥ ଭୁଲିଯାଆନ୍ତି ଅମିତାଭ । ଆପଣାର ବିବାହିତ ଜୀବନର ସମସ୍ତ ସୌରଭକୁ ପଛରେ ପକାଇ ମୃଗ କସ୍ତୁରୀ ସନ୍ଧାନରେ ଚତୁର୍ଦ୍ଦିଗ ଘୂରି ବୁଲିଛନ୍ତି ଅମିତାଭ । ଗୃହାଞ୍ଚଳରେ କେତେ ପ୍ରତିଜ୍ଞା କେତେ ଅନୁଜ୍ଞା ଓ ଅନୁରୋଧ ପାଣିଫୋଟକା ପରି ଅନିମାଙ୍କର ଉଷ୍ମତା ଆଗରେ ବିଲୀନ ହୋଇଯାଇଛି । ନ ଆସି ରହିପାରିନାହାନ୍ତି ସେ ।

 

ସେମାନଙ୍କର ପରିଚୟ ହୋଇଥିଲା ଏହିପରି ଏକ ସିକ୍ତ ସନ୍ଧ୍ୟାରେ । କଲେଜର ଟେନିସ୍‌ କୋର୍ଟ ପାଖରେ ।

 

ସେଇଦିନୁ ନିକଟବର୍ତ୍ତୀ ହୋଇଛନ୍ତି ଦୁହେଁ । ଭଦ୍‌ଭ୍ରାନ୍ତ ପରି ସବୁକୁ ପଛରେ ପକେଇ ଦଉଡ଼ି ଆସିଥିଲେ ଅମିତାଭ । ତାଙ୍କ ଆଗମନ ଥିଲା ଅବାରିତ । ସେଇ ଆସିବାର ଅଧୀରତାକୁ ସାର୍ଥକ କରି ନିଜକୁ ବହୁଭାବରେ ତାଙ୍କ ଆଗରେ ତୋଳି ଧରିଛନ୍ତି ଅନୀମା । ପଳପଳ କରି ନିଜକୁ ଆହୁତି ଦେଇଛନ୍ତି ଅମିତାଭ ପାଖରେ । ସେ ଦେଇ ଦେଇ ନିଃଶେଷ ହୋଇଯାଇଛନ୍ତି, ନିଜର ନୀଡ଼ ରଚନା କରିବାର ସମସ୍ତ ବାସନା କାମନାକୁ ମନରୁ ବହିଷ୍କାର କରିଛନ୍ତି । କେବଳ ଅମିତାଭଙ୍କର ଏକ ଜ୍ୱାଳାମୟୀ ସାନିଧ୍ୟର ଶିହରଣ ପାଇଁ ।

Unknown

 

–ମୁଁ ତା’ହେଲେ ଆଜି ଉଠୁଛି ଅନି ।

 

ବିଦାୟ ନବାପାଇଁ ଯାଇ କହିଲେ ଅମିତାଭ ।

 

–ପୁଣି ଆସିବ କେବେ ? ଏତେଦିନ ପରେ ଆଜିକାଲି ମନେପଡ଼େ ମୁଁ ।

 

ଟିକିଏ ବେଦନା ମିଶା ଅନୁରାଗ ଖେଳାଇ କହିଲେ ଅନିମା ।

 

–ଆସିବି, ଖୁବ୍‌ଶୀଘ୍ର ଆସିବି । ପୁଣି ଆସିଲେ ମୋର ନେଷ୍ଟ ପ୍ଳାନ୍‌ ସମ୍ପର୍କରେ ଅବହିତ କରାଇବି ତୁମକୁ । ଶୁଣିଛ ବୋଧେ ଆମ ଅନୁଷ୍ଠାନର ପ୍ରଥମ ଗୀତିନାଟ୍ୟ ବାରବାଟୀ ଷ୍ଟାଡିଅମରେ ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ଦିନ ଅନୁଷ୍ଠିତ ହେବ ।

 

–ହଁ ସେଇପରି ତ କାଗଜରୁ ପଢ଼ିଥିଲି । କିନ୍ତୁ ଏତେ ଡେରିରେ ମତେ ନ ଜଣାଇଥିଲେ କ’ଣ ଚଳିନଥାନ୍ତା ।

 

–କ୍ଷମା କରିବ । ଭୁଲ୍ ହୋଇଯାଇଛି । ଆସିବ ଆସିବ କହି ଆସିପାରିନାହିଁ ।

 

କହୁ କହୁ ଟିକିଏ ନଇଁପଡ଼ିଲେ ଅମିତାଭ । ନଇଁଗଲା ତାଙ୍କର ବ୍ୟକ୍ତିତ୍ୱ । ଖୁସିହେଲେ ଅନିମା ।

 

–ସେତିକି ଥାଉ । କ୍ଷମା ମାଗିବାକୁ ହବନି ଆଉ । ଶୀଘ୍ର ଆସ ଆଲୋଚନା କରିବା ।

 

–ନିଶ୍ଚୟ ।

 

କହୁ କହୁ ଉଠି ବସିଲେ ଅମିତାଭ ।

 

ଦିନର ଆଲୋକ ନିଭିଯାଇଥିଲା ସେତେବେଳକୁ, ଅନ୍ଧାର ହୋଇନଥିଲେ ବି ଗୋଟେ କଳା ମେଘ ଆକାଶର ପଶ୍ଚିମ ଭାଗକୁ ଘୋଡ଼େଇ ପକେଇଥିଲା । ଥଣ୍ଡା ପବନ ବହିଆସୁଥିଲା ଶିରି ଶିରି ହୋଇ । ହୁଏତ ଦୂରରେ କେଉଁଠି ବର୍ଷା ହୋଇଥିବ । ବିଜୁଳି ମାରୁଛି ଆକାଶରେ । ହୁଏତ ବର୍ଷା ଆସିଯିବ ଅଳ୍ପ ସମୟ ମଧ୍ୟରେ ।

 

ପ୍ରକୋଷ୍ଠ ମଧ୍ୟରୁ ନିଷ୍କ୍ରାନ୍ତ ହୋଇ ଯାଉ ଯାଉ ଦାଣ୍ଡେ ଛିଡ଼ାହେଲେ ପର୍ଦ୍ଦା ପାଖରେ । ଯିବା ପୂର୍ବରୁ ସୁନୀତାକୁ ଦେଖି ଯିବେ ।

 

ଅନିମା ବୁଝିପାରି ଡାକିଲେ–ନୀତା...ନୀତା....

 

ନୀଳ ପର୍ଦ୍ଦା ବିଭକ୍ତ କରି ପୁଣି କକ୍ଷ ଭିତରେ ପ୍ରବେଶ କଲା ସୁନୀତା । ବଦ୍ମପ୍ଳକ୍ଷ୍ମ ପରି ତା’ର ଆୟତ ନୟନର ଭୀରୁ ଚାହାଣି ଭିତରେ କ’ଣ ଦେଖିଲେ କେଜାଣି ମନରେ ଅନ୍ତରାଳରେ ଆଗାମୀ ବର୍ଷାର ନୂପୁର ଧ୍ୱନି ଶୁଣିବା ପାଇଁ ଉନ୍ମୁଖ ହୋଇ ରହିଲେ ଅମିତାଭ ।

 

ମୁଁ ଯାଉଛି ସୁନୀତା....

 

ନମସ୍କାର ।

 

ନମସ୍କାର ।

 

ଅମିତାଭ ନିଷ୍କ୍ରାନ୍ତ ହୋଇଗଲେ । ବାହାରକୁ ଯାଇ ତାଙ୍କୁ ବଳେଇ ଦେଇ ଆସିଲେ ଅନିମା । ତାଙ୍କ ଫାଟକ ପାରିହୋଇ ଚାଲିଯିବାର ଶବ୍ଦ ଭିତରୁ ବେଶ୍‌ ଭଲଭାବରେ ଶୁଣିପାରିଲା ସୁନୀତା ।

 

ନିଷ୍କମ୍ପ ପ୍ରଦୀପ ଶିଖା ପରି ଅନ୍ତର ଭିତରେ ପ୍ରଜ୍ଜ୍ୱଳିତ ଊର୍ଦ୍ଧ୍ୱମୁଖୀ ଅର୍ଘ୍ୟଶିଖା ଟିକିଏ ହେଲେ ଇତସ୍ତତଃ ହେଲାନାହିଁ । ଅବନମିତ ହେଲା ନାହିଁ, କେବଳ ଦେହଉପରେ ଦମକା ପବନଛୁଆଁ ଲଗାଇ ଯେପରି ଅନ୍ତର୍ହିତ ହୋଇଯାଏ, କ୍ଷଣିକରେ ସେଇପରି ଅମିତାଭଙ୍କ ଚାହାଣି ଓ ଆବେଦନ ତା’ର ବାହ୍ୟ ବ୍ୟକ୍ତିତ୍ୱକୁ ଛୁଇଁଥିଲେ ମଧ୍ୟ, ଅନ୍ତର୍ହିତ ହୋଇଗଲା ପଲକରେ ମନ ମଧ୍ୟରୁ କୌଣସି ସଂକେତ ନରଖି । ସେ ଅସ୍ୱାଭାବିକ ଦୃଢ଼ତାଦ୍ୱାରା ଅବୟବର ପ୍ରତ୍ୟେକ ଅନ୍ଧିସନ୍ଧିକୁ ନିରନ୍ଧ୍ର କରି ତୋଳିଲା । ଏଇ ଜଗତରେ ନିଜର ବ୍ୟକ୍ତିତ୍ୱ ଟିକକ ନେଇ ବଞ୍ଚିରହିବା ପାଇଁ ହେଲେ ଡରିଗଲେ ଚଳିବ ନାହିଁ, ଉଦାସ ହୋଇ ନିଜକୁ ଅନୁକୂଳ ସ୍ରୋତରେ ଭସାଇଦେଲେ ନିଜକୁ ରକ୍ଷା କରିହେବ ନାହିଁ । ଅନ୍ୟର ଆବେଦନକୁ ରାସ୍ତା ଧାରର କଥାପରି ଭୁଲିଯିବାକୁ ହେବ, ଅନ୍ୟର ଆୟତ ଅଗ୍ନିଝରା ଦୃଷ୍ଟିକୁ ବରଫର ପ୍ରକୃତିଦ୍ୱାରା ନୁହେଁ, ବଜ୍ରର କାଠିନ୍ୟ ଦେଇ ଉପେକ୍ଷା କରି ଯିବାକୁ ହେବ ।

 

ସେ ବଞ୍ଚିବ ବ୍ୟକ୍ତିତ୍ୱ ନେଇ । ନିଜକୁ ନିଃଶେଷ କରି ସର୍ବହରା ହବାପାଇଁ କେବେହେଲେ ଆୟାସ କରିନି, ସେଇଥିପାଇଁ ପୁରୁଷର ସେଇ ଚିରାଚରିତ ଆତ୍ମନିବେଦନକୁ ସେ ପରିଚୟ ପ୍ରଣୟିନୀ ବ୍ୟତୀତ ଅନ୍ୟ କିଛି ନୁହେଁ, ସେମାନେ କେଡ଼େ ଯେ ନିଃସହାୟ ଏବଂ ଅର୍ବାଚୀନ ତାହା ସେ ବୁଝେ ।

 

ଅଗଣାକୁ ଯାଇ ନୀରବରେ ଅନେକ ସମୟ ପର୍ଯ୍ୟନ୍ତ ଆକାଶଆଡ଼କୁ ଚାହିଁ ଛିଡ଼ାହୋଇ ରହିଲା ସୁନୀତା । କଳା ମେଘଟା କ୍ରମଶଃ ଉଠିଯାଇଥିଲା ଉତ୍ତର ଦିଗକୁ । ବର୍ଷା ବୋଧେ ହବନି ।

 

ପୂର୍ବାକାଶରେ ସନ୍ଧ୍ୟା ତାରା କେତୋଟି ଓଢ଼ଣି ଟାଣି ଉଭାହେଲେ । ଏକ, ଦୁଇ, ତିନି...-। ପିଲାବେଳେ ସାଙ୍ଗସାଥିମାନଙ୍କ ସହିତ ଇମିତି ଛିଡ଼ାହୋଇ ସନ୍ଧ୍ୟା ତାରାଗୁଡ଼ିକୁ ଗଣିବା ପାଇଁ ବଡ଼ ଭଲପାଇଥିଲା ସୁନୀତା । ତାରାଗୁଡ଼ିକୁ ଦେଖି ସେମାନେ ଗାଇଉଠୁଥିଲେ–

 

ଏକ ତାରା ଅପାସୋରା

ଦୁଇ ତାରା ସାଙ୍ଗ ପରା

ତିନି ତାରା ଫୁଲ ଫୁଟେ

ଚାରି ତାରା ମନେ ଉଠେ ।

 

ଚାରିଟି ତାର ବାହାରିଲେ ଆଉ ବାହାରେ ନବସି ଯେଝା ଘରକୁ ଚାଲିଯାଉଥିଲେ ପଢ଼ିବା ପାଇଁ । ଏଇ ତାରାମାନଙ୍କ ପରି ସେମାନଙ୍କ ନିତିଦିନିଆ ଜୀବନରେ ସେମାନେ ସେଇ ଦିନଗୁଡ଼ିକ କେଡ଼େ ସୁନ୍ଦର, ସରଳ ସତେ ! ଆଉ ସେ ଦିନ ଫେରିଆସିବ ନାହିଁ । ଆଉ ସେ ପିଲା ହୋଇ ଯାଇପାରିବ ନାହିଁ । କେଜାଣି କାହିଁକି ମନଟା ଉଦାସ ହୋଇଆସିଲା । ଛାତି ଭିତରଟା ଖାଲି ଖାଲି ଲାଗିଲା ।

 

ଛିଡ଼ାହୋଇ ଭାବୁଥିଲା । ତା’ କାନ୍ଧ ଉପରେ କାହାର ସ୍ପର୍ଶ ଅନୁଭବ କଲା ସେ । ପଛକୁ ମୁହଁ ବୁଲେଇ ଦେଖିଲା ମାଉସୀ ଛିଡ଼ାହୋଇଛନ୍ତି ।

 

–ଏତେ ଭାବୁଛୁ କାହିଁକି ଯେ ?

 

–ଆକାଶକୁ ଚାହୁଁ ଚାହୁଁ ପିଲାଦିନର କଥା ମନେପଡ଼ିଗଲା ମାଉସୀ ।

 

–ତୁ କେଡ଼େଟିଏ ହୋଇଗଲୁଣି ଯେ ଉଦାସ ହୋଇପଡ଼ୁଛୁ ।

 

–ନା, ଦେଖୁଥିଲି କେଡ଼େ ସୁନ୍ଦର ଏଇ ତାରାଗୁଡ଼ିକ । କେତେ ଦୂରରେ, ଅଥଚ ମଣିଷର କେତେ ଅନ୍ତରଙ୍ଗ ।

 

–ଅଥଚ ମଣିଷ ମଣିଷ ପାଖାପାଖି ଥାଇ ଅନ୍ତରଙ୍ଗ ହୋଇପାରନ୍ତିନି ନୀତା । ଯେତେ ପାଖହୁଏ ଦୁଇଟି ମନ, ସେତିକି ସ୍ପଷ୍ଟ ହୋଇଉଠେ ଦୁହିଁଙ୍କ ଭିତରର ପ୍ରଭେଦ ।

 

ନୀତା କିଛି ଉତ୍ତର ଦେଲାନାହିଁ । କେବଳ ବାରମ୍ବାର ଉଦାସ ମନରେ ଆବୃତ୍ତି କଲା–ଯେତେ ପାଖ ହୁଏ ଦୁଇଟି ମନ, ସେତିକି ସ୍ପଷ୍ଟ ହୋଇଉଠେ ଦୁହିଙ୍କ ଭିତରର ପ୍ରଭେଦ ।

 

ଏଇ ପ୍ରଭେଦ ସେ ଅନେକଙ୍କ ପାଖରେ ଦେଖିଛି । କେତେ କେତେ ବନ୍ଧୁତ୍ୱ ଏଇ ପ୍ରଭେଦର ପ୍ରସ୍ତର ପ୍ରାଚୀର ଉପରେ ପିଟିହୋଇ ଭାଙ୍ଗି ଚୁରି ଯାଇଛନ୍ତି ଅବକ୍ଷୟିଷ୍ଣୁ ସମୟ ସ୍ରୋତରେ ।

 

–ଆଉ କେଉଁଠି କାମ ଅଛି କାଲି ?

 

–ନା, ସେପରି ନୁହେଁ । କିନ୍ତୁ ପାରିଜାତ ବାବୁ କର୍ମନିୟୋଗ ସଂସ୍ଥାର ଡାଇରେକ୍ଟର ଡକାଇଛନ୍ତି କାଲି ।

 

–ପରିଚୟ ଅଛି ତ ?

 

–କେବଳ ଇଣ୍ଟରଭିଉରେ ଦେଖାହୋଇଥିଲା ।

 

–ସେଇ ଯଥେଷ୍ଟ । ସବୁଠି ପରିଚୟ ନଥାଏ ମଣିଷର । ପରିଚୟ କରିନବାକୁ ହୁଏ । ଭୂଇଁ ଉପରେ ଚାଲୁ ଚାଲୁ ଯେମିତି ପଥ ତିଆରି ହୋଇଯାଏ, ମଣିଷ ମଣିଷ ଭିତରେ ଆଳାପ କରୁ କରୁ ସେଇପରି ଗଢ଼ିଉଠେ ବନ୍ଧୁତ୍ୱ ସମ୍ପର୍କ ।

 

–ସେମାନେ ବଡ଼ଲୋକ ମାଉସୀ । ଆମେ ସାଧାରଣ । ଆମ କଥା ଆଜି ମନେଅଛି କାଲିକି ନାହିଁ । ସାଧାରଣ ଲୋକକୁ ଭୁଲିଯିବା ସହଜ ବଡ଼ଲୋକ ପକ୍ଷରେ ।

 

–ତୁ ବି ବଡ଼ ହବୁ । ସେଥିପାଇଁ ଚିନ୍ତାକରନା ନୀତା । ତୁ ଯା କାଲି । ଦେଖେ ପାରିଜାତ ବାବୁ କ’ଣ କରୁଛନ୍ତି । ଏଣେ ତ କହିରଖିଛି ଅମିତାଭକୁ ।

 

ଟିକିଏ ରହିଯାଇ ତା’ ପରେ ପୁଣି ତା’ ପାଖକୁ ଅଧିକ ଲାଗିଯାଇ କହିଲେ ଅନିମା, ନିଜର ଆବଶ୍ୟକତା ଟିକକ ପ୍ରତି ଅବହିତ ଥିଲେ ଅନ୍ୟର ଆବଶ୍ୟକତା ଟିକକୁ ସବୁବେଳେ ଉପେକ୍ଷା କରିହୁଏନା ନୀତା । ଦୁହିଁଙ୍କର ଆବଶ୍ୟକତାକୁ ନେଇ ଗଢ଼ିଉଠେ ପରିଚୟ, ବୃଦ୍ଧିପାଏ ବନ୍ଧୁତ୍ୱ ।

ସ୍ତବ୍‌ଧ ହୋଇଗଲା ନୀତା ମାଉସୀଙ୍କ କଥା ଶୁଣି । ସତ, ନିରାଟ ସତ କହିଛନ୍ତି ମାଉସୀ-। ଏତେବଡ଼ ବାସ୍ତବ କଥାଟା ଦିନେହେଲେ ମନଭିତରେ ଉଙ୍କି ମାରିନଥିଲା ତା’ର । ସତରେ ତ-! ନିଜ ଆବଶ୍ୟକତା ପ୍ରତି ଅବହିତ ଥିଲେ ଅନ୍ୟର ଆବଶ୍ୟକତା ପ୍ରତି ଉପେକ୍ଷା କଲେ ଚଳିହୁଏନା-

କିନ୍ତୁ ଅନ୍ୟର ପ୍ରୟୋଜନ ସେ ମେଣ୍ଟାଇପାରିବ କିପରି ? ନିଜ ପ୍ରୟୋଜନର ପୂର୍ଣ୍ଣତା ପାଇଁ ମୂଲ୍ୟ ଦବାକୁ ପଡ଼େ । ବିନା ମୂଲ୍ୟରେ କୌଣସି ଦାବିଳ କୌଣସି ଅଧିକାର ସ୍ୱୀକୃତ ହୋଇନି ମଣିଷର । ବଞ୍ଚି ରହିବାପାଇଁ ହେଲେ ମୂଲ୍ୟ ନ ଦେଇ ପଛଘୁଞ୍ଚା ଦେଲେ ଚଳିବନାହିଁ । ସେ ମୂଲ୍ୟ କିପରି ତା’ର ଯେଉଁ ଟିକକ ଆଭାସ ପାଇଛି, ସେଇଥିରେ ଚମକିପଡ଼ିଛି ସୁନୀତା । ବିପ୍ଳବ କରିଛି ହୃଦୟ । ବିଦ୍ରୋହୀ ହୋଇଉଠିଛି ବ୍ୟକ୍ତିତ୍ୱ ।

–ତୁ ପାଠ ପଢ଼ିଛୁ ମା’ । କୌଣସି ପଣ୍ୟ ଦ୍ରବ୍ୟ ଯେପରି ବିନା ମୂଲ୍ୟରେ କିଣାଯାଇ ପାରେନା, ସେଇପରି ନିଜର ପ୍ରୟୋଜନକୁ ଚରିତାର୍ଥ କରାଯାଇପାରେନା ବିନା ମୂଲ୍ୟରେ । ତେବେ ସେ ମୂଲ୍ୟ କିଭଳି, କେତେ ମହାର୍ଘ, ତାହା ବ୍ୟକ୍ତି, ପଟ୍ଟଭୂମି ଏବଂ ପରିସ୍ଥିତି ଉପରେ ନିର୍ଭର କରେ । ତୁ ସାହସ କର । ସବୁ ଠିକ୍‌ ହୋଇଯିବ ।

ସବୁ ଠିକ୍‌ ହୋଇଯିବ । ଏହି ସାହସ ନେଇ ସେ ବାହାରିଆସିଛି ପୃଥିବୀର ରାଜପଥ ଉପରକୁ । ଆଲୋକର ଝଲମଲ ରୂପରେ, ଉତ୍ତାପରେ ଦଗ୍‌ଧ ହବାରେ, ଅନ୍ଧକାରର ଆବିଳତାରେ ମଣିଷ ନିଜକୁ ପ୍ରତିଷ୍ଠା କରୁ କରୁ ପ୍ରବଳ ନଦୀ ସ୍ରୋତରେ କୁଟା କାଠି ଭାସିଗଲା ପରି ଭାସିଯାଇଛି ପଥ ଅପଥରେ । ଉଠାଇନେଇ ଆଶ୍ରୟ ଦବାପାଇଁ କେହି ହାତ ବଢ଼ାଇ ନାହିଁ, ବରଂ ଭାସିଯିବା ପାଇଁ ସାହାଯ୍ୟ କରିଛି ପ୍ରତୀକ୍ଷାରେ ।

ଅନିମା ବି ଆକାଶ ଉପରକୁ ଚାହିଥିଲେ । ସେ ବି ଏମ୍‌. ଏ. ପାଶ୍‌ କଲା ପରେ ଏଇପରି ଗୋଟେ ଭଲ ଚାକିରି ବା ଟିକିଏ ନିରାପଦ ଆଶ୍ରୟ ଚାହିଁଥିଲେ । ସ୍ୱପ୍ନ ଦେଖୁଥିଲେ ଅନାଗତର । କିନ୍ତୁ ଚାହିଁଲେ ସବୁ ଜିନିଷ ମିଳେନା । ତା’ ହୋଇଥିଲେ ତାଙ୍କୁ ଏତେ ହା ହୁତାଶ ମଧ୍ୟରେ ନିଜ ଜୀବନ ପାଇଁ ସଂଗ୍ରାମ କରିବାପାଇଁ ହୁଅନ୍ତା ନାହିଁ । ତିନିଶହ ଟଙ୍କାର ଏଇ ଚାକିରିଟି ପାଇଁ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ତାଙ୍କୁ କ’ଣ ମୂଲ୍ୟ ଦବାକୁ ନ ପଡ଼ୁଛି !

ନୀତାକୁ ଆଶ୍ୱାସନା ଦେଇ କହିଲେ–ନିଜ ଉପରେ ବିଶ୍ୱାସ ରଖ । ସଂସାର ଏତେ ସରଳ ନୁହେଁ । ଦେଖିଚାହିଁ ଯାହା ଭଲ ଭାବିବୁ କରିବୁ । ନିଜ ଦମ୍ଭ ଟିକକ ଟଳାଇ ଦବୁନାହିଁ ।

ନୀତା ମାଉସୀଙ୍କ ବୁକୁଉପରେ ଆଉଜିପଡ଼ି କହିଲା–ତୁମ କଥା ମନେରଖିବି ମାଉସୀ । ମୂଲ୍ୟ ଦବାକୁ ମୁଁ ପଛେଇ ଯିବିନି–ହେଲେ ନିଜକୁ ଜଳାଞ୍ଜଳି ଦେଇ ନୁହେଁ ।

–ନିଜକୁ ଜଳାଞ୍ଜଳି ନଦେଇ କିଏ ବଞ୍ଚିଛି କହ । ଯାହାକୁ ଦେଖ, ଯାହା କଥା ଭାବ ଦେଖିବୁ ବଞ୍ଚିବା ପାଇଁ କିପରି ଭୀଷ୍ମ ପଣ ହାସଲ କରିବାକୁ ଯାଇ ଫତୁର ହୋଇଯାଇଛନ୍ତି ସେମାନେ ।

ନୀତା ଉତ୍ତର ଦେଲା ନାହିଁ । ଅନିମା କହିଚାଲିଲେ ସ୍ୱର୍ଗତୋକ୍ତି କଲାପରି–ଯେପର୍ଯ୍ୟନ୍ତ ସାଗରରେ ନୌକା ଭିତରେ ଅଛି ବେଶ୍‌ ନିରାପଦ । କିନ୍ତୁ ଥରେ ନୌକା ବୁଡ଼ିଗଲେ ଚାରିଆଡ଼ୁ ମାଡ଼ିଆସନ୍ତି ସାର୍କ, ମଗର...ସମସ୍ତେ ଚାହାଁନ୍ତି ତାଜା ରକ୍ତ, ତାତିଲା ମାଂସ....

 

ଆଉ କହିପାରିଲେ ନାହିଁ । କଣ୍ଠରୁଦ୍ଧ ହୋଇଆସିଲା ତାଙ୍କର । ନୀତା ମାଉସୀଙ୍କ ପିଠିରେ ହାତ ବୁଲାଉ ବୁଲାଉ କହିଲା–ମୋତେ ଭୟ ଲାଗୁଛି ମାଉସୀ ।

 

ତାକୁ ଆଶ୍ୱାସନା ଦେଇପାରିଲେ ନାହିଁ ଅନିମା । ଆଶ୍ୱାସନା ଦବାପାଇଁ ସେ କ’ଣ ଯୋଗ୍ୟ । ସେ ତ ନିଃସ୍ୱ ହୋଇଯାଇଛନ୍ତି ବଞ୍ଚିବା ପାଇଁ ।

 

ସୁନୀତା ଚାହିଁଥିଲା ତାରାଭରା ଆକାଶକୁ । କୋଟି କୋଟି ଆଲୋକ ବର୍ଷ ଦୂରରେ ତାରାଗୁଡ଼ିକ ନିଜ ନିଜର କକ୍ଷ ଚାରିପାଖରେ ଘୂରି ବୁଲୁଛନ୍ତି–ଯେପରି ନିଜର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରେ ଆତଯାତ ହେଉଛି ମଣିଷ । କିନ୍ତୁ କେତେ ତଫାତ୍‌ ସତେ ! ଏକ ପାଖରେ ଚିର ଶାସ୍ୱତ ସତ୍ୟ ଏବଂ ଦୀପ୍ତି ଅଥଚ ଅନ୍ୟପାଖରେ ଭଙ୍ଗୁର ଜୀବନର ଅଳୀକ ଆତଯାତ–ଆସିବା ଯିବା ।

 

–ବେଶ୍‌ ରାତି ହେଲାଣି । ଚାଲ ଖାଇବା ନୀତା ।

 

ଦୁହେଁ ଘର ଭିତରକୁ ଗଲେ । ଆକାଶର ବକ୍ଷଉପରେ ଦୀପାଳି ଜାଳି ବସି ରହିଥିବା ସହସ୍ର କୋଟି ତାରକା କୋଟି କୋଟି ଆଲୋକ ବର୍ଷ ଦୂରରେ ପଡ଼ିରହିଲେ ପଛରେ ଯେପରି ପଡ଼ି ରହିଛି ମଣିଷ, ପଛରେ ତା’ର ସହସ୍ର ବର୍ଷର ଇତିହାସ ।

 

ପାଞ୍ଚ

 

ଇତିହାସର ଛାତ୍ର ସବ୍ୟସାଚୀ ପଛରେ କିନ୍ତୁ କୌଣସି ଇତିହାସ ନ ଥିଲା । ଇତିହାସ ଅଧ୍ୟୟନ କରି ଦ୍ୱିତୀୟ ଶ୍ରେଣୀରେ ପ୍ରଥମ ହୋଇ ବିଶ୍ୱବିଦ୍ୟାଳୟର ଉଚ୍ଚତମ ଡିଗ୍ରୀ ହାସଲ କରିଥିଲା ମାତ୍ର । ନିମ୍ନ ମଧ୍ୟବିତ୍ତ ପରିବାର ଏକ ବଡ଼ ପରିବାରରେ ଜନ୍ମନେଇ ସେ ଆସିଥିଲା ସଂସାରକୁ । ଅନ୍ୟମାନଙ୍କ ସାହାଯ୍ୟ ସହାୟତା ପାଇ, ନିଜର କୃତୀତ୍ୱଦ୍ୱାରା ଏପର୍ଯ୍ୟନ୍ତ ଆସିପାରିଛି-। ଏଇ ତା’ର ପରିଚୟ ।

 

ନିଜ ସମ୍ପର୍କରେ ଅନ୍ୟଆଗରେ କହିଲା ଭଳି କିଛି ନାହିଁ ତା’ ପାଖରେ । ଯେତେବେଳେ କେହି ଜାଣିବା ପାଇଁ ଚାହିଁଛି ତା’ ପଛରେ ରହିଥିବା ସଂସାର ଏବଂ ସମ୍ଭାରର କଥା, ସେତେବେଳେ ମଉନ ହୋଇଯାଇଛି ସେ । ମୌନତାର ଗଭୀର ଅନ୍ଧକାର ମଧ୍ୟରୁ ସେ କେବଳ ବିଜୁଳି ପୋକପରି ଜଳିଉଠି ଆଗେଇ ଆସିଛି ପଥ ଖୋଜି ଖୋଜି । ଆଗକୁ ଯିବାପାଇଁ କିଏ ଯେପରି ବାଧ୍ୟକରେ ତାକୁ । ସେଇ ଆବେଗରେ ସ୍ୱାକ୍ଷର ତା’ ଶିରା ପ୍ରଶିରା ଓ ରକ୍ତ କଣିକାର ଦୀପ୍ତ ହୋଇଉଠେ ।

 

ଆସ..ଚାଲିଆସ ଆଗକୁ....

 

ଅନାଗତ ଡାକୁଛି । ଡାକୁଛି ଲକ୍ଷ୍ୟସ୍ଥଳ ଆଡ଼କୁ ପ୍ରସରି ଯାଇଥିବା ପଥ ।

 

ବିସ୍ମୃତିର ବିଡ଼ମ୍ବନା ଭିତରେ ଛାଡ଼ିଦବା ପାଇଁ ନୁହେଁ, ଜାଗରଣର ଉତ୍ତାପ ଦେଇ ଅଭିଷିକ୍ତ କରିବାପାଇଁ ଉତ୍ତାପ ହାତଠାରି ଉତ୍ସାହ ଦେଇଛି ତାକୁ । ଏଇ ଉତ୍ତାପ ଟିକକ ପ୍ରୟୋଜନ ହୁଏ ବଞ୍ଚି ରହିବାପାଇଁ । ପୃଥିବୀ ଯେପରି ଉତ୍ତାପ ନଥିଲେ ସବୁଜ ଶ୍ରୀର ଐଶ୍ୱର୍ଯ୍ୟରେ ବିକଶି ଉଠନ୍ତା ନାହିଁ, ମଣିଷ ସେଇପରି ଉତ୍ତାପ ନଥିଲେ ରାଶି ରାଶି ବରଫ ଭିତରେ ସମ୍ପର୍କହୀନ, ପରିଚୟହୀନ ହୋଇ ହଜିଯାଆନ୍ତା କେଉଁଆଡ଼େ ।

 

ସବୁଜ ରଙ୍ଗ ବେଶ୍‌ ଭଲଲାଗେ ତାକୁ । ସେଇ ରଙ୍ଗରେ ସେ ଦେଖେ ତାରୁଣ୍ୟର ଉଦ୍ଦାମ ପ୍ରକାଶ । ଅନୁଭବ କରେ ଅଜସ୍ରତାର ପ୍ରାଣ ସ୍ପନ୍ଦନ ।

 

ସେ ଏକ ଭିତରେ ଅନେକର ସ୍ୱପ୍ନଦେଖେ, ବିଗତର ବିଲୟରେ ଅନାଗତର ପଦଧ୍ୱନି ଶୁଣେ, ଇତିହାସ । ହଜାର ହଜାର କୋଟି କୋଟି ବର୍ଷ ଧରି ମଣିଷ ଇତିହାସକୁ ନିଜ ଇଚ୍ଛାନୁସାରେ ତିଆରି କରିବାପାଇଁ କୌଶଳ କରିଛି, କିନ୍ତୁ ଇତିହାସ ଅତି ନିର୍ମମ ଭାବରେ ନିଷ୍ଠୁର ପଦାଘାତ କରି ଏଡ଼ାଇଦେଇଛି ପୃଥିବୀର କେତେ କେତେ ଉଦ୍ଧତ, ଅତ୍ୟାଚାରୀ ଏବଂ ସୌରଚାରୀମାନଙ୍କୁ । ଇତିହାସର ପୃଷ୍ଠାରେ ଯେଉଁମାନେ ଚିରଦିନ ନିଜକୁ ଭାସ୍ୱର କରି ରଖିବାପାଇଁ ପ୍ରୟାସ କରିଛନ୍ତି, ପୋଛିଦେଇଛି ସେମାନଙ୍କର ସମସ୍ତ ପ୍ରୟାସ ନିଷ୍କରୁଣ ଭାବରେ । ଆସିବା ଯିବାର କୋଳାହଳ ଭିତରେ ଯେଉଁମାନଙ୍କର ଉଦାତ୍ତ ସ୍ୱର, ମଣିଷର ସାଧାରଣ ହସକାନ୍ଦ, ଆଶା ହତାଶା, ସୁଖ ଦୁଃଖକୁ ଭିତ୍ତିକରି ଉପରକୁ ଉଠିଛି : ସେମାନଙ୍କୁ ଦେହରେ ଧାରଣ କରି ଧନ୍ୟହୋଇଛି ଧରିତ୍ରୀ, ପୂର୍ଣ୍ଣ ହୋଇଛି ଇତିହାସ । ସେଇ ବୀରମାନେ ଇତିହାସ ଦ୍ୱାରା ସୃଷ୍ଟ ନ ହୋଇ, ଇତିହାସ ସୃଷ୍ଟି କରିଯାଇଛନ୍ତି ।

 

ସେଇମାନଙ୍କର ଇଶାରା ଦେଖିପାରୁଥିଲା ସବ୍ୟସାଚୀ ସେମାନେ ଡାକୁଛନ୍ତି ।

 

ବୀର ଭୋଗ୍ୟା ବସୁନ୍ଧରାଃ । ଯେଉଁମାନେ ବୀର ଶୌର୍ଯ୍ୟ ବୀର୍ଯ୍ୟର ଅଧିକାରୀ, ସେହିମାନେ ହିଁ କେବଳ ଭୋଗ କରିବେ ଏଇ ଧରଣୀର ଐଶ୍ଚର୍ଯ୍ୟକୁ ।

 

ଆସ, ଆଗକୁ ଆସ । ହତାଶ ହୁଅନାହିଁ । ଉଠି ବସ ପୁଣି ଚାଲିବା ପାଇଁ ଚେଷ୍ଟାକର ।

 

‘‘ଏମ୍‌. ଏ. ପାଶ୍ କଲି । କିନ୍ତୁ ତା’ ସତ୍ତ୍ୱେ କାମ ନାହିଁ, ବେକାର । ମୋର ସମସ୍ତ ଅଧ୍ୟବସାୟ ପୃଥିବୀର ଟାଣୁଆ ପ୍ରାନ୍ତର ଉପରେ ଏକାଦିନକେ ଅବାନ୍ତର ମନେହେଲା । ତଥାପି ଡାକୁଛି... ?’’ ମନେମନେ ପ୍ରଶ୍ନକଲା ସବ୍ୟସାଚୀ ।

 

ତା’ ଭିତରୁ କିଏ ଯେପରି ସେଇ ସଙ୍ଗେ ସଙ୍ଗେ ଉତ୍ତର ଦେଲା–‘‘ହଁ, ହଁ । ତୁମେ ଟିକେ କାନଦେଇ ଶୁଣ, ଅନ୍ତର ଦେଇ ଅନୁଭବ କର । ଆଗାମୀର ପଦଧ୍ୱନି ଶୁଣିପାରିବ । ସେ ଆସିବ ସକାଳର ଆଲୋକରେ, ଦ୍ୱିପ୍ରହରର ପ୍ରଚୁରତାରେ, ପ୍ରଦୋଷର ପରାଗରେ ଏବଂ ରାତ୍ରିର ଅନୁରାଗରେ । ସେ ଆସିବ ଉଦ୍ୟୋଗ ପଛେ ପଛେ...ତା’ର ଆସିବା ଯେପରି ଅନିବାର୍ଯ୍ୟ ସଫଳତାର ସୁଷମା ସେହିପରି ଅପରିହାର୍ଯ୍ୟ ।’’

 

ଯୁଗ ଯୁଗ ଧରି ମଣିଷ ଆସୁଛି ଏଇ ଏକ ଆଶାରେ, ସେ ଆସିବାର ଅନ୍ତ ନାହିଁ । ଆରମ୍ଭ ମଧ୍ୟ କେଉଁଠି ହୋଇଥିଲା ! କିଏ କହିପାରିବ, ମଣିଷ ମହାକାଳର ଅବକ୍ଷୟମାନ ବକ୍ଷରେ ଜୀବନର ଜୟଗାନ କରି କେବଳ ଆଗେଇଯାଇଛି ।

 

ସେ ତା’ହେଲେ ପଛେଇ ନ ଯାଇ ଆଗେଇଯିବ । ପଛକୁ ଫେରି ଚାହିଁବ ନାହିଁ । ପାର୍ଶ୍ୱକ ଅବଲୋକନ କରି କାହାର ଅନୁକମ୍ପା ପାଇଁ ହାତ ବଢ଼ାଇବ ନାହିଁ ।

 

ପାଦ ବଢ଼ାଇଲା ଜୋର ଜୋର ଦୃଢ଼ତାର ସହିତ ସୈନ୍ୟବାହିନୀର କୁଚକୱାନ ସମୟରେ ସେନାମାନେ ଯେପରି ଦୃଢ଼ ଅଥଚ ଛନ୍ଦ ଖେଳାଇ ଚାଲନ୍ତି, ସେଇପରି ଦୃଢ଼ ଅଥଚ ଦୃପ୍ତତାର ସହିତ ଛନ୍ଦ ଖେଳାଇ ଚାଲିଲା ସବ୍ୟସାଚୀ ।

 

ଖିଆଲ ନାହିଁ, ଆଗକୁ ଚାଲିଛି । ଯେତେବେଳେ ସ୍ୱପ୍ନ ଭାଙ୍ଗେ ଦେଖେ ଚାରିଆଡ଼େ ହୋ ହୋ ରାବ ।

 

–ବଞ୍ଚିଗଲେ ଆଜ୍ଞା !

 

–ଆଜି ଭାଗ୍ୟ ଭଲଥିଲା ବାବୁ....

 

–କ’ଣ ଗଞ୍ଜେଇ ଖାଇଛ କି ? କିଛି ଜାଣିପାରୁନ ?

 

କ’ଣ କ’ଣ ହେଲା ? ବଲ ବଲ କରି ସେମାନଙ୍କ ମୁହଁକୁ ଅନେଇଲା ସବ୍ୟସାଚୀ ।

 

କଅଣ ହେଲା ?

 

ମାଲ....ମାଲ...

 

ହଁ ମାଲ ଗିଳିଛନ୍ତି ବାବୁ । ଆଜିକାଲି ନୂଆ ନୂଆ ଟୋକାଙ୍କୁ ଚିହ୍ନିନ ତାହେଲେ ।

 

ଦୁଇଜଣ ବାବୁ ଯାଉ ଯାଉ ଜଣକୁ ଆଉଜଣେ କହୁଥିଲା ।

 

ସବ୍ୟସାଚୀ ଏତେବେଳକୁ ବୁଝିପାରିଥିଲା ତାକୁ ନେଇ କଥା ଉଠିଛି । କିନ୍ତୁ କାହିଁକି ? ସେ ତ କାହାରି କିଛି ଅନିଷ୍ଟ କରିନାହିଁ । ନିଜ ଇଚ୍ଛାନୁସାରେ ସରକାରୀ ରାସ୍ତାରେ ଚାଲୁଛି କେବଳ ସ୍ୱାଧୀନ ସାର୍ବଭୌମ ରାଷ୍ଟ୍ରର ନାଗରିକ ଭାବରେ ।

 

–ଆପଣ ?

 

–କିଏ ?

 

ଆପେ ଆପେ ତୁଣ୍ଡରୁ ବାହାରିଗଲା ପଦେ କଥା ।

 

–ମୁଁ ଫେରୁଥିଲି । ଦେଖିଲି ଆପଣଙ୍କୁ ପ୍ରାୟ ଧକ୍‌କା ଦେଉ ଦେଉ ଗାଡ଼ିଟା ଆଗେଇଗଲା ମୋଡ଼ ଭାଙ୍ଗି, ହର୍ଣ୍ଣ ଦେଇଥିଲା । ହୁଏତ ଆପଣ ଶୁଣିପାରିନାହାନ୍ତି । ବଡ଼ ରକ୍ଷା ପାଇଯାଇଛନ୍ତି ଆଜି ଗୁଡ଼ ଲକ୍‌....

 

ଚାହିଁଲା ସବ୍ୟସାଚୀ । ଚିହ୍ନା ଚିହ୍ନା ମୁହଁ । ଅଥଚ ନାମଟା ଠିକ୍‌ ମନେପଡ଼ୁନି । କେତେଥର ଦେଖିଛି ଭଦ୍ର ମହିଳାଙ୍କୁ । କିନ୍ତୁ ମନେପଡ଼ିଲା ନାହିଁ କେଉଁଠି, କିଏ ?

 

–କ୍ଷମା କରିବେ । ଠିକ୍‌ ମନେକରିପାରୁନି । ଦେଖିଲାପରି ମନେହେଉଛି । ଅଥଚ ପରିଚୟଟା...

 

ଆଉ କିଛି ଶୁଣିବା ପାଇଁ ଧୈର୍ଯ୍ୟ ନ ଥିଲା ସୁନୀତାର । ଅଭଦ୍ର ! ସମ୍ମାନ, ସଙ୍କୋଚ କିଛି ଜଣାନାହିଁ । ଛି, ଛି । ଆପେ ଆପେ କଥା କହିବାର କି ଆବଶ୍ୟକତା ଥିଲା । ସେ ଅନ୍ୟଆଡ଼କୁ ମୁହଁ ବୁଲେଇ ରିକ୍‌ସାବାଲାକୁ ଧମକ୍‌ ଦେଲାପରି କହିଲା–ଏତେ ଧୀରେ କାହିଁକି ଯାଉଛୁ ମ...ଉଛୁର ହୋଇଯାଇଛି ଯେ...

 

ନିଜର ସେଇ କର୍କଶ ସ୍ୱର ନିଜ କାନକୁ ମଧ୍ୟ ତିକ୍ତ ଜଣାଗଲା ସୁନୀତାର । ସେଇ ତିକ୍ତତା ଭିତରେ ବାରମ୍ୱାର କିଏ ଯେପରି ସ୍ମରଣ କରାଇଦେଲା ତାକୁ ସବ୍ୟସାଚୀର ପ୍ରତ୍ୟାଖ୍ୟାନ ପରାନ୍ମୁଖତା । ମର୍ମାନ୍ତିକ ପୀଡ଼ା ଅନୁଭବ କଲା ଅନ୍ତର ଭିତରେ । ସେଇ ପୀଡ଼ାର ଆଲୋଡ଼ନରେ ଲଜ୍ୟା ଓ ଶ୍ରମରେ ଝାଳେଇଗଲା ସୁନୀତା ।

 

ଆଜି ପ୍ରଥମେ ଅନୁଭବ କଲା ସୁନୀତା ପୁରୁଷ ପାଖରେ ପ୍ରତ୍ୟାଖ୍ୟାନର ଗ୍ଳାନି । ହଉ ପଛେ ସାମାନ୍ୟ, ତା’ ଆତ୍ମସମ୍ମାନ ଉପରେ କମ୍‌ ଆଞ୍ଚ ଆଣିଲା ନାହିଁ ସବ୍ୟସାଚୀର ତାକୁ ଅସ୍ୱୀକାର କରିବାର ଇଙ୍ଗିତ । ଯାହାର କଥା ପଦେ ଶୁଣିବାପାଇଁ ଡାକିବାକ୍ଷଣି ଡାହାଳ କୁକୁର ପରି ଆତ୍ମସମର୍ପଣର ଲାଙ୍ଗୁଳ ହଲାଇ ହଲାଇ ଆଗେଇଆସନ୍ତି ପାଞ୍ଚଜଣ, ଆଜି ଅଯାଚିତ ଭାବରେ ଅନୁକମ୍ପା ଢାଳି କଥା କହିବା ପାଇଁ ସେ ଆଗଭର ହେଲାବେଳେ ତା’ ଉଷ୍ଣ ମନର ସମସ୍ତ ଆବେଗକୁ ହିମ ଶୀତଳ କରିଦେଲା ସବ୍ୟସାଚୀର ଅବଜ୍ଞା ଏବଂ ଦୂରତ୍ୱର ଏକ ଅପ୍ରତ୍ୟାଶିତ ଉତ୍ତର ଦେଇ ।

 

ଅଭଦ୍ର ! ସୌଜନ୍ୟତା ନାହିଁ କଥାରେ । ଏତେଶୀଘ୍ର ତାକୁ ଭୁଲିଗଲ କିପରି ! କଟାଘା’ରେ ଲୁଣ ଛିଟା ଦେଇ ଆହୁରି ପଚାରୁଥିଲା ତା’ର ପରିଚୟ....

 

ଥାଉ, ସେ ପରିଚୟ ଦବାର ଆଉ ଆବଶ୍ୟକତା ନାହିଁ । ରିକ୍‌ସା ଆଗକୁ ଗଡ଼ିଚାଲିଲା ।

 

ସବ୍ୟସାଚୀର ଆଖିଆଗରୁ ଅନ୍ତର୍ହିତ ହୋଇଗଲା ରିକ୍‌ସାଟା । ସେଇ ଚିହ୍ନା ଚିହ୍ନା ମୁହଁଟିକୁ ମନେପକେଇବା ପାଇଁ ବାରମ୍ବାର ଚେଷ୍ଟା କରି ଯେତେ ସ୍ମୃତିପଟରେ ବିଜୁଳି ପରି ଆଲୋକ ଖେଳାଇ ଉଭାହେଲା, ସେଇ ଚିହ୍ନା ମୁହଁ ସହିତ ଗୋଟିଏ ମଧୁର ପରିଚୟ ତିନୋଟି ସ୍ୱପ୍ନ ଜଡ଼ିତ ଅକ୍ଷରକୁ ମର୍ମରିତ ମନରେ ବାରମ୍ବାର ଉଚ୍ଚାରଣ କଲା ସବ୍ୟସାଚୀ ।

 

ସୁନୀତା...ସୁନୀତା...ସୁନୀତା !

 

ଛି, ଛି । ଏ କଅଣ କଲା ସେ ? ଦରଦଭରା ଭୀରୁ କଣ୍ଠର ସହାନୁଭୂତି ଟିକକ ଇମିତି ନିଷ୍ଠୁର, ନିର୍ମମ ଭାବରେ ଏଡ଼ାଇ ଦେଇଗଲା ସେ । ସ୍ମୃତି ଶକ୍ତିର ବିଫଳତା ପାଇଁ ଏତେ ବଡ଼ ଅସୌଜନ୍ୟ ଅକ୍ଷମଣୀୟ ଅପରାଧ କରିପକାଇଲା ସେ ।

 

ଅନୁତାପର ଉତ୍ତାପଟି ସେ ଅନ୍ତରେ ଅନ୍ତରେ ଅନୁଭବ କଲା । ଅନୁଭବ କଲା ଏକ ପରିଚିତାର ଅବଗୁଣ୍ଠିତ ଅଭିମାନ ।

 

ପଛରୁ ଡାକିବା ପାଇଁ ଯାଇ ଅଟକିଗଲା । ନାଁ, ରିକସା ‌ତା’ ଆଖିର ଅନ୍ତରାଳକୁ ଚାଲିଯାଇଛି । ଡାକିଲେ ମଧ୍ୟ ଶୁଣିପାରିବ ନାହିଁ । ଡାକ ପହଞ୍ଚିବ ନାହିଁ ସୁନୀତାର କାନକୁ । ଯେଉଁ ମୁହୂର୍ତ୍ତରେ ଦୁଇଟି ହୃଦୟ ନିକଟବର୍ତ୍ତୀ ହୋଇଥାଆନ୍ତେ ମମତାରେ, ପରସ୍ପରର ଆକର୍ଷଣରେ, ସେ ମୁହୂର୍ତ୍ତଟି ଅବହେଳା ଯୋଗୁଁ ଅତିକ୍ରାନ୍ତ ହୋଇଯାଇଛି । ଏହିପରି ମଣିଷ ମଣିଷ ମଧ୍ୟରେ କେତେକ ସମ୍ପର୍କ ଗଢ଼ି ଉଠୁ ଉଠୁ ପୁଣି ଖସଡ଼ି ଯାଇ ବ୍ୟାକୁଳ ଦୃଦୟ ଗୁମୁରିଉଠେ ।

 

ଦୁଇବର୍ଷ ତଳର ଘଟଣାଟି ମନେପଡ଼ିଗଲା ସବ୍ୟସାଚୀର । ସେତେବେଳେ ଷଷ୍ଠ ବାର୍ଷିକ ଶ୍ରେଣୀର ଛ୍ରାତ୍ର ସେ । ସୁନୀତା ଚତୁର୍ଥ ବାର୍ଷିକ ଶ୍ରେଣୀର ଛାତ୍ରୀ । ଇଣ୍ଟର କଲେଜ ଡିବେଟଂ ପାଇଁ ଏକତ୍ରିତ ହୋଇଥିଲେ କଲେଜ ହଲରେ । ଆଉ ସୌଭାଗ୍ୟକୁ ସେ ହୋଇଥିଲା ପ୍ରଥମ, ଆଉ ସୁନୀତା ଦ୍ୱିତୀୟ । ଦୁହେଁ ଦୁହିଁଙ୍କୁ ଅଭିନନ୍ଦନ ଜଣାଇ ପରିଚୟ ଆରମ୍ଭ କରିଥିଲେ । ସେଇ ସୁନୀତା ସେଦିନ ତା’ ମନରେ ରଙ୍ଗ ବୋଳି ନ ଥିଲେ ବି ତା’ ସହିତ ପରିଚିତ ହୋଇ ଆନନ୍ଦ ପାଇଥିଲା ସବ୍ୟସାଚୀ । ନୂଆ ମୁହଁଟିଏ ଦେଖି ଆଗ୍ରହ ଜାତ ହୋଇଥିଲା ହୃଦୟରେ । ନୂଆ ତାରାଟିଏ ଦେଖିଲେ, ନୂଆ ଫୁଲଟିଏ ଆଖିଆଗରେ ଫୁଟିଉଠିଲେ ଯେପରି ନଇଁଯାଏ ମନ ଆପେ ଆପେ ଅନ୍ୟ କେଉଁଥିପାଇଁ ଅପେକ୍ଷା ନ ରଖି, ସେଦିନର ଅନୁଭବଟି ଥିଲା ସେଇପରି ।

 

ରଙ୍ଗ ନ ଥିଲେ ଅନୁରାଗ ନ ଥାଏ । ସେଇଥିପାଇଁ ତାକୁ ଚିହ୍ନିବି ତା’ ମୁହଁଟାକୁ, ତା’ ନାମଟାକୁ ମନରେ ଉଜ୍ଜ୍ୱଳ ଭାବରେ ସାଇତି ରଖିନଥିଲା ସେ । କେବଳ ବାହାରର ପରିଚୟ ବା ଉପରର ଆକର୍ଷଣକୁ ନେଇ ସ୍ନେହ ସୋହାଗ ଗଢ଼ିଉଠେନା ।

 

କିନ୍ତୁ ସୁନୀତା ମନେରଖିଥିଲା ତାକୁ । ହୁଏତ ତା’ ପାଇଁ ଭାବିଥିବ । ଏକ ନୂତନ ପୁଲକରେ ଶିହରିଉଠିଲା ସବ୍ୟସାଚୀ । ଅଜ୍ଞାତ ଅନ୍ତରାଳର ସୁପ୍ତ ସ୍ଥାନଟି ଜୀବନାକାଶର ନବୋଦିତ ସୂର୍ଯ୍ୟ ପ୍ରଥମ ଆଲୋକରେ ଉଦ୍ଭାସିତ ହୋଇଉଠିଲା । ଏକ ଅଭାବନୀୟ ଆନନ୍ଦର ତରଙ୍ଗୋଚ୍ଛ୍ୱାସ ବିଦ୍ୟୁତ ବେଗରେ ତା’ର ସମଗ୍ର ଅବୟବକୁ ମଧୁର ସ୍ପର୍ଶ ବୋଳି ନିର୍ଲିପ୍ତତାର ପରାନ୍ମୁଖ ଜଗତରୁ ନିବିଡ଼ତାର ନିନାଦିତ ବକ୍ଷ ଉପରକୁ ଟାଣିଆଣିଲା ।

 

ନିଜର ମୁହଁ ନ ଦେଖି ମଧ୍ୟ ସେଇ ଅନୁପମ ଆନନ୍ଦ ଓ ଶିହରଣରେ ମନରେ ଚମକିତ ଲଜ୍ୟା ଟିକକ ନେଇ କାନ, ମୁହଁ, କପୋଳ ଓ ଚିବୁକରେ ଉଷ୍ମା ବୋଳି ପ୍ରଥମ ସୂର୍ଯ୍ୟର ପ୍ରଥମ ଅବିର ଲାଲ ହୋଇଉଠିଲା ।

ଏ କଅଣ ହେଲା...କାହିଁକି ଏପରି ହେଲା ?

ଇତିହାସର ଛାତ୍ର ସବ୍ୟସାଚୀ ବାରମ୍ବାର ପ୍ରଶ୍ନକଲା ନିଜକୁ । କିନ୍ତୁ ମନ ଯେ ସେତେବେଳେ ଉଡ଼ିବାର ପ୍ରଥମ ସୁଖ, ପ୍ରଥମ ଆବେଗ ଅନୁଭବ କରୁଥିଲା । ସମ୍ମୁଖରେ ଉନ୍ମୁକ୍ତ ପୃଥିବୀର ଉଦାତ୍ତ ଆହ୍ୱାନ । ଅଗ୍ରସର ହୁଅ ।

ହଁ, ତାକୁ ଅଗ୍ରସର ହେବାକୁ ହେବ । ପଛରେ ପଡ଼ି ରହିବା ପାଇଁ ପୃଥିବୀକୁ ଆସିନାହିଁ ସେ । ଆଗକୁ ଯିବାହିଁ କର୍ତ୍ତବ୍ୟ, ସମୟର ଦାବି ।

ସେଇ ଆଗକୁ ଯାଉ ଯାଉ ଦେଖାହୋଇଗଲା ରାସ୍ତାରେ ଅମୟ ସହିତ ।

–ଆରେ ସବ୍ୟସାଚୀ ଯେ....

–ଏଇ ବୁଲି ଯାଉଥିଲି...

–ବେଶ୍, ବେଶ୍ ! ମୁକ୍ତ ବାୟୁ ସେବନ କଲେ ମନ ମୁକ୍ତ ହୁଏନା ?

–ତୁ ଡାକ୍ତରମାନଙ୍କ ପରି କଥା କହୁଛୁ ଯେ ଆଜି ।

–କାହିଁକି ?

 

–କାରଣ ଅନେକ ମୁକ୍ତବାୟୁ ଏବଂ ନିର୍ମଳ ଜଳପାନ କରି ବଞ୍ଚୁଥିବା ସ୍ଥଳେ, ଡାକ୍ତରମାନେ ଦାମୀ ନିଦାନ ଦିଅନ୍ତି ରୋଗର ଆଶୁ ଉପଶମ ପାଇଁ ।

 

–ଆଶ୍ଚର୍ଯ୍ୟ ନୁହେଁ । ସରୀସୃପମାନଙ୍କ ମଧ୍ୟରେ ମଣିଷକୁ ଧରିନିଅନ୍ତି ସେମାନେ । ସାପ ପବନ ଖାଇ ବଞ୍ଚେ । ସେମାନେ ହୁଏତ ସେୟା ଭାବନ୍ତି ଏଇ ସର୍ବହରାମାନଙ୍କୁ ।

 

–ଅଥଚ ଏଇମାନଙ୍କୁ ନେଇ ଦେଶ । ଏଇ ମୂକ ଜନତାର ଅଧିକାର ସାବ୍ୟସ୍ତ କରିବାପାଇଁ ହୋଇଛି ପୃଥିବୀର ସମସ୍ତ ବିପ୍ଳବ । କିନ୍ତୁ ସବୁଠି ବିଫଳତା...ସବୁଠି ଶୃଙ୍ଖଳ । ଏଇ ଶୃଙ୍ଖଳ ଭାଙ୍ଗି ଦେଇପାରିଲେ ସେ ସମୟ ପ୍ରାୟ ସମାଗତ ଅମୟ ।

 

–ନା, ତଥାପି ବିଳମ୍ବ ଅଛି । ତୁ ଇତିହାସର ଛାତ୍ର । ଟିକିଏ ତଳେଇ କରି ଦେଖେ ସ୍ପଷ୍ଟ ଦେଖିପାରିବୁ ।

 

ଦୁଇବନ୍ଧୁ ତାଳଦଣ୍ଡା କେନାଲ ଉପର ରାସ୍ତା ଦେଇ ଯାଉଥିଲେ । କେନାଲ ତଳେ ବସ୍ତି-। ରିକ୍ସା ବାଲା, ଦିନ ମଜୁରିଆ, କିରାଣି, ଶିକ୍ଷକ, ପିଅନ ଓ ଅଳ୍ପବିତ୍ତମାନଙ୍କର ବସ୍ତି । ଛୋଟ, ବଡ଼, ଅନୁଚ, ଭଙ୍ଗା ବା ପୁରୁଣା ଘରର ସମାବେଶ । ରାସ୍ତାଉପରେ ଦଶବର୍ଷ ହେଲା ଗୋଡ଼ି ପଡ଼ିନି-। ଠାଏ ଠାଏ ଖାତ । ଧୂଳି ଉଡ଼େ ଖରାହେଲେ । ବର୍ଷା ଦିନରେ ସାଇକେଲ ବା ଶଗଡ଼ ଗୋଟେ ଚାଲିଗଲେ ମଇଳା ପାଣି ଚହଲି ଆସେ । ଅଧିକ ଘରେ ପାଇଖାନା ନାହିଁ । କେନାଲ କୂଳ କେଉଁଠି ସଂକୀର୍ଣ୍ଣ । ଯେଉଁଠି ଅନାବନା ବୁଦା ବା କଣ୍ଟାକୁଳି ଗଛଅଛି, ସେଇଠି ଲଜ୍ୟା ନିବାରଣ କରିବା ପାଇଁ ସମସ୍ତଙ୍କ ସୌଚ ସ୍ଥାନ । ପବ୍ଲିକ ଲାଭାଟୋରୀ । ଘରଗୁଡ଼ିକର ଅଗଣାରୁ ବହି ଆସି ମଇଳା ପାଣି ଜମୁଛି ଓଳି ତଳେ ବା ଘର ସାମ୍ନା ରାସ୍ତା ଉପରେ । ନର୍ଦ୍ଦମା ନାହିଁ, ନଳା ନାହିଁ-। ଏଇ ବସ୍ତିର ଏକାଂଶରେ ବନହଂସୀ ମେସ୍ । ସେଇଠି ରହେ ସବ୍ୟସାଚୀ । ରହନ୍ତି ଦୁଇଚାରିଜଣ ସ୍ୱଳ୍ପ ଚେତନ ଭୋଗୀ ଚତୁର୍ଥ ଓ ତୃତୀୟ ଶ୍ରେଣୀ କର୍ମଚାରୀ, ପାଞ୍ଚ ସାତଜଣ ଟିଉସନ ସର୍ବସ୍ୱ ଗରିବ ଛାତ୍ର ଏବଂ ଦୁଇଚାରିଜଣ ଚାକିରି ପ୍ରାର୍ଥୀ ବେକାର ।

 

ରାସ୍ତା ଉପରେ ଦୁହେଁ ଚାଲିଥିଲେ । ନର୍ଦ୍ଦମା ଏବଂ କେନାଲ ତଳର ପଚା ଗନ୍ଧ ଭାସିଆସୁଥିଲା ବର୍ଷାଦିନର ଦମକା ପବନରେ । ବର୍ଷାପାଣି ଚପ ଚପ କରୁଛି ଠାଏ ଠାଏ ଓଦା ସଡ଼କ । ପାଦରେ ବା ଚପଲ ତଳେ କାଦୁଅ ଲାଗୁଥିଲା ମେଞ୍ଚା ମେଞ୍ଚା ।

 

ରାସ୍ତାକଡ଼ରେ ଗୋଟିଏ ବରଗଛ । ବରଗଛ ମୂଳେ ଚାଳ ଛପର ଦୁଇଟା ଛୋଟ ଛୋଟ ଦୋକାନ । ଚା, ବରା, ଗୁଲଗୁଲାଠାରୁ ଆରମ୍ଭ କରି, ତେଲ, ସାବୁନ, ପାନ, ପରିବା, ହୋଟେଲ । ଚାଳ ଛପର ମାଟି ନେସା ଘର । ଭିତରେ ଦୁଇ ଚାରିଟା ଟେବୁଲ ଏବଂ ବେଞ୍ଚ । ତାକୁ ଲାଗି ଦୁଇଟା ଛୋଟ ଦୋକାନ । ଗୋଟିଏ ସାଇକେଲ ଓ ରିକ୍ସା ମରାମତି ପାଇଁ ଏବଂ ଅନ୍ୟଟିରେ ପରିବା । ଠିକ୍ ସାହିର ଶେଷରେ ଦେଶୀ ମଦର ଦୋକାନ ।

 

ଏଇ ହେଉଛି ପ୍ରଖ୍ୟାତ ସହରର ଅଖ୍ୟାତ ସହରତଳି ଅଞ୍ଚଳ–ବସ୍ତି ।

 

ଯାଉ ଯାଉ ଲକ୍ଷ୍ୟକଲା ଅମୟ ଗୋଟିଏ ଛୋଟପିଲା ରାସ୍ତାକଡ଼ରେ ବସି ମଳତ୍ୟାଗ କରୁଛି । ଦଶ ବାରଟା ପିଲା ଲୁଚକାଳି ଖେଳୁଥିଲେ । ସମସ୍ତେ ଲଙ୍ଗଳା । ବରା ଗୁଲୁଗୁଲା ଦୋକାନୀ ଡାକ ପକାଇଥିଲା । ଚା ପିଆଲା...ମନ ବହଲା....

 

ବର୍ଷା ଟୋପେ ଟୋପେ ପଡ଼ିବାକୁ ଆରମ୍ଭ କରିଛି କେତେବେଳୁ । ନିଘାନଥିଲା ସେ ଆଡ଼କୁ । ଏଇ ଅପରିଚ୍ଛନ୍ନ ବସ୍ତିର ଅପ୍ରଶସ୍ତ ରାସ୍ତାଉପରେ ଚାଲୁ ଚାଲୁ ଶ୍ୱାସରୁଦ୍ଧ ମନେକଲା ଅମୟ, ନାକରେ ରୁମାଲ ଗୁଞ୍ଜିଲା ସେ ।

 

ସବ୍ୟସାଚୀ ବୁଝିପାରି କହିଲା–ମୁଁ ଜାଣେ ତୋତେ କଷ୍ଟହେବ । ତଥାପି ଜାଣିଶୁଣି ଏଇ ରାସ୍ତାରେ ନେଇଆସିଲି । ଅନ୍ତତଃ ଦେଖିଯା କିପରି ଅବସ୍ଥାରେ ଏବେବି ରହୁଛନ୍ତି ସାଧାରଣ ଲୋକେ ।

 

କେନାଲ କୂଳରୁ ପାଣି ମାଠିଆ କାଖରେ ଜାକି କେତେଜଣ ସ୍ତ୍ରୀଲୋକ ବସ୍ତିଆଡ଼କୁ ଯାଉଥିଲେ । ଦେହରେ ଅଳପ, ମଇଳା ଲୁଗା ।

 

ଅମୟ ଦୀର୍ଘ ନିଶ୍ୱାସଟିଏ ପକାଇ କହିଲା–ନା, କଷ୍ଟ କଅଣ ? ତୁ ପୁଣି ଏଇଠି ମାସ ମାସ ଧରି ରହୁଛୁ ।

 

–ଉପାୟ ନାହିଁ । ଅନେକ ଯୁଗ ଯୁଗ ଧରି ରହୁଛନ୍ତି ଏମାନେ । କଟକର ଚୌଧୁରୀ ବଜାର, ବକ୍ସିବଜାର, କାଣ୍ଟନମେଣ୍ଟ ରୋଡ଼ ଏବଂ ପୁରୀଘାଟ ରୋଡ଼ ଦେଖିଛୁ କିନ୍ତୁ ନନ୍ଦପାଟଣା ମଧ୍ୟ ଦେଖିଯାଆ । କଟକ ସମ୍ପର୍କରେ ତୋର ଜ୍ଞାନ ସୀମିତ ନ ହୋଇ ସମ୍ପୂର୍ଣ୍ଣ ହୋଇଯିବ ।

 

–ଏ କଟକ କିନ୍ତୁ ସେ କଟକ ନୁହେଁ ସବ୍ୟସାଚୀ !

 

–ଅଥଚ ଏ କଟକ ସେ କଟକ ଭିତରେ କାୟା ସହିତ ଛାୟା ପରି, ଜୀବ ଭିତରେ ମାୟା ପରି ଜୀଅନ୍ତା କଟକର ଦେହ ଛୁଇଁ ଜିଇବା ପାଇଁ ଜାଗି ଜାଗି ମରିଯାଉଥିବା କଟକରୁ ବି ଦେଖିଯାଆ । ଏହା ବି ସତ୍ୟ ।

 

–ବାଟ ଭାଙ୍ଗି ବସ୍ତି ଭିତରକୁ ପଶିଲେ ଦୁହେଁ । ଏକ ଅପ୍ରଶସ୍ତ, ଅପନ୍ତରା ଗଳି ।

 

–ଏ ବସ୍ତିର ଆଭେନିଉ ।

 

–ତୁ ରସିକ ହୋଇଯାଇଛୁ ସବ୍ୟସାଚୀ ।

 

–ଆରେ ସେଇ ରସ ଟିକକ ମନଭିତରେ ନ ଥିଲେ ମଧୁପାଟଣାରେ ବଞ୍ଚି ରହିବା ଅସମ୍ଭବ ହୁଅନ୍ତା ଯେ ।

 

ଆଉ ଟିକିଏ ଯିବା ପରେ ଅମୟକୁ ପରିଚୟ କରାଇଦେଇ କହିଲା ସବ୍ୟସାଚୀ ଏଇ ଆଭେନିଉର ଦେହ ଘସି ଏଇ ଆଗରେ ଯେଉଁ ଖପରଘର ଦେଖୁଛ ସେଇ ଅନେକଙ୍କର ସ୍ୱର୍ଗ । ପଣ୍ୟ ଦ୍ରବ୍ୟ ପରି ମଣିଷର ଅଏସ୍ ପାଇଁ ଦେହର ମାଂସ ବିକ୍ରି ହୁଏ ସେଠାରେ...

 

ଆତଙ୍କରେ ଚମକିପଡ଼ିଲା ଅମୟ । ଅବିଶ୍ୱାସ କଲାପରି ଚାହିଁଲା ତା’ ମୁହଁକୁ । ମୁହଁ ଖୋଲି ପଦେ ପଚାରିବାର ସାହସ ହେଲାନାହିଁ ।

 

‘‘ବନ ହଂସୀ ମେମ୍’’

 

କାନ୍ଥ ଉପରେ ଚକ୍‍ଖଡ଼ି ସାହାଯ୍ୟରେ କିଏ ବଡ଼ ବଡ଼ ଅକ୍ଷରରେ ଲେଖିଦେଇଛି ।

 

ଅମୟ ଲକ୍ଷ୍ୟକଲା ତା’ର ଉପସ୍ଥିତ ପାଖ ପଡ଼ୋଶୀ କେତେଜଣଙ୍କର ଦୃଷ୍ଟି ଆକର୍ଷଣ କରିଛି । ମେସ୍‍ର ସାମ୍ନା ଘରର ଝରକା ଫାଙ୍କରୁ ଗୋଟିଏ ମୁହଁ ଉଙ୍କିମାରୁଛି–ସେପାଖେ ଘରର ଦ୍ୱାର ଉପରେ ଛିଡ଼ାହୋଇ ଆଉ ଗୋଟିଏ ଦେହ ଇଶାରା ଦେଉଛି ।

 

–ଏଇଠି କେଉଁଠି ଆସି ରହିଛୁ ତୁ ?

 

ଅବାକ୍‍ ହୋଇ ସହାନୁଭୂତି ଟିକେ ଖେଳାଇ କହିଲା ଅମୟ ।

 

–ଏଇଠି ବେଶ୍ ଅଛି । ମାସକୁ ପଚାଶ ଟଙ୍କାରେ କଟକ ସହରରେ ଆଉ ଏହା ଅପେକ୍ଷା ଅଧିକ ନିର୍ଭରଯୋଗ୍ୟ, ନିର୍ଭର ସ୍ଥାନ ମିଳିବାର ଭରସା ନାହିଁ ।

 

ତା’ ସ୍ୱରର ଶ୍ଳେଷ ମଧ୍ୟରେ ଅନ୍ତରର ବେଦନା ଟିକକ ମତେ ସୁନ୍ଦର ଭାବରେ ପ୍ରକାଶ ପାଇପାରେ, ଏହା ଅନୁଭବ କରି ମନମରା ହୋଇଗଲା ଅମୟ । ହୃଦୟ ଭିତରେ ଏତେ ଲୋକଙ୍କର ଜମାଟ ବନ୍ଧା ଅଭାବର ଆଭାସ ଲାଗିଲା ଆସି ।

 

ବର୍ଷା ଟୁପୁ ଟୁପୁ ହୋଇ ଝରୁଥିଲା । ଆକାଶରେ ମେଘର ପସରା । ଥଣ୍ଡା ପବନ ବହିଆସୁଥିଲା କେନାଲଆଡ଼ୁ । ଠାଏ ଠାଏ ଜହ୍ନିଫୁଲ ଫୁଟି ତୋରା ଦିଶୁଥିଲା । କାହାର ଘର ଛପର ଭେଦି ଧୂଆଁର କୁଣ୍ଡଳୀ ଉଠୁଥିଲା ଉପରକୁ ।

 

ଅମୟର ମନ ଏବଂ ନୟନକୁ ଆକର୍ଷଣ କରିବାପାଇଁ ଝରକା ଫାଙ୍କରୁ କାଶିଲା ଝିଅଟି-

 

ତରୁଣୀ, ମୁହଁରେ ଶସ୍ତା ପ୍ରସାଧନ । ଓଠରେ ରଙ୍ଗ ।

 

–ଏ ବିନ....

 

ଏ ପାଖରେ ତରୁଣୀଟି ପାଟିକରି ଡାକିଲା ଆଉ ଜଣକୁ । କେହି ଶୁଣିଲେ ନାହିଁ । ବୁଝିଲା ଅମୟ, ତା’ର ମନଯୋଗ ଆକର୍ଷଣ କରିବାର ଏହା ଏକ କୌଶଳ । ଝିଅଟିର ବୟସ ବେଶୀ ନୁହେଁ । କୋଡ଼ିଏ ବାଇଶି ହେବ । ଦେହରେ ଶସ୍ତା ଅଥଚ ସୁନ୍ଦର ନାଇଲନ ଶାଢ଼ି । ହାତକଟା ବ୍ଳାଉଜ । ବକ୍ଷର ଅର୍ଦ୍ଧେକ ଅଂଶ ଭି ଆକାରର ଡିଜାଇନ ଦ୍ୱାରା ଉନ୍ମୃକ୍ତ । ସ୍ତନର ଉଚ୍ଚତା ଅଶ୍ଳୀଳ ଭାବରେ ଫୁଟିଉଠୁଛି ପଦାକୁ । ଶସ୍ତା ଅତରର ବାସ ଆଖପାଖ ଅଞ୍ଚଳକୁ ପରିପୂର୍ଣ୍ଣ କରି ତୋଳିଛି ।

 

ମୋ ସାମ୍ନାରେ ଛିଡ଼ାହୋଇ କହିଲା ସବ୍ୟସାଚୀ ଭିତରକୁ ଚାଲ ।

 

–ନା, ନା, ଡେରିହେବ । ମୋର ସନ୍ଧ୍ୟାରେ ଗୋଟାଏ ଏନଗେଜମେଣ୍ଟ ଅଛି ଯେ...

 

କିଛି ନ ଶୁଣି ହାତଧରି ପ୍ରାୟ ଯୋର କରି ଭିତରକୁ ଟାଣିନେଇ ନିଜ କୋଠରୀ ଖୋଲି ସେଇଠି ଗୋଟିଏ କାଠ ଖଟଉପରେ ବସାଇଦେଲା ଅମୟକୁ । ଅଣଓସାରିଆ କୋଠରୀ । ତିନୋଟି ଖଟରେ ତିନିଜଣଙ୍କର ସ୍ଥାନ । ସୌଭାଗ୍ୟକୁ ସେମାନେ କେହି ନଥିଲେ ।

 

–ଦେଖିଲୁ ତ ବନହଂସୀ ମେସ୍ । ପନ୍ଦରଜଣ ଅଛୁ ଏଇଠି ।

 

–ସେ ତ ଦିବ୍ୟାଲୋକ ପରି ସ୍ପଷ୍ଟ ସବ୍ୟସାଚୀ । କିନ୍ତୁ ତୋର ଏଠି ରହିବା ମୋତେ ଆଦୌ ଭଲଲାଗୁନି । ତୁ କିଛି ମନେକରିବୁ ନାହିଁ । କିନ୍ତୁ...

 

–ଓଃ ! ଏଇମାନଙ୍କ ପାଇଁ କହୁଛୁ ତ ?

 

ଆଙ୍ଗୁଳି ଦେଖାଇ ଯେଉଁଠି ଝରକା ପାଖରେ ବସିଥିଲା ଯୁବତୀ ଝିଅଟି ସେଇଆଡ଼କୁ ଦେଖାଇ କହିଲା ସବ୍ୟସାଚୀ ।

 

–ହଁ, ବଡ଼ ଅପ୍ରୀତିକର ଏ ପରିବେଶ ।

 

–ସତ । କିନ୍ତୁ କ’ଣ କରାଯାଏ କହ ତ ? ତୋତେ କହିଛି ଏଠାରେ ରହିବାର କାରଣ । ଟିଉସନ କରି ଯାହା ପାଏ ସବୁ ଦେଇଦିଏ ମେସରେ । ଦୁଇଓଳିର ଖାଇବା ଛଡ଼ା ରହିବାପାଇଁ ସ୍ଥାନ ମିଳେ ସେଇ ଟଙ୍କାରେ ।

 

ଅମୟ ଅନ୍ୟମନସ୍କ ହୋଇ କ’ଣ ଭାବୁଥିଲା ଯେପରି । ତାକୁ ଆଶ୍ୱାସ ଦେଇ କହିଲା–ସେ କିନ୍ତୁ ସେମାନେ ଆମ ପ୍ରତି କେବେ ଖରାପ ବ୍ୟବହାର କରିନାହାନ୍ତି । ସେମାନଙ୍କର ସ୍ତାବକ ବହୁତ ଅଛନ୍ତି । ଦିନେ ଦିନେ ରାତି ଅଧରେ ସେମାନଙ୍କ ମଧ୍ୟରୁ ଜଣେ ଦୁଇଜଣଙ୍କୁ ଯଦି ଦେଖୁ ଶିହରିଉଠିବୁ ଆତଙ୍କରେ । ଏଇ ସହରର ମାନ୍ୟଗଣ୍ୟ ଲୋକ । ଜନତାର ପ୍ରକୃତ ପ୍ରତିନିଧି ।

 

–କଅଣ କହୁଛୁ ତୁ ?

 

ଆଶ୍ଚର୍ଯ୍ୟ ହୋଇ ବିସ୍ମୟ ବିସ୍ଫାରିତ ନୟନରେ କହିଲା ଅମୟ ।

 

–ସତ କହୁଛି । ସେଦିନ ତାଳଚେର ଗାଡ଼ି ପ୍ରାୟ ଦୁଇଘଣ୍ଟା ଲେଟ୍ ଥିଲା । ଷ୍ଟେସନରୁ ଆସୁ ଆସୁ ରାତି ଗୋଟାଏ; ମେସ୍‍ ପାଖରେ ପହଞ୍ଚି ଦେଖେ ତ ଜଣେ ଭୂତପୂର୍ବ ଏମ୍:ଏଲ:ଏ: । ହୁଏତ ତାଙ୍କୁ ତୁ ଅନେକଥର ଦେଖିଥିବୁ ସଭା ସମିତିରେ, ନିଶା ନିବାରଣ ବା ବେଶ୍ୟାବୃତ୍ତି ନିବାରଣ ସମାବେଶରେ । ସେ ମଦପିଇ କେବଳ ମାତାଲ ନ ହୋଇ ମଦ ଘଡ଼ି ବି ବେକରେ ଝୁଲେଇପାରନ୍ତି । ସେଦିନ ରାତିଅଧରେ ବେଶ୍ୟାଟାର ହାତ ଧରି ସେ କି କାକୁତି ମିନତି !

 

–ତାପରେ

 

ଆପେ ଆପେ ମୁହଁରୁ ବାହାରିଗଲା ଅମୟର । ସେ ଯେପରି ଜଗତର ଏକ ନୂତନ ପରିଚୟ ପାଉଛି ।

 

–ତାପରେ ଆଉ କଅଣ ? ଭଦ୍ରଲୋକଙ୍କର ଜ୍ଞାନ ନ ଥିଲା । ମାଲ ବେଶୀ ଗିଳି ପକେଇଥିଲେ । ସେ ଝିଅଟି ନଯିବାରୁ ସାଙ୍ଗରେ, ସେ କି ବିକଳ କ୍ରନ୍ଦନ....କିନ୍ତୁ ଅଳ୍ପ ସମୟ । ତାପରେ ପ୍ରତିଦିନ ଯେପରି ଦେଖାଯାଏ, ଜଣେ ଦୁଇଜଣ ଭକ୍ତ ଠେଲି ଠେଲି ନେଇ ପାଖର ଗୋଟିଏ ରିକ୍ସାରେ ବସାଇ ନେଇଗଲେ ଘର ପୁଅକୁ ଘରକୁ ।

 

ଘୃଣାରେ ଥରିଉଠିଲା ଅମୟ । ଦିନବେଳେ ଆଲୋକର ଆତିଶଯ୍ୟରେ ଯେଉଁମାନେ ନିଜର ରୂପକୁ ବିକଚ ଶତଦଳ ପରି ପବିତ୍ର କରି ଦେଖାନ୍ତି ଜଗତକୁ, ରାତିରେ ସହରର ଏଇ ଅପନ୍ତରା ବସ୍ତିର ଅନ୍ଧକାରରେ ସେମାନଙ୍କର ଭିତରର ପ୍ରକୃତ ପରିଚୟ ଫୁଟିଉଠେ । ବିଦ୍ରୋହୀ ହୋଇଉଠିଲା ମନ ।

 

ଏ ଭିତରେ ସବ୍ୟସାଚୀ କେଉଁଠୁ ଯୋଗାଡ଼ କରି ଦୁଇ ଗିଲାସ ଚା’ ନେଇଆସିଥିଲା । ଚା’ ପିଇବା ପାଇଁ କପ୍‍ ବ୍ୟବହାର ହୁଏନାହିଁ ଏ ଅଞ୍ଚଳରେ । ଛୋଟ ଛୋଟ କାଚ ଗିଲାସରେ ଚା’ ।

 

–ଆରେ ତୁ ଏସବୁ କାହିଁକି କଲୁ ଯେ ?

 

ଚା’ରେ ଚୁମକୁ ଦେଉଁ ଦେଉଁ କହିଲା ଅମୟ ।

 

–କ’ଣ ଆଉ କଲି କହ । ତୋତେ କପରେ ଚା’ କପେ ଦେଇପାରିଲିନି ।

 

ନିଜର ଅସାମର୍ଥ୍ୟ ଜଣାଇ କହିଲା ସବ୍ୟସାଚୀ ।

 

–ଛି, ଛି । ସେପରି କହନା । ଏଇ ଗିଲାସ ଓ କପ୍ ଭିତରେ ପାର୍ଥକ୍ୟ ଦେଖେନା ମୁଁ । କିନ୍ତୁ କ’ଣ ଦେଖେ ଜାଣୁ, କପ୍ ଏବଂ ଗିଲାସ ବଢ଼ାଇ ଦବାର ହାତ ମଧ୍ୟରେ ତଫାତ୍ ।

 

ସବ୍ୟସାଚୀ ଖୁସିହେଲା । ଖୁସିହେଲା ଅମୟ । ଚା’ ପିଆ ଚାଲିଲା ଗପସପ ମଧ୍ୟରେ ।

 

–ତୁମେ ତାହେଲେ ଇଣ୍ଟରଭିଉଟା ଦେଇଆସିଲ ।

 

–ହଁ । କିନ୍ତୁ ଆଗରୁ କହିଛି ଆଶା ଭରସା କିଛି ନାହିଁ ।

 

–ଏତେଶୀଘ୍ର ଜାଣିଲ କିପରି ?

 

–ଉପଯୁକ୍ତ ପ୍ରାର୍ଥୀ ବହୁତ ଥିଲେ । ତା’ ଛଡ଼ା ଅଧେ ସ୍ଥାନ ପାଇଁ ଆଗରୁ ନାମ ବଛା ସରିଛି ।

 

–ନାମ ବାଛିବା ପାଇଁ ଇଣ୍ଟରଭିଉ ହେଲା ପରା ।

 

–ସେ ସବୁ ହୁଏ ସମସ୍ତଙ୍କୁ ଦେଖେଇ ଅଚଳ ମାଲକୁ ଚଳେଇ ନବା ପାଇଁ । ବଡ଼ ଲୋକଙ୍କର ପୁଅ, ପୁତୁରା, ଭଣଜା, ଜୁଆଁଈମାନେ ତ ଆଉ ସର୍ବସାଧାରଣଙ୍କ ପରି ଅନନ୍ତକାଳ ଅପେକ୍ଷା କରିପାରିବେ ନାହିଁ ।

 

–ସ୍ୱାଧୀନତ୍ତୋର ଭାରତବର୍ଷର ଏଇ ଧରାଧରି ବ୍ୟାପାରଟା କିନ୍ତୁ ସତରେ ସମାଜକୁ ଶେଷରେ ପଙ୍ଗୁ କରିଦେବ ।

 

–ଭଗବାନ କରନ୍ତୁ ତାହା ନ ହେବା ଆଗରୁ ଏହାର ଶେଷ ହେଉ ।

 

ଦୁହେଁ ଚୁପ୍ ହୋଇ ବସିଲେ କେଇ ମିନିଟ । ଚା’ ପିଇବାର ଗିଲାସଗୁଡ଼ା ରଖିଦେଲେ ଦୁହେଁ ଖଟଉପରେ ।

 

ସବ୍ୟସାଚୀ ଦୁଇଟା ଗିଲାସକୁ ପୂଜାରୀ ଟୋକା ମଦନ ହାତକୁ ବଢ଼େଇ ଦଉ ଦଉ କହିଲା–ଛାଡ଼ ସେ କଥା । ତୁ ଆଇ.ଏ.ଏସ୍.ପରୀକ୍ଷା ପାଇଁ କିମିତି ପଢ଼ାପଢ଼ି କରୁଛୁ କହ ।

 

–ଲାଗିପଡ଼ିଛି ତ । ଅକ୍ଟୋବରରେ ପରୀକ୍ଷା । ଦେଖେ କ’ଣ ହେଉଛି ।

 

–ହବ ହବ । ତୋ ପରି ମେଧାବୀ ଛାତ୍ରମାନଙ୍କର ନହେଲେ ହବ କାହାର ?

 

–ତୋ ତୁଣ୍ଡ ସୁତୁଣ୍ଡ ହେଉ ଭାଇ ।

 

ପ୍ରସନ୍ନତା ଖେଳାଇ କହିଲା ଅମୟ ।

 

–କିନ୍ତୁ ଉପର ସିଡ଼ିକୁ ଥରେ ଉଠିଗଲେ ଆମଭଳି ଅଭାଗାମାନଙ୍କ କଥା ମନେରହିବ ତ-?

 

–ତୋତେ ଏବଂ ତୋର ଏ ବନହଂସୀ ମେସ୍‍କୁ ମୁଁ ସତରେ କେବେ ଭୁଲିପାରିବି ନାହିଁ ସବ୍ୟସାଚୀ ।

 

ଦୁହିଁଙ୍କର ଆଳାପ ଆଲୋଚନାକୁ ବ୍ୟର୍ଥ କରି ସହସା ଏକ ଅଭାବନୀୟ ଅଶୋଭନୀୟ ଘଟଣା ଘଟିଗଲା ।

 

ଲଜ୍ଜା ଓ ଅପମାନରେ ମାଟିରେ ମିଶିଗଲା ସବ୍ୟସାଚୀ ।

 

ବାହାରୁ ପାଟି କରୁଥିଲା ଚାହା ଦୋକାନୀ ।

 

–ହଇହୋ ! ସେ ବାବୁ ଆସିଲେଣି ?

 

–କଉଁ ବାବୁଙ୍କୁ ଖୋଜୁଛ କି ?

 

ପଚାରିଲା ମଦିନ ।

 

–କଅଣ ବେ ନ ଜାଣିଲା ପରି କଥା କହୁଛୁ । ତୋ ଯେଉଁ ବୋପା ପାଇଁ ଗିଲାସ ଗିଲାସ ଚାହା ନେଇ ଆସୁ ସକାଳ ସନ୍ଧିଆ ସେ କିଏ ତୁ ମନେ ପକଉନୁ ।

 

–କଅଣ ବଢ଼ି ବଢ଼ି ଯାହା ତାହା କହିଯାଉଛ ମ ?

 

ମଦନା ଦବିବାର ପାତ୍ର ନୁହେଁ । ଚିହିଁକିଉଠିଲା ଯେପରି । ହାଁ ହାଁ କରିବା ପୂର୍ବରୁ ଦୋକାନୀ ବଟୁ ସାହୁ ପୁଜାରୀ ଟୋକା ମଦନର ଗାଲ ଉପରେ ବସେଇଦେଲା ଗୋଟେ ଚଟକଣା-। ତାପରେ ଭୀମ ବିକ୍ରମରେ ନାଚି କୁଦି କହି ଚାଲିଥାଏ ଚିତ୍କାର କରି କରି–ଆରେ ! ଶଳା ପୁଅର ମୁହଁ ଖୁବ୍‍ ହେଇଛି । ଶଳା ଉଧାର ଆଣିବୁ । ପଇସା ଦବୁନୁ.... ।

 

–ମୁଁ ଉଧାର ଆଣିଛି ? ମତେ ନାଲିଆଖି ଦେଖଉଛୁ...ମୁଁ ତୋ ବାପର ଖାଏ ନା ଧାରେ.....

 

ଗର୍ଜନ କଲା ମଦନ ।

 

–ଫେର ମୁହଁ କରୁଛି ଶଳା । ତୋ ବୋପାକୁ ପଚାର...ସେଇ ଯେ କି ନାମ କହୁ.....ସଭିଅସାଚୀ....ଏ ପୁଣି ସଭିଅ । ଇମିତି ଲୋକ ଯଦି ସଭିଅ ଅସଭିଅ କିଏବେ ? କହୁନୁ କାହିଁକି ? ଶଳେ ଉଧାର ଖାଇବେ, ଆଉ ପଇସା ଦବା ବେଳକୁ ଲୁଚି ଲୁଚି ବୁଲିବେ ।

 

ଆହୁରି କ’ଣ କହିଥାଆନ୍ତା ବଟୁ ସାହୁ । ପାଖ ଆଖର ଦୁଇ ପାଞ୍ଚଜଣ ପଡ଼ୋଶୀ ରାସ୍ତାଉପରେ ରୁଣ୍ଡ ହୋଇ ମଜା ଦେଖୁଥିଲେ । ଝରକା ଫାଙ୍କଦେଇ, କବାଟ କୋଣ ଦେଇ କେତୋଟି ମୁହଁ ଉଙ୍କିମାରି ଦେଖିନେଉଥିଲେ ଘଟଣା । ଜଣେ କିଏ ସାହିଲୋକ କହିଲା–ଢେର ହେଲା ଭାଇ । ଏଥର ବନ୍ଦ କର । ବାବୁ ଆସନ୍ତୁ, ପଇସା ଦେଇଦେବେନି ।

 

ଆସିଲେ କ’ଣ ହୋ ! ଆସିଛନ୍ତି ପରା । ଶଳା ଉଧାରବେଳେ ଆଣିବ ମୋଠୁ, ଆଉ ନଗଦ ଆଣିବ ଅନ୍ୟ ପାଖରୁ ।

 

ଗଜ ଗଜ ହୋଇ କହିଲା ବଟୁ ସାହୁ ।

 

ସବୁ ବୁଝିଲା ଅମୟ । ସବୁ ଅନୁଭବ କଲା । ନନ୍ଦପାଟଣାର ଆବର୍ଜନା ପରି ସବ୍ୟସାଚୀ ମହାପାତ୍ରର ଲୁଚି ରହିଥିବା ନଗ୍ନ ଦାରିଦ୍ର୍ୟ ଓ ଅକ୍ଷମତା ଏଇ ବର୍ଷାଭିଜା ସନ୍ଧ୍ୟାରେ ଅତି ନିର୍ମମ ଭାବରେ ଫୁଟିପଡ଼ିଲା ବାହାରକୁ ।

 

ସବ୍ୟସାଚୀର ସାହସ ନଥିଲା ବାହାରକୁ ଆସିବା ପାଇଁ । ପାଖରେ ପଇସା ନ ଥିଲା ଉଧାର ପରିଶୋଧ କରିବା ପାଇଁ । ଯେଉଁ ଚାରିଅଣା ପାଖରେ ଥିଲା, ସେଥିରୁ କୋଡ଼ିଏ ପଇସା ଦେଇ ଦୁଇ ଗିଲାସ ଚା ଅଣା କରାଇ ଥିଲା ଅମୟକୁ ଚର୍ଚ୍ଚା କରିବା ପାଇଁ । ଛି, ଛି, କି ଲଜ୍ଜା, କି ପରିତାପର କଥା । କେଡ଼େ ଛୋଟ ହୋଇଗଲା ସେ ନିଜ ବନ୍ଧୁପାଖରେ ।

 

ପ୍ରଥମେ କହିଥିଲି ନା, ଏପରି ସ୍ଥାନରେ ରହିବା ସାଜେନା ତୋତେ । ଲୋକଗୁଡ଼ାକ ନିହାତି ଅଶ୍ଳୀଳ, ଅଭଦ୍ର...

 

ସାନ୍ତ୍ୱନା ଦବାପାଇଁ ଏତିକି କହିଲା ଅମୟ । ସେ ଭାବି ପାରୁନଥିଲା ଛୋଟ ଭାଇ ପରି ଏଇ ବନ୍ଧୁଟିକୁ କିପରି ସାହାଯ୍ୟ କରିପାରିବ । ତା’ ପାଖରେ ଟଙ୍କା ଅଛି । ଏଇ ସାମାନ୍ୟ ଉଧାର ପରିଶୋଧ କରିବା ପାଇଁ ସମୟ ଲାଗିବ ନାହିଁ । କିନ୍ତୁ ସେ କହିବ କିପରି ସବ୍ୟସାଚୀକୁ ? ତାକୁ ଟଙ୍କା ଯାଚି ଆହୁରି ଛୋଟ କରିଦବ ? ହୁଏତ ଆଘାତ ପାଇବ ସବ୍ୟସାଚୀ, ଆହତ ହବ ତା’ର ଆକ୍ରାନ୍ତ ଆତ୍ମସମ୍ମାନ । ମନରେ ସଙ୍କଟ । ଅଥଚ ବିଳମ୍ବ କଲେ ଅଧିକ ଅଶୋଭନୀୟ କିଛି ଘଟିପାରେ ଏଇ ଆଶଙ୍କାରେ କହିଲା ଅମୟ–

 

ଗୋଟାଏ ପ୍ରସ୍ତାବ ଅଛି । ଯଦି ଅନୁମତି ଦେଉ କହିବି ।

 

କିଛିକ୍ଷଣ ନିର୍ବାକ ଭାବରେ ଚାହିଁ ରହି ଧୀରେଧୀରେ କହିଲା ସବ୍ୟସାଚୀ–କହ ।

 

–ତୁ କିଛି ମନେ ନକଲେ ମୋଠାରୁ ଟଙ୍କାଟା ନେଇ ପରିଶୋଧ କରିଦେ ଦୋକାନୀର ଉଧାର ଟଙ୍କା । ଆଉ ଆପତ୍ତି ନକରି ଆଜି ଏଇକ୍ଷଣି ବିଛଣା ବାକ୍ସ ଧରି ଚାଲ ମୋ ସାଙ୍ଗରେ । କିଛି ଅସୁବିଧା ହେବନାହିଁ ।

 

ଆଖିରେ ପାଣି ଆସିଲା ସବ୍ୟସାଚୀର । ସେ ମନର ଦୈନ୍ୟ, ନିଜର ଅସହାୟତା । ଏହା ପୂର୍ବରୁ ଏପରି ତୀବ୍ର ଭାବରେ ଅନୁଭବ କରିନଥିଲା କେବେ ।

 

–ମୋତେ କ୍ଷମା କର ଅମୟ ! ଟିକିଏ ବସ ! ମୁଁ ସବୁ ମୀମାଂସା କରିଦେଇ ଆସୁଛି ।

 

କହୁ କହୁ ଅମୟ କଅଣ କହିବ ତାହା ଶୁଣିବାପାଇଁ ଅପେକ୍ଷା ନକରି ତ୍ୱରିତ ପଦରେ ବାହାରକୁ ଚାଲିଗଲା ସବ୍ୟସାଚୀ ।

 

ଦୋକାନୀ ପାଖରେ କାକୁତି ମିନତି କରି ତାଠାରୁ ତିନିଦିନ ସମୟ ନେଇ ଯେତେବେଳେ ପୁଣି ମେସ୍‍ ଭିତରକୁ ଫେରିଆସିଲା ସେ, ଅମୟ ଅନୁଭବ କଲା ଯେପରି ସବ୍ୟସାଚୀର ବୟସ ଦଶବର୍ଷ ବଢ଼ିଯାଇଛି । ତଥାପି ମୁହଁ ଉପରେ ହସ ଟିକେ ଲାଗି ରହିଥିଲା । ସେଇ ହସ ଭିତରେ ମଣିଷ ଯେ ଏତେ କରୁଣ ଭାବରେ କାନ୍ଦିପାରେ ତାହା ଏଇ ପ୍ରଥମ ଜାଣିଲା ଅମୟ ।

 

ସନ୍ଧ୍ୟା ହୋଇଯାଇଥିଲା । ତା’ ପାଖରୁ ବିଦାୟ ନେଇ ଅମୟ ଫେରିଗଲା ବକ୍ସି ବଜାରର ନିଜ ବସାକୁ ।

 

ଆଉ ସବ୍ୟସାଚୀ ?

 

ତା’ର ଲଜ୍ଜା ନିବାରଣ କରିବାପାଇଁ ବନହଂସୀ ମେସ୍‍ର ସେଇ ଅପରିଷ୍କାର କୋଠରୀଟି ଭିତରେ ନନ୍ଦ ପାଟଣାର ସମସ୍ତ ଅନ୍ଧକାର ଠୁଳ ହେଉଥିଲା ଆସି ।

 

ମନେହେଉଥିଲା ଠିକ୍ ଏଇପରି ସମଗ୍ର ନନ୍ଦ ପାଟଣାର, କଟକ ସହରର ଓ ଓଡ଼ିଶାର ବହୁ ସଞ୍ଚିତ ଲଜ୍ଜା ରାତ୍ରିର ଅନ୍ଧକାରରେ କ୍ରମଶଃ ଧୀରେ ଧୀରେ ଏକ ନିଷ୍ଠୁର ଆତ୍ମକ୍ଷୟ ଅନୁଭୂତି ଭିତରେ ବହିର୍ଜଗତର ଆଲୋକରୁ ଆତ୍ମଗୋପନ କରୁଥିଲା ।

 

ଛଅ

 

ଶେଷରେ ଅମିତାଭ ବାବୁଙ୍କ ସହାୟତାରେ କାମଟିଏ ପାଇଗଲା ସୁନୀତା । କମ୍ପାନୀ ବା ସରକାରୀ ଦପ୍ତରରେ ନୁହେଁ, ଗୋଟିଏ ଘରୋଇ ଅନୁଷ୍ଠାନରେ । ଗଡ଼ଗଡ଼ିଆରୁ ଗଡ଼ିଆସିଲେ ଆମ୍ବତୋଟା । ଠିକ୍‍ ତା’ ଦେହ ଛୁଇଁ ଗଢ଼ିଉଠିଛି ନିଖିଳ ଉତ୍କଳ ସମାଜ କଲ୍ୟାଣ ପରିଷଦ । ପୂର୍ବ ଉପକୂଳରେ ନିରାଶ୍ରିତା ଓ ସାମାଜିକ କାରଣରୁ ପତିତା ନାରୀମାନଙ୍କୁ ଥଇଥାନ କରି ପୁଣି ସେମାନଙ୍କ ମଧ୍ୟରେ ମର୍ଯ୍ୟଦାବୋଧ ଜାଗ୍ରତକରି ସମାଜରେ ସୁସ୍ଥ ଭାବରେ ଜୀବନଯାପନ କରିବାରେ ସହାୟତା କରିବା ଏହି ପ୍ରତିଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ ।

 

ସମାଜ କଲ୍ୟାଣ ଶିକ୍ଷାୟତନ । ଅଳ୍ପରେ କହିଲେ ସ.କ.ଶି । ଏହି ଅନୁଷ୍ଠାନ ସହିତ ସଂପୃକ୍ତ ସମସ୍ତଙ୍କୁ ଯେଉଁ ସନ୍ତକ ଦିଆଯାଏ ସବୁଥିରେ ଖୋଦିତ ହୋଇଥାଏ ସ.କ.ଶି ।

 

ଏହି ଶିକ୍ଷାୟତନରେ ଶିକ୍ଷୟିତ୍ରୀ ଭାବରେ ନିଯୁକ୍ତି ପାଇଛି ସୁନୀତା । ମାସିକ ବେତନ ଦେଢ଼ଶହ ଟଙ୍କା । ଶିକ୍ଷାୟତନଟି ଆବାସିକ । ସେହିଠାରେ ତା’ ପାଇଁ ରହିବାର ସୁବ୍ୟବସ୍ଥା କରାଯାଇଛି ।

 

ଶିକ୍ଷାୟତନ ପ୍ରତିଷ୍ଠାନର ସୀମା ଭିତରେ । ପାଚେରୀ ଘେରା ପ୍ରାୟ ତିନି ଏକର ଜମିରେ ପ୍ରତିଷ୍ଠାନର କେନ୍ଦ୍ର କାର୍ଯ୍ୟାଳୟ ଶିକ୍ଷାୟତନ, ଛାତ୍ରୀ ନିବାସ, ସମାଜ ସେବିକା, କର୍ମକର୍ତ୍ତା ଓ ଶିକ୍ଷୟିତ୍ରୀମାନଙ୍କ ପାଇଁ ବାସସ୍ଥାନ ଏବଂ ବଗିଚା । ପାଣି, ଆଲୁଅ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧାମାନ ରହିଛି ।

 

ସୁସ୍ଥ ଓ ସଜୀବ ପରିବେଶ ମଧ୍ୟରେ ପତିତା ଓ ନିରାଶ୍ରିତା ନାରୀମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା ଦିଆଯାଏ । ଅଙ୍କ, ସମାଜ ବିଜ୍ଞାନ, ଭୂଗୋଳ, ଇତିହାସ ବ୍ୟତୀତ ବ୍ୟବହାରିକ ବିଦ୍ୟା ଶିକ୍ଷା ଦବାର ବ୍ୟବସ୍ଥା ଅଛି । ବ୍ୟବହାରିକ ବିଦ୍ୟାର ଅନ୍ତର୍ଭୁକ୍ତ ରନ୍ଧନ ପ୍ରଣାଳୀ, ସିଲେଇ, କଣ୍ଢେଇ ତିଆରି, ଚାରୁକଳା, ସ୍ୱାସ୍ଥ୍ୟ ଓ ଶିଶୁ ବିଜ୍ଞାନ । ଏହା ବ୍ୟତୀତ କ୍ରୀଡ଼ା ଓ ବିନୋଦନ ପାଇଁ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ରହିଛି । ସାମାଜିକ କାରଣରୁ ଯେଉଁମାନେ ନିରାଶ୍ରିତା ବା ସମାଜ ଯେଉଁମାନଙ୍କୁ ବାଧ୍ୟ କରିଛି ପତିତା ହବାପାଇଁ, ସେମାନଙ୍କୁ ସୁଧାର କରି ପ୍ରତିଷ୍ଠିତ କରିବାପାଇଁ ଗୋଟାଇ ଆଣିଛି ସମାଜ କଲ୍ୟାଣ ପରିଷଦ । ସେମାନଙ୍କୁ ଆଶ୍ରୟ ଓ ଅଭୟ ଦେଇଛି । ପୁଣି ସମାଜକୁ ଫେରିଯାଇ ଏକ ସୁଖୀ, ଆତ୍ମନିର୍ଭରଶୀଳ ଏବଂ ସମ୍ମାନଜନକ ଜୀବନଯାତ୍ରା ପାଇଁ ସେମାନଙ୍କୁ ଉପଯୁକ୍ତ କରାଯାଏ ଓ ଉତ୍ସାହ ଦିଆଯାଏ । ଗୋଟିଏ କଥାରେ କହିଲେ ପତିତା ଏବଂ ନିରାଶ୍ରିତାମାନଙ୍କର ପତିତପାବନ ଭାବରେ କାର୍ଯ୍ୟ କରୁଛି ଏଇ ସଂସ୍ଥା ।

 

ନୂଆ ପରିବେଷ୍ଟନୀ । ନୂଆ ଅନୁଭୂତି । ନୂଆ ସ୍ୱାଦ । ଭଲଲାଗେ ତାକୁ । କାମ କରିବାପାଇଁ ପ୍ରେରଣା ପାଏ, ପ୍ରବୃଦ୍ଧ ହୁଏ ଆଦର୍ଶରେ । ହତଭାଗିନୀ ଭଉଣୀମାନଙ୍କ ପାଇଁ ମନର କୋଣେ କୋଣେ ସମବେଦନାର ରସ ଦାନା ବାନ୍ଧେ ଯିମିତି ଶିରା ବହଳ ହେଲେ ଦାନା ବାନ୍ଧି ଚିନି ହୁଏ । ସମସ୍ତଙ୍କ ସହିତ ମିଶିବା ପାଇଁ, ଆଳାପ କରିବା ପାଇଁ ଇଚ୍ଛାହୁଏ ସୁନୀତାର । ସମୟ ବା ସୁବିଧା ଯେ ନାହିଁ ତା ନୁହେଁ, କିନ୍ତୁ କିପରି ଭୟ ଲାଗେ । ଭୟ ଲାଗେ ମିଶିବା ପାଇଁ ନୁହେଁ, ସେମାନଙ୍କ ପଛରେ ପଡ଼ି ରହିଥିବା ପତିତ ଜୀବନର ସନ୍ତପ୍ତ ଇତିହାସ ଶୁଣିବାର ଆଶଙ୍କା କରି । ସେମାନେ ଦିନେ ଯେ ଆଉ ସାତଜଣଙ୍କ ପରି ଅମୃତର ପୁତ୍ରୀ ଭାବରେ ଜନ୍ମଗ୍ରହଣ କରିଥିଲେ ସେଥିରେ ତ ସନ୍ଦେହ ନାହିଁ । କିନ୍ତୁ କାହାର ଭାଗ୍ୟ ଦୋଷରୁ, କାହାର କର୍ମ ବା ପରିସ୍ଥିତି ଦୃଷ୍ଟିରୁ ଅମୃତର ପୁତ୍ରମାନଙ୍କର ସାହଚର୍ଯ୍ୟରେ ଆସି ନଷ୍ଟ ନୀଡ଼ ହେଲେ । ସମାଜ ସେମାନଙ୍କୁ ଫିଙ୍ଗିଦେଲା ପୁତିଗନ୍ଧମୟ ଅଳିଆ ଗଦାରେ । କେହି ପଚାରିଲେ ନାହିଁ, ବୁଝିଲେ ନାହିଁ ସେମାନଙ୍କର କହିବାର କିଛି ଅଛି କି ନାହିଁ । ପ୍ରୟୋଜନ ଟିକକ ଥିଲା ଯାହାର ଯାହା ପାଖରେ ସେ ମେଣ୍ଟାଇ ନେଇଛି ତାହା ।

 

ସେ ଯାହାହେଉ ସେ ଚାହୁଁଥିଲା ସେମାନଙ୍କର ନିକଟବର୍ତ୍ତୀ ହବାପାଇଁ । ଜାଣିବା ପାଇଁ ଚାହୁଁଥିଲା ସେମାନଙ୍କର ଜୀବନର ଅଭିଳାଷ ଟିକକ । ସମବେଦନା ଓ ସହାୟତା ଦେଇ ସେମାନଙ୍କୁ ଅପୂର୍ଣ୍ଣତା ମଧ୍ୟରୁ ଉଠାଇ ଆଣିବା ପାଇଁ ସଂକଳ୍ପ ଆସୁଥିଲା ମନରେ ।

 

କ୍ରମଶଃ ନିଜ ଅଜାଣତରେ ଅଧିକତର ନିକଟବର୍ତ୍ତୀ ହୋଇଛି ସେମାନଙ୍କର । କାହାକୁ ଅପା, କାହାକୁ ମାଉସୀ, ଆଉ କାହାକୁ ବା ସାନଭଉଣୀ ବା ସାଙ୍ଗର ସାନିଧ୍ୟ ଦେଇ ସେମାନଙ୍କର ନିକଟବର୍ତ୍ତୀ ହୋଇଛି ସେ । ଡାକିବାର ନାମ ମଧ୍ୟ ଦେଇ ତ ପାଇବାର ସମ୍ଭାବନା । ସେଇ ପରିଚୟ ଦେଇ ସମ୍ଭାବନାମୟ ପରିପୂର୍ଣ୍ଣତା ଆଡ଼କୁ ଅଗ୍ରଗତି କରୁଥିଲା ସୁନୀତା ।

 

ନାରୀ ଚାହେଁ ଗୋଟିଏ ଛୋଟ ଆଶ୍ରୟ, ଟିକିଏ ସମବେଦନା ଏବଂ ସ୍ନେହ ମମତା ଭରା ଏକ ନିର୍ଭୟ ନିର୍ଭରଶୀଳ ମଣିଷ । ସେଇଥିରେ ସେ ହଜିଯାଏ–ହଜାଇ ଦିଏ ନିଜକୁ କାହାର ଆଜ୍ଞାରେ ନୁହେଁ, ନିଜ ଅନୁଭବର ଅଜସ୍ରତାରେ ସମସ୍ତ ବିଚାର ବୁଦ୍ଧିର ଅଜ୍ଞାତରେ ଯେ ଏଇ ଟିକିଏ ଆଶା ଓ ଆଶ୍ରୟ ଦବାପାଇଁ ଆଗେଇ ଆସେ, ତାହାରି ଚରଣ ତଳେ ସମର୍ପଣ କରିଦିଏ ନିଜକୁ । ସେତେବେଳେ ସେ ପ୍ରଶ୍ନ କରେନା, ସଂଶୟ ରଖେନା । ସେ ସମର୍ପିତାର ସ୍ୱୟମ୍ଭୁ ଶକ୍ତିରେ ସମାଦୃତା, ସେହି ସମର୍ପଣର ସୁଷମା ଦେଖେ ଚାରିପାଖେ । କିନ୍ତୁ ସେଇ ଆଶା ଓ ଆଶ୍ରୟ ଟିକକ ପ୍ରତାରଣାର କୁହେଳିକା ଭିତରେ ହଜିଗଲେ, ଖସିପଡ଼େ ସେ, ମୂଲ୍ୟ ଦେଇ ଦେଇ ଶୂନ୍ୟତାର ବେଦନାରେ ମୂର୍ତ୍ତ ହୋଇଉଠେ ତା’ ଜୀବନ ।

 

ପତିତା....

 

–ତେବେ ପବିତ୍ର କିଏ ମ ନୀତା ଅପା ? ପଚାରିଦେଇ ହସରେ ଫାଟିପଡ଼ିଲା ଇଙ୍ଗୀତା-। ନୂଆ ହୋଇ ଆସିଛି ସେ । ପ୍ରାୟ ଦୁଇମାସ ହେଲା । ବୟସ ବାଇଶ କି ତେଇଶ ଦୀର୍ଘାଙ୍ଗୀ-। ଗହମ ରଙ୍ଗ । ମୁହଁଟି ଲମ୍ବା । ଆଖି ଯୋଡ଼ିକ ଭସା ଭସା ‘ସୁନ୍ଦରୀ ଓ ସ୍ୱାସ୍ଥ୍ୟବତୀ’ ନିଟୋଳ ଯୌବନ ଲହରୀ ଭାଙ୍ଗୁଛି ଦେହର ପ୍ରତ୍ୟେକ ଅଙ୍ଗରେ । ପ୍ରଗଲଭା, ଗପିବାକୁ ଭଲପାଏ-

 

ଆଶା ଏବଂ ଆଶ୍ରୟ ପାଇବା ପାଇଁ ଯାଇ ହଜିଯାଇଥିଲା ଇଙ୍ଗୀତା ।

 

ସୁଧାର ସମାଜର ସମ୍ପାଦିକା ଅଳକା ଅପା ସେଇଥିପାଇଁ ଗୋଟେଇ ଆଣିଥିଲେ ତାକୁ ଖଣ୍ଡଗିରିର ଖଣ୍ଡିତ ଆଶ୍ରୟ ଏବଂ ଲୁଣ୍ଠିତ ବିଶ୍ୱାସ ଭିତରୁ ।

 

ତା’ ପ୍ରଶ୍ନର ଉତ୍ତର କିନ୍ତୁ ଦେଇପାରିନଥିଲା ସୁନୀତା । ତାକୁ ସହଜ ସରଳ କରିବାପାଇଁ ତା’ ଗଭାରେ ଗୋଟିଏ ଗୋଲାପ କଢ଼ି ଗୁଞ୍ଜି ଦଉଁ ଦଉଁ କହିଲା ଇଙ୍ଗୀତା–

 

–ମୁଁ ଗୋଟେ କଥା କହିବି । ରାଗିବନି ତ ଅପା ।

 

–ନା, ନା । ରାଗିବି କାହିଁକି ? କହିଲା ସୁନୀତା ।

 

–ତୁମେ ଏଡ଼େ ସୁନ୍ଦରୀ ଏବଂ ଶିକ୍ଷିତା । ଏଠାକୁ କେଉଁ ଦୁଃଖରେ ଆସିଲ ଯେ ?

 

କିଛି ସମୟ ଉତ୍ତର ଦେଇପାରିଲା ନାହିଁ ସୁନୀତା । ଦିନେହେଲେ ସେ କଅଣ ଭାବିଥିଲା ଏଇ ଅନାଥାଶ୍ରମର କେହି ଆଶ୍ରୟ ପ୍ରାର୍ଥୀନୀ ତାକୁ ଏଇ ପ୍ରଶ୍ନ ପଚାରିବ ବୋଲି । ଆସି ସାରିଛି । ନିଜେ ବି ହୁଏତ ଜାଣେନା କାହିଁକି ଆସିଛି ଏଠାକୁ । ହୁଏତ ବେକାର ଜୀବନର ବିଲୋପ ଲାଗି....ନା ନିଜକୁ ଖୋଲି ଦେଖିବା ଲାଗି ।

 

ଇଙ୍ଗୀତା ଚାହିଁଥିଲା ଉତ୍ତର ଶୁଣିବା ପାଇଁ । ଆଖିରେ ଆଗ୍ରହ ।

 

–କିନ୍ତୁ କିଛି ଗୋଟାଏ ତ କରିବାପାଇଁ ହବ । ବସି ବସି ଖାଇବା ପାଇଁ ଦବ କିଏ ଭଉଣୀ ?

 

–ସଂସାର କରୁନ ।

 

ଅଜାଣତରେ କହିଦେଇ ଜିଭ କାମୁଡ଼ି ପକେଇଲା ଇଂଗୀତା ।

 

ଟିକିଏ ହସିଦେଲା ନୀତା । ବଞ୍ଚି ରହିବାପାଇଁ ହେଲେ ସଂସାର କରିବାପାଇଁ ହୁଏ, ବିଭା ହୋଇ ନିଜର ଦାୟ ଦାୟିତ୍ୱ ଜଣକ ଉପରେ ନିଶ୍ଚିନ୍ତରେ ଛାଡ଼ି ଦିଆଯାଇପାରେ–ଏୟା ତ ଦିନେହେଲେ ଭାବିନଥିଲା ମନରେ ।

 

–କାହିଁକି ? ସଂସାର ନ କଲେ କଅଣ ରହିହୁଏନା ଲୋ ଇଙ୍ଗୀତା ।

 

କହିଦେଇ ଚାହିଁଲା ତା’ ମୁହଁକୁ ।

 

–ସଂସାର କର ବା ନ କର ବେଶ୍ ରହିପାରିବ ନୀତା ଅପା । କିନ୍ତୁ ମା’ ଯେପରି ଶିଶୁକୁ ନିଜର ପେଟତଳେ ପୃଥିବୀର ସମସ୍ତ ଝଡ଼, ଶୀତ ଏବଂ ଉତ୍ତାପ ପାଖରୁ ରକ୍ଷା କରେ ନିଜର ସୃଷ୍ଟିକୁ, ନାରୀକୁ ସେଇପରି ରକ୍ଷାକରେ ସଂସାର ।

 

–ଏତେ କଥା ଶିଖିଛୁ । କିନ୍ତୁ କିଏ କହେ ଇଙ୍ଗୀତା ହୁଣ୍ଡି ?

 

–ସେୟା ଠିକ୍ ଅପା । ହୁଣ୍ଡି ହୋଇନଥିଲେ କି ସୁଧାର ସମାଜର ଆଶ୍ରୟ ପାଇ ପରମ ନିଶ୍ଚିନ୍ତରେ ରହିପାରିଥାଆନ୍ତି ।

 

ତା’ ମନର କ୍ଷତ ସ୍ଥାନରେ ଲାଗିଲା ବୋଧେ । ନୀତା ତା’ର ଗୋଟିଏ ହାତକୁ ନିଜ ହାତ ମୁଠାରେ ଏପାଖ ସେପାଖ କରୁ କରୁ କହିଲା–କିଛି ମନେକରନା ଭଉଣୀ । ଏଇମିତି କହିଦେଲି ।

 

–ନା, ନା, ନା । ମନେକରିବି କଅଣ ? କିନ୍ତୁ ଜାଣ ନୀତା ଅପା–ଏଇ ସଂସାର ଦିଏ ଶାନ୍ତି, ସାନ୍ତ୍ୱନା ଏବଂ ସମ୍ପଦ । ଆଉ...

 

କହୁଁ କହୁଁ ଅଟକିଗଲା ଇଙ୍ଗୀତା । ଯେପରି ଅନ୍ୟମନସ୍କ ହୋଇଗଲା । ଆଖିର ଦୃଷ୍ଟି ଅବସାଦର ଅନ୍ଧକାର ମଧ୍ୟରେ ଲୁଚିଗଲା ଦିଗହରା ହୋଇ ।

 

–କହୁଁ କହୁଁ ଅଟକିଗଲୁ ଯେ ?

 

–ସଂସାରରେ ଇମିତି ଥରେ ଥରେ ଅଟକିଯାଏ ମଣିଷ, ଅଟକିଯାଏ । ଦୁନିଆର ଗଡ଼ିଯାଉଥିବା ରଥ ଚକ ।

 

କଥା କହିବାର ଭଙ୍ଗୀ ଜାଣେ ଇଙ୍ଗୀତା । କି ସୁନ୍ଦର, ଭାବରେ କୁହେ ! ଯେପରି ନିଜ ଅନ୍ତରରେ ସମସ୍ତ ଅନୁଭୂତି ଦେଇ କହୁଛି । ଭାବି ଭାବି ବିହ୍ୱଳ ହୋଇପଡ଼େ ସୁନୀତା । ଅଜାଣତରେ ଭଲପାଏ ତାକୁ । ତା’ର ନିଟୋଳ ଚିବୁକ ଉପରେ ଟିପିଦେଇ କହିଲା–ଏତେ କଥା କିଏ ଶିଖେଇଲା ଇଙ୍ଗୀତା ?

 

–ଯେ ଶିଖାଏ ସେଇତ ଚଖାଏ । ଦୁନିଆ ମାନୁ ବା ନ ମାନୁ, ତୁମେ ବିଶ୍ୱାସକର ବା ନକର ଏଇ ଆମ ପାଖ ପଡ଼ୋଶୀର ଯେଉଁମାନେ ଆନ୍ତରିକତାର ଆଳ ଦେଖାଇ ଅଳିକରନ୍ତି ଆମ ଚାରିପାଖେ, ସେମାନେ ସମସ୍ତେ; ଫୁଲ ଉପରେ ଅଳି ବସି କେଇଟି ମୁହୂର୍ତ୍ତରେ ଯେପରି ଗୁଣୁ ଗୁଣୁ ହୋଇ ‘‘ମୁଁ ତୁମର ମୁଁ ତୁମର....’’ ସ୍ମୃତି ଗାନ କରି କରି ମଧୁ ଟିକକ ଶୋଷିନିଏ, ସେଇପରି ଆମ ଭିତରୁ ସୁରଭିସାର ଟିକକ ଶୋଷିନେଇ ପଳେଇଯାଆନ୍ତି ଦୂରକୁ । ଭୁଲରେ ଥରେ ସୁଦ୍ଧା ଆମେ ଅଛେ କି ନାହେଁ ଦେଖିବା ପାଇଁ ମଧ୍ୟ ସମୟ ହୁଏନା ସେମାନଙ୍କର । ସେତେବେଳେ ସେମାନେ ଭଦ୍ର ସନ୍ତାନ–ଆଉ ଯେ ଭାସିଯାଏ ସେ ଅଶ୍ଳୀଳ, ଅବନତ । ସେ ଭାସିଯାଏ, ବୁଡ଼ିଯାଏ ଅନୁଦାର ଏବଂ ଅକରୁଣ ଜୀବନର ଜୁଆରରେ ।

 

ଏତେ କଥା କହିପକେଇ ଉଦାସ ଭାବରେ ଟିକେ ଅନେଇ ରହିଲା ଇଙ୍ଗୀତା ।

 

ସେଇ ଜୁଆରରେ ଭାସିଯାଇଥିଲା ଇଙ୍ଗୀତା । କହିଲା ପରେ ପରେ ଗୋଟି ଗୋଟି କରି ନିଜର ଇତିବୃତ୍ତି । ଗତ ଜୀବନର କମ୍ପିତ ଜୀବନ ଗାଥା । ଅନନ୍ତ ବିଶ୍ୱାସ ନେଇ ଯେଉଁ ପୁରୁଷକୁ ଭଲପାଇଥିଲା, ଅଶେଷ ଆନ୍ତରିକତା ଦେଇ ଯାହାର ସାନିଧ୍ୟକୁ ମୂର୍ତ୍ତ କରିଥିଲା, ଅନ୍ତହୀନ ମମତା ଦେଇ ଯାହାର ଜୀବନକୁ ଅକ୍ଷୟ ଓ ଅମୃତମୟ କରିବାପାଇଁ ତପସ୍ୟା କରିଥିଲା–ସେଇ ଅମୃତର ପୁତ୍ର ତା’ର ସମସ୍ତ ସମ୍ପଦ ଲୁଣ୍ଠନ କରି ତାକୁ ଚିରଦିନ ପାଇଁ ନିରାଶ୍ରିତା, ପତିତାର ହାହାକାର ମଧ୍ୟରେ ଛାଡ଼ିଦେଇ ଅପସରି ଯାଇଥିଲା । ସେକଥା ଭୁଲିପାରିନି, ଭୁଲିବାର ନୁହେଁ ।

 

–କିନ୍ତୁ ସେତିକି ତ ନୁହେଁ ଅପା...

 

ସୁନୀତାର ଭିତରଟା ବେଦନାରେ ଟଣ ଟଣ କରିଉଠିଲା ।

 

–କହି ଯା....

 

କିନ୍ତୁ କହିବା ପାଇଁ ଯାଇ ଆଖିର ଲୁହ ଦୁଇ ଟୋପା ଲୁଚାଇ ପାରିଲା ନାହିଁ ଇଙ୍ଗୀତା । ସୁନୀତା ଆଖିର ଲୁହ ପୋଛିଦେଇ ତା ମଥା ଉପରେ ହାତ ରଖି କହିଲା–ଜୀବନ ବଡ଼ ଜଟିଳ ଭଉଣୀ ! ଏ ଜଟିଳତା ମଧ୍ୟରେ ଆମେ ଧନ୍ଦି ହେଉ, ପଥ ଭୂଲୁ...

 

–ମୁଁ ସେଇ ଭୁଲ୍‍ କଲି । ତାଙ୍କରି ଆଶା ଏବଂ ଆଶ୍ୱାସନା ଉପରେ ନିର୍ଭର କରି ଆଗେଇଯାଇଥିଲି । ସେ ସୁଯୋଗ ନେଇ ଆଗେଇଆସିଲେ...ହେଲେ....

 

କୋହରେ ଫାଟିପଡ଼ିଲା ଇଙ୍ଗୀତା । ବକ୍ଷ ଥରା ଦୀର୍ଘ କ୍ରନ୍ଦର ଉଚ୍ଛ୍ୱାସ ସମସ୍ତ ବାଧା ବନ୍ଧନ ଭାଙ୍ଗି ବାହାରକୁ ବହି ଆସିଲା ଶ୍ରାବଣର ବନ୍ୟାପରି । ସେଇ ବନ୍ୟାର ପ୍ରବଳ ତରଙ୍ଗରେ କୁଟାକାଠି ପରି ଭାଙ୍ଗିଗଲା ତାର ସମସ୍ତ ଧୈର୍ଯ୍ୟ, ସମସ୍ତ ଆତ୍ମଚେତନା ଝରିପଡ଼ିଲା ସହସ୍ରଧାରରେ ବେଦନା ।

 

ତାକୁ କୋଳ ଉପରକୁ ଟାଣିନେଇ ତା’ ପିଠି ଆଉଁସି କହିଲା ସୁନୀତା–ଥାଉ, ଆଉ କାନ୍ଦନା ଇଂଗୀତା ଏପରି ଅବୋଧ ହୁଅନା.... ।

 

କିଛି ସମୟ କଟିଗଲା ସେଇପରି । ଅବୁଝା ଇଙ୍ଗୀତାର ଅଶ୍ରୂଝର ଝରିଲା ଅନ୍ତରର କୋହ ଝରାଇ ।

 

ମଣିଷ କାନ୍ଦେ । ସେଇ କାନ୍ଦିବା ଭିତରେ ହିଁ ସେ ବଞ୍ଚେ । ପୃଥିବୀ ପୃଷ୍ଠରେ ଜନ୍ମହେବା କ୍ଷଣି କାନ୍ଦିଉଠେ ମାନବ ଶିଶୁ । ସେଇଥିପାଇଁ ଏଇ କାନ୍ଦିବାର ଭାଷାରେ ଫୁଟିଉଠେ ପ୍ରଥମ ଗାନର ଝଙ୍କାର । ହୃଦୟର ଆକୁଳତା ସୁର ଦିଏ ।

 

ସୁନୀତା ବାଧା ଦେଲାନି । କାନ୍ଦି କାନ୍ଦି ଧୋଇ ହୋଇଯାଉ ଅନ୍ତରର ଅକୁହା ବେଦନା, ମୃତ ମନର ଅବଶେଷ ।

 

କିଛି ସମୟ ପରେ ସୁସ୍ଥ ହେଲା ଇଙ୍ଗୀତା । ମନର ଅନେକ ମଇଳା ଧୋଇଦେଲା ଅଶୁ ବନ୍ୟାରେ । ଯେତେବେଳେ କାନ୍ଦେ ଏଇପରି ଅବୋଧ, ଅବୁଝା ଶିଶୁପରି କାନ୍ଦେ ସେ ।

 

–ଏଥର ଶାନ୍ତ ହୋଇ ଚାଲ ମୋ ସାଙ୍ଗରେ । ମହାନଦୀ କୂଳରେ ଘେରାଏ ବୁଲିଆସିବା-

 

ଅନ୍ୟ ପ୍ରସଙ୍ଗ ଉତ୍ଥାପନ କଲା ସୁନୀତା ।

 

–ନା ଅପା, ମୋର ଅଳି–ଆଜି ତମେ ଶୁଣିବ, ଆଉ ମୁଁ କହିବି ପଛରେ ଛାଡ଼ି ଆସିଥିବା ଜୀବନର କାହାଣୀ । କାହାକୁ କହିନି । ଶୁଣିବାପାଇଁ ଧୈର୍ଯ୍ୟ ନାହିଁ କାହାର । କାହାରି ପାଖରେ ଅନ୍ତରଖୋଲିଦେଇନି ସମବେଦନା ଏ ସ୍ନେହର ସ୍ପର୍ଶ ପାଇନାହିଁ ବୋଲି ।

 

–ମୋଠି ସବୁ ପାଇଲୁ କିମିତି ମ ?

 

ଟିକିଏ ହସିଦେଇ କହିଲା ସୁନୀତା ।

 

–ତମଠି ଦେଖିଛି ବୋଲିତ କହୁଛି ।

 

–ଏତେ ପ୍ରଶଂସା ଲୋଡ଼ା ନାହିଁ ଲୋ ଇଙ୍ଗୀତା । ଭୟହୁଏ ପୁଣି ତତେ ହରାଇ ବସିବି...ଆଚ୍ଛା କହ କି କହୁଛୁ.... ।

 

–ମୋତେ ସେତବେଳକୁ ଅଠର କି ଉଣିଷ । ଗାଁ ସ୍କୁଲରେ ଦଶମ ଶ୍ରେଣୀଯାଏ ପଢ଼ିଥିଲି । ବାପା ସରକାରୀ ଅମିନ ଥିଲେ । ଚାକିରି କରୁଥିଲେ ଏଇ କଟକରେ ।

 

–ତୁ କଟକରେ ରହୁଥିଲୁ...

 

–ନା । ଅଳ୍ପ ବେତନ । ବାପା, ମା’, ମୁଁ ଆଉ ଦୁଇଟି ଭାଇ । ଯାହା ବେତନ ପାଉଥିଲେ ବାପା ସେତିକିରେ ଚଳିବା ସମ୍ଭବ ନଥିଲା ସହରରେ । ଆମେ ଥିଲୁ ଗାଆଁରେ ଆଉ ବାପା ଥିଲେ ସହରରେ ।

ଟିକିଏ ଚୁପ୍‍ ହୋଇ ଭାବିବାପାଇଁ ଚେଷ୍ଟାକଲା ଇଙ୍ଗୀତା । ପଛରେ ପଡ଼ି ରହିଛି ଦୀର୍ଘ ବାଇଶ ବର୍ଷର ଇତିହାସ ବାଇଶଟି ମାଇଲ ଖୁଣ୍ଟ ପରି । ଏତେ ସହଜରେ କହିପାରିବ କିପରି ।

ନୂଆ, ନୂଆ ଓଡ଼ିଆ ଛବି ବାହାରୁଥାଏ ସେତେବେଳେ, ଅଭିନେତ୍ରୀ ପାଇଁ ଖବରକାଗଜରେ ବିଜ୍ଞାପନ ପଢ଼ି ମନଟା କାହିଁକି ଉଚ୍ଚାଟହେଲା ଅଭିନୟ କରିବାପାଇଁ । ସିନେମାରେ ଯୋଗଦେବା ପାଇଁ । ରୂପ ସହାୟକ ହେଲା । ସହାୟତା କଲେ ଅନେକ ।

–ତା’ପରେ ?

–ଆମ ଘରକୁ ଲାଗି ହରି କକେଇଙ୍କ ଘର । ହରି କକେଇ କଟକର ଜଣେ ଅତି ବଡ଼ଲୋକଙ୍କ ଘରେ କାମ କରୁଥିଲେ । ଘର ଦେଖାଶୁଣା, ବ୍ୟାଙ୍କ, ଅଫିସ୍, ପୋଷ୍ଟଅଫିସ୍ ପ୍ରଭୃତି ଯିବା ଓ ସବୁ କାମ ତୁଲାଇବା ଥିଲା ତାଙ୍କ କାମ । ସେ ସେଥିର ଦୁଇଦିନ ଛୁଟିରେ ଆସିଥାଆନ୍ତି ଘରକୁ । ବୋଉ ସହିତ ଦେଖା ହୋଇଗଲା ।

ବୋଉ କହିଲା–କେବେ ଆସିଛ ହରି ।

ହସି ହସି ଉତ୍ତର ଦେଲେ ସେ–କେବେ ଆସିଛି ନପଚାରି କେବେ ଯାଉଛି ପଚାର ଭାଉଜ ।

–ଏ କିମିତି କଥାଗୁଡ଼ାକ କହୁଛ ମ !

–ଏଇପରି ହୁଏ ଭାଉଜ । ହସିହସି କିଏ ପ୍ରବେସ କରେ ?

–ଏଡ଼େ ବଡ଼ ଲୋକ ଘରେ ଅଛ । କେଉଁଥିକୁ ଅଭାବ ତୁମର ଯେ ?

–ସେ ବଡ଼ଲୋକ । ମୁଁ କିନ୍ତୁ ବଡ଼ ହୋଇପାରିଲିନି ଭାଉଜ । ପରଘର ଚାକିରି ଗଛର ଛାଇପରି । ଏଇନେ ଅଛି । ଆଉ ଟିକକୁ ନାହିଁ ।

–ସତ କହିଛ । ଏଇ ଦେଖୁନା ବୁଢ଼ୀ ବାପ ଆସିପାରୁଛନ୍ତି ସହଜରେ ? ଦୋଳକୁ ଦିନେ ଆସିଥିଲେ ଯେ ରାତି ନପାହୁଣୁ ଦଉଡ଼ିଲେ ବସ୍ ଧରିବା ପାଇଁ । ମନଟା ମରିଯାଏ । ମୁଁ ବିରକ୍ତ ହୁଏ । ଯଦି ଛୁଟି ନ ଥିଲା, ଆସିଲ କାହିଁକି ? ସେଇଠି ରୁହ । କଟକ ସହରରେ ଅଭାବ ନାହିଁ ତ କେଉଁଥିରେ ? ସେ କି ଜବାବ ଦେଲେ ଜାଣ ଏପରି କହନା ବୁଢ଼ୀ ବୋଉ । ଚାକିରି ତାଳ ଗଛ ଛାଇ, ଏଇନେ ଅଛି, ଏଇନେ ନାହିଁ ।

–ସତ କହିଥିଲେ । ଏବେ ମୋ ଦଶା ତ ଦେଖୁଛ ଆଖିରେ । ସେଇଥିପାଇଁ ସକାଳୁ ପରା କଜିଆ...

–କାହିଁକି ମ । ଇନ୍ଦୁ କଅଣ କଜିଆ କରେ ?

 

–ନା, ନା । ଭାରି ଭଲ ମାଇପିଟିଏ । କଜିଆ କାହିଁକି କରିବ । ପଞ୍ଚମୁଖ ହୋଇ ମୋ ପ୍ରଶଂସା କରି କରି ଝୁଲାରେ ଝୁଲଉଛି ।

 

କଥା କହିବାର ବାଗ ଆସେ ହରି କକେଇଙ୍କୁ । ତାଙ୍କ କଥା କହିବାର ଭଙ୍ଗୀ ସହିତ ହାତ ଭଙ୍ଗୀ ଦେଖି ହସିଉଠିଲା ବୋଉ । ହସିପକେଇଲେ ସେ ।

 

ବୋଉ ପଚାରିଲା–ଆଉ କି ନୂଆ ଖବର କୁହ ହରି ।

 

ସେ କହିଲେ–ନୂଆ ଖବର ଅଛି ଭାଉଜ । ଆଗ ପାନଖଣ୍ଡେ ଦିଅ । ତାପରେ କହିବି ।

 

ବୋଉ ପାନ ଦେଲା, ପିଣ୍ଡାରେ ପଡ଼ିଥିବା ଖଟଉପରେ ବସିପଡ଼ି ଆରମ୍ଭ କଲେ କକେଇ–

 

ନୂଆ ସିନେମା । ଓଡ଼ିଆ ଛବି ‘ଯୁଗାନ୍ତର’ । ଲୋକେ ହାଉଯାଉ ହେଉଛନ୍ତି ଦେଖିବାପାଇଁ ଏଇ ଗତ ମଙ୍ଗଳବାର ଖୋଲିଛି ।

 

–କେଉଁଠି ?

 

–କଟକର ‘କାନ୍ତି’ ସିନେମାରେ ।

 

–ଆମ କେନ୍ଦ୍ରାପଡ଼ାକୁ ଆସନ୍ତା କି ଦେଖନ୍ତୁ । ଆଗ୍ରହରେ କହିଲା ବୋଉ ।

 

ସେ କହିଲେ–କଟକ ଆଉ କେନ୍ଦ୍ରାପଡ଼ା । ଏଠାକୁ ଆସୁ ଆସୁ ପୁରୁଣା ହୋଇଯିବ ଭାଉଜ । ନୂଆର ସୁଆଦ ଆଉକି ଥିବ ସେତେବେଳେ ।

 

–କିନ୍ତୁ କଟକ ତ ଏଇଥିପାଇଁ ଯାଇହଉନି ହରି ।

 

–କାହିଁକି ହଉନି ଶୁଣେ ।

 

–କଉଡ଼ି ନାହିଁ ସଂସାର ଚଳେଇବାପାଇଁ । ଆଉ ଛୁଆପିଲା ନେଇ ମୁଁ ଯିବି କଟକ ସହର ସିନେମା ଦେଖିବାପାଇଁ ।

 

–ତମେ ନଗଲ ନାହିଁ । ପିଲାମାନଙ୍କୁ ପଠେଇଦିଅ । ନରି ଭାଇନା ଅଛନ୍ତି । କଉଁ କଥାକୁ ଅଭାବ ହବନି ।

 

–ଚାଖଣ୍ଡେ ଘର । ବର୍ଷାପାଣି ଦିନ । ପିଲାଏ ଉଠିବେ କେଉଁଠି ?

 

–ହରି ମରିଗଲେ ଏକଥା କହିବ ଭାଉଜ । ନରି ଭାଇର ସିନା ଘର ନାହିଁ, କିନ୍ତୁ ହରି ତ ବଞ୍ଚିଛି, ମରି ଯାଇନାହିଁ । ମୁଁ ନ ଥିଲେ ଧରମଶାଳାରେ ଉଠିବ...

 

–ଛି, ଛି ! ଏ ଅଶୁଭ କଥା ଗୁଡ଼ାକ କହନା ଆଉ ।

 

–ସେ କଥା ଛାଡ଼ । ଚାଲ ସମସ୍ତେ । ମୋ ଘରେ ତମେ, ପିଲେ, ଭାଇନା ସଭିଏଁ କୁଣିଆ ହବ । ଘରର ଅଭାବ ନାହିଁ । ଜମିଦାରୀ ଖାନଦାନୀ । କେତେ ଘର ଖାଲିପଡ଼ିଛି । ଜମିଦାରୀ ସିନା ନାହିଁ । କିନ୍ତୁ ଘରଗୁଡ଼ାକ ତ ଅଛି । ବଖରାଏ ଘର ହେଲେ ଆନନ୍ଦରେ ଚଳିଯିବ ଚାରିଦିନ ।

 

ଆନନ୍ଦରେ କୁରୁଳି ଉଠିଥିଲୁ ଆମେ ସଭିଏଁ । କଟକ ଯିବୁ, ନୂଆ ଓଡ଼ିଆ ଛବି ଦେଖିବୁ । କିଏ ଖୁସି ନ ହେବ ଯେ... ।

 

ତହିଁ ଆରଦିନ ବଢ଼ି ଭୋର ବସରେ ବସି ବୋଉ, ହରି କକେଇ, ମୁଁ, ଭାଇ, ଭଉଣୀ ସମସ୍ତେ ଚାଲିଆସିଲୁ କଟକ । ହରି କକେଇ ଆମ ସମସ୍ତଙ୍କୁ ବାପାଙ୍କ ପାଖକୁ ନ ନେଇ ସିଧା ଜମିଦାରଙ୍କ ବିରାଟ ପ୍ରସାଦର ପଛପଟେ ଗୋଟିଏ ଘରେ ନେଇ ପହଞ୍ଚିଲେ । ଅଳ୍ପ ସମୟ ମଧ୍ୟରେ ବାପାଙ୍କୁ ଯାଇ ଡାକିଆଣିଲେ କକେଇ । ବାପା ତ ଆଗରୁ ଜାଣିନଥିଲେ । ଆମକୁ ଏକାସାଙ୍ଗରେ ତାଙ୍କ ସାମ୍ନାରେ ଦେଖି ଆଶ୍ଚର୍ଯ୍ୟ ଓ ଆନନ୍ଦରେ କହିପକେଇଲେ–ଆରେ ତମେ ସବୁ ଖବରଟାଏ ଦେଲନି ।

 

ହରି କକେଇ ଆଗରୁ ତ ବାପାଙ୍କୁ କହିନଥିଲେ କିଛି । କହି ପକେଇଲେ–ଖବର ଦବାର ସମୟ କଉଠି ଥିଲା ଯେ । ମୁଁ ଯାଇଥିଲି ଗାଆଁକୁ । ସାଙ୍ଗରେ ନେଇଆସିଲି । କିମିତି ଆଶ୍ଚର୍ଯ୍ୟ କରିଦେଲି ତୁମକୁ ଭାଇନା ଦେଖିଲ ! ତେବେ ଅପରାଧ ମାର୍ଜନା କରିବ ।

 

ମନଛୁଆଁ ହରି କକେଇର ହସ । ବାପା ହସି ହସି କହିଲେ–ତୁ ତ ପର ନୋହୁଁ ହରି । ନେଇଆସିଲୁ ଭଲ କଲୁ । ଦୁଇଦିନ ବୁଲିଯିବେ । ତେବେ ମୋ ବସା ତ ଦେଖିଛୁ ଭାଇ । ଏତେଗୁଡ଼ିଏ ଲୋକକୁ.... ।

 

କଥା କୁହାଇନଦେଇ କହିଲେ କକେଇ–ତମକୁ କିଏ କହୁଛି ଏତେ ଶୋଚନା କରିବାପାଇଁ । ଯିଏ ସାଙ୍ଗରେ ଆଣିଛି ସିଏ ବୁଝିବେ ନି ତା’ ଦାୟିତ୍ୱ । ଆଉ ଗୋଟେ କଥା, ଏଇ କେଇଦିନ ତମେ ବି ରହିବ ଏଇଠି । ତମେ ହବ ଆମର କୁଣିଆ ।

 

–ବେଶ୍ ଭଲ ବ୍ୟବସ୍ଥା । ସ୍ୱାମୀ ସ୍ତ୍ରୀ ପିଲାପିଲି ସବୁ ତୋ ଘାତ ଉପରେ–ପୁଣି କଟକ ସହରରେ ଖାଇଯିବେରେ ହରି ।

 

ବେଶ୍ ସରଳ ଭାବରେ କହିଲେ ବାପା ।

 

ତାପରେ ? ପଚାରିଲା ନୀତା । ସେ ମନେକରୁଥିଲା ଯେପରି କାହାଣୀ ଶୁଣୁଛି ।

 

–ଶୁଣ, ନୀତା ଅପା, କହୁଛି । ତାପରେ ହରି କକେଇ ବଜାରକୁ ଧାଇଁଲେ । ଗୁଡ଼ାଏ ଜିନିଷ...ଲୁଣ, ଚିନି, ଚା, ମସଲା, ତେଲ, ଘିଅ, ଅଟା, ଡାଲି, ପରିବା, ମାଛ ନେଇ ଫେରିଲେ । ଆଉ ସଙ୍ଗରେ ଆଣିଥିଲେ ଜଳଖିଆ–ଗରମ ସିଙ୍ଗଡ଼ା, ଜିଲାପି, ରାଜଭୋଗ ।

 

–କାହିଁକି ଏତେ ଆଣିଲ ମ ହରି । କିଏ ଖାଇବ ଏସବୁ ।

 

ବୋଉ କହିଲା ତାଙ୍କୁ । ସେ ସେ ଆଡ଼କୁ ନିଘା ନ ଦେଇ କହିଲେ–ଆମେ ଦୁଇଭାଇ ଖାଇବୁ । ଆମ ପିଲାପିଲି ଖାଇବେ । ଦିଅ ବାଢ଼ିବଟି ଆଗ...

 

ତାପରେ ପାଟିକରି ଡାକିଲେ ଆମକୁ । ମୁଁ ସେତେବେଳେ ନ ଥିଲି ସେଠାରେ । ଜମିଦାରଙ୍କ ବଗିଚା ଭିତରକୁ ଚାଲି ଯାଇଥିଲି ଘେରାଏ କୁଲି ଆସିବା ପାଇଁ । ଆମକୁ ଯାଇ ଡ଼ାକିଆଣିଲେ କକେଇ ।

 

ଜଳଖିଆ ଖାଇସାରି ଶୋଇପଡ଼ିଲୁ ଆମେ । ପାହାନ୍ତାରୁ ଉଠିଥିଲୁ । ନିଦ ଲାଗୁଥିଲା । ଭାତ ହବାପାଇଁ ଡେରି ଥିଲା ।

 

ମୁଁ ଶୋଇ ପଡ଼ୁ ପଡ଼ୁ ଭାବୁଥିଲି–କେଡ଼େ ସୁନ୍ଦର କୋଠା...କେତେ କବାଟ, ଝରକା । ବାଡ଼ି ବଗିଚା । ନାନା ଜାତିର ଫୁଲ ଓ ଫଳ ଗଛ । ଠାଏ ଠାଏ ପାଣି କୁଣ୍ଡ । ଏତେ ବଡ଼ ଘରର ମାଲିକ ଯିଏ, ସିଏ ସତରେ କେତେ ବଡ଼ ହୋଇନଥିବେ, କେଡ଼େ ସୁନ୍ଦର ହୋଇନଥିବେ । ତାଙ୍କ ପ୍ରତି ମନଟା ନଇଁଗଲା । ଅନ୍ତର ଭିତରେ ତାଙ୍କ ମହାନତା ଭାବୁ ଭାବୁ ଶୋଇପଡ଼ିଲି କେତେବେଳ ଯାଏ । ଆହୁରି ଶୋଇଥାଆନ୍ତି କିନ୍ତୁ ଉଠି ବସିଲି ହରି କକେଇଙ୍କ ଡାକରେ ଧଡ଼ପଡ଼ ହୋଇ । କକେଇ ଏ ଭିତରେ ଉପରକୁ ଯାଇ ଜମିଦାର ସାହେବଙ୍କ ସାଙ୍ଗରେ ଦେଖା କରି ଫେରିଆସିଥାଆନ୍ତି । –ଉଠ୍ଉଠ୍ ।

 

ହରି କକେଇଙ୍କ ଡାକଶୁଣି ଉଠିବସିଲି ମୁଁ, ଆଖିରେ ନିଦ ଲାଗି ରହିଥାଏ ।

 

ଆମେ ସମସ୍ତେ ଚାହିଁ ରହିଲୁ ହରି କକେଇଙ୍କ ମୁହଁକୁ ସେ କେତେ କଥା କହିବା ପାଇଁ ଉଦ୍‍ଗ୍ରୀବ ହୋଇ ଉଠିଥାଆନ୍ତି । ମୁହଁ ଉପରୁ ହସ ଉକୁଚି ପଡ଼ୁଥାଏ ।

 

ବୋଉ କହିଲା–ବଡ଼ ଖୁସି ଜଣାଯାଉଛି, ଯେ ହରି । ଜମିଦାର ସାହେବଙ୍କ ସହିତ କି କଥାବାର୍ତ୍ତା ହେଲ କି ?

 

ହରି କକେଇ ଭଲକରି ସପ ଉପରେ ବସି, ମୋ ସାନ ଭଉଣୀକୁ ପାଖକୁ ଟାଣିନେଇ ତା’ର ଗୋଟିଏ ହାତ ନଚାଉ ନଚାଉ କହିଲେ–ଗୁଣ ଥିଲେ ଗୁଣୀ ଚିହ୍ନେ । ପୋଖତ ଆଖି । ବଡ଼ ଲୋକ, ବଡ଼ ମନ । ଅଳ୍ପ ସମୟରେ ଚିହ୍ନିପାରନ୍ତି...ସେଇଥିପାଇଁ ରାଜା, ଜମିଦାରଙ୍କ ଯୋଗୁଁ ଆଗକାଳରେ କେତେ କବି, କେତେ କଳାକାର ଆଲୋକକୁ ଆସୁଥିଲେ ଲୋକେ ସେମାନଙ୍କର ବିଦ୍ୟା, ବୁଦ୍ଧିର ପ୍ରଶଂସା କରୁଥିଲେ ।

 

ବାପା ଶୁଣୁ ଶୁଣୁ କହିଲେ–ଜମିଦାରଙ୍କୁ କହିଛୁଟି ଆମେ ଏଠି ରହିବା କଥା । ନୋହିଲେ ପୁଣି ବିପଦ ଆପଦ ହୋଇପାରେ ଯେ.... ।

 

–ସତେ ତ !

 

ଆଖିଉପରକୁ କରି ଶଙ୍କିତ କହିଲା ବୋଉ ।

 

ହସିଦେଇ କହିଲେ ହରି କକେଇ । ବିପଦ ଆପଦ ନାହିଁ । କେବଳ ସମ୍ପଦ ଅଛି ଭାଉଜ-। କହିଲି ପରା ଗୁଣ ଚିହ୍ନେ ଗୁଣୀ । ଜମିଦାର ସାହେବଙ୍କ ଆଖିରେ ପଡ଼ିଛି ଯେତେବେଳେ ଆଉ ଚିନ୍ତା ନାହିଁ । ଭବିଷ୍ୟତ ପୁନେଇଁ ରାତି ପରି ଉଜ୍ଜ୍ୱଳ ।

 

ଅବାକ ହୋଇ କଥାର ମର୍ମ ବୁଝିବା ପାଇଁ ବୋଉ ଅନାଇ ରହିଥିଲା ତାଙ୍କ ମୁହଁକୁ । କଟା ପରିବାରେ ହଳଦି ଦଉଁ ଦଉଁ ରହିଗଲା ଦଣ୍ଡେ ।

 

ବାପାଙ୍କ ଆଖିଯୋଡ଼ିକ କୌତୂହଳରେ ଚିକ୍‍ଚିକ୍ କରିଉଠିଲା ।

 

ଦଣ୍ଡେ ପରେ ବୋଉ କହିଲା–ସଫା କହୁନା କି ହେଲା । ତମ କଥା ଶୁଣି ହଲକ ଶୁଖିଯାଉଛି ବାବା... ।

 

–ହଲକ ଶୁଖିବ ନାହିଁ ଭାଉଜ । ବଢ଼ିବ । ବୁଢ଼ୀପରି ଝିଅ ଜନମ ଦେଇଛ । ତୁମେ ଉପରକୁ ଚାହିଁବ ନାହିଁ ତ ଆଉ କିଏ ଚାହିଁବ ।

 

ବୋଉ ଖୁସି ହୋଇଯାଇ କହିଲା–ବୁଢ଼ୀକୁ ଦେଖିଲେ କି ଜମିଦାର ।

 

ଭଲ କରି ଦେଖିନେଇଛନ୍ତି । ବୁଢ଼ୀ ବଗିଚାରେ ବୁଲିଲାବେଳେ ଶୋଇବା ଘର ଝରକାବାଟେ ତାକୁ ଦେଖିଛନ୍ତି ଜମିଦାର ସାହେବ । ମୋତେ ଯିମିତି ଦେଖିଛନ୍ତି ଆଉ କିଛି ନ ପଚାରି କହି ପକାଇଲେ–ଏଡ଼େ ସୁନ୍ଦର ଝିଅଟି ଆମ ବଗିଚାରେ ବୁଲୁଥିଲା ଟିକେ ଆଗରୁ । କାହାର ଝିଅ ହୋ ହରି ।

 

ହରି କକେଇଙ୍କ କଥା ଶୁଣୁ ଶୁଣୁ ଉଲୁସିଉଠି ପୁଣି କାହିଁକି ଦବିଗଲା ମୋ ମନଟି । ମୁଁ ଶଙ୍କିଗଲି ଟିକିଏ । ବଡ଼ ଲୋକ ସେ । ଯଦି ଡକେଇ ପଠେଇବେ... ।

 

ସତକୁ ସତ ମୋ ଆଶଙ୍କାକୁ ସତ ପ୍ରମାଣ କରି ତାପରେ କହିଲେ କକେଇ–ସେଇଥିପାଇଁ ତ କହୁଛି ମୁହଁ ହାତ ଧୋଇପକା । ଶାଢ଼ିଟା ବଦଳେଇ ଦେ । ଚାଲ ମୋ ସାଙ୍ଗରେ । ସାହେବ ଡକେଇପଠେଇଛନ୍ତି ଯେ.... ।

 

ବାପାଙ୍କ ମୁହଁ ତଳକୁ ହୋଇଗଲା । ସେ ଟିକିଏ ପରେ କହିଲେ–ଆମେ ଗରିବ ଲୋକ-। ମଫସଲି, ତାଙ୍କ ପାଖକୁ ନେଇଯିବୁ ଯେ ବୁଢ଼ୀ କି କଥା କହିଜାଣିବ ଏତେବଡ଼ ଲୋକଙ୍କ ସାଙ୍ଗରେ ।

 

ବୋଉ କିନ୍ତୁ ଉଷତ ମନରେ ଉତ୍ସାହ ଦେଇ କହିଲା–କାହିଁକି, ହରି ତ ରହିବେ ସାଙ୍ଗରେ-। ଡକାଇ ପଠାଇଛନ୍ତି ଯେତେବେଳେ, ଯାଉ । ଗରିବ ଘରେ ଜନମ ହୋଇନଥିଲେ ମୋ ଝିଅ ବି ରାଜରାଣୀ ହୋଇଥାଆନ୍ତା.... । ଭଗବାନ ରୂପ ଆଉ ଗୁଣ କେଉଁଥିରେ ତ ଉଣା କରିନାହାନ୍ତି-

 

ମୁଁ କିନ୍ତୁ ଶଙ୍କି ଗଲି । ବାହାରର ଅପରିଚିତ ଲୋକଙ୍କ ଆଗରେ କେବେ ଠିଆ ହୋଇନଥିଲି ବା କଥା କହିନଥିଲି ଏହା ଆଗରୁ ।

 

ବୋଉ ବ୍ୟସ୍ତ କଲା । ରନ୍ଧାକାମ ଛାଡ଼ି ଆସି ସଜେଇଦେଲା ମତେ । ଦୋଳକୁ ବାପା ଯେଉଁ ଗୋଲାପି ସମ୍ବଲପୁରୀ ଶାଢ଼ିଟି ଆଣି ଦେଇଥିଲେ ତାକୁଇ ପିନ୍ଧିଲି । ବୋଉ ମୁଣ୍ଡ କୁଣ୍ଡେଇ ଦେଲା । ପାଦରେ ଅଳତା ଲଗାଇଲା । ଛୋଟ ଦର୍ପଣ ଆଗରେ ମୁଁ ମୋ ମୁହଁ ଦେଖି ଅବାକ ହୋଇଗଲି । ଇସ୍, ଏତେ ରୂପ । ମୁଁ କି ସୁନ୍ଦରୀ !

 

ଏଇ ସୌନ୍ଦର୍ଯ୍ୟ ବୋଧେ କାଳହେଲା ନୀତା ଅପା....

 

ଟିକିଏ ରହିଯାଇ କହିଲା ଇଂଗୀତା ।

 

ନୀତା ତନ୍ମୟ ହୋଇ ଶୁଣୁଥିଲା ତା’ କଥା । ଭୁଲିଯାଇଥିଲା ନିଜ କଥା–ଭୁଲିଯାଇଥିଲା କରିବା ପାଇଁ ପଡ଼ି ରହିଥିବା କେତେ କାମ ।

 

ତାପରେ–

 

ତାପରେ ମୁଁ ହରି କକେଇଙ୍କ ସାଙ୍ଗରେ ବାହାରିଲି । ବଗିଚା ପାରିହୋଇ ପଛପଟ ସିଡ଼ିଦେଇ ସିଧା ଉପରକୁ ମତେ ନେଇଗଲେ କକେଇ । ପାଦ ଯୋଡ଼ିକ ଥରୁଥାଏ । ମନଭିତରଟା ମଉଳି ପଡ଼ିଥାଏ । କେତେ ବଡ଼ ଲୋକ, କି ପଚାରିବେ କିଏ ଜାଣେ ? ଯଦି କହିନପାରେ.... ।

 

ମୋ କାନ୍ଧ ଉପରେ ହାତରଖି କକେଇ କହିଲେ–ଭୟ କ’ଣ ? ତତେ ନେଇ ପରିଚୟ କରାଇଦେବି । ତୁ ବସି ଗପିବୁ ତାଙ୍କ ସାଙ୍ଗରେ । ଅନେକ କାମ ପଡ଼ିଛି ନଅରରେ । ମୁଁ ଦେଖିଦେଇ ଅଳ୍ପ ସମୟ ଭିତରେ ଫେରିଆସି ବସିଥିବି ଏଇଠି.... ।

 

ଏହା କହି ସେ ସିଡ଼ି ପାରିହୋଇ ବାରନ୍ଦାରେ ଯାଉ ଯାଉ ଦେଖାଇଦେଲେ ଗୋଟିଏ କୋଠରୀକୁ । ମୁଁ କିନ୍ତୁ ଆହୁରି ଶଙ୍କିଗଲି ମୋ ସାଙ୍ଗରେ କଥା କହିଲାବେଳେ ସେ ରହିବେ ନାହିଁ ଶୁଣି । କାହିଁକି କେଜାଣି ଝାଳରେ ମୋ ବ୍ଳାଉଜ ଓ ବଡ଼ିସ ଓଦା ହୋଇଗଲା ।

 

କହୁଁ କହୁଁ ପୁଣି ଥରେ ଦମ ନେବାପାଇଁ ଅଟକିଗଲା ଇଙ୍ଗୀତା । ଦମ ନନେଇ ଏକା ନିଶ୍ୱାସରେ ଶୁଣି ଯାଉଥିଲା ସୁନୀତା ।

 

ଅଳପ ସମୟ ରହି, ପୁଣି କହିଲା ଇଙ୍ଗୀତା–ତାପରେ ଘଟଣା ପ୍ରବାହ ଘଟିଗଲା ବର୍ଷାକାଳର ନଦୀବଢ଼ିର ସୁଅ ପରି–ଅପ୍ରତ୍ୟାଶିତ କ୍ଷିପ୍ରତାର ସହିତ ।

 

ହିମାଂଶୁ ବାବୁଙ୍କୁ ପ୍ରଥମେ ସାହସ କରି ଚାହିଁପାରିନଥିଲି ମୁଁ । କକେଇ ମତେ ସେଠାରେ ବସେଇଦେଇ ଚାଲିଗଲା ପରେ, ମୋ ପାଖକୁ ଘୁଞ୍ଚିଆସି ମୋ ଓଠ ଉଠେଇ ମୁହଁଟିକୁ ସିଧା ତାଙ୍କ ମୁହଁ ଉପରକୁ କରି କହିଲା ସେ–ଏତେ ଲାଜ ସାଜେନା ତମକୁ, ଚାହଁ, କଥା କୁହ ।

 

ତାଙ୍କ ହାତର ପରଶ ପାଇ ବରଡ଼ାପତ୍ର ପରି ଥରିଉଠିଲା ମୋ ଦେହଟା । ଖନି ବାଜିଗଲା ପାଟିରେ । ଥର ଥର ହୋଇ ଥରିଉଠିଲା ମୁହଁ । କିନ୍ତୁ ଭାଷା ବାହାରିଲା ନାହିଁ ।

 

ସେ ଆହୁରି ପାଖକୁ ଘୁଞ୍ଚିଆସି ତାଙ୍କ ଉପରକୁ ଭିଡ଼ିନେଇ ମୋ ଗାଲଉପରେ ବୋକ ଦେଇ କହିଲେ–ଡର ଲାଗୁଛି, ନା !

 

ମୁଁ ବହୁ କଷ୍ଟରେ ତାଙ୍କ ପାଖକୁ ଆଡ଼େଇଆସି କହିଲି–ଉଁ !

 

ତାପରେ ଆଉ କି କହିବି ଅପା । ତମେ ବଡ଼ । ଗୁରୁଜନ । ପାଞ୍ଚଦିନ ପାଇଁ ଆସି ପାଞ୍ଚ ବରଷ ରହିଗଲି କଟକରେ । ନଅରର ସେଇ ଅଗଣିତ କକ୍ଷରେ ମୋର ପ୍ରେମ, ପୁଲକ, ପରିଣୟ ହିମାଂଶୁ ବାବୁଙ୍କୁ କେନ୍ଦ୍ରକରି ଉଛୁଳିଉଠିଲା । ସିନେମାରେ ଅଭିନେତ୍ରୀ ହବାର ସ୍ୱପ୍ନ ମୋତେ ସେତେବେଳେ ବିଭୋର, ବିମୁଗ୍ଧ କରିଥିଲା; ଅଭିନୟ ଯେ କରିନି ତା’ ନୁହେଁ । ଦୁଇଟି ଛବି ତୋଳିଥିଲେ ହିମାଂଶୁ ବାବୁ । ସେ ଦୁଇଟିରେ ମୁଁ ନାୟିକା ହବାର ଗୌରବ ପାଇଥିଲି । କିନ୍ତୁ ତାପରେ ଆଉ ଆଗେଇ ନାହିଁ । ପ୍ରଧାନ ଅଭିନେତା କୁମାର ସହିତ ମୋର ଅନ୍ତରଙ୍ଗତା ବୃଦ୍ଧି ପାଉ ଏହା ଚାହୁଁନଥିଲେ ସେ । ମୁଁ ବି ଚାହୁଁଥିଲି ବୋଧେ ଆଉ ଅପେକ୍ଷା ନ କରି ଘର କରିବା ପାଇଁ । ମନର ମଣିଷ ଭାବରେ କୁମାରକୁ ବାଛିନେବା ପୂର୍ବରୁ, ମତେ ତା’ ପାଖରୁ ଛଡ଼ାଇନେଲେ ହିମାଂଶୁ ବାବୁ । ଆଉ ପାଞ୍ଚବର୍ଷ, ଦୀର୍ଘ ପାଞ୍ଚବର୍ଷ ପରେ ମୋ ଦେହର ସାର ଓ ସୁରଭି ଟିକକ ଶୋଷିନେଇ ଆଲୋକିତ ରାଜପଥରେ ଧୂଳି ଧୂସରିତ ଭାବରେ ଦିନେ ଛାଡ଼ିଦେଇ ଚାଲିଗଲେ ସେ ।

 

ଐଶ୍ୱର୍ଯ୍ୟରେ ଥାଇ ନିଜକୁ ଭୁଲିଯାଇଥିଲି ଅପା । ବାପା, ବୋଉ, ଭାଇ, ଭଉଣୀ ବୋଧେ ମୋର ଐଶ୍ୱର୍ଯ୍ୟ, ସୁନାମ ଏବଂ ପ୍ରଚୁରତାରେ ଭୁଲିଯାଇ ହରାଇ ବସିଲେ ମୋତେ ।

 

ସେଇ ପ୍ରଥମ ଦିନର ଦେଖା ପରେ ଯେତେବେଳେ ପ୍ରାୟ ଦୁଇଘଣ୍ଟାପରେ ରାତି ଦଶଟାକୁ ଫେରିଆସିଥିଲି, ବୋଉ ମୋ ମୁହଁକୁ ଚାହିଁକି ବୁଝିଥିଲା କେଜାଣି ପଚାରିଦେଇଥିଲା–ତୋ ଗାଲ ଉପରଟା ଇମିତି ଫୁଲା ଫୁଲା କାହିଁକି ଦିଶୁଛି ବୁଢ଼ୀ...ଲାଲ୍ ହୋଇଉଠିଛି ।

 

ମୁଁ ଧରାପଡ଼ିଯିବାର ଭୟରେ କହିଥିଲି–ଏତେ ବଡ଼ ବଡ଼ ମଶା ଏଇ ବଗିଚାରେ । ଦେଖୁନୁ କିମିତି କାମୁଡ଼ିଦେଇଛି ଗାଲରେ ।

 

ତାପରେ ମୋର ପ୍ରତ୍ୟୁତ୍ପନ୍ମମତି ମତେ ଆଗେଇ ଯିବାପାଇଁ ଉତ୍ସାହ ଦେଇଥିଲା, ଦେଇଥିଲା ଉଦ୍ଦୀପନା ଦୀପର ସଳିତା ପରି ଜଳିଉଠିଥିଲି ମୁଁ । ବାପା, ବୋଉ ଯେ କଅଣ ଘଟୁଛି ବୁଝିନଥିଲେ ତାହା ନୁହେଁ, କିନ୍ତୁ ଏତେ ବଡ଼ ଐଶ୍ୱର୍ଯ୍ୟ ଭିତରୁ ନିଜ ନିଜକୁ ଅଭାବରେ ପଥୁରିଆ ରାସ୍ତାଉପରକୁ ଫେରିଯିବା ପାଇଁ ସାହସ କରୁନଥିଲେ ।

 

ଯାହା ହବାର ହୋଇଗଲା । ଯେଉଁ ସ୍ୱପ୍ନ ଟିକକ ଦେଖେଇଥିଲେ ମତେ ହିମାଂଶୁ ବାବୁ ସେ ସ୍ୱପ୍ନ ଟିକକ ସାର୍ଥକ ହୋଇଥିଲେ ମୋର ମୂଲ୍ୟ ଦବା ସାର୍ଥକ ହୋଇଥାନ୍ତା ଅପା । କିନ୍ତୁ ହେଲାନାହିଁ । ଯାହା କେବେ ହୋଇନି ପଟ୍ଟନାୟକ ବଂଶରେ ତାହା କରି କୂଳର କଳଙ୍କ ହବାପାଇଁ ହିମାଂଶୁ ପଟ୍ଟନାୟକ ରାଜି ହେଲେ ନାହିଁ । ଘର ସଂସାର କରି କୋଳ ପୂରେଇ ଦଶଜଣଙ୍କ ସାଙ୍ଗରେ ଗର୍ବରେ ଚାଲିବାର ସୁଯୋଗରୁ ବଞ୍ଚିତ ହୋଇ ରକ୍ଷିତାର କଳଙ୍କ ନେଇ ରହିନପାରି ଚାଲିଆସିଲି ଅପା ।

 

ଟିକିଏ ରହିଗଲା ଇଙ୍ଗୀତା । ଅଣନିଶ୍ୱାସୀ ହୋଇଯାଇଥିଲା ବୋଧେ । ନିଶ୍ୱାସ ପ୍ରଶ୍ୱାସ ଘନ ଘନ ପଡ଼ୁଥିଲା, ଛାତିଉପରେ ଉଠିବା ପଡ଼ିବା ବେଶ୍ ବାରି ହୋଇପଡ଼ୁଥିଲା ।

 

କିନ୍ତୁ ବେଶୀ ସମୟ ନୀତାକୁ ଅପେକ୍ଷା କରିବା ପାଇଁ ନଦେଇ କହିଲା ସେ–କିନ୍ତୁ ଆଜି ବି ଅପେକ୍ଷା କରୁଛି ଅପା । ଯଦି ସେ ଦୟାକରନ୍ତି ଯଦି ଗୋଟେଇ ନିଅନ୍ତି ତାଙ୍କ ସଂସାରକୁ । ଏତେ ବଡ଼ ନଅରରେ ଟିକିଏ ସ୍ଥାନ ହେଲେ ମୋର ଆଉ ଲୋଡ଼ା ନାହିଁ କିଛି । ମଥାରେ ସିନ୍ଦୂର ଟୋପେ ଲଗାଇ ପାରିଲେ ମୁଁ ସରଗ ପାଇବା ପାଇଁ ହାତ ପତାନ୍ତି ନାହିଁ ।

 

ଆଉ କହିପାରିଲା ନାହିଁ । କୋହ ଉଠୁଥିଲା ଶହସ୍ରଶୀର୍ଷାର ଶତଧାରର ପ୍ରବାହନେଇ ।

 

ସୁନୀତା ମର୍ମରିତ ବେଦନାର ସଂପ୍ରସାରିତ ବକ୍ଷ ଉପରେ ତାକୁ ଆଉଜାଇ ନେଇ ଚାହିଁ ରହିଲା ଶୂନ୍ୟକୁ । ଆଶା, ଆଶ୍ୱାସନା, ପ୍ରତିଶ୍ରୁତିର ପ୍ରତିଲିପି ହଜି ଯାଉଥିଲା ଇଙ୍ଗୀତାର ସହସ୍ର ଅଶ୍ରୁଧାରରେ ।

 

ତା’ ଆଖି ବି ଝାପସା ହୋଇଆସିଲା । ବାଷ୍ପାକୂଳ ଅନ୍ତରରେ ଗୋଟିଏ ଅରକ୍ଷିତା, ଉପେକ୍ଷିତା ଭଉଣୀ ପାଇଁ ସେ ଅଶେଷ ଅନୁକମ୍ପା, ଅଜସ୍ର ସମବେଦନା ଅନୁଭବ କଲା ।

 

ମହାନଦୀ ପଠା ଉପରେ ଛିଡ଼ାହୋଇଥିବା ଅଶ୍ୱତ୍‌ଥ ଗଛର ତାଳରୁ ଡାହୁକଟି ବାହୁନିଉଠିଲା ନିଃସଙ୍ଗ ଜୀବନର କରୁଣତାରେ ।

 

ସାତ

 

ଇଣ୍ଟରଭିଉରୁ ଫେରି ଲଣ୍ଡ୍ରିରେ କୋର୍ଟ, ପ୍ୟାଣ୍ଟ, ଟାଇ ଫେରାଇଦେଇ ଆସିଲା ସବ୍ୟସାଚୀ । ଭଡ଼ା ପୂର୍ବରୁ ଦେଇଥିଲା । ଦିନକ ପାଇଁ ଚାରିଟଙ୍କା ।

 

ଯେଉଁମାନଙ୍କର ନାହିଁ ବା ସମ୍ବଳ ନାହିଁ କରିବା ପାଇଁ ସେମାନେ ପୁଣି ତ ଇଣ୍ଟରଭିଉ ଦେବେ । କନ୍ୟାପକ୍ଷ ଦେଖିବାପାଇଁ ଆସିଲେ ଆଗାମୀ ଉଜ୍ଜ୍ୱଳ ଭବିଷ୍ୟତର ଆଭାସ ଦେଇ ଉଭାହେବେ ଭାବୀ ଶାଳକ, ଶାଳୀ ଏବଂ ଶ୍ୱଶୁର ଆଗରେ । ସେମାନଙ୍କୁ ଏହି ବିପଦରୁ ରକ୍ଷାକରେ ‘‘ସ୍ନୋ ହ୍ୱାଇଟ୍‍ ଲଣ୍ଡ୍ରି’’ । ଜଣେ ବେକାର ଇଂଜିନିଅର ଏବଂ ଜଣେ ବେକାର ବିଜ୍ଞାନ ଗ୍ରାଜୁଏଟଙ୍କ ଉଦ୍ୟମରେ ଗଢ଼ିଉଠିଛି ଏଇ ‘ସ୍ନୋ ହ୍ୱାଇଟ୍ ଲଣ୍ଡ୍ରି’’ କଲେଜ ଛକର ଅନତି ଦୂରରେ ଥିବା ବରଫ କଳ ପାଖରେ । ସେଇଠୁ ଦିନକ ପାଇଁ ସୁଟ୍, ଟାଇ ଭଡ଼ା ନେଇଥିଲା ସବ୍ୟସାଚୀ ।

 

ଇଣ୍ଟରଭିଉ ଦେଇଆସି ଟିକିଏ ଆରାମରେ ଶୋଇପଡ଼ିଥିଲା ସେ । ପବନ ନାହିଁ । ବେଶ୍ ଗରମ ପଡ଼ିଛି । ଭୋଦ ମାସର ଟାଣୁଆ ପାଗ । ଦେହରୁ ଝାଳ ବହୁଥିଲା । ହାତ ପଙ୍ଖାଟା ଥରେ ଥରେ ବୁଲାଉଥିଲା ଦେହଉପରେ । ଅନ୍ଧାରୁଆ କୋଠରୀଟିରେ ସଞ୍ଜବେଳେ ବି ମଶା ଗୋଟେ ଦୁଇଟା ରକତ ଶୋଷିବା ପାଇଁ ବସୁଥିଲେ ହାତ ବା ନଳି ଗୋଡ଼ ଉପରେ । ଗେଞ୍ଜିଟାକୁ ଖୋଲିପକେଇ ଦଉଡ଼ିରେ ଝୁଲାଇଦେଲା ସବ୍ୟସାଚୀ । ପାଣି ଗିଲାସେ ପିଇଲା ଆଣି । ମଶା କାମୁଡ଼ିଥିବା ସ୍ଥାନ ଜଳିଉଠୁଥିଲା । ଗାଲଉପରେ ବୋଧେ କାମୁଡ଼ିଦେଇଛି । କୁଣ୍ଡାଇବା ପରେ ଭଲଲାଗିଲା ଟିକେ । ଧେତ୍, ଏତେ ମଶା ଏଡ଼େ ଗରମ । ମଶାରି ଟାଣିବା ପାଇଁ ଇଚ୍ଛାହେଲାନି ଏଇ ସଞ୍ଜ ସମୟରେ ।

 

ଲଣ୍ଠନର ସ୍ତିମିତ ଆଲୋକରେ ବସି ବସି ଖଣ୍ଡେ ବହି ପଢ଼ିବାପାଇଁ ଚେଷ୍ଟା କଲା । ମନ ଲାଗିଲାନି । ବହିଟିକୁ ରଖିଦେଇ ପୁଣି ଲମ୍ବ ହୋଇ ଶୋଇପଡ଼ିଲା ଖଟଉପରେ । ମଶା ଗୋଟେ ଦୁଇଟା ଉଡ଼ିଆସିଲେ ଗୁଣୁ ଗୁଣୁ ଶବ୍ଦ କରି, ପ୍ରତିବାଦ କଲା ନାହିଁ, ପ୍ରତିରୋଧ କଲାନାହିଁ । କଟକ ସହର, ଧବଳ ଟଗର । ଏଠାରେ ମଶାମାନେ ଡାଆଁସ ପରି ବଡ଼ ବଡ଼, ମଣିଷଠାରୁ ବଳୀୟାନ୍ । ଛାତି ଉପରୁ ତଡ଼ିଦେଲେ ପାଦ ଉପରେ ବସିପଡ଼ନ୍ତି । ମିଛଟାରେ ପରିଶ୍ରମ କରି ଲାଭ ନାହିଁ । କାମୁଡ଼ନ୍ତୁ ଗୋଟେ ଦୁଇଟା । ସେମାନେ ପୁଣି ତ ବଞ୍ଚିବେ ।

 

ଜୀବନରେ ଥରେ ଥରେ ଏହିପରି ମୁହୂର୍ତ୍ତ ଗୋଟିଏ ଗୋଟିଏ ଆସେ ଯେତେବେଳେ ଏପରିକି ସଂଗ୍ରାମରତ ମଣିଷ ମଧ୍ୟ ନିଶ୍ଚେଷ୍ଟ, ନିରୁଦ୍ଦେଶ ହୋଇପଡ଼ି ରହେ ଦଣ୍ଡେ ।

 

ଝରକାର ଫାଙ୍କଦେଇ ଚେନାଏ ଆକାଶ ଧରାଦେଇଛି ଆଖିଆଗରେ । ସେଇ ଖଣ୍ଡିତ ଆକାଶର ବୁକୁରେ ଛୋଟ ବଡ଼ କେତେ ତାରା–କେତେ ଆଲୋକ ପିଣ୍ଡ । ମଣିଷର ଏତେ ଦୂରରେ, ଅଥଚ ଦେଖାହୁଏ ପ୍ରତିଦିନ । କିନ୍ତୁ ଏଇ ଦେଖାଦେଖି, ଏଇ ସାକ୍ଷାତରେ ପରିଚୟ ହୁଏନା, ଅନ୍ତରଙ୍ଗତା ଘନୀଭୂତ ହୁଏନା । ସେଇପରି ଏତେ ବଡ଼ କଟକ ସହରରେ ଏତେଦିନ ରହି ସେ କି ଜାଣିପାରିଛି ଏଇ ସହରର ସବୁ ଇତିବୃତ୍ତ । ଟିକିଏ ସମ୍ବଳ, ଟିକିଏ ସହାୟତା ଖୋଜିବା ପାଇଁ ବାହାରି ଏଇ ସହରର ଅଙ୍କାବଙ୍କା, କଙ୍କରିତ ପଥ ଉପରେ ଦିଗହରା ପାନ୍ଥ ପରି କେବଳ ଘୂରିବୁଲିଛି ଆଜିଯାଏ । କେତେ ଇଣ୍ଟରଭିଉ ଦେଲା, କେତେ ଅଦେଖା, ଅଜଣା ମୁହଁ ସାମ୍ନାରେ ନିଜର ପରିଚୟ ଦେଲା, କିନ୍ତୁ କାହିଁ ପ୍ରତିଷ୍ଠା ତ ଆସିଲା ନାହିଁ ଏଯାଏ । କେହି ତାକୁ ଆଶାଦେଲେନି, ଆଶ୍ୱାସନା ବି ଦେଲେନି ।

 

ସେ ତେବେ ହାରିଯାଇଛି । ସ୍ଥିତିଶୀଳତାର ନିସଙ୍ଗତା ଓ ନିଷ୍କ୍ରିୟତା ଭିତରେ ମରି ଯାଇଛି ତାର ଆଗକୁ ଯିବାର ସ୍ୱପ୍ନ, ହଜି ଯାଇଛି ପଛରେ ଛାଡ଼ି ଆସିଥିବା ପୃଥିବୀ ଉପରେ ଶୋଣିତ ସ୍ୱାକ୍ଷର !

 

ନା, ପରାଜୟ ମାନିବ ନାହିଁ ସେ । ସ୍ୱୀକାର କରିବ ନାହିଁ ସ୍ଥିତିଶୀଳତାର ପ୍ରତିବନ୍ଧକ । ସେ ଚାଲିବ । ସଂଗ୍ରାମ କରିଯିବ ।

 

ଦିଲ୍ଲୀ ବହୁ ଦୂର । କେତେ ସଭ୍ୟତା, କେତେ ଜାତି ଆସିଛନ୍ତି ଦିଲ୍ଲୀକୁ ଗ୍ରାସ କରି ଧୂଳି ମାଟି ସଙ୍ଗେ ନିଶ୍ଚିହ୍ନ କରିଦବା ପାଇଁ ଇତିହାସ ପୃଷ୍ଠାରୁ ଦିଲ୍ଲୀର ନାମ, ଭାରତର ନାମ, ଏହାର ଐଶ୍ୱର୍ଯ୍ୟ, ଅଗଣିତ ଲୋକଙ୍କୁ କୋଟି କୋଟି ଆନନ୍ଦ, କୋଳାହାଳ ଓ ନିଃଶବ୍ଦ ହାହାକାରକୁ ମହାକାଳର କ୍ଷୟିଷ୍ଣୁ ଅନ୍ଧକାର ମଧ୍ୟରେ ଚିରଦିନ ପାଇଁ ବିଲୋପ କରିଦବା ପାଇଁ । କିନ୍ତୁ ଏସବୁ ସତ୍ତ୍ୱେ ବଞ୍ଚିଛି ଦିଲ୍ଲୀ । ବଞ୍ଚି ରହିଛି ଭାରତ ବର୍ଷ । ସେହିପରି ବଞ୍ଚି ରହିବ ସବ୍ୟସାଚୀ ମହାପାତ୍ର ।

 

ଭିତରୁ ବନ୍ଦ ଥିଲା ଦରଜା । ବାହାରୁ ଦରଜାର କଡ଼ା ନାଡ଼ିବାର ଶବ୍ଦ ଶୁଣାଗଲା । ଉଠିଯାଇ କବାଟ ଖୋଲିଦେଇ ଅମିୟକୁ ଏ ସମୟରେ ଆଖିଆଗରେ ଦେଖି ଅବାକ ହୋଇଗଲା ।

 

ଅମିୟ ବେଶୀ ଆସେନା ତା’ ପାଖକୁ । ସେ ବରଂ ବେଶୀ ଯାଏ ତା’ ପାଖକୁ । ତେଣୁ ଆଜି ତା’ ପାଖକୁ ସନ୍ଧ୍ୟା ପରେ ଆସିଥିବାରୁ ଆଶ୍ଚର୍ଯ୍ୟ ନହେବ କିପରି । ନ ଆସିବାର କାରଣ ଥାଉଁ ଥାଉଁ ଆସିଥିବାରୁ ତାକୁ ପଚାରିଦେଲା ସବ୍ୟସାଚୀ–

 

–ଆରେ ଅମିୟ ଯେ । ଏ ଅବେଳରେ !

 

–ବେଳକାଳ ଜାଣି ତୁ ତ ଯାଉନା ମୋ ପାଖକୁ ।

 

–ମୋ କଥା ଅଲଗା । ‘ରେଡ଼ଲାଇଟ୍ ଏରିଆ’କୁ ତୋପରି ପିଲା ତ ଆଉ ଆସିବେନି ରାତିରେ ।

 

–ବାଜେ କଥା ରଖ । ଚାଲ ଭିତରକୁ । କଥା ଅଛି ।

 

ଭିତରେ ଯାଇ ବସିଲେ ଦୁହେଁ । ସ୍ୱଳ୍ପାଲୋକିତ ପ୍ରକୋଷ୍ଠ ମଧ୍ୟରେ ବିଷଣ୍ଣ ଦିଶୁଥିଲା ସବ୍ୟସାଚୀର ମୁହଁ । ରୋଗା ଦେଖାଯାଉଥିଲା ତା’ର ଦେହ । ମୁଣ୍ଡରେ ବାଳ ନୁଖୁରା, ରୁକ୍ଷ । ପିନ୍ଧିଥିଲା କେବଳ ଗୋଟିଏ ଲୁଙ୍ଗି । ଗେଞ୍ଜି ବା ଜାମା ନଥିଲା ଦେହରେ । ତା’ର ଦୀର୍ଘଙ୍ଗ, ମେଦହୀନ ଦେହରେ କ୍ଳାନ୍ତିର ସୁସ୍ପଷ୍ଟ ସଙ୍କେତ ଭାସ୍ୱରିତ ।

 

–କହ

 

–ଗୋଟିଏ ଭଲ ଖବର ଅଛି । ଆଗ ପାଣି ଗିଲାସେ ଦେ ପିଇବା ପାଇଁ । ତାପରେ କହୁଛି ।

 

କହିଲା ଅମିୟ ।

 

ପାଖରେ ପଇସା ଥିଲେ ହୁଏତ ବନ୍ଧୁକୁ ଅଭ୍ୟର୍ଥନା କରିବାପାଇଁ ଅନ୍ତତଃ ଦୁଇ କପ୍ ଚା’ ଆଣନ୍ତା ସବ୍ୟସାଚୀ । କିନ୍ତୁ ପକେଟ ଖାଲି । ସେଦିନର ଚା’ପିଆ ବେଳର ସେଇ ତିକ୍ତ ଅନୁଭୂତି ଏବେବି ପୋଛି ହୋଇଯାଇ ନାହିଁ ମନରୁ । ଚାହା ପାଇଁ ମନ ନବଳାଇ ଥଣ୍ଡା ପାଣି ଗିଲାସେ ଆଣିବା ପାଇଁ ସେ ରୋଷଘର ଆଡ଼କୁ ଗଲା ।

ପାଣି ଗିଲାସେ ବଢ଼ାଇଦେଇ କହିଲା ।

–ଇଣ୍ଟରଭିଉଟା ସକାଳେ ଶେଷ କରିଆସିଛି । ଜାଣିଛୁ ବୋଧେ ।

–ହଁ । ସେଇ ଏକ୍‍ସାଇଜ୍ ଇନିସପେକ୍ଟର ପୋଷ୍ଟ ପାଇଁ ତ ।

–ହଁ

–ବେଶ୍ ଭଲ ପୋଷ୍ଟଟା କିନ୍ତୁ ।

–ବେଲ ପାଚିଲେ କୁଆର କି ଯାଏ । ମୋ କପାଳ ମନ୍ଦ ଅମିୟ ।

–ଧର ଯଦି ସେଇ ପୋଷ୍ଟ ବା ସେଇ ରକମ ଆଉ ଗୋଟେ କିଛି ମିଳିଯାଆନ୍ତା ବଡ଼ ଖୁସି ହୋଇଯାଆନ୍ତୁନା ।

–ସେ କଥା ଆଉ କହିବାକୁ ଅଛି । ଦେଖୁନୁ କି ଦୁରବସ୍ଥାରେ ପଡ଼ି ପଡ଼ି ସଢ଼ିଛି ମୁଁ ।

କହିସାରି ଢୋକ ଗିଳିଲା ସବ୍ୟସାଚୀ । ତା’ ମୁହଁକୁ ପୁଣି ଥରେ ସମବେଦନା ନେଇ ଅନାଇଲା ଅମିୟ । ସହପାଠୀ । ବନ୍ଧୁ । ସେଇଥିପାଇଁ ତା’ ପାଇଁ ଏଡ଼େ ବ୍ୟଥା ଅନୁଭବ କରେ, ଅନୁକମ୍ପା ଜାଗେ ମନରେ । ଆହା ! ବିଚରା କେତେ କଷ୍ଟ କରୁଛି !

 

ସେଇ କଷ୍ଟ ଲାଘବ କରିବା ପାଇଁ ସବ୍ୟସାଚୀକୁ ଶୁଭ ସମ୍ବାଦଟି ଜଣେଇଦବା ପାଇଁ ଅବେଳରେ ହେଉ ପଛକେ ଏତେଦୂର ଦଉଡ଼ିଆସିଥିଲା ଅମିୟ ।

 

ସେ ସବ୍ୟସାଚୀର କାନ୍ଧଉପରେ ଝାଙ୍କୁଣୀ ଦେଇ କହିଲା–ଦୁଃଖ କରନା । ତୋ ପାଇଁ ଗୋଟେ କାମ ଠିକ୍ କରିଆସିଛି । କମ ଦରମା । କିନ୍ତୁ ସହଜ କାମ । ମାସକୁ ଦୁଇଶହ । ମାମୁଁଙ୍କ ଅଫିସରେ ।

 

ଆନନ୍ଦରେ ଝଲସିଉଠି କହିଲା ସବ୍ୟସାଚୀ–ମତେ ନିଶ୍ଚିତ ଅନଶନରୁ ରକ୍ଷା କଲୁ ଭାଇ-। ଏତେ ବଡ଼ ଶୁଭ ଖବର ଜୀବନରେ ପାଇବା ଏଇ ପ୍ରଥମ ଅମିୟ । କିନ୍ତୁ ତତେ କୃତଜ୍ଞତା ଜଣାଇ ଏହାର ଅମର୍ଯ୍ୟାଦା କରିବି ନାହିଁ ଭାଇ ।

 

–ଥାଉ ଥାଉ । କୃତଜ୍ଞତା ଲୋଡ଼ାନାହିଁ ମୋର । ତୁ ଚାକିରି କର । ଦରମା ପାଇଲେ ଦିନେ ଭଲ କରି ‘ଅନ୍ନପୂର୍ଣ୍ଣା’ରେ ଖୁଆଇଦବୁ, ବୁଝିଲୁ ।

 

–ଥରେ ନୁହେଁ, ପାଞ୍ଚଥର ଖୁଆଇଦେବି । କିନ୍ତୁ କହତ ତୁ କାମ ଯୋଗାଡ଼ କଲୁ କିପରି-?

 

–ସତରେ କହିବା ପାଇଁ ଗଲେ ମୁଁ କିଛି କରିନି । ସେଦିନ ମାମୁଁଙ୍କ ସହିତ ବସି ବସି କଥା କହୁଥିଲି । ମାମୁଁଙ୍କୁ ଜାଣୁ ତ ? ହିମାଂଶୁ ପଟ୍ଟନାୟକ । ନାମ ଅବଶ୍ୟ ଶୁଣିଥିବୁ ଯେ...

 

–ହଁ ହଁ । ବହୁବାର ଶୁଣିଛି । ପରିଚିତ ନାମ । ଦେଖିଛି ବି ଅନେକବାର ସଭା ସମିତିରେ ।

 

–ହଁ ସେଇ କଥା କହୁ କହୁ ସେଦିନ ମାମୁଁ କହିଲେ ଦେଖ, ସମସ୍ତଙ୍କୁ ସରକାରୀ ଚାକିରି ମିଳିବା ସମ୍ଭବ ନୁହେଁ, ସ୍ପୃହଣୀୟ ମଧ୍ୟ ନୁହେଁ । ଅଥଚ ଅନ୍ୟ କୋଉଥିପାଇଁ ଉଦ୍ୟମ ନ କରି ଆମ ଦେଶର ସବୁ ଯୁବକ ଯୁବତୀ ପରୀକ୍ଷାରେ ପାଶ୍ କଲାପରେ ଅନେଇ ବସନ୍ତି ସରକାରୀ ଚାକିରି ପାଇଁ ।

 

ମୁଁ କହିଲି–ସରକାରୀ କାମ ଛାଡ଼ି ଅନ୍ୟ କାମ ତ ମିଳୁନି ସାଧାରଣଙ୍କୁ । ଆମ ଏଠି ବେସରକାରୀ ଉଦ୍ୟୋଗ ଅନେକ କମ୍ । ତଥାପି ଯଦି ମିଳନ୍ତା ଅନେକେ ଆଗେଇ ଆସନ୍ତେ ଉତ୍ସାହରେ ।

 

ସେ କହିଲେ–ମୁଁ ମାନୁଛି, ବେସରକାରୀ ଧନ୍ଦା କମ୍ ଓଡ଼ିଶାରେ, ତଥାପି ଯାହା ଅଛି ସେଠାରେ ତ କେତେକ ଶିକ୍ଷିତ ଲୋକ ରହିଯାଇପାରିବେ । କିନ୍ତୁ ଗୋଟିଏ କଥା ବେସରକାରୀ ଉଦ୍ୟୋଗରେ କାମ କଲେ ଉଦ୍ୟମ କରିବାକୁ ହେବ, ପରିଶ୍ରମ କରି ଫଳ ଦେଖାଇବା ପାଇଁ ପଡ଼ିବ-। ସରକାରୀ କଳରେ ସମସ୍ତେ ସମାନ–ଭଲ ଆଉ ମନ୍ଦର ଫରକ ନାହିଁ । ବେସରକାରୀ ସଂସ୍ଥାରେ ଉଦ୍ୟୋଗୀ ଉଧେଇପାରିବ, ଅଳସୁଆ ନୁହେଁ ।

 

ମୁଁ ଉତ୍ସାହିତ ହୋଇ କହିଲି–ମାମୁଁ, ଏଇକଥା ସତ । କିନ୍ତୁ ଜଣାଶୁଣା ନଥିଲେ, ଧରାଧରି ନକଲେ ବେସରକାରୀ ଧନ୍ଦାରେ ଚାକିରି ପାଇବା କଷ୍ଟ । ଏଇ ଦେଖନ୍ତୁନା, ମୋର ଜଣେ ସାଙ୍ଗ ଇତିହାସରେ ଏମ.ଏ. । ଡିବେଟରେ ଓଡ଼ିଶାରେ ଚାମ୍ପିଅନ ଦୁଇବର୍ଷ ଧରି । କିନ୍ତୁ ଏମ.ଏ.ପାଶ୍ କରି ତିନିବର୍ଷ ହେଲା ବସି ରହିଛି ଏଇ କଟକ ସହରରେ । ଚାକିରିଟିଏ ପାଇଁ ସବୁ ଉଦ୍ୟମ ଅକାମୀ ହୋଇଯାଇଛି ।

 

ସେ ଟିକିଏ କ’ଣ ଭାବିଲେ ବୋଧେ । ତା’ପରେ କହିଲେ–ଇଜ୍‍ ହି ସିନସିଅର ଆଣ୍ଡ ଡିପେଣ୍ଡେବଲ୍.

 

ମୁଁ କହିଲି– ହି ବିଲିଭସ୍ ଇନ୍‍ ଲାଇଫ୍ । ସେ ଜୀବନକୁ ବିଶ୍ୱାସ କରେ ବୋଲି ଜୀବନ ପ୍ରତି ଏକାଧାରରେ ଅନୁରକ୍ତ ଓ ବଞ୍ଚିବା ପାଇଁ ଉଦ୍ୟମଶୀଳ । ଆପଣ ସମ୍ପୂର୍ଣ୍ଣ ବିଶ୍ୱାସ କରିପାରନ୍ତି ତାକୁ ।

 

ସେ କହିଲେ– ବେଶ୍ । ତାକୁ କୁହ କାଲିଠୁ ମୋ ଷ୍ଟୁଡ଼ିଓର କଟକ ଅଫିସରେ ଜଏନ୍ କରିବା ପାଇଁ । ତା’ପରେ କାମ ଓ କର୍ମ ନୈପୁଣ୍ୟ ଭିତରେ ମୁଁ ଥରେ ତାକୁ ପରଖିନିଏ । ତା’ପରେ ଦେଖାଯିବ.... ।

 

–ତୋ ନାମ, ଠିକଣା ପ୍ରଭୃତି କହିଦେଇ ସେଇଠୁ ସିଧା ଆସୁଛି ତୋପାଖକୁ । ବାହାରେ କାହାକୁ ନଦେଖି ଭାବିଲି ବୋଧେ ତତେ ଆଜି ପାଇବିନି ଏଇଠି । କିନ୍ତୁ ଭାଗ୍ୟ ଭଲ । ଭିତରକୁ ଆସି ଦେଖେ ତ ବାବୁ ସନ୍ଧ୍ୟାବେଳଟାରେ ବେଶ୍ ଆରାମ ଗଡ଼ୁଛନ୍ତି ବିଛଣା ଉପରେ ।

 

ଓଃ ! ମୁଁ ବଞ୍ଚିଗଲି ଅମିୟ । ତୁ ରକ୍ଷା କରିଦେଲୁ ଭାଇ । ଅନ୍ତରର କୃତଜ୍ଞତା ଫୁଟାଇ କହିଲା ସବ୍ୟସାଚୀ ।

 

–ଫେର୍ ସେଇକଥା । ତୁ ମୋ ପାଇଁ ଯାହା କରନ୍ତୁ ମୁଁ ତା’ଠୁ ଅଧିକ କରିନି ସବ୍ୟସାଚୀ-। ତୁ ପ୍ରସ୍ତୁତ ହୋଇଯା । କାଲି ସକାଳେ ଜଏନ୍ କରିବୁ ।

–ନିଶ୍ଚୟ, ନିଶ୍ଚୟ । ଏଥିରେ ଆଉ ହେଳା କରିବାର ଅଛି ! ତେବେ ଏତେ ବଡ଼ ଶୁଭ ଖବରଟା ଆଣିଲୁ...ଅଥଚ ଉଇ କାଣ୍ଟ ସେଲିବ୍ରେଟ ଦ ଅକେଜନ୍ । ଆଜି ପକେଟ ଏକାବେଳକେ ଖାଲି ଭାଇ ।

ମୁହଁ ଉପରେ ବିଷଣ୍ଣତାର ଛାପ ଖେଳାଇ ଲଜ୍ୟାହୀନ ଭାବରେ କହିଲା ସବ୍ୟସାଚୀ ।

–ଆବେ, ମାର୍ ଗୁଲି ତୋ ପକେଟକୁ । ମୋ ପକେଟ ତ ଖାଲି ହୋଇନି । ଚାଲ୍ ଏଇନେ ମୋ ସାଙ୍ଗରେ । ରାଜାରାମର କ୍ୟାଣ୍ଟିନ ଏଠୁ ବେଶୀ ଦୂର ନୁହେଁ । ଆଉ ବୁଝିଲୁ, ରାଜାରାମର ବରା ଆଉ ଗୁଲୁଗୁଲା ସତରେ ବଡ଼ ଭଲଲାଗେରେ ମୋତେ...

ସବ୍ୟସାଚୀର ପିଠିଉପରେ ଜୋରରେ ଗୋଟାଏ ଥାପୁଡ଼ା ମାରି ହସି ହସି କହିଉଠିଲା ଅମିୟ ।

ସବ୍ୟସାଚୀକୁ ସ୍ନେହ ସ୍ନିଗ୍ଧ ସ୍ପର୍ଶ ଦେଇ ତା’ ହାତ ଟାଣି ଉଠାଇଦେଲା ଅମିୟ । ଯେଉଁଠି ସ୍ନେହ ସେଇଠି ବନ୍ଧନ । ପ୍ରତିରୋଧ କଲାନାହିଁ । ଉଠି ବସି ଲୁଗା ବଦଳାଇଲା ସବ୍ୟସାଚୀ ।

ରାତ୍ରିର ପ୍ରଥମ ପ୍ରହରର ଅଳ୍ପାଲୋକିତ ଅଣଓସାରିଆ ଗଳିଉପରେ ଆଗେଇ ଚାଲିଲେ ଦୁଇବନ୍ଧୁ । କେତୋଟି ଘରର ଦରଜା ଓ ଝରକା ଫାଙ୍କରୁ ଖଣ୍ଡିକାଶ, ପୁଚୁକା ହସ ଭାସିଆସିଲା ସେମାନଙ୍କ ଆଡ଼କୁ । ମୁହଁସିଧା ଆଗେଇଗଲେ ଦୁହେଁ ।

 

ଆଜି ଆଉ ନନ୍ଦ ପାଟଣାର ମଳମୂତ୍ରର ତୀବ୍ରଗନ୍ଧ ସେମାନଙ୍କୁ ସ୍ପର୍ଶକଲା ନାହିଁ । ମ୍ୟୁନିସିପାଲିଟିର ଅକ୍ଷମତା କାତର କଲାନାହିଁ ସେମାନଙ୍କୁ । ସେମାନେ ଶିହରିଉଠିଲେ ନାହିଁ ମୁକ୍ତ ଭୋଗ୍ୟାର ବିଳାସ ଦେଖି । ସେମାନେ ନିଜ ନିଜର ମୁଗ୍ଧ ବିଭୋରତା ନେଇ ପଥ ଚାଲୁଥିଲେ ।

 

ରାଜାରାମର କ୍ୟାଣ୍ଟିନରୁ ପେଟେ ଖାଇ ଫେରିବା ବେଳକୁ ରାତି ସାଢ଼େ ନଅଟା ହୋଇଯାଇଥିଲା । ଆଉ ଖାଇବାପାଇଁ ଇଚ୍ଛାନଥିଲା । ମୁହଁ ହାତଧୋଇ, ଲୁଗା ବଦଳାଇ ପୂଜାରୀକୁ ଖାଇବ ନାହିଁ କହି ଶୋଇପଡ଼ିଲା ସବ୍ୟସାଚୀ । ବହୁଦିନ ପରେ ନିରୁଦ୍‍ବିଗ୍ନ ମନରେ ଆସନ୍ତାକାଲିର ନବାରୁଣର ପ୍ରତୀକ୍ଷା କରି ସେ ଶୋଇବାକୁ ଯାଉଛି । ସେଇ ପ୍ରତୀକ୍ଷାର ପୁଲକରେ ଦେହର ପ୍ରତ୍ୟେକ ରକ୍ତକୋଷରେ ବଞ୍ଚିବାର ମଧୁର ଗୁଞ୍ଜନ ଶୁଣୁ ଶୁଣୁ କେତେବେଳେ ଶୋଇପଡ଼ିଲା ସେ ।

 

ବେଶ୍ ଗଭୀର ନିଦରେ ଶୋଇପଡ଼ିଥିଲା । ରାତି ଅନେକ ହୋଇଥିଲା ସେତେବେଳକୁ-। ବାହାରର ଶିରି ଶିରି ପବନର ଝଲକାଏ ଖୋଲାଦେହରେ ବାଜି ନରମ ଲାଗୁଥିଲା ତାକୁ-। ହଠାତ୍ କାହାର ପରଶ ପାଇ ଚେଇଁଉଠିଲା ସେ । କିଏ ?

 

ଫିସ୍‍ଫିସ୍‍ କରି ଝରକା ସେପାଖରୁ କିଏ ଯେପରି କହୁଛି–ଉଠ ବାବୁ ଉଠ ! ସମୟ ହୋଇଗଲାଣି.... ।

 

ନିଦ୍ରାର ଘୋର କଟିନଥିଲା ଏବେବି । ପ୍ରଥମେ କିଛି ବୁଝିନପାରି ସ୍ୱପ୍ନ ଦେଖୁଛି ବୋଲି ମନେକଲା ସେ । ତାପରେ ଆଖି ମଳି ମଶାରି ଭିତରୁ ଚାହିଁଲା ଝରକାଆଡ଼କୁ । କାହାର ହାତ ଖଣ୍ଡିକ ଅପସରି ଗଲା ଅନ୍ଧାର ଭିତରେ । ବାହାରେ କିଏ ଠିଆହୋଇଛି । ଅନ୍ଧାର, କିଛି ଦିଶୁନଥିଲା-। ନିଶ୍ୱାସ ବନ୍ଦ କରି ସ୍ପନ୍ଦିତ ଛାତିରେ କିଛି ସମୟ ସେଇପରି ଅନାଇ ରହିଲା ସବ୍ୟସାଚୀ-

 

ଗୋଟିଏ କଳା ଛାଇ ହଲିଉଠିଲା ଟିକିଏ ପୁଣି ଫିସ୍‍ ଫିସ୍‍ କରି କହିଲା ଯେ ସେପାଖରୁ–ଉଠ ବାବୁ ଉଠ । ସମୟ ହୋଇଗଲାଣି ।

 

ନାରୀ କଣ୍ଠର ନରମ ସ୍ୱର । କାଚର ରୁଣୁଝୁଣୁ ଶବ୍ଦ । ତା’ଆଡ଼କୁ ପ୍ରସରି ଆସୁଥିବା ହାତଟିକୁ ଛୁଇଁଦେଇ ଭୟ ଓ ସଂକୋଚରେ ଶିହରିଉଠିଲା ସବ୍ୟସାଚୀ । ସେ ପରିଷ୍କାର ଜାଣିପାରିଲା ସେ ଛାୟା ମୂର୍ତ୍ତି ପୁରୁଷ ନୁହେଁ, ତରୁଣୀର ।

 

ଭୟରେ ଥରିଉଠିଲା ଭିତରଟା । ଲଜ୍ୟାରେ କଣ୍ଟକିତ ହେଲା ଦେହ । ଏତେ ରାତିରେ ସମସ୍ତଙ୍କ ଅଲକ୍ଷ୍ୟରେ କିଏ ଡାକୁଛି ତାକୁ । ନିଜ କପାଳ ଓ ଚିବୁକ ଉପରେ ସହସ୍ର ଘର୍ମ ବିନ୍ଦୁରେ ଆଭାସ ପାଇଲା ସେ ।

Unknown

 

ସାହସ ସଞ୍ଚୟ କରି କ୍ଷୀଣ କଣ୍ଠରେ ପଚାରିଲା କିଏ ?

 

–ମୁଁ ଶୁଭା ।

 

ଶୁଭାକୁ ଏତେ ରାତିରେ, ଏଇ ଅବସ୍ଥାରେ ଦେଖି ଆତଙ୍କରେ ଥରିଉଠିଲା ସବ୍ୟସାଚୀ । କି ଚାହେଁ ଶୁଭା ତା’ ପାଖରୁ ଏତେ ରାତିରେ ? ମଥାଟା ଝିମ୍‍ଝିମ୍‍ କରିଉଠିଲା । ଉଠିବାପାଇଁ ଯାଇ ବୁଲାଇଦେଲା ମଥାଟା ।

ସେତିକିବେଳେ ସେ ପାଖରୁ ଫିସ୍‍ଫିସ୍‍ କରି କହିଲା ଶୁଭା–ଶୀଘ୍ର ଆସ ବାବୁ । ସମୟ ହୋଇଯାଉଛି ।

–ନା, ନା । ଅସମ୍ଭବ । ଏତେବେଳେ ଯିବା ଅସମ୍ଭବ ।

–ଆସିବଦି ତାହେଲେ ! ଏଡ଼େ ନିଷ୍ଠୁର ତମେ । ମୋ ଜୀବନର ଏଇ ପରମ ସନ୍ଧିକ୍ଷଣରେ ତମେ ମତେ ଟିକିଏ ସାହାଯ୍ୟ କରିପାରିବନି ?

କାନ୍ଦ କାନ୍ଦ ହୋଇ କହିଲା ଶୁଭା । ଆଖିରୁ ଅଶ୍ରୁଝରିଲା ବୋଧେ । ନିଜ ଅଞ୍ଚଳ ଦେଇ ପୋଛିନେଲା ଥରେ । ହତବାକ ସବ୍ୟସାଚୀ ବିମୂଢ଼ ହୋଇଯାଇଥିଲା । କିଛି ସମୟ ବସିରହିବା ପରେ ତାକୁ ସେଇଠି ସେଇପରି ଅପେକ୍ଷା କରୁଥିବାର ଦେଖି କହିଲା ସେ–ଏତେ ରାତିରେ ମତେ କାହିଁକି ଡାକୁଛ ତମେ ? କ’ଣ ହୋଇଛି ତୁମର ?

–ମୋର ସର୍ବନାଶ ହବାକୁ ଯାଉଛି ବାବୁ ! ଯଦି ଟିକିଏ ଆସନ୍ତୁ...ସାହା ଭରସା କେହି ନାହିଁ । କେଜାଣି କାହିଁକି ତୁମ କଥା ମନେପଡ଼ିଲା । ଚାଲିଆସିଲି ।

ଅନୁନୟ କଲା ଶୁଭ ।

ଆଶ୍ଚର୍ଯ୍ୟ ହୋଇଯାଇଥିଲା ସବ୍ୟସାଚୀ । ଏହା ପୂର୍ବରୁ କେବଳ ତା’ ନାମ ଜାଣିବା ଛଡ଼ା ଓ ତାକୁ ଦେଖିବା ବ୍ୟତୀତ, ତା’ ସହିତ ଅନ୍ୟ ସମ୍ପର୍କ ନ ଥିଲା ତା’ର । ଏହିପରି ସାହିର କେତେଲୋକଙ୍କୁ ଜାଣେ ସେ । କିନ୍ତୁ ସେଥିରେ ପରିଚୟ ନାହିଁ, ଆତ୍ମୀୟତା ନାହିଁ । ଏତେ ରାତିରେ, ଗୋପନରେ ତାକୁ ଡାକିବାର ଅଭିପ୍ରାୟ କି ? ଅର୍ଥ କଅଣ ? କିଛି ବୁଝିନପାରି ଉଠିଆସି ଝରକାକୁ ଲାଗି ଛିଡ଼ାହେଲା ସବ୍ୟସାଚୀ ।

ହଠାତ ହାତ ଦୁଇଟିକୁ ଜାବୁଡ଼ି ଧରି କଇଁ କଇଁ ହୋଇ କାନ୍ଦିପକେଇଲା ଶୁଭା–ମତେ ରକ୍ଷାକର ବାବୁ । ଟିକିଏ ଆସ ।

ବିବ୍ରତ ହୋଇପଡ଼ି କହିଲା ସବ୍ୟସାଚୀ କଅଣ ହୋଇଛି କୁହ...

–ଏଠାରେ ଏତେ କଥା କୁହାଯାଏନା ବାବୁ । ଆସ ମୋ ସାଙ୍ଗରେ । ବେଶୀ ସମୟ ନେବିନି ମୁଁ ।

–ଏତେ ରାତିରେ ତୁମ ସହିତ ତୁମ ଘରକୁ ଯିବାକୁ କହୁଛ ମତେ ?

–ହଁ, ଭୟ କରନା ବାବୁ । ସମୟ ଅଳ୍ପ, ଡେରି କରନା ।

ସନ୍ଦେହ ଓ ସଙ୍କଟରେ ଦୋଳାୟନମାନ ଅବସ୍ଥାରେ ହାଉଯାଉ ଖାଉଥିଲା ସବ୍ୟସାଚୀ । ସେ ସେପଟୁ ବୁଲି ଦରଜା ଖୋଲି ବାହାରକୁ ଆସିଲା ଯନ୍ତ୍ରଚାଳିତ ପରି । କେଉଁ ଅଜଣା ଶକ୍ତି ଯେପରି ବାଧ୍ୟକରି ତାକୁ ପଥ କଢ଼ାଇ କାଢ଼ିନେଲା ଭିତରୁ ।

ତାକୁ ପ୍ରାୟ ଟାଣି ଟାଣି ତା’ ଘର ଭିତରକୁ ନେଇଯାଇ ଭିତରୁ କବାଟ ବନ୍ଦ କରିଦେଲା ଶୁଭା । ଏପର୍ଯ୍ୟନ୍ତ ଯନ୍ତ୍ରଚାଳିତ କଣ୍ଢେଇ ପରି ସବୁ କରିଯାଉଥିଲା ସବ୍ୟସାଚୀ । ହଠାତ୍ ଚିନ୍ତା କରିବାରେ ଲାଗିଲା । ଶୁଭା ତା’ର କେହିନୁହେଁ, ଅଥଚ ସେ କାହିଁକି ଆସିଲା ତା’ ଘରକୁ । ଭାବି ଭାବି ଠିକ୍ କରିଛି କି ଭୁଲ୍ କରିଛି ଠିକ୍ କରିପାରିଲା ନାହିଁ ।

 

ସ୍ୱଳ୍ପାଲୋକିତ କୋଠରୀ ଭିତରେ ଲକ୍ଷ୍ୟକଲା ସବ୍ୟସାଚୀ ଯେପରି ତାରି ପ୍ରତୀକ୍ଷା କରି ସୁନିପୁଣ ଏବଂ ସୁଚାରୁ ଭାବରେ ଶୁଭା ସଜାଇଛି ସବୁ । ଝରକା ବନ୍ଦ କରିଦେଇଥିଲା ଶୁଭା । ଗରମ ଲାଗୁଥିଲା ଘର ଭିତରେ । କିନ୍ତୁ ଉଦବେଗ ଓ ଆଶଙ୍କାରେ ଖୋଲିବା ପାଇଁ ସାହସ କଲାନି ସବ୍ୟସାଚୀ । ସେ ଦେଖିଲା ସେ ଏକୁଟିଆ ବସିଛି । ତାକୁ ଏପରି ଅବସ୍ଥାରେ ଛାଡ଼ିଦେଇ ସେ ଗଲା କୁଆଡ଼େ । ବେଶ୍ ଆଶ୍ୱସ୍ତି ଅନୁଭବ କଲା ସବ୍ୟସାଚୀ । ଜାଣିଶୁଣି ଶୁଭାଭଳି ଜଣେ ମୁକ୍ତଭୋଗିନୀର ଗୃହାଞ୍ଚଳକୁ ଆସିଥିବାରୁ ଧିକ୍କାର କଲା ନିଜକୁ । କିନ୍ତୁ ଆସିଲାବେଳେ ଏତେ କଥା ଭାବିବାର ବା ବିଚାର କରିବାର ବେଳନଥିଲା, ବୁଦ୍ଧି ବା ସାହସ ନ ଥିଲା । ସେ ବସି ରହିଲା ସେଇପରି ଆଶ୍ୱସ୍ତିର ଅନ୍ତର୍ଦ୍ୱନ୍ଦ୍ୱରେ କ୍ଷତବିକ୍ଷତ ହୋଇ । କୌଣସି ପ୍ରଶ୍ନର ଉତ୍ତର ପାଇପାରିଲା ନାହିଁ-

 

ସବୁ ପ୍ରଶ୍ନ ଅନୁତ୍ତର ରଖି ଯେତେବେଳେ ଶୁଭା ଆସି ତା’ର ପାଦଛୁଇଁ ପ୍ରଣାମକଲା, ସବ୍ୟସାଚୀ ଚକିତ ଚିତ୍ତରେ କେବଳ କହିଲା–ଏ କ’ଣ, ଏ କ’ଣ କରୁଛ ତମେ...

 

–ଆଜି ଯେ ମୋର ଜନ୍ମଦିନ ବାବୁ !

 

କହୁ କହୁ ମୁଣ୍ଡଉଠାଇ ଚାହିଁଲା ଶୁଭା । ସେ ଚାହାଣିରେ ସେତେବେଳେ କି ଥିଲା କେଜାଣି ଆଉ କିଛି ପଚାରି ପାରିଲା ନାହିଁ ସବ୍ୟସାଚୀ । ଏତେ ରାତିରେ ଏପରି ଭାବରେ ଛଳନା କରି ଡାକିଆଣିଥିବା ଯୋଗୁଁ ତିରସ୍କାର କରିପାରିଲା ନାହିଁ । ଅଳ୍ପ ସମୟ ପୂର୍ବରୁ ମୁକ୍ତ ସବ୍ୟସାଚୀ ଯେପରି ପରାଧୀନତାର ନାଗପାଶରେ ବନ୍ଦୀ ।

 

ତାକୁ କିଛି କହିବାର ସୁଯୋଗ ନଦେଇ ତା’ ହାତ ଉପରେ ନିଜର ହାତ ରଖିଲା ଶୁଭା । ତଡ଼ିତ ବେଗରେ ଅଲଗା ହୋଇ ଅନାଇଲା ସବ୍ୟସାଚୀ । ଆଖିରୁ ଅଗ୍ନି ବନ୍ୟା ଛିଟିକି ପଡ଼ିଲା ଯେପରି । କିନ୍ତୁ ଶୁଭାର ସ୍ନିଗ୍ଧ, ପ୍ରସ୍ଫୁଟିତ, ଅବନତ ମୁହଁଟିକୁ ଅନେଇ ନରମ ହୋଇଗଲା ସେ । ଆହା, ବିଚାରୀ । ଜନ୍ମଦିନରେ ଆଶୀର୍ବାଦ ତାକୁ ନଦେଉ କିନ୍ତୁ ଅଭିଶାପ ଦବ କେଉଁ ସାହସରେ ।

 

ଶୁଭା ସଜାଇଥିଲେ ନିଜକୁ । ତା’ ମୁହଁଟି ଯେ ଏଡ଼େ ସୁନ୍ଦର, ଦେହରେ ଏତେ ଲାବଣ୍ୟ ଏବଂ ଗତିରେ ଏତେ ଛନ୍ଦ ଏହା ପୂର୍ବରୁ ଦେଖିନଥିଲା । ଅଥଚ ସେଇ ସ୍ନିଗ୍ଧତା ଭିତରେ ପ୍ରାଣ ପ୍ରାଚୁର୍ଯ୍ୟର ସୁଷମାକୁ ଯେପରି ବେଦନାର ଏକ ସରୁ ପ୍ରଲେପ ଦେଇ ଢାଙ୍କିଦେଇଥିଲା କିଏ !

 

–ମିଛ କହିନଥିଲେ ତୁମେ ତ ଆସିନଥାନ୍ତ ବାବୁ ।

 

ଅଳପ ହସି କହିଲା ଶୁଭା । ଲାଜ ମିଶା ହସ ଏତେ ସୁନ୍ଦର ଏବଂ ପ୍ରାଣବନ୍ତ ହୋଇପାରେ ବୋଧେ ଦେଖିବାର ଏଇ ପ୍ରତମ ସୁଯୋଗ ପାଇଲା ସବ୍ୟସାଚୀ ।

 

କୋଠରୀ ଭିତରେ ଧୂପବତୀର ମହମହ ସୁବାସ । ମନଟା ନଇଁଆସୁଥିଲା ବାଉଁଶ କଣି ପରି । ପୁଣି ତା’ ହାତ ଉପରେ ହାତ ରଖି କହିଲା ଶୁଭା–ଆଜି ମୋ ଜନମଦିନ । ବୋଉ ଏବଂ ଭାଇ ବ୍ୟତୀତ କେହି ତ ନାହାଁନ୍ତି ଆଉ । ସେମାନେ ଗାଆଁରେ । ଜୀବନ ଅଛି, କିନ୍ତୁ ଜୀବିକା ନାହିଁ-

 

–ଚଳୁଛି ତା’ହେଲେ କିପରି ?

 

ମୁହଁରୁ ବାହାରିଗଲା ସବ୍ୟସାଚୀର ।

 

ଉତ୍ତର ଦବାପାଇଁ ପ୍ରସ୍ତୁତ ନଥିଲା ଶୁଭ । କିନ୍ତୁ ଆତ୍ମସମ୍ବରଣ କରି କହିଲା ଯେ–ଏଇଥିପାଇଁ ମୁଁ ସଜହୁଏ ପ୍ରତିଦିନ । ମୁଗ୍ଧମୋହିତ କରେ ଅତିଥିକୁ । ମୋର ନୃତ୍ୟର ଲାସ୍ୟ, ତନୁର ବନ୍ୟା ଦେଇ ଅତିଥିକୁ ଭସାଇଦିଏ । ନିଜେ ବୁଡ଼ିରହେ ନିଜପାଖରେ ।

 

‘‘ଛି, ଛି । ଏଇ ମୁକ୍ତଭୋଗ୍ୟା ପାଖକୁ ଆସିଲା ଶେଷରେ ।’’ ମନେ ମନେ ଶିହରିଉଠିଲା ସବ୍ୟସାଚୀ ।

 

ଶୁଭା ବୋଧେ ବୁଝିପାରିଲା । ଆଖିର କରୁଣତାରେ ଟଳମଳ ହେଲା ଦୁଇବିନ୍ଦୁର ଲୁହ । ସେ ନିବେଦନ କଲା–ମତେ ଭୁଲ୍‍ ବୁଝନା ବାବୁ । ମୁଁ ଧରାଦିଏ–ମୋ ବାହ୍ୟରୂପ ଧରାଦିଏ । ଭିତରର ମୁଁ କିନ୍ତୁ ମୁହଁମାଡ଼ି ପଡ଼ିରହେ ଅଭେଦ୍ୟ ଅନ୍ତରର ଶିଳା ଗୃହ ମଧ୍ୟରେ । ସେ ‘ମୁଁ’ ଅସ୍ପୃଶ୍ୟା ନୁହେଁ, ଉଚ୍ଛିଷ୍ଟା ନୁହେଁ । ତାହା ଅକ୍ଷତ, ଅନୁରଞ୍ଜିତ ଏବଂ ଅପରାଜିତ । ସେଇ ଭିତରେ ‘ମୁଁ’ ଆଜି ବସିଛି ତୁମ ପାଖରେ ଟିକିଏ ନିବେଦନ ନେଇ ସମର୍ପଣରେ ସଂକଳ୍ପ ନେଇ ।

 

ଶୁଭା ସତ କହୁଥିଲା । ନିଜର ଅନ୍ତଃହୀନ ଅନନ୍ତ ଅନ୍ତଃସ୍ଥଳର ମାଧୁର୍ଯ୍ୟରେ ସେ ପ୍ରାଣ ବନ୍ୟାର ତୀବ୍ରତାରେ କେବଳ ମୂର୍ତ୍ତ ନୁହେଁ, ପ୍ରଦୀପର ଜ୍ୱଳନ୍ତ ଶିଖାପରି ପ୍ରଦୀପ୍ତ ଓ ମଧୁର । ସେଠାରେ ସେ ବାହାରର ଲାସ୍ୟମୟୀ, ଲଜ୍ୟାହୀନା ତରୁଣୀ ନୁହେଁ–ସେଠାରେ ସେ ଅନୁରାଗ ମଣ୍ଡିତା ସ୍ୱୟଂମୁଗ୍ଧା ଏକ ସ୍ନେହସିକ୍ତ ସୁଷମା । ବାହାରେ ତନୁର ନିବେଦନ । ଭିତରେ ଅନ୍ତରର ଆକୁ କ୍ରନ୍ଦନ । ବାହାରେ ସେ ବଣ୍ୟ କିନ୍ତୁ ଭିତରେ ସ୍ତବ୍ଧ ।

 

ଉତ୍ତର ପୁଣି ଚକିତ ହେଲାନି ସବ୍ୟସାଚୀ । କିନ୍ତୁ ଚିନ୍ତିତ ହେଲା । ଏଇ ଶୁଭା । ହୁଏତ ତାରିପରି ଜୀବନର ଜୟଯାତ୍ରା ପାଇଁ ସଂଗ୍ରାମ କରି କରି ହାରିଯିବା ଆଗରୁ ଏଇ ପଥ ବାଛିନେଲା ଅନ୍ୟ ଉପାୟ ନ ଦେଖି । ଆଜି ସେ ମୁକ୍ତଭୋଗିନୀ । ଦୀର୍ଘଶ୍ୱାସ ଛାଡ଼ିଲା ସବ୍ୟସାଚୀ ।

 

ସେଇ ଟିକକ ଲୋଡ଼ାଥିଲା ଶୁଭାର । ସେ କିଛି ଚାହେଁନା, ଚାହେଁ ଗୋଟିଏ ପ୍ରାଣର ଟିକିଏ ଦରଦ, ଚେନାଏ ସମବେଦନା । ଏତିକି, ସବ୍ୟସାଚୀ ତା’ ବ୍ୟାକୁଳ ହୃଦୟର ବେଦନା ବୁଝିଛି.....ତା’ ଭିତରର ହାହାକାର ଶୁଣିପାରିଛି । ଏତିକି ଚାହିଁଥିଲା ଶୁଭା । ଆଜି ପାଇଛି ସବୁ । ଅନ୍ତରର ଅର୍ଘ୍ୟ ନୀରବରେ ନିବେଦନ କରୁଥିଲା ଯାହାପାଇଁ ଆଜିଯାଏ, ତାକୁ ଜନ୍ମଦିନର ଶୁଭ ଅବସରରେ ଦେଖିବାପାଇଁ ହୃଦୟ ଅଳି କରୁଥିଲା ଅନେକଦିନୁ । ସେଇ ବାସନା, ସେଇ ଦାବିକୁ ପୂର୍ଣ୍ଣ କରିବାପାଇଁ ସବ୍ୟସାଚୀକୁ ନେଇଆସିଥିଲା ଶୁଭା ।

 

ବାବୁ....

 

ମୁହଁ ଫେରାଇ ଚାହିଁଲା ସବ୍ୟସାଚୀ । ଦେଖିଲା ଶୁଭା କାନ୍ଦୁଛି । କାନ୍ଦୁ, କାନ୍ଦିବା ପାଇଁ ସିନା ତା’ର ଜନ୍ମ । ସେଇ କ୍ରନ୍ଦନର କୋହ ବିପୁଳ ବିଶ୍ୱର କୋଟି କୋଟି କୋହଚ୍ଛ୍ୱାସର କରୁଣ ମୂର୍ଚ୍ଛନା ପରି ମନେହେଲା ତା’ର ।

 

ଯାହା କେବେ କରିନି, ଆଜି କରି ବସିଲା ସବ୍ୟସାଚୀ । ଶୁଭାର ଓଠ ଧରି–ନିଜର ବିଦଗ୍ଧ ଦୃଷ୍ଟିଆଗରେ ଟେକିଧରିଲା ତା’ ମୁହଁଟିକୁ ।

 

ସେଇ ସ୍ପର୍ଶ ପାଇ ନିଜକୁ ଆଉ ସମ୍ଭାଳି ରଖିପାରିଲା ନାହିଁ ଶୁଭା । ବରଫ ଯେପରି ଉତ୍ତାପ ପାଇଲେ ତରଳି ବହିଯାଏ ତଳକୁ, ସେଇପରି ଅନ୍ତରର ସମସ୍ତ ଉଚ୍ଛ୍ୱାସ ବହିଆସିଲା ଆଖିର ସହସ୍ରଧାର ହୋଇ । ସେ ଲୋଟିପଡ଼ିଲା ସବ୍ୟସାଚୀର ପାଦ ତଳେ ।

 

ତା’ ମଥାଉପରେ ହାତରଖି ସାନ୍ତ୍ୱନା ଦବାପାଇଁ ଚେଷ୍ଟା କରୁଥିଲା ସବ୍ୟସାଚୀ । ସମବେଦନାର ପରଶପାଇ ଅନେକ ପରିମାଣରେ ଶାନ୍ତହେଲା ସେ ।

 

–ମତେ କ୍ଷମାକର ବାବୁ କଷ୍ଟ ଦେଲି ତମକୁ । କିନ୍ତୁ କ’ଣ କରିବି କୁହ । ଆକୁଳ ହୃଦୟର ଦାବି ଟିକକ ଅସ୍ୱୀକାର କରିପାରିଲିନି । ମୋର ସୌନ୍ଦର୍ଯ୍ୟ ଅଛି, ସଂସାର ନାହିଁ । ନାରୀ ଚାହେଁ ଟିକିଏ ସୁଖ, ନିର୍ଭୟ ଆଶ୍ରୟ । ସେଥିରୁ ବଞ୍ଚିତ ହେଲେ ବି ବହୁଦିନର ପାଳିତ ପ୍ରତୀକ୍ଷାକୁ ପରିତୃପ୍ତ କରିବାପାଇଁ ଡାକିଆଣିଥିଲି ତୁମକୁ । ଆଖିପୂରେଇ, ବୁକୁ ଫୁଲେଇ ଦେଖିବାପାଇଁ.... । ସେ ଆଶାପୂର୍ଣ୍ଣ ହୋଇଛି । ଏବେ ଯାଇପାର ତୁମେ । ଅଟକାଇବି ନାହିଁ ।

 

ଉଠି ଛିଡ଼ାହେଲା ଶୁଭା । ଲୁହଧାର ଶୁଖିଯାଇଛି ଆଖିରୁ ।

 

ପ୍ରହେଳିକା ପରି ମନେକଲା ସବ୍ୟସାଚୀ । ଯେପରି ନିଃଶବ୍ଦ ଗତିରେ ଯାଇଥିଲା ସେଇପରି ଫେରିଆସିଲା ଗୋପନରେ । ଶୁଭା ହୁଏତ ଦ୍ୱାର ବନ୍ଦକରି ଫେରିଯାଇଥିବ ତା’ ପ୍ରକୋଷ୍ଠକୁ । ମେସ୍ ଭିତରକୁ ପଶିବା ପୂର୍ବରୁ ଥରେ ଫେରି ଚାହିଁଲା ସବ୍ୟସାଚୀ । ଶୁଭାର କୋଠରୀର ଝରକା ପାଖରେ ଗୋଟାଏ ଦେହ ଯେପରି ଉଭାହୋଇ ଅପସରି ଗଲା । ସେ ହୁଏତ ଦେଖୁଥିଲା ତା’ ଆସିବା ପଥକୁ ।

 

ଶୋଇବାପାଇଁ ଚେଷ୍ଟା କଲା । କିନ୍ତୁ ଶୋଇପାରିଲାନି । ଅଳ୍ପ ସମୟ ପୂର୍ବରୁ ଏକ ଅଭୂତପୂର୍ବ ଅନୁଭୂତି ତା’ ମନ ଏବଂ ପ୍ରାଣକୁ ଆଚ୍ଛାଦିତ କରିଦେଇଥିଲା । ଆତ୍ମଗୋପନ କରିବାପାଇଁ ଚେଷ୍ଟାକରି ଆତ୍ମପ୍ରକାଶର ବିହ୍ୱଳତା ମଧ୍ୟରେ ପରମ ବିସ୍ମୟରେ ସେ ଅନୁଭବ କଲା....ସେ କାନ୍ଦୁଛି....ତା’ ଆଖିରୁ ଲୁହ ଝରୁଛି.... ।

 

କାନ୍ଦୁଥିଲା ନନ୍ଦ ପାଟଣାର ନିରନ୍ଧ୍ର ଅନ୍ଧକାର । ସେଇ କାନ୍ଦ ସହିତ ସ୍ୱର ମିଳାଇ ନିଃଶବ୍ଦରେ କାନ୍ଦୁଥିଲେ ଏଇ ଦେଶର ଜୀବିକା ନଥାଇ ଜୀବନ ଥିବା ଲକ୍ଷ ଲକ୍ଷ କୋଟି କୋଟି ନରନାରୀ ।

 

ଆକାଶ ଘୂମେଇ ପଡ଼ିଥିଲା । ଘୂମେଇ ପଡ଼ିଥିଲେ ଚନ୍ଦ୍ର, ତାରା ଓ ବିଶ୍ୱବ୍ରହ୍ମାଣ୍ଡ ।

 

ଘୂମେଇ ପଡ଼ିଲା ସବ୍ୟସାଚୀ ।

 

ସମଗ୍ର ଘୂମନ୍ତ ବିଶ୍ୱର ପ୍ରାଣ ଧାରହୋଇ ସୃଷ୍ଟିର ଚେତନଶୀଳତାର ସଙ୍କେତ ବହନ କରି ଜାଗି ରହିଲା ସ୍ୱୟଂମୁଗ୍ଧା, ଆତ୍ମଦତ୍ତା, ସୁହାଗିନୀ ଶୁଭା ।

 

ଆଠ

 

ପାହାନ୍ତିଆ ତାରା ଚିକ୍କଣ ହୋଇଉଠିଲା ଆକାଶରେ । କୁକୁର, କୁକୁଡ଼ା, କେତୋଟି ପକ୍ଷୀର କୁହାଟ ଭାସିଆସିଲା ପାହାନ୍ତା ପବନରେ ।

 

ନିଦ ଭାଙ୍ଗିଗଲା ସବ୍ୟସାଚୀର ।

 

ନିସଙ୍ଗ ବୋଧକଲେ ନିଜକୁ ।

 

ଶୁଭା କଥା ମନରୁ ପୋଛି ଦେଇପାରିନଥିଲା ଯେ । ଯେତିକି ଭାବିଲା ସେତିକି ସେ ତା’ ମନ ଓ ଭାବନାକୁ ଆଚ୍ଛନ୍ନ କରିପକାଇଲା । ବୁଝିବାପାଇଁ ଚେଷ୍ଟା କଲା, କାହିଁକି ଏପରି କଲା ଶୁଭା-। ସେଥିରେ କି ସୁଖ ପାଇଲା ସିଏ ।

 

କିନ୍ତୁ ନିଜେ ଉପଲବ୍ଧି କରୁଥିଲା ଅନ୍ତର ଭିତରେ ଏକ ଅଭିନବ ଆବେଗର ଅନୁରାଗ । ଏପରି କାହିଁକି ହେଲା । କିଛି ଠିକ୍ କରିପାରିଲା ନାହିଁ ସବ୍ୟସାଚୀ ।

 

ମୁଣ୍ଡଟା ଭାରି ଭାରି ଲାଗୁଥିଲା । ନିଦ ହୋଇନି ବେଶୀ । ଅନେକ ବିଷର ଜ୍ୱଳା ଯେପରି ସଞ୍ଚରିତ ହେଉଥିଲା ଉପରୁ ତଳ ପର୍ଯ୍ୟନ୍ତ । ଝରକାର ଦୁଇପଟଯାକ ଖୋଲିଦେଲା । ମଶାରି ଉଠାଇଦେଇ ଟିକିଏ ଘୁଞ୍ଚାଇଆଣିଲା ଖଟକୁ ଝରକାଆଡ଼କୁ । ବାହାରୁ ଝଲକାଏ ଥଣ୍ଡା ପବନ ବାଜିଲା ଆସି ଦେହରେ, ମୁହଁରେ ।

 

କୁଆଁ ତାରା ଡାକୁଛି । କୁକୁଡ଼ା ଡାକୁଛି । ଡାକୁଛି ଅଗଣିତ ପକ୍ଷୀର କାକଳି । ଆସ, ପ୍ରଭାତର ପ୍ରଥମ ଆଲୋକରେ ଅବତୀର୍ଣ୍ଣ ହୁଅ ଜୀବନ ସଂଗ୍ରାମରେ ।

 

ମଣିଷର ଜୟଯାତ୍ରା ଅୟମାରମ୍ଭ ହେଉ ଉଷାର ଆଲୋକରେ । ସେ ଆଗେଇଚାଲୁ ତା’ର ଅସରନ୍ତି ପ୍ରାଣୋଚ୍ଛ୍ୱାସର ଦୁର୍ବାର ପ୍ରବାହରେ ।

 

ମଣିଷର ପଦଧ୍ୱନି ଶୁଭୁଛି । ଭାସିଯାଉଛି ସ୍ଥିତିଶୀଳତା । ମରିଯାଉଛି ପ୍ରତିକ୍ରିୟାଶୀଳତା-। ଅୟୁତ, କୋଟି, ଅର୍ବୁଦ ମଣିଷର କୋଳାହଳରେ ଭରିଉଠୁଛି ବିଶ୍ୱ ସେମାନଙ୍କର ଶ୍ୱାସ ପ୍ରଶ୍ୱାସର ଶବ୍ଦରେ, ଉଠିବସିବାର ଘୋଷଣାରେ, ପାଦ ଉଠାଇବାର ଉତ୍ସାହରେ ଜୟଧ୍ୱନିର ଗୁଞ୍ଜନ ଉଠୁଛି-। ଶିରି ଶିରି ପବନ ଥିରି ଥିରି କରି କହିଯାଉଛି–ଉଠ ଜାଗ, ବରଲାଭ ନକରିବା ପର୍ଯ୍ୟନ୍ତ ଛିଡ଼ାହୁଅ ନାହିଁ ।

 

ସେଇ ଉଦ୍ୟମ ପୁଣି ସକାଳଠାରୁ ଆରମ୍ଭ କରିବ ସବ୍ୟସାଚୀ ।

 

ଆଗକୁ ଚାଲିବାର ଚେତନା ବାଧାପାଇଲା ପୁଣି । ଶୁଭା କଥା ବାରମ୍ବାର ଆସୁଛି ମନକୁ-

 

ସେ ମନେକଲା ଯେପରି ହଠାତ୍ ଦିଗ ନିର୍ଣ୍ଣୟ କରିନପାରି ଛିଡ଼ାହୋଇଯାଇଛି ଚୌରାସ୍ତାର ମଧ୍ୟସ୍ଥଳରେ । ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ । କେଉଁ ଆଡ଼କୁ ଯିବ ? କେଉଁ ପଥ ବାଛିନବ ? ସନ୍ଦେହ ଏବଂ ଶୋଚନା ଦୋଳି ଖେଳୁଥିଲା ମନରେ ।

 

କିଛି ସ୍ଥିର କରିବା ଆଗରୁ ସଂଶୟପୂର୍ଣ୍ଣ ଦୃଷ୍ଟିରେ ଚାହିଁଲା ନିଜକୁ ! ସେ ଯାଉଥିଲା ଏକାକୀ–ଅର୍ବାଚୀନ, ପରିଚୟହୀନ । କାହିଁକି ତା’ ପଥ ପାର୍ଶ୍ୱ ମଣ୍ଡିତ କରି ଅଦିନିଆ ବଣଫୁଲର ମହକ ନେଇ ଛିଡ଼ାହେଲା ଶୁଭା ! କାହିଁକି ପୃଥିବୀର କୋଟି କୋଟି ମଣିଷ ମଧ୍ୟରୁ ବାଛିନେଲା ତାକୁ । ସେ କି ସମସ୍ତଙ୍କଠାରୁ ଅଧିକ ଲମ୍ବା, ମୋଟା ବା ଗେଡ଼ା । ସେ କି ସମସ୍ତଙ୍କଠାରୁ ଅଧିକ ସୁନ୍ଦର ବା କୁତ୍ସିତ ! ତାହାହେଲେ ? ତାକୁ ଚିହ୍ନିନଥିଲେ କ୍ଷତି ତ ହୋଇନଥାନ୍ତା !

 

କିନ୍ତୁ ଲାଭ କ୍ଷତିର ବିଚାର କରି ମଣିଷ ସବୁ କାମ କରେନାହିଁ ! କ୍ଷତି ହେବ ଜାଣି ଜାଣି ମଧ୍ୟ ଅନେକ କାମ କରେ ସେ । କେତେବେଳେ ବା ଲାଭ ହବାର ଆଶା ଥାଇ ମଧ୍ୟ କ୍ଷତି ହବାର ଆଶଙ୍କାରେ ଥରିଉଠେ ।

 

ଚିତ୍ତ ଚଞ୍ଚଳ କରି ଶୁଭା ଛିଡ଼ାହେଲା ମନ ମୁକୁର ଆଗରେ । ମନେପଡ଼ିଲା ତା’ର ଅନୁରାଗ ରଞ୍ଜିତ, ସ୍ନିଗଧ, ସରସ ମୁହଁଟା ସରଳ ଏକ ସାଧାରଣ ନାରୀର ମୁହଁ । ଯେଉଁ ମୁହଁ ନିତି ଦେଖି ଦେଖି ପ୍ରେରଣା ପାଏ ମଣିଷ, ଭୁଲିଯାଏ ଆତ୍ମଗ୍ଳାନି ଓ ପରାଜୟ ଏବଂ ଆଗକୁ ଚାଲେ ସ୍ୱେଦ ଓ ଶୋଣିତ ପୋଛିଦେଇ, ସେଇ ପରିଚିତ ମୁହଁ ଚାରିପାଖରେ ଜନନୀ, ଜାୟା, ଭଗ୍ନୀ ବା କନ୍ୟାର । ଶୁଭାର ମୁହଁଉପରେ ଯୁଗ ଯୁଗର ସେଇ ଶୁଭଦା, କଲ୍ୟାଣମୟୀ, ମମତାମୟି ନାରୀର ପ୍ରାଣ ଫଲଗୁର ସନ୍ଧାନ ପାଇଥିଲା ସେ ।

 

ମନେପଡ଼ିଲା ତା’ର କଥା । ଶୁଭା କହିଥିଲା–ମୁଁ କିଛି ଚାହେଁନା । ମୋର କଳଙ୍କିତ ଜୀବନରେ ଚାହିଁବାର ଅଧିକାର ନାହିଁ । ମୁଁ କେବଳ ମାଗୁଛି ସ୍ନେହ ଟିକିଏ, ଅନୁକମ୍ପା ଟିକିଏ ।

 

ଅଗ୍ନିର ଉତ୍ତାପରେ ସବୁଜଶ୍ରୀ ଶୁଖିଗଲାପରି ପୁରୁଷ ଦେହର ତାତି ସହି ସହି ଶୁଖିଯାଇଥିଲା ତା’ର ପ୍ରାଣଧାର ।

 

ପଚାରିଥିଲା ସବ୍ୟସାଚୀ–ତମେ ଜାଣି ଜାଣି ଏଇ ପଥ ବାଛିନେଲ କାହିଁକି ଯେ...

 

–ଜାଣି ଜାଣି ଇଚ୍ଛାକରି କେହି ଏ ପଥ ବାଛିନିଏନା ବାବୁ । ବନ୍ୟାରେ ବୁଡ଼ିଯାଉଥିବା ଲୋକ କୁଟାଖିଅ ପାଇ ଆଶ୍ରୟ ପାଇଁ ହାତ ବଢ଼ାଏ ।

 

–ଜୀବନ ପାଇଁ ଯଦି ବାଛି ନେଇପାରିଥାନ୍ତା ଆଉ କିଛି ଜୀବିକା–ଆଜି ହୁଏତ ଅନ୍ୟ ପ୍ରକାର ହୋଇଥାନ୍ତା ପରିସ୍ଥିତି ।

 

କିପରି କରୁଣ ସ୍ୱରରେ କହିଲା ସବ୍ୟସାଚୀ ।

 

ତା’ କଥା ଶୁଣି ହସିଦେଇଥିଲା ସେ । ଏଇପରି ଅନେକ କହିଲେ ତାକୁ । କିନ୍ତୁ ପାଇନାହିଁ । ପରାଜିତାର ଗ୍ଳାନି ତେବେ କେଉଁଠି ।

 

ସେ ତଳକୁ ଚାହିଁ ଉତ୍ତର ଦେଇଥିଲା–ଚେଷ୍ଟା କରିଥିଲି, ପାରିଲି ନାହିଁ । ଯେଉଁମାନେ କରୁଣା ଦେଖାଇ କାମ ଦେବେ ବୋଲି ଆଗେଇଆସିଥିଲେ, ସେମାନେ ଆସିଥିଲେ ସେମାନଙ୍କର କାମନାର ତାଡ଼ନାରେ । ସେମାନେ ସମସ୍ତେ ଏକ । ସମସ୍ତଙ୍କର ବିଷପାନ କରି କରି ମୁଁ ଆଜି ଅଭିଶପ୍ତା....ସେହି ଜ୍ୱାଳାରେ ଜର୍ଜରିତା ।

 

ସତ କହିଥିଲା ଶୁଭା । ସେମାନଙ୍କ ମଧ୍ୟରେ ଫରକ ନଥିଲା ବୋଲି ସିନା ସେ ମୁକ୍ତଭୋଗିନୀ...ବେଶ୍ୟା ।

 

ବେଶ୍ୟା....

 

କିଏ ଯେପରି ଚାବୁକ ମାରିଲା ତା’ ଉପରେ । ବେଦନାରେ ଥରିଉଠିଲା ଦେହ । ଯେଉଁ ତରୁଣୀ ଚାହିଁଥିଲା ଚେନାଏ ଭଲପାଇବା, ଟିକିଏ ନିର୍ଭରଯୋଗ୍ୟ ଆଶ୍ରୟ ପାଇଁ ଗୋଟିଏ ଗୋଟିଏ ଛୋଟ ସଂସାର ତାକୁ ସେଥିରେ ବଞ୍ଚିତ କରି ଏଇ ପଥକୁ ରୂପର ପସରା ମେଲାଇ ବଞ୍ଚିବା ପାଇଁ ଠେଲିଦେଇଛି ପୁରୁଷ–ସାହାଯ୍ୟ କରିଛି ସମାଜ ।

 

ଭାଗ୍ୟର ବିଡ଼ମ୍ବନା !

 

ମନେପଡ଼ିଲା ଶୁଭାର ଆଉ କେଇପଦ କଥା । ସେ ପଚାରିଥିଲା ଦୁନିଆର ଏତେ ଲୋକ । ଅଥଚ ମୋତେ କାହିଁକି ଡାକିଆଣିଲୁ କୁହ ତ ?

 

–ସମସ୍ତଙ୍କ ପାଖରେ ତ ପର ପାଇଁ ଦରଦ ନଥାଏ ବାବୁ !

 

ସହଜ ଭାବରେ ଉତ୍ତର ଦେଇଥିଲା ଶୁଭା ।

 

ଆଶ୍ଚର୍ଯ୍ୟ ! ଦିନେହେଲେ ଭଲକରି ଦେଖିନାହିଁ ଯାହାକୁ, ସେଇ ଯେ ଆପଣାର ଭାବି ଡାକିନବ ଜନ୍ମଦିନରେ ଜନ୍ମଜନ୍ମାନ୍ତରର ପ୍ରଣତ ଜଣାଇବା ପାଇଁ–ଏହା ଜାଣିନଥିଲା ସବ୍ୟସାଚୀ ।

 

କିନ୍ତୁ ସେ ନ ଦେଖିଲେ କ’ଣ ହେବ, ତା’ ଆଜ୍ଞାତରେ ତାକୁ ଯେ ଆଉ ଜଣେ ଆଖିପୂରାଇ ଦେଖେ, ମନ ପୂରାଇ ଭାବେ ଏହା ଆଗରୁ ତ ଜାଣିନଥିଲା ସେ । ଶୋଇ ଶୋଇ ଏଇ କଥା ଭାବୁ ଭାବୁ ବିସ୍ମୟରେ ସ୍ତବ୍ଧ ହୋଇଗଲା ଦଣ୍ଡେ ।

 

ଏଇପରି ହୁଏ । ନିଷ୍ଠୁର, ନିଷ୍କରୁଣ ଜୀବନଯାତ୍ରାର କଙ୍କରିତ ପଥଉପରେ ଆହତ ପଦର ଶୋଣିତ, ବ୍ୟାହତ ମନର ଲାଞ୍ଛନା ଏବଂ କ୍ଳାନ୍ତ ଦେହର ସ୍ୱେଦ ପୋଛି ଦବା ପାଇଁ ମଣିଷର ଅଲକ୍ଷ୍ୟରେ ଆଉଜଣେ ଅପେକ୍ଷା କରି ରହିଥାଏ । ତା’ର ଶ୍ରମ ଏବଂ ସାଧନା ଦେଇ, ସ୍ନେହ ଏବଂ ମମତା ଦେଇ ସଂସାର ପଥକୁ ସୁଶୋଭିତ କରେ ।

 

ଶୋଇ ଶୋଇ ଭାବୁଥିଲା ସବ୍ୟସାଚୀ । ସକାଳ ହୋଇଯାଇଛି କେତେବେଳୁ । କିନ୍ତୁ ଅବସାଦ ଥିଲା ଦେହରେ । ଉଠିବା ପାଇଁ ମନ ହେଉନଥିଲା ।

 

ପୂଜାରୀ ଟୋକା ମଦନ ତା’ କୋଠରୀ ଭିତରକୁ ପଶିଆସି ତା’ ଚିନ୍ତାରେ ଚମକ ଆଣି କହିଲା–ବାବୁ, ପୁଲିସ ।

 

ପୁଲିସ ।

 

ହଁ ବାବୁ । ଆମ ସେ ପାଖ ଘରର ସେଇ ଯେ ବେଶ୍ୟା ଘରଟା–ସେଠାରେ କିଏ ଜଣେ ଆତ୍ମହତ୍ୟା କରିଛି ।

 

–କିଏ ? କିଏ ଆତ୍ମହତ୍ୟା କରିଛି ?

 

ଚମକିପଡ଼ି ବିଛଣାରୁ ଏକା କୁଦାକେ ଉଠିପଡ଼ି ଥର ଥର ଛାତିରେ ପଚାରିଲା ସବ୍ୟସାଚୀ ।

 

ସେଇ ବେଶ୍ୟାଟା–ଶୁଭା ନାମ ଯାହାର ।

 

ତା’ କଥା ଶୁଣି ବିସ୍ମୟ, ବିମୂଢ଼ ସବ୍ୟସାଚୀ ନିର୍ଜୀବ ନିଶ୍ଚଳ ପଥର ପରି ଛିଡ଼ାହୋଇ ରହିଲା । କେତେ ସମୟ ପର୍ଯ୍ୟନ୍ତ ସେଇପରି ଯେ ଛିଡ଼ାହୋଇ ରହନ୍ତା କିଏ ଜାଣେ, କିନ୍ତୁ ତାକୁ ହଲାଇଦେଇ କହିଲା ମଦନ–ବାହାରକୁ ଆସୁନା ବାବୁ ।

 

ସେ ସମ୍ବିତ୍ ଫେରିପାଇଲା । ସେଇ ସଙ୍ଗେ ସଙ୍ଗେ ଉପଲବ୍ଧି କଲା ମଥାଟା ଯେପରି ତୀବ୍ର ବେଗରେ ଘୂରୁଛି । ପାଦ ତଳର ଭୂଇଁ ଖସିଯାଉଛି ଯେପରି । ଅନ୍ଧାର ଦିଶିଲା ତାକୁ ଏବଂ ସଙ୍ଗେ ସଙ୍ଗେ ଏକ କରୁଣ ଆର୍ତ୍ତନାଦକରି ତଳେପଡ଼ି ଯାଉ ଯାଉ ତାକୁ ଧରିନେଲା ମଦନ ।

 

ଆଲୋ ମୋ ବୋଉ ଲୋ ! ବାବୁଙ୍କର ୟେ କ’ଣ ହେଲା...

 

ଚିତ୍କାର କଲା ମଦନ ।

 

ଦୁଇ ଚାରିଜଣ ମେସ୍‍ର ଅନ୍ୟ କୋଠରୀର ଦଉଡ଼ିଆସିଲେ । ସବ୍ୟସାଚୀର ମଥାରେ ପାଣି ଛିଞ୍ଚି ଦିଆଗଲା । ଝରକା ପାଖରେ ତାକୁ ଖଟଉପରେ ଶୁଆଇଦେଲେ । ସକାଳର ଶୀତଳ ପବନ ମଥାରେ ଲାଗିଲା ଆସି । ଧୀରେ ଧୀରେ ଚେତନା ଫେରିପାଇ ପୁଣି ଭାବିଲା ସେ–ଶୁଭା ଆତ୍ମହତ୍ୟା କରିଛି । ଅନ୍ତର୍ଦ୍ୱନ୍ଦ୍ୱରେ କ୍ଷତ ବିକ୍ଷତ ହୋଇ ଶେଷରେ ତାହାହେଲେ ସକଳର ଅଲକ୍ଷ୍ୟରେ ଆତ୍ମଦାନ କରି କରି ଆତ୍ମନିୟୋଗ କରିଥିବା ନନ୍ଦ ପାଟଣାର ମୁକ୍ତ ଭୋଗିନୀ, ସହସ୍ର ଶଯ୍ୟାର ନାୟିକା ଶୁଭା ଆତ୍ମବଳି ଦେଇଛି ସଂସାରର ଶେଷ ଲଜ୍ଜା ଟିକକ ରକ୍ଷା କରିବା ପାଇଁ ।

 

–ବାବୁ ! ଆସନ୍ତୁ ବାହାରକୁ ।

 

ଗୋଟିଏ ପିଲା ଡାକିଲା ।

 

କାହିଁକିରେ ?

 

ପଚାରିଲା ମେସ୍‍ର ଆଉଜଣେ ।

 

ସମସ୍ତଙ୍କୁ ଡାକୁଛନ୍ତି ଦାରୋଗା ବାବୁ ।

 

ସମସ୍ତେ ପରସ୍ପର ମୁହଁ ଚାହାଁ ଚାହିଁ ହୋଇ ଉଠିଗଲେ ବାହାରକୁ । ସକାଳେ ଏ କି ବିପଦ ପୁଣି । ମନେ ମନେ ବିରକ୍ତ ହେଲେ ସଭିଏଁ ।

 

ସବ୍ୟସାଚୀ ସାଷ୍ଟାଙ୍ଗ ହୋଇଥିଲା ସେତେବେଳକୁ; ଧୀରେ ଧୀରେ ବିଛଣାରୁ ଉଠି ଜାମାଟା ଦେହରେ ଗଳେଇ ବାହାରିଗଲା ଶୁଣିବା ପାଇଁ ।

 

ସେତେବେଳକୁ ଆଶଙ୍କାରେ ସର୍ବାଙ୍ଗ ତା’ର ଶୀତଳ ହୋଇଯାଇଥିଲା । କିଏ ଯଦି ଶୁଭା ଘରକୁ ତାକୁ ଯିବାର ଦେଖିଥାଏ ରାତିରେ । ପୁଲିସ ଯଦି ଶୁଭାର ମୃତ୍ୟୁ ପାଇଁ ସନ୍ଦେହ କରେ ତାକୁ-। ଶେଷରେ ସେ ତାହେଲେ ଏଇ ଆତ୍ମହତ୍ୟା ସହିତ ଜଡ଼ିତ ହୋଇଯିବ ! ମନେପଡ଼ିଲା ସବ୍ୟସାଚୀର ଆଜି ନୂତନ ପଦରେ ଉପସ୍ଥିତ ହବାର ପ୍ରଥମଦିନ । କି ବିପଦରେ ମଣିଷ ପଡ଼ିଲା ଆସି ।

 

ବାହାରକୁ ଆସି ଚାଲିଆସିଲା ଶୁଭାଘର ପର୍ଯ୍ୟନ୍ତ । ସକାଳର ସୂର୍ଯ୍ୟକିରଣ ଗଛ ଓ ଚାଳ ଉପରଦେଇ ଉଙ୍କି ମାରୁଥାଏ ଦାଣ୍ଡରେ ।

 

ତାକୁ ଦେଖି ଆଗେଇ ଆସିଲେ ଦାରୋଗା ବାବୁ ।

 

–ଆପଣ ବି ଏଇ ମେସରେ ରହନ୍ତି ବାବୁ ।

 

–ହଁ ।

 

–ଏଇ ଆତ୍ମହତ୍ୟା ସମ୍ପର୍କରେ ଜାଣନ୍ତି କିଛି ।

 

–ନା ।

 

–କିଛି ସନ୍ଦେହ କରନ୍ତି ବା କୌଣସି ଅଭିସନ୍ଧି ଥିବାର ଅନୁମାନ କରନ୍ତି ଆପଣ ।

 

–ନା ।

 

–କାଲି ରାତିରେ ଶୁଭା ପାଖକୁ କେହି ଆସିବାର ଦେଖିଥିଲେ କି ?

 

ଢୋକ ଗିଳି ଭାବିବା ପାଇଁ ଚେଷ୍ଟାକଲା ସବ୍ୟସାଚୀ । କି ଉତ୍ତର ଦବ ସେ ? ଅନୁତାପ କଲା ଗତ ରାତିର ଅଭିସାର ପାଇଁ । କାହିଁକି ଗଲା ସେ ? ରାତି ଅଧରେ ଚୋର ପରି ଛପି ଛପି ତା’ ସାଙ୍ଗରେ ? ଏତେ ଲୋକ ଅଛନ୍ତି ଏଇ ନନ୍ଦପାଟଣାରେ, କଟକର କେତେ ଲୋକଙ୍କୁ ଦେହ ଦେଇ ସେମାନଙ୍କର ଦାହ ଉପଶମ କରିଥିଲା ଶୁଭା;କିନ୍ତୁ କାହିଁକି କାହାକୁ ତାହାର ଶେଷ ରାତ୍ରିର ଅନ୍ତିମ ବେଦନା ନଜଣାଇ ଜଣାଇ ଦେଇଗଲା ତା’ ପାଖରେ । ସେ କେହିନୁହେଁ । ଦିନେହେଲେ ପଦେ କଥା, ଝଲକାଏ ଦୃଷ୍ଟି ବି ଦେଇନି ତାକୁ । ପଡ଼ୋଶୀର ପରିଚୟ । ରେଳଗାଡ଼ିର କ୍ଷଣିକ ସମ୍ପର୍କଠାରୁ ଅଧିକ ଅଳୀକ, ଅଧିକ କ୍ଷଣସ୍ଥାୟୀ ।

 

ଉତ୍ତର ଆଶାକରି ଅନାଇ ରହିଥିଲେ ଦାରୋଗାବାବୁ ।

 

ପଥ ନ ପାଇ ମିଛ କହିଲା ସବ୍ୟସାଚୀ–କହିପାରିବିନି । କେହି ଆସିବାର ଦେଖିନାହିଁ ତ !

 

ଆଉ ପଚାରିବାପାଇଁ ପ୍ରଶ୍ନ ନ ଥିଲା କିଛି । ସେ ଶବକୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଦେଲେ ବଡ଼ ଡାକ୍ତରଖାନାକୁ । ଫେରିଗଲେ ପୋଲିସ ଦଳ । ଶୁଭାର ଶବଟିକୁ ନେଇଗଲେ ଡାକ୍ତରଖାନା ।

 

ଶୁଭା ଚାଲିଗଲା । ତା’ ଚଦର ଢଙ୍କା ମୁହଁଟିକୁ ଶେଷଥର ପାଇଁ ଦେଖିବାକୁ ଇଚ୍ଛା ହେଉଥିଲା ସବ୍ୟସାଚୀ । ଆହା ବିଚାରୀ ! ଅଭାଗିନୀ । କିନ୍ତୁ କହିପାରିଲା ନାହିଁ, ଦେଖିପାରିଲା ନାହିଁ ।

 

କେହି କାନ୍ଦିଲେ ନାହିଁ । ଆହା କହ କେହି ଦୁଃଖପ୍ରକାଶ କଲେନାହିଁ । ଯେଉଁମାନେ ତା’ର ରକ୍ତ ମାଂସର ଦେହଟାକୁ ପଳ ପଳ କରି ଶୋଷିନେଇଥିଲେ ସେମାନେ ଗୃଧ୍ନର କ୍ଷୁଧିତ ଚାହାଣିଦେଇ ଥରେହେଲେ ଅନେଇଲେ ନାହିଁ । ଆଲୋଡ଼ା, ଅଖୋଜା, ଅଜଣା ପରି ଚାଲିଗଲା ସେ ।

 

ସବୁ ଦେଖିଲା ସବ୍ୟସାଚୀ ।

 

ଶୁଭାର ଶେଷ ଯାତ୍ରାର ତା’ଠାରୁ ବଳି ବଡ଼ ସାକ୍ଷୀ ଆଉ କିଏ ଅଛି !

 

ଦୂବଘାସଗୁଡ଼ିକ ଉପରେ ପଡ଼ିଥିବା ଶିଶିର ବିନ୍ଦୁଗୁଡ଼ିକ ସକାଳର ନରମ ଖରାରେ ଚିକ୍‍ଚିକ୍‍ କରିଉଠିଲେ । ଚିକ୍‍ଚିକ୍‍ କରିଉଠିଲା ଚକ୍ଷୁର ଦୁଇ କୋଣରେ ଦୁଇ ବିନ୍ଦୁ ଲୁହ । ଅନ୍ୟଆଡ଼କୁ ମୁହଁ ବୁଲାଇ ପୋଛିନେଲା ଲୁଗାକାନିରେ ।

 

ସର୍ବାଙ୍ଗରେ ସର୍ବହରାର ବେଦନା ଅନୁଭବ କଲା କ୍ଷଣିକ ପାଇଁ ।

 

ଆହା ! ବିଚାରୀ !

 

ସର୍ବହରାର ସର୍ବଂସହା ମନଭିତରେ ଅତି ସଂଗୋପନରେ ମୁହୂର୍ତ୍ତକର ସମ୍ପଦକୁ ପରିପୂର୍ଣ୍ଣ ଜୀବନର ସ୍ୱାଦଭିତରେ ଅକ୍ଷୟ କରି ରଖିବାପାଇଁ ନିଜକୁ ବଳିଦେଇଥିଲା ଶୁଭା ।

 

ମନର ଅନ୍ଧି ସନ୍ଧିରେ ଅନୁତାପ ଦଗ୍ଧ ସବ୍ୟସାଚୀ ଗୁଞ୍ଜନ କରିଉଠିଲା–ମୁଁ ଭୀରୁ, ମୁଁ ଅପରାଧୀ । ମତେ କ୍ଷମାକର ।

 

ଶୁଭାର ମରଦେହ ଆଖିର ଅନ୍ତଗଳକୁ ଚାଲିଯାଇଥିଲା ସେତେବେଳକୁ ।

 

ସକାଳ ପକ୍ଷୀର କାକଳିରେ ମଣିଷମାନଙ୍କର ଯିବାଆସିବାର ଗୁଞ୍ଜନ ଭିତରେ କେବଳ ଗୋଟିଏ ଚେତନା ଗୋଟିଏ ସୁର ମର୍ମରି ଉଠିଲା–ଆମେ ଭୀରୁ, ଆମେ ଅପରାଧୀ । ଆମକୁ କ୍ଷମାକର ଶୁଭା କ୍ଷମାକର ।

 

ସର୍ବଂସହା ଧରିତ୍ରୀ ସମସ୍ତଙ୍କୁ ସବୁକାଳରେ ସର୍ବସ୍ୱ ନିବେଦନ କରି କେବଳ କ୍ଷମାହିଁ କରିଆସିଛି । ସବୁ ଭୁଲି ସମସ୍ତଙ୍କୁ ସମାନ ଭାବରେ ଦେଇଆସିଛି । ଅସ୍ତରାଗର ଶେଷ ସ୍ୱାଗତ ଜଣାଇ ଶୁଭାକୁ ମଧ୍ୟ ଟିକିଏ ନିର୍ଭୟ ଆଶ୍ରୟ, ଟିକିଏ ସାନ୍ତ୍ୱନା ଦବାପାଇଁ ବୁକୁପାତି ବ୍ୟାକୁ, ଜନନୀ ପରି ଅପେକ୍ଷା କରୁଥିଲା ପୃଥିବୀ ।

 

ନଅ

 

ହ୍ୟାଲୋ....

 

ଗୁଡ଼୍ଇଭିନିଂ....

 

ଗୁଡ଼୍ଇଭିନିଂ....

 

ହାଓ ଡ଼ୁ ୟୁ ଡ଼ୁ...

 

ହାଓ ଡ଼ୁ ୟୁ ଡ଼ୁ...

 

ସମଗ୍ର ଜଗତଟା ଯେପରି ହ୍ୟାଲୋ କହି ଶୁଭସନ୍ଧ୍ୟା ଜଣାଇ ତୁମେ କିପରି ଅଛ, ମୁଁ କିପରି ଅଛି, ସମସ୍ତେ କିପରି ଅଛନ୍ତି ପଚାରିଦେଇଗଲା । ଆଉ ପାଶ୍ଚାତ୍ୟ ସଭ୍ୟତାର କାଏଦା ରକ୍ଷାକରି ସମସ୍ତେ ଏକ ସ୍ୱରରେ ସମାନ ଉତ୍ତର ଦେଲେ–ତୁମେ କିପରି ଅଛ ।

 

ସେ ପଚାରୁଛି, ତୁମେ କିପରି ଅଛ । ତୁମେ ବି କହିଲ, ତୁମେ କିପରି ଅଛ !

 

ଭଲ ଅଛି କି ମନ୍ଦ ଅଛି କହିବାର ଉପାୟ ନାହିଁ । ଶିଷ୍ଟାଚାର ବିରୁଦ୍ଧ । ସମସ୍ତେ ସମସ୍ତଙ୍କୁ ଦେଖି କେବଳ ଆଖି ନଚେଇ, ମନ ଖେଳାଇ, ସ୍ପର୍ଶଦେଇ କହିଯାଅ–ତୁମେ କିପରି ଅଛ ।

 

ସେ କିନ୍ତୁ ଆଖିର ଇଶାରାରେ ଓଠ ତଳର ଭାଷାରେ ଏବଂ ତନୁର ଆମନ୍ତ୍ରଣରେ ତୁମକୁ କହୁଛି...ମୁଁ ଭଲ ଅଛି । ତମେ ଭଲ ଅଛ ତ ?

 

–ହଁ ହଁ ଭଲ ଅଛି । ନ ହେଲେ ଏଇ ଭିଜା ସନ୍ଧ୍ୟାରେ ହୋଟେଲ କ୍ୟାପିଟାଲକୁ ମୁଁ ଆସନ୍ତି କାହିଁକି ?

 

ତରଳ ହସର ପ୍ରଲେପ ଦେଇ କହିଲେ ପାରିଜାତ ବାବୁ ।

 

–ଭିତରଟାକୁ ଟିକିଏ ଭିଜେଇ ଦିଅନ୍ତୁ ମିଃ ମହାନ୍ତି ।

 

କଟାକ୍ଷ ହାଣି କହିଲା ଉଷା ଖାନ୍ନା ।

 

–ହ୍ୱାଟ୍ ଡୁ ୟୁ ଲାଇକ୍ ଟୁ ହାଭ୍...ତମେ ପିଇବାକୁ କଅଣ ପସନ୍ଦ କର ।

 

ଉଷାକୁ ବାର୍ ଭିତରକୁ ଟାଣି ନଉଁ ନଉଁ କହିଲେ ପାରିଜାତ ।

 

–ଲେଟ୍ଅସ୍ ସେଲିବ୍ରେଟ୍ ଉଇଥ୍ ‘ପିଙ୍କ୍ଲେଡ଼ି’ ।

 

କହିସାରି ହସିଉଠିଲା ଉଷା । ହସିଉଠିଲେ ପାରିଜାତ ।

 

ଦୁହେଁ ଗୋଟିଏ ସ୍ୱଳ୍ପାଲୋକିତ କାବିନ ଭିତରେ ବସିଲେ ଯାଇ ।

 

ଛୋଟ କ୍ୟାବିନ ଭିତରେ କାଉଚ । ଚାରିପାଖରେ ଚାରି ରଙ୍ଗର ପସରା । ଓହଳି ପଡ଼ିଥିବା ମନିପ୍ଳାଣ୍ଟ ଘେରା ଅନୁଜ୍ଜ୍ୱଳ ନୀଳବତୀ । କ୍ଷୀଣାଲୋକ ଚାରିପାଖରେ ଅନ୍ଧକାର ଲୁଚକାଳି ଖେଳୁଛି ଆମନ୍ତ୍ରଣ ଜଣାଇ ଜଣାଇ ।

 

କୁର୍ଣ୍ଣିସ କରି ବୟ ଆସି ଛିଡ଼ାହେଲା ସାମ୍ନାରେ ।

 

–ମ୍ୟାନେଜର.....

 

ଆଦେଶ କଲେ ପାରିଜାତ ।

 

–ହଜୁର.....

 

କୁର୍ଣ୍ଣିସ କରି ଅନ୍ତର୍ହିତ ହୋଇଗଲା ବୟ ।

 

କ୍ଷଣିକରେ ମ୍ୟାନେଜର ଆସି ଅଭିବାଦନ ଜଣାଇଲେ । ମୁହଁଉପରେ ହସ ଖେଳାଇ କହିଲେ ବିନୟ କରି–ଆଦେଶ କରନ୍ତୁ ସାର୍....

 

–ଦେଖନ୍ତୁ ଆଜି ମିସ୍‍ ଖାନ୍ନା ‘ପିଙ୍କ୍ଲେଡ଼ି’ ଦେଇ ଉପଭୋଗ କରିବାପାଇଁ ଚାହାଁନ୍ତି । କରିପାରିବେ ତ ?

 

–ଆପଣଙ୍କ ପାଇଁ କିଛି ଅଭାବ ନାହିଁ ସାର୍ । ବର୍ତ୍ତମାନ ପଠାଇଦଉଛି ।

 

–ବେଶ୍, ବେଶ୍ ! ଟିକିଏ ଶୀଘ୍ର କରିବେ । ମୋର ଗୋଟାଏ ଆପଏଣ୍ଟମେଣ୍ଟ ଅଛି ସାଢ଼େ ଆଠଟାରେ ।

 

ମ୍ୟାନେଜର ଚାଲିଗଲେ ଜିନ ସହିତ ଅଣ୍ଡାର ଧଳା ଅଂଶ ଏବଂ ଗ୍ରେନାଡ଼ିନ ମିଶାଇ ‘ପିଙ୍କ ଲେଡ଼ି’ ପ୍ରସ୍ତୁତ କରିବାପାଇଁ ।

 

ଉଷାର ନଗ୍ନ ସ୍କନ୍ଧ ଉପରେ ଟିକିଏ ଚାପଦେଇ କହିଲେ ପାରିଜାତ–ଆଜିର ପାଗ କିନ୍ତୁ ଚମତ୍କାର ମିସ୍‍ ଖାନ୍ନା ।

 

–ମାରଭଲାସ ଇନ୍ଡ଼ିଡ଼୍ ।

 

–ତା’ ପରେ ଖବର କ’ଣ ?

 

–ଖବର ତ ସବୁ ଆପଣମାନଙ୍କ ପାଖରେ । କିନ୍ତୁ ଆପଣଙ୍କୁ ଶନିବାରର କକଟେଲରେ ଦେଖିଲି ନାହିଁ ଯେ ।

 

ଅଭିଯୋଗ କଲା ଉଷା ।

 

–ମୁଁ ଆସିନପାରି ଅତ୍ୟନ୍ତ ଦୁଃଖିତ ମିସ୍‍ ଖାନ୍ନା । କଅଣ କରିବି କୁହନ୍ତୁ ! ଗୋଟାଏ ସାମାଜିକ ତଥା ଆଧ୍ୟାତ୍ମିକ ଉତ୍ସବକୁ ଯାଇଥିଲି ବାଧ୍ୟହୋଇ ।

 

–ମୁଁ ଆଶ୍ଚର୍ଯ୍ୟ ହେଉଛି ମିଃ ମହାନ୍ତି । ହୋଟେଲ କ୍ୟାପିଟାଲକୁ ଛାଡ଼ି କଟକରେ ଆଉ କେଉଁଠାରେ ଆଭିଜାତ୍ୟ ବଜାୟ ରଖି ସାମାଜିକ ଉତ୍ସବ କରାଯାଇପାରେ ଏୟା କିନ୍ତୁ ମୁଁ କଳ୍ପନା ବି କରିପାରୁନାହିଁ ।

 

–ସେକଥା ସତ । କିନ୍ତୁ କହିଲି ପରା ସୋସିଓ ରିଲିଜିଅସ୍, ସତ୍ୟନାରାୟଣ ପୂଜା ନାମ ଶୁଣିଥିବେ ନିଶ୍ଚୟ ।

 

–ହ୍ୱାଟ୍ସ ଦ୍ୟାଟ୍ । କ୍ଷମା କରିବେ ପଚାରୁଛି ବୋଲି ।

 

ଭୂରୁ ନଚାଇ କହିଲା ଉଷା ଖାନ୍ନା । କିନ୍ତୁ ତାପରେ ତାଙ୍କୁ କୁହାଇନଦେଇ ଯୋଗକଲା–ଆଇ ସପୋଜ କାହା ପୁଅ ସତ୍ୟନାରାୟଣର ଜନ୍ମଦିନ ପୂଜା ! ଆମ୍ ଆଇ କରେକ୍ଟ ?

 

ହୋ ହୋ କରି ହସିଉଠି ତାପରେ କହିଲା ପାରିଜାତ–ଆରେ ନା, ନା ! ସେ ଆମ ହିନ୍ଦୁମାନଙ୍କର ତେତିଶ କୋଟି ଦେବାଦେବୀମାନଙ୍କ ମଧ୍ୟରୁ ଅନ୍ୟତମ ।

 

ହସି ହସି ଗଡ଼ିଗଲା ଉଷା ଖାନ୍ନା ।

 

ହସର ବନ୍ୟାରେ ଖସିଗଲା ବକ୍ଷର ସ୍ୱଳ୍ପାବୃତ୍ତ ଆଭରଣ । ଚହଲିଗଲା ଦେହ । ମହକିଉଠିଲା ମନ ।

 

ସେତେବେଳକୁ ଗ୍ଳାସ୍ ଭର୍ତ୍ତି ‘ପିଙ୍କ ଲେଡ଼ି’ ଟେବୁଲ ଉପରେ ରଖିଦେଇ ଫେରିଯାଇଥିଲା ବୟ । ପ୍ଳେଟରେ କିଛି କାଜୁ ଏବଂ ଚିଙ୍ଗୁଡ଼ି ଭଜା ।

 

ଦୁହେଁ ଉଠାଇନେଲେ ଗିଲାସ ଦୁଇଟି ।

 

–ଗୁଡ଼ ଲକ୍

 

–ଗୁଡ଼ ଲକ୍

 

‘ପିଙ୍କ ଲେଡ଼ି’ର ରଙ୍ଗରେ ଭରିଉଠିଲା ଆକାଶ, ବତାସ, ଅନ୍ତରୀକ୍ଷ ଏବଂ ସସାଗର ଧରା । ଉତୁରିପଡ଼ିଲା ଭିଜା ସନ୍ଧ୍ୟାର ଦୁଇଟି କ୍ଷୁଧିତ ମନର ଅତୃପ୍ତ ବାସନା । ଭିଜିବାରେ ହିଁ ତ ଆନନ୍ଦ !

 

ଭିଜୁଥିଲା ବସୁନ୍ଧରା ।

 

ଶେଷ ଭାଦ୍ରବର ସହସ୍ରଧାର ଝରିପଡ଼ୁଥିଲା । ବିପୁଳା ପୃଥିବୀର ଉନ୍ମୁକ୍ତ ଅଙ୍ଗଲତା ଉପରେ ।

 

–ତାପରେ ସେ ପ୍ରସ୍ତାବଟାର ଶେଷଫଳ କ’ଣ ହେଲା ?

 

ପାରିଜାତଙ୍କ ଭିଜା ମନର ସୁଯୋଗନେଇ କହିଲା ଉଷା ।

 

–ଓଃ । ସେଇ ପରଚେଜ୍ ଅର୍ଡ଼ର କଥା କହୁଛ ତ ।

 

–ହଁ, ହଁ । ଆପଣଙ୍କୁ ଏତେକରି ଅନୁରୋଧ କରିଆସିଥିଲି ।

 

ଉଷାର ଅପାଙ୍ଗରେ ଅନିୟନ୍ତ୍ରିତ ଆମନ୍ତ୍ରଣ ।

 

–ମନେଅଛି । ବେଶ୍‍ ମନେଅଛି । ତେବେ ?

 

–ନା, ନା । ଆପଣଙ୍କୁ ତାହା ଯେପରି ହେଉ କରିଦବାକୁ ପଡ଼ିବ ।

 

–ମୁଁ କଥାଦଉଛି ନିଶ୍ଚୟ ହବ । ଦ୍ୟାଟ୍ ଓଲଡ଼ ହ୍ୟାଗାର୍ଡ଼କୁ ମନାଇଦବାର ମନ୍ତ୍ର ଜଣାଅଛି ମତେ ।

 

–ସେଇଥିପାଇଁ ତ ସିଧା ନଯାଇ ଧରିଛି ଆପଣଙ୍କୁ, ତେବେ ହୁଇଜ୍‍ ଦ୍ୟାଟ୍ ?

 

–ସେଇ ଯେ ମ୍ୟାନେଜିଂ ଡାଇରେକ୍ଟର ନାଏକ !

 

–ଓଃ, ଆଇ ସି । ମୁଁ ଜାଣେ । କିନ୍ତୁ ସେ ତ କ୍ଳବକୁ ଆସନ୍ତିନି ।

 

–ଆରେ ନା, ନା । ତମର ଏଇ ହ୍ୱାଇଟ୍ହର୍ସ, ପିଙ୍କ୍ଲେଡ଼ି, ରେଡ଼୍ହକ୍, ପ୍ରଭୃତି ଦେଖିଲେ ତାଙ୍କର ଅକସ୍ମାତ୍ହାଟଫେଲ କରିବେ ଯେ...

 

ହୋ ହୋ କରି ହସିଉଠିଲେ ପାରିଜାତ । ହସିଉଠିଲେ ନନ୍ଦରାମ ହନୁତରାମ ପରିଚାଳିତ ‘ସେବା ଏବଂ ସେବା’ କମ୍ପାନୀର ସାମାଜିକ ସେକ୍ରେଟାରୀ କୁମାରୀ ଉଷା ଖାନ୍ନା ।

 

ହଁ, ସେବା ଏବଂ ସେବା । ସଂସାରରେ ସେବା ଧର୍ମ ହେଉଛି ଶ୍ରେଷ୍ଠ ଧର୍ମ । ତାକୁ ଛାଡ଼ି ରହିପାରିବେ ନାହିଁ ନନ୍ଦରାମ ହନୁତରାମ । ସେଇ ସେବା ଧର୍ମକୁ ମନରେ ସଦାଜାଗ୍ରତ ରଖି ଜନଗଣର ପାଦତଳେ ପାତ ପ୍ରଦୀପ ଜାଳିଦେଇ ଦେଶ ସେବାରେ ନିଜର ସର୍ବସ୍ୱ ପଣ କରି ଅବତୀର୍ଣ୍ଣ ହୋଇଛନ୍ତି ସେ ଉଦ୍ୟୋଗ କ୍ଷେତ୍ରରେ । ଲିମିଟେଡ଼ କମ୍ପାନୀର ଅନଲିମିଟେଡ଼ କ୍ରୀୟାଶୀଳତା ଆଣିଛି ସମୃଦ୍ଧି, ସମ୍ପଦ । କମ୍ପାନୀର ଏଇ ସୀମାହୀନ ପ୍ରସାରର ପ୍ରକୃତ ଆୟୁଧରୂପେ ଅବତରଣ କରିଛି ଉଷା ଖାନ୍ନା ।

 

ଅନୁଗତ ନହେଲେ ସେବା କରିହୁଏନା । ପାରିଜାତଙ୍କ ହାତ ଅଛି । ଆଧିପତ୍ୟ ଅଛି । ଉପର ମହଲରେ ଯାତାୟତ ଅଛି । ସେଇଥିପାଇଁ ସିଧା ନଯାଇ ବଙ୍କା ପଥରେ ଭେଟିଲା ତାଙ୍କୁ ଉଷା ।

 

ଧରାଦେଲେ ପାରିଜାତ ବାବୁ । ଧରାଦେଲା ଦେଢ଼ଲକ୍ଷ ଟଙ୍କାର ଗୋଟାଏ ପରଚେଜ୍ ଅର୍ଡ଼ର ।

 

ଧରାଧରି ନକଲେ କାମ ହୁଏନା । ସେଇଥିପାଇଁ ଏ ଯୁଗର ନାମ ଜେଟ୍ ବା ରକେଟ୍ ଯୁଗ ନକହି ଏହାକୁ ‘ଧରାଧରି’ ଯୁଗ କହନ୍ତି ହିମାଂଶୁବାବୁ । କଟକର ବିଖ୍ୟାତ ଓ ପ୍ରାତଃ ସ୍ମରଣୀୟ ବ୍ୟକ୍ତି ହିମାଂଶୁ ପଟ୍ଟନାୟକ ।

 

–ହାଲୋ...

 

ଶୁଭରାତ୍ରି ଜଣାଇ ବିଦାୟ ନେଇ ଗେଟ୍‍ ପାରିହେବା ପୂର୍ବରୁ ପ୍ରବେଶ କଲେ ହିମାଂଶୁ ବାବୁ ।

 

ବଡ଼ ବଡ଼ ଅଫିସରେ ସୁଇଙ୍ଗ୍ ଡୋରର ଦୁଇପଟେ ଲେଖାଥାଏ ‘Entrance’ ‘ପ୍ରବେଶ ପଥ’ ଏବଂ Exit ବହିର୍ପଥା । ଯେ ଯାଏ ତାରି ଖୋଲିବାର ଝୁଲଣ ଦେଇ ଅନ୍ୟଜଣେ ଆସେ ।

 

ଆସିଲେ ହିମାଂଶୁ ବାବୁ ।

 

ମ୍ୟାନେଜର ଆସି ଅଭ୍ୟର୍ଥନା ଜଣାଇଲେ ।

 

ଆଜି ନନ୍ଦରାମଜୀଙ୍କର କଥାନା ?

 

ପଚାରିଲେ ହିମାଂଶୁ ବାବୁ ।

 

–ଆଜ୍ଞା ହଁ । ଫୋନ କରିଥିଲେ ଅଳ୍ପ ସମୟଆଗରୁ । ଆସିଯିବେ ଏଇନା ସେ ।

 

ବିନମ୍ର କଣ୍ଠରେ ଉତ୍ତର କଲେ ମ୍ୟାନେଜର ।

 

ହିମାଂଶୁ ବାବୁ ଉପର ମହଲାକୁ ଉଠିଗଲେ ଭଲଲାଗେନା ତଳ ମହଲା । ବହୁତ ଲୋକଙ୍କର ଭିଡ଼ ଜମେ ଏଠାରେ । ସେ ଭଲପାଆନ୍ତିନି ଭିଡ଼ ଭିତରେ ଆତଯାତ ହବାପାଇଁ । ସେ ଚାହାନ୍ତି ଟିକିଏ ନିଭୃତର ନିବିଡ଼ତା, ଟିକିଏ ଗୋପନତାର ଅବଗୁଣ୍ଠନ ।

 

ପୃଥୁଳ ବପୁ, ବାହାରିପଡ଼ୁଥିବା ଉଦରକୁ ଗଳା ବନ୍ଧ କୋର୍ଟ ଭିତରେ କୌଣସି ପ୍ରକାର ବନ୍ଦ କରି ବ୍ୟସ୍ତତାର ସହିତ ପହଞ୍ଚିଲେ ନନ୍ଦରାମଜୀ । ଅଭିବାଦନ କରି ପାଛୋଟିଆଣିଲେ ମ୍ୟାନେଜର । ଅଭ୍ୟର୍ଥନା କଲା ଉଷା । କମ୍ପାନୀର ମ୍ୟାନେଜିଂ ଏଜେଣ୍ଟସ୍ ।

 

–ହିମାଂଶୁ ବାବୁ ଆସିଯାଇଛନ୍ତି ।

 

ପଚାରିଲେ ନନ୍ଦରାମଜୀ ।

 

ଆଜ୍ଞା, ଅପେକ୍ଷା କରୁଛନ୍ତି ଉପରେ ।

 

ଚାଲନ୍ତୁ, ଚାଲନ୍ତୁ । ତୁମେ ବି ଆସ ଉଷାଦେବୀ । ଆଗକୁ ପାଦ ବଢ଼େଇ ମ୍ୟାନେଜର ଏବଂ ଉଷାକୁ କହିଲେ ନନ୍ଦରାମଜୀ ।

 

ସିଡ଼ି ଉପରଦେଇ ତିନିଜଣ ଉପରକୁ ଉଠିଲେ । ସିଡ଼ିରେ ଉଠିବା ପାଇଁ ମୋଟେ ପସନ୍ଦ କରନ୍ତି ନାହିଁ ନନ୍ଦରାମଜୀ । ଅଯଥା ପରିଶ୍ରମ । ତଳେ ଥାଇ ଯଦି ଉପରେ ଥିବା ଜିନିଷକୁ ଧରିହୁଏ ପ୍ରୟୋଜନ କି ଉପରକୁ ଯିବାରେ ? ଜୀବନ ସିଡ଼ିରେ ପ୍ରତି ପଦକ୍ଷେପରେ ଉନ୍ନତିର ଉପର ମହଲାକୁ ଉଠୁଛନ୍ତି ନନ୍ଦରାମଜୀ । କିନ୍ତୁ ବାସ୍ତବ ସିଡ଼ି ଦେଖିଲେ ଗଳଦ୍‍ଘର୍ମ ହୁଅନ୍ତି । କାହିଁକି କିଏ ଜାଣେ ?

 

କିନ୍ତୁ ହୋଟେଲର ହେଡବୟ ଗଙ୍ଗାରାମ କହେ ଉପରକୁ ଉଠିଲେ ଭାରି ପେଟ ତଳକୁ ଟାଣେ । ସେଇଥିପାଇଁ ସାହେବ ଉପରକୁ ଉଠିବାପାଇଁ ଚିଡ଼ନ୍ତି ।

 

ଆଜି ଚିଡ଼ିଲେ ନାହିଁ । ହିମାଂଶୁ ବାବୁଙ୍କ ସହିତ ସାକ୍ଷାତ ହୋଇଗଲା । ନନ୍ଦରାମଜୀ ଉଷା ସହିତ ପରିଚୟ କରାଇଦେଲେ ହିମାଂଶୁବାବୁଙ୍କର ।

 

–କମ୍ପାନୀର ସୋସିଆଲ ସେକ୍ରେଟାରୀ ଉଷାଦେବୀ । ଆଉ ୟେ କଟକର ବିଖ୍ୟାତ ନେତା, ଦେଶ ସେବକ ହିମାଂଶୁ ପଟ୍ଟନାୟକ ।

 

–ଦେଖି ଅତ୍ୟନ୍ତ ପ୍ରୀତ ହେଲି ।

 

କହିଲେ ହିମାଂଶୁ ବାବୁ ।

 

–ଆପଣଙ୍କ ସମ୍ପର୍କରେ ଆସି ଗର୍ବବୋଧ କରୁଛି ।

 

ଗ୍ରୀବା ଦୋହଲାଇ କହିଲା ଉଷା ଖାନ୍ନା ।

 

ସମସ୍ତେ ବସିଲେ ଯାଇ ଭିତରେ । ମ୍ୟାନେଜର ଆଦେଶର ଅପେକ୍ଷା କରି ଛିଡ଼ାହୋଇ ରହିଲେ ।

 

ଏକ୍ସକିଉଜ୍ ମି । କ୍ଷମା କରିବେ । କ’ଣ ଆଣିଲେ ଖୁସି ହେବ ସାର୍ ।

 

ଭୂରୁ ନଚାଇ ହିମାଂଶୁବାବୁଙ୍କଆଡ଼କୁ କଟାକ୍ଷ ହାଣି କହିଲା ଉଷା ।

 

ନନ୍ଦରାମଜୀ ମଧ୍ୟ ଆଗ୍ରହ ଚିତ୍ତରେ ଚାହିଁରହିଲେ ସେଇ ଆଦେଶ ଶୁଣିବା ପାଇଁ ।

 

–ହ୍ୱାଟ୍ ଡୁ ୟୁ ହ୍ୟାଭ । କ’ଣ ପାନୀୟ ଅଛି ଏଠାରେ ? କହିଲେ ହିମାଂଶୁବାବୁ ।

 

–ଆପଣ ଯାହା ଚାହିଁବେ ସବୁ ମିଳିବ ସାର । ହୋଟେଲ କ୍ୟାପିଟାଲରେ ଆପଣଙ୍କ ପରି ବିଶିଷ୍ଟ ଅତିଥିମାନଙ୍କ ପାଇଁ ଅଭାବ ନାହିଁ କିଛି । ବିଅର୍, ରମ୍, ସାମ୍ପେନ, ବ୍ରାଣ୍ଡି, ହୁଇସ୍କି, ଉଦକା...

 

–ସ୍କଚ୍, ରେଡ଼ହକ୍ ?

 

ଅଛି ସାର ।

 

କହିଲେ ମ୍ୟାନେଜର ।

 

–ରେଡ଼ ହକ୍‍ ଆଣନ୍ତୁ । ବରଫ ଟିକିଏ ବେଶୀ ଦେବେ । ତାପରେ ଚିଜ୍‍ ବେଶ୍ ଭଲଲାଗେ ମତେ ।

 

ମୁଁ ଆଣୁଛି ସାର ।

 

କହୁଁ କହୁଁ ତ୍ୱରିତ ପଦରେ ନିଷ୍କ୍ରାନ୍ତ ହୋଇଗଲେ ମ୍ୟାନେଜର ପାର୍ଥସେନ ।

 

–ତାପରେ ଆପଣଙ୍କ ଡିଷ୍ଟିଲରୀ କେତେଦୂର ଗଲା ନନ୍ଦରାମଜୀ ?

 

ପଚାରିଦେଲେ ହିମାଂଶୁ । ଏଇ ସୁଯୋଗକୁ ଅପେକ୍ଷା କରୁଥିଲେ ନନ୍ଦରାମଜୀ ।

 

–କିଛି ତ ହୋଇନି ଆଜ୍ଞା । ଆପଣଙ୍କ ପରି ବଡ଼ ବଡ଼ ଲୋକ ରହିଛେ, ଲେକିନ ସେବା କମ୍ପାନୀ ପଛେଇ ଯାଉଛେ । ଆପଣ ଦୟା ନକଲେ ।

 

ଆରେ ମୁଁ ଏକା ଆଉ କେତେ କରିବି କୁହନ୍ତୁ । ସମସ୍ତେ ଆସି ଧରୁଛନ୍ତି ମତେ ।

 

ଚମକିପଡ଼ିଲେ ନନ୍ଦ ରାମଜୀ । ଆଉ କିଏ କହି ବୋଲି, ଧରାଧରି କରି ଯଦି ଲାଇସେନ୍ସ କରିନିଏ ସବୁ ପଣ୍ଡ ହୋଇଯିବ । ତାଙ୍କର ସମସ୍ତ କଳ୍ପନା ମାଟିରେ ମିଶିଯିବ । ହିମାଂଶୁ ବାବୁଙ୍କ ପାଖରେ ଆଶା, ଭରସା ସବୁ ରଖି ଏପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି ସେ ।

 

କିନ୍ତୁ ଚମକିଲା ନାହିଁ ଉଷା । ଏପରି ଲୋକଙ୍କୁ ହାତମୁଠାରେ ରଖି କାମ ହାସଲ କରିବାପାଇଁ କଷ୍ଟ କରିବା ପାଇଁ ହୁଏନା ତାକୁ । ଖାଲି କମ୍ପାନୀର ଆଦେଶ ହେଲେ ହେଲା ।

 

–ଜନତାର ସେବାରେ ହାମେ ଉତ୍ସର୍ଗ କରିଛେ କୁମ୍ପାନୀକୁ । ଇସିଲିୟେ ନାମ ଦେଇଛେ ‘ସେବା ଔର ସେବା’ । ମୌକା ମିଳିଲେ ଯଦି ସେବାର ସୁଯୋଗ ନ ମିଳିଲେ ହାମକୁ...

 

–ପାଇବା ଏତେ ସହଜ ନୁହେଁ । ଆଜିକାଲି ଦେଖୁଛନ୍ତି ତ ଦଳେ ବେକାର ଲୋକ ନିଶା ନିବାରଣ ବିରୁଦ୍ଧରେ କିମିତି ଅଭିଯାନ ଚଳେଇଛନ୍ତି । ସତ୍ୟାଗ୍ରହ କରିବେ । ଧମକ ଦେଉଛନ୍ତି । ପରିସ୍ଥିତି ବିଶେଷ ଅନୁକୂଳ ନୁହେଁ ନନ୍ଦରାମଜୀ ।

 

–ସେଇଥିପାଇଁ ତ ଆପଣଙ୍କୁ ଧରିଛେ ହିମାଂଶୁ ବାବୁ । ହାମେ ଏକ । ଆଉ କେତେ କରିବେ । ଚୋରା କାରବାର ଚାଲିଛେ ଲାଇସେନ୍ସ ମିଳିଗଲେ ହାମେ ଛ ମହିନାମେଁ କାରଖାନା ଖାଡ଼ା କରିଦେବେ । ଆପଣ ଟିକେ କୋଶିସ୍ ନକଲେ... ।

 

ଆଶାଦବା ଆଗରୁ ଏ ଯୁଗର ପ୍ରତ୍ୟାଶା ନେଇ ପହଞ୍ଚିଲା ହେଡ଼ବୟ ଗଙ୍ଗାରାମ । ହାତରେ ଟ୍ରେ । ସବୁ ସରଞ୍ଜାମ ଟେବୁଲ ଉପରେ ସଜାଇଦେଲା ବୟ ।

 

ଗିଲାସରେ ବରଫ ଦେଇ ହୁଇସ୍କି ଢାଲିଲା ଉଷା । ରକ୍ତ ରଙ୍ଗର ହୋରି ଖେଳ । ଟୁକୁରା ଟୁକୁରା ଧଳା ବରଫ ଲୁଚକାଳି ଖେଳୁଥିଲେ ରେଡ଼ ହକ୍ ସହିତ ମିଶିଯିବା ଆଗରୁ ଯିମିତି ହିମାଂଶୁ ବାବୁଙ୍କ ହାତମୁଠା ଭିତରେ ଧରାଦେବା ଆଗରୁ ଲୁଚକାଳି ଖେଳ ଆରମ୍ଭ କରିଥିଲା ଉଷା ।

 

ସୌଭାଗ୍ୟ କାମନା କରି ରେଡ଼ହକରେ ଚୁମ୍ବନ କଲେ ହିମାଂଶୁ ବାବୁ । ଚୁମ୍ବନ କଲେ ନନ୍ଦରାମଜୀ । ଚୁମ୍ବନ କଲା ଉଷା ଖାନ୍ନା ।

 

ଚିଜ୍‍ର ଗୋଟିଏ ଟୁକୁରା ଚୋବାଉ ଚୋବାଉ କହିଲେ ହିମାଂଶୁ ବାବୁ–ଚେଷ୍ଟା କରିବି । ହେଲେ ନିର୍ଭର ପ୍ରତିଶ୍ରୁତି ଦେଇପାରୁନି ନନ୍ଦରାମଜୀ ।

 

–ଆପଣ ଚେଷ୍ଟା କଲେ ସବୁ ହୋଇପାରିବ ଆଜ୍ଞା ।

 

ଆପଣ କୋଶିସ୍ କରନ୍ତୁ ।

 

ଉଷା ଆଗେଇଦେଲା ଚିକେନ ରୋଷ୍ଟ୍ ଭର୍ତ୍ତି ପ୍ଳେଟ୍‍ଟା । ହିମାଂଶୁ ଉଠାଇନେଲେ ଗୋଟିଏ ଗୋଡ଼ । ନନ୍ଦରାମଜୀ ଚିଜ୍‍ ଖାଇଲେ, କାଜୁ ଖାଇଲେ । ବହୁତ ଆଗେଇଛନ୍ତି । କିନ୍ତୁ ଚିକେନ ବା ମଟନ, ପର୍କ ବା ବିଫ୍ ପର୍ଯ୍ୟନ୍ତ ଯାଇପାରିନାହାନ୍ତି । ଭୟ ପାଆନ୍ତି ମନରେ । ଶ୍ରୀ ଗଣେଶଜୀଙ୍କ ପୂଜା କରନ୍ତି ଘରେ । ଗୋସ୍ ଖାଇଲେ ଗଣେଶଜୀ ଯଦି ଗୁସ୍‍ସା କରନ୍ତି ରେଡ଼ହକ୍ ଆକ୍ରମଣ କରେ ଠିକ୍ ସମୟରେ । କାହାକୁ ବାଦ୍ ଦିଏନାହିଁ । ଉଚ୍ଚାଟନ ତା’ର ଅମୋଘ, ଲକ୍ଷ୍ୟ ଅବ୍ୟର୍ଥ ।

 

ବାଜପକ୍ଷୀ ଦେଖିଛ ! ଆକାଶ ଉପରେ ନିରୀହ ପାରାଗୁଡ଼ିକୁ ଦେଖିଲାକ୍ଷଣି ଯିମିତି ଝାମ୍ପଦେଇ ରକ୍ତ ଟିକକ ଶୋଷିନେଇ ଫିଙ୍ଗିଦିଏ ଏବଂ ପୁଣି ଟାଣିନିଏ ଆଉ ଗୋଟିକୁ, ସେଇପରି ରେଡ଼ହକ୍ ଝାମ୍ପ ଦବାପାଇଁ ତତାଇ ଦେଉଥିଲା ବର୍ଷଣ ମୁଖର ସନ୍ଧ୍ୟାର ଭିଜା ଦେହ ଓ ମନକୁ ।

 

ଗିଲାସ ପରେ ଗିଲାସ ଭର୍ତ୍ତି କରି ବଢ଼ାଇଦେଲା ଉଷା । ପିଇଚାଲିଲେ ହିମାଂଶୁ ବାବୁ । ପଛରେ ପଡ଼ିଥିଲେ ନନ୍ଦରାମଜୀ ।

 

–କୋଶିଷ୍ ମୁଁ କରିବି ନନ୍ଦରାମଜୀ । ଦେଖେ କେଉଁଠିକାର ପାଣି କେଉଁଠିକୁ ଗଡ଼ୁଛି । ତେବେ ହିମାଂଶୁ ପଟ୍ଟନାୟକ ଯେଉଁଠି ହାତଦିଏ ଫେଲ୍‍ ମାରେନା କେବେ ।

 

–ଆଜ୍ଞା ! ଆପଣ ଫେଲ୍‍ ମାରିବେ ? ସେଥିପାଇଁ ହାମେ ଆପଣଙ୍କୁ ଧରିଛେ । ଆପଣ ହାମକୁ ରକ୍ଷା କରିବେ ।

 

–କିନ୍ତୁ ପଛେଇଗଲେ ଚଳିବନି ନନ୍ଦରାମଜୀ ।

 

–ମୁଁ ହାମେ କଥାଦଉଛେ–ପଛେଇବ ନାହିଁ ।

 

–ବେଶ୍, ବେଶ୍ । ସବୁ କାଗଜପତ୍ର ପଠାଇଦେବେ ମୋ ପାଖକୁ । ତାପରେ ଆଉ ଗୋଟିଏ କଥା–

 

–ଆଦେଶ କରନ୍ତୁ ଆଜ୍ଞା ।

 

ଓଡ଼ିଶାର ଚାରିଆଡ଼େ ବନ୍ୟା ଏବଂ ବାତ୍ୟାର ଦାଉରେ ଲୋକ ହାଉଯାଉ ଖାଉଛନ୍ତି । ଏତିକିବେଳେ କ୍ଷତିଗ୍ରସ୍ତ ଲୋକମାନଙ୍କର ପୁନର୍ବାସନ ପାଇଁ...

 

–ଜରୁରୀ । ଆପଣଙ୍କୁ ହାମେ ଏକଲାଖ ରୂପେୟାର ଗୋଟେ ଚେକ୍ କାଲି ପଠାଇଦେବେ । ଆପଣ ତ ପବ୍ଳିକ ରିଲିଫ୍‍ କମିଟିର ସଭାପତି ଆଛେ ।

 

–ହଁ, ହଁ । ସେୟା କରିବେ । ମୁଁ ଦେଖିବି ଆପଣଙ୍କ ଡିଷ୍ଟିଲରୀ ହେବ କିମିତି ।

 

ରେଡ଼ହକର ଦୃଢ଼ତା କଣ୍ଠରେ । କୃତ୍ୟ କୃତ୍ୟ ହୋଇଗଲେ ନନ୍ଦରାମଜୀ । ରାତି ହୋଇଥିଲା । ଶ୍ରୀଗଣେଶଜୀଙ୍କ ପୂଜା କରିବାପାଇଁ ଚାଲିଗଲେ ସେ । ରହିଗଲେ ହିମାଂଶୁବାବୁ, ରହିଗଲା ଉଷା ।

 

ରେଡ଼ହକର ନଖ ଗୁମୁରିଉଠିଲା ସେ ଚାହେଁ ଶିକାର । ଜଳ, ସ୍ଥଳ, ଆକାଶ ବା ଅନ୍ତରୀକ୍ଷ ଯେଉଁଠି ମିଳିବ ସେଇଠିକୁ ଯିବ ରେଡ଼ହକ୍ । କିନ୍ତୁ ଶିକାର ଲୋଡ଼ା । ରକ୍ତର ଦାବି–ରକ୍ତ-। ସେଇଥିପାଇଁ ଯାହା ମୂଲ୍ୟ ଦବାକୁ ପଡ଼ିବ ଦେବେ । ପଛେଇ ଯିବେନି ହିମାଂଶୁ-। ପଛେଇ ଗଲାନି ଉଷା ।

 

କଟକର ବର୍ଷାଭିଜା ଆକାଶ ଉପରେ ଲାଲ୍ ବାଜ ପକ୍ଷୀ ଚକ୍କର କାଟୁଥିଲା ଶିକାର ଖୋଜି ଖୋଜି ।

 

ଶିକାର ସାମ୍ନାରେ, ଅତି ନିକଟରେ ।

 

ଦଶ

 

ନୂତନ କାର୍ଯ୍ୟରେ ଯୋଗଦାନ କରିଛି ସବ୍ୟସାଚୀ ।

 

ଷ୍ଟୁଡ଼ିଓର ଛୋଟ ଅଫିସ୍ । ଅଳ୍ପ କାମ । ସକାଳ ଆଠରୁ ଦିନ ବାର ପୁଣି ଦିନ ଦୁଇର ସନ୍ଧ୍ୟା ପାଞ୍ଚ । କେତୋଟି ଚିଠିପତ୍ର ଏଣୁତେଣୁ ଆସେ । କେତେ ଚିଠିପତ୍ର ଯାଏ । ଚିଠିପତ୍ରରୁ ଯିବାଆସିବା, ନିର୍ଦ୍ଦିଷ୍ଟ ଫାଇଲ୍ ସହିତ ସଂଯୁକ୍ତ କରି ସୁପରିଟେଣ୍ଡେଣ୍ଟଙ୍କ ପାଖରେ ଉପସ୍ଥାପିତ କରିବା ହେଉଛି ତା’ର କାମ ।

 

ଷ୍ଟୁଡ଼ିଓ ଅଫିସ୍ କଟକରେ । କିନ୍ତୁ ପ୍ରକୃତ ଷ୍ଟୁଡ଼ିଓ ଭୁବନେଶ୍ୱର ସନ୍ନିକଟବର୍ତ୍ତୀ ଖଣ୍ଡଗିରିରେ ।

 

ନୂଆ ନୂଆ କାମ ଶିଖିବା ପାଇଁ ବେଶ୍ ଭଲଲାଗେ ସବ୍ୟସାଚୀକୁ । ପ୍ରତିଟି ଚିଠିକୁ ଭଲକରି ପଢ଼େ । ବେଳେବେଳେ ଅବାକ ହୋଇଯାଏ ଚିଠି ପଢ଼ି, ଆଗ୍ରହ ହୁଏ ଅଧିକ ଜାଣିବା ପାଇଁ ।

 

ବମ୍ବେ, କଲିକତା, ମାନ୍ଦ୍ରାଜ ଏବଂ ଦିଲ୍ଲୀରୁ ଚିଠି ଆସେ, ଚିଠି ଯାଏ ଅଧିକ ଓଡ଼ିଆ ଚଳଚ୍ଚିତ୍ର ସମ୍ପର୍କରେ । କୌଣସି କାମର ତ୍ରୁଟି ନାହିଁ ହିମାଂଶୁ ବାବୁଙ୍କର । କରିତ୍‍ କର୍ମା ପୁରୁଷ । ସେଇଥିପାଇଁ ଜମିଦାରୀ ଚାଲିଗଲା ପରେ ମଧ୍ୟ ସାତଜଣ ଜମିଦାର ବା ଗଡ଼ଜାତର ରାଜାଙ୍କ ପରି ଗୋଡ଼ ଭାଙ୍ଗି ଛିଡ଼ାହୋଇନାହାନ୍ତି । ଗଢ଼ିଛନ୍ତି ନିଜର ନୂତନ ଭବିଷ୍ୟତ । ସାମାଜିକ କ୍ଷେତ୍ରରେ ସେବାର ମୁଖାତଳେ ରାଜନୀତି କରନ୍ତି । ଅର୍ଥ ପାଇଁ ଗରିବ ଓଡ଼ିଶାରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରି ଘର ଟଙ୍କା ଘରେ ରଖି ବଡ଼ଲୋକ ହବାର ଉଦ୍ୟୋଗ କରନ୍ତି । ସେଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଯନ୍ତ୍ରପାତି, ସାରସରଞ୍ଜାମ ଖଞ୍ଜିଛନ୍ତି ଷ୍ଟୁଡ଼ିଓରେ । ଆଧୁନିକ ଷ୍ଟୁଡ଼ିଓ । ସର୍ବାଧୁନିକ ଉପକରଣ । ଟେକ୍ନିକାଲ କ୍ୱାଲିଟି ଉତ୍ତମ ହବା ଆବଶ୍ୟକ । ଛବି ଭଲନହେଲେ ଲୋକ କହିବେ କଅଣ । ତାଙ୍କର ପ୍ରତିଷ୍ଠା, ମର୍ଯ୍ୟାଦାରେ ଆଞ୍ଚ ଆସିବ ଯେ । ତେଣୁ ଭଲ ଭଲ ଅଭିନେତା ଓ ଅଭିନେତ୍ରୀ, ପ୍ରଥମ ଶ୍ରେଣୀର ଡିରେକ୍ଟର ଏବଂ ଉଚ୍ଚ ଦରର କୁଶଳୀ କାରିଗରମାନଙ୍କୁ ନିଯୁକ୍ତ କରନ୍ତି ହିମାଂଶୁ । ଛବିକୁ ସର୍ବାଙ୍ଗ ସୁନ୍ଦର କରି ଅନ୍ୟଭାଷାର ଛବିର ସମକକ୍ଷ କରନ୍ତି । ପଛରେ ପଡ଼ିଥିବା ଦେଖାଶିଖା ଓଡ଼ିଆଙ୍କର ଓଡ଼ିଶାକୁ ଆଗେଇନିଅନ୍ତି ।

 

ମୃତ ପତ୍ନୀଙ୍କ ନାମ ଏବଂ ସ୍ମୃତିକୁ ଅମର କରିବାପାଇଁ ନାମ ରଖିଛନ୍ତି–‘ହିମାନୀ କଳା ମନ୍ଦିର’ ।

 

ଅଭିନୟ, ଅଭିନେତା, କଳା ଏବଂ କଳାକାର, ଯନ୍ତ୍ରପାତି, ଫିଲ ରୋଲସ ଏବଂ ଅନ୍ୟାନ୍ୟ ଉପକରଣ ସମ୍ପର୍କୀୟ ନାନା ଚିଠି ପତ୍ରର ଆଦାନପ୍ରଦାନ । ଭାରତ ସରକାର, ସେନସର ବୋର୍ଡ଼, ରାଜ୍ୟ ସରକାର ଛବି ଯୋଗାଣକାରୀ ବ୍ୟକ୍ତି ଓ ଅନ୍ୟାନ୍ୟ ସହଯୋଗୀମାନଙ୍କ ସହିତ ବ୍ୟବସାୟିକ ଚିଠିପତ୍ର, ଭାବ ବିନିମୟ, ତାଗିଦା ବା ଅନୁରୋଧ । ଏହା ବ୍ୟତୀତ ଆହୁରି ଅନେକ ଚିଠି ଆସେ କେତେ କେତେ ଯୁବକ ଯୁବତୀଙ୍କ ପାଖରୁ । ଅଚିହ୍ନା, ଅପରିଚିତ ସମସ୍ତେ । କିନ୍ତୁ ସେମାନଙ୍କର ଚିଠି ପଢ଼ି ସେମାନଙ୍କ ଭିତରର ମନକୁ ସହଜରେ ବୁଝିପାରେ ସବ୍ୟସାଚୀ । ସେମାନେ ଉଭାହୁଅନ୍ତି ରକ୍ତ ମାଂସର ଶରୀର ନେଇ ତା’ ଆଖିଆଗରେ । ଭାସିଉଠେ ସୁନ୍ଦର ମୁହଁ କେତୋଟି ରୂପେଲୀ ପର୍ଦ୍ଦାର ଉପରେ ଯେପରି ଭାସିଉଠେ ନାୟକ, ନାୟିକାର ଅଭିନୟ ।

 

ଏଇ କଳାକାରମାନଙ୍କର ଚିଠିପତ୍ରଗୁଡ଼ିକୁ ବେଶୀ ମନଯୋଗଦେଇ ପଢ଼େ ସେ । ଗୋଟେ ଗୋଟେ ଚିଠି ସହିତ ତରୁଣ ବା ତରୁଣୀଙ୍କର ବିଭିନ୍ନ ପୋଜର ବିଭିନ୍ନ ଫଟୋ । ଦରଖାସ୍ତ ଉପରେ ଅଭିନୟ କୁଶଳତା, ବୟସ, ଉଚ୍ଚତା, ସୌନ୍ଦର୍ଯ୍ୟ ସମ୍ପର୍କରେ ଛୋଟ ସନ୍ଦର୍ଭଟିଏ, ନୃତ୍ୟ, ଗୀତ ଉପରେ ଓ ଅଭିନୟ କରିବାରେ ଅଭିଜ୍ଞତା ସହିତ ଥାଏ ପ୍ରଶଂସା ବା ପ୍ରମାଣପତ୍ର । ନାୟିକା ହବାପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ସଜାଇ ଦେଇଥାନ୍ତି ସେମାନଙ୍କ ଭାଇଟାଲ ଷ୍ଟାଟିଷ୍ଟିକ୍ସ । ଅଙ୍ଗଶ୍ରୀ ନଥିଲେ ଶ୍ରୀହୀନ ହୋଇଯାଏ ଛବି । ମଉଳା ଦେହ ମଉଳା ମନକୁ କେବେ ତତେଇପାରେ ବୋଲି ସ୍ୱୀକାର କରନ୍ତି ନାହିଁ ହିମାଂଶୁବାବୁ ।

 

ଭାଇଟାଲ ଷ୍ଟାଟିଷ୍ଟିକ୍ସ ? ପ୍ରଥମେ ଆଦୌ ବୁଝିପାରିନଥିଲା ସବ୍ୟସାଚୀ । ଦିନେ ବଡ଼ବାବୁ ନିଖିଳ ନାଏକଙ୍କୁ ପଚାରିଦେଲା ଜାଣିବାପାଇଁ । ନିଖିଳ ବାବୁ ତ ହସି ହସି ବେଦମ । ଆରେ, ଭାଇଟାଲ ଷ୍ଟାଟିଷ୍ଟିକ୍ସ କଅଣ ଜାଣିନ...ଅଥଚ ତୁମେ ଇତିହାସର ଛାତ୍ର ?

 

–ଜାଣିନି ତ ଜାଣିନି । ଏଥିରେ ନଜାଣିବାର ଏତେ ଗୌରବ ହାନୀ କେଉଁଠି ରହିଲା ?

 

କୋମଳ କରି କହିଲା ସବ୍ୟସାଚୀ ।

 

ତା’ ମୁହଁକୁ ତୀକ୍ଷ୍ମ ଦୃଷ୍ଟିରେ ଥରେ ଦେଖିନେଇ ନିଖିଳବାବୁ କହିଥିଲେ ବସିବାପାଇଁ ।

 

ବସିଥିଲା ଯେ । ମୁହଁଉପରେ ଶୁଣିବାର ଆଗ୍ରହ ପ୍ରତିଲିପି ସୃଷ୍ଟି କରିଥିଲା ।

 

ତାକୁ ବୁଝେଇଦେଇ କହିଥିଲେ ନିଖିଳ ବାବୁ ଭାଇଟାଲ ଷ୍ଟାଟିଷ୍ଟିକ୍ସ ହେଉଛି ଦେହର କେତେକ ସୂକ୍ଷ୍ମ ତଥା ସ୍ଥୂଳ ଅଂଶର ମାପ । ଏହା ସୌନ୍ଦର୍ଯ୍ୟ ଏବଂ ସ୍ୱାସ୍ଥ୍ୟର ଲକ୍ଷଣ ସୂଚାଇଦିଏ । ଯଥା–ଯାହାର କଟି ଯେତେ ମସୃଣ ଏବଂ କ୍ଷୀଣ, ବକ୍ଷ ଯଦି ସେଇ ଅନୁପାତରେ ଉଚ୍ଚ ଓ ସ୍ଫୀତ ଏବଂ କଟିର ନିମ୍ନାଂଶ ଯେତିକି ସୁସଂଜନ ସେ ସେତିକି ସୁନ୍ଦରୀ ଓ ସ୍ୱାସ୍ଥ୍ୟବତୀ । ସେଇଥିପାଇଁ ଏକ ଭାଇଟାଲ ଷ୍ଟାଟିଟିକ୍ସକୁ ବୟସ ଓ ସମୟୋପଯୋଗୀ ରଖିବାପାଇଁ ଚିତ୍ରତାରକାମାନେ ଦିନ ଦିନ ଧରି ଆସନ ବା ଅନଶନ କରନ୍ତି । ନିୟମିତ ଓ ପରିମିତ ଆହାରର ମେନୁରୁ ଫ୍ୟାଟ୍, ଷ୍ଟାର୍ଚ, ସ୍ୱିଟ୍ ଇତ୍ୟାଦି ବାଦ ଯାଏ । ତା’ ସ୍ଥାନରେ ଆସେ ପ୍ରୋଟିନ୍, କାର୍ବୋହାଇଡ଼୍ରେଟ୍, ମିନାରେଲସ୍, ଭାଇଟାଲିଟି ପାଇଁ ଭିଟାମିନ୍ସ....

 

ଆହୁରି କେତେ ଗପିଥାଆନ୍ତେ ନିଖିଳ ବାବୁ । କିନ୍ତୁ ଆଶ୍ଚର୍ଯ୍ୟଚକିତ ସବ୍ୟସାଚୀ ସେତେବେଳକୁ ଅଥୟ ହୋଇପଡ଼ିଥିଲା । ସବୁ ଜାଣିପାରିଛି ସେ, ସଂଶୟ ଅନ୍ତର ହୋଇଛି ମନରୁ-। ଛି, ଛି । ଲଜ୍ୟା ହୁଏନା କଟି, ବକ୍ଷ, କଟିର ନିମ୍ନାଂଶ ମାପି, ଫଟୋ ପଠାଇ ଅନ୍ୟର ଆଖିଆଗରେ ନିଜର ଗୋପନୀୟ ଲଜ୍ୟାଟିକକୁ ଇମିତି ନଗ୍ନଭାବରେ ପ୍ରକାଶ କରିଦବାପାଇଁ ।

 

ନଗ୍ନତାହିଁ ଏଯୁଗର ଲକ୍ଷଣ । ହୁଏତ ସବ୍ୟସାଚୀ ଆଧୁନିକ ନୁହେଁ, ରକ୍ଷଣଶୀଳ ରହିଯାଇଛି । ନହେଲେ ଦଶଜଣ ସମବୟସୀଙ୍କ ପରି ସେ ବି ତ ନଗ୍ନଦେବ ଓ ନଗ୍ନ ମନକୁ ସ୍ୱାଗତ ଜଣାନ୍ତା ମନରେ, ପଥଉପରେ, ନିଜର ସାନିଧ୍ୟରେ ।

 

ଏବେ ଯେ ଯେତିକି ନଗ୍ନ ସେ ସେତିକି ସଭ୍ୟ । ଶ୍ରେଣୀ ସଚେତନ ସମାଜର ଶୀର୍ଷ ଦେଶରେ ଦେଖାଯାଏ ନଗ୍ନ ହବାର, ଅଶ୍ଳିଳ ହବାର ଆକୁଳ ପ୍ରତିଯୋଗୀତା । ସେଥିପାଇଁ ସେମିଜ କମି କମି, ସ୍ତନ ଓ ପିଠିର ତ୍ରିଭୂଜକୁ ଚିତ୍ତାକର୍ଷକ କରିଛି । ବଟମଲେସ୍‍ ବା ଟପଲେସର ପ୍ରତିଯୋଗୀତାରେ ନଗ୍ନ ନିମ୍ନାଂଶ ବା ନଗ୍ନ ଋର୍ଦ୍ଧାଂଶ ଅଧିକ ଆକର୍ଷଣୀୟ ହେଉଛି ଭୋଖିଲା ମଣିଷର ତତଲା ନିଶ୍ୱାସ ପାଇ । ଲଜ୍ୟା କରନା, ଲୁଚେଇ ରଖନା । ସବୁ ପ୍ରକାଶ କରିଦିଅ । ଆଦିମ, ଆରଣ୍ୟକ ପରି ନିଜକୁ ସହଜ, ସ୍ୱଚ୍ଛନ୍ଦ, ସ୍ୱାଧୀନ କରିଦିଅ ।

 

ଆଜିର ମଣିଷ ସାମାଜିକ । କେବଳ ନିଜପାଇଁ ଉଦ୍ଦିଷ୍ଟ ନୁହେଁ । ଯାହା ଅଛି, ସେଇ ଟିକକୁ ସଂଗୋପନ କରି ନିଜେ ଉପଭୋଗ କରାଯାଏନା । ନିଜର ତୃଷାକୁ ଚରିତାର୍ଥ କରିବାପାଇଁ ଅନ୍ୟର ତୃଷାକୁ ବଢ଼ାଇଦିଅ । ସେଇ ଚିରନ୍ତନୀ, ଅସରନ୍ତି ତୃଷା ପାଇଁ ଏତେ ଜଳ କାହିଁ ସମୁଦ୍ରରେ, ସେଇ ତୃଷିତ ମଣିଷର ଉଦରପୂର୍ଣ୍ଣ କରିବାପାଇଁ ଏତେ ଖାଦ୍ୟ, ମାଂସ ଓ ଶୋଣିତ କାହିଁ ପୃଥିବୀରେ ।

 

ବହୁଦିନ:ତଳେ ହ୍ୱାଇଟି ଦ୍ୱୀପପୁଞ୍ଜର ନଗ୍ନବାଦୀମାନଙ୍କର ଦର୍ଶନ ପଢ଼ିଥିଲା ସବ୍ୟସାଚୀ-। ପଢ଼ିଥିଲା କିଛିଦିନ ତଳେ ହିମାଳୟ ଉପରେ ହିପିମାନଙ୍କର ମୁକ୍ତଭୋଗ ଏବଂ ମହର୍ଷି ଆଶ୍ରମରେ ବିଟଲସମାନଙ୍କର ଯୌନବିଳାସ ।

 

ସବୁଠି ମୁକ୍ତି ଚାହୁଁଛି ମଣିଷ । ସଭ୍ୟତାର ଶୃଙ୍ଖଳ ଅସହ୍ୟ । ଅସଭ୍ୟ, ଅଶ୍ଳୀଳ, ଆରଣ୍ୟକ ହୋଇ ପାଞ୍ଚ ହଜାର ବର୍ଷ ପୂର୍ବର ସେଇ ଆଦିମ, ଅନାବୃତ ଜୀବନକୁ ଫେରିଯିବାକୁ ଚାହେଁ । ଇତିହାସର ଛାତ୍ର ସେ । ‘ଇତିହାସ ନିଜକୁ ପୁନରାବୃତ୍ତି କରେ’ ତତ୍ତ୍ୱଟିକୁ ଏତେ ସତ୍ୟ ଭାବରେ ଆଉ କେବେ ଉପଲବ୍ଧି କରିନଥିଲା କେବେ ।

 

ମୁକ୍ତଭୋଗରେହିଁ ମୁକ୍ତି । ସେଇ ମୁକ୍ତିର ପ୍ଳାବନରେ ସମାଜ–ଶୃଙ୍ଖଳା ଭାଙ୍ଗିଯିବ । ସେଇ ମୁକ୍ତଭୋଗର ଜୟଗାନ କରି କରି ଏଇ ଧରିତ୍ରୀ ଉପରେ ଆଗେଇଆସିବେ ଜାରକ, ବର୍ଣ୍ଣଶଙ୍କରଙ୍କର ଦଳ । ତେଣୁ ପାଶ୍ଚାତ୍ୟ ସହିତ ସ୍ୱର ମିଳାଇ ଏଦେଶର ଯୁବକ ଯୁବତୀ ସ୍ୱର ତୋଳିଛନ୍ତି–ମୁକ୍ତି ଚାହିଁ । ବନ୍ଧନ ମଧ୍ୟରେ ଅଛି କେବଳ ବଞ୍ଚିତର ବଞ୍ଚନା । ଅବଗୁଣ୍ଠନ ଖୋଲିଦିଅ । ଖୋଲିଦିଅ ରୁଦ୍ଧଦ୍ୱାର । ମୁକ୍ତ ବାୟୁ ସହିତ ବହି ଆଣୁ ଚତୁର୍ଦ୍ଦିଗରୁ ଉପଭୋଗର ମତ୍ତହଲ୍ଲୋଳ, ସୂର୍ଯ୍ୟର ଆଲୋକ, ମଳୟର ସ୍ପର୍ଶ, ଉତ୍ତାପର ଦଗ୍ଧତା, ଜୀବନର ମୁଗ୍ଧତା । ଯାହା ଅନାବୃତ ତାହାହିଁ ସତ୍ୟ, ତାହାହିଁ ସୌନ୍ଦର୍ଯ୍ୟ । ସକଳ ଶୃଙ୍ଖଳାରେ ସୃଷ୍ଟିର ସୃଜନୀ ଶକ୍ତିର ବିଲୟ । ପଛରେ ନପଡ଼ି ଅଗ୍ରଗତି କରୁ ଭାରତବର୍ଷ !

 

ସବ୍ୟସାଚୀ ପୁରୁଣାକାଳିଆ ହୋଇଯାଇଛି । ମନେ ମନେ ଆତ୍ମଭୂକର ଆଦର୍ଶ ଦୁନିଆ ଭିତରେ ଆତ୍ମ ସର୍ବସ୍ୱ ହୋଇ ରହିଯାଇଛି । ଏଥିରୁ ବାହାରିପାରିବାର ଶକ୍ତି ବା ସାମର୍ଥ୍ୟ ନାହିଁ ସଂକଳ୍ପ ବା ସାଧନା ନାହିଁ । ବାହାରିଯିବା ପାଇଁ ଚାହେଁନାହିଁ ସେ ।

 

ତା’ର ଭାବନାରେ ବ୍ୟାଘାତ ଆଣି କହିଲା ପିଅନ–ବଡ଼ ବାବୁ ! ନୂଆ ବାବୁଙ୍କୁ ବଡ଼ ସାହେବ ଡାକୁଛନ୍ତି ।

 

–ସବ୍ୟସାଚୀକୁ ? ପଚାରିଲେ ବଡ଼ ବାବୁ ।

 

–ହଁ

 

ବଡ଼ ସାହେବ ହିମାଂଶୁ ଡାକି ପଠାଇଛନ୍ତି । କିନ୍ତୁ କାହିଁକି ? କିଛି ଦୋଷ କଲାକି କାମରେ । ଭାବି ଭାବି କିଛି ସ୍ଥିର କରିପାରିଲା ନାହିଁ ସବ୍ୟସାଚୀ ।

 

–ଯାଅ, ଯାଅ । ଡେରିକରନା । ବଡ଼ ସାହେବ ଖୁବ୍‍ ପ୍ରମ୍ପଟ୍ । ବିଳମ୍ବ ସହ୍ୟ କରିପାରନ୍ତିନି ।

 

ବଡ଼ବାବୁଙ୍କ ମୁହଁକୁ ଜିଜ୍ଞାସୁ ଦୃଷ୍ଟିରେ ଅନାଇଲା ସେ, ପ୍ରଶ୍ନ–କଅଣ କରିବି ?

 

ମନକଥା ବୁଝିଲାପରି ବଡ଼ବାବୁ କହିଲେ–ଭୟନାହିଁ । ତମେତ ଜଏନ୍ କଲା ଦିନ ଆସିନଥିଲେ ସାହେବ । ଆଜି ଦେଖିବେ ବୋଧେ ।

 

ପାଦ ବଢ଼େଇଲା ସବ୍ୟସାଚୀ । ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ ହିମାଂଶୁ ବାବୁଙ୍କ ନିଜ ଚେମ୍ବର ।

 

‘‘ପୁସ୍’’ ଇଂରାଜୀରେ ଦରଜା ଉପରେ ଲେଖାଥିଲା । ଠେଲିଦେଇ ଭିତରେ ପ୍ରବେଶ କଲା ସବ୍ୟସାଚୀ । ଆଃ । କି ଆରାମ । ଶୀତଳ ସ୍ପର୍ଶରେ ଦେହ ମନ ଶାନ୍ତ ମଧୁର ହୋଇଗଲା । ନମସ୍କାର କଲା ସବ୍ୟସାଚୀ ।

 

–ତୁମେ ଜଏନ କରିଛ ?

 

–ଆଜ୍ଞା । ଚାରି ତାରିଖରେ ଜଏନ କରିଛି ।

 

–କେତେଦୂର ପଢ଼ିଛ ?

 

–ଇତିହାସରେ ଏମ୍.ଏ ।

 

–ଭେରି ଗୁଡ଼୍ । ହବି କ’ଣ ?

 

ହବି ? ଅଭ୍ୟାସ କିଛି ଅଛି କି ?

 

ଉତ୍ତର ଦବାକୁ ଯାଇ ଥତମତ ହୋଇଗଲା ସବ୍ୟସାଚୀ । ଆଜିଯାଏ ଚାକିରି ଖୋଜିବା ହିଁ ଥିଲା ତା’ର ହବି । କିନ୍ତୁ କହିଲା ଅପରାଧୀ ପରି–

 

–ସେମିତି କିଛି ନାହିଁ ।

 

–ଏଇ ହଉଛି ଆମ ଓଡ଼ିଆ ପିଲାଙ୍କ ଦୁର୍ବଳତା । ପରୀକ୍ଷାରେ ଆମ ପିଲା ଫାଷ୍ଟ ହେବେ, ଉକ୍ଟରେଟ୍ ପାଇବେ ଥିସିସ୍ ଦେଇ କିନ୍ତୁ ହବି ବେଳକୁ ଶୂନ, କିଛି ନାହିଁ । ଓଡ଼ିଶାରେ ଚାରିଆଡ଼େ ଏତେ ନଦ, ନଦୀ, ବନ, ପ୍ରାନ୍ତର, ସାଗର, ସହିତ ରହିଛି ଗୋଟାଏ କିଛି ବାଛିନିଅ ୟଙ୍ଗମ୍ୟାନ୍ । ଗଲଫ୍, ହକି, କ୍ରିକେଟ୍, ସୁଇମିଙ୍ଗ୍, ଶିକାର ବା ଗାର୍ଡ଼ନିଂ । ଦେହ ଓ ମନ ଉଭୟକୁ ଯଦି ଚିର ସବୁଜ ରଖିବାପାଇଁ ଚାହଁ ତାହେଲେ ଗୋଟାଏ ହବି ଆବଶ୍ୟକ ।

 

–ମୁଁ ଚେଷ୍ଟା କରିବି ସାର୍ ।

 

–ବେଶ୍ । କର । କିନ୍ତୁ ହବା ଚାହିଁ । ନ ହେଲେ ଜୀବନ ଶୁଷ୍କ ନୀରସ ହୋଇଯିବ । ପଙ୍ଗୁ ହୋଇଯିବ ଅକାଳରେ ।

 

ତାପରେ କାମ ଉପରକୁ ଆସି କହିଲେ–କାମ ଶିଖିଗଲଣି ତ ?

 

–ଆଜ୍ଞା ।

 

–ଆଇ ଆମ୍ ଗ୍ଲାଡ଼୍ ଟୁ ହିଅର ଦିସ୍ । ଗୋଟାଏ କାମ କର । ଆମର ନୂଆ ଛବି ପାଇଁ ଅଭିନେତ୍ରୀ ଆବଶ୍ୟକ । ଗୋଟାଏ ବିଜ୍ଞାପନ ଲେଖି ନିଖିଳ ବାବୁଙ୍କୁ ଦିଅ । ମୁଁ ତାଙ୍କୁ କହିଯାଉଛି । କାଲି କାଗଜରେ ଯେପରି ବାହାରିଯାଏ ।

 

ମଥା ହଲାଇ ଆଦେଶ ଗ୍ରହଣ କଲା ସବ୍ୟସାଚୀ । ସେ ଚାଲିଯିବା ପୂର୍ବରୁ ପୁଣି କହିଲେ ହିମାଂଶୁ ହଁ ପାସପୋର୍ଟ ସାଇଜର ଅନ୍ୟୂନ ସାତଟା ପୋଜର ସାତଟି ଛବି ପଠାଇବାପାଇଁ ସୂଚନା ଦବ । ଆଉ ତା’ ସହିତ ଭାଇଟାଲ ଷ୍ଟାଟିଷ୍ଟିକ୍ସ ବୁଝିଲ ?

 

–ଆଜ୍ଞା ।

 

–ଆଚ୍ଛା ଆସ ତା’ହେଲେ ।

 

ନମସ୍କାର କରି ବାହୁଡ଼ି ଆସିଲା ସବ୍ୟସାଚୀ ।

 

ଭାଇଟାଲ ଷ୍ଟାଟିଷ୍ଟିକସ୍ । ପରିସଂଖ୍ୟାନର ଗରିଷ୍ଟତା ଜାଣିବା ନୀତାନ୍ତ ପ୍ରୟୋଜନ । ମିସ୍ଇଣ୍ଡିଆ ବା ମିସ୍ ଓଡ଼ିଶା ହବାପାଇଁ ହେଲେ ଯେପରି, ଚଳଚ୍ଚିତ୍ରର ନାୟିକା ହବାପାଇଁ ହେଲେ ମଧ୍ୟ ସେହିପରି ଏହାର ପ୍ରୟୋଜନ ୩୪, ୨୪, ୩୫ ବା ୩୩, ୨୫, ୩୬ ଏହା ଉପରେ ଉଜ୍ଜ୍ୱଳ ଭବିଷ୍ୟତ ନିର୍ଭର କରେ । ଏହି ପରିସଂଖ୍ୟାନର ଅନ୍ତରାଳରେ ଲୁଚି ରହିଛି ଗୋଟିଏ ଦେହର ଇଂଗୀତ, ତା’ର ଉଚ୍ଛ୍ୱାସ । ଏଇ ଦେଶର ଲକ୍ଷ ଲକ୍ଷ ନରନାରୀ ଅର୍ଦ୍ଧାହାର ଅଳ୍ପହାର ବା ଅପୃଷ୍ଟିକର ଖାଦ୍ୟ ଖାଇ ବଞ୍ଚି ରହନ୍ତି । ସ୍ୱଚ୍ଛ ଜଳ, ମୁକ୍ତବାୟୁ ମଧ୍ୟ ସବୁ ସମୟରେ ମିଳେନାହିଁ ସେମାନଙ୍କୁ । ପ୍ରଚୁରତା ପରିତ୍ୟାଗ କରି ନଗ୍ନ ହୁଅନ୍ତି ନାହିଁ ସେମାନେ । ଅଭାବ ଏବଂ ଅନଟନର ତାଡ଼ନାରେ ଅର୍ଦ୍ଧନଗ୍ନ ସେମାନଙ୍କର ଦେହ । ଲଜ୍ୟା ଲୁଚାଇବାପାଇଁ ଅଧିକ ପ୍ରକାଶ ପାଇଛି ସେମାନଙ୍କର ଲଜ୍ୟା । ଘରେ ଘରେ ସହସ୍ର ତରୁଣୀଙ୍କର ତାରୁଣ୍ୟ ଉତୁରି ପାରେନା ଏଇଥିପାଇଁ ।

 

ସେମାନଙ୍କର ସଂଖ୍ୟା ନେବାପାଇଁ ଦିନେହେଲେ ତ କେହି ଆଗ୍ରହ କରିନାହିଁ । ଚାହିଁ ଦେଖିନି ସେମାନଙ୍କର ରୁଦ୍ଧ ଯୌବନର ଆକୁଳ ଆର୍ତ୍ତନାଦ । ଅନୁଭବ କରିନି ସୁବାସ ଲୋଟାଇବା ଆଗରୁ ମଉଳି ପଡ଼ୁଥିବା ଫୁଲର ବେଦନା ।

 

ଫେରିଆସିଲା ବେଳକୁ ସବ୍ୟସାଚୀର କପାଳରେ ବିନ୍ଦୁ ବିନ୍ଦୁ ଝାଳ । ଆଗ୍ରହରେ ଶୁଣିବା ପାଇଁ ସମସ୍ତେ ଆସି ନିଖିଳ ବାବୁଙ୍କ ଟେବୁଲ ଚାରିପାଖରେ ଘେରି ରହିଲେ ସବ୍ୟସାଚୀକୁ ।

 

ବହୁତ ସମୟ ଧରି ବଡ଼ ସାହେବ ଆଳାପକଲେ ତ । କି ସବୁ ଗପୁଥିଲେ ସବ୍ୟସାଚୀ-?

 

ପଚାରିଲେ ନିଖିଳ ବାବୁ ।

 

ସେ ଗୋଟି ଗୋଟି କରି କହିଗଲା ସବୁ । କିନ୍ତୁ କହିପାରିଲାନି ଭାଇଟାଲ ଷ୍ଟାଟିଷ୍ଟିକସର ଚାହିଦା, ନିର୍ଭୁଲ ତଥ୍ୟର ଆବଶ୍ୟକତା । ଲଜ୍ୟା ଏବଂ ସଂକୋଚରେ ମନଟି ଏତେ ଟିକେ ହୋଇଗଲା ଭିତରେ ।

 

ଲଜ୍ୟା ଭଉଣୀ ପାଇଁ ।

 

ସଂକୋଚ ନିଜର ଅକ୍ଷମତା ପାଇଁ ।

 

ନିରୂପାୟ ସବ୍ୟସାଚୀ, ଯେପରି ନିରୂପାୟ ଏ ଦେଶର ସତ ସହସ୍ର ରୁଗ୍ଣ, ନିର୍ଜୀବ, ନିଃସ୍ୱ ଜନଗଣ ।

 

ସମସ୍ତେ କିନ୍ତୁ ସମ ସ୍ୱରରେ, କହିଲେ ସବ୍ୟସାଚୀକୁ ପସନ୍ଦ ହୋଇଛି ହିମାଂଶୁ ବାବୁଙ୍କର । ନିଖିଳ ବାବୁ ତ ସଫା କହିଲେ–

 

–ତୁମେ ବେଶ୍ ଇମ୍ପରେସ୍ କରିଛ ବଡ଼ ସାହେବଙ୍କୁ । ଆଗେଇଚାଲ ୟଙ୍ଗମ୍ୟାନ । ଏହି ମୂଳ ଧନକୁ ସୁବିନିଯୋଗକରି ଆଗେଇଚାଲ ଆଉ ଶାସ୍ତ୍ର କହୁଛି–ସୁବିନିଯୋଗାତ୍ସମୃଦ୍ଧିଃ ।’’

 

ମୂଳଧନର ସୁବିନିଯୋଗ କଲେ ସମୃଦ୍ଧି ଆସେ । ଆସେ ଉପରକୁ ଉଠିବାର ସୁଯୋଗ ଅବ୍ୟାହତ ଭାବରେ । ଆସେ ଜୀବନରେ ହବି ଖୋଜିବାର ସମୟ, ଭାଇଟାଲ ଷ୍ଟାଟିଷ୍ଟିକସର ପ୍ରୟୋଜନୀୟତା ।

 

ଆବଶ୍ୟକ ନାହିଁ ଏତେ କଥା ଭାବିବାରେ । ସେ ନିରୁଦବେଗ ମନରେ, ନିଶଂକ ଚିତ୍ତରେ ନିଷ୍ଠାର ସହିତ କାମ କରିଯିବ ।

 

ସମସ୍ତେ ଧରିବସିଲେ–ଚା ପିଇବା ପାଇଁ ଦିଅ ।

 

ରାଜିହୋଇ ଚା ଓ ସିଙ୍ଗଡ଼ା ଆଣିବା ଲାଗି ଅର୍ଡ଼ର ଦେଲା ସବ୍ୟସାଚୀ ।

 

ତାପରେ ଛୁଟି ।

 

ବନ୍ଦ ହୋଇଗଲା ଅଫିସ୍ ଓ ଅଦାଲତ, କଲେଜ ଏବଂ କଚେରୀ । ରାସ୍ତାଉପରେ ମଣିଷମାନଙ୍କର ଭିଡ଼ । ସାଇକେଲ, ରିକ୍ସା, ଟାକ୍ସି, ମୋଟର ଗାଡ଼ିର ଭିଡ଼ ।

 

ସେଇ ଭିଡ଼ ଭିତରେ ନିଶ୍ଚିତ ପଦରେ ଆଗେଇ ଚାଲିଲା ସବ୍ୟସାଚୀ । ସକାଳେ ଅଫିସ୍ ଆସିବା, ସନ୍ଧ୍ୟାରେ ଫେରିବା ଆଉ ସମୟ ହେଲେ ଇଣ୍ଟରଭିଉ ଦବା ଏଇତ ତା’ର ହବି । ଏଇ ଚାକିରିଟି ଯଦି ଅମୟ ଅନୁଗ୍ରହ କରି ବ୍ୟବସ୍ଥା କରି ଦେଇନଥାନ୍ତା ଆଜି ସତରେ ଭୋକ ଉପାସରେ ଦିନ କାଟୁଥାଆନ୍ତା ସେ । ହୁଏତ ମେସରୁ ବାହାର କରିଦେଇଥାଆନ୍ତେ । ହୁଏତ ବେକରେ ଗାମୁଚ୍ଛା ପକାଇ ବାକି ପଇସା ପାଇଁ ଜିଗର କରି କରିଦେଇଥାଆନ୍ତେ । ହୁଏତ ବେକରେ ଗାମୁଚ୍ଛା ପକାଇ ବାକି ପଇସା ପାଇଁ ଜିଗର କରିଥାଆନ୍ତା ଦୋକାନୀ ବଟ ସାହୁ । ଭାବି ଭାବି ଭୟରେ ଶିହରିଉଠେ ସବ୍ୟସାଚୀ । ପୁଣି ଅବଲୋକନ କରେ ଅତୀତର ଅନୁଭବକୁ ।

 

ଏଇ ଅନୁଭବ ହିଁ ପୃଥିବୀର ଅଯାଚିତ ସମ୍ପଦ, ଏଇ ସମ୍ପଦ ମଣିଷର ନିଜସ୍ୱ । ତା’ର ଧୂଳି ମାଟି, ତେଲ, ଲୁଣର ସଂସାରର ଏହାହିଁ ତ ସ୍ୱାଦ । ଏଇଥିପାଇଁ ସିନା ଏତେ ଜୀବନ ସଂଗ୍ରାମ-

 

ବାଟ ଚାଲୁଥିଲା ସେ ।

 

ବକ୍ସିବଜାର ପୋଷ୍ଟଅଫିସ୍ ସେପାଖରେ ଗୋଟାଏ ବଡ଼ ଡିପାର୍ଟମେଣ୍ଟାଲ ଷ୍ଟୋର । ସେଇଠୁ କିଛି କିଣାକିଣି କରି ପ୍ଳାଷ୍ଟିକ ବେଗ୍ ହାତରେ ଝୁଲାଇ ଓହ୍ଳାଇଆସୁଥିଲା ସୁନୀତା । ବାହାରକୁ ନଜର ନାହିଁ । ନିଜ କଥା ନେଇ ନିମଜ୍ଜିତ ।

 

ନମସ୍କାର...

 

ତାକୁ ଦେଖିପାରିଥିଲା ସବ୍ୟସାଚୀ । ସେଦିନର ଭୁଲ୍‍ ସୁଧାରିନବା ପାଇଁ ପ୍ରଥମେ ଅଭିବାଦନ ଜଣାଇଥିଲା ସେ । ଅପ୍ରସ୍ତୁତ ନହୋଇ ପ୍ରତି ନମସ୍କାର ଜଣାଇ କହିଲା ନୀତା–ନମସ୍କାର...

 

ସବ୍ୟସାଚୀ କିଛି କହିବା ପୂର୍ବରୁ କହିଲା ସେ–ଆଜି ଚିହ୍ନିପାରିଲେ କିମିତି ?

 

ମୁହଁଉପରେ ଦୁଷ୍ଟାମିର ହସ । ଅପ୍ରସ୍ତୁତ ହେଲା ସବ୍ୟସାଚୀ ମୁହୂର୍ତ୍ତକ ପାଇଁ କି ଉତ୍ତର ଦବ କିଛି ଠିକ୍‍ କରିପାରିଲା ନାହିଁ ।

 

ତାକୁ ସେଥିରୁ ମୁକ୍ତି ଦେଇ ପରିବେଶକୁ ସହଜ କରିଦବା ପାଇଁ କହିଲା ନୀତା–ରାସ୍ତାଉପରେ ଛିଡ଼ାହୋଇ କଥା କୁହାଯାଇପାରେନା । ଆସନ୍ତୁ ଆଗକୁ ।

 

ରକ୍ଷା ପାଇଯାଇ କହିଲା ସବ୍ୟସାଚୀ ଚାଲନ୍ତୁ । ସାମ୍ନାରେ ଗୋପବନ୍ଧୁ ବାଗ୍ । ସେଇଟି ବସିବା ଦଣ୍ଡେ । ଭଦ୍ର ସ୍ଥାନ ।

 

ଦୁହେଁ ଚାଲିଲେ ଗୋପବନ୍ଧୁ ବାଗ୍ ଭିତରକୁ ।

 

ଯାଉ ଯାଉ କହିଲା ନୀତା–ଗୋପବନ୍ଧୁ ଉଦ୍ୟାନ କହିଥିଲେ କି କ୍ଷତି ହୋଇଥାଆନ୍ତା ଯେ....

 

–ହୁଏତ ଅଧିକ ନିଜସ୍ୱ, ଅଧିକ ମଧୁର ହୋଇଥାଆନ୍ତା ଯେପରି ଗୋପବନ୍ଧୁ ଓଡ଼ିଶାର ଅତି ଆପଣାର ଥିଲେ । କିନ୍ତୁ ପର ଜିନିଷଟି ଅପହରଣ କରିବାରେ ଯେଉଁ କବିତ୍ୱ ଟିକକ ଥାଏ, ତାହା ଆଉ ନଥାନ୍ତା ।

 

ବେଶ୍‍ ତ କଥା କହିଜାଣନ୍ତି ଭଦ୍ରଲୋକ । ବୈଶିଷ୍ଟ୍ୟ ଅଛି ପ୍ରକାଶ ଭଙ୍ଗୀରେ । ମନେ ମନେ ଖୁସିହେଲା ନୀତା ।

 

ଦୁଇପାଖରେ ସାରି ସାରି ନଡ଼ିଆଗଛ । ମଝିରେ ମଝିରେ କେତୋଟି ପଥର ବେଞ୍ଚ । ମଣ୍ଡିତ ଦୁର୍ବାଦଳର ଆସ୍ତରଣ । କେନ୍ଦ୍ରସ୍ଥଳରେ ଜଳକୁଣ୍ଡ । କେତୋଟି ନୀଳକଇଁ ହସୁଥିଲେ ଜଳକୁଣ୍ଡ ଭିତରେ ଆଗନ୍ତୁକମାନଙ୍କୁ ସ୍ୱାଗତ ଜଣାଇ ଜଣାଇ–କୁଆଡ଼େ ଯାଉଥିଲେ ଆପଣ ? ବାଧାଦେଇନି ତ ?

 

ବିନୟୀ ହୋଇ କହିଲା ସବ୍ୟସାଚୀ ।

 

–ଏତେ ଫର୍ମାଲ ହୋଇ କଥା କହିଲେ ମୁଁ ଉତ୍ତର ଦେବିନି ।

 

ଅନୁଯୋଗ କଲା ନୀତା ।

 

–ବେଶ୍, ତେବେ ଯାଉଥିଲେ କୁଆଡ଼େ ?

 

–ଆପଣ ଆସୁଥିଲେ କୁଆଡ଼ୁ ?

 

ଉତ୍ତର ନଦେଇ ସ୍ମିତହାସ୍ୟ ଖେଳାଇ ପାଲଟା ପ୍ରଶ୍ନ କଲା ନୀତା ।

 

–ଜାଣନ୍ତି, ଚାକିରି କରିଛି ।

 

–ଜଣାଇଥିଲେ ସିନା ଜାଣନ୍ତି । ତେବେ କେଉଁଠି, କି କାମ ଶୁଣିପାରେ କି ?

 

ଏଇ ପାଞ୍ଚଦିନ ହେଲେ ଜଏନ୍ କରିଛି ‘‘ହିମାନୀ କଳା ନିକେତନ’ ଷ୍ଟୁଡ଼ିଓ ଅଫିସ୍, କଟକ ଶାଖାରେ । କିରାଣି ।

 

ବେଶ୍ ସହଜ ସରଳ ଅଥଚ ଟିକିଏ ଲଜ୍ଜା ମିଶ୍ରିତ କଣ୍ଠରେ କହିଲା ସବ୍ୟସାଚୀ । ନୀତା କ୍ଷଣକ ପାଇଁ ଚମକିପଡ଼ିଲା । କିନ୍ତୁ ସେଇ କ୍ଷଣିକ । ପରମୁହୂର୍ତ୍ତରେ ପୁଣି ସେଇ ପୂର୍ବର ସ୍ୱଭାବ ସୁଲଭ ସହଜ ସ୍ନିଗ୍ଧତା ।

 

–କଅଣ ସବୁ ଭାବୁଛନ୍ତି ? କାମଟା ଯେତେ ନୁହେଁ ସ୍ଥାନଟା ସେତେ ସ୍ପୃହଣୀୟ ହୁଏତ ନୁହେଁ ।

 

–ନା, ନା । ସେଥିରେ ଯାଏ ଆସେନା । ତାପରେ ଭଲକାମ ଖୋଜିଲେ ବି ମିଳୁନାହିଁ ତ.....

 

ଠିକ୍‍ କହିଛନ୍ତି ଆପଣ । କେତେ ଯେ ଇଣ୍ଟରଭିଉ ଦେଲି ହିସାବ ବି ମନେରଖିନି । କିନ୍ତୁ କାହିଁ କିଛି ହେଲାନି ।

 

ଅଥଚ ଆପଣ ଓଡ଼ିଶାର ନାମକରା ବାଗ୍ମୀ, ଭଲ ଛାତ୍ର ।

 

–ଛାଡ଼ନ୍ତୁ ସେ କଥା । କୁହନ୍ତୁ ଆପଣ ଏବେ କି କରୁଛନ୍ତି, ଅଛନ୍ତି କେଉଁଠି ?

 

ପଚାରିଦେଇ ଲଜ୍ଜ୍ୟାରେ ଟିକିଏ ଲାଭ ହୋଇଉଠିଲା ସବ୍ୟସାଚୀର ମୁହଁ । ଜଣେ ଭଦ୍ରମହିଳାଙ୍କୁ ଏପରି ପ୍ରଶ୍ନ ପଚାରିବା ଶିଷ୍ଟତା ବିରୁଦ୍ଧ । ତଥାପି ପଚାରିଦେଇଛି । ଉପାୟ ନାହିଁ । ନୀତା ଲକ୍ଷ୍ୟକଲା ସବ୍ୟସାଚୀର ଏଇ ମୁଗ୍ଧ ପରିବର୍ତ୍ତନକୁ ।

 

ସେ ସ୍ନିଗ୍ଧ କଣ୍ଠରେ କହିଲା–ସୁଧାର ସମାଜ ଶିକ୍ଷାୟତନରେ ଶିକ୍ଷୟିତ୍ରୀ । ମାସେହେଲା କାମ କରୁଛି ।

–ଖୁବ୍‍ ଭଲକାମ ପାଇଛନ୍ତି ଆପଣ । ସମାଜସେବା ସଙ୍ଗେ ସଙ୍ଗେ ଶିକ୍ଷାଦାନ । ଏହାଠୁ ଭଲକାମ ସହଜରେ ମିଳିପାରେନା ।

ବେଶ୍ ଉତ୍‍ଫୁଲ୍ଲ ହୋଇ କହିଲା ସବ୍ୟସାଚୀ । ଭଦ୍ରଲୋକ ଟିକିଏ ପ୍ରଗଲ୍‍ଭ । ପିଲାଳିଆ । କିନ୍ତୁ ମଳିନତା ନାହିଁ । ନାହିଁ ଅହଙ୍କାରର ଆବଗୁଣ୍ଠନ । ଯାହା ସହଜ, ତାହା ସ୍ୱଚ୍ଛଳ । ତାହା ସ୍ୱଚ୍ଛନ୍ଦ ।

ଶେଷ ସୂର୍ଯ୍ୟର ଝଲକାଏ ରଶ୍ମି ମୁଠାଏ ତରଳ ସୁନା ବିଞ୍ଚି ଦେଇଥିଲା ଦୁର୍ବାଦଳ, ଲତା ଓ ଗୁଳ୍ମ ଉପରେ । ମୁଠାଏ ସୁନେଲି କିରଣ ପଡ଼ିଥିଲା ସୁନୀତାର ଦେହଉପରେ । ମୁହଁଉପରେ ଫୁଟିଉଠିଥିଲା ଏକ ପ୍ରଶାନ୍ତି ସ୍ନିଗ୍ଧ ସରସତା ।

ଆଳାପ ଆଲୋଚନା ମଧ୍ୟରେ ଦିନର ଶେଷ ଆଲୋକ ଟିକକ ନିଷ୍ପ୍ରଭ ହୋଇଆସିଲା ।

–ବେକାର ଜୀବନର ବିଡ଼ମ୍ବନା ଆଉ ନାହିଁ । କିନ୍ତୁ ଭଲଲାଗୁନି କାମ ।

କହିଲା ସବ୍ୟସାଚୀ ।

–ସବୁ କ’ଣ ଭଲଲାଗେ ସବୁବେଳେ । ତଥାପି ଆପଣଙ୍କ କାମରେ ନୂତନତାର ସ୍ପର୍ଶ ଅଛି–ଅଜଣାକୁ ଜାଣିବାର ଉତ୍ତେଜନା ଅଛି ।

 

ସୁନୀତାର ମୁହଁକୁ ଚାହିଁଲା ସବ୍ୟସାଚୀ, ମନଭିତରେ ଟିକିଏ ଆତ୍ମଗୌରବ ଜାତ ହେଲା-। ସେ ଗୋଟିଏ ଘାସ ଫୁଲ ଛିଡ଼ାଇନେଇ କହିଲା–ତା’ ବୋଧେ ସତ । କିନ୍ତୁ...

 

କିନ୍ତୁ କାହିଁକି ? ଏଠାରେ ସନ୍ଦେହର ଅବକାଶ କାହିଁ ?

 

–ଅନେକ ସମୟରେ ମୋର କ’ଣ ମନେହୁଏ ଜାଣନ୍ତି–ହୁଏତ ଏ ସବୁଥିରୁ ଆଗ୍ରହ ହରାଇ କାମ ଛାଡ଼ି ଚାଲିଯିବି ଦୂରକୁ....

 

–ଦୂରକୁ ... ?

 

ବିସ୍ମିତ କଣ୍ଠରେ ପଚାରିଲା ସୁନୀତା ।

 

–ହଁ । ଦୂରକୁ । ଦେଶର କୌଣସି ଅପନ୍ତରା ଅଭ୍ୟନ୍ତରାକୁ ସେଇଠି ହୁଏତ ମୋର ଆବଶ୍ୟକତା ମୁଁ ଅନୁଭବ କରିବି । ଅଭାବର ଅଗୌରବ ଭିତରେ ନିଜକୁ ଛୋଟ ମନେକରିବି ନାହିଁ-

 

ବୁଝିଲା ସୁନୀତା । ସବ୍ୟସାଚୀ ଅନେକ ସମୟରେ ଭାବପ୍ରବଣ ଏବଂ ଆଦର୍ଶବାଦୀ ହୋଇପଡ଼େ । ସେ ସ୍ୱପ୍ନ ଦେଖେ ବାସ୍ତବର ସମ୍ମୁଖୀନ ନ ହୋଇ ବେଳେବେଳେ ସ୍ୱପ୍ନ ଦେଖିବାପାଇଁ ଭଲଲାଗେ ତାକୁ ।

 

–କିନ୍ତୁ ସ୍ୱପ୍ନ ଏବଂ ସତ୍ୟ ଭିତରେ ପାର୍ଥକ୍ୟ କ’ଣ ଏଡ଼େ ସହଜରେ ଏଡ଼ାଇଦେଇ ହୁଏ-?

 

–ନା, ହୁଏତ ସମ୍ଭବ ନୁହେଁ । କିନ୍ତୁ ଏଇ ପରିସ୍ଥିତିରେ ବଞ୍ଚିବା ପାଇଁ ହେଲେ ଅନେକ ମୂଲ୍ୟ ଦବାକୁ ପଡ଼େ ସୁନୀତା ।

 

ବେଦନାର୍ତ୍ତ କଣ୍ଠରେ କହିଲା ସବ୍ୟସାଚୀ । ତା’ କଥା ସ୍ପର୍ଶକଲା ସୁନୀତାକୁ । ସେ ସୁସ୍ପଷ୍ଟ ଲକ୍ଷ୍ୟ କଲା ସବ୍ୟସାଚୀ ତା’ ସାନିଧ୍ୟ ପାଇଁ ନିକଟବର୍ତ୍ତୀ ହେବାପାଇଁ ଚେଷ୍ଟା କରୁଛି । ସେଇ ସହଜ, ସରଳ, ଅନାଡ଼ମ୍ବର ଅଭିବ୍ୟକ୍ତିର ପ୍ରକାଶରେ ସୁନୀତା ଦେବୀ ସୁନୀତା ହୋଇଯାଇଛି । ଗେଲ ଲାଗିଲା ସୁନୀତାକୁ ।

 

କିନ୍ତୁ ପରକ୍ଷଣରେ କଥାର ମର୍ମ ଉପଲବ୍ଧି କରି ଚମକିପଡ଼ିଲା ସେ, ଆତ୍ମସଚେତନତାର ତାଡ଼ନାରେ ସେ ବି ଭଲ ପରିସ୍ଥିତି ଭିତରେ ନାହିଁ । ଆଖିଆଗରେ ବର୍ତ୍ତମାନ ଏବଂ ଆଗାମୀ ସୂଚନା ଦେଖିଛି ସେ । ହୁଏତ ତାକୁ ବି ମୂଲ୍ୟ ଦବାକୁ ପଡ଼ିପାରେ ।

 

–ତାହେଲେ ? ତୁଣ୍ଡରୁ ଆପେ ଆପେ ଖସିଗଲା ସୁନୀତାର ।

 

–ତାହେଲେ ଆଉ କ’ଣ ? ବଞ୍ଚି ରହିବା ପାଇଁ ହେଲେ ଅନ୍ତତଃ ଅନ୍ୟ ଉପାୟ ନାହିଁ ।

 

କିନ୍ତୁ ଆପଣଙ୍କ ଅନୁଷ୍ଠାନର କର୍ତ୍ତା ତ ଶୁଣିଛି ବଡ଼ ଦେଶ ଭକ୍ତ, କରିତ୍‍କର୍ମା ପୁରୁଷ...

 

–ହଁ । କରିତ୍‍କର୍ମା ନହେଲେ ଦେଶଭକ୍ତ ହୋଇହୁଏନା ଆଉ ଦେଶଭକ୍ତ ହବାପାଇଁ କରିତ୍‍କର୍ମା ହବାକୁ ହୁଏ ।

 

କହୁ କହୁ ହସିଉଠିଲା ସବ୍ୟସାଚୀ । ହସିଉଠିଲା ସୁନୀତା ।

 

–ଦେଶଭକ୍ତ ନହେଲେ ଷ୍ଟୁଡ଼ିଓଠାରୁ ଆରମ୍ଭ କରି ନାରୀ କଲ୍ୟାଣ ସମାଜ ପର୍ଯ୍ୟନ୍ତ କିଏ ଚଳାଇପାରିବ କୁହନ୍ତୁ !

 

ଆଶ୍ଚର୍ଯ୍ୟ ହୋଇ ପଚାରିଲା ସବ୍ୟସାଚୀ–ଆପଣଙ୍କ ସମିତିର କର୍ତ୍ତା କ’ଣ ହିମାଂଶୁ ବାବୁ-?

 

–ହଁ ।

 

–ବେଶ୍ ଭଲହେଲା ତା’ହେଲେ । ଜଣେ କର୍ତ୍ତାଙ୍କର ଦୁଇଟି ବିଭିନ୍ନ ଅନୁଷ୍ଠାନର କର୍ମଚାରୀ ଆମେ ।

 

ସନ୍ଧ୍ୟା ନଇଁଆସୁଥିଲା । ନିଅନ ବତୀ ଗୁଡ଼ିକର ଆଲୋକ ବିଛାଡ଼ି ହୋଇ ପଡ଼ୁଥିଲା ଚତୁର୍ଦ୍ଦିଗରେ ।

 

–ସନ୍ଧ୍ୟା ହୋଇଗଲା ଯେ....ତୁମକୁ ଅନେକ ସମୟ ହେଲା ଅଟକାଇଦେଲି ସୁନୀତା ।

 

ନା, ନା । ବେଶ୍ ଗଳ୍ପ ଗୁଜବ ହେଲା । ଏକାକୀ ବସି ବସି ଭଲଲାଗେନା କିଛି.... ।

 

–ତୁମେ ଫେରିଯିବ ତ ।

 

ହଁ ।

 

–ଚାଲ ତା’ହେଲେ । ତୁମକୁ ପହଞ୍ଚାଇଦେଇ ମୁଁ କ୍ୟାଣ୍ଟନମେଣ୍ଟ ରୋଡ଼ ହୋଇ ଫେରିବି-

 

–ଅଯଥା କଷ୍ଟ କରିବେ କାହିଁକି ? ଆପଣଙ୍କର ବିଳମ୍ବ, ହୋଇଯାଇପାରେ ।

 

–ଆରେ ନା, ନା । ବିଳମ୍ବ ହେଲେ ବରଂ ମୋର ଉପକାର ହେବ । ଅନ୍ତତଃ ସନ୍ଧ୍ୟାର ମଶା କାମୁଡ଼ାରୁ କିଛି ସମୟ ପାଇଁ ଅବ୍ୟାହତି ମିଳିବ ଆଜି ।

 

ହାଲୁକା କଥାର ଉଚ୍ଛ୍ୱାସ ଭିତରେ ହସରେ ଭାଙ୍ଗିପଡ଼ିଲା ସୁନୀତା । ସବ୍ୟସାଚୀ ଯୋଗଦେଲା ସେଇ ହସରେ ।

 

ଭଦ୍ରଲୋକ ବେଶ୍ ମଜାର କଥା କହିପାରନ୍ତି ତ । ଲଘୁ ଗୁରୁର ଜ୍ଞାନ ପାଶୋରି ପକାଇଲେ ଯାଇ ମଣିଷ ସହଜ ହୁଏ, ସରଳ ହୁଏ । ସୁନୀତାକୁ ଭଲଲାଗିଲା ସବ୍ୟସାଚୀ ସାନିଧ୍ୟ ।

 

ଭଲଲାଗେ ଆହୁରି ଅନେକ କିଛି କିନ୍ତୁ । ମଣିଷ ଯାହା ଚାହେଁ ତାହା କ’ଣ ପାଏ ସବୁବେଳେ....

 

ଦୁହେଁ ଉଠି ବସି ଆଗେଇ ଚାଲିଲେ ଗଡ଼ଗଡ଼ିଆ ଅଞ୍ଚଳକୁ । ସମାଜ କଲ୍ୟାଣ ପରିଷଦର ଆବାସିକ କୋଠା ଦେଖାଯାଉଛି ଦୂରରୁ । ଫାଟକର ନାମ ଫଳକଟି ଆଲୋକିତ ହୋଇଛି ।

 

ସମାଜ କଲ୍ୟାଣ ପରିଷଦ କାହିଁକି ହେଲା ସୁନୀତା । ଅପୂର୍ଣ୍ଣ ରଖିଦେଲେ କାହିଁକି ?

 

–ବୋଧେ ସେଇଥିରେ ଅନୁଷ୍ଠାନର ନିର୍ଦ୍ଦିଷ୍ଟ କର୍ମସୂଚୀ ସୂଚନା ଅଛି ବୋଲି ।

 

–ହୋଇପାରେ ।

 

ତା’ ସହିତ ଏକମତ ହୋଇ ଉତ୍ସାହିତ ହୋଇ କହିଲା ସବ୍ୟସାଚୀ–ପାପୀ ତାପୀଙ୍କୁ ଯେଉଁମାନେ ସୁଧାରିବାର ସୁବିଧା କରିଦେଇଛନ୍ତି, ସେଇମାନେ ଧନୀ ଯଦି ତାଙ୍କର ସେବା ନିଃସ୍ୱାର୍ଥପର ହୁଏ, ନିରହଙ୍କାର ହୁଏ ।

 

କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନଦେଇ ପଥ ଚାଲୁଥିଲା ସୁନୀତା । ଏହାର ଉତ୍ତର ଆଜି ନ ହେଲା ବା । ସବ୍ୟସାଚୀ ନିଜେ ହୁଏତ ଖୋଜି ପାଇବ ଏହାର ଉତ୍ତର ।

 

ମହାନଦୀର ପବନ ସୁ ସୁ ହୋଇ ବହିଆସୁଥିଲା । ଆକାଶରେ ମେଘମୁକ୍ତ ଅଂଶରେ ଦୀପଜାଳି ଅନାଇ ରହିଲେ ଅନେକ ତାରକା କାହାର ପ୍ରତୀକ୍ଷାରେ । ସୁଧାର ସମାଜର ଫାଟକ ପାଖରେ ପହଞ୍ଚିବା ପରେ ବିଦାୟ ନବାପାଇଁ କହିଲା ସବ୍ୟସାଚୀ–

 

–ତାହେଲେ ଆଜି ବିଦାୟ ନେଉଛି ସୁନୀତା ଦେବୀ ।

 

–ଫେର ଦେବୀ କାହିଁକି ?

 

–କ୍ଷମା କରିବେ । ମୁଁ ସେତେବେଳେ ଭାବପ୍ରବଣ ହୋଇ ତୁମେ କହିଦେଇଛି ।

 

ତାର ମୁହଁକୁ ସିଧା ଚାହିଁଲା ସୁନୀତା । ସେଥିରେ କି ଥିଲା କେଜାଣି, ନିଜର ଆଖିଯୋଡ଼ିକୁ ଫେରାଇଆଣି ତଳକୁ ଚାହିଁ ଭାବିଲା ଟିକିଏ । ଅଭିମାନରେ ମନ ତା’ର ଗୁମୁରି ଉଠିଲା । ସେଇ ଆବେଗରେ କହିପକାଇଲା ସେ ଏହାଯେ ଅକ୍ଷମଣୀୟ ଅପରାଧ...

 

ଆଉ କହିପାରିଲା ନାହିଁ । ବନ୍ଦ ହୋଇଗଲା ।

 

ଆଲୋକିତ ଅଂଶ ଅନ୍ଧକାରର ସ୍ତବ୍ଧତା ଭିତରେ ଉଜାଡ଼ି ହୋଇପଡ଼ିଲା ପରି କ୍ଷଣିକ ପୂର୍ବରୁ ପୁଲକିତ ଏବଂ ପ୍ରଗଲ୍‍ଭ ସବ୍ୟସାଚୀ ନିଷ୍ପ୍ରଭ ହୋଇଗଲା କ୍ଷଣିକରେ । ସେ ତା’ହେଲେ କାହିଁକି କହିଲା ଏପରି । ଭୁଲ୍‍ କଲା ଜାଣିଶୁଣି । ଅନୁଶୋଚନାରେ ଦଗ୍ଧ ହୋଇ ଫାଟକ ପାରିହୋଇ କହିଲା ସୁନୀତା–ନମସ୍କାର, ଯାଉଛି ।

 

ପ୍ରତି ନମସ୍କାର କରିବାପାଇଁ ଭୁଲିଗଲା ସବ୍ୟସାଚୀ, ଭୁଲିଗଲା ସେ କିଏ, କ’ଣ କେଉଁଠାରେ । କେବଳ ସୁନୀତାର ଯିବା ପଥକୁ ଉଦାସ ନୟନରେ ଅନାଇ ରହିଲା ।

 

ହାତ ସେପାଖରେ ବକୁଳ ଗଛର ସହସ୍ର ବୃନ୍ତରେ ମହକୁଥିବା ଫୁଲଗୁଡ଼ିକ ମଧ୍ୟରୁ ଗୋଟିଏ ବସୁନ୍ଧରା ଉପରେ ଖସିପଡ଼ୁଥିଲେ ନିଜ ନିଜର ବିନମ୍ର ଶ୍ରଦ୍ଧା ଏବଂ ସମର୍ପଣ ଜଣାଇ ।

 

ସେ ଗୋଟିଏ ପଡ଼ନ୍ତ ଫୁଲ ତୋଳିନେଇ ମୁଗଧ୍, ବିଭୋର ହୋଇ ଅନାଇ ରହିଲା ଅନେକକ୍ଷଣ ।

 

ତାପରେ ଆସୁଥିବା ମୋଟର ଗାଡ଼ିର ହେଡ଼ଲାଇଟରୁ ଝଲକାଏ ପ୍ରଖର ଆଲୋକ ଆସି ପଡ଼ିଲା ସିଧା ତା’ ମୁହଁଉପରେ ।

 

ସେ ମୁହଁ ଫେରାଇ କ୍ୟାଣ୍ଟନମେଣ୍ଟ ରୋଡ଼ର ମସ୍ରଣ ରାସ୍ତା ଉପରେ ଆଗେଇ ଚାଲିଲା-

 

ଏଗାର

 

ସୁନୀତା ଶୋଇ ଶୋଇ ଭାବୁଥିଲା । ଆକାଶର ମେଘପରି ଛୋଟବଡ଼ କେତେ ଭାବନା ଲୁଚି କରଳି ଖେଳୁଥିଲେ ମନଭିତରେ । କେତେବେଳେ ଭାବନାର ବିଭବରେ ସେ ସ୍ନିଗ୍ଧ ଏବଂ ସୁଦୀପ୍ତ ହୋଇଉଠୁଥିଲା, ଆଉ କେତେବେଳେ ବା ଭାବର ଅଭାବରେ ନିଷ୍ପ୍ରଭ ମ୍ରିୟମାଣ ହୋଇଯାଉଥିଲା । ଖରା ଏବଂ ଛାଇର ଲୁଚକାଳି । ପାଇବା ନପାଇବାର ଖେଳ ।

 

ରବିବାର । ସ୍କୁଲ, କଲେଜ, ଅଫିସ୍, କଚେରୀ ସବୁ ବନ୍ଦ । କାମ ନଥିଲା ହାତରେ । ଶୋଇ ବସି କେତେ ଘଣ୍ଟା କଟାଇଦେଲା ସେ । କିନ୍ତୁ ଏପରି ଭାବରେ ସମୟ କଟାଇ ହୁଏନା । ମନ ଉଚ୍ଚାଟ ହୁଏ କିଛି ଗୋଟେ କରିବା ପାଇଁ । କାହାକୁ ଦେଖିବାପାଇଁ ବା କାହା ସହିତ ପଦେ କଥା ହବା ପାଇଁ ତୁଣ୍ଡ ଖଲବଲ ହୁଏ । କିନ୍ତୁ କାହା ସହିତ କଥା କହିବ । ସେ କିଏ ?

 

ଚାକିରି ଜୀବନ ତାକୁ ଆଶ୍ରୟ ଦେଇଥିଲା । କିନ୍ତୁ ଅଭୟ ଦେଇପାରିନଥିଲା । ସମାଜ କଲ୍ୟାଣ ପରିଷଦର ପ୍ରତ୍ୟେକଟି ଜୀବନ ନେଇ କିପରି ଏକ ସ୍ୱତନ୍ତ୍ର ଇତିହାସ ଗଢ଼ିଉଠିଛି । ମଣିଷର ହସ କାନ୍ଦର ବେଦନାପ୍ଳୁତ କାହାଣୀ ଏପରି ନଗ୍ନ, ନିଷ୍ଠୁର ଭାବରେ ଏଇ ଆଶ୍ରିତା ହତଭାଗିନୀମାନଙ୍କ ଜୀବନରେ କିପରି ଗଭୀର ଭାବରେ ମିଶିଯାଇଛି ଦେଖିଲେ ସହଜରେ ଅନୁମାନ କରିହୁଏ–ବିଶ୍ୱାସରେ ବିଷପାନ କରି ନୀଳକଣ୍ଠ ପରି ବିଷର ଜ୍ୱାଳା ହଜମ କରିବାର କ୍ଷମତା ସେମାନଙ୍କର ନଥିଲା । କିଏ ବଞ୍ଚିତାର ବିଡ଼ମ୍ବନା ଭିତରୁ ନିଜକୁ ମୁକ୍ତ କରିବା ପାଇଁ, କିଏ ବା ବିଡ଼ମ୍ବିତ ଜୀବନର କଣିକାଏ ମଧୁ ଆସ୍ୱାଦନ କରିବା ପାଇଁ ଆଗେଇ ଆସିଥିଲା ପରମ ବିଶ୍ୱାସରେ ଅନ୍ୟ ଜଣକର ହାତଧରି ଯିବାପାଇଁ ଆଗକୁ । କିନ୍ତୁ ଯେଉଁ ହାତଧରି ଆଲୋକ ଅତିକ୍ରମ କରିଥିଲା, ସେହି ହାତ ତାକୁ ନିରନ୍ଧ୍ର ଅନ୍ଧକାର ମଧ୍ୟରେ ଦରାଣ୍ଡି ହେବାପାଇଁ ଛାଡ଼ିଦେଇ ଚାଲିଗଲା ସହଜ ପଥରେ ନିଜକୁ ସମସ୍ତ ଦାୟିତ୍ୱରୁ ମୁକ୍ତ କରି ।

 

ପତିତା । କାହିଁକି ତେବେ ସେମାନେ ପତିତା ? କିଏ ସେମାନଙ୍କୁ ପତିତା କଲା । ପତିତାର ବିନା ସ୍ପର୍ଶରେ କି କେହି ପତିତା ହୁଏ ? ମନେ ମନେ ପ୍ରଶ୍ନକଲା, ଯୁକ୍ତିକଲା ସୁନୀତା ।

 

–ଅପା

 

–କିଏ ସେ

 

–ଭିତରକୁ ଆସିବି ଅପା ?

 

–ଆସ

 

ଘରଭିତରକୁ ପଶିଆସିଲା ଇଙ୍ଗୀତା । ମୁହଁଉପରେ ଇଙ୍ଗିତର ସୁସ୍ପଷ୍ଟ ସ୍ୱାକ୍ଷର ।

 

–କ’ଣ କରୁଛ ମ ଅପା ଶୋଇ ଶୋଇ ?

 

–ବସ

 

ବିଛଣା ଉପରେ ଶୋଇରହି ହାତ ବଢ଼ାଇ ମୋଡ଼ାଟି ଆଗେଇଦେଇ କହିଲା ସୁନୀତା–ବସ ।

 

ବସିଲା ଇଙ୍ଗୀତା ।

 

କଣ୍ଠରେ ଦରଦ ଖେଳାଇ ପଚାରିଲା–ଦେହ ଭଲ ଅଛି ତ ? ତୁମକୁ ଅବେଳରେ ଶୋଇବାର ଦେଖି ପାପ ମନଟା କେତେ ଯେ କ’ଣ ପାଞ୍ଚିଗଲା କ୍ଷଣିକରେ... ।

 

–କ’ଣ ପାଞ୍ଚୁଥିଲା ତୋ ମନ କିଲୋ...ମୁଁ ବାଧିକି ପଡ଼େ ।

 

ଜିଭ କାମୁଡ଼ି କହିଲା ଇଙ୍ଗୀତା–ସେକଥା ତୁଣ୍ଡରେ ଧରନା ଅପା, ଛି । ମୁଁ ସେକଥା ମନକୁ ଆଣିବି ।

 

ସୁନୀତା ମୁହଁକୁ ଚାହିଁ ଆଖିର ଦୃଷ୍ଟିରେ ହସଖେଳାଇ କହିଲା ସେ–ଗୋଟେ କଥା କହିବି ଅପା ।

 

–କହୁନୁ ।

 

–ରାଗ କରିବନି ତ ?

 

–ନା ।

 

–ସତ କହୁଛ ?

 

–ହଁ ହଁ । ହେଲା ଏଥର ।

 

ତା’ କାନପାଖକୁ ମୁହଁନେଇ ତରଳ ସ୍ୱରରେ କହିଲା ଇଙ୍ଗୀତା–କାହା କଥା ଭାବୁଥିଲ କି ଅପା ?

 

–ଫାଜିଲ୍ ।

 

ଖିଲ ଖିଲ କରି ହସିଉଠିଲା ଇଙ୍ଗୀତା । ହସର ଫୁଲ ଝରି ଝରି ପଡ଼ିଲା କୋଠରୀର ଚାରିପାଖରେ ।

 

ତାକୁ ଭଲଲାଗେ ଇଙ୍ଗୀତାକୁ ଭଲଲାଗେ ତା’ ସହିତ ଅନ୍ତର ଖୋଲି ଦୁଇଟା କଥା ଭାଷା ହବାପାଇଁ । ସେ ଇଙ୍ଗୀତାର ଚିବୁକ ଛୁଇଁ କହିଲା–

 

ଆଉ ନୂଆ ଖବର କିଛି ଅଛି କିଲୋ ?

 

–ନୂଆ ତ ପୁରୁଣା ହୋଇଗଲାଣି ଅପା । ତମେ କ’ଣ ସତରେ ଅଭିନୟ କରିବ ?

 

ସୁନୀତାକୁ ସିଧାସଳଖ ପଚାରିଦେଲା ଇଙ୍ଗୀତା । କଣ୍ଠରେ ତା’ର ସ୍ପଷ୍ଟତା ଥିଲେମଧ୍ୟ ଆଖିର ଚାହାଁଣିରେ ପ୍ରକାଶ୍ୟ ଆଶଙ୍କା ।

 

–କାହିଁକି, କ’ଣ ହେଲା କି ? ଅଭିନୟ କରିବା କଥା ତ ମତେ କେହି କହିନାହାନ୍ତି ଏଯାଏଁ ।

 

–କହିନି କେହି ତୁମକୁ ଅଥଚ ଆଜି ସକାଳର ଏଇ ହେଉଛି ତାଜା ଖବର । ସୁନୀତା ଅପା ଡ୍ରାମାର ମେନ୍ ହିରୋଇନ୍ ।

 

–ସତ କହୁଛୁ ?

 

ଗମ୍ଭୀରହୋଇ ସ୍ଫୁଟିରିଲା ସୁନୀତା ।

 

–ତୁମପାଖରେ ମିଛ କହିବା ଆଗରୁ ମରଣ ହେଉ ମତେ ।

 

କହିଲା ଇଙ୍ଗୀତା । ଉଠିବସିଲା ସୁନୀତା । ଆଉ ଶୋଇ ରହିପାରିଲାନି ସେ ।

 

ହଁ, ଅଭିନୟର ଆବଶ୍ୟକତା ଆସିଛି । ପରିଷଦର ବାର୍ଷିକ ଉତ୍ସବ ଆଗାମୀ ନଭେମ୍ବର ପ୍ରଥମ ସପ୍ତାହରେ । ରାସ ପୂର୍ଣ୍ଣିମା ଦିନ । ସେଇଦିନ ଏଇ ଅନୁଷ୍ଠାନର ସାତବର୍ଷ ପୂର୍ଣ୍ଣ ହେବ । ସେଥିପାଇଁ ଏହି ଦିନଟିକୁ ଆଡ଼ମ୍ବରପୂର୍ଣ୍ଣ ଭାବରେ ପାଳନ କରାଯାଏ ସୁଧାର ସମାଜ ଶିକ୍ଷାୟତନରେ ।

 

ଏଣେ ପୁଣି ମୁନିସିପାଲଟି ନିର୍ବାଚନ ପାଖ ହୋଇଆସୁଛି । ହିମାଂଶୁବାବୁ ନିଜେ ଏଥର ଚେଆରମ୍ୟାନ୍ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ତାଙ୍କ ସ୍ୱାର୍ଥକୁ ବାସ୍ତବରେ ପରିଣତ କରିବା ପାଇଁ ତାଙ୍କ ପୃଷ୍ଠପୋଷକତାରେ ପରିଚାଳିତ ସମସ୍ତ ବ୍ୟକ୍ତି ଓ ଅନୁଷ୍ଠାନଗୁଡ଼ିକରେ ଗଭୀର ତତ୍ପରତା ଖେଳିଯାଇଛି । ହିମାଂଶୁବାବୁଙ୍କୁ କେବଳ କରିତ୍‍କର୍ମା ଭାବରେ ନୁହେଁ, ଦେଶ ସେବକ, ଦେଶର ଜନପ୍ରିୟ ନେତା, ଦୀନବନ୍ଧୁ, ସମାଜବାଦୀ ଓ ପ୍ରଗତିଶୀଳ ଭାବରେ ପ୍ରତିପନ୍ନ କରିବାର ବେଳ ପାଖ ହୋଇଗଲାଣି । ଭୋଟ ଲୋଡ଼ା । ଲୋଡ଼ା ଚେୟାରମ୍ୟାନ ପଦ ।

 

ସେଥିପାଇଁ ସମାଜକଲ୍ୟାଣ ପରିଷଦର ବାର୍ଷିକ ଉତ୍ସବ ବେଶ୍ ଆଡ଼ମ୍ବର ସହକାରେ କରିବାପାଇଁ ସମ୍ପାଦିକା ଏବଂ ଟ୍ରଷ୍ଟିବୋର୍ଡ଼ର ଅନ୍ୟାନ୍ୟ ସଭ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହିମାଂଶୁବାବୁ ।

 

ଏବର୍ଷ ଉତ୍ସବକୁ ଅଧିକ ଜନପ୍ରିୟ ଓ ଆନନ୍ଦ ମୁଖରିତ କରିବା ପାଇଁ ଦୁଇଟି ନୂତନ ବିଷୟବସ୍ତୁକୁ କାର୍ଯ୍ୟସୂଚୀରେ ସ୍ଥାନ ଦବାପାଇଁ ଚାହାଁନ୍ତି ସମିତିର ପରିଚାଳକମାନେ । ଗୋଟିଏ ହେଉଛି ଆନନ୍ଦ ମେଳା, ଅନ୍ୟଟି ନାଟକ । ସମିତିର ସଭ୍ୟାମାନଙ୍କଦ୍ୱାରା ନିର୍ମିତ ବିଭିନ୍ନ ହାତ ଓ ଚାରୁ କାମ ତଥା ଖାଦ୍ୟ ସାମଗ୍ରୀ ଏବଂ ବିଭିନ୍ନ ଦ୍ରବ୍ୟ ସ୍ଥାନ ପାଇବ ଆନନ୍ଦ ମେଳା ପ୍ରଦର୍ଶନୀରେ । ସାମୟିକ ଭାବରେ ମେଳାକୁ ମୁଖରିତ କରି ରଖିବାପାଇଁ ସରକାରୀ ପ୍ରଚାର ବିଭାଗର ‘ଗଣ ସାଂସ୍କୃତିକ ବିଭାଗ’ ଫିଲ୍ମ, ଲଘୁ ସଙ୍ଗୀତ, ଯାତ୍ରା ସଙ୍ଗୀତ ଓ ପଲ୍ଲୀ ନୃତ୍ୟର ବ୍ୟବସ୍ଥା କରିଛନ୍ତି । ଦ୍ୱିତୀୟ ଦିନର ଉତ୍ସବରେ ଅଭିନୀତ ହେବ ନାଟକ । ସମସ୍ତ ଚରିତ୍ରରେ କେବଳ ନାରୀମାନେ ହିଁ ଅଭିନୟ କରିବେ ।

 

ଏସବୁ ଯେ ଶୁଣିନଥିଲା ସୁନୀତା ତାହାନୁହେଁ । କିନ୍ତୁ ଆଉ ଥରେ ନୂଆ କରି ଇଙ୍ଗିତ ମୁହଁରୁ ଶୁଣିନବା ପାଇଁ ଇଚ୍ଛାହେଲା । କିପରି ଓ କାହାଦ୍ୱାରା ତା’ ନାମ ସହିତ ନାଟକର ପ୍ରଧାନ ନାୟିକାର ନାମଟି ଯୋଡ଼ି ହୋଇଗଲା ।

 

–ତୁମେ ରାଜିହୁଅ ଅପା । ମାନିବ କିନ୍ତୁ । ଇମିତି ମୁହଁ ଖଣ୍ଡିକ କ’ଣ ସହଜରେ ଦେଖିବାପାଇଁ ମିଳେ ଯେ ।

 

ଦୁଷ୍ଟାମି କରି କହିଲା ଇଙ୍ଗୀତା ।

 

–ଫାଜିଲାମି କରନା ଇଙ୍ଗୀତା ।

 

ଶାସନ କଲା ସୁନୀତା ।

 

–ତା’ହେଲେ ରାଜିହବନି ?

 

–ମୁଁ ଏ ବିଷୟରେ ଭାବିନି ମୋଟେ ତୋ ମୁହଁରୁ ଏଇନେ ଶୁଣୁଛି । ତା’ପରେ

 

–ତା’ପରେ କ’ଣ ଅପା ।

 

–ସବୁ ଖୋଲାଖୋଲି ଭାବରେ ଜାଣିବା ଦରକାର ।

 

–ମୁଁ ତ ତୁମଠାରୁ ଅଧିକ ଜାଣେନା ।

 

–ଦୁଷ୍ଟାମି କରିବାର ଅନ୍ୟ ବେଳ ଅଛି । ମତେ କହ ତ ତତେ କହିଲା କିଏ ମୁଁ ପ୍ରଧାନ ନାୟିକା ହେବି ବୋଲି ।

 

–ଆଉ କିଏ କହିବ ଯେ .. ସ୍ୱୟଂ ବଡ଼ ଅପା ।

 

ଚମକିପଡ଼ିଲା ସୁନୀତା । ବଡ଼ ଅପା କେବଳ ପ୍ରଧାନ ଶିକ୍ଷୟିତ୍ରୀ ନୁହଁନ୍ତି, ସେ ପ୍ରଧାନ ସମ୍ପାଦିକା । ସ୍ୱୟଂ ବଡ଼ ଅପା ଏକଥା ପ୍ରଚାର କରିଦେଇଚନ୍ତି, ଅଥଚ ସୌଜନ୍ୟତା ରକ୍ଷା କରି ତାକୁ ଥରେ ଏ ବିଷୟରେ ପଚାରିବାପାଇଁ କିପରି ଭୁଲିଗଲେ ଏୟା ଭାବି ଆଶ୍ଚର୍ଯ୍ୟ ହେଲା ସେ, କାହିଁକି ଏପରି କଲେ ଅଳକା ଦାସ । ଅଭିମାନରେ କୁହୁଳିଉଠିଲା ସୁନୀତା ।

 

–ଅପା !

 

–ମୋ ଉପରେ ରାଗିଲ ।

 

–ନା, ତୋ ଉପରେ ରାଗିବି କାହିଁକି ? ତେବେ ମୋ ଦେଇ ଏ ଅଭିନୟ ହୋଇପାରିବନି ।

 

–ବେଶ୍ ତ, ମନାକରିଦିଅ । ମତେ ବି ଭଲଲାଗେନା ଏସବୁ ।

 

–ତତେ ବି ଭଲଲାଗେନା, କାହିଁକିରେ...

 

ଆଗ୍ରହର ସହିତ ଇଙ୍ଗୀତାର କାନ୍ଧଉପରେ ହାତରଖି ପଚାରିଲା ସୁନୀତା । କିନ୍ତୁ ଉତ୍ତର ଦେଲାନି ଇଙ୍ଗୀତା । ତଳକୁ ମୁହଁ କରି ଭୂଇଁଉପରେ ନଖଦ୍ୱାରା ଗାର ଟାଣିବାରେ ଲାଗିଲା । ସୁନୀତା ବୋଧେ ବୁଝିଲା ଇଙ୍ଗୀତାର ଦ୍ୱିଧା, ସାହସ କରି ନ କହିବାର ଇଙ୍ଗୀତ ।

 

କିଛି ସମୟ ଅତିବାହିତ ହୋଇଗଲା । ତା’ପରେ ଇଙ୍ଗୀତ କହିଲା–ଅପା !

 

–କ’ଣରେ

 

–ତମେ ମନା କରିଦିଅ ।

 

–ହ, ମୁଁ ମନା କରିଦେବି ଇଙ୍ଗୀ ।

 

କିନ୍ତୁ ତା’ପରେ କ’ଣ ହୋଇପାରେ ମୁଁ ତ ଆଦୌ ଭାବିନାହିଁ ଅପା ।

 

–କ’ଣ ଆଉ ହବ ଯେ.. । ଅନ୍ୟ କିଏ ଅଭିନୟ କରିବ ।

 

–ସେକଥା ନୁହେଁ ଯେ, କଥା ହିମାଂଶୁ ବାବୁଙ୍କ ପର୍ଯ୍ୟନ୍ତ ଯାଇପାରେ ।

 

–ଯାଉ । ସେଥିରେ ମୋର ଶଙ୍କାନାହିଁ ।

 

–ତୁମର ନାହିଁ, କିନ୍ତୁ ତୁମର ଏଇ ଅଯୋଗ୍ୟ ଭଉଣୀଟିର ଅଛି ଅପା ।

 

ଅବାକ ହୋଇ କେଇକ୍ଷଣ ପାଇଁ ତାକୁ ଅନାଇ ରହିଲା ସୁନୀତା । ତା’ପରେ କହିଲା–ତୁ ମୋ ପାଇଁ ଏତେ ଭାବୁ ଇଙ୍ଗୀତା । କିନ୍ତୁ କାହିଁକି ? ମୁଁ ତ ତତେ ଏତେ ଆପଣାର ଭବିପାରିନିରେ.... ।

 

ଏକ ଅନୁରାଗ ରଂଜିତ ସ୍ନେହଝରା କଣ୍ଠର ସ୍ପର୍ଶପାଇ ଇଲ୍ଲସିତ ହେଲା ଇଙ୍ଗୀତା ।

 

ଇଙ୍ଗୀତା ତା’ କଥା ଭାବେ... ହୁଏତ ଭାବେ ସବ୍ୟସାଚୀ....

 

ସର୍ବାଙ୍ଗରେ ଚମକ ଖେଳିଗଲା ସୁନୀତାର । ଏକ ଉଷ୍ମ ପ୍ରବାହ ତଡ଼ିତ୍ ବେଗରେ ପ୍ରବାହିତ ହୋଇଗଲା ଶିରାପ୍ରଶିରାରେ । ପ୍ରବାହର ସେଇ ଶିହରଣର ପୁଲକରେ ବିକଶିତ ହୋଇଉଠିଲା ତା’ର ହୃଦୟ । ଭୂମିକମ୍ପର ପ୍ରଥମ ବିସ୍ଫୋରଣରେ ଅଟ୍ଟାଳିକା ଏବଂ ଅଟବୀ ଦୋହଲି ଗଲାପରି ଚହଲିଗଲା ସୁନୀତାର ମନ ।

 

–ତୁମପାଇଁ କିଏ ନ ଭାବିବ କୁହ । ଏଇ ମୁହଁଟିରେ ଯେ ପରକୁ ଆପଣାର କରିବାର ଅମୋଘ ଆକର୍ଷଣ ଅଛି ।

 

–ଆଉ ତୋ ମୁହଁଟି ଶୁଖିଲା ନା ?

 

ହସି ହସି କହିଲା ସୁନୀତା ।

 

–ମତେ କିଏ ପଚାରିବ କୁହ; ତେବେ ହଁ, ତମେ ଯଦି ଅଭିନୟ କର ମୋତେ ଯାହାହେଉ କିଛି ଗୋଟେ କରେଇଦବ ଅପା ।

 

–ଅଭିନୟ କରିବାପାଇଁ କାହିଁକି ତୋର ଏତେ ଇଚ୍ଛା ଯେ ?

 

–ଇଚ୍ଛା ଥାଉ ବା ନଥାଉ ତମେ ଗଲେ ମୁଁ ଯିବି ନିଶ୍ଚୟ ।

 

ସୁନୀତା ତା’ର ଚିବୁକ୍ ସ୍ପର୍ଶକରି କହିଲା–ପାଗଳୀ ! ମୋ ପ୍ରେମରେ ପଡ଼ିଛୁ ତା’ହେଲେ-

 

କହିସାରି ହସିଉଠିଲା ସୁନୀତା । ହସିଉଠିଲା ଇଙ୍ଗୀତା । ସେଇ ହସର ଲହରୀରେ ଉଛୁଳିପଡ଼ିଲା ପ୍ରକୋଷ୍ଠ ।

 

–କିଏ ଏତେ ହସୁଛି ମ ! କ’ଣ ହୋଇଛି କିଲୋ ?

 

କହୁ କହୁ ପଶିଆସିଲେ ଅଳକା ଦେବୀ । ପରିଷଦର ସମ୍ପାଦିକା ଏବଂ ଶିକ୍ଷାୟୟତନର ପ୍ରଧାନ ଶିକ୍ଷୟିତ୍ରୀ । ଅପ୍ରତ୍ୟାଶିତ ତାଙ୍କର ଆଗମନ । ଦୁହେଁ ହସ ବନ୍ଦ କରି ଆଶ୍ଚର୍ଯ୍ୟ ଚକିତ ହୋଇ ଛିଡ଼ାହୋଇପଡ଼ିଲେ ।

 

–ବସ ବସ, ସୁନୀତା ! କିଛି ମନେକରିବ ନାହିଁ ଏଇ ଅସମୟରେ ବିନା ନୋଟିସରେ ଆସିଲେ ବୋଲି ।

 

ବିଶେଷ ଭଙ୍ଗୀ କରି ଗ୍ରୀବ ଦୋହଲାଇ ସୁଚାରୁରୂପେ କହିଲେ ଅଳକା ଦେବୀ । ସୁନୀତା ସେତେବେଳକୁ ନିଜକୁ ସଜାଡ଼ି ନେଇଥିଲା । କୋଠରୀର ଏକମାତ୍ର ବେତ ଚୌକିଟିକୁ ତାଙ୍କୁ ବସିବାପାଇଁ ଆଗେଇଦେଇ କହିଲା–ବସନ୍ତୁ ।

 

–ହଁ ଆସିଛି ତ ଗପିବାପାଇଁ । ତା’ପରେ ଦୁହେଁ କ’ଣ ଗପୁଥିଲ ଏତେ ?

 

ଆଳାପ କମାଇବାପାଇଁ ପଚାରିଲେ ଅଳକା ।

 

–ଏଇ ଇଙ୍ଗୀତା ବଡ଼ ହସକୁଡ଼ୀ ବଡ଼ ଅପା । କଥାରେ କଥାରେ ହସର ଲହରୀ ଖେଳାଏ ।

 

ଇଙ୍ଗୀତାକୁ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଚାହିଁଲେ ଅଳକା । ଏଇ ଚାହାଣିରେ ମିଶି ରହିଥିଲା ‘ମୁଁ ସବୁ ଜାଣେ’ର ଆତ୍ମଚେତନା । ଇଙ୍ଗୀତା ଟିକିଏ ଅପ୍ରସ୍ତୁତି ହୋଇପଡ଼ିଲା । ସୁନୀତା ସିନା ତା’ ଆପଣାର ସ୍ନେହଶୀଳ ଭଗ୍ନୀ ପରି ଶୁଭାକାଙ୍‌କ୍ଷୀ କିନ୍ତୁ ଅଳକା ଦେବୀ ? ତାଙ୍କ କଥା ଭାବିଲେ ଆଶଙ୍କାରେ ଶିହରିଉଠେ ସେ ।

 

ଇଙ୍ଗୀତା କିଛି କହିବାପାଇଁ ଚେଷ୍ଟାକଲା । କିନ୍ତୁ ତା’ ତୁଣ୍ଡ ଖୋଲିଲା ନାହିଁ । ବହୁ କଷ୍ଟରେ ସେ କେବଳ କହିଲା–ମୁଁ ଆଜି ଆସୁଛି ଅପା– ।

 

କିନ୍ତୁ ଚାଲିଯିବା ପୂର୍ବରୁ ତାକୁ ଷ୍ଟୋଭ୍ ଲଗାଇ ଦୁଇକପ୍ ଓଭଲଟିନ କରି ଆଣିବା ପାଇଁ କହିଲା ସୁନୀତା । ଇଙ୍ଗୀତା କୋଠରୀ ଭିତରୁ ବାହାରକୁ ଯାଇ ନିଶ୍ୱାସ ମାରିଲା ସ୍ୱସ୍ତିରେ ।

 

–ତା’ପରେ ଆଜି ଛୁଟିଦିନରେ ଯାଇନ ଯେ, କେଉଁଆଡ଼େ ?

 

ପ୍ରଶ୍ନକଲା ଅଳକା ।

 

–ଆଉ କେଉଁଆଡ଼େ ଯିବ ଅପା । ଭଲ ଲାଗୁନଥିଲା । ବସି ବସି ଗପୁଥିଲି ଇଙ୍ଗୀତା ସାଙ୍ଗରେ ।

 

–ତମେ ନୂଆ । କିଛି ମନେକରିବ ନାହିଁ କହୁଛି ବୋଲି–ଏଇ ଝିଅଗୁଡ଼ାକ ଗହଣରେ ଟିକେ ସାବଧାନ ହୋଇ ମିଳାମିଶା କରିବ ନୀତା । ତମେ ଜାଣନି ସବୁ । ସେମାନଙ୍କ ଅତୀତ ଯେପରି ଗର୍ହିତ, ବର୍ତ୍ତମାନ ସେଇପରି ପଙ୍କିଳ ।

 

–ଅଥଚ ଆପଣ ତ ସେଦିନ କହୁଥିଲେ ସେମାନେ ଅତୀତରେ ଯାହା ଥାଆନ୍ତୁନା କାହିଁକି ବର୍ତ୍ତମାନ ସୁଧାର ସମାଜର ସୀମା ମଧ୍ୟରେ କଲ୍ୟାଣମୟୀ ନାରୀର ଶୁଭଙ୍କରୀ ରୂପ ନେଇ ବିଦ୍ୟମାନ ।

 

ସମ୍ଭାଳିନପାରି କହିଦେଲା ସୁନୀତା । ଇଙ୍ଗୀତା ବିରୋଧରେ ବଡ଼ ଅପାଙ୍କ ଇଙ୍ଗିତକୁ ସେ ନୀରବ ହୋଇ ସହିନେଇ ପାରିଲାନାହିଁ । କିନ୍ତୁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଏଇକଥା କହିଦେଇ କାହିଁକି ହଠାତ ତାଙ୍କୁ ଏପରି ଭାବରେ କହିଦେଲା ବୋଲି ନିଜେ ନିଜେ ଅପ୍ରସ୍ତୁତି ହୋଇଗଲା ସୁନୀତା । ତାକୁ ସେହି ଅବସ୍ଥାରୁ ରକ୍ଷାକରି କହିଲେ ଅଳକା ସେତକ ସମସ୍ତଙ୍କ ଆଗରେ ନ କହିଲେ ଚଳିବନି ଭଉଣୀ । ତୁମେ ବୁଦ୍ଧିମତୀ । ସବୁ ଜାଣିବା ଉଚିତ ତୁମର । ଆଜିକାଲି ସ୍ପଷ୍ଟତାଠାରୁ ଅସ୍ପଷ୍ଟତାର ସ୍ୱାଦ ଅଧିକ ।

 

ବିସ୍ମୟ ବିମୂଢ଼ ସୁନୀତା ତାଙ୍କ କଥା ଶୁଣି ନିର୍ବାକ୍ ହୋଇଗଲେ । କିନ୍ତୁ ପରେ ପରେ ତାଙ୍କ ନୂତନ ପରିଚୟ ପାଇ ଆତଙ୍କରେ ଶିହରିଉଠିଲା । ସେ କିଛି କହିବା ପୂର୍ବରୁ ତାକୁ ବିଚାର ସଙ୍କଟରୁ ପରିତ୍ରାଣ କରିବାପାଇଁ ବୋଧେ କହିଲେ ଅଳକା–

 

–ପରିଷଦ ଏଇମାନଙ୍କ କଲ୍ୟାଣ ନିମିତ୍ତ ଉଦ୍ଦିଷ୍ଟ । ଏହାର ଅର୍ଥ ନୁହେଁ ଯେ, ଯେଉଁମାନେ ପତିତା, ସେମାନେ ସବୁଦିନ ପତିତା ରହିବେ । ତେବେ ଉଦ୍ୟମ ଏବଂ ଯତ୍ନ କରିବା ଆମର ପରମ କର୍ତ୍ତବ୍ୟ ଏବଂ ନିଜକୁ ସଂଶୋଧନ କରିବା ହେଉଛି ସେମାନଙ୍କର ଏକମାତ୍ର କର୍ତ୍ତବ୍ୟ-

 

–ହଁ ।

 

ଆଉ ସେ ବିଷୟ ଅବତାରଣା ନ କରି ପ୍ରସଙ୍ଗ ପରିବର୍ତ୍ତନ କରିବାପାଇଁ ସେ କହିଲା–ବାର୍ଷିକ ଉତ୍ସବର ଦିନ ତ ନିକଟ ହୋଇଆସିଲା ।

 

–ସେଇ ଜଞ୍ଜାଳ ତ ମୋତେ ଆହାର ନିଦ୍ରାପାଖରୁ ଦୂରେଇ ନଉଛି ନୀତା । ଏତେ ବଡ଼ ଗୋଟିଏ ଅନୁଷ୍ଠାନର ଉତ୍ସବ । ସବୁ ସର୍ବାଙ୍ଗ ସୁନ୍ଦର ଭାବରେ ହେବା ଆବଶ୍ୟକ ।

 

–ତାନହେଲେ ମର୍ଯ୍ୟାଦାହାନି ଯେ ।

 

–ସେଇଥିପାଇଁ ତ ତୁମପରି ତରୁଣୀ, ଉତ୍ସାହୀ ଶିକ୍ଷୟିତ୍ରୀମାନଙ୍କର ପରାମର୍ଶ ଏବଂ ସହଯୋଗ ମୋର ଏକାନ୍ତ କାମ୍ୟ ସୁନୀତା ।

 

ସ୍ପର୍ଶ କଲାଭଳି ବେଶ୍ ମଧୁର ଓ ସ୍ନିଗ୍ଧ କଣ୍ଠରେ କହିଲେ ଅଳକା ।

 

–ସେ ତ ଆପଣଙ୍କ ଆଦେଶ ଉପରେ ନିର୍ଭର କରେ ବଡ଼ ଅପା !

 

ଉତ୍ତର ଶୁଣି ଖୁସି ହୋଇଗଲେ ଅଳକା । କଥା କହି ମନ ମୋହିବାର କାଏଦା ଜଣାଅଛି ତାଙ୍କୁ । ଯାହା ଚାହିଁଥିଲେ ଠିକ୍‍ ସେଇପରି ହବାକୁ ଯାଉଛି–

 

–ତୁମେ ବୁଝ ବୋଲି ଏକଥା କହିଲେ ଭଉଣୀ । ଅଥଚ କାଲି ଯେତେବେଳେ ବିଭା ଦେବୀଙ୍କୁ କହିଲେ ଡ୍ରାମାରେ ପାର୍ଟ ନଦବାପାଇଁ ସଫା ମନାକରିଦେଲେ ସେ ।

 

–ବିଭା ଦେବୀଙ୍କୁ ମାନନ୍ତା ବେଶ୍ ।

 

ସମସ୍ତେ ଜାଣନ୍ତି ଏଇ ବିଭା ଦେବୀ ବଡ଼ ଆପାଙ୍କ ସବୁଠାରୁ ବେଶୀ ଅନ୍ତରଙ୍ଗ । ତାଙ୍କ ସହିତ ସବୁ ବିଷୟରେ ନିଭୃତ ଆଲୋଚନା ନକରି କିଛି କରନ୍ତି ନାହିଁ ଅଳକା ।

 

ଟିକିଏ ଶ୍ଳେଷ ଫୁଟାଇ କହିଲେ–ସେଇଥିପାଇଁ ତ କହିଥିଲି ତାଙ୍କୁ । କିନ୍ତୁ ରାଜିହେଲେନି-। ତୁମେ ସବୁ ମୋର ସହଯୋଗୀ । ସହଯୋଗ ଯଦି ସ୍ୱତଃପ୍ରବୃତ୍ତଭାବରେ ନଦିଅ ତା’ହେଲେ ମୁଁ ଏକା ସମ୍ଭାଳିବି କିପରି ?

 

ଅନୁଯୋଗ କଲେ ଅଳକା । ତାଙ୍କ କଥାରୁ ସ୍ପଷ୍ଟ ଜାଣିପାରିଲେ ସେ ବିଭା ଦେବୀଙ୍କୁ ମନାକରିଦେବା ବୋଧେ ବାଧିଛି ତାଙ୍କୁ । ସେ ପ୍ରସଙ୍ଗକ୍ରମେ ପଚାରିଦେଲା–

 

–ଡ୍ରାମା ତାହେଲେ କିମିତି ହବ ?

 

–ହବ ନିଶ୍ଚୟ–ଏକଥା ମୋଠୁ ଜାଣିରଖ । ମୁଖ୍ୟମନ୍ତ୍ରୀଙ୍କୁ ହିମାଂଶୁ ବାବୁ କଥାଦେଇ ଆସିଛନ୍ତି । ଆଉ ପଛେଇଯିବାର ବେଳନାହିଁ ।

 

–କିନ୍ତୁ ସବୁ ସିଦ୍ଧାନ୍ତ ନକରି କଥାହବା… ।

 

ତାଠାରୁ କଥା ଛଡ଼ାଇ କହିଲେ ଅଳକା–ମୁଁ ମାନୁଚି ଉଚିତ ହୋଇନି । କିନ୍ତୁ ଯେତେବେଳେ କଥାଦେଇ ଆସିଛନ୍ତି ଆମର ଉଚିତ ନୁହେଁ କି ଅନୁଷ୍ଠାନ ଏବଂ ଅନୁଷ୍ଠାନର ପରିଚାଳକଙ୍କ ମର୍ଯ୍ୟାଦା ରକ୍ଷା କରିବାପାଇଁ ସବୁ ପ୍ରକାର ତ୍ୟାଗ ସ୍ୱୀକାର କରିବା ।

 

–ତା’ ସତ । ତାହେଲେ ?

 

ହୁଏତ କିଛି ଅସୁବିଧା ହବ । କିନ୍ତୁ ପ୍ରୋଗ୍ରାମ ଅନୁସାରେ ଆଗେଇଯିବି ମୁଁ । ସେଇଥିପାଇଁ ତ ତୁମପାଖକୁ ଏଇ ଅବେଳରେ ଧାଇଁଆସିଛି ଭଉଣୀ ।

 

ଚମକିପଡ଼ିଲା ସୁନୀତା । ପ୍ରସଙ୍ଗ ଆସି ସିଧା ତା’ ମୁହଁଉପରେ । ଉତ୍ତର ଦବାକୁହିଁ ହବ-। କିନ୍ତୁ ଯାହାହେଉ କଥା କହି ମନ ମୋହିବାର ମୋହିନୀ ଶକ୍ତି ଜଣାଅଛି ଅଳକା ଦେବୀଙ୍କୁ ।

 

ଧୀରେ ଧୀରେ କହିଲା ସୁନୀତା–କୁହନ୍ତୁ କ’ଣ କରିପାରେ ମୁଁ ?

 

–ତୁମକୁ ଅନେକ କିଛି କରିବାପାଇଁ ହବ । ତୁମେ ଚାରୁକଳା ପ୍ରଦର୍ଶନୀର ଭାର ନିଅ ।

 

–ଆପଣଙ୍କୁ ଆଦେଶ ଅମାନ୍ୟ କରିବ ନାହିଁ ।

 

–ଆଦେଶ ନୁହେଁ, ଅନୁରୋଧ ସୁନୀତା । ମୁଁ ସହଜ ଭାବରେ ସହଯୋଗ ଚାହେଁ । ଯେଉଁଠି ସ୍ନେହ ସହାନୁଭୂତି ମିଳେ ସେଠାରୁ । ତୁମକୁ ସ୍ନେହ କରେ ମୁଁ । ମତେ ନିଶ୍ଚୟ ତମର ଶ୍ରଦ୍ଧାରୁ ବଞ୍ଚିତ କରିବନି ।

 

–ନା, ନା । ଆପଣ ବଡ଼ । ପ୍ରଧାନ ଶିକ୍ଷୟିତ୍ରୀ । ଏ ଅନୁଷ୍ଠାନ ସହିତ ଆପଣଙ୍କର ନିବିଡ଼ ସମ୍ପର୍କ ରହିଛି । ଆପଣ ଯାହା କହିବେ ଆମେ ଆନନ୍ଦର ସହିତ ପାଳନ କରିବୁ ।

 

ଡ୍ରାମା ଭିତରେ ତା’ର ନାମ ନଥିବାର ଅନୁମାନ କରି ଉତ୍‍ଫୁଲ୍ଲ ହୋଇ କହିଲା ସୁନୀତା-। ଯାହାହେଉ ସେ ଯେ ରକ୍ଷା ପାଇଯାଇଛି ଏଥିପାଇଁ ମନେ ମନେ ଫୁଲିଉଠିଲା ଟିକିଏ । ଚାରୁକଳା ପ୍ରଦର୍ଶନୀର ଦାୟିତ୍ୱ ସେ ଆନନ୍ଦର ସହିତ ବହନ କରିବ ।

 

ଇଙ୍ଗୀତା ଆସିଲ । ହାତରେ ଟ୍ରେ । ଉପରେ ଦୁଇକପ୍ ଓଭଲଟିନ୍ ।

 

ଗୋଟିଏ କପ୍ ଅଳକା ଦେବୀଙ୍କ ହାତକୁ ବଢ଼ାଇଦେଇ କହିଲା ସୁନୀତା ତୋ ପାଇଁ ରଖିଛୁ ଇଙ୍ଗୀତା ?

 

–ରଖିଛି ଅପା

 

କହୁଁ କହୁଁ ପ୍ରକୋଷ୍ଠ ମଧ୍ୟରୁ ଅନ୍ତର୍ହିତ ହୋଇଗଲା ସେ ।

 

–ତୁମେ ଚା ନ ପିଇ ବେଶ୍ କରିଛ ଭଉଣୀ ।

 

–ପିଲାବେଳୁ ମୋତେ କାହିଁକି ଭଲଲାଗେନା ଚା ପିଇବା ପାଇଁ ।

 

–ବେଶ୍ ଭଲ । ମୋର ତ ଦିନକୁ ପାଞ୍ଚଥର ଚା ନହେଲେ ନ ଚଳେ ।

 

ଓଭଲଟିନ ପାନ କରି ଉଠିବା ପୂର୍ବରୁ ସୁନୀତାର ଆହୁରି ନିକଟକୁ ଲାଗିଆସି ଅନୁନୟ କଲେ ଅଳକା–ଅନୁରୋଧ ନୁହେଁ, ଗୋଟିଏ ଅଳି ଅଛି ସୁନୀତା ।

 

–ନା, ନା । ସେପରି କହିବେ ନାହିଁ । ଆଦେଶ କରନ୍ତୁ ।

 

–ତୁମେ ରଖିବ ତ ?

 

–ଆପଣଙ୍କ ଆଦେଶ କେବେହେଲେ ତ ମୁଁ ଅମାନ୍ୟ କରିନାହିଁ ।

 

–ନା, ତାହା ମୁଁ ଯୋରଦେଇ ମୁକ୍ତ କଣ୍ଠରେ ସମସ୍ତଙ୍କ ଆଗରେ ସ୍ୱୀକାର କରିବି । ତେବେ ଆଜିକାଲି ‘ନାହିଁ’ ଶୁଣି ଶୁଣି କେବଳ ‘ନାହିଁ’ ଶୁଣିବାପାଇଁ ମନଟାକୁ ସର୍ବଦା ପ୍ରସ୍ତୁତ ରଖିଥାଏ ସୁନୀତା ।

 

ହସିଲେ ଅଳକା । ହସିଲା ସୁନୀତା ।

 

–କୁହନ୍ତୁ କ’ଣ କରିବି ।

 

ଟିକିଏ ନୀରବ ରହି ଅତି ମନଛୁଆଁ କଣ୍ଠରେ କହିଲେ ଅଳକା–ମୋତେ ରକ୍ଷା କର ସୁନୀତା । ଡ୍ରାମାର ମେନ୍‍ ହିରୋଇନ ତୁମେ ନହେଲେ ସେଥିପାଇଁ ଅନ୍ୟ ଯୋଗ୍ୟ ପ୍ରାର୍ଥନା ପାଇବା ଅସମ୍ଭବ । ତୁମ ଉପରେ ସମସ୍ତଙ୍କର ଆଶା, ଅନୁଷ୍ଠାନର ଭରସା....

 

ଶେଷ କରିପାରିଲେ ନାହିଁ । କଣ୍ଠ ତାଙ୍କର ଜଡ଼ି ଆସୁଥିଲା ଶେଷଆଡ଼କୁ ।

 

ଅବାକ୍ ହୋଇ ଚାହିଁ ରହିଲା ସୁନୀତା । କାହିଁକି ଅଜାଣତରେ ଧରାଦେଲା ଏଇ ନାଗଫାଶରେ ତାହା ଠିକ୍ କରିପାରିଲା ନାହିଁ । ଅଳ୍ପ ସମୟ ପୂର୍ବରୁ ଯାହା ନକରିବାର ଆନନ୍ଦରେ ମନକୁ ସିକ୍ତ କରିଥିଲା ଏଇ ମୁହୂର୍ତ୍ତକରେ ଅନ୍ୟ ଏକ ବିପରୀତ ସିଦ୍ଧାନ୍ତ ଦୋହଲାଇଦେଲା ତାକୁ ।

 

ବିମୂଢ଼ ଭାବରେ ସେ କିଛି ସମୟ ବସି ରହିଲା, ହଁ କି ନାହିଁ କିଛି କହିବାପାଇଁ ସାହସ ହେଲାନାହିଁ ।

 

କିନ୍ତୁ ଅଳକା ଦେବୀ ସ୍ଥିର ସିଦ୍ଧାନ୍ତକରି ଆସିଥିଲେ । ସେ ତା’ର ଗଳା ବେଷ୍ଟନ କରି କହିଲେ–ମୁଁ ତାହେଲେ ଉଠୁଚି ଆଜି । ତୁମେ ଏ ବଡ଼ ଭଉଣୀଟିକୁ ଭୁଲିଯିବନି ଯେପରି !

 

ଉତ୍ତର ଶୁଣିବାପାଇଁ ସମୟ ନ ଥଲା ଅଳକା ଦେବୀଙ୍କର । ଉତ୍ତର ପାଇସାରିଥିଲେ ସେ । ଅନ୍ୟୋପାୟ ସୁନୀତା କିଂ‌କର୍ତ୍ତବ୍ୟବିମୂଢ଼ ହୋଇ ତାଙ୍କର ପ୍ରତ୍ୟାଗମନ ପଥକୁ ଅନାଇ ରହିଲା-

 

ସେ ଦୃଷ୍ଟିରେ ଲକ୍ଷ୍ୟ ନଥିଲା–ଥିଲା ଏକ ଅପରିସୀମ ଉଦବେଗରେ ଅନୁଚାରିତ ସଙ୍କେତ ।

 

ବାଆର

 

ନାଟକର ରିହରସଲ ହେଉଥାଏ ସେଦିନ । ସୁନୀତା ପ୍ରଧାନ ନାୟିକା ଭାବରେ କଳିଙ୍ଗର ରାଜକୁମାରୀ ଚରିତ୍ରରେ ଅଭିନୟ କରୁଥିଲା ।

 

ରାଜକୁମାରୀ ତାଙ୍କର ପ୍ରଶୟପ୍ରାର୍ଥୀ ରାଜକୁମାରଙ୍କୁ କହୁଥିଲେ–ଗୋଟିଏ ପାଖରେ କୂଳ ଅନ୍ୟପାଖରେ କଳଙ୍କ । ଏକ ପକ୍ଷରେ ଅନ୍ଧକାର ଅନ୍ୟପକ୍ଷରେ ଆଲୋକ । ବିଚାରରେ ଏହି ସନ୍ଧିରେ ମୁଁ ସ୍ଥିତପ୍ରଜ୍ଞ ପରି ନିଶ୍ଚଳ, ନିର୍ବେଦ ହୋଇ କେବଳ ଭାବିବା ପାଇଁ ଚାହେଁ ରାଜକୁମାର । ଏକାକିନୀ, ଏକାନ୍ତରେ ଏକାକିନୀ ଭାବରେ ସ୍ଥିର କରିବାପାଇଁ ସୁଯୋଗ ଦିଅ କୁମାର ।

 

ତାଙ୍କ ମୁହଁଉପରେ ବେଦନାର ପ୍ରଲେପ, କଣ୍ଠରେ ଅମାପ ଉଷ୍କ ଆକୁଳତା । କିନ୍ତୁ ରାଜକୁମାର ତାଙ୍କର ଉଗ୍ର, ଉଷ୍କପ୍ରେମ ନିବେଦନ ଆଗରେ କୂଳ, ମାନ, ମର୍ଯ୍ୟାଦା ସବୁ ପରିତ୍ୟାଗ କରି ଅପେକ୍ଷା କରୁଥିବା ଅଶ୍ୱ ପୃଷ୍ଠରେ ରାଜକୁମାରୀ ତାଙ୍କର ସହଗାମିନୀ ହୁଅନ୍ତୁ ଏଇ ନିବେଦନ କରିବା ପୂର୍ବରୁ ପ୍ରକୋଷ୍ଠର ପ୍ରବେଶ ନିକଟରେ ସାମାନ୍ୟ ଗୁଞ୍ଜନ ଶୁଣାଗଲା ।

 

ସୁନୀତାର ରାଜକୁମାରୀ ଭୂମିକାର ଶେଷ ନିବେଦନ ଉଚ୍ଚାରିତ ହେଉଥିବାବେଳେ ପ୍ରବେଶ କରି ଆଗନ୍ତୁକମାନେ ବିସ୍ମୟ ବିମୁଗ୍ଧ ନୟନରେ ଅନାଇ ରହିଲେ ଅଭିନେତ୍ରୀର ପ୍ରାଣସ୍ପର୍ଶୀ ଅଭିନୟ ଦେଖି ।

 

ସୁନୀତା ଶେଷ କଲା । କିନ୍ତୁ ରାଜକୁମାର ଚରିତ୍ରରେ ଅନିଭା ଦେବୀ ତାଙ୍କର ବକ୍ତବ୍ୟ ଆରମ୍ଭ କରିବା ପୂର୍ବରୁ ହିମାଂଶୁବାବୁ ଏବଂ ତାଙ୍କ ବନ୍ଧୁଙ୍କୁ ପ୍ରକୋଷ୍ଠ ଭିତରେ ଦେଖି କ୍ଷଣକରେ ଲାଜକୁଳୀ ଲତା ପରି ଝାଉଁଳିପଡ଼ିଲା ସୁନୀତା; ତା’ର ମୁଖମଣ୍ଡଳରେ ଲଜ୍ୟାଯୁକ୍ତ ଅରୁଣିମା ଅତି ସ୍ପଷ୍ଟଭାବରେ ଫୁଟିଉଠିଲା । ସେ ଆଡ଼ହୋଇ ଛିଡ଼ାହୋଇ ଅନିମା ଦେବୀଙ୍କର ରାଜକୁମାର ଭୂମିକାର ବକ୍ତବ୍ୟ ଶୁଣିବାପାଇଁ ଅପେକ୍ଷା କରି ରହିଲା ।

 

–ବନ୍ଦ କଲ ଯେ । ନା, ନା, ଏଥିରେ ଲଜ୍ୟା କରିବାର କ’ଣ ଅଛି । ଆମର ଡାଇରେକ୍ଟର ଶ୍ରୀଯୁକ୍ତ ହିମାଂଶୁ ପଟ୍ଟନାୟକ ଏବଂ ତାଙ୍କର ବନ୍ଧୁ ପ୍ରଖ୍ୟାତ ନାଟ୍ୟ ପରିଚାଳକ ଶ୍ରୀ ଅମିତାଭ ମହାପାତ୍ର ଆସିଛନ୍ତି ରିହରସଲ ଦେଖିବାପାଇଁ ।

 

ସାମ୍ନାରେ ଥିବା ଦୁଇଟି ଚୌକିଉପରେ ଦୁଇ ଅତିଥିଙ୍କୁ ବସାଇଦେଇ କହିଲେ ଅଳକା ।

 

ରିହରସଲ କିନ୍ତୁ ଆଗେଇପାରିଲା ନାହିଁ । ଏଇ ବିଶିଷ୍ଟ ଅତିଥିମାନଙ୍କ ଆଗରେ ଅଭିନୟ କରିବାର ଉତ୍ତାପ ଏବଂ ଉତ୍ତେଜନା ସବୁ ମ୍ରିୟମାଣ ହୋଇଗଲା । ଏତେଗୁଡ଼ିଏ ନାରୀଙ୍କ ଗହଣରେ ଯେଉଁ ଗୁଞ୍ଜନ ଉଠୁଥିଲା ତାହା ବନ୍ଦ ହୋଇଗଲା ଆପେ ଆପେ । ମୁହୂର୍ତ୍ତକରେ ସମସ୍ତ ପ୍ରାଣ ଚାଞ୍ଚଲ୍ୟ ବନ୍ଦ ହୋଇ ସ୍ତବଧ, ନିର୍ବାକ ହୋଇଗଲେ ସମସ୍ତେ ।

 

ଅଳକା ଦେବୀ କିନ୍ତୁ ଅପ୍ରସ୍ତୁତ ହେଲେନାହିଁ । ସେ ଅତିଥିମାନଙ୍କୁ ଉଦ୍ଦେଶ୍ୟ କରି କହିଲେ–ଲଜ୍ୟାହିଁ ନାରୀର ଭୂଷଣ, ତା’ର ସ୍ୱାଭାବିକ ପରିଣତି ଆଖିଆଗରେ ଦେଖିଛନ୍ତି–

 

–ଏତେ ଲଜ୍ୟା କଲେ ଚଳିବ କିମିତି ? ପୁଣି ଆରମ୍ଭ କରନ୍ତୁ ।

 

କହିଲେ ଅମିତାଭ ।

 

ଅମିତାଭ ଆଶ୍ଚର୍ଯ୍ୟ ହୋଇଥିଲେ ସୁନୀତାକୁ ଅଭିନୟ କରିବାର ଦେଖି । ଏଇ ତରୁଣୀଟିକୁ ସେଦିନ ଦେଖିଥିଲେ ଅନିମା ଘରେ । ଅନିମାର ଝିଆରୀ । ଦୀର୍ଘାଙ୍ଗୀ, ମେଦହୀନ ଏବଂ ସୁଶ୍ରୀ । ବେଶ୍ ଭଲଲାଗିଥିଲା ତାଙ୍କୁ । ସେଥିପାଇଁ ସିନା ଅନିମାଙ୍କ ଅନୁରୋଧ ଏଡ଼ିନପାରି ହିମାଂଶୁବାବୁଙ୍କୁ କହି ଠିକ୍ କରିଦେଇଥିଲେ ଏଇ ଶିକ୍ଷୟିତ୍ରୀର କାମ ।

 

ଅଳକା ଦେବୀ ସମାନଙ୍କୁ ଉତ୍ସାହ ଦେଲେ । ଆରମ୍ଭ କର । ବିଳମ୍ବ ହୋଇଯାଉଛି । ଅମିତାଭ ବାବୁ ବିଖ୍ୟାତ ନିର୍ଦ୍ଦେଶକ ଏବଂ ପରିଚାଳକ । ଅଭିନୟ ଦେଖି ତାପରେ ଯାହା ସଂଶୋଧନ କରିବାକୁ ହେବ ନିର୍ଦ୍ଦେଶ ଦେବେ ।

 

ପୁଣି ରିହରସଲ ଆରମ୍ଭ ହେଲା । କିନ୍ତୁ ପୂର୍ବର ନିରଙ୍କୁଶ ସ୍ୱଚ୍ଛଳତା ଉପରେ ବାଧା ଆସିଯାଇଥିଲା । ସେପରି ସହଜ ଭାବରେ ଆଉ ପ୍ରେମ ନିବେଦନ କରିପାରିଲେ ନାହିଁ ରାଜକୁମାର ବା ଅନ୍ତର ଖୋଲି ଗଭୀର ଆଲୋଡ଼ନ ଭିତରେ ନିଜର ପ୍ରତ୍ୟାଖନକୁ ମୂର୍ତ୍ତି କରିପାରିଲେ ନାହିଁ ରାଜକୁମାରୀ ।

 

ଅମିତାଭ କହିଲେ–କଳାରେ ଶ୍ରୀ ଅଛି । ସ୍ନିଗ୍ଧତା ଅଛି । ତାକୁ ଅଭିନୟର ଆଲେଖ୍ୟ ମଧ୍ୟରେ ସୁଶୋଭିତ ଏବଂ ସୁଷମାମଣ୍ଡିତ କରିବାକୁ ହୁଏ । ଯେଉଁ ପ୍ରାଣ ତରଙ୍ଗ ଯେତିକି ସହଜ ଓ ସାବଲୀଳ, ସେଠାରେ ତା’ର ଗତି ଏବଂ ପ୍ରକୃତି ସେତିକି ପ୍ରାଣସ୍ପର୍ଶୀ ଏବଂ ମୁଖରିତ । ଏଣୁ ଆପଣମାନେ ପ୍ରାକୃତିକ ପରିବେଶ ସୃଷ୍ଟି କରି ସହଜ ଭାବରେ ନିଜର ଅଭିନୟ କରିବେ ।

 

କିଛିକ୍ଷଣ ଅଭିନୟ ଦାଖିଲେ, ଦୁହେଁ ବସି ବସି ତାପରେ ହିମାଂଶୁ କହିଲେ–ଆଜି ଏତିକିରେ ବନ୍ଦ ଥାଉ ଅଳକା ଦେବୀ । ଅମିତାଭ ବାବୁ ଆଉ ଦୁଇ ଚାରିଥର ଆସି ଯାହା ସମ୍ଭବ ସଜାଡ଼ିଦେଇ ଯିବେ । ଆଜି ତ ପ୍ରଥମ ପରିଚୟ ଏତିକିରେ ଥାଉ ।

 

ଅଭିନୟରୁ ଉପସ୍ଥିତ ଅବ୍ୟାହତି ପାଇ ଖୁସିହେଲା ସୁନୀତା । ସେ ଅନ୍ୟମାନଙ୍କ ସାଙ୍ଗରେ ଧୀର ପଦକ୍ଷେପରେ ନିଷ୍କ୍ରାନ୍ତ ହୋଇଗଲା ପ୍ରକୋଷ୍ଠ ମଧ୍ୟରୁ । ତାକୁ ଅନୁସରଣ କରି କରି ଗଲା ଇଙ୍ଗୀତା ।

 

ରାତି ବେଶୀ ହୋଇନି । ମାତ୍ର ସାଢ଼େ ନଅଟା । ହିମାଂଶୁ ବାବୁ ଉଠିବାର କୌଣସି ଉପକ୍ରମ ନକରି ସେଇଠି ବସି ରହିଲେ । ବସି ରହିଲେ ଅଳକା ଏବଂ ଅମିତାଭ ।

 

–ତୁମର କିମିତି ମନେହେଉଛି ଅମିତାଭ ।

 

–ବେଶ୍ ଭଲ । ତେବେ ଅଭିନୟ ଆଉ ଟିକିଏ ପରିମାର୍ଜିତ ହେଲେ ବେଶ୍ ଚିତ୍ତାକର୍ଷକ ହେବ । କଳାକାରମାନଙ୍କ ମଧ୍ୟରେ ପ୍ରତିଭା ଅଛି ।

 

–ବେଶ୍ । ତାହେଲେ ତୁମେ ଦୁଇ ଚାରିଦିନ ଆସି ସେଇ ପ୍ରତିଭାକୁ ତୁମର କୌଶଳଦ୍ୱାରା ଅଧିକ ଶାଣିତ କରିଦିଅ ।

 

–ମୁଁ ରାଜି । ତେବେ ତା’ ପୂର୍ବରୁ ଗୋଟିଏ କଥା ଅଳକା ଦେବୀଙ୍କୁ କରିବାକୁହେବ ।

 

–କୁହନ୍ତୁ ।

 

ଆଗ୍ରହରେ କହିଲେ ଅଳକା ଦେବୀ ।

 

–ଅଭିନେତ୍ରୀମାନଙ୍କୁ ସହଜ ଏବଂ ସ୍ୱଚ୍ଛନ୍ଦ ହବାପାଇଁ ଆପଣ ବୁଝାଇବେ । ଲଜ୍ୟା କଲେ ଚଳିବ ନାହିଁ ।

 

–ହଁ ହଁ । ଭଲ ପ୍ରସ୍ତାବ । ଲାଜ ଟିକିଏ ନ କମିଲେ ପ୍ରାଣବନ୍ତ ହବନି ଅଭିନୟ ।

 

ମନ୍ତବ୍ୟ କଲେ ହିମାଂଶୁ ବାବୁ ।

 

–ସେଥିରେ ଆପଣ ନିଶ୍ଚିନ୍ତ ରୁହନ୍ତୁ । ମୁଁ ସବୁ ଠିକ୍ କରିଦେବି ।

 

–ଆଉ ଗୋଟେ କଥା । ସମସ୍ତେ କ’ଣ ଚାଲିଗଲେଣି... ?

 

ଟିକିଏ ଦ୍ୱିଧା ଜଡ଼ିତ କଣ୍ଠରେ କହିଲେ ଅମିତାଭ ।

 

–ହଁ ବୋଧେ । ଦେଖୁଛି...

 

ଉଠିଗଲେ ଅଳକାଦେବୀ । ତାଙ୍କ ବହିର୍ଗମନ ପଥକୁ ଅନାଇ ରହିଲେ ହିମାଂଶୁ ଏବଂ ଅମିତାଭ । ଦୁଇଟି ମଣିଷର ଚାରିଟି ଆଖିର ଚାରି ସହସ୍ର ଉଜ୍ଜ୍ୱଳ ଦୃଷ୍ଟି । ଏ ଦୃଷ୍ଟି ମଣିଷର ଏକାନ୍ତର–ମଣିଷର ଅସରନ୍ତି କ୍ଷୁଧାର ।

 

ହତାଶ ହୋଇ ଫେରିଆସିଲେ ଅଳକା, ସମସ୍ତେ ଚାଲିଯାଇଥିଲେ । କିନ୍ତୁ ଅତିଥିମାନଙ୍କୁ ଆପ୍ୟାୟନ କରିବାର କୌଶଳ ଜଣାଅଛି ତାଙ୍କୁ । ସେ ଜାଣନ୍ତି ପୁରୁଷର ମନ । ବୁଝନ୍ତି ସେମାନଙ୍କର ଆଖିର ଭାଷା । ନିରୋଳାରେ, ନିକାଞ୍ଚନରେ ପୁରୁଷ ଭଲପାଏ ଆଳାପ କରିବା ପାଇଁ ନାରୀ ସହିତ । ଅନ୍ତରାଳରେ ଉତ୍ତାପ ବୃଦ୍ଧିପାଇ ଆଣେ ବୈଶ୍ୱାନରର ଦାହ, ରକ୍ତରେ ବିଜୁଳିର ବିପ୍ଳବ ।

 

–କ’ଣ ଏକା ଫେରିଲେ ଯେ ? ଆଜି ତାହାଲେ ଥାଉ । ଆଉ ଦିନେ ଆସିଲେ ଆଳାପ ଆଲୋଚନା କରିବା ।

 

ଅନନ୍ୟୋପାୟ ହୋଇଉଠିଲେ ଅମିତାଭ । ଇଚ୍ଛାଥିଲା ଆଉ ଟିକିଏ ବସି ନୂଆ ମୁହଁ, ନୂଆ ପରିଚୟ ଭିତରେ ଦେହ ଓ ମନକୁ ଉଷୁମ କରି ନବାପାଇଁ । କିନ୍ତୁ ହେଲାନାହିଁ ।

 

ହିମାଂଶୁ, ଅମିତାଭ, ଏବଂ ଅଳକା ଦେବୀ କକ୍ଷାନ୍ତରକୁ ଚାଲିଗଲେ । ବାହାରେ ଅଷ୍ଟମୀର ବଙ୍କା ଚାନ୍ଦ । ଶରତ୍ ଆକାଶର ସୁଷମା । ବିଛାଡ଼ି ହୋଇପଡ଼ିଥିଲା ଜ୍ୟୋତ୍ସ୍ନା । ଅଜାଡ଼ି ହୋଇପଡ଼ିଥିଲା ଶୀତଳତା ।

 

ଅମିତାଭଙ୍କୁ ପଛରେ ପକେଇ ଆଗେଇଯାଇ ଅଳକାଙ୍କୁ ପଚାରିଲେ ହିମାଂଶୁ ସେଇ ଯେ, ରାଜକୁମାରୀ ଭୂମିକାରେ ଅଭିନୟ କରୁଥିଲେ ସେ କ’ଣ ଆମ ଅନୁଷ୍ଠାନର ?

 

ଅଳକା ହିମାଂଶୁଙ୍କ ଉପରେ ଅର୍ଥପୂର୍ଣ୍ଣ ଦୃଷ୍ଟି ହାଣି କହିଲେ–ସମସ୍ତେ ଆମ ଅନୁଷ୍ଠାନର । ସେ ହେଉଛନ୍ତି ଆମର ନୂତନ ନିଯୁକ୍ତ ଶିକ୍ଷୟିତ୍ରୀ ସୁନୀତା ମିଶ୍ର । ଆପଣ ତ ନିଯୁକ୍ତିପତ୍ରରେ ସ୍ୱାକ୍ଷର କରିଥିଲେ ।

 

–ହୋଇପାରେ । ଏତେ କଥା ମନେରହେନା ।

 

–ତା’ ସତ । ଆପଣ ବ୍ୟସ୍ତ ମଣିଷ । ମୁହଁ ମନେରଖିବା ସମ୍ଭବ, କିନ୍ତୁ ନାମ ମନେରଖିବା ସମ୍ଭବ ନୁହେଁ ।

 

ସହଜ ଭାବରେ କହିଲେ ଅଳକା । କିନ୍ତୁ ବହୁ ଅର୍ଥ ବୁଝିଲେ ହିମାଂଶୁ । ଦିନେ ଏଇ ଅଳକା ତାଙ୍କ ଜୀବନର ଚୌରାସ୍ତା ଉପରେ ପଥ ଉଗାଳି ଛିଡ଼ାହୋଇଥିଲେ ଯୌବନର ସମସ୍ତ ସମ୍ଭାର ନେଇ । ଦ୍ୱିଧା ନକରି ଛିଡ଼ାହୋଇ ଯାଇଥିଲେ ସେ ବି । ଗ୍ରହଣ କରିଥିଲେ ଅଭିସାରିକାର ନିବେଦନ । ଦୁହେଁ ଦୁହିଁଙ୍କୁ ସମ୍ଭୋଗର ଆବର୍ତ୍ତ ମଧ୍ୟରେ ସ୍ୱାଧୀନ ଭାବରେ ଛାଡ଼ିଦେଇଥିଲେ ବାହାରର ଡାକ ନ ଶୁଣିବା ଯାଏ । ବାହାରର କୋଳାହଳ ଯେତେବେଳେ ଶୁଣାଗଲା ସେତେବେଳକୁ ଅଳକା ଦେବୀଙ୍କର ଯୌବନର ସମସ୍ତ ସଞ୍ଚିତ ଅରୁଣିମା ଶୋଷିନେଇ ତାଙ୍କୁ ଶେତା କରିଦେଇଥିଲେ ହିମାଂଶୁ ।

 

କିନ୍ତୁ ଅପାଂକ୍ରେୟ କରି ଫୋପାଡ଼ି ନଦେଇ ପ୍ରାୟ ପାଞ୍ଚବର୍ଷ ପରେ ତାଙ୍କୁ ଆଣି ସମାଜ କଲ୍ୟାଣ ପରିଷଦର ସମ୍ପାଦିକା ଏବଂ ଶିକ୍ଷାୟତନର ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ଅଧିଷ୍ଠିତ କରିଥିଲେ । ଅଳକା କୁତଜ୍ଞ ହୋଇଥିଲେ ଯୌବନାତ୍ତୀର୍ଣ୍ଣ ଜୀବନର ପାଥେୟପାଇ ।

 

ସେ କାଏଦା ଜାଣନ୍ତି ବଣ୍ୟ ବରାହକୁ ଶୃଙ୍ଖଳିତ କରିବାପାଇଁ । ତାଙ୍କ କ୍ୱାଟର ସମ୍ମୁଖରେ ପହଞ୍ଚିଲା ବେଳକୁ କହିଲେ–ବସନା ଟିକିଏ ରାତି ତ ସେମିତି କିଛି ବେଶୀ ହୋଇନି ।

 

ହିମାଂଶୁ ବାବୁଙ୍କୁ ଏକାନ୍ତରେ ‘ତୁମେ’ ସମ୍ବୋଧନ କରନ୍ତି ଅତୀତର ସ୍ମାରକ ରକ୍ଷାକରି । ବାହାରେ ଦୁହେଁ ଆବରଣର ଆଢ଼ୁଆଳରେ ଭଦ୍ର, ସେମାନଙ୍କର ବ୍ୟବହାର ଶିଷ୍ଟାଚାରଦ୍ୱାରା ସୀମିତ-

 

–ବେଶ୍ ଚାଲ । ଆସ ଅମିତାଭ । ଟିକିଏ ବସାଯାଉ ।

 

ପଛରେ ପଡ଼ିଥିବା ଅମିତାଭଙ୍କୁ ଡାକିଲେ ହିମାଂଶୁ । ଆଗେଇ ଆସିଲେ ଅମିତାଭ, ପ୍ରସ୍ତାବ ଶୁଣି ବେଶ୍ ଉତ୍‍ଫୁଲ୍ଲ ହେଲେ ସେ । କିନ୍ତୁ ମନଭିତରୁ ‘କିନ୍ତୁ’ ଭାବଟା ଏକାବେଳକେ କଟିଗଲା ନାହିଁ । ରାତି ବହଳ ହେଉଛି । ବହଳ ହେଉଛି ଦେହର ଆମେଜ । ଟିକିଏ ଫୁର୍ତ୍ତି ଲୋଡ଼ା-। ସାମାନ୍ୟ ପାନୀୟ ପ୍ରୟୋଜନ ।

 

–ହଠାତ୍ ଏତେ ଶୁଷ୍କ ମନେହେଉଛ ଯେ ?

 

ପଚାରିଲେ ହିମାଂଶୁ ।

 

–ନା, ନା । ଆଜିର ସନ୍ଧ୍ୟାଟା ବେଶ୍ ଭଲଲାଗୁଛି ।

 

–ତେବେ ଚାଲ ଅଳକା ଦେବୀଙ୍କ ଘର ଭିତରକୁ ।

 

ସମସ୍ତେ ପାହାଚ ଉପରକୁ ଉଠିଲେ । ଅଳକା ଉପରକୁ ଉଠିଯାଇ ସାଦର ସମ୍ବର୍ଦ୍ଧନା ଜଣାଇଲେ ଅତିଥିମାନଙ୍କୁ ।

ବସିବା ଘରେ ସମସ୍ତେ ବସିଲେ ଯାଇ । ଗଳ୍ପ ଗୁଜବ ଚାଲିଲା । ଅଳକା କଫି ଦେଇ ଆପ୍ୟାୟିତ କଲେ ଅତିଥିମାନଙ୍କୁ ।

–ଆପଣ ତ କାଲି ଆସିବେ ଅମିତାଭ ବାବୁ ।

–ନିଶ୍ଚୟ, ନିଶ୍ଚୟ ।

ଅମିତାଭ ବାବୁ କହିଲେ ହିମାଂଶୁ କ୍ଷମା କରିବେ । କାଲି ମୋର ଗୋଟାଏ ଏନଗେଜମେଣ୍ଟ ଅଛି । ପଅରଦିନ ଆସିବି ।

–ଭଲ କଥା ଆମେ ଆପଣଙ୍କର ଅପେକ୍ଷାରେ ରହିବୁ ।

–ଆପଣ କିନ୍ତୁ ତା’ ପୂର୍ବରୁ ଟିକିଏ ବୁଝେଇଦେଇଥିବେ ସମସ୍ତଙ୍କୁ । ଅଭିନୟ ଜମେ ମନରେ ଅଭୟ ଥିଲେ ।

–ମୁଁ ସେ ଦାୟିତ୍ୱ ଗ୍ରହଣ କରୁଛି । ଦେଖିବେ ଆପଣ ନିରାଶ ହେବେନାହିଁ ।

କିମିତି ଏକ ବିଶେଷ ଭଙ୍ଗୀ କରି ଭୂରୁ ନଚାଇ କହିଲେ ଅଳକା । ମୁଗ୍ଧ ହୋଇ ଅନାଇ ରହିଲେ ଅମିତାଭ, ହିମାଂଶୁ ହସୁଥିଲେ ମନେ ମନେ । ହାୟ ମଣିଷ ଏଡ଼େ ବୋକା । ସେ ବି ତ ବୋକା ପାଲଟିଥିଲେ ଦିନେ । କିନ୍ତୁ ସେଦିନ ଆଜି ଆଉ ନାହିଁ ବୋଲି କିଏ କହିବ ?

 

ନା, ସେ ଆଉ ଅଳକା ପାଖରେ ପ୍ରେମ ପ୍ରାର୍ଥନା କରିବେ ନାହିଁ । ଅଳକାର ସେ ବୟସ ଉର୍ତ୍ତୀର୍ଣ୍ଣ ହୋଇଯାଇଛି । କିନ୍ତୁ ଭୁଲିଗଲେ ହିମାଂଶୁ ତାଙ୍କ ନିଜ ବୟସ ତାଙ୍କ ପୂର୍ବତନ ପ୍ରିୟତମା ପାଖରୁ ଅନ୍ତତଃ ଚାରିବର୍ଷ ଅଧିକ ।

 

ମନ ତାଙ୍କର ବିଚଳିତ । କୌଣସି ଗୋଟିଏ ବିଷୟ ଉପରେ ଧୈର୍ଯ୍ୟଧରି ଆଲୋଚନା, କରିବାପାଇଁ ଭଲ ଲାଗୁନଥାଏ । ଗୋଟାଏ ଅଭାବନୀୟ ଅସ୍ଥିରତା ଗ୍ରାସ କରୁଥାଏ ସର୍ବାଙ୍ଗରୁ । ଏଇପରି ହୁଏ । ଦେହ ଭିତରେ ନପାଇବାର ଇଚ୍ଛାକୁ ଚାପି ରଖିଲେ ଏଇପରି ଜ୍ୱାଳା ଅନୁଭବ କରନ୍ତି ହିମାଂଶୁ । ତେବେ ସେ କ’ଣ ନପାଇ ଫେରିଯିବେ ।

 

ଝରକା ପାଖରେ ହେନା ଫୁଟିଛି । ସହସ୍ର ଫୁଟନ୍ତା ହେନାର ସୁରଭି ଭାସିଆସୁଛି ପବନରେ । ଉଠିବସିଲେ । ବେତାଳ ଏବଂ ବେସୁରା ମନେହେଲା ସବୁ । ହେନାର ମତୁଆଲା ସୁବାସ ଲାଗିଲା ଦେହରେ, ମୁହଁରେ, ସର୍ବାଙ୍ଗରେ । ସେଇ ସୁବାସ କ୍ଷଣିକରେ ରକ୍ତ ପ୍ରବାହରେ ଅଗ୍ନି ବନ୍ୟା ସୃଷ୍ଟିକଲା ।

 

–ତାହେଲେ ଆଜି ଏଇଠି ଶେଷହେଉ ଅଳକା ଦେବୀ ।

 

–ଆପଣଙ୍କୁ ଅଶେଷ ଧନ୍ୟବାଦ । କଷ୍ଟକରି ଆସିବେ କିନ୍ତୁ । ନିରାଶ କରିବେ ନାହିଁ ତ-?

 

–ନା, ନା, । କଥାଦେଇଛି । ଆସିବି ଅବଶ୍ୟ ।

 

ପାହାଚ ଦେଇ ଓହ୍ଳାଇଗଲେ ଅମିତାଭ । ପଛେ ପଛେ ଚାଲିଲେ ହିମାଂଶୁ ଏବଂ ଅଳକା-

 

ହଠାତ ହିମାଂଶୁ ଛିଡ଼ାହୋଇଗଲେ । ତାଙ୍କ ହାତରେ ବାଜିଲା ଅଳକାଙ୍କ ହାତ । ଦେହଟା ଚହଲିଯାଇ ଲାଗିଗଲା ତାଙ୍କ ସହିତ ।

 

ଅମିତାଭ ଆଗେଇ ଯାଇଥିଲେ । ହିମାଂଶୁ ସ୍ଥାନ, କାଳ, ପାତ୍ର ବିବେଚନା ନକରି ଅଳକାଙ୍କର ହାତରେ ଚାପଦେଇ ତଡ଼ିତ ବେଗରେ କହିଲେ–

 

–ଅପେକ୍ଷା କରିବ । ମୁଁ ଫେରୁଛି ଏଇକ୍ଷଣି ।

 

ଅପ୍ରତ୍ୟାଶିତ ଆନନ୍ଦରେ ଅଧିର ହୋଇପଡ଼ିଲେ ଅଳକା ।

 

ଅମିତାଭ ଷ୍ଟାଟ କଲେ ନିଜ କାର୍ । ତାଙ୍କୁ ଶୁଭରାତ୍ରି ଜଣାଇଲେ ଅଳକା ଏବଂ ହିମାଂଶୁ-

 

–ତୁମେ କ୍ୟାଣ୍ଟନମେଣ୍ଟ ହୋଇ ଯିବ ଅମିତାଭ ?

 

–ହଁ ।

 

–ମୁଁ ଯିବି ଚାନ୍ଦିନୀଚୌକ ହୋଇ । ଆସ ତା’ହେଲେ ।

 

–Good night.

 

–Good night.

 

–ଅମିତାଭଙ୍କର କଳା ଆମ୍ବାସାଡ଼ର ଗାଡ଼ିଟା ଫାଟକ ପାରିହୋଇ ଆଖିପଲକରେ ଅନ୍ତର୍ହିତ ହୋଇଗଲା ଦୃଷ୍ଟିପଥକୁ । ହିମାଂଶୁ ଗାଡ଼ିରେ ଷ୍ଟାର୍ଟ ନଦେଇ ଫେରିଆସିଲେ ଅଳକା ସହିତ-

 

ହେନା ଫୁଲର ସୁବାସ ।

 

ସେଇ ସୁବାସରେ ଅତୀତକୁ ସ୍ମରଣ କରିବାର ସୁଯୋଗପାଇଲେ ଅଳକା ।

 

ତେର

 

ସବ୍ୟସାଚୀ ମେସ୍‍ ଛାଡ଼ି ବସା ନେଇଛି । ଛୋଟ ଘର । ଦୁଇଟି ଛୋଟ ରହିବା ଘର । ଗୋଟିଏ ଅଲଗା ରାନ୍ଧିବା ଘର । ସ୍ୱତନ୍ତ୍ର ପାଇଖାନା ଏବଂ ଗାଧୋଇବା ଘର ।

 

ମଙ୍ଗଳାବାଗ ଛକରୁ ପଶ୍ଚିମଆଡ଼କୁ ଗଡ଼ି ଯାଇଥିବା ମଧୁବାବୁ ଲେନର ମୋଡ଼ଉପରେ ଛୋଟ ଘରଟି । ପକ୍କା କାନ୍ଥ, ଟାଇଲି ଛାତ । ଘର ସାମ୍ନାରେ ଗୋଟିଏ ବଉଳ ଗଛ ।

 

ଭଡ଼ା ଚାଳିଶ ଟଙ୍କା । ପ୍ରଥମେ ରାଜି ହେଉନଥିଲା ସବ୍ୟସାଚୀ । ନୂଆ ହୋଇ ଚାକିରି କରିଛି । କି ଦରକାର ଗୋଟିଏ ସ୍ୱତନ୍ତ୍ର ଘରର, କିନ୍ତୁ ନିଜର ପରିଚୟ ଦେଲାବେଳେ ଠିକଣା ଦେଇପାରେନା ଅଫିସର ସହଯୋଗୀମାନଙ୍କ ମଧ୍ୟରେ । ସେଇ ବସ୍ତିର ନାମ ଶୁଣିଲେ ନାକ ଟେକନ୍ତି ସମ୍ଭ୍ରାନ୍ତ ବ୍ୟକ୍ତିମାନେ । ପୁଣି ସେଇଠି ଅଛି ଜାଣିଲେ ଘୃଣା କରିବେ ତାକୁ । ହିମାନୀ ଷ୍ଟୁଡ଼ିଓ ଅଫିସର ମୁଷ୍ଟିମେୟ କିରାଣି ଏବଂ ପରିଚାଳକ ବେଶ୍ ଭଲ ଦରମା ପାଆନ୍ତି । ହିମାଂଶୁ ବାବୁ ଏ ଦିଗରେ କାର୍ପଣ୍ୟ କରିନାହାନ୍ତି । କର୍ମଚାରୀମାନେ ସନ୍ତୁଷ୍ଟ ନ ହେଲେ ଯେଉଁ ସ୍ୱତନ୍ତ୍ରତା ଏବଂ ଗୋପନୀୟତା ଟିକକ ସେମାନଙ୍କ ପାଖରୁ ଆଶା କରାଯାଏ ତାହା ମିଳିପାରିବ ନାହିଁ । ଷ୍ଟୁଡ଼ିଓର ଅନ୍ତରାଳରେ କେତେ ଅଭିନୟ ହୁଏ । ତାହା ତାଙ୍କର ଏବଂ କମ୍ପାନୀର ନୀତାନ୍ତ ନିଜସ୍ୱ ଏବଂ ବ୍ୟକ୍ତିଗତ ବ୍ୟାପାର । ଆଭିଜାତ୍ୟର ଆବରଣ ଭିତରେ ତାକୁ ଢାଙ୍କି ରଖି ଯେତିକି ଦେଖାଇଲେ ବାହାର ଲୋକେ ବାହାବା ଦେବେ ସେତିକି ପ୍ରକାଶ ପାଏ କେବଳ ।

 

ସେଇ ଅନୁଷ୍ଠାନର କର୍ମଚାରୀ ସବ୍ୟସାଚୀ । ଦୁଇଶହ ଟଙ୍କା ଦରମାର ସର୍ବ କନିଷ୍ଠ କର୍ମଚାରୀ ।

 

ମାସକ ପୂର୍ବର ବେକାର ସବ୍ୟସାଚୀ ବସି ବସି ଭାବେ । କୋଠରୀ ଭିତରେ ତକ୍ତପୋଷ ଉପରେ ଶୋଇ ଶୋଇ ସ୍ୱପ୍ନ ଦେଖେ ।

 

ସେ କ’ଣ ଥିଲା କ’ଣ ହୋଇଛି–

 

ରାସ୍ତାକୁ ଅନାଇ ଦେଖିନିଏ ଥରେ ଥରେ । ଛୋଟ ରାସ୍ତାଉପରେ ଧୂଳି ଉଡ଼ାଇ ଚାଲିଯାଉଛି, ଗାଡ଼ି, ସାଇକଲ, ମୋଟର, ପାଦରେ ଚାଲି ଚାଲିଯାଉଛନ୍ତି କେତେ ଲୋକେ–ବଡ଼, ଛୋଟ, ଧନୀ ଗରିବ ଯୁବକ ଯୁବତୀ.... । ସେଇ ଧୂଳି ଉଡ଼ିଆସି ଲାଗୁଛି ଝରକାର ପର୍ଦ୍ଦାରେ, ଭିତରେ ଥିବା ଆସବାବପତ୍ରରେ ।

 

ଧୂଳି ଉଡ଼େ, ମନ ଉଡ଼େ ଶୂନ୍ୟ ଆକାଶର ନିଶ୍ୱନ, ନିଝୁମ ନିସ୍ତବ୍ଧତା ମଧ୍ୟରେ । ଥରେ ଥରେ ଚମକିପଡ଼ି ନିଜର ମୁହଁଟିକୁ ଦର୍ପଣରେ ଦେଖିନିଏ ସବ୍ୟସାଚୀ । ଚେହେରାଟା ଟିକିଏ ସଫା ଦିଶୁଛି । ନୂଆ ଚାକିରି କରିବାର ଚେହେରା । ଚିକଣ ହୋଇଉଠିଛି ଦେହ ମୁହଁ । ଆକର୍ଷଣୀୟ, ଲୋଭନୀୟ ହୋଇଛି ଦେହର ସ୍ଫୁର୍ତ୍ତି, ମନର କର୍ମ ପ୍ରବଣତା ।

 

ଇନକିଲାବ ଜିନ୍ଦାବାଦ୍– ଇନକିଲାବ ଜିନ୍ଦାବାଦ୍

 

ସମବେତ କଣ୍ଠରେ ତ୍ୱର୍ଯ୍ୟନାଦ । ବିପ୍ଳବ ଦୀର୍ଘଜୀବୀ ହେଉ ।

 

କ୍ଷୟିଷ୍ଣୁ ମଣିଷ ସବୁକାଳରେ ବିପ୍ଳବର ଜୟ ପାଇଁ ପ୍ରାର୍ଥନା କରିଛି, ଦାବି କରିଛି । ଏଇ ବିପ୍ଳବର ବିଭବ ମଧ୍ୟରେ ସେ ଦେଖିଛି ଅନାଗତର ସମ୍ଭାର, ଶୁଣିଛି ଆଗାମୀର ପଦଧ୍ୱନି ।

 

ଏ ଯୁଗ ପାଲଟିଯାଉଛି । ମଣିଷ ବଦଳି ଯାଉଛନ୍ତି ।

 

ଇନକିଲାବ ଜିନ୍ଦାବାଦ୍....

 

ଧ୍ୱନି ବେଶ୍ ପାଖରୁ ଶୁଣାଗଲା । ଉଠି ବସି ବାହାରକୁ ଆସିଲା ସେ । ଚାହିଁଲା ମଙ୍ଗଳାବାଗ ଛକଆଡ଼କୁ ।

 

ଶୋଭାଯାତ୍ରା ଆଗେଇଯାଉଛି । ସମବେତ ଜନତା ଏକା ସାଙ୍ଗରେ ସ୍ୱରଉଠାଇ ଘୋଷଣା କରୁଛି–ଇନକିଲାବ ଜିନ୍ଦାବାଦ୍...

 

ଆମର ଦାବି ପୂରଣ କର–ଭୋକ, ବେକାରି ଦୂର କର ।

 

ସେମାନଙ୍କ ସହିତ ସ୍ୱର ମିଳାଇ ସ୍ଳୋଗାନ ଦବାପାଇଁ ଇଚ୍ଛାହେଲା ତା’ର । ଦେହରେ ଏବଂ ମନରେ ଅତି ପରିଚିତ ଚଞ୍ଚଳତା ଦେଖାଦେଲା । ସେ ଭାବପ୍ରବଣତାରେ ଭାସି ଯାଉ ଯାଉ ଆବିଷ୍କାର କଲା–ସେ ତ ଆଉ ବେକାର ନୁହେଁ । ସେ ହିମାନୀ ଷ୍ଟୁଡ଼ିଓର ଦୁଇଶହ ଟଙ୍କାର କର୍ମଚାରୀ । ତା’ହେଲେ ? ସେ ତ ସେମାନଙ୍କ ମଧ୍ୟରୁ ଜଣେ ହୋଇପାରେନା । ଯେତେବେଳେ ବେକାର ଥିଲା, ଭୋକରେ ହାଉଜାଉ ଖାଉଥିଲା; ସେତେବେଳେ କଣ୍ଠ ଫଟାଇ ସେ ବି ସ୍ଳୋଗାନ ଦେଉଥିଲା । ତାକୁ ସେଇ ସର୍ବହରାମାନଙ୍କ ଗହଣରେ ଚାଲିବାର ଗୌରବ ମିଳୁଥିଲା । କିନ୍ତୁ ଆଜି-? ମନଟା କିମିତି ସଙ୍କୁଚିତ ହୋଇଗଲା ।

 

ଥରେ ଭାବିଲା ହୁଏତ ଯାଇ ସେମାନଙ୍କ ସହିତ ମିଶିଯିବି । ସେମାନଙ୍କ ସହିତ ସମାନ ଭାବରେ ସ୍ଳୋଗାନ ଦେଇ ଚିତ୍କାର କରିବ–ଇନକିଲାବ ଜିନ୍ଦାବାଦ୍....

 

ସେ ହୁଏତ ଚାକିରିଟିଏ ପାଇଛି, କିନ୍ତୁ ଅନ୍ୟମାନେ ତ ପାଇନାହାନ୍ତି । ଦେଶରେ ଶତ ସହସ୍ର ବେକାର । ଶତ ସହସ୍ର ସମସ୍ୟା ।

 

–ନମସ୍କାର ସବ୍ୟସାଚୀ ବାବୁ ।

 

ବୁଲିପଡ଼ି ଦେଖିଲା କିଶୋର ବାବୁ ନମସ୍କାର ଜଣାଇଛନ୍ତି ତାକୁ । ସେକ୍ରେଟାରିଏଟର ଅପର ଡିଭିଜନ କ୍ଳର୍କ କିଶୋର ଶତପଥି ।

 

–ନମସ୍କାର ।

 

–କ’ଣ ଦେଖୁଛନ୍ତି–ପ୍ରସେଶନ ।

 

–ହଁ ବେଶ୍ ଲମ୍ବା...

 

–ଆହୁରି ଲମ୍ବା ହବ ସବ୍ୟସାଚୀ ବାବୁ । ଏ ବର୍ଷ ଯଦି ଅଧ ମାଇଲିଏ, ଆସନ୍ତାବର୍ଷ ହବ ଏକ ମାଇଲ ।

 

–ବେକାରି ବଢ଼ୁଛି ।

 

–ବଢ଼ୁଛି ଜନସଂଖ୍ୟା ।

 

–ହଁ କିନ୍ତୁ ପ୍ରତିକାର କ’ଣ ?

 

–ପ୍ରତିକାର କାହା ହାତରେ ନାହିଁ ।

 

ହତାଶ ହୋଇ କହିଲେ କିଶୋର ବାବୁ ।

 

–ପ୍ରତିକାର ନାହିଁ କହିଲେ ଚଳିବ କେଉଁଠୁ ? ପ୍ରତିକାର ବାହାର କରିବାକୁ ପଡ଼ିବ ।

 

–କିଏ କରିବ କୁହନ୍ତୁ ।

 

–ସରକାର, ଜନସାଧାରଣ, ଆମେ ସମସ୍ତେ....

 

–ଆମେ ସମସ୍ତେ ସମସ୍ୟା ସୃଷ୍ଟି କରୁ । ସମାଧାନ କରୁନା । ଏଇ ଦେଖନ୍ତୁନା ଆପଣ ସିନା ବାଚେଲର, କିନ୍ତୁ ମୁଁ ବିବାହିତ । ଚାରୋଟି ସନ୍ତାନର ଜନକ । ପଞ୍ଚମ ପୁଣି ଆସିବେ ଆସିବେ ହେଉଛନ୍ତି...

 

–ସେଥିରେ କ’ଣ ଅଛି ?

 

ଟିକିଏ ହସିଦେଇ କହିଲା ସବ୍ୟସାଚୀ ।

 

–ସେଥିରେ ସବୁ ଅଛି ଆଜ୍ଞା । ମୋର ସିନା ଚାରୋଟି ଏବଂ ଆଉ କିଛିଦିନ ପରେ ପାଞ୍ଚୋଟି ହବ, ହରିବାବୁ–ଆମ ଅଫିସ୍‍ର ବଡ଼ ବାବୁ, ତାଙ୍କର ଆଠଟି ସନ୍ତାନ । ଆମ ଅଫିସର ପିଅନ ନିଧି ରଣାର ସାତଟି । ଆମ ପଡ଼ାର ପରିବା ବିକାଳି ଗୋବିନ୍ଦ ସାହୁର ଏଗାରଟି । କୁହନ୍ତୁ ତ ମୋ ସହିତ ଏମାନଙ୍କର କି ଅଧିକାର ଅଛି ବତିଶଟି ସନ୍ତାନଙ୍କୁ ଏଇ ଦେଶର ଧୂଳି ମାଟିଉପରେ ନଗ୍ନ ପାଦ ଏବଂ ଶୂନ୍ୟ ହାତରେ ଛାଡ଼ିଦେବା ପାଇଁ ? ଏଇ ବତିଶଟି ପରେ ବତିଶ ହଜାରରେ ପରିଣତ ହେବ ।

 

–ଆାପଣ ବେଶ୍ ମଜାର ଲୋକ କିଶୋର ବାବୁ; ଆସନ୍ତୁ ବସି ବସି ଗଳ୍ପ କରିବା ।

 

ଆଜ୍ଞା, ସେତକ ଯଦି ମୋ ଭାଗ୍ୟରେ ଥାନ୍ତା ମୁଁ ନିଜକୁ ଅତ୍ୟନ୍ତ ସୁଖି ମନେକରନ୍ତି । ତେଣେ ଗୃହିଣୀଙ୍କର ତାଗିତ୍, ପରିବା ନେଇ ଛ’ଟା ପୂର୍ବରୁ ଫେରି ପୁଣି ଡାକ୍ତରଙ୍କ ପାଖକୁ ଯାଇ ଔଷଧ ଆଣିବା ପାଇଁ ହବ । ଝିଅ ଇନ୍‍ଫ୍ଲୁଏଞ୍ଜା ଭୋଗୁଛି କି ନା !

 

କଥା କଥାରେ କୌତୁକ କିଶୋର ବାବୁଙ୍କର । ଯେପରି ସଂସାରର ଏତେ ବଡ଼ ବୋଝଟାକୁ ଏଇ ପରିହାସ ଭିତରେ ଉଡ଼ାଇଦେବା ପାଇଁ ଚାହାନ୍ତି ସେ । ହସିଲା ସବ୍ୟସାଚୀ ।

 

–ଆଚ୍ଛା ଚା କପେ ପିଇଜାଆନ୍ତୁ ନ ବସିଲେ ନାହିଁ ।

 

–ଆପତ୍ତି ନାହିଁ । ବିନା ପଇସାରେ ମିଳିଲେ ବିଶ ମଧ୍ୟ ପାନ କରିପାରେ ମୁଁ । ଚାଲନ୍ତୁ.....

 

ତାପରେ ଟିକିଏ ରହି କହିଲେ–ଆପଣ ବ୍ୟାଚଲର । ମୁଁ ସଂସାରୀ । ଆହାରେ ! ଯଦି ମୁଁ ବି ବ୍ୟାଚଲର ଥାଆନ୍ତି । କହିସାରି ଲମ୍ବା ନିଶ୍ୱାସ ମାଇଲେ–କିଶୋର ବାବୁ । ସବ୍ୟସାଚୀ ହସିହସି ଭିତରକୁ ପଶି ଷ୍ଟୋଭ ଲଗାଇଲା । ଘରେ ସେ ଏକାକୀ । ଚାକର ରଖିନି । ଆବଶ୍ୟକ ହୋଇନି । ଗୋଟିଏ ସ୍ତ୍ରୀଲୋକ ଦୁଇଓଳି ଆସି ଘର ସଫା କରିଦେଇ ଯାଏ, ବାସନ ମାଜିଦେଇ ଯାଏ ।

 

କିଶୋର ଗୋଟାଏ ମ୍ୟାଗାଜିନ୍ ହାତକୁ ଟାଣି ନଉଁ ନଉଁ ଉପରେ ଛାପା ହୋଇଥିବା ପ୍ରାୟ ଉଲଗ୍ନ ନାରୀ ମୂର୍ତ୍ତିଟିକୁ ଦେଖି କହିଲେ–ଏଇ ଦେଖନ୍ତୁ । ଆଧୁନିକ ରୁଚି । ଛି....ଛି....ଆରେ ଇଚ୍ଛାହଉଚି ଯଦି ଲୁଗା ଛାଡ଼ିଦିଅ । ପୋଷାକ ପରିତ୍ୟାଗ କରି ଦିଗମ୍ୱର ହୋଇଯାଅ । କିନ୍ତୁ ଛଳନା କରି ଦେହ ଓ ମନର ନଗ୍ନତାକୁ ଢାଙ୍କିବା ପାଇଁ ଏଇ କ୍ଷୀଣ କଟି ବାସର ପ୍ରୟୋଜନ କଅଣ ?

 

ସବ୍ୟସାଚୀ ଚା’ କପ୍‍ଟି ତାଙ୍କ ହାତକୁ ବଢ଼ାଇଦେଇ କହିଲା–ମନ ବଦଳୁଛି । ତା’ ସଙ୍ଗେ ସଙ୍ଗେ ବଦଳୁଛି ରୁଚି । ଆଜିକାଲି ଅନବୃତ ଅଂଶ ଯେତିକି ଅଧିକ ହେବ ସୁନ୍ଦରୀ ଭାବରେ ସେତିକି ଖ୍ୟାତି ବଢ଼ିବ ।

 

ଚା’ରେ ଚୁମ୍ୱନ କରି କହିଲେ କିଶୋର ବାବୁ–ଆପଣ ଭାଗ୍ୟବାନ । ତାପରେ କାମ ପାଇଛନ୍ତି ପରୀ ରାଜ୍ୟରେ ।

 

–ଭାଗ୍ୟ ନଥାଇ ଭାଗ୍ୟବାନ ଆଜ୍ଞା ! ଦୁଇବର୍ଷ କାଳ ଇଣ୍ଟଭିଉ ପରେ ଇଣ୍ଟରଭିଉ ଦେଇ ଶେଷରେ ହିମାନି ଷ୍ଟୁଡ଼ିଓରେ....

 

–ବେଶ୍ ଭଲ କରିଛନ୍ତି । ନିଜ ନୂଆ ମୁହଁ, ତାଜା ଦରଦ ଦେଖିବାର ସୁଯୋଗ ପାଇବେ-

 

–ସେ ସୌଭାଗ୍ୟ ଏପର୍ଯ୍ୟନ୍ତ କିନ୍ତୁ ହୋଇନି ଆଜ୍ଞା ।

 

–ବେଶୀଦିନ ଲାଗିବନି । ଧୈର୍ଯ୍ୟ ଧରନ୍ତୁ, ଆପଣ ଦୟାକରି ଥରେଅଧେ ଆମକୁ ବି ଟିକିଏ ସେଇ ଅମୃତ ସୁଖରୁ ଭାଗଦେବେ ଆଜ୍ଞା ।

 

ହସି ହସି କହିଲେ କିଶୋର ବାବୁ ।

 

–ଆପଣ ତ ଚାରୋଟି ସନ୍ତାନର ଜନକ । ଆପଣଙ୍କର ଆଦର ପାଇବାର ସମ୍ଭାବନା ନାହିଁ ସେଠାରେ....

 

–ଠିକ୍‍ କହିଛନ୍ତି । ବ୍ୟାଚଲର ଥିଲେ ସବୁଠି ଅଗାଧ ଗମନାଗମନ । ସମସ୍ତଙ୍କର ଆଖି ତୁମ ଉପରେ–ତୁମ ଆଖି ସମସ୍ତଙ୍କ ଉପରେ । କିନ୍ତୁ ବିବାହିତ ହେଲେ ନିଜ ଆଖି ରହୁ ବା ନରହୁ ଆଉ ଯୋଡ଼ାଏ ତୀକ୍ଷ୍ଣ ଆଖି ଚବିଶ ଘଣ୍ଟା ତୁମ ଉପରେ । ହାୟରେ କପାଳ !

 

ବଡ଼ ସୁନ୍ଦର ଭାବ ଭଂଗୀ କରି କହିଲେ କିଶୋର ବାବୁ, ହସି ହସି ଖଟଉପରେ ଲୋଟିପଡ଼ିଲା ସବ୍ୟସାଚୀ ।

 

–ଚିଠି

 

ପୋଷ୍ଟ ପିଅନ ଡାକିଲା ଦ୍ୱାର ମୁହଁରେ ଛିଡ଼ାହୋଇ ।

 

–ଚିଠି !

 

ଆଶ୍ଚର୍ଯ୍ୟ ହୋଇ ଉଚ୍ଚାରଣ କଲା ସବ୍ୟସାଚୀ । ତାକୁ ଚିଠି ଦବାର କେହି ଅଛି ବୋଲି ସେ ଜାଣେନା । କେବେ ଚିଠି ପାଇବାର ପ୍ରତ୍ୟାଶା ବି କରିନଥିଲା । ମା’, ଭାଇ, ଭଉଣୀଙ୍କର ଖବର ନିଜେ ଯାଇ ବୁଝିଆସେ ମଝିରେ ମଝିରେ । ଚିଠି ଦବା ବା ପାଇବାର ଆବଶ୍ୟକତା ହୁଏନା-

 

ଚିଠି ନେଇ ଖୋଲିଲା ସବ୍ୟସାଚୀ । ଛୋଟ ଚିଠି । ମାତ୍ର କେଇଧାଡ଼ି ଲେଖା । ସୁନ୍ଦର ଗୋଲ ଗୋଲ ଅକ୍ଷର । ଲେଖିବାର ବିଶେଷତ୍ୱ ସ୍ପଷ୍ଟ ଧରାପଡ଼ୁଛି ଆଖିରେ । ଚିଠି ତଳକୁ ଚାହିଁଲା ସବ୍ୟସାଚୀ ଦେଖିବାପାଇଁ କିଏ ଲେଖିଛି ।

 

ଚିଠି ତଳରୁ ନାମ ଦେଖି ଚମକିପଡ଼ିଲା । ଲେଖକ ନୁହେଁ; ଲେଖିକା । ଅପରିଚିତା ନୁହଁ ପରିଚିତା ।

 

ସୁନୀତାର ଚିଠି ଆମୂଳଚୂଳ ଏକ ନିଶ୍ୱାସରେ ପଢ଼ିଗଲା ସେ । ସେ ଲେଖିଥିଲା–

 

ସମାଜ କଲ୍ୟାଣ ପରିଷଦ

କଟକ, ତା ୨ । ୯ । ୭୦

 

ସବ୍ୟସାଚୀ ବାବୁ,

 

ମୁଁ ସାମ୍ନାରେ ଆସନ୍ନ ବିପଦ ଦେଖିପାରୁଛି । ଶଙ୍କିତା ବା ଭୀତା ନୁହେଁ ମୁଁ । କିନ୍ତୁ ତଥାପି ଆତ୍ମରକ୍ଷା ପାଇଁ ପ୍ରସ୍ତୁତ । ଯଦି ସଙ୍କଟ ଆସେ କେବଳ ଆପଣଙ୍କୁ ହିଁ ମନେକରିବି । ଆତ୍ମବିଶ୍ୱାସ ନେଇ ଆଗାମୀ ସଙ୍କଟର ସମ୍ମୁଖୀନ ହବାପାଇଁ ଆପଣଙ୍କ ଅପେକ୍ଷାରେ ଅନାଇ ରହିଲି । ଇତି ।

 

ସୁନୀତା

 

ଛୋଟ ଚିଠି । କିନ୍ତୁ ବାରମ୍ବାର ପଢ଼ିଲା ସବ୍ୟସାଚୀ । ପ୍ରତି ଅକ୍ଷର, ପ୍ରତି ଶବ୍ଦ ଏବଂ ପ୍ରତି ବାକ୍ୟକୁ ତନ୍ନ ତନ୍ନ କରି ପଢ଼ିଲା, ଅର୍ଥ ଅର୍ଥାନ୍ତର କଲା ।

 

–କିଛି ଅଶୁଭ ଖବର ନାହିଁ ତ ସବ୍ୟସାଚୀ ବାବୁ...

 

ପଚାରିଲେ କିଶୋର ବାବୁ । ଚିଠି ପାଇ ତାଙ୍କ ଉପସ୍ଥିତି ଏକାବେଳେ ପାଶୋରି ପକାଇଥିଲା ସେ । ତାଙ୍କ ଆଡ଼କୁ ଚାହିଁ କହିଲା–ନା, ସେପରି କିଛି ନୁହେଁ ।

 

–ଆପଣ ଚିଠି ପଢ଼ନ୍ତୁ । ମୁଁ ଆଜି ଆସେ । ବସୁ ବସୁ ଅନେକ ସମୟ ବସିଗଲି ।

 

ବିଦାୟନେଇ ଚାଲିଗଲେ କିଶୋର ବାବୁ, ଏକାନ୍ତରେ ବସି ପୁଣି ଚିଠି ପଢ଼ିଲା ସବ୍ୟସାଚୀ ।

 

ହୃଦୟର ଦ୍ରୁତ ସ୍ପନ୍ଦନ କମିଆସିବା ପରେ ସେ ଅନୁଭବ କଲା ସେ ଝାଳେଇଯାଇଛି ଆଶଙ୍କାରେ ନୁହେଁ, ଅନ୍ତରର ଉତ୍ତେଜନାରେ । ସେ ପଲକରେ କର୍ତ୍ତବ୍ୟ ସ୍ଥିର କରିନେଲା । ଯିବ, କାଲି ବା ପଅରଦିନ ନୁହଁ, ଆଜି, ଏଇ ମୁହୂର୍ତ୍ତରେ । ଯିବାପାଇଁ ପ୍ରସ୍ତୁତ ହେବା ପୂର୍ବରୁ ପୁଣି ଆଉ ଥରେ ଚିଠିଟି ପାଠ କଲା ସେ । ଲଫାପା ଉପରେ ଦିଆଯାଇଥିବା ଠିକଣାଟି ଭଲ କରି ଦେଖିଲା । ଏପର୍ଯ୍ୟନ୍ତ ସାମୟିକ ଉତ୍ତେଜନାରେ ଚିଠିଉପରେ ଠିକଣା ପରିବର୍ତ୍ତନ କରି ‘Redirected’ ଲେଖାଥିବାର ସେ ଦେଖିପାରିନଥିଲା । ଚିଠି ଲେଖାଯାଇଛି ତିନି ଦିନ ପୂର୍ବରୁ । ତିନି ଦିନ ପରେ Redirected ହୋଇ ଆସି ପହଞ୍ଚିଛି ତା’ ପାଖରେ । ଏତେବେଳେ ଯାଇ ମନେହେଲା ତା’ର ଯେ, ସେ ନୂଆ ବସାର ଠିକଣା ଦେଇନଥିଲେ ସୁନୀତାକୁ । ଏପରିକି ବସା ପରିବର୍ତ୍ତନ ପରେ ତା’ ସହ ଦେଖାବି ହୋଇପାରିନଥିଲା ନାନା ଜଞ୍ଜାଳ ଯୋଗୁଁ ।

 

ଆଉ ବିଳମ୍ୱ ନ କରି ସାଇକେଲ ଉପରେ ବସିଲା ଯାଇ । ବେଳ ପ୍ରାୟ ସାଢ଼େ ପାଞ୍ଚଟା-। ସନ୍ଧ୍ୟା ହୋଇନି । ରାସ୍ତାରେ ଜନଗହଳି ବୃଦ୍ଧିପାଇଛି । ଯାନବାହନର ଭିଡ଼, ଅଫିସ୍ ଫେରନ୍ତା ଜନଗହଳି । ସେ ଅଫିସ୍‍ରୁ ଶନିବାର ଯୋଗୁ ଚାରିଘଣ୍ଟା ଆଗରୁ ଆସି ସାରିଥିଲା । ଶନିବାର ଦିନ ଅଧା ଛୁଟି ତା’ ଅଫିସ୍‍ରେ ।

 

ସାଇକେଲ ଚଢ଼ି ଆଗେଇଗଲେ ସବ୍ୟସାଚୀ । ହଠାତ କିନ୍ତୁ ବାଧାପଡ଼ିଲା ସେଥିରେ ।

 

–ଆରେ ସବ୍ୟସାଚୀ ଯେ...

 

ପ୍ରାୟ ପଥ ରୋକି ଛିଡ଼ାହେଲା ସମୟ ।

 

–ତୁ କୁଆଡ଼େ ଯାଉଛୁ ? ପଚାରିଦେଇ ଆଗତ୍ୟା ଓହ୍ଲାଇପଡ଼ିଲା ସବ୍ୟସାଚୀ ।

 

–ଯିବ କୁଆଡ଼େ ଆଉ । ଘରକୁ । ଏଇ ପାଖରେ । ଆଗରୁ ଦେଖିଛୁ ତ । ଆ ଯିବା ସଙ୍ଗ ହୋଇ । ଚା’ଟା କରିଥିବ ବୋଉ ।

 

ତା’ର ଶୁଭାକାଙ୍‌କ୍ଷୀ, ସହୃଦୟ ବନ୍ଧୁ । ମନା କରିପାରିଲା ନାହିଁ । ମନ ନ ଥିଲେ ମଧ୍ୟ ଅମୟ ସାଙ୍ଗରେ ତାଙ୍କ ଘରଆଡ଼େ ଅଗ୍ରସର ହେଲେ ନୁହେଁ ।

 

–ତା’ପରେ ଖବର କଅଣ ? ତୁ କ’ଣ ପ୍ରାକଟିସ୍ ଆରମ୍ଭ କରିଦେଇଛୁ ?

 

–ହଁ । ଅନ୍ୟ ଉପାୟ ନଥିଲା । ଆଇ, ଏ. ଏସ୍‍ଟା ବି ଦେଇଛି ଏଥର ।

 

–ଦେ, ଦେ । ତୋପରି ପିଲା ଯେଉଁଠି ହାତ ଦେବେ ସଫଳ ହେବେ ଯେ ।

 

–ତୁ ତ ଲ’ ପଢ଼ିଲୁନି । ନହେଲେ ତୋର ଡିବେଟିଂ କ୍ୱାଲିଟି ବେଶ୍ କାମରେ ଆସିଥାଆନ୍ତା ।

 

–ଛାଡ଼ ଭାଇ ସେ କଥା । କୌଣସି ପ୍ରକାରେ କାମ ଗୋଟିଏ ଜୁଟାଇ ଦେଇଛୁ । ମୁଁ ବଞ୍ଚିଯାଇଛି କହ । ମୁଁ ଘର ଭଡ଼ା ନେଇ ରୁହୁଛି ମଙ୍ଗଳାବାଗ ମଧୁବାବୁ ଲେନରେ । ଥରେ ଆସିବୁ ସେ ଆଡ଼େ ।

 

–ହଁ, ନିଶ୍ଚୟ ଆସିବି । କଫି ପିଆଇବୁ ।

 

ଦୁଇ ବନ୍ଧୁଙ୍କ ହାତକୁ ଦୁଇ ଗିଲାସ ହରଲିକ୍ସ ବଢ଼ାଇଦେଲା ବୀଣା–ଅମୟର ସାନ ଭଉଣୀ ।

 

–ନେ ହରଲିକ୍ସ । ଚା’ ପସନ୍ଦ କରେନା ବୋଉ । ହସିଲା ସବ୍ୟସାଚୀ । କହିଲା ସେ–ସବୁ ମା’ ଏଇପରି । ଚା’ ନ ଦେଇ ହରଲିକ୍ସ ଦେବେ, ଦୁଧ ଦେବେ ପିଇବା ପାଇଁ ।

 

ମା’ କଥା ମନେପଡ଼ିଲା । ଦୂର ଗାଁରେ ଅଭାବ ଅନାଟନରେ କଷାଘାତ ସହ ପଡ଼ି ରହିଛନ୍ତି । ସେ ଏ ପର୍ଯ୍ୟନ୍ତ କିଛି କରିପାରି ନାହିଁ । ମା’ର ମମତାମଖା ମୁହଁଟି ମନେପଡ଼ିବା କ୍ଷଣି ସଜଳ ହୋଇଉଠିଲା ତା’ର ଆଖିଦୁଇଟି ।

 

–କଅଣ ଭାବୁଛୁ....

 

–ନା । ତୋ ବୋଉ କଥା ଶୁଣି ମା’ କଥା ମନେପଡ଼ିଗଲା ।

 

–ଘର ନେଇଛୁ । ନେଇଆ । ଏକାଠି ରହିବ ସମସ୍ତେ ।

 

–ଦେଖେ । ଏଇ ଟଙ୍କାରେ ତ କଟକ ସହରରେ ଚଳିହବନି ଅମୟ, ତଥାପି ଚେଷ୍ଟା କରିବି ।

 

ସେ ଯେ ଏ ବିଷୟରେ ଆଗରୁ ନ ଭାବିଛି ତାହା ନୁହେଁ । ମା’ ପାଇଁ ଭାଇଭଉଣୀ ପାଇ ମନଟି ଅଥୟ ହୁଏ । କଟକ ଆସିଲେ ମିନା ଆଉ ଚିନା ପଢ଼ନ୍ତେ ସ୍କୁଲରେ । ଅଭାବ ଅସୁବିଧା ଯାଆନ୍ତା ନାହିଁ ସତ, କିନ୍ତୁ ମା’ର ମମତାମୟି ରୂପ ଦେଖି ଭୁଲିଯିବା ପାଇଁ ଚେଷ୍ଟା କରନ୍ତା ସବୁ ଦୁଃଖ କଷ୍ଟ । ମା’ ପରି କଲ୍ୟାଣମୟୀ ଆଉ କିଏ ହୋଇପାରେ ଏଇ ଅଖିଳ ବିଶ୍ୱରେ ! ସମସ୍ତ ଦୋଷ କ୍ଷମାକରି ଆଉ କିଏ ବିଷକୁ ଅମୃତ କରିପାରେ ?

 

–ଚାକିରି ଆରମ୍ଭ କରିଛୁ । ଭଲ କାମ କଲେ ଦରମା ବଢ଼ିପାରେ । ମାମୁଁ କଥା ଦେଇଛନ୍ତି । କହିଲା ଅମୟ ।

 

–ଚେଷ୍ଟା କରିଛି । ଉଦ୍ୟମରେ ଅଭାବ କରିବି ନାହିଁ ।

 

ଭିତରୁ ବୀଣା ଆସି କହିଲା–ଭାଇ, ବସିବସି ଗପୁଥାଅ । ତେଣେ ଛଅଟା ବାଜିବାକୁ ଆସିଲାଣି । ଫାଷ୍ଟ ସୋ ଯିବା ପରା !

 

...ଧେତ୍ । ମୋ ଘଡ଼ିରେ ମାତ୍ର ପାଞ୍ଚଟା ପଞ୍ଚାବନ ମିନିଟ ହୋଇଛି । ଫାଷ୍ଟ ସୋ ସାଢ଼େ ଛଅଟାରେ ।

 

–ନା, ନା ପ୍ରସ୍ତୁତ ହୋଇପଡ଼ । ମୁଁ ଆସୁଛି ଆଜି । ପରେ ଗପିବା ।

–ଆସିବୁ ତାହେଲେ । ପାଖରେ ରହିଛୁ ଯେତେବେଳେ ଅସୁବିଧା ହବ ନାହିଁ ।

ବିଦାୟନେଇ ଚାଲିଗଲା ସବ୍ୟସାଚୀ ।

ସନ୍ଧ୍ୟା ନଇଁ ଆସୁଥାଏ । ଗଛ ଡାଳରେ ଫାଙ୍କଦେଇ ଶେଷ ଆଲୁଅ ଟିକକ ଝରିପଡ଼ୁଥିଲା ଧରଣୀ ଉପରେ ।

ଅନ୍ୟମନଷ୍କ ହୋଇପଡ଼ିଥିଲା ସେ । ପଛପଟୁ ଗୋଟେ ରିକସା ତା’ ସାଇକଲ ସହିତ ଘଷିହୋଇ ଆଗେଇଗଲା ରକ୍ଷା ପାଇଗଲା ସେ ।

ସମ୍ନାରେ ସମାଜ କଲ୍ୟାଣ ପରିଷଦର ପ୍ରଧାନ ଫାଟକ । ଫାଟକର ଦୁଇଧାରରୁ ମଧୁମାଳତୀ ଲତା ଉଠୁଛି ଉପରକୁ । ତୋରଣର ଚାରିପାଖେ କଡ଼ାଇ ହୋଇଯାଇଛି ମଧୁମାଳତୀର ଦେହ ଭରି ଫୁଲର ଫୁଆରା । ମହ ମହ ସୁବାସର ଗୋଟାଏ ଶୁଦ୍ଧ ସୁଷମାସିକ୍ତ ସୁରଭି । ମନ ପ୍ରାଣରେ ଅନୁରାଗର ପ୍ରଲେପ ବୋଳିଦେଉଛି ।

ସାଇକେଲରୁ ଓହ୍ଲାଇବା ପୂର୍ବରୁ ଲକ୍ଷ୍ୟକଲା ସବ୍ୟସାଚୀ ଯେପରି ତାହାର ଅପେକ୍ଷାରେ ଅନାଇ ରହିଛି ସୁନୀତା ! ସେ ସାଇକଲରୁ ଓହ୍ଲାଇବା କ୍ଷଣି ସୁନୀତା କହିଲା–ନମସ୍କାର !

ପ୍ରତି ନମସ୍କାର କରିବା ପାଇଁ ଭୁଲିଗଲା ସବ୍ୟସାଚୀ । ମନରେ କିମିତି ଗୋଟିଏ ନୂତନ ଶିହରଣର ଶିରି ଶିରି ଅନୁଭବ । ସହଜ ସରଳ ସ୍ୱରରେ କିନ୍ତୁ କହିଲା ସୁନୀତା–ଚାଲନ୍ତୁ, କଟକଚଣ୍ଡୀ ଆଡ଼େ ଟିକେ ବୁଲିଆସିବା ।

 

ତା’ର ସହଜ ସରଳ ଅବସ୍ଥା ଦେଖି ସେ ଯେ, ଚିଠି ଲେଖିଥିଲା ଏକଥା ବିଶ୍ୱାସ କରିପାରିଲା ନାଇଁ ସବ୍ୟସାଚୀ । ତାହାଲେ ଆଉ କିଏ ଚିଠି ଲେଖି ତାକୁ ପ୍ରତାରିତ କରିନାହାନ୍ତି ତ-! ହୋଇପାରେ । ଦ୍ୱନ୍ଦ୍ୱ ଜାଗିଲା ମନରେ ।

 

ଆଗକୁ କିଛି ଅଗ୍ରସର ହବାପରେ ସୁନୀତା କହିଲା–କ୍ଷମା କରିବେ କଷ୍ଟ ଦେଲି ବୋଲି-

 

ସ୍ୱରରେ ଫର୍ମାଲିଟିର ନିରାଡ଼ମ୍ୱର ଅଭିବ୍ୟକ୍ତି । ଟିକିଏ ଅନ୍ତରଙ୍ଗ ହବାପାଇଁ କହିଲା ସେ–କିପରି ଅଛି ସୁନୀତା ।

 

ସୁନୀତା ଏହିପରି ଗୋଟିଏ ସିଧାସଳଖ ପ୍ରଶ୍ନର ପ୍ରତ୍ୟାଶା କରୁଥିଲା । କିନ୍ତୁ ସିଧା–ସଳଖ ଉତ୍ତର ଦେଲାନାହିଁ ।

 

ଆଗରେ ବାରବାଟି ଷ୍ଟାଡ଼ିୟମ୍ ।

 

ପୁରାତନ ଜୀର୍ଣ୍ଣ କୀର୍ତ୍ତି ଉପରେ ନୂତନକୁ । ନୂତନର ବିଜୟ ଘୋଷଣା କରି ଛିଡ଼ାହୋଇଛି ନୂତନ । ପୁରାତନ ସ୍ଥାନ ଦେଇଛି ନୂତନକୁ । ନୂତନର କଳରବରେ ମୁଖରିତ ହୋଇଛି ପୃଥିବୀ ।

 

ଦେହରେ ମୁହଁରେ ଶୀତଳ ପବନ ସ୍ପର୍ଶ କରୁଥିଲା । ଭଲଲାଗୁଥିଲା ଚାଲିବା ପାଇଁ ।

 

–ଆମ ସମିତିର ବାର୍ଷିକ ଉତ୍ସବ ଆଗାମୀ ଚବିଶ ତାରିଖ ।

 

–ବେଶ୍ । କ’ଣ ସବୁ କରୁଛ ତାହେଲେ ?

 

–ବହୁତ କିଛି । ପ୍ରଦର୍ଶନୀ, ଥିଏଟର ଏବଂ ଆନନ୍ଦ ଉତ୍ସବ ।

 

–ବଡ଼ ମଜା ତ ।

 

ପିଲାଳିଆ ଆଗ୍ରହ ଜଣାଇ କହିଲା ସବ୍ୟସାଚୀ ।

 

–ମଜା ନିଶ୍ଚୟ । କିନ୍ତୁ...

 

–କିନ୍ତୁ ଆଉ କଅଣ ? ନାଚ, ଗୀତ, ପ୍ରଦର୍ଶନୀ, ଖିଆପିଆର ଧୁମ୍‌ଧାମ୍‍ରେ ଆନନ୍ଦ ଉପଭୋଗ କର, ଅନୁଭବ କର ।

 

–ଆପଣ ଥିଏଟର ଦେଖିବାପାଇଁ ଆସିବେ ନିଶ୍ଚୟ । ମୋ ପକ୍ଷରୁ ନିମନ୍ତ୍ରଣ ରହିଲା । ଯଥାସମୟରେ କାର୍ଡ଼ଟିଏ ପଠାଇଦେବି ।

 

–ଆସିବି, ନିଶ୍ଚୟ ଆସିବି । ତୁମ ଅନୁଷ୍ଠାନ ଏବଂ ମୋ ଅନୁଷ୍ଠାନ ଯେତେବେଳେ ଏକ, ଆସିବା ପାଇଁ ହବ । କର୍ତ୍ତବ୍ୟ ମଧ୍ୟ ।

 

କଥାର ଉତ୍ତରରେ ଉତ୍ତାପ ସଞ୍ଚାରିତ ହେଲାନାହିଁ । କର୍ତ୍ତବ୍ୟ କଲେ ଆବେଗ ଥାଏନା । ଟିକିଏ ବିଷଣ୍ଣ ମନରେ କହିଲା ସୁନୀତା–ସବୁ କାମ କ’ଣ କେବଳ କର୍ତ୍ତବ୍ୟର ତାଡ଼ନାରେ କର ତୁମେ ।

 

ଅନ୍ତରଙ୍ଗ ହୋଇ ଅନ୍ତରତନ ପ୍ରଦେଶର ଆବେଦନ ଜଣାଇ ଆପଣରୁ ତୁମେକୁ ଓହ୍ଲାଇଆସିଲା ସୁନୀତା ।

 

ତା’ କଣ୍ଠର ସ୍ପର୍ଶକାତରତା ଛୁଇଁଲା ସବ୍ୟସାଚୀକୁ । ଅସାବଧାନବଶତଃ ଯେଉଁ ପଦକ କହିପକାଇଥିଲା ତାହା ସଂଶୋଧନ କରିବାକୁ ଯାଇ କହିଲା ସେ–କହୁ କହୁ କ’ଣ କହିପକାଇଲି ନୀତା । ନିଶ୍ଚୟ ଆସିବି–କର୍ତ୍ତବ୍ୟ ନୁହେଁ କେବଳ ତୁମକୁ ଦେଖିବାପାଇଁ ।

 

ତା’ କଥାର କମ୍ପନ ନିବେଦନ ଥିଲା । ନୀତାର ଛାତି ତଳେ ଗୁଞ୍ଜରିଉଠିଲା କୋଇଲିର କୁହୁତାନ ।

 

ଦୁହେଁ ଛିଡ଼ା ହୋଇଗଲେ ଗୋଟିଏ ନିଅନବତି ତଳେ । ଅନାଇଲା ସୁନୀତା, ଅନାଇଲା ସବ୍ୟସାଚୀ । ପରସ୍ପରର ଦୃଷ୍ଟିରେ ନୂତନ ଭାବରେ ଉଦ୍ଭାସିତ ହେଲେ, ନୂତନ ଅନୁରାଗର ମହୋଦଧିରେ ଅବଗାହନ କଲେ ଦୁହେଁ ।

 

ସୁନ୍ଦର ଦିଶୁଥିଲା ସୁନୀତା ।

 

ସୁନ୍ଦର ଦିଶୁଥିଲା ସବ୍ୟସାଚୀ ।

 

ଏଇ ଚାହାଣିରେ କେବଳ ସୌନ୍ଦର୍ଯ୍ୟର ବିଳାସ । ଫୁଟନ୍ତ ପଳାଶ ପରି ପରିପୂର୍ଣ୍ଣ ବର୍ଣ୍ଣତ୍ସ୍ୟ ।

 

ସବ୍ୟସାଚୀର ସର୍ବାଙ୍ଗରେ ବିଭାସିତ ହେଲା ଅନୁପମ ଉଦ୍ଦାମ ପୌରୁଷତ୍ୱ ।

 

ଏଇ ପୁରୁଷକାରର ପାଦତଳେ ନଇଁଛି ଧରିତ୍ରୀ, ନତ ହୋଇଛି ଇତିହାସ ।

 

ସୁନୀତାର ଗୋଟିଏ ହାତ ନିଜ ହାତମୁଠା ଭିତରେ ବନ୍ଦୀ କରି କହିଲା ସବ୍ୟସାଚୀ–ତୁମେ ସତରେ ବଡ଼ ସୁନ୍ଦର ଦିଶୁଛ ନୀତା ।

 

ସର୍ବାଙ୍ଗରେ ଏକ ଉତ୍ତପ୍ତ ଶିହରଣ ସହସ୍ର ସ୍ଫୁଲିଙ୍ଗର ଅଗ୍ନି ବନ୍ୟା ନେଇ ପ୍ରବାହିତ ହୋଇଗଲା ମୁହୂର୍ତ୍ତକରେ । ସେଇ ଉସ୍ମତାର ଉନ୍ମାଦନା ମଧ୍ୟରେ ଆତ୍ମସତ୍ତା ହରାଇବା ପୂର୍ବରୁ ଆତ୍ମଚେତନାର ମୁକୁର ଉପରେ ବିସ୍ମୟ ବିମୁଗ୍ଧ ଚିତ୍ତରେ ଆବିଷ୍କାର କଲା ସୁନୀତା ପ୍ରଥମ ସ୍ପର୍ଶର ଅମୋଘ ମହିମାମୟ ଆକର୍ଷଣ । ଶିହରଣ ସେଇ ଶିତ୍କାରରେ ନଇଁପଡ଼ିବା ପୂର୍ବରୁ ନିଜକୁ ସମ୍ଭାଳିନେଇ ଭଙ୍ଗ ଭଙ୍ଗ କଣ୍ଠରେ ରଙ୍ଗବୋଳା ଭାଷାରେ କହିଲା ସେ–ତୁମେ ମୋ କଥା ମନେକର-

 

–ବାରମ୍ବାର ମନେପଡ଼ ତୁମେ । ବାରମ୍ବାର ଦେଖିବାପାଇଁ ଇଛାହୁଏ ତୁମକୁ ।

 

–ଏତେ ସ୍ୱପ୍ନ ଭିତରେ ଜାଗରଣର କଳ୍ପନା କେବେ କରିଛ ତୁମେ ?

 

–ନିଶ୍ଚୟ ନୀତା । ଏଇ ସ୍ୱପ୍ନ ଭିତରେ ମୁଁ ଦେଖେ ଆଲୋକ । କଳ୍ପନା ମଧ୍ୟରେ ମୁଁ ଦେଖେ ବାସ୍ତବର ସ୍ଥିତି । ଆମର ସ୍ୱପ୍ନ ଆଲୋକର ସ୍ନିଗ୍ଧତାରେ ରୂପାୟିତ ହେବ, ବାସ୍ତବତାର ନିଷ୍ଠୁରତାରେ ଉତ୍ତୀର୍ଣ୍ଣ ହେବ...

 

–କଥା କହିବାର କୁହୁକ ଜାଣ ଯେ...

 

–କଥା କହିବା ପାଇଁ ମୋ ଭିତରେ ତୁମେଇ ଉନ୍ମୁଖ ହୋଇଉଠ ନୀତା ।

 

ତା’ ହାତରେ ଚାପିଦେଇ କହିଲା ସବ୍ୟସାଚୀ ।

 

ଦୁହେଁ ହସିଉଠିଲେ ପ୍ରାଣ ବନ୍ୟାର କଲ୍ଲୋଳ ଖେଳାଇ ।

 

ହସିଉଠିଲା ନିଅନ ବତିର ଉଜ୍ଜ୍ୱଳ ଆଲୋକ ।

 

ଆଉ ଟିକିଏ ଅଗ୍ରସର ହୋଇ ରାସ୍ତାକଡ଼ର ଦେବଦାରୁ ଗଛର ଛାଇରେ ତାକୁ ନିଜ ଉପରକୁ ଆଉଜାଇ ଆଣି କହିଲା ସବ୍ୟସାଚୀ, ତୁମେ ମୋତେ ଭଲପାଅ ସୁନୀତା ?

 

ସୁନୀତାର ଅନୁଚାରିତ ଉତ୍ତରଳ ଉତ୍ତର ତା’ ହୃଦୟର ସମର୍ପଣ ଜଣାଇ ପ୍ରଣତି କଲା ସବ୍ୟସାଚୀର ପାଦତଳେ ।

 

ସେ ନିଜକୁ ମୁକ୍ତ ନ କରି କହିଲା–ତମେ ମତେ ଭଲପାଅ–

 

–ହଁ...ହଁ...ହଁ

 

–ଆଉ ଥରେ, ଆଉ ଥରେ କୁହ ସ୍ପଷ୍ଟ କରି ।

 

ଥର ଥର କଣ୍ଠରେ କହିଲା ସୁନୀତା । ସର୍ବାଙ୍ଗରେ ସମର୍ପଣର ବିଜୟ ଦୁନ୍ଦୁଭି ।

 

–ଥରେ ନୁହେଁ, ଲକ୍ଷ ଥର ମୁଁ କହିବି ସୁ...ତୁମେ ମୋର...ଅତି ଆପଣାର...ତୁମକୁ ଭଲପାଏ.ଅତି ଭଲପାଏ ମୁଁ ।

 

ଦୁହେଁ ଆଲୋକ ଏବଂ ଅନ୍ଧକାରର ଆମନ୍ତ୍ରଣ ପାଖରେ ଏକହୋଇ ଯିବା ପୂର୍ବରୁ ସାମ୍ନାର ଗୋଟିଏ ଉଜ୍ଜ୍ୱଳ ଆଲୋକ ଆସି ପଡ଼ିଲା ଗଛ ଉପରେ । ସେଇ ଆଲୋକରେ ସମ୍ବିତ ଫେରି ପାଇ ନିଜକୁ ମୁକୁଳାଇନେଲା ସୁନୀତା । ସେମାନଙ୍କୁ ରାସ୍ତା କଡ଼ରେ ରଖି ଦ୍ରୁତ ବେଗରେ ଆଗକୁ ଚାଲିଯାଇ ପୁଣି ପଛକୁ ଫେରି ସେମାନଙ୍କ ଅଦୂରରେ ବ୍ରେକ କରି ଛିଡ଼ାହେଲା ଗାଡ଼ିଟି ।

 

ଅମିତାଭ ଗାଡ଼ି ଭିତରୁ ଓହ୍ଲାଇଆସି ସୁନୀତାକୁ ସ୍ୱାଗତ ଜଣାଇ କହିଲେ–ହ୍ୟାଲୋ ! ଇଟ ଇଜ ଏ ପ୍ଳିଜେଣ୍ଟ ସରପ୍ରାଇଜ ଟୁ ଫାଇଣ୍ଡ ୟୁ ହିଅର ।

 

–ନମସ୍କାର ।

 

ପ୍ରତି ନମସ୍କାର ଜଣାଇ କହିଲେ ଅମିତାଭ–ଆସ ଆସ । ମୁଁ ବି ଯାଉଛି ତୁମ ସମିତିକୁ ଆଜି ରିହରସଲ ଅଛି...

 

–ହଁ, କିନ୍ତୁ ସମୟ ହୋଇନି ତ !

 

–ମୁଁ ଟିକିଏ ଆଗରୁ ଚାଲିଆସିଛି ।

 

ହସ ଖେଳାଇ କହିଲେ ଅମିତାଭ ।

 

ନୀରବରେ ଛିଡ଼ାହୋଇଥିଲା ସବ୍ୟସାଚୀ । ଗାଡ଼ିର ଦରଜା ଖୋଲି କହିଲେ ଅମିତାଭ–ଆସ ତୁମକୁ ପହଞ୍ଚାଇ ଦିଏ ।

 

ଇତସ୍ତତଃ ହେଲା ସୁନୀତା । ସବ୍ୟସାଚୀକୁ ଏକା ଛାଡ଼ି ଚାଲିଯିବା ପାଇଁ ଇଛାନଥିଲା କିନ୍ତୁ ତାକୁ ଆଉ କିଛି କହିବା ପାଇଁ ଅବସର ନଦେଇ କହିଲେ ଅମିତାଭ–ହରି ଅପ୍ । ବିଳମ୍ବ ହୋଇଯାଉଛି । ଅସହାୟ ଦୃଷ୍ଟିରେ ସବ୍ୟସାଚୀଆଡ଼କୁ ଥରେ ଚାହିଁଲା ସୁନୀତା ।

 

ଯନ୍ତ୍ରଚାଳିତ ପରି ଗାଡ଼ଭିତରକୁ ପଶିଗଲା ସୁନୀତା । ଦରଜା ବନ୍ଦ କରି ଅନ୍ୟ ପାଖ ଦରଜା ଖୋଲି ଗାଡ଼ି ଭିତରେ ବସି ଷ୍ଟିଅରିଂ ଧରି ଷ୍ଟାର୍ଟ କଲେ ଅମିତାଭ ।

 

ତାଙ୍କର ନୂଆ ଗାଡ଼ିଟି ଅଳ୍ପ ସମୟ ମଧ୍ୟରେ ଚକ୍ଷୁ ସମକ୍ଷରୁ ଅନ୍ତର୍ହିତ ହୋଇଗଲା ।

 

ସବ୍ୟସାଚୀ ଆଲୋକ ଏବଂ ଅନ୍ଧାକାରର ଲୁଚକାଳି ଦେଖୁ ଦେଖୁ ଭୁଲିଯାଇଥିଲା ନିଜର ସ୍ଥିତି, ଭୁଲିଯାଇଥିଲା ନିଜର ପରିଚୟ ।

 

ପୋଡ଼ା ପେଟ୍ରୋଲର ଗନ୍ଧ ନାକରେ, ମୁହଁରେ ଲାଗିଲା ଆସି । ଅସ୍ୱସ୍ତି ଅନୁଭବ କଲା ମନର କୋଣରେ କୋଣରେ, ପ୍ରାଣ କୋଷରେ ଅଭୂତ ଏକ ଅନ୍ତର୍ଦାହ ଜଳିଉଠିଲା ଦାଉ ଦାଉ କରି-। କାରଣ ନ ଥାଇ ଜୋର କରି ଦୁଇଥର ସାଇକେଲଟିକୁ କଚାଡ଼ିଦେଲା ସବ୍ୟସାଚୀ । ଶୀତଳ ପବନ ସତ୍ତ୍ୱେ କପାଳ ଉପରେ ସ୍ୱେଦ ବିନ୍ଦୁ ବେଶ୍‍ ଘନ ହୋଇଛି ।

 

ଗାଡ଼ି ଯେଉଁଆଡ଼େ ଗଲା ସେ ଆଡ଼କୁ ନ ଯାଇ ଠିକ୍‍ ବିପରୀତ ଦିଗରେ ସାଇକଲ ଚଳାଇଲା ସେ ଭୁଲିଯାଇଥିଲା କୁଆଡ଼େ ଯାଉଛୁ । କେବଳ ସାଇକଲ ଉପରେ ବସି ଯନ୍ତ୍ରଚାଳିତ ଏକ ଲୌହ ମଣିଷ ପରି ପ୍ୟାଡ଼ଲ ଉପରେ ପାଦ ଘୂରାଉଥିଲା ସେ ।

 

କ୍ରମଶଃ ଦୀର୍ଘ, ବିସ୍ତୀର୍ଣ୍ଣ ପଥର ନିଃସଙ୍ଗ ଯାତ୍ରା ତାକୁ ଶକ୍ତିହୀନ ଏବଂ ମ୍ରିୟମାଣ କରିଆଣିଲା ।

 

ଅଭିମାନ ଏବଂ ଅନ୍ତର୍ଦାହ ଜ୍ୱାଳାରେ ପୋଡ଼ିଯାଉଥିଲା ସେ ।

 

ଚଉଦ

 

ହିମାଂଶୁ ନିଜର ଡ୍ରଇଂ ରୁମରେ ଅପେକ୍ଷା କରୁଥିଲେ ।

 

କାନ୍ଥ ଘଡ଼ିରେ ଟିକଟିକ୍‍ ଶବ୍ଦ ହଉଛି କ୍ରମାଗତ ଭାବରେ । ବିଶ୍ରାମ ନାହିଁ, ବିରାମ ନାହିଁ । କଣ୍ଟା ଆଗେଇଯାଉଛି, ଆଗେଇଯାଉଛି ସମୟ । ପଛେଇଯାଉଛି ବୟସ, ପଛେଇଯାଉଛି ମଣିଷର ମନ । ନୂଆ ପୁରୁଣା ହଉଛି, ପୁଣି ପୁରୁଣା ଜନ୍ମଦେଉଛି ନୂତନକୁ ।

 

ହିମାଂଶୁ ଉପରେ ଦୃଷ୍ଟିଦେଲେ ।

 

ରାତି ଆଠଟା ବାଜିଲାଣି । ଦେହରେ ଆଉ ପୂର୍ବର ଆମେଜ ନାହିଁ । ମଧ୍ୟେ ମଧ୍ୟେ ଦୁର୍ବଳତା ଅନୁଭବ କରନ୍ତି । ଦର୍ପଣ ସମ୍ମୁଖରେ ଛିଡ଼ାହୋଇ ପ୍ରସାଧନ କଲାବେଳେ ଶଙ୍କିତ ଚିତ୍ତରେ ଲକ୍ଷ୍ୟକରନ୍ତି କାନମୂଳରେ ଗୋଟେ ଦୁଇଟା ପାଚିଲା ବାଳ । ବୟସ ଗଡ଼ିଯାଉଛି ସମୟ । ସେ ହୁଏତ ପୂର୍ବର ତରୁଣ ହୋଇ ରହିନାହାନ୍ତି ଆଉ । ଉତ୍ତୀର୍ଣ୍ଣ ହୋଇଛି ତାଙ୍କର ତାରୁଣ୍ୟ ସୁଲଭ ପ୍ରଗଲ୍‍ଭତା ଓ ଅତିକ୍ରାନ୍ତ ହୋଇଛି ଦେହର ରକ୍ତ ବିନ୍ଦୁର ଚଞ୍ଚଳତା ।

 

ସନ୍ଦିଗ୍ନ ଚିତ୍ତରେ ଅନାନ୍ତି ନିଜକୁ । ଆଶା ଏବଂ ଆଶଙ୍କାର ଲୁଚକାଳି ଖେଳ ଲାଗେ ଦେହରେ ଓ ମନରେ । ସବୁ ପାଇବାର ଆଶା ଯେତେବେଳେ ବୈଶ୍ୱାନର ଲେଲିହୀନ ଶିଖା ପରି ଊର୍ଦ୍ଧ୍ୱକୁ ଉଠେ ଏବଂ ଚତୁର୍ଦ୍ଦିଗକୁ ପରିବ୍ୟାପ୍ତ କରେ; ସେହିପରି ଦେହ ଭିତରେ ଥରେ ଥରେ ପ୍ରତ୍ୟେକ ରକ୍ତକଣା ଜଳିଉଠେ । ସେଇ ଜ୍ୱଳନର ଦାହ ଉପଶମ କରିବା ପାଇଁ ସେତିକିବେଳେ ହିମାଂଶୁ ଖୋଜନ୍ତି ଜୀବନ୍ତ ଏବଂ ଲାବଣ୍ୟମୟୀ ଆଉ ଏକ ଦେହର ସ୍ପର୍ଶ । ନିଜ ଦେହ ଭିତରର ସର୍ବଭୂକ୍ ପ୍ରଜ୍ଜ୍ୱଳିତ ହୁତାଶନ ଏବଂ ଏହାର ଉତ୍ତାପକୁ ଅନ୍ୟର ଦେହଭିତରେ ଖୁନ୍ଦିଦେଇ ନିଜକୁ ନିଃଶେଷ କରିଦେବା ପାଇଁ ପ୍ରବଳ ବାସନା ହୁଏ ତାଙ୍କର ।

 

ଆଜି ସେଇପରି ଏକ ଆଗମନକୁ ପ୍ରତୀକ୍ଷା କରୁଥିଲେ ସେ ଆଶା ଏବଂ ଆଶଙ୍କା ନେଇ । ଆଶାରେ ଆସିବ ଆଶଙ୍କା ଯଦି ସେ ନ ଆସେ ।

 

ସେ କିନ୍ତୁ ଆସିବା ପୂର୍ବରୁ ଆସିଲା ଆଉ ଜଣେ ଯାହାକୁ ଏହି ସମୟରେ ପ୍ରତ୍ୟାଶା କରିନଥିଲେ ହିମାଂଶୁ ।

 

ହରି ଆସି ଛିଡ଼ାହେଲା ସାମ୍ନାରେ । ତାକୁ ଦେଖିବାକ୍ଷଣି ଅକାରଣରେ ରାଗରେ ଭିତରଟା ଜଳିଉଠିଲା ତାଙ୍କର । ବୀକ୍ଷୁବ୍ଧ ଚିତ୍ତରେ ଅଶାନ୍ତି ପ୍ରକାଶ ପାଇଲା କେବଳ ଗୋଟିଏ ଅର୍ଦ୍ଧ ଉଚ୍ଚାରଣ ଉଃ ! ରେ । ପ୍ରମାଦ ଗଣିଲା ହରି । କିନ୍ତୁ ସିଂହ ଗୁହା ଭିତରକୁ ଶୃଗାଳ ଥରେ ପ୍ରବେଶ କଲେ ଯେପରି ସହଜରେ ଫେରି ଯାଇପାରେ ନାହିଁ, ସେହିପରି ଶଶଙ୍କ ଏବଂ ଭୟ ବିହ୍ୱଳ ଚିତ୍ତରେ ପ୍ରଭୁର ପଦ ଯୁଗଳକୁ ଅନାଇ ରହିଲା ସେ ।

 

–ଏତେବେଳେ ସେ ?

 

ବିରକ୍ତରେ ପଚାରିଲେ ହିମାଂଶୁ । ହରି ଜାଣେ ଏତେବେଳେ ସେ ନଆସି ଅନ୍ୟ ଜଣେ ଆସିବାର ଥିଲା । କିନ୍ତୁ କ୍ଷମାପ୍ରାର୍ଥନା ଜଣାଇ କହିଲେ–ସେ ଆସିବା ଆଗରୁ ମୁଁ ଆସିଲି ହଜୁର । ଗୋଟିଏ ଜରୁରୀ ଖବର ଥିଲା ।

 

–କ’ଣ ଜରୁରୀ ଖବର ଥାଇପାରେ ଏଇ ରାତି ନଅଟାରେ....

 

ଗର୍ଜିଉଠିଲେ ହିମାଂଶୁ ।

 

–ଆଜ୍ଞା ବଡ଼ବାବୁ ଆସି ଅପେକ୍ଷା କରୁଛନ୍ତି ତଳେ ।

 

–କିଏ ?

 

ନଶୁଣିଲା ପରି ପୁଣି ଚିତ୍କାର କରିଉଠିଲେ ହିମାଂଶୁ ।

 

–ହଜୁର ବଡ଼ବାବୁ ଆସି ଅପେକ୍ଷା କରୁଛନ୍ତି ।

 

ମଥାରେ ଆଙ୍ଗୁଳି ଘୂରେଇ କହିଲା ହରି ।

 

–ଏଇ ଅବେଳରେ କାହିଁକି ?

 

Unknown

–ହଜୁରଙ୍କ ପାଖରେ ଜରୁରୀ କାମ ଅଛି ।

 

–ଡାକିଆଣି ।

 

ବିରକ୍ତରେ କହିଲେ ହିମାଂଶୁ । ହରି ପର୍ଦ୍ଦାର ଅନ୍ତଗଳରେ ଅନ୍ତର୍ହିତ ହୋଇଥିଲା । ପ୍ରକୃତିରେ ଭୟ ହୋଇଥିଲା ତା’ର । ସାହେବ ଆଜି ଟିକିଏ ଅଧିକ ପିଇଛନ୍ତି ବୋଲି ଅନୁମାନ କଲା । ଏ ସମୟରେ ସାଧାରଣତଃ ନାରୀ ବ୍ୟତୀତ ପୁରୁଷ ସହିତ ସାକ୍ଷାତ କରନ୍ତି ନାହିଁ ଜମିଦାର ସାହେବ ।

 

ଅଳ୍ପକ୍ଷଣ ପରେ ସାମ୍ନାରେ ଆସି ନମସ୍କାର କରି ଛଡ଼ାହେଲେ ଅଫିମର ବଡ଼ବାବୁ ନିଖିଳ ନାୟକ ।

 

–ହୁଁ ! କ’ଣ ଜରୁରୀ ଖବର ?

 

–ଆଜ୍ଞା ଆଜି ଖବରପାଇଲି ଯେ....

 

–କ’ଣ ଖବର ପାଇଲେ ?

 

–ଷ୍ଟ୍ରାଇକ୍ ହବ ଷ୍ଟୁଡ଼ିଓ ଅଫିସରେ...

 

–ଷ୍ଟ୍ରା....ଇ.....କ୍ ?

 

ଚିତ୍କାର କରିଉଠିଲେ ହିମାଂଶୁ । ଡ୍ରଇଂରୁମ୍ ଭିତରେ ତାଙ୍କର ସ୍ୱର ଘୂରିବୁଲିଲା କିଛି କ୍ଷଣ-। କେତେ ମିନିଟ୍ ପ୍ରାୟ କୌଣସି ଉତ୍ତର ଦବାପାଇଁ ସାହସ କଲେନି ନାଏକ ବାବୁ । ଜମିଦାର ସାହେବଙ୍କ ମନ ଏବଂ ମିଜାଜ ଜଗି ଚଳିବା ତାଙ୍କ କାମ । ସେଥିପାଇଁ ନୀରବ ରହିଲେ ସେ-

 

–କିଏ କେଉଁଠାରେ ଷ୍ଟ୍ରାଇକ୍ କରୁଛି ଶୁଣେ ?

 

କଣ୍ଠରେ ଦୃଢ଼ତା ଖେଳାଇ ପଚାରିଲେ ହିମାଂଶୁ ।

 

–ଆଜ୍ଞା ଷ୍ଟୁଡ଼ିଓ ଏବଂ ଅଫିସର ସମସ୍ତ ଶ୍ରମିକ ଏବଂ ତଳିଆ କର୍ମଚାରୀ ମିଶି ଗୋଟାଏ କର୍ମଚାରୀ ସଂଘ ଗଢ଼ିଛନ୍ତି ବୋଲି ମୁଁ ଆପଣଙ୍କୁ ଆଗରୁ ଜଣାଇଥିଲି ।

 

–ହଁ; ସେଥିରେ ମୋର କିଛି ଯାଏଆସେନା । ମୁଁ ତ ସେମାନଙ୍କୁ ଅର୍ଥ ସାହାର୍ଯ୍ୟ କରନ୍ତି, ସଂଘ ପାଇଁ ଅଫିସ୍ ଏବଂ ଆସବାବପତ୍ର ଯୋଗାଇଦେଇଛି ଶ୍ରମିକ କଲ୍ୟାଣ ଉଦ୍ଦେଶ୍ୟରେ ।

 

–କୃତଘ୍ନ ସେମାନେ । ଯାହାର ଲୁଣ ଖାଇବେ ତାହାରି ବିରୋଧରେ ଅଭିଯୋଗ.....

 

–ଅଭିଯୋଗ କ’ଣ ଶୁଣେ ?

 

ସେତେବେଳକୁ ଟିକିଏ ନରମିଯାଇଥିଲେ ହିମାଂଶୁ ।

 

–କ’ଣ ଆଉ କରିବେ ଆଜ୍ଞା । କେତେଜଣ କଲେଜ ପଢ଼ୁଆ ନୂଆ ବାବୁ ଆସି ଯୋଗଦେଇଛନ୍ତି ଷ୍ଟୁଡ଼ିଓ ଏବଂ ଅଫିସରେ । ଗତ କେଇବର୍ଷ ମଧ୍ୟରେ ସେମାନେ ସମସ୍ତେ ତଳିଆ କର୍ମଚାରୀଙ୍କୁ ଏକଜୁଟ କରି କର୍ମଚାରୀମାନଙ୍କୁ ଅଧିକ ସୁବିଧା, ସୁଯୋଗ ଏବଂ ବେତନ ଦବା ପାଇଁ ଦାବି କରିଛନ୍ତି । ତାପରେ ସେମାନେ ଚାହାନ୍ତି କମ୍ପାନୀର ମ୍ୟାନେଜମେଣ୍ଟରେ ସେମାନଙ୍କର ହାତ ରହିବ । ପରିଚାଳନା ବୋର୍ଡ଼ରେ ସେମାନଙ୍କର ପ୍ରତିନିଧି ରହିବେ ।

 

ଶୁଣିବାବେଳେ ହିମାଂଶୁ ବାବୁଙ୍କ ମୁହଁଉପରେ ମାଂସପେଶୀଗୁଡ଼ିକ ଶକ୍ତ ହେଇଥିଲେ । ଉତ୍ତେଜନା ବଶତଃ ସ୍ୱେଦ ବିନ୍ଦୁ ଛୋଟ ଛୋଟ ଶିଶିର ବିନ୍ଦୁ ପରି ମୁହଁ ଉପରକୁ ଉକୁଟି ଉଠୁଥିଲା । ସେ ଦୃପ୍ତ ଏବଂ ଉତ୍ତେଜିତ କଣ୍ଠରେ କହିଲେ–

 

ହିମାଂଶୁ ପଟ୍ଟନାୟକକୁ ଚାହାନ୍ତି ନାହିଁ ସେମାନେ । ହୁଁ । କମ୍ପାନୀର ପରିଚାଳନାରେ ହାତ ରହିବ ସେମାନଙ୍କର । ଆଶ୍ରିତ ବାରବୁଲାଗୁଡ଼ା । ସେମାନେ କମ୍ପାନୀ ପରିଚାଳନା କରିବେ । ଭାଙ୍ଗିଦିଅ, ଭାଙ୍ଗିଦିଅ ସେମାନଙ୍କ ସଂଘ ।

 

ନାୟକ ବାବୁ ଜମିଦାର ସାହେବଙ୍କ କ୍ରୋଧ ଦେଖି ଭୟ ପାଇଲେ । ଶାନ୍ତ କଣ୍ଠରେ କହିଲେ–ସେମାନେ ଜଣେ ବା ଦୁଇଜଣ ନୁହନ୍ତି, ଅନେକ ହଜୁରେ ।

 

–ଅପଦାର୍ଥ । ଅର୍ବାଚୀନ । ଏଇ ତୁମପରି ଅଯୋଗ୍ୟ ଲୋକ ବଡ଼ବାବୁ ହେଲେ କମ୍ପାନୀର ଏଇ ଦୁରବସ୍ଥା ଗର୍ଜନ କଲେ ହିମାଂଶୁ ।

 

–କ୍ଷମା କରିବେ ଆଜ୍ଞା ! ମୁଁ କହୁଥିଲି–

 

କହୁ କହୁ କଥା ସମାପ୍ତ ନ କରି ରହିଯାଇ ଢୋକ ଗିଳିଲେ ନାୟକ ବାବୁ ।

 

–ଆପଣ କହନ୍ତି ସେମାନଙ୍କ ସହିତ ସାଲିସ କରିବାପାଇଁ ।

 

–ଆଜ୍ଞା ।

 

–ହୁଁ ସାଲିସ । କେତୋଟା ବାରବୁଲା ସ୍କାଉଣ୍ଡ୍ରେଲମାନଙ୍କ ସହିତ ସାଲିସ୍…

 

ରାଗ ଏବଂ ଦ୍ୱେଷରେ ଫାଟିପଡ଼ିଲେ ହିମାଂଶୁ । ତାଙ୍କର ଚିତ୍କାର ସମସ୍ତ ପ୍ରକୋଷ୍ଠ ଭେଦ କରି ପାଶ୍ୱବର୍ତ୍ତୀ ଅଞ୍ଚଳକୁ ପ୍ରକମ୍ପିତ କରିପକାଇଲା । ନାୟକ ବାବୁ କରଯୋଡ଼ି ସୁଯୋଗ ଅପେକ୍ଷାରେ ରହିଲେ ।

 

ଦାବି ପ୍ରତ୍ୟାଖ୍ୟାନ କରନ୍ତୁ । ଧର୍ମଘଟ ପୂର୍ବରୁ ନେତାମାନଙ୍କୁ ଚନ୍ଦକାର....

 

ଆଉ କୁହାଇନଦେଇ କହିଲେ ନାୟକ ବାବୁ ସେ କଥା ଅଟକ ଯିବନାହିଁ ଆଜ୍ଞା ! ତେବେ ଯାହା କରିବାପାଇଁ ହେବ ବେଶ୍ ଭାବିଚିନ୍ତି କରିବା ଉଚିତ । ଆପଣଙ୍କ ସୁନାମ ସହିତ କମ୍ପାନୀ ଘନିଷ୍ଠ ଭାବରେ ଜଡ଼ିତ । ଏପରି କିଛି ନହେଉ ଯହିଁରେ ଆପଣଙ୍କ ନିଷ୍କଳଙ୍କ ଲୋକ ପ୍ରିୟତାରେ ଆଞ୍ଚ ଆସୁ । ତାପରେ ମ୍ୟୁନିସିପାଲିଟି ନିର୍ବାଚନ ପାଖେଇଆସୁଛି.....

 

ରାଗପଡ଼ି ଆସୁଥିଲା । ହିମାଂଶୁ ହୃଦୟଙ୍ଗମ କରିବାପାଇଁ ଚେଷ୍ଟାକଲେ ନିଜର ବିଶ୍ୱସ୍ତ ପ୍ରଭୁଭକ୍ତର ଉପଦେଶ ।

 

ହଁ । ଭାବିଚିନ୍ତି କାମ କରିବାପାଇଁ ହେବ । ହିମାନୀ ଷ୍ଟୁଡ଼ିଓଠାରୁ ତାଙ୍କ ବ୍ୟକ୍ତିତ୍ୱ ଅନେକ ବଡ଼ । ସେଇ ବ୍ୟକ୍ତିତ୍ୱର ଭିତିରି କଥା ଅମୁହାଁ ଦେଉଳର କରୁଣତାର ମୂର୍ଚ୍ଛନା ପରି ଗୁମୁରି ମରୁ ଚିରଦିନ, ଏକ ଅଶାନ୍ତ ଏବଂ ଅସନ୍ତୋଷପୂର୍ଣ୍ଣ ପ୍ରାଣର କ୍ରିୟା ଓ ଅକ୍ରିୟା ଲୁଚିରହୁ ଜନ ଚକ୍ଷୁର ଅନ୍ତରାଳରେ–କିନ୍ତୁ ବଞ୍ଚିରହୁ ବାହାରର ହିମାଂଶୁ ପଟ୍ଟନାୟକ; ସେହି ନାମ ସହିତ ଜଡ଼ିତ ଆଭିଜାତ୍ୟ ଅହଙ୍କାର । ବଞ୍ଚିରହୁ ଦେଶ ସେବକ, ସମାଜସେବୀ ଶ୍ରୀ ହିମାଶୁଂ ପଟ୍ଟନାୟକ ।

 

ଶାନ୍ତ ସ୍ୱରରେ କହିଲେ ସେ–ଉତ୍ତମ ! କିନ୍ତୁ ପ୍ରସ୍ତାବ କ’ଣ ଆପଣଙ୍କର ?

 

–ଆଜ୍ଞା ସେମାନଙ୍କର କିଛି ଦାବି ମାନିବାକୁ ହେବ ।

 

–ମାନିନେବି । ଗୋଟାଏ ଅର୍ବାଚୀନ କର୍ମଚାରୀ ସଂଘର ଦାବି ସ୍ୱୀକାର କରିନେବି ।

 

–ସେଥିରେ ଆପଣଙ୍କର ସୁନାମ ବଢ଼ିବ । ଅଥଚ ଧର୍ମଘଟ ବନ୍ଦ ହୋଇଯିବ । ଆମକୁ ଜନସାଧାରଣଙ୍କୁ ଦେଖେଇବା ପାଇଁ ଗୋଟେ ଦୁଇଟା ସୁଲଭ ପ୍ରସ୍ତାବ ଗ୍ରହଣ କରିନେବାକୁ ହେବ । ଲୋକ ଜାଣିବେ ଆପଣ ବଦାନ୍ୟ, ମହାନ ବ୍ୟକ୍ତି । କିନ୍ତୁ ତା’ ସତ୍ତ୍ୱେ ଯଦି ଧର୍ମଘଟ ହୁଏ ଲୋକେ ବୁଝିବେ ଏହା ଅନ୍ତର୍ଘାତୀ ନୀତି । ସେମାନଙ୍କୁ ଜାତିର ଶତ୍ରୁ ଭାବରେ ଚିତ୍ରିତ କରିବା ଆମ ପକ୍ଷରେ ସୁବିଧା ହେବ ।

 

ହିମାଂଶୁ ଅବାକ୍ ହୋଇଗଲେ ବଡ଼ ବାବୁଙ୍କ ପରାମର୍ଶ ଶୁଣି । ଏପରି ଭାବିପାରିନଥିଲେ-। ଆଶ୍ଚର୍ଯ୍ୟ ହେଲେ ସେ କିପରି ହିତାହିତ ଜ୍ଞାନ ଭୁଲି ଏତେ ରୂଢ଼ ହୋଇପାରିବେ ବୋଲି-

 

ସେ ରାଜି ହୋଇଗଲେ ବଡ଼ବାବୁଙ୍କ ପ୍ରସ୍ତାବରେ । ରାୟ ଦେଲେ କର୍ମଚାରୀମାନଙ୍କର ବେତନ ପାଞ୍ଚଟଙ୍କା ଲେଖାଏ ବୃଦ୍ଧି କରିଦବା ପାଇଁ । ଘରଭଡ଼ା ବାବଦରେ ପ୍ରତ୍ୟେକ କର୍ମଚାରୀଙ୍କୁ ପନ୍ଦର ଟଙ୍କା ଅଧିକ ଭତ୍ତା ଦବାପାଇଁ । ତା’ପରେ କର୍ମଚାରୀ ସଂଘର ସହଯୋଗ କମ୍ପାନୀର ଶ୍ରମ ମଙ୍ଗଳ କାର୍ଯ୍ୟରେ ଗ୍ରହଣ କରାଯିବ ।

 

ସଙ୍ଗେ ସଙ୍ଗେ ଟେଲିଫୋନ୍ ଦ୍ୱାରା ଦୁଇଟି ପ୍ରଧାନ ସମ୍ୱାଦପତ୍ରକୁ ଏହି ସମ୍ୱାଦ ଜଣାଇଦେଲେ ସକାଳ ସଂସ୍କରଣରେ ଏହା ଛପାଇଦବା ପାଇଁ ବିଶେଷ ଅନୁରୋଧ କଲେ ଏବଂ ତା’ ସଙ୍ଗେ ସଙ୍ଗେ ଆସନ୍ତା ଶନିବାର ସନ୍ଧ୍ୟାରେ ହୋଟେଲ କ୍ୟାପିଟାଲରେ ମନ୍ତ୍ରୀଙ୍କୁ ଯେଉଁ ସମ୍ୱର୍ଦ୍ଧନା ଦିଆଯିବ ସେଥିରୁ ନିମନ୍ତ୍ରଣ କଲେ ସମ୍ପାଦକମାନଙ୍କୁ । ପୁଲିସ୍ କମିଶନରଙ୍କୁ ତାପରେ ଫୋନ କରି ଅନୁରୋଧ କଲେ କୌଣସି ଅଶାନ୍ତ ବା ଉପଦ୍ରବକୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ-

 

ରାତି ଦଶଟା ସେତେବେଳକୁ । ବିଦାୟ ନେବା ପୂର୍ବରୁ କହିଲେ ବଡ଼ବାବୁ–ତାହେଲେ ମୁଁ କାଲି କର୍ମଚାରୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ଡକାଇ ପଠାଇବି ।

 

–ହଁ, ସେମାନେ ମୋ ସହିତ ଦଶଟାରେ ସାକ୍ଷାତ କରିବେ । ତା’ ପୂର୍ବରୁ ସଭାପତି ସମ୍ପାଦକଙ୍କ ପୂରା ନାମ ଓ ପରିଚୟ ମୋତେ ଦିଅନ୍ତୁ ତ ।

 

–ଆଜ୍ଞା ସଭାପତି ହେଲେ ସୁଧାକର ପତି । ହିମାନୀ ଷ୍ଟୁଡ଼ିଓର ମୁଭି ଟେକନିସିଆନ୍ ଏବଂ ସମ୍ପାଦକ ହେଲେ ସବ୍ୟସାଚୀ ମହାପାତ୍ର । ହୀମାନୀ ଷ୍ଟୁଡ଼ିଓର ଅଫିସର ନବାଗତ ଆସିଷ୍ଟାଣ୍ଟ-

 

–ଏମାନଙ୍କ ସମ୍ୱନ୍ଧରେ ଡୋସିଅର ପ୍ରସ୍ତୁତ କରି ରଖନ୍ତୁ । ସେମାନଙ୍କର ଭିତରେ ଏବଂ ବାହାରର ସମସ୍ତ ବିବରଣୀ ଲିପିବଦ୍ଧ କରି ସାଇତି ରଖନ୍ତୁ ଅତି ଗୋପନୀୟତାର ସହିତ ।

 

–ମୁଁ ସବୁ ଠିକ୍ କରିସାରିଛି ସାର୍ । ସୁଧାକର ପତି ଲୋକ ଭାବରେ ଚମତ୍କାର, କିନ୍ତୁ ମଥାରେ ଛିଟା ଅଛି ଟିକିଏ, ସଭାପତି ହୋଇ ପ୍ରତିଷ୍ଠା ପାଇବା ପାଇଁ ପାଗଳ ।

 

–ଆଉ ସବ୍ୟସାଚୀ ?

 

–ସେ ନବାଗତ । ଅବିବାହିତ । ରକ୍ତରେ ଚଞ୍ଚଳତା ଅଛି । ଶୁଣିଛି....

 

–କ’ଣ ଶୁଣିଛନ୍ତି... ?

 

–କ୍ଷମା କରିବେ ହଜୁର । ଶୁଣିଛି ସମାଜ କଲ୍ୟାଣ ପରିଷଦର ଜନୈକା ଶିକ୍ଷୟିତ୍ରୀଙ୍କ ସହିତ ଗୋପନ ପ୍ରଣୟରେ ଆବଦ୍ଧ ।

 

–ସମାଜ କଲ୍ୟାଣ ପରିଷଦର ଶିକ୍ଷୟିତ୍ରୀ ?

 

ପଚାରିବା ସଙ୍ଗେ ସଙ୍ଗେ ଭାବିବା ପାଇଁ ଚେଷ୍ଟାକଲେ ହିମାଂଶୁ । ସମିତିର ଦୁର୍ଗଭିତରେ ଶତ୍ରୁର ପ୍ରବେଶ ତାଙ୍କ ଭିତରଟାକୁ ତୋଳପାଡ଼ କରିପକାଇଲା ।

 

–ନାରୀ ସୁଧାର ସମାଜର ଶିକ୍ଷୟିତ୍ରୀ ବୋଲି ଶୁଣିଛି ଦେଖିବାର ସୌଭାଗ୍ୟ ହୋଇନି ।

 

ଗମ୍ଭୀର ହୋଇଗଲେ ହିମାଂଶୁ । ଦେହ ଭିତରେ ପୂନର୍ବାର ସେଇ ଅଶାନ୍ତ, ଅସ୍ୱସ୍ତିକର ଚଞ୍ଚଳତା ଦେଖାଦେଲା । ନା, ରାତି ହେଲାଣି । ଆଉ ଏଇ ଜଞ୍ଜାଳ ଭିତରେ ନିଜକୁ ପରିଶ୍ରାନ୍ତ କରି ଅଧିକ କିଛି କରିପାରିବେନି ଏଇ ରାତିରେ । ସେତିକିରେ ବିଦାୟଦେଲେ ବଡ଼ ବାବୁଙ୍କୁ । ହରିକୁ ଆଦେଶ ଦେଲେ ‘ଓଲଡ଼୍ ସ୍ମଗଲର’ ହୁଇସ୍କି ବୋତଲଟା ଆଣିବା ପାଇଁ ।

 

ଅଳ୍ପ ସମୟ ମଧ୍ୟରେ ଓଲଡ଼୍ ସ୍ମଗଲର, ସୋଡ଼ା ଏବଂ କିଛି କାଜୁବାଦାମ ନେଇ ଭିତରେ ପ୍ରବେଶ କଲା ହରି । ପେଗ ଟେବୁଲ ଉପରେ ରଖିଦେଇ ଛିଡ଼ାହେଲା ଟିକିଏ । ତଳକୁ ମୁହଁକରି ଟିକିଏ ଭିଜାଗଳାରେ କହିଲା ସେ–ରାତିହେଲାଣି । ହଜୁର ପରିଶ୍ରାନ୍ତ । ତେଣେ ଅପେକ୍ଷା କରୁଛନ୍ତି ଚିତ୍ରିତା ଦେବୀ ....

 

ହରି ନିଷ୍କ୍ରାନ୍ତ ହୋଇଗଲା ପ୍ରକୋଷ୍ଟ ମଧ୍ୟରୁ ।

 

ଅପେକ୍ଷା କରୁଥିଲା ଓଲଡ଼ ସ୍ମଗଲର ।

 

ଅପେକ୍ଷା କରୁଥିଲା ଚିତ୍ରାଭିନେତ୍ରୀ ହବାପାଇଁ ଇଣ୍ଟରଭିଉ ଦବାକୁ ଆସିଥିବା ଚିତ୍ରିତା ।

 

ସ୍ତିମିତ ଆଲୋକକୁ ଅଧିକ ସ୍ତିମିତ କରି ଓଲଡ଼୍ ସ୍ମଗଲରର ସ୍ଫୁର୍ତ୍ତି ନେଇ ଚିତ୍ରିତାର ଅନୁଚ୍ଚାରିତ ଆଶା ଏବଂ ଆକାଙ୍‍କ୍ଷାକୁ ସମୁଜ୍ଜ୍ୱଳିତ କରିବାପାଇଁ ଯେତେବେଳେ ତା’ର କଟିବେଷ୍ଟନ୍ କଲେ ହିମାଂଶୁ, ତାଙ୍କ ଭିତରର ଆରଣ୍ୟକ, ଆଦିମ, ହିଂସ୍ର ପଶୁଟା ନୂତନ ରକ୍ତ, ମାଂସର ଗନ୍ଧରେ ଭୟଙ୍କର ଉଗ୍ର ହୋଇଉଠିଲା । ସେଇ ଭୀଷଣତାର ବର୍ବରତା ସହ୍ୟ କରିନପାରି ନିର୍ବେଦ ଚିତ୍ରିତା ନିଷ୍କମ୍ପ ଦୀପଶିଖା ପରି ଆତ୍ମଜ୍ଞାନ ଶୂନ୍ୟ ହୋଇ କଟା କଦଳୀ ଗଛ ଭୂପତିତ ହେଲାପରି ହିମାଂଶୁଙ୍କର ଦୁଇ ବଳିଷ୍ଠ ବାହୁର ସର୍ବଗ୍ରାସୀ ବନ୍ଧନ ଭିତରେ ଆତ୍ମ ସର୍ମପଣ କଲା ।

 

ବାହାରେ ରାତ୍ରୀରେ ବହଳତା ବୃଦ୍ଧି ପାଉଥିଲା ପୃଥିବୀର ସମସ୍ତ ଲଜ୍ୟା, ଅପମାନକୁ ଅନ୍ଧକାରର କାଳିମା ଭିତରେ ଘୋଡ଼ାଇ ରଖିବା ପାଇଁ ।

 

ପନ୍ଦର

 

ଆଜି ନନ୍ଦରାମ ହନୁରାମଙ୍କ ଜୀବନରେ ଏକ ସ୍ମରଣୀୟ ଦିବସ । ଏହା ବ୍ୟତୀତ ଏଦିନର ଆଉ ଗୋଟିଏ ବୈଶିଷ୍ଟ୍ୟ ହେଉଛି ଏହି ଯେ, ତାଙ୍କର ଶିଳ୍ପ ବିକାଶ ଦିଗରେ ଯେଉଁ ଉଦ୍ୟମ ସେ ଆରମ୍ଭ କରିଥିଲେ କେତେବର୍ଷ ଆଗରୁ ଆଜିର ତାରିଖ ତାହାର ଏକ ସ୍ମରଣୀୟ ମାଇଲଖୁଣ୍ଟ ସଦୃଶ । ଶିଳ୍ପ ସାମ୍ରାଜ୍ୟ ବୃଦ୍ଧିପାଇଛି । ବର୍ତ୍ତମାନ ପ୍ରଦେଶର ବିଶିଷ୍ଟ ଶିଳ୍ପପତି ଭାବରେ ସେ ସୁପରିଚିତ ।

 

ଆତ୍ମ ଚିନ୍ତାରେ ବେଶ୍ ମସଗୁଲଥିଲେ ନନ୍ଦରାମଜୀ । ମହାନଦୀ କୂଳର ମନୋରମ ଦ୍ୱିତଳ ପ୍ରାସାଦର ଶୟନ କକ୍ଷରେ ଝରକା ସଂଲଗ୍ନ ସ୍ଥାନରେ ଗୋଟିଏ ଇଜ ଚେଆରରେ ବସି ବସି ମହାନଦୀର ସଙ୍କୁଚିତ ସ୍ୱରୂପ ଦେଖୁଥିଲେ ।

 

ବର୍ଷା ଅତିକ୍ରାନ୍ତ ହୋଇଛି । ପାଣି କମିଛି ନଦୀରେ । ମହାନଦୀର ବିଶାଳ ବକ୍ଷ ସଙ୍କୁଚିତ ହୋଇଛି ଶରତର ଶେଷ ପାଦରେ । କିନ୍ତୁ ସେ ବଢ଼ି ଚାଲିଛନ୍ତି ବର୍ଷାଦିନର ନଦୀପରି । ସଙ୍କୋଚନ ନାହିଁ ତାଙ୍କ ଜାତକରେ । ସଂପ୍ରସାରଣର ସ୍ଫୀତିରେ ଶ୍ରାବଣର ବନ୍ୟା ପରି ବିପୁଳ ଆଜି ନନ୍ଦରାମଜୀ-। ସେଇ ବୃଦ୍ଧିର ବନ୍ୟାସ୍ରୋତରେ ତାଙ୍କ ବିରୋଧରେ ଉଠୁଥିବା ସମସ୍ତ ବାଧା, ପ୍ରତିବନ୍ଧକ ଏବଂ ବିରୋଧ ଭାସିଯାଉଛି କୁଟାଖିଅ ପରି ।

 

ନିଜ ଭାବନାରେ ଖୁସିହୋଇ ହୋ ହୋ କରି ହସିଉଠିଲେ ସେ । ପ୍ରକୋଷ୍ଠ କମ୍ପିଉଠିଲା ସେଇ ହସର ଉଚ୍ଛାସରେ । ଗୋଟିଏ କୋଣରେ କାଚ ଆଲମାରି ଉପରେ ସୁସଜ୍ଜିତ ଶ୍ରୀ ଗଣେଶଜିଙ୍କ ଉଦ୍ଦେଶ୍ୟରେ ପ୍ରମାଣ ଜଣାଇ ମନକୁମନ କହିଲେ ସେ–ମୁଝେ ଦୟା କରେ । ଭଗବାନ ! ମୁଝେ ଦୟା କରେ । ମୁଝେ ତେରଛୀ ନଜରମେଁ ଜେରା ଦେଖୋ......

 

ଟେଲିଫୋନଟା ବାଜିଉଠିଲା–କ୍ରିଂ.....କ୍ରିଂ....କ୍ରିଂ

 

ରିସିଭରଟି ଉଠାଇନେଇ ନିଜକୁ ଚୌକି ଉପରେ ଲୋଟାଇଦେଲେ ନନ୍ଦରାମଜୀ । ଚୌକି ଟିକିଏ ଚାପ ପାଇ ଲମ୍ୱିଗଲା ଆଗକୁ । ଆରାମରେ ଆରାମ କୁର୍ସିଉପରେ ଶୋଇ ଶୋଇ ଆମେଜପୂର୍ଣ୍ଣ କଣ୍ଠରେ କହିଲେ ସେ–ହ୍ୟାଲୋ...

 

ସେ ଆଡ଼ୁ ଉତ୍ତର ଆସିଲା–କିଏ, ନନ୍ଦରାମଜୀ !

 

ନନ୍ଦରାମଜୀ ଶସବ୍ୟସ୍ତ ହୋଇ କହିଲେ–ହଁ, ହଁ । ହାମେ ନନ୍ଦରାମଜୀ କହୁଛେ ।

 

–ମୁଁ ଭୂତପୂର୍ବ ଜନତା ପାର୍ଟି ଚେୟାରମ୍ୟାନ ଯୁଗଳ କିଶୋର ଦାସ କହୁଛି ।

 

–କ’ଣ କହୁଛେ ଆପଣ ।

 

–ଆପଣଙ୍କ ସୁରା କାରଖାନା ଉଦଘାଟନ ହବ ?

 

–ହଁ, ହଁ । ଆସନ୍ତା ସୋମବାର ସୁରା କାରଖାନା ଉଦଘାଟନ ହବାର ଆଛେ ।

 

–କିନ୍ତୁ ବଡ଼ ଗୋଳମାଳ ହବ ଶୁଣୁଛି ।

 

–କ’ଣ କହିଲେ ଆଜ୍ଞା ! ଗୋଳମାଳ ହବେ । ଲେକିନ କ୍ୟୁ ଗୋଳମାଳ ହବେ । ହମେ ତ ବନ୍ୟା ପାଣ୍ଠି ମେଁ ବହୁତ ରୂପେୟା ଦେଇଛେ ।

 

–ଆପଣ କୋଟିପତି । ସମସ୍ତଙ୍କ କଥା ନ ବୁଝିଲେ ଚଳିବ କିପରି ।

 

–ଠିକ୍ ବାତ । ହାମେ ଆଉ ଦଶହଜାର ଦବା । ଜନତାର ସେବା ହାମର କୁମ୍ପାନୀର କାମ ।

 

–ଆପଣ ପଠାଇଦିଅନ୍ତୁ । ଦେଖିବ କ’ଣ କରାଯାଇପାରେ ।

 

–ନିଶ୍ଚୟ, ନିଶ୍ଚୟ ! ଆପଣ ସହାୟତା ନ କଲେ ହାମେ ଏତେ ବଡ଼ କାରଖାନା କିପରି ଚଳାଇପାରିବେ । ଆପଣ ଦୟା ରଖିବେ । ଔର ଜ୍ୟାଦା ଲାଗିବେ ତୋ ହାମେ ପଛାଇବେ ନାହିଁ ।

 

–ଯଥା ସମୟରେ କହିବେ । ହେଲେ ଲେବର ୟୁନିଅନକୁ ହାତ କରିବାକୁ ହବ ।

 

–ସେ କିମିତି ହବ ଆଜ୍ଞା ?

 

–ଚିନ୍ତା କରନ୍ତୁ ଆପଣ । ଅର୍ଥ ଥିଲେ ଉପାୟ ଥାଏ ।

 

–ନା, ନା । ଆପଣ ଉପାୟ କରନ୍ତୁ । ହାମେ ପ୍ରସ୍ତୁତ ଆଛେ ।

 

–ମୁଁ ଚେଷ୍ଟା କରିବି । କିନ୍ତୁ ବାହାରୁ କିଛି ଗୁଣ୍ଡା ଆଣିବା ଦରକାର ।

 

–ଆଚ୍ଛା ! ବହୁତ ଆଚ୍ଛିବାତ୍ । ହାମେ ଦୁଇଟା ଲରି ମଉଜୁଦ୍ ରଖିବେ ।

 

–ଠିକ୍ ଅଛି । ସେମାନଙ୍କୁ ମୁଁ ନିର୍ଦ୍ଦେଶ ଦେବି । କିନ୍ତୁ ଅନେକ ଟଙ୍କା ଲାଗିବ ଯେ....

 

–କେତେ ?

 

–ପାଞ୍ଚ ହଜାର ।

 

–ହଁ, ହୁଁ । ଫିକର ମତ କରିବେ । ହାମେ ପଚାଶ ଆଦମୀକୋ ପଚାଶ ଶୋ ରୂପୟା ଦେଇଦେବେ ।

 

–ସେମାନେ ବିଶ୍ୱାସୀ ହେବେ ତ ?

 

ହଁ, ହଁ–ସେମାନେ ବିଶ୍ୱାସୀ ଲୋକ । ସବୁ ଠିକ୍ ହୋଇଯିବେ । ସେମାନେ ଜନତା କେ ବିଚ୍ ମିଶି ରହିବେ ।

 

–ଭଲ ! ସମୟ ହେଲେ ଗୋଳମାଳ କରିବେ ଯେପରି ।

 

–ଆଜ୍ଞା ! ସବୁ ଠିକ୍ ହୋଇଯିବେ । ଇଶାରା ପାଇଲେ ଗୋଲମାଲ କରିବେ ।

 

–ହଁ ! ମୁଁ ତ ଥିବି ସେମାନଙ୍କ ଆଖିପାଖରେ । ସବୁ ଠିକ୍ ହୋଇଯିବ ।

 

–ଆପଣ ଦୟା ରଖିବେ । ହାମର ପ୍ରଥମ ସୁରା କାରଖାନା । ଓଡ଼ିଶାର ଗୌରବ ଆଜ୍ଞା-! ହାମେ ଦଶୋ ଆଦମୀ କୋ କାମ ଦେଇଛେ । ଆହୁରି ଦେବେ ।

 

–ମୋ ଜ୍ୱାଇଁ କଥା ମନେରଖିବେ । ଭଲପିଲା ।

 

–ନିଶ୍ଚୟ । ନିଶ୍ଚୟ । ଦୟା ରଖିବେ । ଶ୍ରୀ ଗଣେଶଜୀ....ହ୍ୟାଲୋ ...ହ୍ୟାଲୋ ଅନ୍ୟପାଖରୁ ରିସିଭର ରଖିବାର ଶବ୍ଦ ହେଲା । ଆଳାପ ଶେଷ ହୋଇଗଲା ।

 

ନନ୍ଦରାମଜୀ ଆରାମ ଚୌକିର ଶୋଇ ଶୋଇ ହାଇମାରିଲେ । ବେଶ୍ ଭଲକରି ପେଟଉପରୁ ଗେଞ୍ଜିଟା ଉପରକୁ ଟେକିଦେଇ ପଙ୍ଖା ତଳେ ଆରାମ କଲେ ଏବଂ ମନେ ମନେ ହସିଲେ ।

 

ତାଙ୍କର ହସିବାର ସମୟ ଆସିଛି । ସେ ହସିବେ । ଏ ହସର ପୁଂଆରା ତାଙ୍କ କିସ୍‍ମତ୍‍ର ଫଳ । ସେ ଆଗେଇଯିବେ । ଆଗକୁ ଚାହିଁ ଦେଖିବେ । ପଛକୁ ଚାହିଁବାର ସମୟ ନାହିଁ-

 

ପୁଣି ହସିଉଠିଲେ ନନ୍ଦରାମଜୀ । ତାଙ୍କର ସେଇ ପ୍ରଗଲଭତାରେ ହସିଉଠିଲା ‘ହନୁମାନ ଭବନ’–ହସିଉଠିଲା ନନ୍ଦରାମ ହନୁତରାମଙ୍କ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପ ଜଗତ ।

 

ହସର ସମୟ ଆସିଲେ ମଣିଷ କେବଳ ହସିଯାଏ । ସେ କେବଳ ଦେଖେ ନିଜକୁ । ପାଖରେ, ପାର୍ଶ୍ୱରେ ବା ପଛରେ ଅନ୍ୟର କୋହ ଓ କନ୍ଦନଅଶ୍ରୁ ଏବଂ ହତାଶା ଦୃଷ୍ଟିଗୋଚର ହୁଏନା-। ସେ ଦର୍ପିତ ପଦରେ ଆଗେଇଯାଏ । ତା’ର ଅନୁକମ୍ପା, କାମନା କରି ପ୍ରସାରିତ ଅନ୍ୟ ଏକ ହାତ ସଙ୍କୁଚିତ ହୋଇ ଘୁଞ୍ଚିଯାଏ ଘୃଣା, ହିତାଦର ଏବଂ ଉପେକ୍ଷା ନେଇ । ନିଜ ଜୀବନ ସମ୍ଭୋଗରେ ଅନ୍ୟର ଅଭାବ ଦୃଷ୍ଟିଗୋଚର ହୁଏନାହିଁ ।

 

କ୍ରିଂ.... କ୍ରିଂ ......କ୍ରିଂ......

 

ପୁଣି ଟେଲିଫୋନଟା ବାଜିଉଠିଲା । ନନ୍ଦରାମଜୀ ରିସିଭର ଉଠାଇ କହିଲେ–ହ୍ୟାଲୋ.....

 

–ମୁଁ କହୁଛି ।

 

–କିଏ ।

 

–ହିମାଶୁଂ ପଟ୍ଟନାୟକ ।

 

–ଓଃ ନମସ୍କାର ପଟ୍ଟନାୟକ ସାହେବ । ହାମେ ଆପଣଙ୍କୁ ଇନତଜାର କରୁଥିଲୁ ।

 

–ମୁଁ ଆସୁଛି ଏଇନେ ।

 

–ବହୁତ ଆଚ୍ଛା ହାମେ ଇନତିଜାର କରିବା । ଆପଣ ଆସିଲେ ବାତଚିତ୍ । ଆପଣ ପାଖରେ ଜରୁରୀ ବାତ୍ ଆଛେ ।

 

–ଆଚ୍ଛା ଠିକ୍ ଅଛି ।

 

–ଆଚ୍ଛା, ଆଚ୍ଛା । ଆପଣ ବଡ଼ଲୋକ । ଶ୍ରୀ ଗଣେଶଜୀ ଆପଣଙ୍କର ଭଲ କରିବେ । ଆସନ୍ତୁ । ହାମେ ଇନତଜାର କରୁଛେ ।

 

ରିସିଭର ରଖିଦେଇ କଲିଂବେଲର ବୋତାମ ଟିପିଲେ ନନ୍ଦରାମଜୀ । ଚାକର ଆସି ହାଜରହେଲା ସମ୍ମୁଖରେ ।

 

–ଗୋପାଲ ନିଚେ ଯାଇ କହିଦେ ଚତୁର୍ଭୁଜ ବାବୁଙ୍କୁ, ହିମାଂଶୁ ବାବୁ ଆସିବେ । ହାମେ ଉପରେ ଅଛେ । ଖବରଦେବେ ଆସିଲେ । ଆଉ ଦୁଇ ଗିଲାସ ବାଦାମ ସରବତ୍ ତୟାର ରଖୋ । ହାମେ କହିଲେ ଆଣିବେ ।

 

ମଥା ହଲାଇ ସମ୍ମତି ଜଣାଇ ଚାଲିଗଲା ଗୋପାଳ ।

 

ନନ୍ଦରାମଜୀ ଉଠିଯାଇ ବାଥରୁମ୍ ଭିତରେ ହାତ ମୁହଁ ଧୋଇ ପୋଷାକ ବଦଳାଇଲେ । ତା’ପରେ ଆରାମରେ ଆସି ଶ୍ରୀ ଗଣେଶଜୀଙ୍କ ଫଟୋପାଖରେ ମୁଣ୍ଡ ନୁଆଁଇ ପ୍ରଣାମ କଲେ ।

 

ଶ୍ରୀ ଗଣେଶ ଭଗବାନ ! ଦୟା କରୋ ।

 

–ଇନକିଲାବ୍......

 

ଜିନ୍ଦାବାଦ.....

 

–ଇନକିଲାବ୍.....

 

ଜିନ୍ଦାବାଦ୍......

 

ଭାସିଆସିଲା ଏକ ନୁହେଁ ଅନେକ କଣ୍ଠର କଠୋର ସ୍ୱରର ପ୍ରତିଧ୍ୱନି ବହନ କରି । ନନ୍ଦରାମଜୀଙ୍କ ଛାତି ଭିତରେ ହାତୁଡ଼ିର ମାଡ଼ ପଡ଼ିଲା ପରି ସ୍ପନ୍ଦନ ଦୃଢ଼ତର ହେଲା । ସେ ଉତ୍ତେଜିତ ଏବଂ ସଙ୍କିତ ହୋଇପଡ଼ିଲେ । ବହୁ ଦେଶ, ବିଦେଶ ବୁଲିଛନ୍ତି । ବହୁ ଲୋକଙ୍କର ବହୁକଥା ଶୁଣିଛନ୍ତି । ଅନେକ ବୁଲି, କାନରେ ଶୁଣିଛନ୍ତି ସେ । କିନ୍ତୁ କେଉଁଥିରେ ଶଙ୍କିତ ହୋଇନାହାନ୍ତି, ସଂଶୟ କରି ଉପରକୁ ଅନାଇନାହାନ୍ତି । କିନ୍ତୁ ଏଇ ‘ଇନକିଲାବ ଜିନ୍ଦାବାଦ’ ଧ୍ୱନି ଶୁଣିଲେ ମନଟା ଦବିଯାଏ, ଛାତିତଳର ସ୍ପନ୍ଦନ ଦୃଢ଼ତର ହୁଏ । ନିଜଉପରୁ ନିଜକୁ ବିଶ୍ୱାସ ଟିକକ ଖସିପଡ଼େ ।

 

ଜାବନରେ ଏଇ ଗୋଟିଏ ଧ୍ୱନିର କଠୋରତା ପାଖରେ ନିଷ୍ପ୍ରଭ ହୋଇଯାଆନ୍ତି ସେ । ସେଥିପାଇଁ ‘ଇନକିଲାବ ଜିନ୍ଦାବାଦର ପ୍ରତିଧ୍ୱନି ଯେତିକି ପାଖରେ ଶୁଣନ୍ତି ସେତିକି ଦୁଇକାନ ଭିତରେ ଆଙ୍ଗୁଳିଦେଇ ନଣୁଣିବା ପାଇଁ ଚେଷ୍ଟା କରନ୍ତି । କିନ୍ତୁ ବୀର ନିର୍ଘୋଷ ସେଇ ନିନାଦର ଶକ୍ତି ଏତେ ବେଶୀ ଯେ, ତାହା ତାଙ୍କର କାନରେ କେବଳ ପଶେନାହିଁ, ତାଙ୍କ ବକ୍ଷ ପଞ୍ଜରାକୁ ଦୋହଲାଇ-। କାନବନ୍ଦ କରି କେତେ ସମୟ ବସି ରହିବେ ! ଝରକା କବାଟ ବନ୍ଦ କରି କେତେ ସମୟ ବାହାରଠାରୁ ବିଚ୍ଛିନ୍ନ କରିପାରିଛି ନିଜକୁ !

 

ଇନକିଲାବ ଜିନ୍ଦାବାଦ.....

 

ଏଇ ଧ୍ୱନି ଚାହୁଁଛି ଆତ୍ମସମର୍ପଣ । ସେ ଆତ୍ମସମର୍ଣ କରିପାରିବେ ନାହିଁ ।

 

ନା, ନା, ନା–

 

ଚିତ୍କାର କରିଉଠିଲେ ନନ୍ଦରାମଜୀ । ସେଇ ଚିତ୍କାର ମହାଶୂନ୍ୟର ନିଃସଙ୍ଗତାରେ ଲିନ ହୋଇଗଲା କୌଣସି ତରଙ୍ଗ ସୃଷ୍ଟି ନକରି । ଇଥରର ଲହରୀ ମଧ୍ୟରେ ନିଭିଗଲା କୌଣସି ରାଗିଣୀ ସୃଷ୍ଟି ନକରି ।

 

ଇନକିଲାବ ଜିନ୍ଦାବାଦ......

 

ଭାସିଆସିଲା ସମବେତ ଜନତାର ଜୟଧ୍ୱନି । ନିକଟତର ହୋଇଆସିଲା ସହତ୍ସ ନିଶ୍ଚିତ ପଦପାତର ଆଗକୁ ଆସୁଥିବା ସମ୍ୱାଦ ।

 

ଆଶଙ୍କାରେ ବିବର୍ଣ୍ଣ ହୋଇଗଲେ ନନ୍ଦରାମଜୀ । ଆରାମ ଚୌକିରେ ଆଉ ବସିପାରିଲେ ନାହିଁ । ଦୁଗଧଫେନନିଭ ଶଯ୍ୟା ଉପରେ ଶୋଇ ରହିପାରିଲେ ନାହିଁ । ବ୍ୟସ୍ତତାର ବିଭ୍ରାନ୍ତ ହୋଇ ଝରକା କବାଟ ବନ୍ଦ ରଖି ଅସ୍ଥିର ଭାବରେ ପଦାଚାରଣ କରିବାରେ ଲାଗିଲେ । ଆତ୍ମଗୋପନ କରି ଆତ୍ମ ପ୍ରତ୍ୟୟ ଟିକକୁ ନିରିଖି ଦେଖିବା ପାଇଁ ବାହାର ଆଲୋକର ସହାୟତା ନ ନେଇ ଭିତରର ନିଅନ ଆଲୋକ ଜାଳିଲେ ନନ୍ଦରାମଜୀ ।

 

କିନ୍ତୁ ସେଇ ସମବେତ କଣ୍ଠର ଆବାଜ ଏବଂ ଆଗକୁ ଆସୁଥିବା ପଦଧ୍ୱନି ସ୍ପଷ୍ଟରୁ ସ୍ପଷ୍ଟତର ହୋଇ ଶୁଣାଗଲା । ଆକାଶ, ବତାଶ ଏବଂ ଅନ୍ତରକ୍ଷରେ ପ୍ରତିଧ୍ୱନି ତୋଳି ବିକ୍ଷୁବଧ ଜନତା ଚିତ୍କାର କଲା–ଇନକିଲାବ ଜିନ୍ଦାବାଦ୍.....

 

ଥରଥର ହୋଇ ଥରୁଥିଲେ ନନ୍ଦରାମଜୀ । ତାଙ୍କର ଘର ସାମ୍ନାରେ ଶୋଭାଯାତ୍ରା, ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ଜନତା ।

 

–ସୁରା ନୁହେଁ ।

 

ସାର କାରଖାନା

 

ବନ୍ଦ କର ।

 

ଶୋଷଣ ନର୍ଯ୍ୟାତନା ।

 

ଇନକିଲାବ ଜିନ୍ଦାବାଦ.......

 

ଝରକାର ଛିଦ୍ର ଦେଇ ଲକ୍ଷ୍ୟକଲେ ନନ୍ଦରାମଜୀ । ଶୋଭାଯାତ୍ରାକାରୀମାନଙ୍କ ସମ୍ମୁଖରେ ଶ୍ରମିକ ନେତା ପ୍ରଳୟ ସିଂ । ତାଙ୍କ ଫାଟକ ସମ୍ମୁଖରେ ଚାରି ପାଞ୍ଚଜଣ ପୁଲିସ ।ପୁଲିସ ଦେଖି ସାନ୍ତ୍ୱନା ପାଇଲେ ସେ । ମନକୁ ମନ ବୁଝାଇବା ପାଇଁ ଚେଷ୍ଟା କଲେ ଶାସନ ଇଠି ଯାଇ ନାହିଁ ।–ଶାସକ ଅଛନ୍ତି । କୋର୍ଟହକଚୋରୀ ଅଛି । ଅଛି ଆଇନ ଅଦାଲତ ।

 

କିଛି ସମୟ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଶୋଭାଯାତ୍ରାକାରୀମାନେ ଆଗେଇଗଲେ ପିଠାପୁରଆଡ଼କୁ । ପିଠାପୁର ସେପାଖର ମହାନଦୀ ପଠା ପାଖରେ ତାଙ୍କର ସୁରା କାରଖାନା । ଆସନ୍ତା ସୋମବାର ଉଦଘାଟନ ଦିବସ । ଭୟ ହେଲା ଯଦି କାରଖାନା ଆଡ଼କୁ ଯାଇ କିଛି ଭଙ୍ଗାରୁଜା କାମ କରନ୍ତି । ଏତେ ଟଙ୍କା ଖର୍ଚ୍ଚ କରିଛନ୍ତି ଶିଳ୍ପ ବିସ୍ତାର କରି ଦେଶର ସମୃଦ୍ଧି ପାଇଁ-। ଏତେ ଲୋକଙ୍କୁ ନିମନ୍ତ୍ରଣ କରିଛନ୍ତି ଉଦଘାଟନ ଉତ୍ସବରେ ଯୋଗଦେବା ପାଇଁ । ଆୟୋଜନରେ କିଛି ତ୍ରୁଟି ନାହିଁ । ତଥାପି କେଜାଣି କାହିଁକି ନିଶ୍ଚିନ୍ତ ରହିପାରିଲେନି ସେ । ରିସିଭରଟା ଉଠାଇ ଫୋନ କଲେ ବିଭିନ୍ନ ବ୍ୟକ୍ତିଙ୍କୁ ସହାୟତା ପାଇଁ ।

 

ପୋର୍ଟିକରେ ଗାଡ଼ି ଆସି ଛିଡ଼ାହେଲା । ଡ୍ରାଇଭର ଦରଜା ଖୋଲିଦେଲା । ବିରାଟ ଇମ୍ପାଲ ଗାଡ଼ିଭିତରୁ ହସି ହସି ବାହାରିଆସିଲେ ହିମାଂଶୁ ପଟ୍ଟନାୟକ ।

 

ହାତଧରି ଅଭ୍ୟର୍ଥନା କଲେ ନନ୍ଦରାମଜୀ । –ବଡ଼ ନସୀବ ହାମର । ଆପଣ ଆସିଲେ...

 

ନା, ନା ଆପଣ ଉଦ୍ଦୀୟମାନ ଶିଳ୍ପପତି । ଦେଶର ଗୌରବ...

 

ଦୁହେଁ କଥା କହି କହି ଉପରକୁ ଉଠିଗଲେ । ସିଡ଼ି ଦେଇ ଗଲାବେଳେ କହିଲେ ହିମାଂଶୁ :

 

–ତାପରେ ଆଉ ଖବର କି ?

 

–ଖବର ବହୁତ ଖରାବ ଆଜ୍ଞା ! ଅଭି ଶୋଭାଯାତ୍ରା ଚାଲିଗଲା....

 

–କି ଶୋଭାଯାତ୍ରା ?

 

ବିରାଟ ଶୋଭାଯାତ୍ରା ଆଜ୍ଞା–ହାମର କାରଖାନା ବିରୋଧରେ ସ୍ଳୋଗାନ ।

 

ମୁରୁକି ହସିଲେ ହିମାଂଶୁ । ଉତ୍ତର ଦେଲେନି, ଡ୍ରଇଂ ରୁମରେ ବସିଲେ ଯାଇ ଦୁଇଜଣ ।

 

ସାଜସଜ୍ଜାର ସୁଚାରୁ ପରିପାଟି ଥିଲା ଡ୍ରଇଂ ରୁମରେ । ଧୂପବତୀର ମହ ମହ ସୁବାସରେ ଭରି ରହିଥିଲା କୋଠରୀ ମଝିରେ ସେଣ୍ଟର ଟେବୁଲ ଉପରେ ଏକ ବଡ଼ ଫୁଲଦାନିରେ ଲାଲ୍ ଗୋଲାପର ସୁସଜ୍ଜିତ ଗୁଚ୍ଛ ।

 

ବେଶ୍ ଭଲ ଲାଗିଲା ହିମାଂଶୁଙ୍କୁ ।

 

ଗୋପାଳ ଇଶାରା ପାଇ ଶଙ୍ଖମଲମଲ ଟ୍ରେରେ ଦୁଇଗ୍ଳାସ ବାଦାମ ସରବତ ନେଇ ରଖିଲା ସାମ୍ନାରେ । ହିମାଂଶୁ ବାବୁଙ୍କ ହାତକୁ ଗୋଟିଏ ଗିଲାସ ବଢ଼ାଇଦେଇ କୃତ୍ରିମ ଶ୍ଳେଷ ମିଶା ସ୍ୱରରେ କହିଲେ ନନ୍ଦରାମଜୀ–

 

–ଆପଣ କେ ଲିୟେ ଏ ପାନୀୟ ଆଚ୍ଛା ନେହିଁ । କିନ୍ତୁ ଘରେ ଔର କୁଚ୍ଛ କରନା ମୁସ୍କିଲ-। ସରାବ ଆଣିଲେ ଶ୍ରୀ ଗଣେଶଜୀ ଗୁସ୍ସା ହେବେ...

 

–ନା, ନା ଏଇ ଭଲ ।

 

ସରବତ ନେଇ କହିଲେ ହିମାଂଶୁ । ସରବତରେ ଚୁମୁକ ଦେଇ କହିଲେ–ଖୁବ୍‍ ଭଲ ହୋଇଛି ତ ! ବାଃ ! ଚମତ୍କାର !

 

–ବାଦାମ ସରବତ ବହୁତ୍ ଆଚ୍ଛା । ଆପଣ ପିଅନ୍ତୁ । ଗୋପାଲ ଔର ଦୁଇ ଗିଲାସ ..

 

–ଆରେ ନା, ନା । ଏଇ ଯଥେଷ୍ଟ ।

 

–ସେ କିପରି କଥା ଆଜ୍ଞା । ଆପଣ ହାମର ବିଶିଷ୍ଟ ଅତିଥି ।

 

–ସମୟ ଭଲ ନୁହେଁ ନନ୍ଦରାମଜୀ । ଚାରିଆଡ଼େ ଗୋଲମାଳ, ଅଶାନ୍ତି… ।

 

–ହାମକୁ ସବୁ ମାଲୁମ୍ ଅଛେ । ଲୋକଗୁଡ଼ା ବେପରଓ ହୋଇଯାଉଛେ । ହାମେ ଦେଶକେ ଲିୟେ କ’ଣ ନ କରୁଛେ । ଲେକିନ ନସିବ ଖରାପ । ହାମର ବିରୋଧ କରି ବିକ୍ଷୋଭ କରୁଛେ ।

 

–ଆରମ୍ଭ ମାତ୍ର ନନ୍ଦରାମଜୀ । ଏଇ ପରିସ୍ଥିତିର ସରକାର ସହାୟତା ନମିଳିଲେ ଶିଳ୍ପ ଚଳାଇବା କଷ୍ଟକର ।

 

–ଆପଣ ନେତା । ସରକାର କୋ କହନ୍ତୁ । ସରକାର ସର୍ପୋଟ ନକଲେ ଚଳିବେ କିପରି ?

 

–ତା’ ସତ । ତେବେ ଆପଣଙ୍କ ସୁରା କାରଖାନା ସୋମବାର ଉଦଘାଟନ ହେଉଛି ତ-?

 

–ହଁ, ଠିକ୍‍ ତ କରିଛେ ।

 

–ମୁଁ ଶୁଣିଲି କିଛି ଗଣ୍ଡଗୋଳ ହୋଇପାରେ । କେତେକ ଯୁବକ ଗୋଳମାଳ କରିପାରନ୍ତି ।

 

–ହାମେ ବି ଖବର ପାଇଛେ । କିନ୍ତୁ ସୁରୁସେ ଏପରି ହେଲେ କାରଖାନା ଚଳିବ କିପରି-?

 

–କାରଖାନା ଚାଲିବା କଥା ପରେ । କିନ୍ତୁ ଉଦଘାଟନ ଉତ୍ସବ ଭଲରେ କରିବାପାଇଁ ଆପଣ କ’ଣ ଆୟୋଜନ କରିଛନ୍ତି ଜାଣିପାରେ କି ?

 

–ହଁ, ହଁ ‘ଆପଣ ହାମର ପେଟ୍ରୋନ୍’ ନିଶ୍ଚୟ ଜାଣିବେ । ଶୋଭାଯାତ୍ରା ଭାଙ୍ଗିଦବା ସକାଶେ ପଚାଶ ଗୁଣ୍ଡା ଯୋଗାଡ଼ କରିଛେ ।

 

–କିନ୍ତୁ ସେମାନେ ଭଡ଼ାଟିଆ ବୋଲି ଜଣାପଡ଼ିଗଲେ ଅବସ୍ଥା ସାଙ୍ଘାତିକ ହେବ । ସରକାର ଆପଣଙ୍କୁ ବିଲ୍‍କୁଲ୍‍ ସପୋର୍ଟ କରିବେନି ।

 

–ନା, ନା, କିସିକୋ ମାଲୁମ ନେହିଁ । କଚା କାମ କରେନା ନନ୍ଦରାମଜୀ । କଲିକତାରୁ ଗୁଣ୍ଡା ଆଣୁଛେ । ଶୋଭାଯାତ୍ରାକୁ କାରଖାନାକୁ ଆସିବା ପହିଲେ ସାବାଡ଼ କରିବେ ।

 

–ଭଲ ବ୍ୟବସ୍ଥା । ଦେଖୁଛି, ଆପଣ ପକ୍କା ଖେଳବାଡ଼୍ ।

 

–ଆଜ୍ଞା ଆପଣଙ୍କ ଦୟା । ନପାରିଲେ ହାମେ କାରଖାନା ଚଳାଇବେ କିପରି ? ବିଜ୍ଞତାର ହସ ହସି କହିଲେ ନନ୍ଦରାମଜୀ ।

 

–କିନ୍ତୁ ଏ ସବ୍ ଆପଣଙ୍କ ଦୟା । ଆପଣ କୋଶିସ କରିନଥିଲେ ଲାଇସେନ୍ସ ମିଳିନଥାନ୍ତା ।

 

ତାଙ୍କ କଥା ଶୁଣି ହିମାଂଶୁ ଗର୍ବ ଅନୁଭବ କଲେ ଟିକିଏ । ସୋଫା ଉପରେ ଆରାମ କରିବାପାଇଁ ପଛପଟକୁ ଝୁଙ୍କିପଡ଼ି କହିଲେ–କିନ୍ତୁ ମୋର ବିପଦବେଳେ ଆପଣଙ୍କ ସାହାଯ୍ୟ ଏକାନ୍ତ କାମ୍ୟ ନନ୍ଦରାମଜୀ ।

 

ଚମକିପଡ଼ିଲେ ନନ୍ଦରାମ । ହିମାଂଶୁବାବୁଙ୍କର ପୁଣି କି ବିପଦ । ଏତେ ବଡ଼ ନେତା, ସମାଜସେବୀ । ଏତେବଡ଼ ଲୋକଙ୍କର କି ବିପଦ ପଡ଼ିପାରେ ବୁଝିନପାରି ସହାନୁଭୂତି ଦେଖାଇ କହିଲେ–ଆପଣଙ୍କର କାମ ହାମର କାମ ସମଝିବେ ଆଜ୍ଞା ! କୁହନ୍ତୁ, ହାମେ କି କରିପାରେ ।

 

–ଆପଣ ନିଜ କାଗଜର ସମ୍ପାଦକଙ୍କୁ ଡକାଇ କୁହନ୍ତୁ ଯେ, ମୋ ଷ୍ଟୁଡ଼ିଓରେ ଶ୍ରମିକ ଅଶାନ୍ତି ନେଇ କୌଣସି ସମ୍ୱାଦ ପରିବେଷଣ କରିବା ପୂର୍ବରୁ ମୋଠାରୁ ଯାଞ୍ଚ କରାଇନେବେ–ଯାହା ମନାକରିବି ଛାପିବେ ନାହିଁ ।

 

–ଆପଣଙ୍କ କାମ ଅବଶ୍ୟ କରିବେ । ହେଲେ ଧର୍ମଘଟ କିଏ କରୁଛେ ?

 

–ଧର୍ମଘଟର ଧମକ ଦେଉଛନ୍ତି । କରିବାକୁ ହୁଏତ ବିଳମ୍ବ ହେବ ନାହିଁ । ଦୁଇ ଚାରିଟା ଧପ୍ପାବାଜ ଟୋକା ବାହାରିଛନ୍ତି ସେମାନଙ୍କୁ ଶେଷ କରିବାର ଉପାୟ ବି ଜଣାଅଛି ମତେ । ହେଲେ କିଛି ସମୟ ଲାଗିବ ନନ୍ଦରାମଜୀ ।

 

–ସମୟ ଲାଗୁ ପରୱା ନାହିଁ । ଲେକିନ ଦୁସମନୋକୋ ନିପାତ କରନା ହମାରା ଧର୍ମ ହବେ । ଆପଣ ଯୋ କୁଛ ଚାହିଁବେ ହାମେ ଦେବେ । ହାମର ଲକ୍ଷ୍ୟ ଏକ....

 

–ସେଥିପାଇଁ ତ ଆପଣ ମୋର ବନ୍ଧୁ ଶେଠଜୀ । ତାପରେ ଆଉ ଗୋଟିଏ କଥା । ଉଷା ଖାନ୍ନା ଅଛି ତ ଆପଣଙ୍କ ଅନୁଷ୍ଠାନରେ ।

 

–ହଁ, ହଁ, ଅଛି । ବହୁତ ହୋସିଆର ଖୁବସୁରତ୍ ଲଡ଼କି....

 

–ହଁ, ସେଇପରି ଚାଲାକ ଝିଅର ପ୍ରୟୋଜନ । ତାକୁ ଗୋଟେ ଭଲକାମ ଦେବି ମୁଁ ।

 

–ଦିଅନ୍ତୁ ସେ ଆପଣଙ୍କ କାମ କରୁ । ହାମେ ବି ମଦଦ୍ କରିବେ ।

 

–ହିମାନୀ ଷ୍ଟୁଡ଼ିଓର କର୍ମଚାରୀ ସଂଘ ଏବେ ନୂଆ ଗଠିତ ହୋଇଛି । ଏହାର ସେକ୍ରେଟାରୀ ସବ୍ୟସାଚୀ ମହାପାତ୍ର । ତିନିମାସ ହେଲା ଚାକିରି ଦେଇଥିଲି ଏଇ ଟୋକାକୁ । ଆଜି ସେ ଶ୍ରମିକ ନେତା ! ନିମକହରାମ !

 

–ଆପଣ ଉଷାକୁ କି ଦରକାର ନିଜେ କହିବେ ।

 

–ହଁ ସେ ସବ୍ୟସାଚୀକୁ କରାୟତ୍ତ କରିବା ପାଇଁ ଚେଷ୍ଟାକରୁ । ତାକୁ ଏବଂ ସବ୍ୟସାଚୀକୁ ନେଇ ଗୋଟେ ପ୍ଳଟ କରୁ ଯହିଁରେ ଅନ୍ୟମାନେ ସନ୍ଦେହ କରିବେ ସବ୍ୟସାଚୀକୁ । ଉଷା ପ୍ରଚାର କରିଦେବ ସବ୍ୟସାଚୀ ମୋର ଲୋକ ।

 

–ବହୁତ ଆଚ୍ଛା ! ଉଷା ଏ କାମ ଅବଶ୍ୟ କରିବେ ।

 

ହିମାଂଶୁ ମନରେ ପ୍ଳଟ ପ୍ରସ୍ତୁତ କରି ରଖିଥିଲେ । କିନ୍ତୁ ସବୁକଥା ନନ୍ଦରାମ ଆଗରେ ପ୍ରକାଶ କଲେନାହିଁ । ଉଷା ଖାନ୍ନାର ପରିଚୟର ସୁବିଧା ନେଇ ସବ୍ୟସାଚୀ ଏବଂ ସୁନୀତା ମଧ୍ୟରେ ବ୍ୟବଧାନ ସୃଷ୍ଟି କରିବାପାଇଁ ଚାହାନ୍ତି ସେ । ସେ ଦୁହିଁଙ୍କ ଭିତରେ ଭୁଲ୍ ବୁଝାମଣା ହେବା ନିହାତି ଆବଶ୍ୟକ । ସୁନୀତାକୁ ଆଗାମୀ ଛବିର ପ୍ରଧାନ ନାୟିକା ହବାର ସୁବିଧା ଦେବେ । ରୂପ ଅଛି । ଗୁଣର ଅଭାବ ନାହିଁ । କୌଶଳ କରି ତାକୁ ସବ୍ୟସାଚୀର ହାତରୁ ଟାଣିନେବେ ।

 

ଯୋଜନାର ସାରମର୍ମ ତାଙ୍କୁ ଉତ୍ସାହିତ ଏବଂ ଭିତରେ ଭିତରେ ଉନ୍ମାଦ କରି ତୋଳିଲା । ସୁନୀତାକୁ ସମ୍ଭୋଗ କରିବାର ଆଦିମ ବାସନାରେ ଅସ୍ଥିର ହୋଇ ତାଙ୍କ ଭିତରର ଆରଣ୍ୟକ, ହିଂସ୍ର ଜନ୍ତୁଟା ନୂତନ ନାରୀ ମାଂସ ଲେହନ କରିବା ପାଇଁ ଅଶାନ୍ତ ହୋଇଉଠିଲା । ଦେହ ଓ ମନକୁ ଶାନ୍ତି କରିବା ପାଇଁ ଆଉ ଗିଲାସେ ବାଦାମ ସରବତ ପାନ କଲେ ହିମାଂଶୁ ।

 

କିନ୍ତୁ ସରବତରେ ତୃଷା ଶାନ୍ତ ହୁଏନା । କ୍ଷୁଧା ସର୍ବଦା ପଲାଉ, ମାଂସରେ ନିବୃତ୍ତ ହୁଏନା ।

 

ଏହାଠାରୁ ଅଧିକ ଉତ୍ତାଳ, ଅଧିକ ଜୀବନ୍ତ ଆଉ କିଛି ପ୍ରୟୋଜନ ।

 

ଦେହର ଶିରା ପ୍ରଶିରାରେ ଆଗାମୀ ସଂଗ୍ରାମର ସମ୍ମୁଖୀନ ହେବାପାଇଁ ନୂତନ ଉତ୍ସାହ, ଅପରିସୀମ ଉଦ୍ଦୀପନା ଅନୁଭବ କଲେ ହିମାଂଶୁ । ଶୁଭରାତ୍ରି ଜଣାଇଲେ ନନ୍ଦରାମଜୀଙ୍କୁ । ତାଙ୍କୁ ଆଗେଇଦେବାକୁ ଯାଇ କହିଲେ ନନ୍ଦରାମଜୀ–ଚାଲନ୍ତୁନା ହୋଟେଲଆଡ଼େ । ନୂତନ ମାଲ୍ ଆସିଛେ କାଲ୍... । ଥୋଡ଼ା ପରଖିନେବେ । ଉଷା ସଙ୍ଗେ ମୁଲାକାତ ଭି ହବେ ।

 

ମନ ମାନେନା । ମନ ଲଗାମହୀନ ଭାବରେ ନୂତନ ସ୍ୱାଦ ଆହରଣ କରିବାପାଇଁ ଉଡ଼ିବୁଲେ ।

 

–ଆଜି ନୁହେଁ । ଆଉ ଦିନେ ଆସିବି ।

 

କହିଲେ ହିମାଂଶୁ । ବିଦାୟ ନେଇ ଗାଡ଼ି ଭିତରକୁ ପଶିଗଲେ ସେ । ଡ୍ରାଇଭର ଗାଡ଼ି ଛାଡ଼ିଦେଲା ।

 

ଗାଡ଼ି ଚକ୍ଷୁ ସମ୍ମୁଖରୁ ଅନ୍ତର୍ହିତ ହୋଇଗଲା । ନନ୍ଦରାମଜୀ ଫେରିଆସି ଫୋନ କଲେ ଉଷା ଖାନ୍ନା ପାଖକୁ ତାକୁ ଏସବୁ ଅବଗତ କରାଇବା ପାଇଁ । ଆଉ ଏହା ମଧ୍ୟ କହିବାକୁ ଭୁଲିଗଲେ ନାହିଁ ଯେ, ଖୋଦ୍ ହିମାଂଶୁ ପଟ୍ଟନାୟକଙ୍କୁ ଟିକିଏ ବିଶେଷ ଯତ୍ନ କରିବାପାଇଁ ।

 

ସବୁ କାମ ଶେଷ କରି ରାତ୍ରି ଆହାର ସମାପ୍ତ କରି ଯେତେବେଳେ ଶୋଇବା ପାଇଁ ଗଲେ ନନ୍ଦରାମଜୀ ସେତେବେଳକୁ ରାତି ପ୍ରାୟ ଏଗାରଟା । ସାଢ଼େ ନଅଟା ସୁଦ୍ଧା ଶୋଇବା ପାଇଁ ତାଙ୍କର ଅଭ୍ୟାସ । କିନ୍ତୁ ଏଇ କେତେ ଦିନର କର୍ମବ୍ୟସ୍ତତା ମଧ୍ୟରେ ଏଗାରଟା ପୂର୍ବରୁ ଶୋଇପାରୁନାହାନ୍ତି । କାମ କରିବା ପାଇଁ ଅପୂର୍ବ ଉତ୍ସାହ ପାଆନ୍ତି ମନରେ । କାମ ନକଲେ ବେକାର ହୋଇଯିବ ମଣିଷ । ଆରାମ ହାରାମ ହେ । ଅର୍ଥ ଆସେନା ଆରାମ କଲେ । ସେଇ ଅର୍ଥ ଆୟତ୍ତ କରିବା ପାଇଁ ବସି ବସି, ଶୋଇ ଶୋଇ ମନେ ମନେ ବହୁ ଯୋଜନା ପ୍ରସ୍ତୁତ କରନ୍ତି ନନ୍ଦରାମଜୀ । ମନେପଡ଼େ ପଚିଶବର୍ଷ ତଳର ଘଟଣା–

 

ପଚିଶବର୍ଷ ତଳେ ତାଙ୍କ ପିତା ସିଆରାମ ନନ୍ଦରାମ ଦରିଦ୍ର ଅବସ୍ଥାରେ ଆସିଥିଲେ ଓଡ଼ିଶା । ବିଭିନ୍ନ ସ୍ଥାନରେ ବ୍ୟବସାୟରେ ଅକୃତକାର୍ଯ୍ୟ ହୋଇ ଶେଷରେ କଟକରେ ଫେରିବାଲା ଭାବରେ ବ୍ୟବସାୟ ଆରମ୍ଭ କରିଥିଲେ ଜୀବନରେ ଶେଷ ସମ୍ବଳ ବିନିଯୋଗ କରି । ସେଇଠୁ ଲକ୍ଷ୍ମୀଙ୍କର ସଦୟ ଦୃଷ୍ଟି ପାଇ, ଶ୍ରୀ ଗଣେଶଜୀଙ୍କ ଆଶୀର୍ବାଦରୁ କେବଳ ଉନ୍ନତି ପରେ ଉନ୍ନତି କରି ଚାଲିଲେ । ଅଭାବ, ଅଭିଯୋଗ ସ୍ଥାନରେ ଆସିଲା ଅଭିବୃଦ୍ଧି । ସଙ୍ଗେ ସଙ୍ଗେ ଆସିଲା ଉଦ୍ୟମ, ଉଦ୍ୟୋଗ । ତାହାରି ଫଳରେ ତାଙ୍କର ଉତ୍ତରାଧିକାରୀ ରୂପେ ନନ୍ଦରାମ ହନୁତରାମ ଆଜି ପ୍ରାଚ୍ୟ ଖଣ୍ଡରେ ଜଣେ ଉଦୀୟମାନ ଶିଳ୍ପପତି । ଗୋଟିଏ ଲୁଗା କଳ, ଗୋଟିଏ ଅଟାକଳ, ଗୋଟିଏ ତେଲକଳ, ଓ ଗୋଟିଏ ଲୁହା କାରଖାନା ବ୍ୟତୀତ ହୋଟେଲ କ୍ୟାପିଟାଲର ମାଲିକ ହେଉଛନ୍ତି ନନ୍ଦରାମଜୀ । ତାଙ୍କରି ‘ସେବା ଏବଂ ସେବା’ ଶିଳ୍ପସଂସ୍ଥାର ପୃଷ୍ଠପୋଷକତାରେ ଆରମ୍ଭ ହେବାକୁ ଯାଉଛି ପୂର୍ବ ଉପକୂଳର ସର୍ବବୃହତ ସୂରାଖାନା–‘ସୁରା ସିନ୍ଧୁ ।’

 

ଶୀଘ୍ର ନିଦ ହେଲାନି ସେଦିନ । ପୂର୍ବ ଅଭ୍ୟାସ ଅନୁସାରେ ଇଷ୍ଟନାମ ସ୍ମରଣ କଲେ ଶୋଇବା ପୂର୍ବରୁ । କିନ୍ତୁ ମୁଦ୍ରିତ ଚକ୍ଷୁର ଅନ୍ଧକାର ରାଜ୍ୟରେ ଉଦ୍ଭାସିତ ହେଲା ନୂତନ ନୂତନ ଉଦ୍ୟୋଗ ଏବଂ ଶିଳ୍ପ ଜଗତର ନୂତନ ନୂତନ ପ୍ରତିଷ୍ଠା ସେଇ ବିକାଶର ଅଭିବୃଦ୍ଧି ମାନସପଟରେ ପରମ ବିସ୍ମୟରେ ଲକ୍ଷ୍ୟକଲେ ନନ୍ଦରାମ ।

 

ସେ ଚାହାଁନ୍ତି ବଡ଼ ହବାପାଇଁ । ଆହୁରି ଅନେକ ବଡ଼ ହବାପାଇଁ ମନ ତାଙ୍କର । ବିରଳା, ବା ସିଂଘାଣିଆଙ୍କଠାରୁ ବଡ଼ । ଟାଟା ଅପେକ୍ଷା ଅଧିକ । ସେଇ ସାମ୍ରାଜ୍ୟର ସିଂହାସନରେ ବସି ସେ ଯେତେବେଳେ ନିରୀକ୍ଷଣ କରିବେ ତଳକୁ ଦେଖିବେ ତାଙ୍କର ଚାରିପାଖେ କାରଖାନା, ଶିଳ୍ପ ସଂସ୍ଥା ଏବଂ ଉଦ୍ୟୋଗ । ସେ ଦେଖିବେ କୋଟିଏ ଭିତରେ ଗୋଟିଏ ହୋଇ ଉପରକୁ ଉଠିଛନ୍ତି ସେ । କୋଟିଏ ସେତେବେଳେ ତାଙ୍କପରି ଗୋଟିକୁ ହାତଟେକି ଟିକିଏ ଦୟା, ଟିକିଏ ଅନୁକମ୍ପା ପାଇଁ ଖେଳି ବସିବେ । ଆଉ ସେ ମଜା କରିବେ ସେଇଦିନ, ଦଳିତଙ୍କର କୋଟରାଗତ ଆଖି, ସ୍ୱପ୍ନହୀନ ଭାଷା ଶୁଣି ଶୁଣି ।

 

ସେ ଆହୁରି ଦେଖିବେ ତାଙ୍କର ବିଜୟ ପତାକା ଉଡ଼ାଇ ମାଡ଼ିଚାଲିଛି ତାଙ୍କ ଶିଳ୍ପ ସାମ୍ରାଜ୍ୟର ସମୃଦ୍ଧି ରଥ । ସେଇ ରଥର ଚକତଳେ ପେଶି ହୋଇଯିବ ସମସ୍ତ ପ୍ରତିରୋଧ, ନିଭିଯିବ ସମସ୍ତ ବିରୋଧ, ବିକ୍ଷୋଭ ଏବଂ ବିଭେଦ । ସେଇ ଶତ ସହସ୍ରଙ୍କର ମଉଳିଯିବାରେ ସେ ଫୁଲିଉଠିବେ, ମୁକୁଳିତ ହେବେ ।

 

ଭାବୁଁ ଭାବୁଁ ଆତ୍ମ–ସନ୍ତୋଷରେ କେତେବେଳେ ଶୋଇପଡ଼ିଲେ ସିଆରାମ ନନ୍ଦରାମଙ୍କ ସୁଯୋଗ ସନ୍ତାନ ଶିଳ୍ପପତି, ସେବା ଏବଂ ସେବାର ମ୍ୟାନେଜିଂ ଏଜେଣ୍ଟସ୍ ଏବଂ ସୁରା ସିନ୍ଧୁର ପ୍ରତିଷ୍ଠାତା ନନ୍ଦରାମ ହନୁତରାମ ।

 

ସେଇ ସାଙ୍ଗରେ ରାସ୍ତାକଡ଼ରେ ଶୋଇପଡ଼ିଲେ ଅଜସ୍ର ପରିଶ୍ରାନ୍ତ ଶ୍ରମିକ, ଶୋଇପଡ଼ିଲେ ସହସ୍ର ଅର୍ଦ୍ଧନଗ୍ନ, ଅର୍ଦ୍ଧଭୁକ୍ତ ଜାନ୍ତବ ମଣିଷ । ଆଶା ଏବଂ ହତାଶାହୀନ ଗୋଟିଏ ପଙ୍ଗୁ ଏବଂ ଅପଦାର୍ଥର ରୁଦ୍ଧ ବେଦନାର ପ୍ରକାଶ ପରି ସେମାନଙ୍କର ଶ୍ୱାସ ପ୍ରଶ୍ୱାସରେ ନିର୍ଗତ ହେଉଥିଲା ଏକ ଅଦ୍ଭୁତ, ଅପ୍ରତିହତ ପ୍ରାଣବହ୍ନିର ପ୍ରଜ୍ଜ୍ୱଳିତ ହବାପୂର୍ବର ସଁ ସଁ ଶବ୍ଦ । ସେଇ ଶବ୍ଦରେ ଚରାଚର ପୃଥିବୀ ବିସ୍ମୟ ବିମୂଢ଼ ନୟନରେ ରାତ୍ରିର ବହଳ ଅନ୍ଧକାରର ନିରୀକ୍ଷଣ କରୁଥିଲା ଅବାକ ହୋଇ ଉପରେ ଅନନ୍ତ ଆକାଶ ଓ ଜ୍ୟୋତିଷ୍କ ମଣ୍ଡଳୀର ଐଶ୍ୱର୍ଯ୍ୟ ଏବଂ ତଳେ ପରିବ୍ୟାପ୍ତ ପୃଥିବୀରେ ସମ୍ପଦ ଏବଂ ଦାରିଦ୍ର୍ୟର ଅଭିନବ ଅଭିସାର ।

 

ଷୋହଳ

 

–ହ୍ୟାଲୋ ମିଷ୍ଟର ମହାପାତ୍ର !

 

ରାସ୍ତା ଉପରେ ଚଳନ୍ତା କାରର କ୍ଷିପ୍ର ଗତି ମନ୍ଥର କରି ଚିତ୍କାର କରି ହାତ ହଲାଇଲା ଉଷାଖାନ୍ନା ।

 

ସବ୍ୟସାଚୀ ସାଇକେଲରେ ଯାଉଥିଲା । କାହାର ଡାକ ଶୁଣି ଇତଃସ୍ତତଃ ହେଲା । କିନ୍ତୁ ପରମୁହୂର୍ତ୍ତରେ ଦେଖିଲା ରାସ୍ତାକଡ଼ରେ ଗାଡ଼ି ଛିଡ଼ା କରି ତାକୁ ଅଭ୍ୟର୍ଥନା ଜଣାଇବା ପାଇଁ ଆଗେଇଆସୁଛି ଉଷା ।

 

ସାଇକଲରୁ ଓହ୍ଲାଇ ଅଭିବାଦନ ଜଣାଇ କହିଲା–ହ୍ୟାଲୋ ମିସ୍ ଖାନ୍ନା ! ଗୁଡ଼ ଇଭିନିଂ ।

 

ଗୁଡ଼ ଇଭିନିଂ ।

 

ସ୍ମିତହାସ୍ୟ ଫୁଲଝରି ପରି ଝରିପଡ଼ିଲା ଉଷାଖାନ୍ନାର ଉଜ୍ଜ୍ୱଳ ଅଧର ଉପରୁ । ସେଇ ଆନନ୍ଦ ସହିତ ସହଯୋଗକରି ନାଇଲନ ଶାଢ଼ିର ଶେଷ ପ୍ରାନ୍ତ ଖସିଗଲା ବକ୍ଷ ଉପରୁ । ଆଖି ଫେରାଇନେଲା ସବ୍ୟସାଚୀ । ଇସ୍...

 

–ତା’ପରେ ଖବର କ’ଣ ? ସେଦିନ ଆପଣଙ୍କ ଷ୍ଟୁଡ଼ିଓ ଅଫିସରୁ ଫେରି ବେଶ୍ ଭାବିଲା ଏଇ କେତେଦିନ ।

 

–ଫିଲ୍ମରେ ଯୋଗଦେବେ ତା’ହେଲେ ?

 

–ଏପର୍ଯ୍ୟନ୍ତ ସ୍ଥିର କରିପାରିନି । କିନ୍ତୁ ଏଥିରେ ଉତ୍ତେଜନା ଅଛି, ଆକର୍ଷଣ ଅଛି । ଆପଣଙ୍କ ହାତରେ ସେଦିନ ମୋର ସମ୍ପୂର୍ଣ୍ଣ ପରିଚୟ, ଫଟୋ ଏବଂ ଭାଇଟାଲ ଷ୍ଟାଟିଷ୍ଟିକ୍ସ ଦେଇଆସିଛି । ମନେଅଛି ।

 

ଉରୁ ନଚାଇ ଗ୍ରୀବା ଦୋହଲାଇ କହିଲା ଉଷା ।

 

–ମନେଅଛି ତ !

 

ଛୋଟ ଉତ୍ତର ସବ୍ୟସାଚୀର ।

 

ଆପଣ ଟିକେ ଦେଖିବେ । ଯଦି ମନୋନୀତ ହୁଏ । ଯୋଗଦେଇପାରେ ।

 

‘ଆପଣ ଟିକେ ଦେଖିବେ’ ଉପରେ ବିଶେଷ ଜୋର ଦେଲା ଉଷା । ସ୍ୱରରେ ପରିମାର୍ଜିତ ଭଙ୍ଗୀର ରସାଳତା । ଅଙ୍ଗରେ ଆପଣାର କରିବାର ଦୋଳନ । ଆଶ୍ଚର୍ଯ୍ୟ ହୋଇଗଲା ସବ୍ୟସାଚୀ । ମାତ୍ର ଦିନକର ପରିଚୟରେ ମଣିଷ ଏତେ ପାଖକୁ ଆସିପାରେ ଏଇ ପ୍ରଥମ ଦେଖିଲା ସେ । କିଛି କହିବା ପୂର୍ବରୁ କହିଲା ଉଷା–ପ୍ଳିଜ୍ । ରାସ୍ତାକଡ଼ରେ ନୁହେଁ । ଆସନ୍ତୁ ‘କଫିକର୍ଣ୍ଣର’ରେ ବସି ବସି ଗଳ୍ପ କରିବା, ଆଉ କଫି ପାନ ମଧ୍ୟ ହବ ।

 

ଅପ୍ରତ୍ୟାଶିତ ହେଲେ ମଧ୍ୟ ପ୍ରତ୍ୟାଖ୍ୟାନ କରିପାରିଲାନାହିଁ ସବ୍ୟସାଚୀ ।

 

କଫି କର୍ଣ୍ଣର । କଟକର ସମ୍ଭ୍ରାନ୍ତ ଅଞ୍ଚଳର ଏକ ଗୌରବ, ପରିଷ୍କାର ଓ ପରିଚ୍ଛନ । ଭିତରର ସାଜସଜା ଏବଂ ପରିପାଟୀରେ ଉଜ୍ଜ୍ୱଳତା ଏବଂ ବୈଶିଷ୍ଟ୍ୟ ବିଦ୍ୟମାନ । ହଲରେ ପ୍ରାୟ ଚାଳିଶ ପଚାଶ ଜଣ ବସିବା ଭଳି ସ୍ଥାନ । ଦୁଇକଡ଼ରେ ଦୁଇଟି ଲେଖାଏଁ ଚାରୋଟି କ୍ୟାବିନ । ଫ୍ରେଣ୍ଡ ସ୍କର୍ଣ୍ଣର, କପଲ ସ୍କର୍ଣ୍ଣର, କମ୍ପାନୀ କର୍ଣ୍ଣର ଇତ୍ୟାଦି ନାମ ଦିଆଯାଇଛି କ୍ୟାବିନଗୁଡ଼ିକୁ । ପରିବୃତ କ୍ୟାବିନଗୁଡ଼ିକ ମନୋରମ ଓ ଆକର୍ଷଣୀୟ । ଭିତରେ ସ୍ୱଳ୍ପାଲୋକିତ, ସୁବାସିତ, ସୁନ୍ଦର ପରିପାଟୀ ।

 

ଫ୍ରେଣ୍ଡ ସ୍କର୍ଣ୍ଣରରେ ଯାଇ ବସିଲେ ଦୁହେଁ ।

 

କୁର୍ଣ୍ଣିସ କରି ମେନୁକାର୍ଡ଼ ସାମ୍ନାରେ ରଖି ଆଦେଶ ଅପେକ୍ଷାରେ ଛିଡ଼ାହେଲା ବୟ ।

 

–ଚିକେନ ସ୍ୟାଣ୍ଡ ଉଇଚ, ଫ୍ରାଏଡ଼ ପ୍ରନ୍ସ ଏବଂ କଫି ।

 

ଆହାରର ଅର୍ଡ଼ର ଦେଇ ସବ୍ୟସାଚୀର ମୁହଁକୁ ଅନାଇ ସ୍ମିତହାସ୍ୟ ହସିଲା ଉଷା । ପରକୁ ଆପଣାର କରିବାର ସେଇ ହସ ଲାଗିଲା ସବ୍ୟସାଚୀର ସର୍ବାଙ୍ଗରେ । ବେଶ୍ ଭଲଲାଗୁଥିଲା ତାକୁ ।

 

–ଆପଣ କେଉଁ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ମିସ୍‍ ଖାନ୍ନା ।

 

–ଦିଲ୍ଲୀ ମହିଳା ବିଶ୍ୱବିଦ୍ୟାଳୟରୁ ଗତବର୍ଷ ଶୋସିଓଲୋଜିରେ ଏମ.ଏ. ପାସ୍ କରିଛି ।

 

–ହାଓ ନାଇସ୍ । ସମାଜ ବିଜ୍ଞାନ ଖୁବ୍ ଇଣ୍ଟରେଷ୍ଟିଂ ସବଜେକ୍ଟ ।

 

–ୱାଣ୍ଡରଫୁଲ ।

 

କଟାକ୍ଷ ହାଣି କହିଲା ଉଷା ।

 

–ଶୁଣିଛି ଯୁକ୍ତରାଷ୍ଟ୍ର ଆମେରିକାରେ ସମାଜ ବିଜ୍ଞାନ ଉପରେ ଅତ୍ୟନ୍ତ ଆଧୁନିକ ଧରଣର ଗବେଷଣାମାନ ହେଉଛି ।

 

–ସତ । ଆମେରିକା ମଣିଷର ସବୁ ଦିଗ ଭଲକରି ଦେଖିନବାକୁ ଚାହେଁ । ଏଇ ଦେଖନ୍ତୁନା ଆମ ଦେଶରେ ସେକ୍ସ କହିଲେ ସଂକୋଚ କରନ୍ତି ସମସ୍ତେ । କିନ୍ତୁ ଷ୍ଟେଟ୍ସରେ ସେକ୍ସ ବିଷୟରେ ସଠିକ୍ ଏବଂ ସବିଶେଷ ଜ୍ଞାନ ଦିଆଯାଏ ।

 

–ପରିମିସିଭ ସୋସାଇଟିରେ ଏହା ସମ୍ଭବ । ଆମ ଦେଶରେ ମଧ୍ୟ ଏହା ହୋଇପାରେ-। କିନ୍ତୁ ସେକ୍ସ କହନ୍ତୁ, କ୍ରିମିନୋଲଜି କହନ୍ତୁ, ଆମ ସଂସ୍କୃତିର ବିଶ୍ୱାସ, ଯେଉଁଠି ଶୃଙ୍ଖଳା ନାହିଁ ସେଠାରେ ସୌନ୍ଦର୍ଯ୍ୟ ନାହିଁ ।

 

–କିନ୍ତୁ ଶୃଙ୍ଖଳାର ସୀମା ନିର୍ଦ୍ଧାରଣ କରାଯାଇପାରିଛି କି ? ଏହା ବିଭିନ୍ନ ବ୍ୟକ୍ତି ବା ସମାଜର ଭିନ୍ନ ପ୍ରକାର ହୋଇପାରେ ।

 

–ଅବଶ୍ୟ । ତଥାପି ଡିସେନ୍ସି ବୋଲି ଗୋଟେ ଜିନିଷ ଅଛି । ଏହା ଭୁଲିଗଲେ ଚଳିବ ନାହିଁ ।

 

ବୟ ପ୍ଳେଟରେ ଖାଦ୍ୟଦ୍ରବ୍ୟ ଆଣି ରଖିଦେଇଗଲା ଟେବୁଲ୍ ଉପରେ ।

 

ଚିଙ୍ଗୁଡ଼ି ଭଜାରୁ ଖଣ୍ଡେ ଚୋବାଉ ଚୋବାଉ କହିଲା ସବ୍ୟସାଚୀ । ଫିଲ୍ମ ଲାଇନରେ ଗ୍ଳାମର ଅଛି । ସେଇଥିପାଇଁ ଏତେ ଭିଡ଼ ।

 

–ସତ କହିଛନ୍ତି । କିନ୍ତୁ ମୂଲ୍ୟ ବି ଦବାକୁପଡ଼େ ଯେ....

 

ହସିଦେଇ କହିଲା ଉଷା ।

 

ସେ ନଇଁପଡ଼ିଥିଲା ଆଗକୁ । ତା’ ବକ୍ଷର ଉନ୍ନତ ଅଂଶ ପରିଷ୍କାର ଫୁଟି ଦିଶୁଥିଲା ଆଗକୁ । କ୍ଷଣକ ପାଇଁ ସବ୍ୟସାଚୀର ଦୃଷ୍ଟି ସ୍ଥିର ହୋଇଗଲା ସେଠାରେ । କିନ୍ତୁ ପରମୁହୂର୍ତ୍ତରେ ଲଜ୍ୟାରେ ଲାଲ୍ ପଡ଼ିଯାଇ ନିରୀହ କଣ୍ଠରେ କହିଲା ସେ–ମୂଲ୍ୟ ନଦେଇ କୌଣସି ସାର୍ଥକତା ଆସିନି ମିସ୍ ଖାନ୍ନା । କିନ୍ତୁ ମୋର ଅନୁରୋଧ ଫିଲ୍ମ ଲାଇନ୍ ବାଛିନବା ପୂର୍ବରୁ ଆପଣ ଥରେ ଭଲକରି ବିବେଚନା କରିଦେଖିବେ ।

 

କହିସାରି ପରମୁହୂର୍ତ୍ତରେ ଅନ୍ୟର ବ୍ୟକ୍ତିଗତ ବ୍ୟାପାର ଉପରେ ହସ୍ତକ୍ଷେପ କରୁଛି ବୋଲି ଚଞ୍ଚଳ ହୋଇପଡ଼ିଲା ସେ ଏବଂ ତତ୍‍କ୍ଷଣାତ୍ ଅନୁନୟ କରି କହିଲା–କ୍ଷମା କରିବେ, ଆପଣଙ୍କ ବ୍ୟକ୍ତିଗତ ବ୍ୟାପାର ଉପରେ ହସ୍ତକ୍ଷେପ କଲିବୋଲି ।

 

ତା’ର ଶିଷ୍ଟାଚାର ଏବଂ ସରଳତା ମୁଗ୍ଧ କଲା ଉଷାକୁ । ବଳିଷ୍ଠ ଯୌବନ ଦୀପ୍ତ ଦେହରେ ଭୀରୁତା ନାହିଁ । ଅଛି ପ୍ରାଣ ବନ୍ୟାର ଏକ ଉଚ୍ଛ୍ୱଳ ତରଙ୍ଗ । କିନ୍ତୁ ସେ ବନ୍ୟା ଅନ୍ୟକୁ ଆଘାତ ନକରି ଆପଣାର କରିବା ପାଇଁ ଉନ୍ମୁଖ । ଅମୋଘ ତା’ର ଆକର୍ଷଣ, ଅଲଂଘନୀୟ ତା’ର ଆବେଦନ । ସୁପୁରୁଷ ସବ୍ୟସାଚୀ । ତା’ର ସାନିଧ୍ୟ ପାଇ ଉଷାଖାନ୍ନା ନିଜ ତାରୁଣ୍ୟରେ ଏକ ନୂତନ ମୋହ ଏବଂ ଅଦ୍ଭୁତ ବନ୍ୟ ଚପଳତା ଅନୁଭବ କଲା ।

 

ସେ ଟିକିଏ ରହି ଉତ୍ତର ଦେଲା–ନା, ନା । ଏ ପରାମର୍ଶ ଦବାର ସମ୍ପୂର୍ଣ୍ଣ ଅଧିକାର ଅଛି ଆପଣଙ୍କର । ବନ୍ଧୁ ଭାବରେ ଆପଣଙ୍କର ପରାମର୍ଶ ଗ୍ରହଣ କରୁଛି ମୁଁ ।

 

ଟିକିଏ ଭାବପ୍ରବଣ ହୋଇ ଉତ୍ତର ଦେଲା ଉଷା । ତା’ର କଥାରେ ଥିଲା ମନଛୁଆ କଣ୍ଠର କାକଳି, ପରକୁ ଆପଣାର କରିବାର ପରଶମଣି ।

 

–ଓଡ଼ିଶାରେ ଚଳଚ୍ଚିତ୍ରର ଅୟମାରମ୍ଭ ହୋଇଛି ମାତ୍ର । ତାପରେ ବିକାଶର କ୍ଷେତ୍ର ମଧ୍ୟ ସୀମାବଦ୍ଧ ।

 

କହିଲା ସବ୍ୟସାଚୀ ।

 

–ହଁ, ମୁଁ ଜାଣେ ସବୁ । କିନ୍ତୁ ଅନନ୍ୟୋପାୟ ହୋଇ ଆପଣଙ୍କ କମ୍ପାନୀରେ ଦରଖାସ୍ତ କରିଛି ।

 

–ଦେଖାଯାଉ କ’ଣ ହେଉଛି ।

 

–ଆପଣଙ୍କୁ ତ ବେଶ୍ ଭଲ ଲାଗୁଥିବ ଆପଣଙ୍କ କାମ । ନୂତନ ପରିଚୟ, ନୂତନ ପରିବେଶ କାହାକୁ ବା ଆନନ୍ଦ ନଦିଏ କୁହନ୍ତୁ ତ ?

 

ପ୍ରଶ୍ନ ସହିତ ଉତ୍ତର ସବୁ ମିଶି ରହିଥିଲା ତା’ କଥାରେ । ସବ୍ୟସାଚୀ ଶୁଣିଗଲା । ଚିକେନ ସ୍ୟାଣ୍ଡଉଇଚରୁ ଖଣ୍ଡେ ଗଳାଧକରଣ କରି କହିଲା ସେ–ତା’ ଅବଶ୍ୟ କେତେକାଂଶରେ ସତ–କିନ୍ତୁ ସମ୍ପୂର୍ଣ୍ଣ ନୁହେଁ । ବେକାର ଜୀବନର କଠୋରତା ଦୂର କରିବା ପାଇଁ ଯାହା ପ୍ରଥମେ ପାଇଲି ଗ୍ରହଣ କରିନେଲି ।

 

–ଯେପରି ଲଭ୍ଏଟ୍ ଦି ଫାର୍ଷ୍ଟ ସାଇଟ୍ ।

 

ଅନାବୃତ୍ତ ଚିତ୍ତରେ ବ୍ୟକ୍ତିକଲା ଉଷା । ଆଖିରେ ଇଶାରା । ମନରେ ମହକ ।

 

–ଠିକ୍ ସେପରି ନୁହେଁ । ତେବେ କାମକୁ ପସନ୍ଦ କରିବାପାଇଁ ଚେଷ୍ଟା କରୁଛି ।

 

–ମୁଁ ଯିମିତି ଏଇ କାମଟା ନେଇଛି ହାତକୁ । ନନ୍ଦରାମ ହନୁତରାମଙ୍କ କମ୍ପାନୀ ‘ସେବା ଏବଂ ସେବା’ର ସାମାଜିକ ସେକ୍ରେଟାରୀ ହବାରେ ଅର୍ଥ ଅଛି କିନ୍ତୁ ଉନ୍ମାଦନା ନାହିଁ । ଆରାମ ଅଛି କିନ୍ତୁ ଆମେଜ ନାହିଁ । ସେଇ ଏକାପରି କାମ ଭଲଲାଗେନା ମତେ ।

 

ଖିଆ ଶେଷ ହୋଇଯାଇଥିଲା । ବୟ ପ୍ଳେଟ, କଣ୍ଟା, ଚାମୁଚ, ଛୁରି ସବୁ ଉଠାଇନେଇ କଫି ରଖିଦେଇଗଲା । କଫି ତିଆାରି କଲା ଉଷା ।

 

କପ୍‍ଟା ହାତକୁ ବଢ଼ାଇଦେଲାବେଳେ ଜାଣି ଜାଣି ନିଜର ଦୁଇଟି ଆଙ୍ଗୁଳିର ସ୍ପର୍ଶ ଦେଲା ସବ୍ୟସାଚୀକୁ । ପଣତର ପ୍ରାନ୍ତ ଖସିଗଲା ଛାତିଉପରୁ ।

 

ସବ୍ୟସାଚୀ ଶିହରିତ ମନର ଆଲୋକ ନେଇ ଦେଖିଲା ଉଷାକୁ । ଅନୁପମ, ଅପରୂପ ସୌନ୍ଦର୍ଯ୍ୟର ଝଲକ ଲାଗିଲା ତା’ ଦେହରେ । ଅନ୍ତରର ଆରକ୍ତିମ ଉତ୍କଣ୍ଠାରେ ଶିହରିଉଠି ମନେ ମନେ କହିଲା–ଇସ୍ !

 

ଅନ୍ୟମନସ୍କ ହୋଇପଡ଼ିଥିଲା ସବ୍ୟସାଚୀ । ମନ ବୁଝିବାପାଇଁ କଳନା କରୁଥିଲା ଉଷା-

 

ଇନକିଲାବ ଜିନ୍ଦାବାଦ ।

 

ସୁରା ନୁହେଁ ସାର କାରଖାନା ।

 

ବନ୍ଦ କର ଶୋଷଣ ନିର୍ଯାତନା ।

 

ବିରାଟ ଶୋଭାଯାତ୍ରା ଅଗ୍ରସର ହେଉଥିଲା ଧ୍ୱନି ଦେଇ । ସେଇ ଧ୍ୱନିର ଆବାଜ ଆସି ପହଞ୍ଚିଲା କଫି କର୍ଣ୍ଣର ଭିତରେ ହୋଟେଲ, ଦୋକାନ, ବଜାର ଭିତରେ । ବହୁ ଲୋକ ଆଗେଇଗଲେ ଉତ୍ସୁକ ହୋଇ ଶୋଭାଯାତ୍ରା ଦେଖିବାପାଇଁ । ଲୋକ ସମାଗମରେ ପୂରିଉଠିଲା ରାସ୍ତା ।

 

ଘନିଭୂତ ହେଲା ଉତ୍ତେଜନା ।

 

–କିଏ ଏବଂ କାହାର ଶୋଭାଯାତ୍ରା ?

 

ପଚାରିଲା ଉଷା ।

 

–ଠିକ୍ ଜାଣେନା । ତେବେ ସୋମବାର ‘ସୁରା ସିନ୍ଧୁ’ ମଦ କାରଖାନା ଉଦଘାଟିତ ହବାର କଥା । ସେଇ କାରଖାନା ବିପକ୍ଷରେ ଜନମତ ସଂଗଠିତ କରି ହୁଏତ କିଏ ଶୋଭାଯାତ୍ରା କରୁଥିବ ।

 

–କିନ୍ତୁ କାହିଁକି ? ସୁରା କାରଖାନା ହେଲେ ଏମାନଙ୍କର କ୍ଷତି କ’ଣ । ବରଂ ଅନେକ ଲୋକ କାମ ପାଇବେ ।

 

–ଅନ୍ୟ ଦିଗଟି ବି ବିଚାର କରନ୍ତୁ । ଅନେକ ଲୋକଙ୍କ ପାଖରେ ଦୁଇଓଳି ଖାଇବାର ସମ୍ବଳ ନ ଥିଲାବେଳେ ସେମାନଙ୍କ ହାତକୁ ସୁରା ବୋତଲ ଟେକିଦବା କେତେଦୂର ଯୁକ୍ତି ସଙ୍ଗତ । ନିମ୍ନ ଅଧିକ ନିମ୍ନ ହୋଇଯିବ ।

 

–ବ୍ୟକ୍ତିକୁ ଇଚ୍ଛାନୁସାରେ ନିଜର କାମ କରିବାକୁ ଦବା ତ ଗଣତାନ୍ତ୍ରିକ ସମାଜର ପ୍ରଧାନ ନୀତି ।

 

–କିନ୍ତୁ ବିଚାର କରନ୍ତୁ ମିସ୍ ଖାନ୍ନା ! ଅଶିକ୍ଷିତ ଲୋକମାନଙ୍କ ସାମ୍ନାରେ ଆପଣ ଯଦି ପ୍ରଲୋଭନର ଏତେ ବଡ଼ ଉପାଦାନ ରଖିଦିଅନ୍ତି, ନିୟନ୍ତ୍ରଣ କରିବ କିଏ ସେମାନଙ୍କୁ । ମଣିଷର ମନ ସ୍ୱଭାବତଃ ଅନିୟନ୍ତ୍ରିତ ଆନନ୍ଦ ଉପଭୋଗ କରିବାକୁ ଚାହେଁ । ଜାଣିଶୁଣି ସେଇ ଆଦିମ ମନକୁ ଉତ୍ତେଜିତ କରିବା ବୁଦ୍ଧିମାନର ଯୁକ୍ତିଯୁକ୍ତ କାର୍ଯ୍ୟ ନୁହେଁ ।

 

–ନ ହୋଇପାରେ । କିନ୍ତୁ ଏମାନେ ଅନ୍ୟର ଆନନ୍ଦ ଏବଂ ଇଚ୍ଛା ବିପକ୍ଷରେ ଯିବେ କାହିଁକି, କେଉଁ ଅଧିକାରରେ ?

 

–ଏମାନଙ୍କର ବଞ୍ଚିବାର ଅଧିକାର ଅଛି ବୋଲି । ସେଇ ଦାବି ଜଣାଇ ଜଣାଇ ଚିରଦିନ ଦବିଯାଉଛନ୍ତି ଏମାନେ । କିନ୍ତୁ ଉଠିବାର ବେଳ ଆସିଛି ମିସ୍ ଖାନ୍ନା ।

 

ବେଶ୍ ଉତ୍ତେଜିତ ହୋଇପଡ଼ିଥିଲା ସବ୍ୟସାଚୀ । ସ୍ଳୋଗାନର ସ୍ୱର ଯେତିକି ଉପରକୁ ଉଠୁଥିଲା ତା’ ରକ୍ତର ଚଞ୍ଚଳତା ବଢ଼ୁଥିଲା ସେତିକି । ଉଷା ଅନାଇଲା ତା’ ମୁହଁକୁ । ସବ୍ୟସାଚୀର ସ୍ୱାଭାବିକ ନିର୍ଦ୍ୱନ୍ଦ୍ୱ ମୁହଁଉପରେ ଅନ୍ତର୍ଦ୍ୱନ୍ଦ୍ୱର ସମ୍ବାଦ ନେଇ ଉକୁଟି ଉଠୁଥିଲା ସ୍ୱେଦ ବିନ୍ଦୁ । ଆଶ୍ଚର୍ଯ୍ୟ ହେଲା ସେ । ଏକ ନୂତନ ମଣିଷର ଆବିର୍ଭାବ ଦେଖି ଅବାକ ହୋଇଗଲା ଉଷା ଖାନ୍ନା ।

 

ସ୍ତମ୍ଭିତ ହୋଇଗଲେ ଜନତା ନେତାଙ୍କର ବିଶ୍ଳେଷଣ ଶୁଣି । ଜିପ୍‍ ଗାଡ଼ିଉପରେ ଛିଡ଼ାହୋଇ ବକ୍ତୃତା କରୁଥିଲେ ଶ୍ରମିକ ନେତା ପ୍ରଳୟ ସିଂ ।

 

–ସୁରାସିନ୍ଧୁ କରିବା ପୂର୍ବରୁ ସାର କାରଖାନାର ପ୍ରୟୋଜନ ଏ ଦେଶରେ ଅଧିକ । ଯେଉଁ ଶିଳ୍ପପତି ସୁରା କାରଖାନା କରି ଏ ଦେଶର ଅଶିକ୍ଷିତ ଲୋକମାନଙ୍କୁ ଅଶିକ୍ଷା, ଅନ୍ଧକାର ଏବଂ ଅର୍ଥନୈତିକ ଅତ୍ୟାଚାରର ଅପନ୍ତରା ଭିତରେ ପଡ଼ି ରହିବା ପାଇଁ ଉତ୍ସାହ ଦିଅନ୍ତି, ସେମାନଙ୍କ ପାଖରେ ଜନତାର ଦାବି ସୁରା କାରଖାନା ନକରି ସାର କାରଖାନା କରନ୍ତୁ । ସୁରା ସିନ୍ଧୁର ଅତଳ ଉନ୍ମାଦନା ମଧ୍ୟରେ ଲୋକମାନଙ୍କୁ ତଳିତଳାନ୍ତ ନକରି ସାର ଦେଇ ଏ ଦେଶକୁ ଶସ୍ୟଶ୍ୟାମଳା କରିବାରେ ସହାୟକ ହୁଅନ୍ତୁ । ଅଧିକ ଖାଦ୍ୟ ଉତ୍ପାଦନ ହେଲେ ଅଭାବ ଦୂରହେବ, କୃଷିର ଉନ୍ନତି ହେଲେ ଶିଳ୍ପର ଉନ୍ନତି ସମ୍ଭବ ହେବ–ଅର୍ଥନୀତିର ଅଭିବୃଦ୍ଧି ଘଟିବ ।

 

ଜନତାର ପ୍ରବଳ କରତାଳିରେ କମ୍ପିଉଠିଲା ଚୌରାସ୍ତାର ଚାରିପାଖ ।

 

କଫି କର୍ଣ୍ଣର ଭିତରେ ବସି ବସି ହାତତାଳି ଦେଇ ସବ୍ୟସାଚୀ କହିପକାଇଲା–ହିଅର, ହିଅର !

 

–ଆପଣ ଅତ୍ୟନ୍ତ ଭାବପ୍ରବଣ ମିଷ୍ଟର ମହାପାତ୍ର ।

 

ମୁହଁରେ ସ୍ମିତହାସ୍ୟ ଖେଳାଇ କହିଲା ଉଷା ।

 

–ମୁଁ ଦୁଖିଃତ ମିସ୍ ଖାନ୍ନା । କିନ୍ତୁ ଆପଣଙ୍କ ଅନୁମାନ ସତ୍ୟ । ଆପଣ ବୋଧହୁଏ ଜାଣନ୍ତି ଯେ, ମୁଁ ଆମ କର୍ମଚାରୀ ସଂଘର ସେକ୍ରେଟେରି ।

 

–ଓ, ଆଇ ସି । ଭାବପ୍ରବଣ ନହେଲେ ନେତା ହୋଇ ହୁଏନା ।

 

କଫି ପାନ ଶେଷ ହୋଇଥିଲା । ସବ୍ୟସାଚୀ ବୟ ହାତରୁ ବିଲ୍‍ଟା ଉଠାଇନବା ପୂର୍ବରୁ ଆଖି ପଲକରେ ଦଶଟଙ୍କାର ଗୋଟେ ନୋଟ୍ ପ୍ଳେଟ୍ ଉପରେ ରଖିଦେଇ କହିଲା ସେ– ‘ଲେଟ୍ ମି ହ୍ୟାଭ୍ ଦ୍ୟାଟ୍ ପ୍ରିଭିଲେଜ ।’

 

–ଅଶେଷ ଧନ୍ୟବାଦ ।

 

ଅତି ସନ୍ତର୍ପଣରେ କହିଲା ସବ୍ୟସାଚୀ ।

 

ଦୁହେଁ ବାହାରକୁ ଆସିଲେ । ଆସିବାବେଳେ ଜାଣିଶୁଣି ସବ୍ୟସାଚୀ ସହିତ ପ୍ରାୟ ଯୋଡ଼ିହୋଇ ବାହାରକୁ ଆସିଲା ଉଷା । ସମ୍ମାନୀୟ ବ୍ୟବଧାନ ନଥିଲା ସେଥିରେ–ଥିଲା ସଂଯୋଗର ବହିଃପ୍ରକାଶ । ନୂତନ ପରିଚୟର ବ୍ୟବଧାନ ବାହାରକୁ ଫିଙ୍ଗିଦେଇ ନିବିଡ଼ ଅନ୍ତରଙ୍ଗତାର ଉତ୍ତାପ ଅନୁଭବ କଲା ଉଷା ।

 

–ଯାଏ ତା’ହେଲେ ।

 

ବିଦାୟ ନବାପାଇଁ କହିଲା ସବ୍ୟସାଚୀ ।

 

–ଏତେଶୀଘ୍ର । ଆସନ୍ତୁ ନା ଟିକିଏ ପାର୍କଆଡ଼େ ବୁଲିଆସିବା ।

 

ସ୍ୱରରେ ଆମନ୍ତ୍ରଣର ଆବେଦନ ।

 

–କ୍ଷମା କରିବେ । ଆଜି ସନ୍ଧ୍ୟାରେ ଆଉ ଗୋଟେ ଏନଗେଜମେଣ୍ଟ ଅଛି । ଡେରି ହୋଇଯିବ ।

 

ମୁଁ ଦୁଃଖିତ ଏତେ ସମୟ ଅଟକାଇଦେଲି ଆପଣଙ୍କୁ ।

 

–ନା, ନା । ବରଂ ମୁଁ ଆପଣଙ୍କର ସାନିଧ୍ୟ ଉପଭୋଗ କରି ଧନ୍ୟହୋଇଛି ।

 

ସହଜ ଉତ୍ତର ମଧ୍ୟରେ ସୌଜନ୍ୟତା ଜଣାଇଲା ସବ୍ୟସାଚୀ । କୃତକୃତ୍ୟ ହୋଇଗଲା ଉଷା ଖାନ୍ନା । ଉଦ୍ଦାମ ଯୌବନର ଶତ ସହସ୍ର କାମନାଲହରୀ ମଥାପିଟୁଥିଲେ ଅଭିସାର କାମନା କରି । ସେଇ ଆବେଦନ ତା’ ଜୀବନ ପଥର ନୂତନ ଆବିଷ୍କାର ସହିତ ଏକ ହୋଇଯିବା ପାଇଁ ବ୍ୟାକୁଳ ହେଉଥିଲା ।

 

ଅନୁରାଗ ରଂଜିତ ସ୍ୱରରେ କହିଲା ଉଷା–ଆପଣଙ୍କ ସାନିଧ୍ୟ ମନେରହିବ । ପୁଣି କେବେ ଦେଖାହେବ କୁହନ୍ତୁ ?

 

କୌଣସି ଉତ୍ତର ନଦେଇ କେବଳ ଟିକିଏ ହସିଲା ସବ୍ୟସାଚୀ । ସେଇ ହସର ପ୍ରତିଲିପିରେ ଆଗାମୀର ନୂତନ ଭାଷା ପାଠକଲା ଉଷା ।

 

ଦୁହେଁ ରାସ୍ତାଉପରକୁ ଆସି ବିଦାୟନେଲେ ପରସ୍ପରଠାରୁ । ସାଇକେଲ ଆଡ଼କୁ ଆଗେଇ ଯିବାବେଳେ ତାକୁ ପଛରୁ ଡାକି ରୁମାଲ ହଲାଇ କହିଲା ଉଷା–ବାଇ... ବାଇ.. ।

 

ବାଇ... ବାଇ..

ଅନୁଚ୍ଚ ସ୍ୱରରେ ଉଚ୍ଚାରଣ କଲା ସବ୍ୟସାଚୀ ।

ଉଷା ଖାନ୍ନା କାରରେ ଷ୍ଟାର୍ଟ ନବା ପୂର୍ବରୁ ପଛକୁ ଫେରି ଚାହିଁ କ୍ଷଣକ ପାଇଁ ସ୍ତବ୍ଧ ହୋଇଗଲା । ଲକ୍ଷ୍ୟକଲା ସେ, ସବ୍ୟସାଚୀ ସାଇକେଲ ଉପରକୁ ଉଠି ବସିବା ପୂର୍ବରୁ ଗୋଟିଏ ସାଇକେଲ ରିକ୍ସା ଆସି ଛିଡ଼ାହେଲା ତା’ ପାଖରେ । ଆରୋହୀ ପୁରୁଷ ନୁହେଁ–ଜଣେ ସୁଶ୍ରୀ ତରୁଣୀ-

କେଉଁଠି ଦେଖିଲାପରି ମନେହେଲା ଉଷାର । କିନ୍ତୁ ମନେପକାଇ ପାରିଲାନାହିଁ । ଶୋଭାଯାତ୍ରାକାରୀମାନେ ଚାଲିଯାଉଥିଲେ ଧ୍ୱନି ଦେଇ ଦେଇ । କିନ୍ତୁ ଆଗେଇ ନ ଯାଇ ପୁଣି ପଛକୁ ଫେରିଲା ଉଷା ଖାନ୍ନା । କିନ୍ତୁ ହଜିଗଲେ ଯେପରି ବ୍ୟସ୍ତହୁଏ ମଣିଷ ସେଇପରି ଉଦବେଗ ପ୍ରକାଶର ଛଳନାକରି ଆସି ଛିଡ଼ାହେଲା ସବ୍ୟସାଚୀ ପାଖରେ ।

ସୁନୀତା ସହିତ କଥା ହେଉଥିଲା ସବ୍ୟସାଚୀ ।

–କ୍ଷମା କରିବେ ମିଷ୍ଟର ମହାପାତ୍ର । ମୋ ଗାଡ଼ିର ଚାବିଟା ବୋଧେ ପକାଇଦେଇଛି କେଉଁଠି ।

–ଆରେ ମୁସ୍କିଲ ଯେ ତା’ହେଲେ । ଆପଣ ଟିକିଏ ଅପେକ୍ଷା କରନ୍ତୁ । ମୁଁ ଯାଇ କଫି କର୍ଣ୍ଣର ଭିତରଟା ଦେଖିଦେଇ ଆସେ ।

କହୁଁ କହୁଁ ତ୍ୱରିତ ପଦରେ ଚାଲିଗଲା ସବ୍ୟସାଚୀ । କଫି କର୍ଣ୍ଣରରେ ବସିବା ସ୍ଥାନ ଭଲକରି ଦେଖିଲା କିନ୍ତୁ କିଛି ପାଇଲା ନାହିଁ । ପ୍ରାୟ ପାଞ୍ଚ ମିନିଟ ମଧ୍ୟରେ ଫେରିଆସି ଜଣାଇଲା–ବଡ଼ ଦୁଃଖିତ ମିସ୍‍ ଖାନ୍ନା । ପାଇଲିନି କିଛି ଏବଂ ତାପରେ ଅପରାଧୀ ପରି କହିପକେଇଲା–ଓଃ ! ବଡ଼ ଭୁଲ୍ ହୋଇଯାଇଛି । ଦୁଇଜଣଙ୍କୁ ପରସ୍ପର ସହିତ ପରିଚୟ କରାଇଦେଇ ପାରିନାହିଁ ।

–ଏ ହେଲେ ମିସ୍ ଉଷା ଖାନ୍ନା । ଆଉ ଇୟେ ସୁନୀତା ମିଶ୍ର ।

ଦୁହେଁ ଦୁହିଁଙ୍କୁ ନମସ୍କାର କଲେ । ଲକ୍ଷ୍ୟକଲା ସବ୍ୟସାଚୀ ଦୁହିଁଙ୍କର ଦୃଷ୍ଟିରେ ଅନ୍ୟକୁ ନିରୀକ୍ଷଣ କରିବାର ଅନ୍ତର୍ଭୋଗୀ ଦୃଷ୍ଟି ଅନ୍ୟ ସମ୍ପର୍କରେ ଜାଣିବାର ରହସ୍ୟମୟୀ ଅନୁସନ୍ଧିଚ୍ଛା ।

–ଆପଣଙ୍କୁ କେଉଁଠି ଦେଖିଛି କୁହନ୍ତୁ ତ ?

ସହଜ ଭାବରେ କହିଲା ସୁନୀତା ।

–ଦୁଃଖିତ ମୁଁ । ମନେକରିପାରୁନି । ବଡ଼ ବ୍ୟସ୍ତ ଅଛି । ସୁଯୋଗ ପାଇଲେ ଆଉ ଦିନେ ବରଂ ଗଳ୍ପ କରିବା ।

ତାକୁ ଉପେକ୍ଷା କରି ଆଉ ସେଠାରେ ଅପେକ୍ଷା ନକରି ଚାବି ଖୋଜିବାର ବାହାନା କରି ଆଗକୁ ଗଲା ଉଷା ।

ସେଇ ଅପ୍ରତ୍ୟାଶିତ ରୂଢ଼ତାରେ ସୁନୀତା ଏବଂ ସବ୍ୟସାଚୀ ରାସ୍ତାକଡ଼ର ସେଇ ସ୍ଥାନରେ ନିର୍ବେଦ ହୋଇ ଛିଡ଼ାହୋଇ ରହିଲେ କିଛିକ୍ଷଣ । ତା’ପରେ ଯେତେବେଳେ ରିକ୍‍ସା ଉପରକୁ ଉଠି ଅଗ୍ରସର ହବାପାଇଁ ନିର୍ଦ୍ଦେଶ ଦେଲା ସୁନୀତା ସବ୍ୟସାଚୀ କହିଲା–ଆରେ ଚାଲିଯାଉଛ ଯେ, ତୁମ ସହିତ ବହୁତ କଥା ଅଛି ଯେ ।

 

ଉତ୍ତର ଦେଲାନି ସୁନୀତା । ରିକ୍ସାବାଲା କ’ଣ ଭାବି ଛିଡ଼ାହୋଇରହିଲା ।

 

ବିରକ୍ତ ହୋଇ ଅସହିଷ୍ଣୁ ଭାବରେ କହିଲା ସୁନୀତା–ତୋ କାନକୁ ଶୁଭୁଛି କି ନାହିଁ । କହୁଛି ପରା ଆଗକୁ ଯିବାପାଇଁ ।

 

ରିକ୍ସାବାଲା ଉଠି ବସିଲା ରିକ୍ସା ଉପରକୁ । ସବ୍ୟସାଚୀ କ୍ଷଣକ ପାଇଁ ବିମୂଢ଼ ହୋଇ ଛିଡ଼ାହୋଇ ରହିଲା । ଏ କି ହେଲା ସୁନୀତାର ! ଯେଉଁ ତରୁଣୀ ଶିଷ୍ଟାଚାର ନରଖି କଥା କହେନା, ସେ ଅନାୟାସରେ କଟୁକି କରିପାରିଲା କାହିଁକି ଜାଣିବାପାଇଁ ଚେଷ୍ଟାକଲା ସେ ।

 

କିନ୍ତୁ ରିକ୍ସା ଚାଲିବା ପୂର୍ବରୁ ପୁନର୍ବାର କହିଲା ସେ ଟିକିଏ ରୁହନା ସୁନୀତା । ଅନେକ କଥା ଅଛି ଯେ... । ସେଦିନ ସିମିତି ତରତର ହୋଇ ଚାଲିଗଲ... କିଛି କଥା ହୋଇପାରିଲିନି ।

 

–କଥା କହିବା ପାଇଁ ତୁମର କ’ଣ ଲୋକର ଅଭାବ ଅଛି ଯେ, ଏଇ ରାସ୍ତା ମଝିରେ ମତେ କଥା କହିବା ପାଇଁ ଅନୁରୋଧ କରୁଛ !

 

ଆହୁରି କିଛି ହୁଏତ କହିଥାଆନ୍ତା ସୁନୀତା । କିନ୍ତୁ ରିକ୍ସା ଧୀରେ ଧୀରେ ଚାଲିବା ପାଇଁ ଆରମ୍ଭ କରିଥିଲା । ତା’ ଉତ୍ତର ଶୁଣି ହତବାକ ହୋଇଯାଇଥିଲା ସବ୍ୟସାଚୀ । ଲକ୍ଷ୍ୟକଲା ସେ ରିକ୍ସାରେ ଚାଲିଯାଉଥିବା ସୁନୀତାକୁ । ଲକ୍ଷ୍ୟକଲା ସେ ଆହୁରି କିଛି କହିବା ପାଇଁ ଚେଷ୍ଟା କରି କହିନପାରି ସୁନୀତାର ମୁହଁ କିପରି ଆତ୍ମସମ୍ବରଣ ରୁଜୁତାରେ କଠିନ ହୋଇଉଠିଛି ।

 

ସେ ଚାଲିଗଲା । କେଉଁଆଡ଼ୁ ଆସିଥିଲା ଏବଂ କେଉଁ ଆଡ଼କୁ ଗଲା ଜାଣିବାର କୌଣସି ସୁଯୋଗ ହେଲାନାହିଁ ସବ୍ୟସାଚୀର ।

 

ସେ ସେଇପରି ଛିଡ଼ାହୋଇ ରହିଲା ବତୀଖୁଣ୍ଟ ପାଖରେ । ମୁହଁରେ ଭାଷା ନଥିଲା, ନ ଥିଲା ଚକ୍ଷୁରେ ଦୃଷ୍ଟି । କେବଳ ମନର ଅନ୍ତରାଳରେ ଏକ ଆହତ ଆତ୍ମା ଶିହରିଉଠୁଥିଲା ବେଦନାରେ ।

 

ଏପରି କାହିଁକି ହେଲା ?

 

ବାରମ୍ବାର ମନକୁମନ ସେଇ ଗୋଟିଏ ପ୍ରଶ୍ନ ପଚାରିଲା ସବ୍ୟସାଚୀ । ଅନୁତ୍ତତାର ଅସହନୀୟ ଅନ୍ତର୍ଦ୍ୱନ୍ଦ୍ୱ ଆଘାତ କଲା ତାକୁ । ସୁନୀତାର ଆଚରଣ ମନେପଡ଼ିଲା । ଗୁଡ଼େଇ ତୁଡ଼େଇ ହେଇ ଅଭିମାନ ମୁଣ୍ଡଟେକିଲା ମନରେ । ଧୀରେ ଧୀରେ ସାଇକେଲଟିକୁ ନେଇ ଗୋପବନ୍ଧୁବାଗ ଭିତରେ ପ୍ରବେଶ କଲା ସେ ।

 

ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଯାଇଥିଲା । ନିଅନ ଆଲୋକରେ ଉଦ୍ଭାସିତ ଉଦ୍ୟାନ ଝଲମଲ କରୁଥିଲା । ଲୋକ ଅଳ୍ପ ଥିଲେ ସେଠାରେ । ସାଇକେଲ ରଖି କିଛି ସମୟ ବୁଲିଲା ଉଦ୍ୟାନ ମଧ୍ୟରେ । ତା’ପରେ ଯେଉଁଠାରେ ସୁନୀତା ସହିତ ବହୁବାର ବସିଥିଲା ଅତୀତରେ ଜଳକୁଣ୍ଡ ସନ୍ନିକଟବର୍ତ୍ତୀ ସେଇ ମାରବଲ ବେଞ୍ଚଟି ଉପରେ ଥକ୍କାହୋଇ ବସିପଡ଼ିଲା ଯାଇ ।

 

ବେଦନାର୍ତ୍ତ ହୃଦୟ ଭିତରେ କିଏ ଯେପରି ଗୁମୁରି ରୋଦନ କରୁଥିଲା । କିନ୍ତୁ କାନ୍ଦିପାରିଲାନି ଉଦ୍‍ଗତ କୋହକୁ ବରମ୍ବାର ଚାପି ରଖିବାର ଚେଷ୍ଟା କରି; କେବଳ ଏକ ନିଷ୍ପାପ ଏବଂ ଦ୍ୱିଧାହୀନ ଅନ୍ତରର ଅନନ୍ତ ଆଶା ନେଇ ଅନୁରାଗର ଅଞ୍ଜନ ବୋଳା ଆଖିରେ ଅନାଇ ରହିଲା ସବ୍ୟସାଚୀ ।

 

ସେଦିନ ତାକୁ ରାସ୍ତାଉପରେ ଛାଡ଼ିଦେଇ ଅନ୍ୟଜଣକ ସାଙ୍ଗରେ ନିର୍ଦ୍ୱନ୍ଦ୍ୱରେ ଚାଲିଯାଇପାରିଲା ସେ ।

 

ଆଉ ଆଜି ତା’ର ଆବେଦନ ସତ୍ତ୍ୱେ ମୁହୂର୍ତ୍ତେ ଅପେକ୍ଷା ନକରି ଚାଲିଯାଇ ତାକୁ ଭୁଲ୍ ବୁଝିଲା ସୁନୀତା ।

 

କାହିଁ ସେ ତ ଭୁଲ୍ ବୁଝିନଥିଲା ତାକୁ ସେଦିନ । ଅଥଚ ଆଜି... ।

 

ସୁନୀତା ତା’ ପାଖରେ କ୍ରମଶଃ ଅବୋଧ୍ୟ ହୋଇଉଠୁଥିଲା ।

 

ଅବୋଧ୍ୟ ଅଗ୍ନିଦାହ ତାକୁ ବାରମ୍ବାର ବେଦନାର୍ତ୍ତ କରି କହିଗଲା କାନେ କାନେ–ଭଲପାଇବାର ପଥ ବଡ଼ ପିଚ୍ଛିଳ; ଭୁଲ୍ କଲେ ପଡ଼ିଯିବାକୁ ହୁଏ ।

 

ସେ କି ଭୁଲ୍ କଲା ତା’ହେଲା ।

 

ସତର

 

‘କଳିଙ୍ଗ କନ୍ୟା’ ମଞ୍ଚସ୍ଥ ହେଲା ସମାଜ କଲ୍ୟାଣ ପରିଷଦର ବାର୍ଷିକ ଉତ୍ସବରେ । ବିପୁଳ ଉତ୍ସାହ ଏବଂ ଉନ୍ମାଦନା ମଧ୍ୟରେ ଅନୁଷ୍ଠିତ ହେଲା ଉତ୍ସବ । ପ୍ରଦର୍ଶନୀ, ଆନନ୍ଦ ମେଳା, ନୃତ୍ୟ, ଗୀତା ଓ ନାଟକ । ଉତ୍ସବକୁ ସର୍ବାଙ୍ଗ ସୁନ୍ଦର କରିବାପାଇଁ ତ୍ରୁଟି କରିନଥିଲା କର୍ତ୍ତୃପକ୍ଷ । ବନ୍ୟା ପରି ଅର୍ଥ ବୁହାଇ ଦେଇଥିଲେ ହିମାଂଶୁ । ତାଙ୍କ ସମ୍ମାନରେ ଆଞ୍ଚ ଆସୁ–ଏହା ସେ ସହ୍ୟ କରିପାରିବେନି-

 

ଆନନ୍ଦ କୋଳାହଳ ମଧ୍ୟରେ ଉତ୍ସବ ସମାପ୍ତ ହେଲା । ଶେଷ ହୋଇଗଲା ଚିତ୍ତ ବିନୋଦର ବିପୁଳ ବ୍ୟବସ୍ଥା ।

 

କିନ୍ତୁ ଶେଷ ହେଲାନି ସୁନୀତାର ଚିନ୍ତା । ସେ ଭାବିଚାଲିଲା ଆକାଶ ପାତାଳ, ଅନ୍ତରୀକ୍ଷ-। ସବୁଠାରେ ଉଡ଼ିବୁଲିଲା ତା’ର ମନ ପକ୍ଷୀ । କେଉଁଠି ଟିକିଏ ଶାନ୍ତି, ଟିକିଏ ନିର୍ଭୟ ଆଶ୍ରୟ ପାଇଲାନି ସେ । ମରିଚିକା ପରି ମନରେ ଭାସିବୁଲିଲା ନିର୍ଭୟ, ଆଶ୍ୱାଦପୂର୍ଣ୍ଣ ସଂସାରର ସ୍ୱପ୍ନ-

 

ସବ୍ୟସାଚୀ ଆସିନଥିଲା ନାଟକ ବା ପ୍ରଦର୍ଶନୀ ଦେଖିବାପାଇଁ ।

 

କିପରି ଆସନ୍ତା । ତାକୁ କି ହୃଦୟର ଉତ୍ତାପ ଓ ଆକୁଳତା ଦେଇ ଡାକିଥିଲା ସୁନୀତା ! ଅନ୍ତରର ଅନୁରାଗ ଦେଇ ଆଉ ଥରେ ବଳେଇଥିଲା ଆସିବା ପାଇଁ । ଭାବୁ ଭାବୁ ଭାବନାର ମହୋଦଧିରେ ହଜିଯାଏ ସେ । ଫାଙ୍କା ହୋଇଯାଏ ତା’ର ମନ । ଭାରିହୋଇଯାଏ ମଥା ।

କିନ୍ତୁ କାହିଁକି ଏପରି ହେଲା ? କାହିଁକି ତା’ର ଭୁଲ୍ ସଂଶୋଧନ କରିଦେଲା ନାହିଁ ସବ୍ୟସାଚୀ । ଅଭିମାନରେ ଯଦି ଆଘାତ କରିଥାଏ ସେ, କାହିଁକି ଅଭିମାନ ଅନ୍ତର କରିବା ପାଇଁ ପ୍ରୟାସ କଲା ନାହିଁ ସେ । ତା’ର ବିପୁଳ ଅପେକ୍ଷାର ଆବେଗମୟ ମୁହୂର୍ତ୍ତରେ, ସମର୍ପଣ ପୂର୍ବରୁ ନିଜକୁ ଦେଖାଇବାର ଅଶେଷ ଉଦ୍ଦୀପନାରେ; ବେଦନାର କ୍ଳାନ୍ତ ଶୀତଳ ରେଖା ଟାଣି ମନକୁ ହାହାକାର ମଧ୍ୟରେ କାନ୍ଦିବା ପାଇଁ ଛାଡ଼ିଦେଇଗଲା । ସବ୍ୟସାଚୀ ଜୋର କରି କାହିଁକି ଟାଣିନେଲା ନାହିଁ ତାକୁ । କାହିଁକି ବୁଝିଲା ନାହିଁ ତା’ର ମର୍ମଦାହ ।

ଭାବୁ ଭାବୁ ଆଖି କୋଣର ଦୁଇ ବିନ୍ଦୁ ଲୁହ ପଣତରେ ପୋଛିନେଲା ସୁନୀତା ।

କାହିଁକି ଏପରି ହେଲା ?

ମନେପଡ଼ିଲା ସୁନୀତାର । ସେଦିନ ରାସ୍ତାରେ ଯାଉଥିବାବେଳେ ନଜର ପଡ଼ିଥିଲା ସବ୍ୟସାଚୀ ସହିତ ଉଷା ଖାନ୍ନାର ସାନିଧ୍ୟ ।

ଉଷା ଏଠାରେ ମଧ୍ୟ ପ୍ରତିଯୋଗିତାରେ ଛିଡ଼ାହୋଇଛି ତା’ ସହିତ !

ଭାବନାର ଖିଅ ହଜିଯାଏ ସୁନୀତାର । ହିଂସା ହୁଏ ମନରେ । ଅଭିମାନ ଭରିଯାଏ ଅନ୍ତରରେ । କେବଳ କର୍ମକ୍ଷେତ୍ରରେ ଉଷା ତାକୁ ପରାସ୍ତ କରିନି, ତା’ ହୃଦୟର ଗୋପନତମ ସ୍ଥାନରେ ସଯତ୍ନ ସଂରକ୍ଷିତ ରତ୍ନକୁ ଅପହରଣ କରିନବା ପାଇଁ ମଧ୍ୟ ଉଦ୍ୟମ କରୁଛି । ସବ୍ୟସାଚୀର ଚାରିପାଖରେ ଭଲପାଇବାର ଦୁର୍ଭେଦ୍ୟ ବ୍ୟୁହ ଭେଦ କରି ଭିତରକୁ ଯିବାପାଇଁ ଛିଦ୍ର ଖୋଜୁ ଖୋଜୁ ହୁଏତ ପ୍ରଶସ୍ତ ପଥର ସନ୍ଧାନ ପାଇଛି ସେ ।

ଅନୁରାଗର ଅର୍ଗଳଦେଇ ଯାହାଙ୍କୁ ଶ୍ୱେନ ଚକ୍ଷୁର ଅନ୍ତରାଳରେ ନିଭୃତ ହୃଦୟରେ ଲୁଚାଇ ରଖିଥିଲା ସେ, ସେଇ କକ୍ଷ ଭିତରେ ଅନ୍ଧକାର ପଥ ଦେଇ ପ୍ରବେଶ କରିଛି ଉଷା – ଯାହା ତା’ର ନିଜସ୍ୱ, ଏକାନ୍ତ ଆପଣାର ତାହା ଲୁଟିନବା ପାଇଁ ।

ନା, ନା, ନା । ତା’ ହୋଇପାରେନା । ତାହା କରାଇଦବା ନାହିଁ । ତାହା ସହିପାରିବ ନାହିଁ ସେ ।

ମନେ ମନେ ଚିତ୍କାର କରୁ କରୁ ଅଧର ଦୁଇଟି ଥରିଉଠିଲା ତା’ର । ଉତ୍ତେଜନାର ସ୍ୱେଦ ବିନ୍ଦୁ ଦେଖାଗଲା କପାଳ ଉପରେ ।

ନା, ସେ ପରାଜୟ ମାନିନବନି ଉଷା ପାଖରେ । ପ୍ରଥମ ପରାଜୟରେ ଗ୍ଳାନି ଅନୁଭବ କରିନି । ବରଂ ଚାଲିବାର ସ୍ୱାଦ ନେଇ, ସଂଗ୍ରାମ କରିବାର ସମ୍ଭାର ନେଇ ଆଗକୁ ଯିବାପାଇଁ ଅଭିଜ୍ଞତା ସଞ୍ଚୟ କରିଥିଲା ସୁନୀତା ।

କିନ୍ତୁ ସମସ୍ତ ଆଶା ଏବଂ କଳ୍ପନାକୁ ବ୍ୟର୍ଥ କରିଦବା ପାଇଁ, ତା’ ସାମ୍ନାର ସବୁଜ ପଥଉପରେ ହଠାତ୍ ଅରଣ୍ୟର ଶ୍ୱାପଦ ହୋଇ ଛିଡ଼ାହେଲା ଉଷା ।

କେବଳ ସେତିକି ନୁହେଁ । କଫି କର୍ଣ୍ଣରର ଅନ୍ତରଙ୍ଗତା, ଏକାନ୍ତ ସାନିଧ୍ୟ, ସବ୍ୟସାଚୀ ସହିତ ତା’ର ସହଜ, ସରସ, ସମ୍ଭାବନାପୂର୍ଣ୍ଣ ସମ୍ପର୍କକୁ ତା’ ଆଗରେ ପ୍ରମାଣିତ କରିବାପାଇଁ ଚାବି ଖୋଜିବାପାଇଁ । ସେମାନଙ୍କ ଆଳାପର ପ୍ରଥମ ସଂଳାପ ଆରମ୍ଭ ହେବା ପୂର୍ବରୁ ପ୍ରାୟ ଜୋରକରି ସବ୍ୟସାଚୀକୁ ଛଡ଼ାଇ ନବାପାଇଁ ଚାହେଁ ସେ ।

 

ଯେତିକି ଭାବିଲା ସେତିକି ମନେ ମନେ ବିଦ୍ରୋହୀ ହୋଇଉଠିଲା ଉଷା ବିରୁଦ୍ଧରେ । ପୁଷ୍ପିତ ପ୍ରେମର ପ୍ରଥମ ପରାଜୟରେ ଏକ ଅକଳ୍ପନୀୟ ଅସହିଷ୍ଣୁତାରେ ଅବଲୋକନ କଲା ସୁନୀତା ତା’ର ହୃଦୟର ମଧୁକୋଷରେ ବିଦ୍ୱେଷ ଏବଂ ହିଂସାର ସ୍ଫୁଲିଙ୍ଗ ।

 

ନିର୍ବାକ୍ ନିଶ୍ଚଳ ହୋଇ ଅକଳ୍ପିତ ଅବସ୍ଥାକୁ କଳନା କରିବାପାଇଁ ଚେଷ୍ଟାକଲା । କିନ୍ତୁ ନିର୍ଯାତନାର ନିଃସନ୍ଦେହ ବେଦନାରେ ହାହାକାର କରିଉଠିଲା ହୃଦୟ ।

 

–ନା, ନା । ତା’ ହୋଇପାରେନା । ତା’ ହୋଇପାରେନା ।

 

କହୁଁ କହୁଁ ଭିତରର କୋହ ଅବାରିତ ବାରିଧାରା ପରି ଶତଧାରରେ ବହିଆସିଲା ଆଖିରୁ ।

 

କାନ୍ଦୁଥିଲା ସୁନୀତା ।

 

କବାଟରେ କିଏ ମୃଦୁ ଆଘାତ କଲା । ଉଠିବାର ଇଚ୍ଛାନଥିଲେ ମଧ୍ୟ ମୁହଁ ଧୋଇ ମୁଣ୍ଡର ବାଳଗୁଡ଼ିକୁ ସଜାଡ଼ିନେଇ କବାଟ ଖୋଲିଦେଇ ଯାହାକୁ ଦେଖିଲା ସେଥିରେ ବିସ୍ମିତ ନହୋଇ ରହିପାରିଲାନି ସେ ।

 

ସାମ୍ନାରେ ଦିବାଲୋକ ପରି ଉଭା ହୋଇଥିଲେ ହିମାଂଶୁ ।

 

କଟକର ଭୂତପୂର୍ବ ଜମିଦାର । ସହରର ବଦାନ୍ୟ ଏବଂ ବରେଣ୍ୟ ଦେଶସେବକ, ପ୍ରଗତିବାଦୀ ଶିଳ୍ପପତି ଶ୍ରୀ ହିମାଂଶୁ ପଟ୍ଟନାୟକ ସ୍ୱୟଂ ଛିଡ଼ାହୋଇଥିଲେ ସୁନୀତାର କ୍ଷୁଦ୍ର ପ୍ରକୋଷ୍ଠର ଦ୍ୱାର ଦେଶରେ । ତାଙ୍କ ପାଖରେ ଛାତ୍ରୀ ନିବାସର ରକ୍ଷିକା ।

 

ରକ୍ଷିକାକୁ ବିଦାୟଦେଇ ସ୍ୱାଭାବିକ ସ୍ୱରରେ କହିଲେ ହିମାଂଶୁ ମୁଁ ତୁମକୁ ନିଜେ ମୋର ଶ୍ରଦ୍ଧା ଏବଂ ଅଭିନନ୍ଦନ ଜଣାଇବା ପାଇଁ ଆସିଛି ସୁନୀତା ।

 

ନିର୍ବାକ, ନିଶ୍ଚଳ ସୁନୀତା ଟିକିଏ ସଜାଗ ହୋଇଉଠିଲା । ତା’ର ଭାଷା ନଥିଲା ପ୍ରତ୍ୟୁତ୍ତର ଦବାପାଇଁ । କେତେବେଳୁ ଶୁଖିଯାଇଥିଲା ତଣ୍ଟି ସେ ନିଜେ ବି ଜାଣିପାରିନି । ଅଧର ଦୁଇଟି ହଲିଗଲା କିଛି କହିବାର ପାଇଁ । କିନ୍ତୁ କିଛି କହିପାରିଲା ନାହିଁ ।

 

–ଆପତ୍ତି ନ ଥିଲେ ଭିତରକୁ ଆସିପାରେ କି ?

 

ନିଜେ କହିଲେ ହିମାଂଶୁ ।

 

–ଆସନ୍ତୁ ।

 

ବହୁ କଷ୍ଟରେ ନିଃସଙ୍ଗତାର ସଶଙ୍କ ଚିତ୍ତରେ ଉତ୍ତରଦେଲା ସେ ।

 

ହିମାଂଶୁ ବସିଲେ ଆସି ଚୌକିରେ ।

 

ସୁନୀତାର ପ୍ରକୋଷ୍ଠ ଭିତରେ ଏହାହିଁ ପୁରୁଷର ପ୍ରଥମ ପଦାର୍ପଣ । ଉତ୍ତେଜନାରେ କି ଭୟରେ ଭାବିପାରିଲା ନାହିଁ । ସର୍ବାଙ୍ଗ ତା’ର ଝାଳେଇ ଯାଇଥିଲା । ଭିତରର ଆଶ୍ୱସ୍ତି ପ୍ରକାଶ କରିବା ଶିଷ୍ଟାଚାର ବିରୁଦ୍ଧ । ସେ ଶିଖିଛି ନିଜକୁ ସହଜ ସରଳ ବ୍ୟବହାର ଦ୍ୱାରା ଅନ୍ୟର ମୁକାବିଲା କରିବାପାଇଁ । ଭୟ ହେଉ, ଉତ୍ତେଜନା ହେଉ ବା ଦୁଇର ସମ୍ମିଶ୍ରଣରେ ଯାହାହେଉ ନା କାହିଁକି, ସେଥିରେ ସେ କ୍ଷଣିକ ପାଇଁ ଦବିଗଲା ସିନା, ହଜିଗଲା ନାହିଁ ନିଜକୁ ଅସହାୟତାର ଅସହନୀୟ ସ୍ଥିତି ମଧ୍ୟରୁ ଓଟାରିଆଣିଲା ସ୍ୱାଭାବିକ ଅବସ୍ଥାକୁ ।

 

ସେ କିଛି କହିବା ପୂର୍ବରୁ କହିଲେ ହିମାଂଶୁ ।

 

–ତୁମର ଅଭିନୟ ଦେଖି କେବଳ ମୁଁ ନୁହେଁ ସମସ୍ତେ ମୁକ୍ତ କଣ୍ଠରେ ପ୍ରଶଂସା କରିଛନ୍ତି । ସେଇଥିପାଇଁ ଅନୁଷ୍ଠାନ ତରଫରୁ ଶ୍ରଦ୍ଧା ଏବଂ ଅଭିନନ୍ଦନ ଜଣାଇବା ପାଇଁ ଆସିଛି ମୁଁ ।

 

କଥା କହିବାର କାଏଦା ଜାଣନ୍ତି ହିମାଂଶୁ । ପ୍ରତିଟି ଶବ୍ଦ ସ୍ପର୍ଶକାତରତାରେ ପୂର୍ଣ୍ଣ । ଅପ୍ରତ୍ୟାଶିତ ସ୍ଥାନରୁ ଆସିଲା ଏଇ ଅଯାଚିତ ପ୍ରଶଂସା । ଯାହା ତୁଣ୍ଡରୁ ଏଇ ପ୍ରଶଂସା ଶୁଣିଥିଲେ କୃତକୃତ୍ୟ ହୋଇ ଜୀବନକୁ ସୁରାର ସୁରଭିରେ ମତୁଆଲା କରିଥାଆନ୍ତା, ସେ ଆସିଲା ନାହଁ, ଦେଖିଲା ନାହିଁ । ଯାହାଠାରୁ ସର୍ବାପେକ୍ଷା ଅଧିକ ପ୍ରତ୍ୟାଶା କରୁଥିଲା, ତାହାଦ୍ୱାରା ସର୍ବାପେକ୍ଷା ନିଷ୍ଠୁର ଭାବରେ ପ୍ରତ୍ୟାଖ୍ୟାତ ହେଲା ସେ ।

 

ଅନ୍ୟମନସ୍କ ହୋଇ ପଡ଼ୁ ପଡ଼ୁ ଆତ୍ମସ୍ଥ ହେଲା ପୁଣି । ଆତ୍ମଚେତନା ଆତ୍ମବିଶ୍ୱାସ ହିଁ ତା’ର ଏକମାତ୍ର ସମ୍ବଳ । ସେଇ ସମ୍ବଳର ସଦୁପଯୋଗ କରିବାପାଇଁ ମୁହଁଉପରେ ସ୍ୱାଭାବିକ ଲଜ୍ୟାରୁଣ ଫଟାଇ ସଂକ୍ଷେପ ଅଥଚ ସୁନ୍ଦର ଭାବରେ କହିଲା ସେ–ଆପଣଙ୍କୁ ଏବଂ ଆପଣଙ୍କ ଜରିଆରେ ଅନ୍ୟମାନଙ୍କୁ ଅଶେଷ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଉଛି । ଆପଣ ନିଜେ ଏକଥା କହିବା ପାଇଁ ଆସିବେ ଆଶା କରିନଥିଲି ।

 

ହିମାଂଶୁ ମୁଗ୍ଧ ହେଲେ ତା’ କଥାର ସରଳତାରେ ।

 

–ସମସ୍ତେ କ’ଣ କହନ୍ତି ଜାଣ । ଏତେ ବଡ଼ ପ୍ରତିଭାକୁ ଏପରି ଭାବରେ ଲୁଚାଇ ରଖିବା କେବଳ ଯେ, ଅବିଚାର ତାହା ନୁହେଁ, ଅକ୍ଷମଣୀୟ ଅପରାଧ ।

 

ଆତ୍ମ ପ୍ରଶଂସା ଶୁଣିବାରେ ଅନଭ୍ୟସ୍ତ ସୁନୀତା; ଏଥର ପ୍ରକୃତରେ ଲଜ୍ୟା ଅନୁଭବ କଲା-। କାନ ଏବଂ କପାଳ, ଚିବୁକ ଏବଂ ଚିକୁର ଉପରେ ଉକୁଟି ଉଠିଲା ଲଜ୍ୟାର ସ୍ନିଗ୍ଧ ସୁନ୍ଦର ଅରୁଣିମା-

 

ସେ ପ୍ରକୃତରେ ସୁନ୍ଦର ଦିଶୁଥିଲା । ତା’ର ସେଇ ରୂପରେ ଲାସ୍ୟ ଅପେକ୍ଷା ଲାବଣ୍ୟ ଥିଲା ଅଧିକ । ସେ ଅନ୍ୟକୁ ମାଦକତା ଦେଇ ମତୁଆଲା ନ କରି ସୁଷମା ଢାଳି ମୋହିତ କରିଥିଲା-। ଅଭିଭୂତ ହୋଇପଡ଼ିଲେ ହିମାଂଶୁ । କିନ୍ତୁ ସେ କିଛି କହିବା ପୂର୍ବରୁ ମୁହଁ ତଳକୁ ପୋତି କହିଲା ନିରୁତ୍ତାପ କଣ୍ଠରେ–ଏ ପ୍ରଶଂସା ଅତିଶୟୋକ୍ତି । ଏହାର ଯୋଗ୍ୟା ନୁହେଁ ମୁଁ ।

 

–ଏ ତୁମର ବିନୟ । କିନ୍ତୁ ପ୍ରକୃତରେ ଏହାର ପ୍ରତ୍ୟେକ ଶବ୍ଦଟି ସତ୍ୟ ।

 

ଏଇ ପରିସ୍ଥିତି ଆଶ୍ୱସ୍ତିକର । ସେଇଥିରୁ ମୁକ୍ତ ହବାପାଇଁ ଉଦ୍ୟମ କରୁଥିଲା ସେ ।

 

ହିମାଂଶୁ ଛିଡ଼ାହେଲେ । ସେ କିଛି କହିବା ପୂର୍ବରୁ କହିଲେ–ବ୍ୟସ୍ତ ହୁଅନା ।

 

ମୁଁ ଯାଉଛି ବିଶେଷ କାମରେ, ପରେ ଦେଖାହେବ ଯେ !

 

ବାହାରକୁ ପାଦ ବଢ଼ାଇଲେ ସେ । ହାତଯୋଡ଼ି ତାକୁ ନମସ୍କାର କଲା ସୁନୀତା । ପ୍ରତି ନମସ୍କାର କରି ଅବନତ ମନର କମ୍ପନ ଜଣାଇ କହିଲେ–ଫେର୍ ଦେଖାହେବ ।

 

ଅନ୍ତର ହୋଇଗଲେ ଦୃଷ୍ଟିରୁ । କିନ୍ତୁ ଅଦୃଷ୍ଟ ଜଗତରେ ତାଙ୍କ ଯିବାଆସିବାର ପଦଧ୍ୱନି ବହୁ ସମୟ ପର୍ଯ୍ୟନ୍ତ ଅନ୍ତର୍ନିହିତ ହେଲାନାହିଁ ।

 

ତାଙ୍କ ପ୍ରତ୍ୟାଗମନ ପରେ ପ୍ରତ୍ୟାଶାରେ ନୁହେଁ, ହତାଶାର ହିମଶୀତଳ ସ୍ପର୍ଶରେ ଦେହ ମନ ତା’ର ନିଶ୍ଚେଷ୍ଟ ହୋଇଆସିଲା । ମନେହେଲା ଯେପରି ବହୁଦିନର ବିପୁଳ ପଥଶ୍ରମ ଦ୍ୱାରା ସେ କ୍ଳାନ୍ତ ଏବଂ ଶ୍ରାନ୍ତ ।

 

କମ୍‍ ପଥ ତ ଚାଲିନି ସେ । ବାରିପଦାର ବଳଙ୍ଗ କୂଳରୁ କଟକର କାଠଯୋଡ଼ୀ କୂଳ ପର୍ଯ୍ୟନ୍ତ । ଭାଇ ଭାଉଜର ସଂସାରଠାରୁ ନାରୀ ସୁଧାର ସମାଜର ଶିକ୍ଷିକା ନିବାସ ପର୍ଯ୍ୟନ୍ତ ଏବଂ ଅନୂଢ଼ା ଜୀବନର ନିକାଞ୍ଚନତାଠାରୁ ଅଭିସାରିକାର ଐଶ୍ୱର୍ଯ୍ୟମୟ ଅନୁଭୂତି ପର୍ଯ୍ୟନ୍ତ ଯେଉଁ ଟିକକ ଚାଲିଆସିଛି ସେ ନିଃଶଙ୍କ ଏବଂ ନିରୁଦବେଗ ଚିତ୍ତରେ; ସେଥିରେ କ’ଣ କମ୍ ଅଭିଜ୍ଞତା, କମ୍ ଅନୁଭୂତି ପାଇଛି ସେ । ଆଉ ଚାଲିବାପାଇଁ ବଳପାଉନି ତା’ର । ଥରେ ଥରେ କ୍ଳାନ୍ତ ହୋଇପଡ଼ୁଛି ।

 

ସେ ହାରିଯାଇ ନାହିଁ । ହାରିଯିବ ନାହିଁ । ଉଷାଖାନ୍ନା ତା’ର ତାରୁଣ୍ୟର ମହକରେ ପ୍ରଥମ ପୁଷ୍ପ କଳିଟି ଫୁଟିବା ପୂର୍ବରୁ ତାକୁ ଆଲୋକର ଅପର୍ଯ୍ୟାପ୍ତ ସମ୍ଭାବନା ମଧ୍ୟରୁ ଅପହରଣ କରିନବା ପାଇଁ ଆପ୍ରାଣ ଉଦ୍ୟମ କରିଛି ।

 

ଅନ୍ତରରେ ଅସୀମ ବେଦନା । ଅନ୍ତର୍ଦ୍ୱନ୍ଦ୍ୱର ଆଘାତରେ କ୍ଷତବିକ୍ଷତ । ସେ କି ଜାଣିଥିଲା ତା’ର ଅଜ୍ଞାତରେ ଅଦୃଷ୍ଟ ଲେଖି ଚାଲିଥିଲା ତା’ର ଭାଗ୍ୟଲିପି ।

 

ଛାତି ଭିତରେ ଅଗ୍ନିଦାହ ଦଗ୍ଧ କରୁଥିଲା ତାକୁ । ସେଇ ସହ୍ୟାତୀତ ଯନ୍ତ୍ରଣାରୁ ମୁକ୍ତି ପାଇବାପାଇଁ ତକିଆ ଉପରେ ମୁହଁମାଡ଼ି ଗୁମୁରି ଗୁମୁରି କାନ୍ଦିଉଠିଲା ସୁନୀତା ।

 

ସେଇ ଅଶ୍ରୁର ପ୍ଳାବନରେ ଝରୁଥିଲା ଏକ ଅରକ୍ଷିତା, ଅନୁତା ଅନ୍ତରର ଅଶେଷ ଅନ୍ତର୍ଦାହ । ସେଇଥିରେ କୋହର ଲହରି ଭାଙ୍ଗି ମାଡ଼ିଆସୁଥିଲା ସାତ ସାଗରର ଜଳ ।

 

ଅପା....

 

ବାହାରେ ଡାକୁଛି କିଏ । କିନ୍ତୁ ଉଠିବାର ଉଦ୍ୟମ କଲାନାହିଁ ସେ, ଶୋଇ ଶୋଇ ଆଖିର ଅବାରିତ ଅଶ୍ରୁଧାର ଭାସି ଯିବାପାଇଁ ମେଲାଇ ଧରିଲା ନିଜକୁ ।

 

–ଅପା...

 

ପୁଣି କିଏ ଡାକୁଛି ।

 

–ଅପା କବାଟ ଖୋଲ...

 

ଏଥର ସ୍ୱର ସୁସ୍ପଷ୍ଟ । ଇଙ୍ଗୀତା ଡାକୁଛି ।

 

–କବାଟ ଖୋଲ ଅପା ।

 

ଯେଉଁ କବାଟ ବନ୍ଦ ହୋଇଗଲା ଆଖିସାମ୍ନାରେ ସେ କବାଟ ଆଉ ଖୋଲିବ କେବେ ? ତେବେ କାହିଁକି ସେ ଖୋଲିବ କବାଟ ।

 

–ଜଲଦି ଖୋଲ ଅପା । ଚିଠି ଅଛି ଯେ ।

 

ଚିଠି...ଚିଠି...ଚିଠି

 

କିଏ ଦେଇଛି ଚିଠି । ଦୁଇଦିନ ଆଗରୁ ତ ଭାଇ ଭାଉଜ ଚିଠି ଦେଇଥିଲେ । ସଂସାରରେ କିଏ ଆଉ ଶୁଭାକାଙ୍‍କ୍ଷୀ ଅଛି ଯେ, କୁଶଳ ଜିଜ୍ଞାସା କରି ଚିଠି ଲେଖିଥିବ । କିନ୍ତୁ ଆଉ ଶୋଇ ରହିପାରିଲା ନାହିଁ । ଉଠି ବସି ମୁହଁ ଧୋଇ ବାଳଗୁଡ଼ାକ ଉପରେ ପାନିଆ ବୁଲାଇନେଲା ଆଉ ଥରେ । ଦର୍ପଣ ସାମ୍ନାରେ ଦେଖିନେଲା ମୁହଁଟି । ଖୁବ୍‍ ଶୁଖିଲା ଦିଶୁଛି ।

 

କବାଟ ଖୋଲିଦେଲା !

 

ଇଙ୍ଗୀତା ତା’ର ରୂପ ଦେଖି ଭୂତ ଦେଖିଲେ ମଣିଷ ଯିମିତ ଚିହିଁକିଉଠେ ସେଇପରି ଆଶ୍ଚର୍ଯ୍ୟ ଚକିତ ହୋଇ ଶଙ୍କିତ ସ୍ୱରରେ ପଚାରିଲା–ଦେହ ଭଲନାହିଁ କି ଅପା ?

 

ଉତ୍ତର ଦେଲାନି ମୀତା । ହାତ ବଢ଼ାଇଲା ଚିଠିଟି ନବା ପାଇଁ ।

 

ଚିଠିଟିକୁ ଏପାଖ ସେପାଖ କରି ଭଲ କରି ଦେଖିଲା । ଉପରେ କେବଳ ତା’ର ଠିକଣା-। ଅକ୍ଷର ଚିହ୍ନା । ସବ୍ୟସାଚୀର । ଥରିଉଠିଲା ଛାତି ତଳ । କମ୍ପିଉଠିଲା ଦେହ । କାହିଁକି ଚିଠି ଲେଖିଛି ସେ । ଅଜଣା ଭୟର ଏକ ଅବିଶ୍ୱାସ୍ୟ ବିହଲତା ତାକୁ ଗ୍ରାସ କରିବା ପାଇଁ ଆରମ୍ଭ କରିଥିଲା ସେତେବେଳକୁ ।

 

ଚିଠିଉପରେ ପୋଷ୍ଟ ଅଫିସର ମୋହର ସୁସ୍ପଷ୍ଟ । କଟକ ଜି.ପି.ଓ । ବଡ଼ ପୋଷ୍ଟ ଅଫିସରେ ଚିଠିଉପରେ ଛାପି ମରାହୋଇଛି ସକାଳ ସାତଟାରେ ।

 

ହୃଦୟର ସ୍ପନ୍ଦନ ଦୃଢ଼ତର ହେଲା । ତଣ୍ଟି ଶୁଖିଆସିଲା । ଦେହଟା ଥର ଥର କରି କମ୍ପିଉଠିଲା । ଏକ ଅବ୍ୟକ୍ତ ଅନୁଭବ ଭିତରେ କମ୍ପିତ ଦୀପଶିଖା ପରି ଖଟଉପରେ କଚାଡି ହୋଇପଡ଼ିଲା ସୁନୀତା ।

 

ତା’ର ଦେହ ମୁହଁ ଉପରେ ପଙ୍ଖା କରି ମୁହଁଉପରେ ପାଣି ଛିଞ୍ଚିଲା ଇଙ୍ଗୀତା । କୋଳ ଉପରକୁ ମିତାକୁ ଆଉଜାଇ ନେଇ ଭଗ୍ନିର ସ୍ନେହ ଦେଇ ଚାହିଁ ରହିଲା ସେ ।

 

ପ୍ରାୟ ପାଞ୍ଚ ମିନିଟ ପରେ ସମ୍ୱିତ ଫେରିପାଇ ଯୋର କରି ଉଠି ବସି ଅପଢ଼ା ଚିଠିଟିକୁ ଟିକି ଟିକି କରି ଚିରି ଫୋପାଡ଼ିଦେଲା ସୁନୀତା । ଅପଢ଼ା ଚିଠିର ଅବଗୁଣ୍ଠନ ତଳେ ଲୁଚିଗଲା ତା’ର ପ୍ରତିଲିପି, ନିଭିଗଲା ତା’ର ସନ୍ଦେଶ ।

 

ଆଶ୍ଚର୍ଯ୍ୟ ଚକିତ ହୋଇ ହତବାକ୍ ଇଙ୍ଗୀତା କେବଳ ଛିଡ଼ା ହୋଇ ରହିଲା । ଯେପରି ବେଗରେ ଚିଠି ଚିରି ଫୋପାଡ଼ିଦେଲା ମିତା, ସେଇପରି କ୍ଷଣକ ମଧ୍ୟରେ ନିଜକୁ ସ୍ୱୟଂବୃତ କରିବାର ଚେଷ୍ଟା କରି ନିରୁତ୍ତାପ କଣ୍ଠରେ କହିଲା ସେ–ତା ପରେ କିପରି ଅଛୁ ଇଙ୍ଗୀତା ।

 

କିଛି ନ କହି କବାଟକୁ ଭିତରପଟୁ ଭଲଭାବରେ ବନ୍ଦକରି ଶିକୁଳି ଲଗାଇଦେଲା ଇଙ୍ଗୀତା । ତା’ପରେ ଛିନ୍‍ଭିନ୍ ହୋଇ ଚଟାଣ ଉପରେ ପଡ଼ିଥିବା ଚିଠି ଛିଡ଼ା କାଗଜଗୁଡ଼ିକୁ ଗୋଟାଇ ରଖିବାପାଇଁ ଚେଷ୍ଟାକଲା ସେ । ବାଧାଦେଲାନି ସୁନୀତା ।

 

ଚିଠି ଯୋଡ଼ା ଶେଷ ହେବା ପରେ ଧୀର ପଦକ୍ଷପରେ ପ୍ରକୋଷ୍ଠ ମଧ୍ୟରୁ ନିଷ୍କାନ୍ତ ହୋଇଗଲା ସେ–ନୀତା ପଛରୁ ଡାକୁଥିଲା–ଶୁଣି ଯା, ଇଙ୍ଗୀତା ।

 

କିନ୍ତୁ ଫେରିଲା ନାହିଁ ସେ ।

 

ପୁଣି କବାଟ ବନ୍ଦ କଲା ନୀତା । ରୁଦ୍ଧ ପ୍ରକୋଷ୍ଠର ନିଃସଙ୍ଗତାରେ ପରମ ପବିତ୍ରତାର ସହିତ କମ୍ପିତ ହୃଦୟ ଏବଂ ଶଙ୍କିତ ଚାହାଣିରେ ପଢ଼ିଲା ସେଇ ଚିଠି । ଯେତିକି ପଢ଼ିଲା ସେତିକି ପରପୂର୍ଣ୍ଣ ହୋଇଉଠିଲା ସେ । ପ୍ରିୟତମର ପ୍ରଥମ ପୁଲକିତ ନିବେଦନ ।

 

ଅଳ୍ପକ୍ଷଣ ପୂର୍ବର ସମସ୍ତ ଅବଶୋଷ ଏବଂ ଅନ୍ତର୍ଦାହ ଭୁଲିଯାଇ ପରମ ଆଗ୍ରହରେ ପଢ଼ିଲା ସେହି ଛିନ୍ନ ଚିଠିର ସର୍ବାଂଶ ।

 

ଲେଖିଥିଲା ସବ୍ୟସାଚୀ–

 

ସୁନୀତା,

 

ଏଇ ସମ୍ୱୋଧନ ନ କରି ଆଉ କିଛି କହି ଡାକିବାର ଅଧିକାର ଦେଇନ ବୋଲି ନାମ ଧରି କେବଳ ଆରମ୍ଭ କରୁଛି ଏଇ ଚିଠି ।

 

ତମେ ସେଦିନ ଅଭିମାନ କରି ଚାଲିଗଲ ଭୁଲ୍ ବୁଝି ଫେରିଗଲ କିନ୍ତୁ ବୁଝିବା ପାଇଁ ଚେଷ୍ଟା କରିଥିଲେ ଜାଣିପାରିଥାନ୍ତ ମୁଁ ଭୁଲ୍ କରିନି । ମୋର ଭଲପାଇବାର ଶୁଭ୍ରତାର ଭୁଲ୍ ହୋଇପାରେନା ।

 

ଆଜି ମୁଁ ବ୍ୟସ୍ତ । ନିଃସଙ୍ଗତାର ହାହାକାର ଏବଂ ସମାଜର ଅବିଚାର ମୋତେ ବିପ୍ଳବୀ କରି ତୋଳୁଛି । ନିକଟରେ ଆମ ସଂଘର ଶୋଭାଯାତ୍ରା । ପୁଲିସ ଆଇନଅମାନ୍ୟ କରି ଶୋଭାଯାତ୍ରା କରିବାପାଇଁ ଆମେ ସ୍ଥିର କରିଛୁ । ଆଗରେ ଗୋଟିଏ ଶପଥ–ଶ୍ରମିକର ଅଜୟ ହେଉ-। ଗୋଟିଏ ଦାବି–ଶ୍ରମର ସମ୍ମାନ ଅକ୍ଷୁଣ୍ଣ ରହୁ । ଗୋଟିଏ ଲକ୍ଷ୍ୟ–ଏଇ ଦେଶ ମହାନ ହେଉ, ଏଇ ଜାତି ବିଜୟୀ ହେଉ । କିନ୍ତୁ ଏଇ ଶପଥ, ଦାବି ଓ ଲକ୍ଷ୍ୟର ଅନ୍ତରାଳରେ ଯାହାର ସାନିଧ୍ୟ ମତେ ଉତ୍ସାହ ଏବଂ ଉଦ୍ୟମଶୀଳ କରୁଥିଲା ସେ ଆଜି ମତେ ଭୀରୁ, ସ୍ୱୈରାଚାରୀ ଏବଂ ନିଷ୍ଠାହୀନତାର ଅପବାଦ ଦେଇ ଅପସରିଯାଇଛି ।

 

ସତରେ ତୁମେ ମତେ ଏଡ଼େ ପର, ଏଡ଼େ ହୀନ କରିଦେଇପାରିଲ ! ଭବିଷ୍ୟତହିଁ ବିଚାର କରିବା ମୋର ଭଲପାଇବାର ନିଷ୍ଠା, ମୋ ଅନୁରାଗର ଅତଳତା ।

 

ଆସନ୍ତା ଗୁରୁବାର ଶୋଭାଯାତ୍ରା । ଶ୍ରମିକ ଏକତାର ଏକ ସ୍ୱାକ୍ଷରିତ ଦିବସ ।

 

ଯଦି ମୁଁ ବାହୁଡ଼ି ନ ଆସେ ? ନିର୍ଯାତନା ମୁହଁରୁ ବଞ୍ଚିଯିବା ପାଇଁ ମୋ ପ୍ରାଣ କୋଷରେ ଯିଏ ପୁରୁଷ ସିଂହର ବଳ ଭରି ଦେଇଥାନ୍ତା ସେ କେଉଁଠି ମୁହଁ ଫେରାଇ ରହିଛି ତୁମେଇ କହିପାରିବ ।

 

ତେବେ ଗୋଟିଏ କଥା କହିରଖେ । ସତ୍ୟ ଏବଂ ନ୍ୟାୟ ଯେପରି ଆଚରଣରେ ଚିରନ୍ତନ, ପ୍ରେମ ଏବଂ ଶ୍ରଦ୍ଧା, ସେଇପରି ନିଷ୍ଠାରେ ମୂର୍ତ୍ତି । କିଛି ଦେଇନଥିଲେ ମଧ୍ୟ ଏଇ ସତ୍ୟ ରଖିଯାଉଛି । ଏହାର ଅନୁସରଣ କର–ଶାନ୍ତି ପାଇବ ।

 

ସବ୍ୟସାଚୀ

 

ଥରେ ନୁହେଁ, ଦୁଇଥର ନୁହେଁ; ବାରମ୍ୱାର ପାଠକଲା ସୁନୀତା । ସେଇ ପଢ଼ିବାର ଆତ୍ମପ୍ରକାଶରେ ମୁଗ୍ଧ ବିଭୋର ହୋଇ ସ୍ୱୟମ୍ୱରା ସୁନୀତା ଆଗାମିଦିନରେ ସମ୍ୱାଦ ଶୁଣିବା ପାଇଁ ପରମ ଆଗ୍ରହ ଓ ଅପରିସୀମ ଶ୍ରଦ୍ଧାନେଇ ଅପେକ୍ଷା କରି ରହିଲା ।

 

ଅଠର

 

ସମଗ୍ର ସହରରେ ପୁଲିସ ଧାରା ଅନୁସାରେ ଆଇନଶୃଙ୍ଖଳା ରକ୍ଷା କରିବାପାଇଁ ସଭା, ଶୋଭାଯାତ୍ରା ବା ଅନ୍ୟ କୌଣସି ବିକ୍ଷୋଭ ପ୍ରଦର୍ଶନ ଉପରେ ନିଷେଧ ଆଦେଶ ଜାରି କରାଯାଇଛି-। ସହରର ବିଭିନ୍ନ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି । ବିଶେଷ କରି ଶ୍ରମିକ ବସ୍ତିଗୁଡ଼ିକରେ ବିଶେଷ ପୁଲିସ ବ୍ୟବସ୍ଥା କରାହୋଇଛି । କେତେକ ଦୁର୍ବୃତ୍ତ ଏହି ଅସାନ୍ତି ଅବସ୍ଥାର ସୁଯୋଗନେଇ ଗଣ୍ଡଗୋଳ କରିପାରନ୍ତି–ସେଥିପାଇଁ ଏହି ପ୍ରତିଷେଧମୂଳକ ବ୍ୟବସ୍ଥା ସହରର କେତେକ ଅଞ୍ଚଳରେ ଯେଉଁ ୧୪୪ ଧାରା ଜାରି ହୋଇଥିଲା ଅବସ୍ଥାରେ ଉନ୍ନତି ସଙ୍ଗେ ସଙ୍ଗେ ତାହା ଉଠାଇ ନିଆହୋଇଛି । ପୁଲିସ ଲାଉଡ଼ସ୍ପିକର ସାହାଯ୍ୟରେ ଏବଂ ସମ୍ୱାଦପତ୍ରଦ୍ୱାରା ବର୍ତ୍ତମାନ ପରିସ୍ଥିତି ସହିତ ଲୋକମାନଙ୍କୁ ପରିଚିତ କରାଇଦେଇ ଆଇନ ଶୃଙ୍ଖଳା ରକ୍ଷା କରିବା ନିମିତ୍ତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏଇ କେଇଦିନ ପୂର୍ବରୁ ‘ସୁରାସିନ୍ଧୁ’ର ଉଦ୍‍ଘାଟନ ନେଇ ଗଣ୍ଡଗୋଳ ହୋଇଥିଲା ସହରରେ ।

Unknown

 

ସେଦିନ ସୁରାସିନ୍ଧୁ ପ୍ରାଇଭେଟ୍ ଲିମିଟେଡର ଉଦ୍‍ଘାଟନ ଉତ୍ସବ ସହଜରେ ସମ୍ପୂର୍ଣ୍ଣ ହେଲାନାହିଁ । ବିପୁଳ ଆୟୋଜନ ଏବଂ ବିଳାଶପୂର୍ଣ୍ଣ ବାତାବରଣ ମଧ୍ୟରେ ଉଦ୍‍ଘାଟନ ଉତ୍ସବ ଆରମ୍ଭ ହେବା ପୂର୍ବରୁ ଚାନ୍ଦିନିଚୌକ ଅଞ୍ଚଳରୁ ଏକ ବିରାଟ ଶୋଭାଯାତ୍ରା ନବ ନିର୍ମିତ ସୁରା କାରଖାନାଆଡ଼କୁ ଅଗ୍ରସର ହେଲା ଏବଂ ଅଗଣିତ ଲୋକଙ୍କର ସେଇ ପଦଧ୍ୱନି ଭାସିଆସିଲା ସେମାନଙ୍କ ସ୍ଳୋଗାନ୍ ସହିତ ‘ସୁରାସିନ୍ଧୁ ଲିମିଟେଡ’ର ଉଦ୍ୟୋକ୍ତାମାନଙ୍କ ମନରେ ଭୀତି ସଞ୍ଚାର କରି ।

 

କିନ୍ତୁ ପରିକଳ୍ପନା ଅନୁସାରେ କାମ ଠିକ୍ ହୋଇଗଲା । ଶୋଭାଯାତ୍ରା ଚାନ୍ଦିନୀଚୌକ ପାରି ହୋଇ ଗୋଟିଏ ଛୋଟ ଗଳିଦେଇ ସୁରାସିନ୍ଧୁଆଡ଼କୁ ଯିବାପାଇଁ ବାଟ ଭାଙ୍ଗିବା ବେଳକୁ ବିପରିତ ଦିଗରୁ କେତେ ଲୋକ ସୁରାସିନ୍ଧୁଆଡ଼ୁ ସମର୍ଥନ ସୂଚକ ଧ୍ୱନି ଦେଇ ଆସିବାର ଦେଖାଗଲା-। ମୁଷ୍ଟିମେୟ ପୁଲିସ ଜାରି ରହିଥିଲେ ଶାନ୍ତି ରକ୍ଷା କରିବାପାଇଁ ।

 

ମୋଡ଼ଉପରେ ଦୁଇ ଶୋଭାଯାତ୍ରା ପହଞ୍ଚିବା କ୍ଷଣି ବଜାରର ଭିତର ଅଞ୍ଚଳରୁ କେତୋଟି ଇଟା ପଥର ଶୋଭାଯାତ୍ରାକାରୀମାନଙ୍କ ଉପରେ ପଡ଼ିଲା ଆସି । କେତେକ ଆହତ ହେଲେ ସେଥିରେ । ଏହି କାରଣରୁ ଉତ୍ତେଜନା ପ୍ରବଳ ବେଗରେ ବ୍ୟାପିଗଲା ଲୋକମାନଙ୍କ ମଧ୍ୟରେ । ସେଇ ଉତ୍ତେଜନାର ସୁଯୋଗନେଇ ସଂଘର୍ଷ ହେଲା ଦୁଇଦଳ ମଧ୍ୟରେ ।

 

ଇଟା, ପଥର, ଲାଠି ଓ ଛୁରାର ଅତର୍କିତ ଏବଂ ଅପ୍ରତ୍ୟାଶିତ ଆକ୍ରମଣରେ ଅନେକ କ୍ଷତ ବିକ୍ଷତ ହୋଇପଡ଼ିଲା । ନେତା ବା ପୁଲିସମାନେ ଘଟଣାସ୍ଥଳର ଗୁରୁତ୍ୱ ଉପଲବ୍ଧି କରି ଘଟଣାକୁ ଆୟତ୍ତ କରିବା ପୂର୍ବରୁ, ପ୍ରବଳ ସଂଘର୍ଷ ଲାଗିଗଲା ଦୁଇଦଳ ମଧ୍ୟରେ । ଘଟଣା ସ୍ଥଳରେ ଅଳ୍ପ ସମୟପରେ ରିଜର୍ଭ ପୁଲିସ ଓ ମାଜିଷ୍ଟ୍ରେଟ ଆସି ପହଞ୍ଚିଗଲେ । କିନ୍ତୁ ସେତେବେଳକୁ ଛତ୍ରଭଙ୍ଗ ଦେଇଥିଲା ଜନତା । ପଛରେ ପଡ଼ି ରହିଥିଲେ ସୁରା ବିରୋଧୀ ଶୋଭାଯାତ୍ରାକାରୀମାନଙ୍କର କେତେକ ଆହତ ସମର୍ଥକ ।

 

ସଶସ୍ତ୍ର ପୁଲିସ ଆସିବା ପରେ ପରେ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟାନ୍ୟ ଜନତା ବାହୁଡ଼ିଗଲେ ନିଜ ପଥରେ । ୧୪୪ଧାରା ସଙ୍ଗେ ସଙ୍ଗେ ଜାରିହେଲା ଶିଳ୍ପାଞ୍ଚଳରେ । ଆହତ ମଧ୍ୟରେ ଥିଲେ ଶ୍ରମିକନେତା ପ୍ରଳୟ ସିଂ, ମଣି ନାୟକ ଏବଂ ନାରୀନେତ୍ରୀ କୁନ୍ତଳା କାନୁନଗୋ । ଅଳ୍ପ ସମୟ ମଧ୍ୟରେ ସହରର ସବୁ ଅଞ୍ଚଳରେ ବିଭିନ୍ନ ଜନଗହଳି ଅଞ୍ଚଳରେ ।

 

ନନ୍ଦରାମ ଯେପରିଟି ଚାହିଁଥିଲେ ଠିକ୍ ସେହିପରି ହେଲା । ତାଙ୍କ ପୋଷ୍ୟ ଦୁର୍ବୃତ୍ତଦଳ ଯେପରି ପରିକଳ୍ପନାର ସହିତ ଆସି ଗଣ୍ଡଗୋଳ ସୃଷ୍ଟି କରିଥିଲେ ସେଇପରି ସୁପରିକଳ୍ପିତ ଉପାୟରେ ଅପସରି ଯାଇଥିଲେ ପୁଲିସ ହାତରେ ପଡ଼ିବା ଆଗରୁ । ଏଆଡ଼େ ଗଣ୍ଡଗୋଳ ବୃଦ୍ଧି ପାଉଥିବାବେଳେ ସେଆଡ଼େ ନୀରବ ହେଇ ମଥାରେ ହାତଦେଇ ବସିନଥିଲେ ନନ୍ଦରାମ । ‘ସୁରାସିନ୍ଧୁ’ର ଉଦ୍‍ଘାଟନ ଉତ୍ସବ ଯଥାରୀତି ଉତ୍ସାହ ଏବଂ ଉଦ୍ଦୀପନାର ସହିତ କରାଇନେଲେ ସେ-

 

ସୁରାସିନ୍ଧୁ ଉଦ୍‍ଘାଟନ କରି ବୁଦ୍ଧିଜୀବୀ ଏବଂ ନାଗରିକ ସ୍ୱାଧୀକାର ସଭାର ମୁଖ୍ୟ ଶ୍ରୀ ସରିତ ସାଗର ନାଏକ କହିଲେ–‘ପାଣି ପବନ, ଖାଦ୍ୟ ବତ୍ସ ମଣିଷର ବଞ୍ଚିବା ପାଇଁ ଯେପରି ପ୍ରୟୋଜନ, ସେଇପରି ପ୍ରୟୋଜନ ନିଜ ମତ, ଧର୍ମ ଓ ବିଚାର ପ୍ରକାଶ କରିବାର ଏବଂ ସେଇ ଅନୁସାରେ ଚଳିବାର ସ୍ୱାଧୀନତା । ଅନିୟନ୍ତ୍ରିତ ସ୍ୱାଧୀନତା ହିଁ ମୁକ୍ତିର ବୀଜମନ୍ତ୍ର । ଏଇ ସ୍ୱାଧୀନତାର ବଶବର୍ତ୍ତୀ ହୋଇ ଯେଉଁମାନେ ସମାଜର ଶୃଙ୍ଖଳା ମଧ୍ୟରେ ଅଧିକ ମୁକ୍ତି, ଅଧିକ ଶୃଙ୍ଖଳାହୀନ ସମାଜ ପାଇଁ ସଂଗ୍ରାମ କରିବେ ସେଇମାନେ ହିଁ ଆଣିବେ ପ୍ରକୃତ ସ୍ୱାଧୀନତା ସେଇ ସ୍ୱାଦର କଣିକାଏ ଦବ ‘ସୁରାସିନ୍ଧୁ’ । ଯାହାର ଯାହା ଇଚ୍ଛା, ତାହା ସେ ଅନ୍ୟର ଅଙ୍ଗୁଳି ନିର୍ଦ୍ଦେଶଦ୍ୱାରା ନିୟନ୍ତ୍ରିତ ନକରି, ଆଗେଇଆସିବ ଅମୃତ ପାନ କରିବାପାଇଁ ନିଜର ରୁଚି ଅନୁସାରେ ।

 

ମଣିଷର ବିଭିନ୍ନ ରୁଚି ମଧ୍ୟରୁ ଅନ୍ତତଃ ଗୋଟିଏ ପରିତୃପ୍ତ କରିବା ପାଇଁ, ବିଶିଷ୍ଟ ଶିଳ୍ପପତି ଶ୍ରୀ ନନ୍ଦରାମ ହନୁରାମ ଯେଉଁ ଉଦ୍ୟୋଗର ବାସ୍ତବ ରୂପାୟନ କରିଛନ୍ତି ଏଠାରେ ‘ସୁରାସିନ୍ଧୁ’ ସ୍ଥାପନ କରି, ସେଇ ଶିଳ୍ପ ଏଇ ପ୍ରାଚୀନ ଏବଂ ଐତିହ୍ୟ ମଣ୍ଡିତ ସହରର ପ୍ରଧାନ ସମ୍ପଦ । ଏଇ ସମ୍ପଦକୁ ସୁରାପ୍ରେମୀମାନଙ୍କ ହାତରେ ଉତ୍ସର୍ଗ କରି ଅସୀମ ସାହସିକତା ଏବଂ ପ୍ରଗତିବାଦୀର ପରିଚୟ ଦେଇଛନ୍ତି ସେ । ସୁରା ସିନ୍ଧୁର ବିକଳ୍ପ ନାହିଁ । ଏହା ଆପଣମାନଙ୍କୁ ସାହସ ଓ ସମ୍ଭୋଗ ଦେବ ।

 

ସେଥିପାଇଁ ଏହି ଅନୁଷ୍ଠାନ ତରଫରୁ ନିମନ୍ତ୍ରିତ ହୋଇ ମୁଁ ଆଜି ସୁରାସିନ୍ଧୁ ଉଦ୍‍ଘାଟନ କରିବା ସଙ୍ଗେ ସଙ୍ଗେ ଏହାର ସହାୟକ ଓ ସମର୍ଥକ ହେବାପାଇଁ ବୁଦ୍ଧିଜୀବି, ଶ୍ରମିକ, ଶିକ୍ଷକ, ଛାତ୍ର ତଥା ନାରୀ ସମାଜକୁ ଆହ୍ୱାନ କରୁଛି ।’’

 

ଉପସ୍ଥିତ କାତପୟ ଦର୍ଶକମଣ୍ଡଳୀଙ୍କର ବିପୁଳ କରତାଳି ମଧ୍ୟରେ ଲାଲ୍ ସିଲ୍‍କ ଫିତାକୁ ରୂପା କଇଁଚିଦ୍ୱାରା ଶଙ୍ଖ, ହୁଳହୁଳି ଏବଂ ବେଦମନ୍ତ୍ରର ମଙ୍ଗଳ କାମନା ମଧ୍ୟରେ ଦୁଇଖଣ୍ଡ କରି ସୁରାସିନ୍ଧୁ ଉଦ୍‍ଘାଟନ କଲେ ସରିତ ସାଗର ନାଏକ ।

 

ତାପରେ ଉପସ୍ଥିତ ଭଦ୍ରବ୍ୟକ୍ତିମାନଙ୍କୁ ଚର୍ବ୍ୟ, ଚୌଷ୍ୟ, ଲେହ୍ୟ ଏବଂ ପେୟଦ୍ୱାରା ଆପ୍ୟାୟିତ କରିଥିଲେ ନନ୍ଦରାମ । କହିବା ଅନାବଶ୍ୟକ ‘ସୁରାସିନ୍ଧୁ’ର ନୂତନ ଉତ୍ପାଦିତ ‘ସୁରାସୁର’ ଏବଂ ‘ସୁ ଶ୍ରୀ’ ପାନ କରି ଅତିଥିମାନେ ମୁକ୍ତ କଣ୍ଠରେ ଏହାର ସଦ୍‍ଗୁଣ ବର୍ଣ୍ଣନା କରି ଏହା ଯେ, ବିପୁଳ ସମାଦର ଲାଭ କରି ବିଦେଶୀ ମୁଦ୍ରା ଅର୍ଜ୍ଜନ କରିବାର ସହାୟକ ହେବ ତାହା ବ୍ୟକ୍ତ କରିଥିଲେ ।

 

ପାନ ଏବଂ ଭୋଜନ ସମୟରେ ଜାଜ ବ୍ୟାଣ୍ଡର ଅପୂର୍ବ ସ୍ୱର ଲହରୀ ଅନେକ ଅତିଥିଙ୍କୁ ନିଜ ନିଜର ଅବସ୍ଥାକୁ ସ୍ୱରର ମୂର୍ଚ୍ଛନା ସହିତ ତାଳ ରଖି ଉଦବେଳିତ ଆନନ୍ଦ ମଧ୍ୟରେ ଭସାଇନବାର ସାହାଯ୍ୟ କରିଥିଲା ।

 

ସେଇ ଆନନ୍ଦ ଏବଂ ଉତ୍ସବମୁଖର ସନ୍ଧ୍ୟାରେ ବ୍ୟବଧାନକୁ ଯଥାସମ୍ଭବ ସଂକୀର୍ଣ୍ଣ କରି ଉଷା ଖାନ୍ନାର ସଂଲଗ୍ନ ହୋଇ ପଚାରିଥିଲି ହିମାଂଶୁ–ଅଗ୍ରଗତି କେତେଦୂର ଉଷା ?

 

ଆଶାତୀତ ମିଷ୍ଟର ପଟ୍ଟନାୟକ ।

 

–ସଫଳତା ଆଶାକର ତା’ହେଲେ ?

 

–ନିଶ୍ଚୟ । ଉଷା ଖାନ୍ନାର ଉଚ୍ଚାଭିଳାଷ ଅଛି । ସେ ସହଜରେ ହାର ଯେମିତି ମାନେନା, ଜିତିବାର ଆଶା ଯେଉଁଠି ଯେତେ କମ୍ ସେତିକି ଜିଦ୍ ତା’ର ସେଇଠି ସଫଳତା ପାଇଁ ।

 

–ବାଃ, ଚମତ୍କାର ! ନନ୍ଦରାମ ମିଛ କହିନଥିଲେ...

 

–କ’ଣ କହିଥିଲେ......

 

–ତୁମେ ନିଜର ପ୍ରଶଂସା ନିଜେ ଶୁଣିବ ?

 

–ବାଃରେ ! କିଏ ନିଜ ପ୍ରଶଂସା ଟିକେ ଶୁଣିବା ପାଇଁ ଚାହେଁନାହିଁ କହନ୍ତୁ ତ ?

 

ବେଶ୍ ରସାଳ କରି କହିଲା ଉଷା । ବ୍ୟବଧାନ ଆହୁରି ସଂକୀର୍ଣ୍ଣ ହୋଇଆସିଲା । ତା’ ପରେ ତାଙ୍କ କାନପାଖରେ ଫିସ୍‍ଫିସ୍‍ କରି ଚଟୁଳ ସ୍ୱରରେ କହିଲା–ବିଶେଷତଃ ପୁରୁଷ ମୁହଁରୁ !

 

ତା’ର ନଗ୍ନ ଦେହାଂଶର କେତେକାଂଶରେ ହିମାଂଶୁଙ୍କର ସ୍ପର୍ଶ । ଉଷା ଲାଗିଆସିଲା ପାଖକୁ ।

 

ହାତରେ ଶୂନ୍ୟ ମଦ୍ୟ ପାତ୍ର ଧରି ପ୍ରାୟ ତଳି ତଳି ପାଖକୁ ଆସି କହିଲେ ପାରିଜାତ–ଆଜି ଆପଣ ଭାଗ୍ୟବାନ୍ ହିମାଂଶୁ ବାବୁ ।

 

–ଆପଣ ଯୋଗଦିଅନ୍ତୁନା, ଦେଖିବେ କିଭଳି ରସୋତ୍ତୀର୍ଣ୍ଣ ହୋଇଉଠିବ ଏଇ ସାନିଧ୍ୟ ।

 

ନନ୍ଦରାମ ପାରିଜାତଙ୍କ ଶୂନ୍ୟପାତ୍ର ପୂର୍ଣ୍ଣ କରିବା ପାଇଁ ଆଦେଶଦେଲେ ମ୍ୟାନେଜରଙ୍କୁ-

 

ପାରିଜାତ ଆଗେଇଗଲେ ମଣ୍ଡପଆଡ଼କୁ । ହିମାଂଶୁ ଆଳାପ ଜମାଇବା ପାଇଁ ଚେଷ୍ଟା କଲେ ପୁଣି–

 

–ତା’ହେଲେ କିମିତି ମନେକଲ ସବ୍ୟସାଚୀକୁ ?

 

–ଏ ଗୁଡ଼ ଗାୟ ସାର୍ ।

 

–ଆଇ ସି ।

 

କଥା ଛଡ଼ାଇ କହିଲେ ଉଷା–

 

–ତେବେ ଖୁବ୍‍ ସେଣ୍ଟିମେଣ୍ଟାଲ ।

 

ତେବେ ତ ଚାନ୍ସ ଉଜ୍ଜ୍ୱଳ । ଏଇପରି ଲୋକ ଶୀଘ୍ର ଆତ୍ମସମର୍ପଣ କରନ୍ତି ତୁମ ଫାନ୍ଦରେ... ।

 

କହିସାରି ତଡିତ ଗତିରେ ଚତୁଃପାର୍ଶ୍ୱରେ ଆଖିବୁଲାଇ ନେଇ ଉଷାର ଉନ୍ମୁକ୍ତ ଗ୍ରୀବ ଉପରେ ଚାପଦେଲେ ଟିକିଏ । ସେଇ ଚାପରେ ଚହଳ ପଡ଼ିଲା ଉଷାର ରକ୍ତରେ । ଗର୍ବମିଶା ହସ ସେ ହସିଲା ଟିକିଏ ଆତ୍ମ ପ୍ରଶଂସା ଶୁଣି । କିନ୍ତୁ କହିଲା–

 

ହୁଏତ ଆଉ କିଛି ସମୟ ଲାଗିବ ତାଙ୍କୁ ଆୟତ୍ତକୁ ଆଣିବା ପାଇଁ ।

 

–ତୁମର ଦକ୍ଷତା ଉପରେ ମୋର ବିଶ୍ୱାସ ଅଛି । ଆଗେଇଯାଅ ତରୁଣୀ ।

 

କେବଳ ଆଗେଇଯିବା ପାଇଁ ତ ଉଷା ଆସିଛି ଓଡ଼ିଶାର ଶିଳ୍ପ ନଗରୀ କଟକ ସହରକୁ । ପଛେଇ ଯାଇନାହିଁ ସେ । ବୁଦ୍ଧି, ବିବେକ ଦରକାର ହେଲେ ଦେହ ମନ ସବୁ ଦେଇ ପଥରେ ସମସ୍ତ ବାଧା ବନ୍ଧନ ଅତିକ୍ରମ କରିବ । ଐଶ୍ୱର୍ଯ୍ୟ ତା’ର ଆବଶ୍ୟକ । ଆଧୁନିକ ଜୀବନରେ ବିପୁଳ ଐଶ୍ୱର୍ଯ୍ୟର ଆବଶ୍ୟକତା ଅପରିହାର୍ଯ୍ୟ ।

 

ଖିଆପିଆର ଧୁମ୍‍ଧାମ୍ ଶେଷ ହେଲା । ଆଲୋକମାଳାରେ ସଜ୍ଜିତ ‘ସୁରାସିନ୍ଧୁ’ ସୌଧ ରାତିରେ ଅପରୂପ ବେଶ ଧାରଣ କଲା । ବିଛାଡ଼ିହୋଇ ପଡ଼ିଥିବା ଆଲୋକରେ ବାହାରେ ଛିଡ଼ାହୋଇ ଉଚ୍ଛିଷ୍ଟାନ୍ମର ପ୍ରତୀକ୍ଷା କରୁଥିବା କେତୋଟି କଙ୍କାଳ ସ୍ପଷ୍ଟ ଦେଖାଯାଉଥିଲେ ଅନତି ଦୂରରେ ।

 

ମଣିଷର ଭୋକ ବଢ଼ୁଛି । ବଢ଼ୁଛି ତା’ର ପ୍ରୟୋଜନ । କେବଳ ଉଦର ପରିତୃପ୍ତ ହେଲେ ଆଦିମ ମଣିଷ ଶାନ୍ତି ହୁଏନା, ସେ ଚାହେଁ ଅନେକ କିଛି ।

 

ସେଇ ଆଦିମ ମଣିଷର ଅନୁଦାର ଆତ୍ମା ଚାହେଁନା ଚେନାଏ ଦବାକୁ ଅନ୍ୟ ହାତରେ । ସେଇଥିପାଇଁ ଭୋକିଲା କୁକୁର ପରି ବାହାରେ ହାତ ପତାଇ ଛିଡ଼ାହୋଇଥିବା କଙ୍କାଳଗୁଡ଼ାକ ଲକ୍ଷ୍ୟ କରିଉଠିଲା–ହଟିଯାଓ, ହଟିଯାଓ ।

 

ହଟିଯିବାକୁ ପଡ଼ିବ । ଜଣକ ପାଇଁ ଦେଶଜଣଙ୍କୁ ରାସ୍ତା ଛାଡ଼ିଦେଇ ରାସ୍ତାକଡ଼ରେ ଝିଡ଼ାହେବା ପାଇଁ ହବ ।

 

କିନ୍ତୁ ବିଶେଷ ମଣିଷମାନେ ଉଦର ପୂର୍ତ୍ତି ପରେ ହଟିନଯାଇ ଉଷା, ଭାଷା, ଲିପି, ଲିନାଆଡ଼କୁ ହିଂସ୍ର ବେଗରେ ମାଡ଼ିଆସିଲେ ଉଦ୍ଦାମ ଆବେଗନେଇ ।

 

ପଛେଇଗଲେ ଅଳ୍ପ ଦୂରରେ ଛିଡ଼ାହୋଇଥିବା କଙ୍କାଳଗୁଡ଼ିକ ।

 

ଊଣିଶ

 

ସବ୍ୟସାଚୀର ଘର ସମ୍ମୁଖରେ ରିକ୍ସାରୁ ଓହ୍ଲାଇ ବାରନ୍ଦା ଉପରକୁ ଉଠିଯାଇ ଦରକାର କଡ଼ା ନାଡ଼ିଲା ଉଷା ।

 

ଅଳ୍ପ ସମୟ ପରେ ବାର ଚଉଦ ବର୍ଷର ଗୋଟିଏ ପିଲା କବାଟ ଖୋଲିଦେଇ ସମ୍ମୁଖରେ ଜଣେ ମେମ୍ ସାହେବଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ କହିଲା–କାହାକୁ ଖୋଜୁଛନ୍ତି ?

 

–ବାବୁ କାହାନ୍ତିରେ ?

 

ପଚାରିଲା ଉଷା ।

 

–ବଜାରକୁ ଯାଇଛନ୍ତି । ଫେରିବେ ଏଇନେ । ବସନ୍ତୁ ଭିତରେ ।

 

କହିସାରି କୋଠରୀ ଭିତରେ ବସିବାର ଚୌକି ଟେବୁଲକୁ ପୁଣି ଥରେ ନିଜର ଗାମୁଛାଦ୍ୱାରା ପରିଷ୍କାର କରିଦେଲା ଅନାଥ ।

 

ଅନାଥ ଅସହାୟ, ପିତୃମାତୃହୀନ । ରାସ୍ତାକଡ଼ରୁ ଗୋଟାଇ ଆଣିଥିଲା ସବ୍ୟସାଚୀ ଏଇ କେଇଦିନ ପୂର୍ବରୁ ।

 

ଅନାଥର ଆଚରଣରେ ଆଶ୍ୱସ୍ତ ହେଲା ଉଷା । ଗୋଟିଏ ମୋଡ଼ା ଟାଣିନେଇ ବସିଲେ ସେଥିରେ । ଟେବୁଲୁ ଉପରୁ ଗୋଟିଏ ପତ୍ରିକା ନେଇ ପତ୍ର ଓଲଟାଇଲା ।

 

ଅନାଥ ଭିତର ବାହାର ହେଉଥାଏ । ବାବୁ ଗଲେଣି କେତେବେଳୁ । ଫେରୁନାହାନ୍ତି କାହିଁକି । ଆଶ୍ଚର୍ଯ୍ୟ ଲାଗେ ତାକୁ ତାଙ୍କ ବ୍ୟବହାର ଦେଖି ଖାଇବା ପିଇବାରେ ଆଗ୍ରହ ନାହିଁ । ଅଫିସରୁ ଆସିଲେ ତାକୁ ପଚାରିବେ ସେ ଖାଇଛି କି ନାହିଁ । ଶୋଇଛିକି ନାହିଁ । ତା ପାଇଁ ଏତେ ଚିନ୍ତା କାହିଁକି ବୁଝିପାରେନା ଅନାଥ ।

 

କିନ୍ତୁ ତା’ ମନଟି ପଡ଼ିଥାଏ ବାବୁପାଖରେ । ସେ ତାକୁ ଉଦ୍ଧାର କରିଆଣି ଆଶ୍ରୟ ଦେଇଛନ୍ତି, ଆସନ୍ନ ମୁତ୍ୟୃ ମୁଖରୁ ଉଦ୍ଧାର କରିଛନ୍ତି ।

 

ବାପା ମା’ ଛେଉଣ୍ଡ ପିଲାଟି ଘୂରିବୁଲୁଥିଲା ଆଶ୍ରୟ ଟିକିଏ ପାଇଁ କଟକର ପ୍ରଶସ୍ଥ ରାସ୍ତାଉପରେ । ଦିନେ ନୁହେଁ ବହୁଦିନର ଅର୍ଦ୍ଧାହାର ବା ଅନାହାର ଫଳରେ ଶୁଖିଯାଇଥିଲା ତା’ର ଦେହ, ମୁହଁ । ଆଶ୍ରୟ ହୀନର ନିର୍ଭର ଆଶ୍ରୟ ହେଲା ଏଇ ଫୁଟପାଥ୍, ଏଇ ବିଶାଳ ବସୁନ୍ଧରା । ଦିନେ କିଛି ନପାଇ ଅଖିଆ ଅପିଆ ଶ୍ରାନ୍ତ କ୍ଳାନ୍ତ ଅନାଥ ଶୋଇପଡ଼ିଥିଲା ମଙ୍ଗଳାବାଗ ଛକର ବଟଗଛ ମୂଳର ଚଉତରରେ । ଦେହରେ ଥିଲା ଛିଣ୍ଡା କମିଜଟିଏ । ରାତିରେ ଶୀତଳତାରେ କମ୍ପୁଥିଲା ସେ । ସେତିକିବେଳେ କିଏ ଜଣେ ଉଠାଇ ଦେଇଥିଲା ତାକୁ । ଉଠି ବସି ବଲ ବଲ କରି ଅଚିହ୍ନା ଅଜଣା ମୁହଁକୁ ଚାହିଁ ପରମ ଅଭୟ ପାଇଲା ଅନାଥ ।

 

କାନ୍ଦିପକାଇ ସେ କହିଥିଲା–ମୁଁ କିଛି ଦୋଷ କରିନି ବାବୁ । ଚୋରି କରିନି ମୁଁ । କାହିଁ ଜାଗା ନପାଇ ଏଇଠି ଅଖିଆ ଅପିଆ ଶୋଇପଡ଼ିଥିଲି ଟିକିଏ ।

 

–ଉଠ୍ । ଆ ମୋ ସଙ୍ଗରେ ।

 

ଅପରୂପ ନରମ କଣ୍ଠରେ ଆଦେଶ କରିଥିଲେ ସବ୍ୟସାଚୀ । କାଳବିଳମ୍ୱ ନକରି ଅନ୍ୟ କିଛି ନପଚାରି ତାଙ୍କୁ ଅନୁସରଣ କରି ସେଇଯେ ଚାଲିଆସିଥିଲା ଆଉ ଫେରିଯାଇ ନାହିଁ ।

 

ସେଇଦିନୁ ରହିଯାଇଛି ଏଇ ଘରେ । ଅଳ୍ପଦିନରେ ନିଜର କରିନେଇଛି ଘରକୁ, ଘରର ମଣିଷକୁ ।

 

ସବ୍ୟସାଚୀକୁ ଆସୁଥିବାର ଦେଖି କହିପକାଇଲା ଅନାଥ–ଏଇ ଆସିଲେଣି । ମତେ କହିଥିଲେ ମୁଁ କ’ଣ ଯାଇନଥାନ୍ତି । ନିଜେ ଏତେଗୁଡ଼ାଏ ଜିନିଷ ବୋହି ଆଣୁଛନ୍ତି....

 

କୌତୂହଳ ଦମନ କରିନପାରି ବାହାରକୁ ଅନାଇଲା ଉଷା । ସେତେବେଳକୁ ପାହାଚ ଭାଙ୍ଗି ବାରନ୍ଦା ଉପରୁ ଉଠିଥିଲା ସବ୍ୟସାଚୀ । ଦୁଇହାତରେ ଦୁଇଟା କ୍ୟାନଭାସର ବଡ଼ ବଡ଼ ଥଳି । କାଖତଳେ ଜାକିଥିଲା ଗୋଟିଏ କାଗଜ ପୁଡ଼ିଆ, ଝୁଙ୍କିପଡ଼ିଥିବା ଗୋରା ହାତର ଶିରଗୁଡ଼ିକ ଠାଏ ଠାଏ ଫୁଲିଉଠିଥିଲା । କପାଳ ଏବଂ ମୁହଁଉପରେ ସ୍ୱେଦ ଏବଂ ଶ୍ରମର ସଙ୍କେତ ।

 

ଆଶ୍ଚର୍ଯ୍ୟ ହୋଇଗଲା ଉଷା । ସେଇ ରୂପ ଦେଖି କେଜାଣି କାହିଁକି ହୃଦୟ ଭିତରେ ହତାଦର ନକରି ଆଦାର ଏବଂ ଅଭ୍ୟର୍ଥନା କଲା ସେ । ସେ ମନେକଲା ଏଇ ରୂପରେ ବୋଧେ ସବ୍ୟସାଚୀ ଅଧିକ ସୁନ୍ଦର, ଅଧିକ ସତେଜ ଦିଶେ ।

 

ଘରଭିତରକୁ ପଶିଆସି ଉଷାକୁ ସେଠାରେ ଦେଖି ଅବାକ୍ ହୋଇଯାଇ କହିଲା ସେ–ଆରେ ଆପଣ ଯେ । ନମସ୍କାର, ନମସ୍କାର ।

 

–ନମସ୍କାର । କିନ୍ତୁ ହଠାତ୍ ମତେ ଆପଣଙ୍କ ଘରଭିତରେ ବସିଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ନା ! ମୁଁ ଦୁଃଖିତ, ଖବର ନଦେଇ ଚାଲିଆସିଛି ।

 

–ନା, ନା । ସେଥିରେ କ’ଣ ଅଛି ।

 

ସ୍ନିଗ୍ଧ ସ୍ୱରରେ କହିଲା ସବ୍ୟସାଚୀ । ଏ ଭିତରେ ଅନାଥ ଖୁବ୍ ତତ୍ପତାର ସହିତ ଥଳିଦୁଇଟି ଓ ଅନ୍ୟାନ୍ୟ ଜିନିଷ ସବୁ ନେଇଯାଇଥିଲା ଭିତରକୁ ।

 

ଅନାଥ ହାତରୁ ତଉଲିଆ ନେଇ ମୁହଁ ପୋଛି ଗୋଟିଏ ମୋଡ଼ାଉପରେ ବସି କହିଲା ସବ୍ୟସାଚୀ–

 

–ପିଲାଟି ନୂଆ । ଆପଣଙ୍କୁ ଛିଡ଼ାକରାଇ ରଖିନଥିଲା ତ ?

 

–ନୂଆ ହୋଇପାରେ କିନ୍ତୁ ପାରିବାର । ଯଥାବିଧି ସମ୍ବର୍ଦ୍ଧନାରେ ତିଳେହେଲେ ତ୍ରୁଟି କରନାହିଁ ।

 

ହସିହସି କହିଲା ଉଷା ।

 

–ଆପଣ କିଛି ମନେକରିବେ ନାହିଁ । ମୁଁ ଟିକିଏ ଆସୁଛି ।

 

ତାକୁ ଉଠିବାର ଦେଖି କହିଲା ଉଷା–ବ୍ୟସ୍ତ ହୁଅନ୍ତୁ ନାହିଁ । ଟିକିଏ ଆରାମ କରନ୍ତୁ ଆଗ-। ତା’ପରେ ଅନ୍ୟ କିଛି ।

 

ନା, ନା । ଆଗ ଟିକେ ଚା’ଟା ହେଉ ।

 

–ଆପଣଙ୍କର ଆପତ୍ତିନଥିଲେ ମତେ ଦେଖାଇଦିଅନ୍ତୁ । ମୁଁ ବରଂ କରିଦଉଛି । ଉଠିବସିଲା ଉଷା ।

 

–ଆପଣ ଅତିଥି । ଅତିଥିଙ୍କୁ କାମ କରାଇବା ଶାସ୍ତ୍ରବିରୁଦ୍ଧ ।

 

–ନା । ଆପଣ ଫର୍ମାଲିଟି ପରିତ୍ୟାଗ କରନ୍ତୁ ମିଷ୍ଟର ମହାପାତ୍ର । ଚା’ର ସରଞ୍ଜାମ ଦେଖାଇଦିଅନ୍ତୁ । ମୁଁ ଚା’ କରିବି । ବରଂ ସେଇ ସମୟ ମଧ୍ୟରେ ଗାଧୋଇ ଆସନ୍ତୁ ଆପଣ ।

 

ଅଗତ୍ୟା ଅନ୍ୟଉପାୟ ନଦେଖି ଉଷାକୁ ଭିତରକୁ ନେଇଯାଇ ସବୁ ଜିନିଷ ଦେଖାଇଦେଇ ଅନାଥକୁ ତାକୁ ସାହାର୍ଯ୍ୟ କରିବାପାଇଁ ସ୍ନାନ ଘରକୁ ଚାଲିଗଲା ସବ୍ୟସାଚୀ ।

 

ସ୍ନାନ ଶେଷ କରି ବେଶ୍ ତାଜା ହୋଇ ଆସି ବସିବା ବେଳକୁ ଉଷା ପ୍ଳେଟରେ କିଛି ବିସ୍କୁଟ ଏବଂ ଦୁଇକପ ଗରମ ଚା’ ନେଇ ପରିବେଷଣ କଲା ଟେବୁଲ ଉପରେ । କପେ ଚା ଏବଂ ବିସ୍କୁଟ କିଛି ସବ୍ୟସାଚୀ ହାତକୁ ବଢ଼ାଇଦେଇ ଚୌକିଉପରେ ବସି କହିଲା ସେ ଏସବୁ ଝିଅମାନଙ୍କର କାମ । ଆପଣଙ୍କୁ ସାଜେନା ଏସବୁ ।

 

କ’ଣ କହିବ ଭାବିନପାରି ଅସାବଧାନ ବଶତଃ କହିପକାଇଲା–ସେ ସୁଯୋଗ ଯେତେବେଳେ ଆସିବ ଆରାମରେ ବସି ଏଇପରି ଚା’ପାନ କରିବି ମିସ୍ ଖାନ୍ନା ।

 

ତା’ ସ୍ୱରର ପରଶରେ ଲଜ୍ଜାର ଏକ ଲଘୁ ପକାଇଲା ଖେଳିଗଲା ଉଷା ଖାନ୍ନାର ବ୍ୟବସାୟିକ ମୁହଁଉପରେ । କ‘ଣ ସବୁ କହିପକାଇଲା ବୋଲି ଆଶ୍ୱସ୍ତି ବୋଧକଲା ସବ୍ୟସାଚୀ ।

 

କହିଲା କଥା ବହିଯାଏ ସମୟର ସ୍ରୋତ ପରି । ଲେଉଟି ଆସେନା । ଠିକ୍ ସମୟର ଅଣୁଅଂଶଟି ଯେପରି ଅତିବାହିତ ହୋଇଗଲା ପରେ ଆଉ କେବେ ଫେରିଆସେନା, କହିସାରିବା ପରେ ସେଇ କଥାକୁ ଆଉ ଫେରାଇଆଣି ହୁଏନା । ନିଜର ସମ୍ପୂର୍ଣ୍ଣ ଅଜ୍ଞାତରେ ଉଷା ମନର ଅନ୍ଧକାର ଜଗତରେ ଘର କରିବାର ପ୍ରଥମ ପ୍ରଦୀପ ଶିଖା ଅନୁଜ୍ଜ୍ୱଳ ଥିଲେ ବି ପ୍ରଥମେ ଜଳାଇଦେଲା ସବ୍ୟସାଚୀ ।

 

ଏପରି ତ କେବେ ଭାବିନଥିଲା ଉଷା । ସେ ମନମୁଗ୍ଧ ପରି ମୋହିତ ନୟନରେ ଚାହିଁ ରହିଲା ସବ୍ୟସାଚୀର ସଦ୍ୟାସ୍ନାତ ସରଳ ସୌମ୍ୟ ରୂପକୁ । କ୍ଷଣକ ପାଇଁ ମାନସ ଲୋକର ଲୋକାନ୍ତରକୁ ଚାଲିଗଲା ସେ । ସେଠାରେ ନଥିଲା ବାସ୍ତବ ପୃଥିବୀର ବ୍ୟସ୍ତତା । ସବୁଜ ଶ୍ୟାମଳ ଏକ ସମ୍ଭାବନାମୟ ପୃଥିବୀ ସେଠାରେ ଝଲମଲ କରୁଥିଲା ସପ୍ତରଙ୍ଗରେ । ରଙ୍ଗର ସେଇ ବିଳାସରେ ଅନୁରାଗର ଅଞ୍ଜନ କିଏ ଯେପରି ବୋଳିଦେଲା ତା’ ଆଖିରେ । ସେ ପରମ ବିସ୍ମୟ ଏବଂ ଅପରିସୀମ ଆବେଗରେ ଅନୁଭବ କଲା ସବ୍ୟସାଚୀ ତା’ ହୃଦୟର ରୁଦ୍ଧ କକ୍ଷର ଦ୍ୱାରୋଦ୍‍ଘାଟନ କରି ତା’ ସିଂହାସନ ଦଖଲ କରିନେଇଛି । ଅବାକ୍ ସ୍ତବ୍ଧହୋଇ ବସି ରହିଲା ଉଷା-

 

–କ’ଣ ଏତେ ଭାବୁଛନ୍ତି ? ଚା ଥଣ୍ତା ହୋଇଯିବ ଯେ ।

 

ଧରାପଡ଼ିଗଲା ଭାବି ଲାଜେଇଗଲା ଉଷା । କିନ୍ତୁ ସେଇ ମୁହୂର୍ତ୍ତେ ମାତ୍ର । ଧରା ନ ପଡ଼ିବାର ବାହାନା କରି ଚା’ରେ ଚୁମୁକ୍ ଦେଇ କହିଲା ସେ–ତାପରେ ଅଉ ସବୁ ଖବର କ’ଣ ?

 

–ଖବର ଆଉ କ’ଣ ? ଚାକିରି ରହିଲେ ହେଲା ।

 

–କାହିଁକି ? କି ହେଲା ?

 

ଆଉ କ’ଣ ହବ ଯେ । ମୁଁ କର୍ମଚାରୀସଂଘର ସେକ୍ରେଟେରୀ । ସେଇଥିପାଇଁ କର୍ତ୍ତୃପକ୍ଷଙ୍କ ବିଷ ଦୃଷ୍ଟି ପଡ଼ିଛି ମୋ ଉପରେ ।

 

–ସେ ତ ଆପଣଙ୍କ ଅଧିକାର । ଆପଣ କର୍ମଚାରୀ ଭାବରେ ସେ ଅଧିକାର ପାଇବାର ହକଦାର ।

 

–ସଂଘ ନ୍ୟସ୍ତସ୍ୱାର୍ଥ ସହିତ ମୁକାବିଲା କରିବାପାଇଁ ଚାହେଁ–ଏଇଥିପାଇଁ ବିପଦ । ଅନ୍ୟମନସ୍କ ହବାପରି କହିଲା ଉଷା–ଆଇ ସି....

 

–କିନ୍ତୁ ସେଥିପାଇଁ ମୁଁ ଆଦୌ ବିଚଳିତ ନୁହେଁ ମିସ୍ ଖାନ୍ନା ।

 

–ଆପଣଙ୍କ ଅପେକ୍ଷା ଆପଣଙ୍କ ପରିବାର ବିଚଳିତ ହବାର କଥା । ଅଜିକାଲିର କର୍ମ ସଙ୍କଟ ସମୟରେ ଚାକିରି ଚାଲିଯିବା ବଡ଼ ଦୁଃଖର କଥା ସତରେ ।

 

–ପରିବାର କଥା କହୁଛନ୍ତି । ପରିବାର କହିଲେ ମୁଁ, ମା’, ଭାଇ ଆଉ ଭଉଣୀ । ଆଉ କେହି ଥିଲେ ବି ମୁଁ ଏୟା କରନ୍ତି । କାରଣ ମୋ ଆଗରେ ଅନ୍ୟପଥ ନାହିଁ ।

 

ବରଂ ଆପୋଷ ସମାଧାନ କରିନିଅନ୍ତୁ ।

 

–ସେ ସମ୍ଭାବନା ଅତି କମ ।

 

କାହିଁକି ?

 

–ମାଲିକ ରାଜିହେଲେ ତ ? ନବାହିଁ ତାଙ୍କର ଧର୍ମ । ପୁଞ୍ଜିବାଦର ଅନ୍ତରାଳରେ ଡିନୋଁସାର ଆତ୍ମା ଲୁଚି ରହିଛି । ସେଠାରେ ସାଧାରଣ ଧର୍ମ ଅଧର୍ମ, ନ୍ୟାୟ ଅନ୍ୟାୟର ସ୍ଥାନ ନାହିଁ-

 

–ତଥାପି ସମାଧନ ପାଇଁ ଶେଷ ଚେଷ୍ଟା କରିବା ଉଚିତ ହେବନାହିଁକି ?

 

–ଉଚିତ ହେବ । କିନ୍ତୁ ଆମେ ଯଦି ସମାଧାନ ପାଇଁ ପ୍ରସ୍ତାବ କରୁ କମ୍ପାନୀ ତାକୁ ଆମର ଦୁର୍ବଳତା ବୋଲି ମନେକରିବ ।

 

ଚା ପାନ ଶେଷ ହୋଇଥିଲା । ଦୁହେଁ କିଛି ସମୟ ନୀରବ ରହିବାପରେ ଆରମ୍ଭ କଲା ଉଷା–କାଲି ହୋଟେଲ କ୍ୟାପିଟାଲରେ ଏକ ବନ୍ଧୁ ମିଳନର ଆୟୋଜନ ହୋଇଛି । ଆପଣ ସେଥିରେ ଯୋଗଦେଲେ ଉପକୃତ ହେବି ।

 

–ମୁଁ ଅତ୍ୟନ୍ତ ବ୍ୟସ୍ତ ଅଛି ମିସ୍ ଖାନ୍ନା ଶ୍ରମିକ ଆନ୍ଦୋଳନ ନେଇ । ହୁଏତ ଠିକ୍ ସମୟରେ ପହଞ୍ଚିପାରିବି ନାହିଁ ।

 

–ଠିକ୍ ଅଛି । ଆପଣ କିଛି ବିଳମ୍ବରେ ଆସିବେ । ରାତି ନଅଟା ସୁଦ୍ଧା ଆସନ୍ତୁ ।

 

–ମତେ କ୍ଷମାକରନ୍ତୁ । ବୋଧେ ସମ୍ଭବ ହେବନି ।

 

–ମୋ ମନରେ କଷ୍ଟ ହେବ ମିଷ୍ଟର ମହାପାତ୍ର । ଅବଶ୍ୟ ଯିବା ନଯିବା ଆପଣଙ୍କ ଉପରେ ନିର୍ଭର କରେ । ଆପଣଙ୍କ ବ୍ୟକ୍ତିଗତ ବିଚାର ଉପରେ ମୁଁ ହସ୍ତକ୍ଷେପ କରିବାପାଇଁ ଚାହେଁନା । ତେବେ କାଲି ମୋର ଜନ୍ମଦିନ । ଆପଣ ଆସିଲେ ଆନନ୍ଦିତ ହୁଅନ୍ତି ଅନେକ ବେଶୀ ।

 

ଭୂରୁ ନଚାଇ ବ୍ୟକ୍ତିଗତ ଆକର୍ଷଣର ଅଭିନନ୍ଦନ ଜଣାଇ ତରୁଣୀର ତୀକ୍ଷ୍ଣ ଅସ୍ତ୍ର ପ୍ରୟୋଗ କଲା ଉଷା ।

 

–ଆପଣଙ୍କ ଜନ୍ମଦିନର ଶୁଭ ଏବଂ ସଫଳତା କାମନା କରେ । ତା’ ଛଡ଼ା କାମନା କରେ ଆପଣଙ୍କ ଦୀର୍ଘଜୀବନ, ସୁଖୀ ହୁଅନ୍ତୁ ଆପଣ ।

 

–କାଲି ଯଦି ଦଶମିନିଟ ପାଇଁ ମଧ୍ୟ ଆସି ଏକଥା କହିପାରିବେ ମୁଁ ନିଜକୁ ସାର୍ଥକ ମନେକରିବି ମିଷ୍ଟର ମହାପାତ୍ର ।

 

ସବ୍ୟସାଚୀର ଆଖିଉପରେ ଆଖିରଖି କହିଲା ଉଷା । କଳା କଳା ଆଖିର ଭସା ଭସା ଚାହାଣିରେ ସେ ଭରିଦେଇଥିଲା ପରକୁ ଆପଣାର କରିବାର ଏକ ଅମୋଘ ମାଦକତା । ସେଇ କ୍ଷେପଣାସ୍ତ୍ରର ଆଘାତରେ ଦ୍ୱନ୍ଦ୍ୱରେ ପଡ଼ିଗଲା ସବ୍ୟସାଚୀ । ଜଣେ ନାରୀକୁ ଏଭଳି ବାର ବାର ବାରଣ କରିବା ଶିଷ୍ଟାଚାର ବିରୁଦ୍ଧ । ନିରୀହ ମନରେ ଟିକିଏ ଭାବିଲା ସେ । ତା’ପରେ କହିଲା–ନିର୍ଭର କଥା ଦଉନି । ତଥାପି ଚେଷ୍ଟା କରିବି ମିସ୍‍ ଖାନ୍ନା ।

 

ଉଷାର ମୁହଁରେ ଉଜ୍ଜ୍ୱଳତାର ଦୀପ୍ତି ଉକଟିଉଠିଲା । ସେ ମଧୁର କଣ୍ଠରେ ଆଦେଶର ପରଶ ବୋଳି କହିଲା– ଆପଣଙ୍କୁ ଅଶେଷ ଧନ୍ୟବାଦ । ଆସିବେ କିନ୍ତୁ । ଆପଣଙ୍କ ଆଗମନକୁ ଗଭୀର ଉତ୍କଣ୍ଠାର ସହିତ ଅନାଇ ରହିବି ମୁଁ ।

 

କଥା ଶେଷ କରି ଉଠିବସିଲା ଉଷା । ଉଠିବସିଲା ସବ୍ୟସାଚୀ ।

 

–ଏତେଶୀଘ୍ର ଉଠିବସିଲା ଯେ ?

 

–କାମ ଅଛି ମିଷ୍ଟର ମହାପାତ୍ର । ଜାଣନ୍ତୁ ତ ବ୍ୟକ୍ତିଗତ କମ୍ପାନୀର ସାମାଜିକ ସେକ୍ରେଟାରୀ ମୁଁ । ଗୋଟାଏ ନା ଚୋଟାଏ ଏନଗେଜମେଣ୍ଟ ଲାଗି ରହିଥାଏ ପ୍ରାୟ ।

 

କହିଲାବେଳେ ବିଶେଷ ଭଙ୍ଗୀରେ ଗ୍ରୀବା ଦୋହଲାଇ ଛାତିଉପରର ଆବରଣ ଅନେକଟା ସ୍ଥାନଚ୍ୟୁତ କରିଦେଲା ସେ ।

 

ଅନାବୃତ୍ତ ଦେହାଂଶର ସେଇ ଅଶ୍ଳୀଳ ଆବେଦନ ଦେଖିନପାରି ଲଜ୍ଜାରେ ମୁହଁ ଫେରାଇଲା ସବ୍ୟସାଚୀ ।

 

ସେ ଚାଲିଗଲା ।

 

ତା’ ଯିବା ପଥକୁ ଅନେକ ସମୟ ଧରି ଅନାଇ ରହିଲା ସବ୍ୟସାଚୀ ।

 

ସନ୍ଧ୍ୟା ହୋଇଯାଇଥିଲା । ପଛରୁ ଡାକିଲା ଅନାଥ–ବାବୁ ।

 

–କ’ଣରେ ।

 

–ଆଜି ପରା କିଏ ଖାଇବେ କହୁଥିଲ ।

 

–ହଁ ସତେତ । ମୁଁ ଏକାବେଳେ ଭୁଲିଯାଇଥିଲି । ଚାଲ ତୁ ଅଗ ଯାଇ ସବୁ ଆୟୋଜନ କର । ମୁଁ ଆସୁଛି ।

 

ଭିତରକୁ ଯାଇ କାମିଜ ଖୋଲି, ଲୁଗା ବଦଳାଇ ରୋଷଘରେ ବସି ରାତି ଖାଇବାର ଆୟୋଜନ କଲା ସେ । ରାତିରେ କର୍ମଚାରୀ ସଂଘର କାର୍ଯ୍ୟକାରୀ ସମିତିର ସଭା ତା’ ଘରେ ବସିବ ଏବଂ ସଭ୍ୟମାନେ ଭୋଜନ କରିବେ ତା’ ସାଙ୍ଗରେ ।

 

ଭାତ, ଡାଲମା, ଭଜା ଏବଂ ଚଟଣି । ସ୍ୱଳ୍ପ ଆୟୋଜନ । ଅଧିକ ଜାଣେନି ସେ ପ୍ରସ୍ତୁତ କରିବା ପାଇଁ ।

 

ରୋଷେଇ କରୁ କରୁ ଭାବିଚାଲିଲା ସବ୍ୟସାଚୀ–

 

ସେ କ’ଣ ଏକ ନା । ସେ ଏକ ନୁହେଁ–ଅନେକ । କିଏ ମନଭିତରେ ଉତ୍ତରଦେଲା ତା’ର, ତା’ହେଲେ ଭୟନାହିଁ, ପଛଘୁଞ୍ଚା ନାହିଁ । ସେ ଅଗେଇଯିବ । କିନ୍ତୁ ଏତେବଡ଼ ଗୋଟିଏ ସିଦ୍ଧାନ୍ତ ନବା ପୂର୍ବରୁ ସୁନୀତାକୁ ପଚାରିବା କ’ଣ ଉଚିତ ନଥିଲା । ମନକୁମନ ପୁଣି ଉତ୍ତର କଲା ସେ–ନା’ ସମୟ ନ ଥିଲା । ତା’ପରେ ତାକୁ କାହିଁକି ଅଯଥା ଏଇ ସଂଘର୍ଷ ଭିତରକୁ ଟାଣିଆଣିବ ।

 

ସୁନୀତାର ସ୍ନେହସ୍ନିଗ୍ଧ ସାନିଧ୍ୟ ମନେପଡ଼ିଲା । ମନେପଡ଼ିଲା ତା’ର ଟଣା ଟଣା ଆଖିର ଅୟୁତ କାହାଣୀ । କେତେ କହିବା ପାଇଁ ସେଦିନ ଚାହିଁଥିଲା ସେ । କିନ୍ତୁ କିଛି ପ୍ରାୟ କହିପାରିଲାନି-। ଖଣ୍ତିଏ ଚିଠିରେ ତା’ ହୃଦୟର ଆଭାସ ମାତ୍ର ଦେଇଛି ସେ । ସେତିକି କ’ଣ ଯଥେଷ୍ଟ ।

 

ଯାହାର ଯେଉଁଠି ଯେତେ ବେଶୀ କହିବାର ଥାଏ, ସେଇଠି ସବୁଠୁ କମ୍ କହିହୁଏ । ସେଠାରେ ନ କହିବାହିଁ କହିବାଠୁ ଅଧିକ ମୁଖର, ଅଧିକ କବିତାମୟ । ସୁନୀତାର ଥରିଲା ଥରିଲା ଓଠ, ସ୍ୱପ୍ନଝରା ଚାହାଣୀ ଏବଂ ଅବଗୁଣ୍ଠିତ ମନର ଅଶେଷ ସ୍ୱପ୍ନ ଓ ଅଭିଳାଷ ତାକୁ ଅଧିକ ସଂଗ୍ରାମୀ ଏବଂ ଉଦ୍ୟମଶୀଳ କରିଥିଲା–ସନ୍ଦେହ ନାହିଁ

 

ହୃଦୟର ଉତ୍ତାପ ଯେତିକି ବଢ଼େ ସେତିକି ତା’ର ଝାସ ଲାଗେ ସୋହାଗିନୀର ମନକୁ । ସଂଚରିତ ହୁଏ ଗୋଟିଏ ହୃଦୟର ଉତ୍ତାପ ଅନ୍ୟଗୋଟିଏ ହୃଦୟର ଆଲେଖ୍ୟରେ ଦୁହେଁ ଆସନ୍ତି ନିକଟବର୍ତ୍ତୀ ହବାପାଇଁ ସେଇ ଦହନରେ ଦଗ୍ଧ ହବାଲାଗି ।

 

ସେଇପରି ନିକଟବର୍ତ୍ତୀ ହୋଇଥିଲେ ସେମାନେ ।

 

ସବ୍ୟସାଚୀ ଓ ସୁନୀତା ।

 

ସଂଗ୍ରାମୀ ସବ୍ୟସାଚୀ ନିଜକୁ ପଚାରିଲା ବାରମ୍ବାର ତା’ର ସଂଗ୍ରାମୀ ରୂପ ନ ବଦଳାଇ ସେ ସୁନୀତାକୁ ଗ୍ରହଣ କରିପାରିବ ତ । ସୁନୀତା ସହିପାରିବ ତ ଏତେ ସ୍ୱପ୍ନ ମଧ୍ୟରେ ଏତେ ଆଲୋକର ଉତ୍ତାପ ।

 

ହୃଦୟର ଆକ୍ଷେପ ବ୍ୟାକୁଳତା ନେଇ କିଏ ଯେପରି ତା’ କାନେ କହିଗଲା–ପାରିବ, ....ପାରିବ...ପାରିବ ।

 

କୋଡ଼ିଏ

 

ବିପକ୍ଷର ବିଭିନ୍ନ ଯୋଜନାକୁ ଗୋଟି ଗୋଟି କରି ନିର୍ଦ୍ଦୟ ଭାବରେ ଆଗୁଆ ଯୋଜନା ଦ୍ୱାରା ଭାଙ୍ଗିଦେଲା ପରେ ଉଲ୍ଲାସ କରିବା ପାଇଁ ଟିକିଏ ଇଚ୍ଛାହେଉଥିଲା ହିମାଂଶୁ ବାବୁଙ୍କର ।

 

ଏଇ କେତେଦିନର ଅନେକ ପରିଶ୍ରମ ତାଙ୍କୁ କ୍ଳାନ୍ତ କରିପକାଇଥିଲା । କିନ୍ତୁ ବେଶ୍ ଭଲଲାଗୁଥିଲା ଖେଳ ପାଇଁ । ଧର୍ମଘଟର ଗୋଟିଏ ପରିକଳ୍ପନାକୁ ନିଜର ପରିକଳ୍ପନାଦ୍ୱାରା ଆଗତୁରା ଟକ୍କର ଦେଇ ଚେସ୍ ଖେଳର ଉତ୍ସାହ ପାଇଁ–ଥିଲେ ସେ ।

 

ଅର୍ବାଚୀନ ।

 

ଅର୍ବାଚୀନ ନୁହେଁ ତ ଆଉ କ’ଣ । କାଲି ଚାକିରିରେ ଯୋଗଦେଇ କର୍ମଚାରୀ ସଂଘର ସେକ୍ରେଟାରୀ ହୋଇ ହିମାଂଶୁ ପଟ୍ଟନାୟକ ସହିତ ଟକ୍କର ଦବା କ’ଣ ଏଡ଼େ ସହକ । କର୍ମଚାରୀ ସଂଘର ସଭାପତି ସୁଧାକର ବାବୁଙ୍କୁ ମଦ ଏବଂ ପଦୋନ୍ନତିର ଲୋଭଦେଖାଇ ହାତ କରିନେଲେ । ପ୍ରଥମେ ଅବଶ୍ୟ ପାଗଳାମୀ ଦେଖାଉଥିଲେ ସେ କିନ୍ତୁ ଚାକିରି ଗଲେ ଖାଇବେ କ’ଣ ? ନିଜର ଏକାକୀ ଜୀବନର ହା ହୁତାଶକୁ ଘୋଡ଼ାଇ ରଖିବା ପାଇଁ ମଦ ମିଳିବ କେଉଁଠୁ । ଅର୍ଥ ଆସିବ କାହୁଁ-

 

ଆଉ ସବ୍ୟସାଚୀ । ତାକୁ କାବୁ କରିବା ପୂର୍ବରୁ ନିଜର ସିଦ୍ଧାନ୍ତ ଅନୁସାରେ ଧର୍ମଘଟ ପୂର୍ବରୁ ବେତନ ବଢ଼ାଇଦେଲେ, ଘରଭଡ଼ା ବାବଦ ଅଧିକ ଅର୍ଥର ବ୍ୟବସ୍ଥା କଲେ ହିମାଂଶୁ । ଏହା ବ୍ୟତୀତ ଶ୍ରମିକ ମଙ୍ଗଳ କାର୍ଯ୍ୟରେ କମ୍ପାନୀଙ୍କୁ ପରାମର୍ଶ ଦବାପାଇଁ କର୍ମଚାଚୀମାନଙ୍କ ପ୍ରତିନିଧିମାନଙ୍କୁ ନେଇ ଏକ ଷ୍ଟାଫ୍ କାଉନସିଲ୍ ଗଠନ କରିଦେଲେ । କରିତ୍‍କର୍ମା ପୁରୁଷ ହିମାଂଶୁ-। ପଛରେ ପଡ଼ିଗଲା ସବ୍ୟସାଚୀ ।

 

ନିଦିଷ୍ଟ ସମୟରେ ସମ୍ବାଦଦାତାଙ୍କ ଆନୁକୂଲ୍ୟରୁ ସମ୍ବାଦପତ୍ରମାନଙ୍କରେ ସବିଶେଷ ବିବରଣୀ ପ୍ରକାଶ ପାଇଗଲା । ତାଙ୍କର ପ୍ରଗତିଶୀଳ ଶିଳ୍ପନୀତି ଏବଂ ଶ୍ରମିକପ୍ରୀତି ଉପରେ ସମ୍ପାଦକୀୟ ମଧ୍ୟ ପ୍ରକାଶ ପାଇଲା ନନ୍ଦରାମଙ୍କ କାଗଜ ‘ଆର୍ଯ୍ୟାବର୍ତ୍ତ’ରେ । ଫଳରେ ଭିତର ଖବର ଜାଣିନଥିବା ସାଧାରଣ ଲୋକଙ୍କର ସହାନୁଭୂତି ଓ ସମର୍ଥନ ହ୍ରାସ ପାଇଲା ଧର୍ମଘଟ ଉପରୁ ।

 

କିନ୍ତୁ ଏହା ସତ୍ତ୍ୱେ ଶୋଭାଯାତ୍ରା ବାହାରିଥିଲା କଟକର ବଡ଼ ରାସ୍ତାରେ ସ୍ଳୋଗାନ ଦେଇ ଦେଇ । ସୁଧାକର ଶାରୀରିକ ଅସୁସ୍ଥତାବଶତଃ ଯୋଗଦେଇପାରିବେ ନାହିଁ ବୋଲି ଶେଷ ମୁହୂର୍ତ୍ତରେ କହି ପଠାଇଥିଲେ । କିନ୍ତୁ ସବ୍ୟସାଚୀ ଚାଲିଲା ସମ୍ମୁଖରେ ।

 

ଗତ ଦୁଇ ତିନିଦିନ ଧରି ସହରରେ ଶାନ୍ତିଭଙ୍ଗ ଯୋଗୁ ପୁଲିସ ଆଇନ ବଳ–ବତ୍ତର ଥିଲା । ‘ସୁରାସିନ୍ଧୁ’ ଉଦ୍‍ଘାଟନକୁ କେନ୍ଦ୍ରକରି ଯେଉଁ ଗଣ୍ତଗୋଳ ଅଶାନ୍ତି ଉପୁଜିଥିଲା ତାହା ଏପର୍ଯ୍ୟନ୍ତ ଶାନ୍ତ ପଡ଼ିନଥିଲା । ତେଣୁ ଅନ୍ୟ ଏକ ଶୋଭାଯାତ୍ରା କାଳେ ସହରରେ ଅଧିକ ଅଶାନ୍ତ ଉପୁଜାଇବାର କାରଣ ହାଇପାରେ ସେଥିପାଇଁ ଶୋଭାଯାତ୍ରା ବକ୍ସିବଜାର ଛକରେ ପହଞ୍ଚିବାକ୍ଷଣି ତାହା ବେଆଇନ ଘୋଷଣା କରିଦିଆଗଲା ।

 

ପୁଲିସ ଶେଭାଯାତ୍ରାକାରୀମାନଙ୍କୁ ସତର୍କ କରାଇଦେଲେ ଆଗକୁ ନଯିବାପାଇଁ ।

 

ଏତେଟା ଭାବିପାରିନଥିଲା ସବ୍ୟସାଚୀ । ପ୍ରତିପକ୍ଷ ଯେ ପ୍ରବଳ ଏବଂ ପରାକାନ୍ତ ଏଥିରେ ସେ ନିଃସନ୍ଦେହ ଥିଲା । କିନ୍ତୁ ତା’ର ସମସ୍ତ ପ୍ରଚେଷ୍ଟା ଏବଂ କୌଶଳକୁ ବ୍ୟର୍ଥକରି କେବଳ ପ୍ରଚାର ଦିଗରେ ନୁହେଁ, ଶୋଭାଯାତ୍ରା ଏବଂ ଧର୍ମଘଟକୁ ମଧ୍ୟ ଅକାମୀ କରିଦେଲେ ହିମାଂଶୁ । ନ୍ୟସ୍ତସ୍ୱାର୍ଥର କରାମତ ପଣିଆ ଦେଖି ସ୍ତମ୍ଭିତ ହୋଇଗଲା ସେ ।

 

ଶୋଭାଯାତ୍ରା ଆଉ ଆଗକୁ ଯିବା ନିଷେଧ । ଆଇନ ଅମାନ୍ୟ କଲେ ଗିରଫ ଏବଂ ତାପରେ ଅଧିକ ଅଶାନ୍ତି କଲେ ଦ୍ରୁତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇପାରେ । ହିଂସାତ୍ମକ କାଣ୍ତ ମଧ୍ୟ ଯେ ନ୍ୟସ୍ତମାନଙ୍କ ପ୍ରରୋଚନାରେ ନହେବ ତାହା କିଏ କହିବ । ବହୁ ଭାବିଚିନ୍ତି ଶୋଭାଯାତ୍ରାକୁ ଆଉ ଆଗକୁ ନ ନେଇ ସେଠାରେ ଭାଷଣ ଦେଲା ଦୃପ୍ତ ଏବଂ ଶାଣିତ କଣ୍ଠରେ ।

 

‘‘ବନ୍ଧୁଗଣ,

 

ଆସନ୍ତାକାଲିଠାରୁ ହିମାନୀ ଷ୍ଟୁଡିଓ ଏବଂ ତତ୍‍ସଂଲଗ୍ନ ଅଫିସ୍ କର୍ମଚାରୀମାନଙ୍କର ଯେଉଁ ଧର୍ମଘଟ ଚାଲୁହବାର କଥା, ସେଇ ଉଦ୍ଦେଶ୍ୟରେ ଅମର ସମ୍ମିଳିତ ଉଦ୍ୟମରେ ଏଇ ବିରାଟ ଶୋଭାଯାତ୍ରା । କିନ୍ତୁ ଆମର ନ୍ୟାଯ୍ୟଦାବି ପୂରଣ କରିବାର ଛଳନା କରି କମ୍ପାନୀ ତରଫରୁ ଯେଉଁ ଘୋଷଣା କାଗଜରେ ପ୍ରକାଶ ପାଇଛି ତାହା ଯଥେଷ୍ଟ ନୁହେଁ । ଆମର ଦାବି କମ୍ପାନୀ କର୍ମଚାରୀ ସଂଘ ସହିତ କଥାବାର୍ତ୍ତା କରି ଏକ ସମ୍ମାନଜନକ ସମାଧାନ ବାହାର କରନ୍ତୁ । ଆମର ଦାବି ନ୍ୟାୟ ଏବଂ ସତ୍ୟଉପରେ ପ୍ରତିଷ୍ଠିତ । କମ୍ପାନୀର ଯଥେଷ୍ଟ ଲାଭ ହେଉଥିଲେ ହେଁ ଏବଂ ଏହା ଶ୍ରମିକମାନଙ୍କର କୌଣସି ଅଂଶ ନାହିଁ । ଯେଉଁମାନେ ଅର୍ଦ୍ଧାହାର ଅନାହାରରେ ରହି କମ୍ପାନୀର ଉତ୍ତରୋତ୍ତର ଅଭିବୃଦ୍ଧି ଏବଂ ଅଧିକ ଉପ୍ତାଦନରେ ସାହାଯ୍ୟ କରୁଛନ୍ତି ସେମାନଙ୍କର ପ୍ରତିନିଧି କମ୍ପାନୀର ପରିଚାଳନା ସହିତ ସବୁ ସ୍ତରରେ ସଂପୃକ୍ତ ରହିବା ଆବଶ୍ୟକ । ଶ୍ରମିକମାନଙ୍କୁ ଉପଯୁକ୍ତ ଚିକିତ୍ସା, ବାସଗୃହ, ମହଙ୍ଗା ଭତ୍ତା ତଥା ସେମାନଙ୍କର ବାର୍ଷିକ ବୋନସ ଏବଂ ଦରମା ହାର ଯଥାପୃକ୍ତ ବୃଦ୍ଧି କରି ସେମାନଙ୍କର ଆବଶ୍ୟକତାନୁସାରେ ଦରମା ହାର ସ୍ଥିର କରିବା ପାଇଁ ମୁଁ ଦାବି କରୁଛି ।

 

ଆମେ ଅହିଂସା ମାର୍ଗରେ ସଦ୍‍ଇଚ୍ଛାର ସହିତ ଅଗ୍ରସର ହେବୁ । ଏଣୁ ଆଇନଅମାନ୍ୟ ଆମର ଉଦ୍ଦେଶ୍ୟ ନୁହେଁ । ଏହାର ଅର୍ଥ ନୁହେଁ ଯେ ଆମେ ଦୁର୍ବଳ । ଆମର ଶକ୍ତି ଆମର ନ୍ୟାୟୋଚିତ ଦାବି ଉପରେ ନିର୍ଭର କରେ । ମୋ ଉପରେ ଶ୍ରମିକମାନେ ଯେଉଁ ଆସ୍ଥା ସ୍ଥାପନ ଭାଜନ ହେବାପାଇଁ ମୋତେ ଆପଣମାନେ ସମବେତ ଭାବରେ ସାହାଯ୍ୟ ଓ ସହଯୋଗ କରନ୍ତୁ । ମୁଁ ପ୍ରତିଶ୍ରୁତି ଦେଉଛି ଯେ, ଶ୍ରମିକମାନଙ୍କର ନାଯ୍ୟ ଦାବି ହାସଲ ନହେବା ଯାଏ ଏବଂ କମ୍ପାନୀ ଏକ ଶାନ୍ତିପୂର୍ଣ୍ଣ, ସମ୍ମାନଜନକ ସମାଧାନ ବାହାର ନକରିବା ଯାଏ ଏ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଉପାୟରେ ଚାଲୁ ରହିବ । ଏଥିନିମିତ୍ତ ସମସ୍ତ ଦୁର୍ଭୋଗ ଓ ନିର୍ଯାତନା ଅକାତରରେ ସହିଯିବା ପାଇଁ ଆମ୍ଭେମାନେ ବଦ୍ଧପରିକର । ଆପଣମାନେ କାର୍ଯ୍ୟ କରନ୍ତୁ, କିନ୍ତୁ ପ୍ରତିବାଦ ସ୍ୱରୂପ କଳାବ୍ୟାଚ୍ ପରିଧାନ କରନ୍ତୁ କାଲିଠାରୁ ।

 

ସତ୍ୟ ଓ ନ୍ୟାୟ ଜିନ୍ଦାବାଦ୍

 

ଶ୍ରମିକ ଏକତା ଜିନ୍ଦାବାଦ୍

 

ଇନ୍‍କିଲାବ ଜିନ୍ଦାବାଦ୍ ।

 

ବିପୁଳ କରତାଳି ମଧ୍ୟରେ ଭାଷଣ ଶେଷରେ ସବ୍ୟସାଚୀ ସହିତ ସ୍ୱର ମିଳାଇ ସମସ୍ତେ ଧ୍ୱନିଦେଲେ ବିପୁଳ ଉତ୍ସାହରେ ।

 

ଶୋଭାଯାତ୍ରା ବାହୁଡ଼ିଗଲା ।

 

ଘରେ ପହଞ୍ଚି ଲୁଗା ବଦଳାଇ ଯେତେବେଳେ ସାଇକଲ ଧରି ହୋଟେଲ କ୍ୟାପିଟାଲ ଉଦ୍ଦେଶ୍ୟରେ ବାହାରିଲା ସବ୍ୟସାଚୀ, ସେତେବେଳକୁ ରାତି ଆଠଟା ପଇଁଚାଳିଶ ମିନିଟ ।

 

ହୋଟେଲ ସମ୍ମୁଖରେ ସାଇକଲରୁ ଓହ୍ଲାଇଲା ସବ୍ୟସାଚୀ । ଚାରିଆଡ଼େ ଆଲୋକର ଅପରୂପ ସଜ୍ଜା । ହୋଟେଲ ସମ୍ମୁଖରେ ପାର୍କିଂ ଅଞ୍ଚଳରେ ପ୍ରାୟ ପନ୍ଦର କୋଡ଼ିଏଟି ମୋଟର ଗାଡ଼ି-। ଉଦ୍ୟାନର ବିଭିନ୍ନ ସ୍ଥାନରେ ଏବଂ ଉଦ୍ୟାନ ମଧ୍ୟସ୍ଥ ଜଳ କୁଣ୍ତରେ ରଙ୍ଗ ରଙ୍ଗିଣୀ ଆଲୋକର ପୁଂଆରା । ଆଧୁନିକ ଜୀବନଯାତ୍ରାର ଏକ ଅପରିହାର୍ଯ୍ୟ ଅଙ୍ଗ ହେଉଛି ଏଇ ହୋଟେଲ । କେବଳ ଖାଦ୍ୟପେୟର ସୁବ୍ୟବସ୍ଥା କରେନାହିଁ । ଘରଠାରୁ ଦୂରରେ, ପ୍ରିୟଜନର ବିରହରେ ପ୍ରବାସରେ ପରର ନିରାପଦ ଆଶ୍ରୟ, ପ୍ରିୟତମାର ଉତ୍ତପ୍ତ ଆଲିଙ୍ଗନ ଏବଂ ମନ ଓ ମଣିଷକୁ ଇନ୍ଦ୍ରଧନୁର ସପ୍ତରଙ୍ଗର ପରାଗ ଦେଇ ଆଧୁନିମ ମଣିଷକୁ ବିହ୍ଵଳ କରେ ଆଧୁନିକ ହେଟେଲ । ସେଥିପାଇଁ ଘରଠାରୁ ହଜାର ହଜାର ମାଇଲ ବ୍ୟବଧାନରେ ରହି ମଧ୍ୟ ମଣିଷ ପାଏ ଆଦିମ ଜୀବନର ଐକ୍ୟତାନ, ଆଶାତୀତ ଆନନ୍ଦ ।

 

ସେଇ ହୋଟେଲ ଜୀବନ ସହିତ ନିବାଡ଼ ଭାବରେ ପରିଚିତ ନହେଲେ ମଧ୍ୟ ଏହାର ଆଖି ଝଲସା, ମନ ଉଲସା ରୂପ ଦେଖି ଅବାକ୍ ହୋଇଗଲା ସବ୍ୟସାଚୀ ।

 

ହୋଟେଲ କ୍ୟାପିଟାଲର ନିର୍ଦ୍ଦିଷ୍ଟ ସ୍ଥାନରେ ସବ୍ୟସାଚୀକୁ ସମ୍ବର୍ଦ୍ଧନା ଜଣାଇଲା ଉଷା । ଜନ୍ମଦିନର ଶୁଭକାମନା କରି ତା’ ହାତକୁ ରଜନୀଗନ୍ଧାର ପୁଷ୍ପସ୍ତବକ ଟେକିଦେବାବେଳେ ଫଟୋ ନେଲେ ଫଟୋଗ୍ରାଫର ।

 

ହଲ ଭର୍ତ୍ତି, ଅତିଥିମାନଙ୍କ ସମାବେଶରେ ନିଜକୁ ଅପରିଚିତ ମନେକଲା ସେ । ଏମାନଙ୍କ ସହିତ ପ୍ରାୟ ପରିଚୟ ନଥିଲା ତା’ର । ପୋଷାକ ଏବଂ ଆଭିଜାତ୍ୟର ନିଶାଣରେ ସେ ହେୟ ଦେଖାଗଲା ସେଠାରେ । କିନ୍ତୁ ନିଜଉପରେ ଅଗାଧ ବିଶ୍ୱାସ ଏବଂ ଶ୍ରଦ୍ଧା ଥିଲା ତା’ର । ଦବିନଯାଇ ବରଂ ଟିକେ ଅହମିକା ନେଇ ମିଳାମିଶା କଲା ସବ୍ୟସାଚୀ ।

 

ଉଷା ତାକୁ ଅନ୍ୟାନ୍ୟ ଅତିଥିମାନଙ୍କ ସହିତ ପରିଚିତ କରାଇଦେଲାବେଳେ କହିଲା–ଶ୍ରୀ ସବ୍ୟସାଚୀ ମହାପାତ୍ର । ଉଦୀୟମାନ ଶ୍ରମିକ ନେତା ଏବଂ ବାଗ୍ମୀ ।

 

–ହାମେ ଆପଣଙ୍କୁ ଦେଖି ବହୁତ ଖୁସିହେଲା ସବ୍ୟସାଚୀ ବାବୁ ।

 

ହସି ହସି ତା’ ସାମ୍ନାକୁ ଆସି ତା’ ସହିତ କରମର୍ଦ୍ଦନ କରି କହିଲେ ନନ୍ଦରାମ ହନୁତାରମମ । ଫଟୋ ଉଠିଲା ପୁଣି ।

 

–ଏ ହେଉଛନ୍ତି ଶ୍ରୀ ନନ୍ଦରାମ ହନୁତରାମ । ହୋଟେଲ କ୍ୟାପିଟାଲର ପ୍ରତିଷ୍ଠାତା ଏବଂ ପ୍ରୋଗ୍ରେସିଭ ଶିଳ୍ପପତି ।

 

–ଆରେ ନା, ନା । ଏସବୁ କ’ଣ କହୁଛେ ଉଷାଦେବୀ । ହାମର କି ଶକ୍ତି ଆଛେ ଶିଳ୍ପପତି ହବେ । ମେ ସବ୍ୟସାଚୀ ବାବୁକେ ମାଫିକ ଏକ ସାଧାରଣ ଶ୍ରମିକ ଆଛେ ।

 

ପାଖରେ ଛିଡ଼ାହୋଇ ପାରିଜାତ କହିଲେ–ହିଅର, ହିଅର । ଆମେ ଏକ କଥାରେ ସମସ୍ତେ ଶ୍ରମିକ ମିଷ୍ଟର ନନ୍ଦରାମଜୀ ।

 

ସବ୍ୟସାଚୀ ଚାହିଁଲା ପାରିଜାତ ବାବୁଙ୍କୁ । କେଉଁଠି ଦେଖିଲାପରି ମନେହେଲା । କିନ୍ତୁ ସ୍ମରଣ କରିପାରିଲା ନାହିଁ ।

 

ତାକୁ ସେ ସଙ୍କଟରୁ ମୁକ୍ତିଦେଇ ପରିଚିତ କରାଇଦେଇ କହିଲା ଉଷା–ମିଷ୍ଟର ପାରିଜାତ ମହାନ୍ତି । ବେସରକାରୀ ଏମ୍ପଲୟମେଣ୍ଟ ବ୍ୟୁରୋର ଡାଇରେକ୍ଟର ଏବଂ ବିଶିଷ୍ଟ ସମାଜସେବୀ ।

 

ବହୁ ଲୋକଙ୍କ ସହ ପରିଚୟ ହେଲା ତା’ର । କିନ୍ତୁ କେହି ତା’ ଗୋଷ୍ଠୀର ନ ଥିଲେ । ସମଧର୍ମୀମାନଙ୍କ ମଧ୍ୟରେ ମଣିଷ ସହଜ ହୁଏ । କିନ୍ତୁ ଯେଉଁମାନଙ୍କ ସହିତ ଆଚାର ବ୍ୟବହାର, ପୋଷାକ ପରିଚ୍ଛଦ ବା ଅନ୍ୟ କେଉଁଥିରେ ବିନ୍ଦୁ ବିସର୍ଗ ସମତା ନଥିଲା, ସେମାନଙ୍କ ସମାବେଶରେ କେବଳ ସେମାନଙ୍କର ଚାଲିଚଳନ ଦେଖିଲା ସେ । ଅଳ୍ପ ସମୟ ମଧ୍ୟରେ ଅତିଷ୍ଠ ହୋଇଉଠିଲା । ସେ କାର୍ଯ୍ୟର ଛଳନା କରି ବିଦାୟ ନବାପାଇଁ ଚାହିଁବା ପୂର୍ବରୁ ଉଷା ଆଗେଇଆସି କହିଲା–

 

–ଆସନ୍ତୁ ମିଷ୍ଟର ମହାପାତ୍ର । ଆପଣଙ୍କ ସହିତ କଟକର ବିଶିଷ୍ଟ ସାହିତ୍ୟିକ ଓ ନାଟ୍ୟ ପରିଚାଳକ ଶ୍ରୀ ଅମିତାଭ ମହାପାତ୍ରଙ୍କ ସହିତ ପରିଚୟ କରାଇଦିଏ ।

 

ଅମିତାଭ ବାବୁଙ୍କ ସହିତ ସବ୍ୟସାଚୀଙ୍କୁ ପରିଚୟ କରାଇଦେଲା ଉଷା । ଅମିତାଭକୁ ଭୁଲିଯାଇନଥିଲା ସବ୍ୟସାଚୀ । ନମସ୍କାର କରୁ କରୁ ସେଦିନ ସୁନୀତାକୁ ଗାଡ଼ିଭିତରେ ସେ ନେଇଯିବାର ସେ ସ୍ମରଣ କରି ଆଖିଦୁଇଟି ଜଳିଉଠିଲା ତା’ର ।

 

ଆଉ ଡେରିନକରି ପାନୀୟ ପରିବେଷଣ କରାଗଲା । ଉଷା ସବ୍ୟସାଚୀର କାନପାଖରେ ମୁହଁରଖି କହିଲା–ଆପଣଙ୍କର କ’ଣ ପସନ୍ଦ କୁହନ୍ତୁ ।

 

–ମତେ ଗିଲାସେ ଲେମ୍ୱୁ ବା କମଳା ରସ ଦିଅନ୍ତୁ ।

 

–ଗୋଟେ ପ୍ଲେଟ୍ ଜିନ୍ ବା ବିଅର ପିଅନ୍ତୁନା । ଖୁବ୍‍ ଲାଇଟ୍ ।

 

–ନା, ନା, ନା । କ୍ଷମା କରିବେ ମିସ୍‍ ଖାନ୍ନା । ମୁଁ ଏଥିରେ ଅଭ୍ୟସ୍ତ ନୁହେଁ ଆଦୌ ।

 

ଅଗତ୍ୟା ତା’ ହାତକୁ ଗିଲାସ ଭର୍ତ୍ତି କମଳା ରସ ବଢ଼ାଇଦେଲା ଉଷା । ଅନ୍ୟମାନଙ୍କ ହାତରେ ରମ୍ ବା ହୁଇସ୍କି ଭର୍ତ୍ତି ଗିଲାସ । ହାସ୍ୟ ରସ ସହିତ ଜନ୍ମଦିନର ଶୁଭକାମନା ମଧ୍ୟରେ ପାନୀୟ ପର୍ବ ଶେଷ ହେବାପରେ ଭୋଜନ ପର୍ବ ଆରମ୍ଭ ହେଲା । ଖାଦ୍ୟ ସାମଗ୍ରୀର ବହୁଳତା ଏବଂ ଆଡ଼ମ୍ବର ଦେଖି ଆଖି ଯୋଡ଼ିହୋଇଗଲା ସବ୍ୟସାଚୀର । ଏତେ ଅଳ୍ପ ମଣିଷ, ଅଥଚ ଏତେ ଖାଦ୍ୟ !

 

ବାହାରେ ଉଜ୍ଜ୍ୱଳ ଆଲୋକ ବିଛାଡ଼ିହୋଇ ପଡ଼ିଥିଲା । ସେଇ ପରିବ୍ୟାପ୍ତ ଆଲୋକରେ ସ୍ପଷ୍ଟ ଦେଖାଯାଉଥିଲେ ପଥ ଧାରରେ ଛିଡ଼ାହୋଇଥିବା କେତୋଟି ଅର୍ଦ୍ଧନଗ୍ନ ଅନାହାରୀ ମଣିଷର ଅସ୍ପଷ୍ଟ ଛବି । ପ୍ଲେଟ୍ ଉପରରୁ ଖାଦ୍ୟ ପଦାର୍ଥରୁ କିଛି ଉଠାଇବା ପାଇଁ ଯାଇ ହାତ ଥରିଉଠିଲା ସବ୍ୟସାଚୀର । ସେ ବିମୂଢ଼ ଭାବରେ ଛିଡ଼ାହୋଇ ରହିଲା କିଛିକ୍ଷଣ । ସମସ୍ତେ ଖାଇବା ଆରମ୍ଭ କରିଦେଲେ । ତରଳ ଲଘୁ ସଙ୍ଗୀତ ଭାସିଆସୁଥିଲା କାନ୍ଥ ସଂଲଗ୍ନ ଲାଉଡ଼ସ୍ପିକର ଗୁଡ଼ିକରୁ ।

 

ଉଦ୍ଦାମ, ବିଶୃଙ୍ଖଳ ଏବଂ ଅସଞ୍ଜମ ଜୀବନଯାତ୍ରାର ଏକ ଅବିମିଶ୍ରିତ ପ୍ରତିଛବି ଦେଖିଲା ସବ୍ୟସାଚୀ ।

 

ଉଷାକୁ ଘେରି ଅନେକ ତା’ର ଦୃଷ୍ଟିଆକର୍ଷଣ କରୁଥିଲେ । ଥରେ ଥରେ କିଏ ଜଣେ ତା’ର ଉଲଗ୍ନ ସ୍କନ୍ଧ ଉପରେ ଆଉ କିଏ ବା ତା’ର କହୁଣୀରେ ଲାଗିବା ଭଳି ସ୍ପର୍ଶ ଦେଉଥିଲେ । ଆଭିଜାତ୍ୟର ଉଲଗ୍ନ ପ୍ରକାଶ ଆଖିକୁ ଝଲସାଇଦେଲା ସବ୍ୟସାଚୀର । ସେଇ ଉଦ୍ଦାମ ପରିବେଶ ମଧ୍ୟରୁ ସମସ୍ତଙ୍କର ଅଲକ୍ଷ୍ୟରେ ଶିଷ୍ଟାଚାରର ବିଶୁଦ୍ଧାଚରଣ କରି ଉଷା ଏବଂ ଅନ୍ୟମାନଙ୍କ ଅଲକ୍ଷ୍ୟରେ ସେ ଖସି ପଳାଇ ଆସିଲେ ରାସ୍ତାଉପରକୁ ।

 

ବୁଲା କୁକୁର ଦୁଇଟା ଦୌଡ଼ିଗଲେ ତା’ର ଆସିବାର ଶବ୍ଦ ପାଇ । ସାଇକେଲଟା ନେଇ ଅଗ୍ରସର ହେବାବେଳକୁ ଦୁଇ ତିନିଜଣ କଙ୍କାଳ ସାର ଅର୍ଦ୍ଧନଗ୍ନ ବୁଭୁକ୍ଷ ଲୋକ ଆସି ହାତ ପାତି ଛିଡ଼ାହେଲେ ତା’ ସାମ୍ନାରେ ।

 

ପକେଟ ଭିତରେ ଯାହା ଥିଲା କ୍ଷିପ୍ରଗତିରେ ବାହାର କରି ସେମାନଙ୍କ ହାତରେ ନ ଦେଖି ନ ଚାହିଁ ପକାଇ ଦେଇ ଅଣନିଶ୍ୱାଃସୀ ହୋଇ ତୀବ୍ର ବେଗରେ ସାଇକଲ ଚଳାଇ ପଳାଇଗଲା ସେଠାରୁ ।

 

କାଠଯୋଡ଼ି କୂଳରେ ପ୍ରଶସ୍ତ ଆଲୋକରେ ପଥଉପରେ ଯାଉଥିଲା ସବ୍ୟସାଚୀ । ଭଲ ଲାଗୁନଥିଲା ଆଲୋକ । ନିଜକୁ ଅପରାଧି ମଣୁଥିଲା ସେ ଆମ୍ବ ଗୋପନ କରି ଯଦି ସେ ପଳାଇଯାଇ କେଉଁ ଏକ ଗୁପ୍ତ ଗୁମ୍ଫା ଭିତରେ ଲୁଚାଇ ରଖିପାରନ୍ତା ନିଜକୁ ହୁଏତ ବଞ୍ଚିଯାଆନ୍ତା ଏଇ ଦୁଃସହାୟ ଅବସ୍ଥା ମଧ୍ୟରୁ ।

ମନଭିତରେ ଦ୍ୱନ୍ଦ୍ୱ ଜାଗିଲା । କାହିଁକି ସେ ଯାଇଥିଲା ନିମନ୍ତ୍ରଣ ରକ୍ଷା କରିବାପାଇଁ । ଯେଉଁମାନଙ୍କର ଆଡ଼ମ୍ବରପୂର୍ଣ୍ଣ ଜୀବନଧାରାକୁ ଅନ୍ତରର ସହିତ ଘୃଣାକରେ ସେ, କାହିଁକି ସେଇ ପରିବେଶରେ ସେମାନଙ୍କଦ୍ୱାରା ସମ୍ୱର୍ଦ୍ଧିତ ହେବାପାଇଁ ଯାଇଥିଲା ? ସେ କ’ଣ ଏଡ଼େ ଦୁର୍ବଳ ? ଉଷା ଖାନ୍ନାର ସାନିଧ୍ୟ ପାଇଁ ଏଡ଼େ ପାଗଳ ସେ ! ତା’ ସହିତ ସାମାନ୍ୟ ପରିଚୟ, ବନ୍ଧୁତ୍ୱର ଆନ୍ତରିକତା ନାହିଁ ସେଥିରେ । ତଥାପି ବିଚାର ନକରି ଗୋଡ଼ ବଢ଼ାଇଲା ତା’ର ସାନିଧ୍ୟରେ ନିଜକୁ ଅଭିଷିକ୍ତ କରିବା ପାଇଁ । ମନଭିତରେ ଦୁର୍ବଳତାକୁ ଟିକି ଟିକି କରି ବିଶ୍ଳେଷଣ କଲା ସେ । ସେଇ ବିଶ୍ଲେଷଣ ତାକୁ ନିଃସହାୟ କରିପକାଇଲା ।

ନିଜ ସମୀକ୍ଷାରେ ନିଜେ ଅଭିଭୂତ ହୋଇପଡ଼ିଲା । ଆଶ୍ଚର୍ଯ୍ୟ ହୋଇ ଯେତେବେଳେ ପୁଣି ଆଲୋକିତ ପଥଉପରେ ଦୃଷ୍ଟି ନିବଦ୍ଧ କଲା ସବ୍ୟସାଚୀ ଦେଖିଲା ଅନେକ ପଥ ସେ ଅତିକ୍ରମ କରିଆସିଛି । ଅଗତ୍ୟା ସାଇକଲ ନେଇ ବୁଲିପଡ଼ିଲା ଅନ୍ୟଦିଗକୁ । ସେ ସିଧା ଗଲା କର୍ମଚାରୀ ସଙ୍ଘ ଅଫିସକୁ ।

କର୍ମଚାରୀ ସଂଘର ଛୋଟ ଅଫିସ୍ ଘର ସାମ୍ନାରେ ଓହ୍ଲାଇପଡ଼ିଲା ସାଇକଲରୁ । ଦେହ ମୁହଁରୁ ଝାଳ ପୋଛିଲା ପରି ପଛରେ ଛାଡ଼ିଆସିଥିବା ପରିସ୍ଥିତି ଓ ପରିଚୟକୁ ମନରୁ ପୋଛିପକାଇଲା ସେ ।

 

ଏବଂ ପରମ ଆଶ୍ୱାସ ନେଇ ସଂଘର ଅଫିସ୍ ଭିତରକୁ ପ୍ରବେଶକଲା ସେ । ସେତେବେଳଯାଏ ସମସ୍ତେ ଚାଲିଯାଇନଥିଲେ । ଆଗାମୀକାଲିର କର୍ମସୂଚୀ ଉପରେ ଆୟୋଜନ କରୁଥିଲେ ସବୁ ।

 

କର୍ମୀମାନେ ପାଛୋଟିନେଲେ ତାକୁ । ଗୋଟି କାଠ ଚୌକିଉପରେ ବସିପଡ଼ିଲା, ସ୍ୱସ୍ତିର ନିଶ୍ୱାସ ଛାଡ଼ିଲା ସବ୍ୟସାଚୀ ।

 

ତାକୁ ଘେରି ରହିଥିଲେ କେତେଜଣ ଶ୍ରମିକ । ସେମାନଙ୍କ ପରିମିତ ଆବରଣରୁ ଝାଳର ଗନ୍ଧ ନାକରେ ଲାଗିଲା ତା’ର । ସେଇ ଝାଳର ଗନ୍ଧରେ ସାଧାରଣ ମଣିଷର ଜୀବନ ସଂଗ୍ରାମ, ଉଦ୍ଭାସିତ ହୋଇଉଠିଲା ତା’ ଆଖିରେ । ଉଦ୍ଦୀପ୍ତ ହେଲା ସବ୍ୟସାଚୀ । କାରଣ ନଥାଇ ନିଜ ଦେହର ଗନ୍ଧ ଶୁଂଘିବା ପାଇଁ ହାତପାଖରେ ମୁହଁ ଲଗାଇଲା ନେଇ ।

 

ଏକୋଇଶ

 

ଏକ ଅବିଶ୍ୱାସ୍ୟ ବଣ୍ୟ ଉତ୍ତେଜନାରେ ଅନେକ କିଛି କରିଗଲେ ହିମାଂଶୁ । ଅନାୟାସରେ ସବ୍ୟସାଚୀର ଶୋଭାଯାତ୍ରା ଆଇନ ଶୃଙ୍ଖଳାର ଆଳ ଦେଖାଇ ବନ୍ଦ କରାଇଦେଲେ । ରାତି ଭିତରେ ଫଟୋର ବ୍ଳକ୍ତିଆରି ହୋଇ ସମ୍ବାଦପତ୍ରଗୁଡ଼ିକର ସକାଳ ସଂସ୍କରଣରେ ହୋଟେଲ କ୍ୟାପିଟାଲରେ ନିଆଯାଇଥିବା ବିଭିନ୍ନ ଛବିଗୁଡ଼ିକ ପ୍ରକାଶିତ ହେଲା । ବିଭିନ୍ନ ଛବିରେ ସବ୍ୟସାଚୀ ସହିତ ଉଷା ଖାନ୍ନା, ନନ୍ଦରାମ ହନୁତିରାମ, ପାରିଜାତ ଏବଂ ଅନ୍ୟମାନଙ୍କର ଛବିଗୁଡ଼ିକ ବିଭିନ୍ନ ଅବସ୍ଥାର ଇଙ୍ଗିତ ସୂଚକ ଛବି ପ୍ରକାଶ ପାଇଥିଲା । ଉଷା ସହିତ ଦେହଲଗାଲଗି ହୋଇ ଯେଉଁ ଛବି ପ୍ରକାଶ ପାଇଥିଲା ସେଥିରେ ସବ୍ୟସାଚୀ ପାଖରେ ଘନିଷ୍ଟ ହୋଇ ଯେଉଁ ମନଛୁଆଁ ହସ ହସୁଥିଲା ଉଷା ତାହା ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇ ଧରାଦେଲା ଆଖିରେ । ସମ୍ବାଦପତ୍ର ଗୁଡ଼ିକରେ ମିଳନୋତ୍ସବର ସବିଶେଷ ବିବରଣୀ ଦେଇ ସମ୍ବାଦଦାତା ଲେଖିଥିଲେ–

 

‘‘ଉପସ୍ଥିତ ଅତିଥିମାନଙ୍କ ମଧ୍ୟରେ ବିଖ୍ୟାତ ଶିଳ୍ପପତି ଶ୍ରୀ ନନ୍ଦରାମ ହନୁତରାମ, ତରୁଣ ଶ୍ରମିକ ନେତା ଶ୍ରୀ ସବ୍ୟସାଚୀ ମହାପାତ୍ର, ସମାଜସେବୀ ଶ୍ରୀ ପାରିଜାତ ମହାନ୍ତି ଏବଂ ଦେଶହିତୈଷୀ ଶ୍ରୀ ହିମାଂଶୁ ପଟ୍ଟନାୟକ । ଗଙ୍ଗା, ଯମୁନା ଏବଂ ସରସ୍ୱତୀର ମିଳନ ପୀଠ ତ୍ରିବେଣୀ ପରି ମୁଖରିତ ଓ ଆକର୍ଷଣୀୟ ହୋଇଥିଲା ଉତ୍ସବରେ ଯୋଗଦାନ କରିଥିବ ! ସମାଜସେବୀ, ଶ୍ରମିକ ଓ ମାଲିକଙ୍କ ଏକତ୍ର ସମାବେଶ ।’’

 

ତା’ପରେ ଅନ୍ୟାନ୍ୟ ସମ୍ବାଦ ମଧ୍ୟରେ ସମ୍ବାଦଦାତା ନିଜସ୍ୱ ମନ୍ତବ୍ୟ ପ୍ରକାଶ କରି ଲେଖିଥିଲେ– ‘‘ସାମାଜିକ କ୍ଷେତ୍ରରେ ମଧ୍ୟ ସଂଘଟିତ ହୋଇପାରନ୍ତି । ତା’ହେଲେ ଦେଶର ଅନେକ ଜଟିଳ ସମସ୍ୟାର ଯେ, ସନ୍ତୋଷଜନକ ସମାଧାନ ସମ୍ଭବ ହୁଅନ୍ତା ତାହା ନୁହେଁ, ତ୍ରିବେଣୀର ପବିତ୍ର ଧାର ପରି ଶ୍ରମିକ ଏବଂ ପ୍ରଗତି ପଥରେ ଆଗେଇନିଅନ୍ତା ! ଏହି ଉତ୍ସବରେ ଶ୍ରମିକ ନେତା ସବ୍ୟସାଚୀ ମହାପାତ୍ରଙ୍କ ଉପସ୍ଥିତିର ସୁଯୋଗ ନେଇ ତାଙ୍କ ସହିତ ଆପୋଷ ସମାଧାନରେ ପହଞ୍ଚିବା ପାଇଁ ବିଶିଷ୍ଟ ଦେଶହତୈଷୀ, ସମାଜସେବୀ ଓ ଶିଳ୍ପପତି ଶ୍ରୀ ହିମାଂଶୁ ପଟ୍ଟନାୟକ ନିଭୃତରେ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା କରି ସଫଳକାମ ହୋଇଛନ୍ତି ବୋଲି ଆମେ ବିଶ୍ୱସ୍ତ ସୂତ୍ରରୁ ଜାଣିପାରିଛୁ ।’’

 

ସକାଳର ଚାହା ସଙ୍ଗେ ସଙ୍ଗେ ସମ୍ବାଦପତ୍ର ସବିଶେଷ ବିବରଣୀ ପାଠକରି ନିଜେ ନିଜର କୃତିତ୍ୱ ଦେଖି ବିସ୍ମିତ ହୋଇଗଲେ ହିମାଂଶୁ । ବାଃ, ଚମତ୍କାର । ପରିକଳ୍ପନାର ବାସ୍ତବରେ ପରିଣତ ହୋଇଛି । ନିଜର ସଫଳତାର ଉଲ୍ଲସିତ ଆନନ୍ଦରେ ଅଧିକ ଉତ୍ସୃଙ୍ଖଳ ହୋଇଉଠିଲେ ସେ-। ସେ ସବ୍ୟସାଚୀ ସହିତ ସେଦିନ ସାକ୍ଷାତ କରିନଥିଲେ ମଧ୍ୟ ହୋଟେଲରେ ଉପସ୍ଥିତ ଥିଲେ ସେ-। ସେଇ ଉପସ୍ଥିତିର ସୁଯୋଗ ନେଇଛନ୍ତି ସାମ୍ୱାଦିକ ।

 

ହାଃ, ହାଃ, ହାଃ...

 

ସେଇ ଉଦ୍ଧିତ, ବଣ୍ୟ ଓ ହିଂସ ହସର ଢେଉ ପୂର୍ଣ୍ଣିମାର ଉଦବେଳିତ ସାଗରର ସହସ୍ର ତରଙ୍ଗ ପରି ଉଛୁଳିପଡ଼ିଲା କଳ କଳ ନାଦରେ । ମୁଖରିତ ଓ ଉଚ୍ଛ୍ୱସିତ ପ୍ରକୋଷ୍ଠର ଦ୍ୱାର ପ୍ରାନ୍ତରେ କାହାକୁ ଚାଲିଯିବାର ଲକ୍ଷ୍ୟ କଲେ ହିମାଂଶୁ ।

 

ଚିତ୍ରିତା ।

 

ଚିତ୍ରିତା ଫିଲ୍ମରେ ପ୍ରଧାନ ନାୟିକାର ଭୂମିକାରେ ଅଭିନୟ କରିବାର ସ୍ୱପ୍ନରେ ବିଭୋର ହୋଇ ଆତ୍ମଦାନ କରିଥିଲା ଅନାୟାସରେ ।

 

ସେ ସକାଳ ସନ୍ଧ୍ୟା ଆସେ ତାଙ୍କର ବ୍ୟକ୍ତିଗତ ସୁଖ ସୁବିଧା ସମ୍ପର୍କରେ ତତ୍ତ୍ୱାବଧାନ କରିବାପାଇଁ । ବେଳେ ବେଳେ ରହିଯାଏ ତାଙ୍କର ଇଙ୍ଗିତ ଅନୁସାରେ ।

 

କାହିଁକି କେଜାଣି ଏଇ ସକାଳର ଚା’ପିଆ ସମୟରେ ତାକୁ ଆଉ ଥରେ ଦେଖିବାପାଇଁ ଇଚ୍ଛାକଲେ ହିମାଂଶୁ ।

 

ଚିତ୍ରିତା...

 

ବଣ୍ୟ ହରିଣୀର ଚପଳ ଛନ୍ଦରେ ନୃତ୍ୟ କଲାପରି କଟି ଦୋହଲାଇ ପ୍ରବେଶ କଲା ସେ-। ମୁହଁଉପରେ ହସର ସଂକ୍ରମଣ ।

 

–କୁଆଡ଼େ ଯାଉଛ ?

 

–ନା, ଏଇମିତି ଛିଡ଼ା ହୋଇଥିଲେ ବାରନ୍ଦାରେ । ଚା କିମିତି ହୋଇଛି ... ?

 

–ତୁମେ କରିଛ ନା କ’ଣ ?

 

–ହଁ । କାହିଁକି ଭଲହୋଇନି ବୋଧେ ! ଲଜ୍ଜିତ କଣ୍ଠରେ କହିଲା ସେ ।

 

–ଚମତ୍କାର ହୋଇଛି–ଠିକ୍ ତୁମରି ପରି ଉତ୍ତପ୍ତ, ମଧୁର ଆଉ ତରଳ....

 

କାବ୍ୟିକ ହୋଇଉଠିଥିଲେ ହିମାଂଶୁ । ମୁହଁରୁ ତାଙ୍କର ସକାଳର ସେଇ ଉଲ୍ଲସିତ ମୁହୂର୍ତ୍ତରେ ବାହାରିଗଲା ଏଇ ପଦେ କଥା, ଯେପରି ଫୁଟନ୍ତ ଶେଫାଳି ରୂପର ବନ୍ୟା ଛୁଟାଇ ଖସିପଡ଼େ ଅଭିସାରିକାର ଆସିବା ପଥରେ ।

 

–ଆପଣ ଯେ କଅଣ...

 

କହି କହି ଲଜ୍ଜା ପାଟଳ ମୁହଁରେ କକ୍ଷଚ୍ୟୁତ ଗ୍ରହପରି ତ୍ୱରିତ ପଦରେ ପ୍ରକୋଷ୍ଠରୁ ନିଷ୍ପ୍ରନ୍ତ ହୋଇଗଲା ଚିତ୍ରିତା ।

 

ତା’ର ଯିବା ପଥକୁ ଅନାଇ ରହିଲେ ହିମାଂଶୁ ।

 

ସେଇ ପଥପ୍ରାନ୍ତ ସମୁଜ୍ଜ୍ୱଳିତ କରି ମାନସପଟରେ ଦେଖାଦେଲା ଆଉଦୁଇଟି ରକ୍ତପଦ୍ମର ଆଗମନ ।

 

ଛନ୍ଦ ଜାଗିଛି ତାଙ୍କ ଜୀବନରେ ।

 

ମୁଗ୍‍ଧ ବିସ୍ମୟ ହୋଇ କଳ୍ପନାର ପ୍ରସାରିତ ପଥଉପରେ ନୂତନ ତାରକାର ଆଗମନକୁ ଉତ୍ତପ୍ତ ପ୍ରାଣର ଅଗ୍ନି–ପ୍ରତୀକ୍ଷା ନେଇ ଅନାଇ ରହିଲେ ସେ ।

 

କିନ୍ତୁ ବାସ୍ତବ–ବସୁନ୍ଧରାର ଦେହ ସ୍ପର୍ଶକରି କେହି ଆସିଲେ ନାହିଁ ।

 

ଆସିଲାନି ସୁନୀତା ।

 

ତାଙ୍କର ସ୍ୱାଗତ ବାର୍ତ୍ତା ପ୍ରତ୍ୟାଖ୍ୟାନ କରି ଏବଂ ତାଙ୍କ ପୌରୁଷତ୍ୱ ଉପରେ ପରାଜୟର କାଳିମା ଲେପନ କରି ମରିଚିକା ପରି ଦୃଷ୍ଟିପଥରୁ ଅନ୍ତର୍ହିତ ହୋଇଗଲା ସେ ।

 

ସମ୍ମୁଖରେ ଛିଡ଼ାହେଲା ଆସି ହରି ।

 

–ବଡ଼ ସକାଳ ସକାଳ ଯେ ?

 

–କାଲି ଅନେକ ରାତିରେ ଫେରିଲି ହଜୁର । ଦୁଃସମ୍ବାଦଟା ନେଇଯିବା ପାଇଁ ସାହସ ହେଲାନାହିଁ ।

 

ଦୁଃସମ୍ବାଦ ! ହଁ ପ୍ରକୃତରେ ତାଙ୍କ ପକ୍ଷରେ ଦୁଃସମ୍ବାଦ ନୁହେଁତ ଆଉ କଅଣ ? ଯେତେବେଳେ ସାର୍ଥକତାର ଦିଗ୍‍ବଳୟ ଉଦ୍ଭାସିତ, ସେତେବେଳେ ତାଙ୍କର ଆମନ୍ତ୍ରଣ ପ୍ରତ୍ୟାଖ୍ୟାନ କଲା ସୁନୀତା ।

 

–ସିଧାସଳଖ କୁହ କ’ଣ ହେଲା ?

 

ସ୍ୱରରେ ହିଂସ୍ରତାର ପସ୍ରବଣ ।

 

–ସେ କୋଠିକୁ ଆସିବେ ନାହିଁ ହଜୁର ।

 

–କିନ୍ତୁ ନନ୍ଦନକାନନ ଡାକ ବଙ୍ଗଳା....

 

–ନା । ସେ ପ୍ରସ୍ତାବ ମଧ୍ୟ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି ।

 

–ତମେ ନିଜେ ଯାଇଥିଲ ?

 

–ହାତରେ ହାତ ଘଷି ପଚାରିଲେ ହିମାଂଶୁ ।

 

–ମୁଁ ନିଜେ ଯାଇଥିଲେ ହଜୁର । ଆଦେଶ ଅନୁସାରେ ଅନିମା ଦେବୀ ଯାଇ ବହୁତ ବୁଝାଇଥିଲେ ତାଙ୍କୁ । କିନ୍ତୁ କେଉଁଥିରେ ରାଜିହେଲେନି ।

 

–ଆଚ୍ଛା !

 

କିଛି ସମୟ ଚୁପ୍‍ହୋଇ ବସି ରହିଲେ ସେ । ତା’ପରେ ଚାହିଁଲେ ହରିର ମୁହଁକୁ । ଇସ୍-! ସେଇ ଚାହାଣିରେ କ୍ଷୁଧିତର କି ଅପରିସୀମ ଆଶକ୍ତି, କି ଆଶ୍ଚର୍ଯ୍ୟକର ଅବନତ ଆଶାର ମିନତି, କି ବିଭତ୍ସ ଆଦିମ ମଣିଷର ପାଶବିକ କ୍ଷୁଧା !

 

–ଆଉ ଥରେ ଚେଷ୍ଟାକରି ଦେଖିପାର ।

 

ହରି ବିମୂଢ଼ ହୋଇ ଲକ୍ଷ୍ୟକଲା ଏତେ ବଡ଼ ଲୋକଟାର ଏତେ ଛୋଟ ହୋଇଯିବାର ପରିବର୍ତ୍ତନ ଟିକକୁ ।

 

–ସମ୍ଭବ ନୁହେଁ ହଜୁର !

 

କିଛି ନକହି ନୀରବରେ ବସି ରହିଲେ ହିମାଂଶୁ । ଅଳ୍ପକ୍ଷଣ ପୂର୍ବର ସମସ୍ତ ଆନନ୍ଦ ନିଷ୍ପ୍ରଭ ହୋଇଗଲା । ପଥପ୍ରାନ୍ତର ପ୍ରସାରିତ ବକ୍ଷଉପରେ ଅଭିଳାଷିତ ଆଗମନୀ ଆଶାର ସପ୍ତରଙ୍ଗ ବୋଳି ଆସି ପହଞ୍ଚିଲା ନାହିଁ ତାଙ୍କ ପାଖରେ ।

 

ପ୍ରଥମ ଥର ପାଇଁ ତା’ହେଲେ ହାରିଗଲେ ହିମାଂଶୁ । ଗୋଟିଏ ସାଧାରଣ ତରୁଣୀର ପ୍ରତ୍ୟାଖ୍ୟାନ ବଡ଼ ବାଧିଲା ତାଙ୍କୁ । ସକାଳର ସତେଜ ମନଟା ବିଷାଦ ହୋଇଉଠିଲା । ସେ ବସିରହିଲେ ସେଇପରି ।

 

କକ୍ଷ ଭିତରୁ କେତେବେଳେ ଧୀର ପଦକ୍ଷେପରେ ଅପସରିଗଲା ହରି ।

 

ଫୋନ ରିସିଭରଟା ହାତରେ ଟାଣିନେଇ ନମ୍ବର କହିଲେ ହିମାଂଶୁ ।

 

–ହ୍ୟାଲୋ...ଟୁ ଫାଇଭ ଟୁ ଓ୍ୱାନ୍ ।

 

ସେପଟେ ବାଜିଉଠିଲା ଟେଲିଫୋନ । କ୍ରିଂ....କ୍ରିଂ...କ୍ରିଂ ...

 

–ହ୍ୟାଲୋ ! କିଏ କହୁଛ ?

 

–ଓଃ ! ଅନିମା !

 

–ମୁଁ ଅନିମା । ମୋତେ ଖୋଜୁଥିଲେ ?

 

–ହଁ, ହଁ ତୁମକୁ ଖୋଜୁଥିଲି ।

 

–ଏଇ ବଡ଼ି ଭୋରରେ ।

 

–ହରି ଯାଇଥିଲା ତୁମ ପାଖକୁ ।

 

–ହଁ । ସେ ସବୁ କହିଥିବ । କିଛି ହେଲାନି ଯେ.... ।

 

–ହଁ ସବୁ ଶୁଣିଛ ।

 

–ମୁଁ ଚେଷ୍ଟା କରିଥିଲି । ସେ ରାଜିହେଉନି କେଉଁଥିରେ ।

 

–ତା’ହେଲେ ତୁମକୁ କାହିଁକି ରଖିଛି ?

 

–ମୁଁ ଚେଷ୍ଟା କରିଛି । ସିନେମାର ନାୟିକା ହବାର ସ୍ୱପ୍ନ ଦେଖାଇଥିଲି ।

 

–ତମେ ଚେଷ୍ଟା କରିଥିଲ ?

 

–ସେଥିରେ ହେଳା କରିନି, ତୁମେ ବିଶ୍ୱାସକର ।

 

–ତମ କଣ୍ଠରେ କପଟତା ନାହିଁ ତ ?

 

–ତୁମେ ଜାଣ ସତେ । କିନ୍ତୁ କାହିଁକି ଯେ, ତମେ ଅଧିର ହେଉଛ ବୁଝିପାରୁନି ଆହୁରି ଭଲ ଝିଅ ତ ମିଳିବେ ।

 

–କ’ଣ ! ତୁମର ବ୍ୟକ୍ତିଗତ ଈର୍ଷା ହେଉଛି–ନୁହେଁ ?

 

–ନା, ନା । ମୋ ପ୍ରୟୋଜନ ତମେ ତ ପୂର୍ଣ୍ଣ କରିଆସିଛ ସବୁଦିନ ।

 

–ଶୁଣି ଖୁସିହେଲି । କିନ୍ତୁ ମୋର ତାକୁ ଆବଶ୍ୟକ ।

 

–ଆଉ ଥରେ ଚେଷ୍ଟା କରିବ ।

 

–ତମେ ଦେଖ । ଯିମିତି ହେଉ, ଯାହା ବିନିମୟରେ ହେଉ ମୁଁ ଚାହେଁ ତାକୁ ଆବଶ୍ୟକ ହେଲେ ମୁଁ ତାକୁ ବିବାହ କରିପାରେ....

 

ଆବେଗ କମ୍ପିତ କଣ୍ଠରେ କହିଲେ ହିମାଂଶୁ ।

 

–ସତରେ କ’ଣ ବିବାହ କରିବ ତମେ ?

 

–ତମେ ଶଙ୍କିତ ହବାର କାରଣ ନାହିଁ । ....ହଁ ଯଦି କିଛିରେ ନହୁଏ ଚାକିରି ଯିବାର ଭୟ ଦେଖାଅ ।

 

–କହିଛି ସେକଥା । ସେ ଭାଙ୍ଗିଯିବ ପଛେ ନଇଁବ ନାହିଁ ।

 

–ଦେଖାଇଛି । ତା’ ସତ୍ତ୍ୱେ ବି... । ଆଚ୍ଛା !

 

–ମୁଁ ଭାବିପାରୁନି ଆଉ କି ବାଟ ଥାଇପାରେ ।

 

–ମୋ ପୂର୍ବ ପ୍ରସ୍ତାବ ଦିଅ । ଯଦି ଅଭିନେତ୍ରୀ ହବାପାଇଁ ଇଚ୍ଛା ତାକୁ ମୁଖ୍ୟ ନାୟିକା କରିବାପାଇଁ ରାଜି ମୁଁ । ବୁଝାଅ ତାକୁ ।

 

–ବୁଝାଇଛି । ସେ ପ୍ରଣୟପ୍ରାର୍ଥିନୀ । ଅନ୍ୟପାଖରେ ।

 

–କିନ୍ତୁ ତାକୁ ବ୍ଳାକମେଲ କରିବାର ଅସ୍ତ୍ର ବି ଅଛି ମୋଠାରେ । ସବ୍ୟସାଚୀ ସହିତ ତା’ର ସମ୍ପର୍କ ନେଇ ଖେଳ ଖେଳିବି ମୁଁ ।

 

–ସବ୍ୟସାଚୀ ସହିତ ତା’ ସମ୍ପର୍କ ନିବିଡ଼, ଅନ୍ତରଙ୍ଗ ।

 

–ସେ ତ ମୋ ଅନୁଷ୍ଠାନର ଜଣେ କର୍ମୀ । ସେ ଅବଶ୍ୟ କର୍ମଚାରୀ ସଂଘର ସେକ୍ରେଟାରୀ । ତା’ପରେ ସକାଳ ସମ୍ବାଦପତ୍ରରେ ଅବଶ୍ୟ ପଢ଼ିଥିବ ଗତ ରାତ୍ରିର ହୋଟେଲ କ୍ୟାପିଟଲରେ ଉତ୍ସବ ସମ୍ବାଦ ।

 

–ପଢ଼ିଛି । ଉଷା ଖାନ୍ନା ସହିତ ତା’ର ଫଟୋ ବାହାରିଛି । କିନ୍ତୁ ଏଥିରେ ତା’ର କ୍ଷତି କି ହୋଇପାରେ ଯେ ?

 

–ଏହି ସମ୍ବାଦ ପଢ଼ି ଏବଂ ଚିତ୍ରସବୁ ଦେଖି ଶ୍ରମିକମାନେ ଏତେ ଅପଦାର୍ଥ ନୁହଁନ୍ତି ଯେ, ସବ୍ୟସାଚୀକୁ ସେକ୍ରେଟାରୀ ରଖିବେ । ତା’ପରେ ଏହି ଚିତ୍ର ସୁନୀତା ମନରେ ବି ଅବିଶ୍ୱାସ ସୃଷ୍ଟି କରିପାରେ ।

 

–ଏବଂ ଏଇ ଉପାୟଟି ଭଲ । ଯଦି ସେ ଏହା ସତ୍ତ୍ୱେ ତା’ ଉପରେ ଆସ୍ଥା ରଖେ ।

 

ତା’ପରେ ସେ ତା’ର ଚାକିରି ହରାଇବ । ବୁଝିପାରୁଛ ତ ? ଚାକିରି ଗଲେ ଦୁହେଁ ବସି ଖାଇବେ କଅଣ ?

 

–ଦୁହିଁଙ୍କର ଚାକିରି ତ ତୁମ ହାତରେ ।

 

–ଦୁହିଁଙ୍କର ବେକାର ଜୀବନ ଏବଂ ତହିଁର ତିକ୍ତ ଅନୁଭୂତି ସମ୍ପର୍କରେ ଟିକିଏ ସଜାଗ କରିଦିଅ ତାକୁ ।

 

–ଦେବି । ତେବେ ସତରେ କ’ଣ ବିବାହ କରିବ ତାକୁ ?

 

–ତୁମେ ବିଚଳିତ ହୁଅନା । ବିବାହ କରିବି କହିଲେ କ’ଣ ବିବାହ କରାଯାଏ । ଗୋଟିଏ ପ୍ରମିସ୍ ଦବାର କ୍ଷତି କ’ଣ ।

 

–ବେଶ୍‍ ସେୟା ହେଉ । ଆଉ ଥରେ ଚେଷ୍ଟା କରିଦେଖେ ।

 

–ଆଚ୍ଛା ବେଶ୍ । ମୁଁ ସନ୍ଧ୍ୟା ବେଳକୁ ଫୋନ କରିବି ।

 

ରିସିଭର ରଖିଦେଇ ପୁଣି କାଗଜଟା ଓଲାଟାଇଲେ ହିମାଂଶୁ । ନା, ଆଉ କେଉଁଥିରେ ମନ ଲାଗୁନି । ଦେହର ତାତି ଦେହରେ ମରିଯାଇଛି । ଅନେକଟା ଅଶାନ୍ତ ହୋଇପଡ଼ିଲେ ସେ ।

 

କ୍ରିଙ୍ଗ....କ୍ରିଙ୍ଗ...କ୍ରିଙ୍ଗ...

 

–ହ୍ୟାଲୋ–ହିମାଂଶୁ ପଟ୍ଟନାୟକ କହୁଛି...

 

–ଆଜ୍ଞା ହାମେ ନନ୍ଦରାମଜୀ କହୁଥିଲା ।

 

–ସୁପ୍ରଭାତ, ନନ୍ଦରାମଜୀ ! ଆପଣ ବହୁତଦିନ ବଞ୍ଚିବେ ।

 

–ସୁପ୍ରଭାତ । ଆପଣ ବଡ଼ା ଆଦମି ।

 

–ଏଇନେ ଆପଣଙ୍କ କଥା ଭାବୁଥିଲି ।

 

–ଆମର ସୌଭାଗ୍ୟ ।

 

–ଆପଣ ହେଲେ ମହତ ବ୍ୟକ୍ତି । ସେଇଥିପାଇଁ ପ୍ରାତଃ ସ୍ମରଣୀୟ ।

 

–ଆପଣ କାଗଜ ପଢ଼ିଛନ୍ତି ? ଆପଣ ତା’ ପାଖରେ ନଥିଲେ ବି ନାମଟା ଯୋଡ଼ିଦେଇଛେ ।

 

–ପଢ଼ିଛି । ବେଶ୍ ଭଲ କରିଛନ୍ତି । ଉଷା ଯେ ଏତେ ଚାଲାକ୍ ଜାଣିନଥିଲି ଆଗରୁ । ମୁଁ ପରେ ଗଲେ ବି ମୋ ନାମ ଯୋଡ଼ି ହୋଇଯାଇଛି । ବେଶ୍ ଭଲ । ଭଲ ଇମ୍ପ୍ରେସନ ସୃଷ୍ଟି ହେବ ।

 

ସେଇଥିପାଇଁ ଉଷାଦେବୀକୁ ହାମେ ରଖିଛେ । ହୁସିଆର ଲଡ଼କୀ ।

 

–ତା’ ନିଶ୍ଚୟ । ଆପଣ ଜହୁରି । ଖାଣ୍ଟି ସୁନା ଚିହ୍ନିବାରେ ଭୁଲ ହେବେ କାହିଁକି ।

 

–ଏଆଡ଼େ ଗୁରୁତର ଖବର ଆଛେ ।

 

–କ’ଣ କହିଲେ ?

 

ସବ୍ୟସାଚୀବାବୁର ଫଟୋ ଦେଖି ଶ୍ରମିକମାନେ ଗୋଲମାଲ କରୁଛେ ।

 

କେବେ ?

 

–ତାଙ୍କ ଅଫିସରୁ ହାମାରା ଆଦମୀ ଆଭି ଆସିଛେ । ସବୁ ତାକୁ ଅବିଶ୍ୱାସ କରୁଛେ । ତାପରେ ମଦଦ ନ ଦେଲେ...

 

–ଆଜି ସକାଳେ ସଭା ଓ ଶୋଭାଯାତ୍ରା ନିଷେଧ ହବାର ସମ୍ବାଦ ମଧ୍ୟ ପ୍ରକାଶ ପାଇଛି ଯେ, ଦେଖିଥିବେ ନିଶ୍ଚୟ ।

 

–ଦେଖିଛି । ଏଆଡ଼େ ହାମେ ଯୁଗଳ ବାବୁକୁ ଲଗାଇଛେ ସବ୍ୟସାଚୀ ବିରୋଧ ମେ ଅବିଶ୍ୱାସ ପ୍ରସ୍ତାବ ଆଣିବେ ।

 

–ଅତି ଉତ୍ତମ । ମୁଁ ଏତେଟା ଆଶା କରିନଥିଲି ନନ୍ଦରାମଜୀ । ତା’ହେଲେ ସବ୍ୟସାଚୀ ବିରୋଧରେ ଅନ୍ୟାନ୍ୟ ଶ୍ରମିକମାନେ ଅବିଶ୍ୱାସ ପ୍ରସ୍ତାବ ଆଣିବେ ।

 

–ହଁ । ଯୁଗଳବାବୁ କଥା ଦେଇଛେ । ସେ ବି ଶ୍ରମିକ ନେତା ଆଛେ । ସେ ପ୍ରଚାର କରିଛେ ସବ୍ୟସାଚୀ ଆପଣଙ୍କ ଆଦମୀ । ମୁ ଶୁଣିଛି ।

 

–ଶୁଣିଛନ୍ତି ଯେତେବେଳେ ସମ୍ବାଦ ସତ୍ୟ । ମୁଁ ବି ଆଶାକରି ଏହି ପ୍ଳାନ କରିଥିଲି । ଆପଣଙ୍କ ସହିତ ସବ୍ୟସାଚୀର ଫଟୋ ଦେଖି ଏବଂ ବିଶେଷ ପ୍ରତିନିଧିଙ୍କ ସମ୍ୱାଦ ପଢ଼ି ଏକଥା ଯେକେହି ଆଶା କରିବ ।

 

–ଆସନ୍ତୁ ଆପଣ । ସାମକୋ ମୁଲାକାତ ହେଲେ...

 

–ହଁ, ଆମେ ମିଳିବା ହୋଟେଲ କ୍ୟାପିଟାଲରେ । ମ୍ୟାନେଜରଙ୍କୁ କୁହନ୍ତୁ ଭଲ ମାଲ୍ ରଖିବା ପାଇଁ ।

 

–ବେଫିକର ରହିବେ । ହାମେ ସବୁ ମୌଜୁଦ ରଖିବେ ।

 

–ବେଶ୍ ଭଲ । ତା’ପରେ ପଢ଼ିଲି ‘ସୁରାସିନ୍ଧୁ’ ଉତ୍ସବ ଦିନର ଦୁର୍ଘଟଣା ନେଇ ତଦନ୍ତ କମିସନ ବସାଇବା ପାଇଁ ନଗର ପରିଷଦ ଦାବି ଜଣାଇଛନ୍ତି ।

 

–ହଁ । ଏଇ ନଗର ପରିଷଦ କି କାମ କରୁଛେ ହିମାଂଶୁବାବୁର ତାପରେ ସରକାର ଏସବୁ ବାତ୍ କାହିଁକି ଶୁଣିବେ ।

 

–ମୁଁ କହିବି ଏ ଦାବି ପଛରେ ଦେଶଦ୍ରୋହୀମାନଙ୍କର ହାତ ଅଛି । ମୁଁ ଚେଷ୍ଟା କରିବି ଉପର ମହଲରେ କିଛି କରିବା ପାଇଁ । ଆପଣ ଭାବିବେ ନାହିଁ ।

 

–ଆପଣ ହାମର ଭରସା । ଆପଣା କୋଶିସ କରି କେସ୍‍ଟା ଦେଖିବେ । ବରଂ ଦୁସମନ କୋ ସଜା ଦେନେକେଲିୟେ...

 

–କେତେଜଣଙ୍କ ବିରୁଦ୍ଧରେ ଦଙ୍ଗା କରିବାର ଅଭିଯୋଗ ରହିଛି । ଚେଷ୍ଟାକଲେ ମୋକଦ୍ଦମା ରୁଜୁ ହୋଇପାରେ ।

 

–ସେଇ ହବେ । ହାମେ ବି କୋଶିସ୍ କରୁଛେ । ଲେକିନ ସବ୍ୟସାଚୀ ବାବୁ ତ ଥଣ୍ଡା ପଡ଼ିଯିବେ । ଆପଣ ଖୁସି ମନାଇବେ ।

 

–ମୁଁ ନିଶ୍ଚିନ୍ତ ହେଲି ନନ୍ଦରାମଜୀ । ଅଶେଷ ଧନ୍ୟବାଦ ଆପଣଙ୍କୁ । ହଁ, ଉଷାକୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଇବେ ।

 

–ନିଶ୍ଚୟ, ନିଶ୍ଚୟ । ଲେକିନ ଆପଣ ଖୋଦ ଶୁକ୍ରିୟା କଲେ.... ।

 

–ଓଃ ! ଆଚ୍ଛା, ଆଚ୍ଛା । ମୁଁ ବି ନିଜେ କହିବି ତାକୁ । ରହୁଛି ତାହେଲେ ....ନମସ୍କାର ।

 

ରିସିଭର ରଖିଦେଇ ଆତ୍ମତୃପ୍ତିର ହସ ହସିଲେ ହିମାଂଶୁ ।

 

ଯୋଜନା ଅନୁସାରେ ସବୁକାମ ଆଗେଇ ଚାଲିଛି । ତୃତୀୟ ପଞ୍ଚବାର୍ଷିକ ଯୋଜନାର ମୂଲ୍ୟାଙ୍କନରେ ତ୍ରୁଟି ବା ଅଦଳବଦଳ ହୋଇପାରେ, କିନ୍ତୁ ଆଶାତୀତ ସାଫଲ୍ୟରେ ତାଙ୍କ ଯୋଜନା ସ୍ୱୟଂ ସମ୍ପୂର୍ଣ୍ଣ ଏବଂ ସମୃଦ୍ଧ ।

 

ଦର୍ପଣ ସମ୍ମୁଖରେ ଛିଡ଼ାହୋଇ ସାମ୍ନାରେ ଦେଖାଯାଉଥିବା ଗୋଟିଏ ଦୁଇଟି ପାଚିଲା ବାଳ ଉଠାଇଦେଲେ ହିମାଂଶୁ । ଦେହର ମେଦ ବୃଦ୍ଧି ଅବଶ୍ୟ ଦେଖାଦେଇଛି ଟିକିଏ । ମଦ୍ୟପାନ ଏବଂ ଖାଦ୍ୟ କମାଇବା ନୀତାନ୍ତ ପ୍ରୟୋଜନ । ତାଙ୍କର ମନ ସହ ଦେହକୁ ମଧ୍ୟ ଉପଯୁକ୍ତ ଏବଂ ଆକର୍ଷଣୀୟ ନରଖିଲେ ଚଳିବ କିପରି !

 

ଝରକାର ପର୍ଦା ଘୁଞ୍ଚା ଫାଙ୍କଦେଇ ଚାହିଁଲେ ବାହାରକୁ । ମହାନଦୀର ସୁନୀଳ ଜଳଧାର ଲମ୍ବିଯାଇଛି ନଦୀର ବାଲୁକା ଶର୍ଯ୍ୟାକୁ ବିଦୀର୍ଣ୍ଣ କରି । ପ୍ରାକୃତିକ ସମ୍ଭାରର ସୁଷମା ଝଲକିଉଠୁଚି ଚତୁର୍ଦ୍ଦିଗରେ । ପର୍ବଣ ଆସିବ ଅଳ୍ପଦିନ ପରେ ।

 

ବାଥ୍‍ରୁମ ଭିତରକୁ ପଶିଯାଇ ପ୍ରାତଃକର୍ମ ଶେଷ କରିବା ପାଇଁ ଉଦ୍ୟୋଗୀ ହେଲେ । ଭିତରେ ପ୍ରସାଧନର ବିଶେଷ ସାମଗ୍ରୀଗୁଡ଼ିକ ସୁସଜ୍ଜିତ । ମୁହଁଉପରେ ଇଲେକ୍‍ଟ୍ରିକ୍ ସେଭିଂ କଲେ ହିମାଂଶୁ । ଗରମ ଜଳ କୁଣ୍ଡରେ ଅନାବୃତ ଶରୀରକୁ ଲୋଟାଇଦେଇ ନିଜର ଆଶାରେ ନିଜେ ଆତ୍ମହରା ହେଲେ । ସାବୁନ ଫେଣ ପରି ଫୁଲି ଫୁଲି ଲୁଚକାଳି ଖେଲିଲା ଆଶା ଓ ଆବେଗ, ଆଶଙ୍କା ଏବଂ ଅନୁଭବ । ବହୁ ସମୟ ପର୍ପ୍ୟନ୍ତ ସ୍ନାନ କରି ଦେହଟା ଜମାଟ ବନ୍ଧା ଦେହକୁ ଅନେକ ପରିମାଣରେ ଉପଶମ କଲେ ସେ ।

 

ଜଳଧାର ଉପରୁ ଝରୁଥିଲା ସହସ୍ର ଧାର ସେ ବାଥ ସାଓ୍ୱାର ମଧ୍ୟରୁ । ମୁକ୍ତଭୋଗର ଅପର୍ଯାପ୍ତ ଆସକ୍ତି କ୍ରମେ କ୍ରମେ ତାଙ୍କର ଦେହ ଓ ମନକୁ ଏକ ଦୁର୍ବାର କ୍ଷୁଧାର ପରିସମାପ୍ତିଆଡ଼କୁ ଆକର୍ଷଣ କରୁଥିଲା ।

 

ସେ ଜାନ୍ତବ ଜୀବନର ରକ୍ତମୁଖା ଆଦିମ ମୂର୍ତ୍ତିଟିକୁ ନିଜର ମାନସପଟରେ ନିଜେନିଜେ ଲେହନ କରିବା ପାଇଁ ଲାଗିଲେ ।

 

ବାଇଶ

 

ଅନିମା ଦେବିଙ୍କ ସମ୍ମୁଖରେ ବସିଥିଲା ସୁନୀତା । ମଝିରେ ଟେବୁଲର ବ୍ୟବଧାନ । ଏତେ ପାଖରେ, ଅଥଚ ଏତେ ଦୂରରେ ଭାବିପାରୁନଥିଲେ ଅନିମା ।

 

–ତମେ ବୋଧେ ସବୁ ଭାବି ରଖିଛ ନୀତା ।

 

ଟିକିଏ ସନ୍ଦିଗ୍ଧ ଚିତ୍ତରେ ପଚାରିଲେ ସେ ।

 

–ହଁ ।

 

–କିନ୍ତୁ ପୁଣି ଥରେ ଭାବି ଦେଖ । ବର୍ତ୍ତମାନ ବି ସମୟ ଅଛି ।

 

–ସମୟ ଅଛି, ରହିଥିବ । କିନ୍ତୁ ମୁଁ ଭାବିସାରିଛି ଅପା ।

 

କଣ୍ଠରେ ସୁକ୍ଷ୍ମ, ତୀକ୍ଷ୍ଣ ଶବ୍ଦର ନିରାଡ଼ମ୍ୱର ସହଜ ଉଚ୍ଚାରଣ । ସୁନୀତା ନିଃସଙ୍କୋଚରେ ବସିଥିଲା ଆତ୍ମଦତ୍ତା, ସୋହାଗିନୀ ନାରୀ ସୁଧାର ସମାଜର ସମ୍ପାଦିକାଙ୍କ ସମ୍ମୁଖରେ ।

 

ଅନିମା ଟିକିଏ ଅପ୍ରସ୍ତୁତ ହେଲେ । ଏତେଶୀଘ୍ର ସେ ନିଜର ସୁଉଚ୍ଚ ଆସନରୁ ଖସିଗଲେ ଏତେ ତଳକୁ ଏଇ ଅର୍ବାଚୀନ ତରୁଣୀଟି ପାଖରେ । ସେ ବି ଦିନେ ଏଇପରି ଥିଲେ । ଦୁର୍ବାର ମନେକରୁଥିଲେ ନିଜର ପ୍ରତିଜ୍ଞା । ପ୍ରତ୍ୟୁଷର ଆଲୋକ ପରି ସେ ଥିଲେ ସ୍ୱୟଂ ମୃଗ୍ଧା । କିନ୍ତୁ କେତେବେଳେ ଯେ ଦିନର ଆଲୋକରେ ଉତ୍ତପ୍ତ ହୋଇ ଆତ୍ମସମର୍ପଣ କରିଥିଲେ ଅଭିସାରରେ ସେକଥା ସ୍ମରଣ କଲେ ସଙ୍କୁଚିତ ହୋଇପଡ଼ନ୍ତି ସେ । ତଥାପି ସେଇପରି କେହିହେଲେ ବା କାହାକୁ ନିଜ ପଥରେ ଆଗେଇ ନେଇପାରିଲେ ମନର ଗୋପନ କୋଣରେ ଏକ ଅଭିନବ ଉଦ୍ଦାମ ଉଲ୍ଲାସ ଅନୁଭବ କରନ୍ତି ଅନୀତ । ନିଜେ ସେ ମରିନଥିଲେ ବି ସରିଯାଇଛନ୍ତି । ଅନ୍ୟ ଜଣେ ତେବେ ସମ୍ଭାର ଧରି ସମ୍ଭୋଗ ଭିତରେ ଆତ୍ମସତ୍ତା ହଜାଇଦବା ପାଇଁ ଏତେ ଅସହଯୋଗ କରିବ କହିଁକି ? ମନରେ ନିଜର ଗଡ଼ିଯାଇଥିବା ଐଶ୍ୱର୍ଯ୍ୟର ଚିନ୍ତାକରି ତା’ର ପରିଣତ ପାଇଁ ଯେତିକି ଶୋଚନା କରନ୍ତି, ସେତିକି ମନଭିତରେ ଈର୍ଷାନଳ ଲେଲିହାନ ଜିହ୍ୱା ବିସ୍ତାର କରି ଲେହନ କରେ ତାଙ୍କୁ । ସେ ନିଜ ଗୋଷ୍ଠୀର ବୃଦ୍ଧି ପାଇଁ ସେଇଥିପାଇଁ ପାଗଳର ଉତ୍ସାହ ନେଇ ଆଗେଇଯାଆନ୍ତି ।

 

ଆଜି ସେଇ ଉତ୍ସାହର ଖରସ୍ରୋତ ରୋଧ କରି ପଥଉପରେ ଛିଡ଼ାହୋଇଛି ସୁନୀତା ।

 

–ମୁଁ ଜାଣେନା କ’ଣ ତମେ ଭାବିଛ । କିନ୍ତୁ ନିଜର ବର୍ତ୍ତମାନ ଏବଂ ଭବିଷ୍ୟତ ଅଛି ତ ! କହିଲେ ସେ ।

 

–ଅଛି । ବଞ୍ଚିଥିବାଯାଏ ଥିବ । କିନ୍ତୁ ଶେଷ ରକ୍ଷାନକରି ସେ ବଞ୍ଚିବାରେ ମୂଲ୍ୟ ଅଛି ବୋଲି ମନେକରେନା ଅପା ।

 

–ତମେ ମନରେ ଅଯଥା ଅହଙ୍କାର ନିଜ ସମ୍ପର୍କରେ ପୋଷି ରଖିଛ । ନହେଲେ ଏଥିରେ ଅସମ୍ମତ ହେବାର କାରଣ ମୁଁ ତ ଦେଖିପାରୁନି ।

 

–ସମସ୍ତଙ୍କୁ ସବୁକଥା ଦେଖାଯାଏନା । ଅନେକେ ପୁଣି ଜାଣି ଜାଣି ଦେଖିବା ପାଇଁ ଚାହାନ୍ତିନି–ବାସ୍ତବତାର ଭୟରେ ।

 

–ଏୟା ଭାବିଲ ମତେ !

 

ଆହତ କଣ୍ଠରେ କହିଲେ ଅନିମା ।

 

–ଅନେକ ବଡ଼ ଭାବିଥିଲି ଆପଣଙ୍କୁ । କିନ୍ତୁ ଆପଣ ନିଜେ କାହିଁକି ମୋ ଭାବନାର ପ୍ରତିକୂଳ ହେଉଛନ୍ତି କୁହନ୍ତୁ ତ ଅପା ।

 

କହୁ କହୁ ତା’ର ଆଖି ଅଶ୍ରୁ ସକଳ ହୋଇଉଠିଲା । ସେ ମୁହ୍ୟମାନ ହୋଇପଡ଼ିଲା ଏଇ ବୟସ୍କା ମହିଳାଙ୍କ ଅଭିବ୍ୟକ୍ତି ଶୁଣି ।

 

–ଆଜିର ଦୁନିଆରେ ତମେ ନିଜେ ନିଜକୁ କେତେ ଟିକେ ଚିହ୍ନିଛ, କେତେ–ଟିକିଏ ଦେଖିବାର ସମୟ ପାଇଛ କୁହ ? କିନ୍ତୁ ମୁଁ ଦେଖିଛି ଅନେକ, ଚିହ୍ନିଛି ଅନେକଙ୍କୁ । କେହି ତୁମର ସହାୟ ହେବେନି ଚିରଦିନ ।

 

ସେଇଥିପାଇଁ ସିନା ମୁଁ ଜାଣି ଜାଣି ସିଦ୍ଧାନ୍ତ ଗ୍ରହଣ କରିଛି ଅପା । ହୁଏତ ବେକାର ଜୀବନର ଅସହନୀୟ ଜ୍ୱାଳା ପୁଣି ମତେ ଦଗ୍ଧ କରିବ । ମୁଁ କିନ୍ତୁ ନିରୁପାୟ... ।

 

ନିଜର ଯେତିକି ପ୍ରୟୋଜନ ଅନ୍ୟର ବି ସେତିକି ଥାଇପାରେ । ସବ୍ୟସାଚୀ କଥା ଥରେ ଭାବି ଦେଖ । ସେ ଯଦି ଚାକିରି ହରାନ୍ତି...

 

ତାଙ୍କ କଥା ସେ ବୁଝିବେ ମୋ କଥା ବୁଝିବା ପାଇଁ ଯଥେଷ୍ଟ ବଳ ଅଛି ମୋର ।

 

–ଶାନ୍ତ ହୁଅ ନୀତା । ମୁଁ ବି ଦିନେ ଏଇପରି ଅବୁଝା ଥିଲି କିନ୍ତୁ ସାଇକୋଲଜି ପଢ଼ିଥିଲେ ଜାଣିଥାନ୍ତି ମୁକ୍ତ ଭୋଗରେ ଅଛି ଅଶେଷ ଉତ୍ସାହ, ଅଛି ଅସରନ୍ତି ଉନ୍ମାଦନା ।

 

ସେ ଅଳ୍ପଦିନର । ତାହା ବ୍ୟଭିଚାର ବ୍ୟତୀତ ମୋ ଆଖିରେ ଅନ୍ୟ କିଛି ନୁହେଁ । ସମାଜକୁ ଯେଉଁମାନେ ଏହାର ବିଷଦ୍ୱାରା ହତ୍ୟା କରୁଛନ୍ତି ସେମାନଙ୍କୁ ହତ୍ୟା କଲେ କୌଣସି ଅପରାଧ ହବନାହିଁ ଅପା । ତାପରେ ଅନ୍ୟାୟ ଅବିଚାର ଆଗରେ ମଥା ପୋତିଦବା ପାଇଁ ମୁଁ ଶିଖିନାହିଁ ଅପା ।

 

ଟିକିଏ ଧୀରହୋଇ ପୁଣି କହିଲା ସେ–ଆପଣ ବଡ଼, ପୂଜନୀୟା । କିନ୍ତୁ କୁହନ୍ତୁ ତ, ଦୁଃଖ ହୁଏନା ଆପଣଙ୍କ ମନରେ ନିଜର ପରିଣତ ପାଇଁ ? ବେଦନା ଜାଗେନା ଆପଣଙ୍କ ହୃଦୟରେ ନିଜର ବଞ୍ଚିତ ଜୀବନ ? ଆପଣ ମଥାଟେକି କ’ଣ ଚାଲିପାରନ୍ତି ଦୁନିଆ ଆଗରେ ? ନହେଲେ ବି ମନଭିତରେ ଲୁଚି ରହିଛି ଆପଣଙ୍କର ପରାଜୟର ଗ୍ଲାନି, ପରିତ୍ୟକ୍ତର ନିର୍ଜୀବତା ।

 

କିଛି କହିପାରିଲେନି ଅନିମା । ରହି ରହି ଶୁଣିଲେ କେବଳ । କହିବାର ସବୁ ସରିଯାଇଛି ତାଙ୍କର । କିଏ ଅଛି ଯେ କହିବ । ନିଜକୁ ନିଃସ୍ୱ ଏବଂ ଦୁର୍ବଳ ମନେକଲେ ସେ । ନୀତାର ଦୁଇଟି ହାତ ନିଜ ହାତମୁଠା ଭିତରେ ଚାପିରଖି ହୃଦୟର ଉଚ୍ଛ୍ୱସିତ କୋହର ଚାପରେ ଭାଙ୍ଗିପଡ଼ିଲେ ସେ ।

 

ଅବୋଧ ଅନାଥ ଶିଶୁ ପରି କଇଁକଇଁ ହୋଇ କାନ୍ଦିଉଠିଲେ ଅନିମା ।

 

ସ୍ତବ୍ଧ ସୁନୀତା । କିଛିକ୍ଷଣ ବସିରହିଲା ସେଇପରି । ତାପରେ ଉଠିଯାଇ ତାଙ୍କ ପାଖରେ ବସି ପ୍ରବୋଧ ଦବା ପାଇଁ ହାତ ରଖିଲା ତାଙ୍କ ଉପରେ ଏବଂ ସେଇ ସଙ୍ଗେ ସଙ୍ଗେ ତା’ର ଛାତି ବିଦୀର୍ଣ୍ଣ କରି ଗୋଟିଏ କୋହର ଦୁର୍ବାର ଉଚ୍ଛ୍ୱାସ ବାହାରିଆସିଲା ସମଗ୍ର ସତ୍ତାକୁ ଜାଗ୍ରତକରି । ସେ କାହିଁକି କେଜାଣି ବୁଝିପାରିଲେ ନାହିଁ–କ୍ରନ୍ଦନର ଉଚ୍ଛ୍ୱାସରେ ଜାକିଧରିଲା ଅନିମାଙ୍କୁ ।

 

କାନ୍ଦୁଥିଲେ ଦୁହେଁ ।

 

ଆକାଶରୁ ଝରିପଡ଼ିଲା ଅଜସ୍ର ବାରିଧାରା ।

 

ବାହାରେ ବର୍ଷାଭିତରେ ଦୁଇଟି ବିଦଗ୍ଧ ସତ୍ତାର କାରୁଣ୍ୟ । ପୃଥକ୍ କାରଣରୁ ହେଲେ ମଧ୍ୟ ତାହା ନାରୀର ସେଇ ଚିରନ୍ତନ କ୍ରନ୍ଦନର ଅନନ୍ତ ଉଚ୍ଛ୍ୱାସ ଗୋଟିଏ ଆଲୋଡ଼ନର ମୂର୍ତ୍ତି ପ୍ରକାଶ-

 

ଶାନ୍ତ ହେଲେ ଅନିମା । ଭିଜା ରୁମାଲରେ ମୁହଁ ପୋଛିଦେଲେ ନୀତାର ।

 

–କିଛି ମନେକରିବ ନାହିଁ । ଏତେ କଥା କହିଛି ବୋଲି ।

 

ଉତ୍ତର ଦେଇପାରିଲା ନାହିଁ ନୀତା । ନଥିଲା କିଛି ଅଧକ କହିବା ପାଇଁ । ସେ କେବଳ ସଂବେଦନଶୀଳ ମନଦେଇ ଅନୁଭବ କରିବା ପାଇଁ ଚେଷ୍ଟା କରୁଥିଲା ତାଙ୍କର ଅମାପ ଅନୁତାପ, ଅଫେରା ଅତୀତର ଆତ୍ମଗାଥା...

 

–ତମକୁ ରଖିପାରିଲିନି । କିନ୍ତୁ ତମେ ନିଜକୁ ରକ୍ଷା କରିପାରିଲେ ଏହା ତ କମ୍ ଗୌରବର କଥା ନୁହେଁ । ମୁଁ ବା କ’ଣ କହିବି । ଆଉ ତେବେ ଯଦି ଆବଶ୍ୟକ ହୁଏ ମନେପକାଇବ ମତେ । ମୋ ଜୀବନ ପଙ୍କିଳ ହେଲେ ବି ତୁମକୁ ପଙ୍କଜ ପରି ଶୁଭ୍ର କରିବା ପାଇଁ ଚେଷ୍ଟା ଅନ୍ତତଃ କରିବି ।

 

ସୁନୀତା ଉଠିଲା । ନଇଁପଡ଼ି ପାଦ ଛୁଇଁ ପ୍ରଣାମ କଲା ତାଙ୍କୁ ।

 

–ମୁଁ ତାହେଲେ ଆଜି ଏଠାରୁ ଚାଲିଯାଉଛି ଅପା ।

 

–ଚାକିରି ନହେଲା ନାହିଁ, ଅନ୍ୟ ବ୍ୟବସ୍ଥା ନହେଲା ପର୍ଯ୍ୟନ୍ତ ମୋ ପାଖରେ ରହିଯାଇପାରିବନି ?

 

–ମତେ କ୍ଷମାକରନ୍ତୁ ଅପା ! ଆଉ ନା । ମୁଁ ଜଣେ ଡିନୋସାର ଆତ୍ମା । ମତେ ନପାଇ ଅସ୍ଥିର, ଅଶାନ୍ତ ହୋଇଉଠିବ । ତା’ର ମୁକାବିଲା କରିବା ପାଇଁ ମୁଁ ତ ପୁଣି ପ୍ରସ୍ତୁତ ହେବି ଅପା ।

 

ଆଉ କିଛି କହିବାର ନଥିଲା । କିଛି କରିବାର ନଥିଲା ଅନ୍ୟମାନଙ୍କର ।

 

ନୀତା ବିଦାୟ ନେଇ ନିଜର ଜିନିଷ ବନ୍ଧାବନ୍ଧି ଶେଷ କରି ରିକ୍ସା ଡକାଇଲା ।

 

ରିକ୍ସା ଆସି ପହଞ୍ଚିବା ପୂର୍ବରୁ କିନ୍ତୁ ପହଞ୍ଚିଲା ଇଙ୍ଗୀତା । ହାତରେ ରଜନୀଗନ୍ଧାର ସ୍ତବକ-। ଆଖି ଫୁଲା ଫୁଲା ମୁହଁଉପରେ ଶୋକ–ଚ୍ଛାୟା ସୁସ୍ପଷ୍ଟ ।

 

–କ’ଣ ହେଲା କିଲୋ । ଦେହ ଭଲନାହିଁ କି ? ଏପରି ଶୁଖିଲା ଦିଶୁଛୁ ଯେ...

 

ବାସ୍, ଏଇ ଦରଦପୂର୍ଣ୍ଣ କଥାପଦକ ପାଇଁ ତା’ର ବ୍ୟାକୁଳ ହୃଦୟ ପ୍ରତିକ୍ଷା କରୁଥିଲା । ଆଉ ନିଜକୁ ସଞ୍ଜତ କରିପାରିଲାନି ସେ । ପୁଷ୍ପସ୍ତବକଟିକୁ ନୀତା ହାତକୁ ବଢ଼ାଇଦେଇ ତାକୁ ଜାବୁଡ଼ିଧରି ପିଲାପରି କାନ୍ଦିଉଠିଲା ଆକୁଳ ଆବେଗରେ ।

 

ତାକୁ ଛାତିଉପରେ ଜାକିଧରି ତା’ ମଥାର କେଶଗୁଡ଼ିକ ସୁବିନ୍ୟସ୍ତ କରୁ କରୁ ନିଜର ସ୍ପର୍ଶ ଓ ହୃଦ୍ୟତା ଦେଇ ସାନ୍ତ୍ୱନା ଦେଲା ନୀତା । ତା’ ଆଖିରେ ବି ଇଙ୍ଗୀତାର ଅଶ୍ରୁ ।

 

ଦୁଇଟି ପରସ୍ପର ପ୍ରତି ଅନୁରକ୍ତ ହୃଦୟର ଅଭିବ୍ୟକ୍ତ ।

 

–ଶାନ୍ତ ହେ । ଇମିତି ପିଲାଙ୍କ ପରି କାନ୍ଦିଲେ ଚଳିବ । ଦାନ୍ତ ଟିପି ଉଦ୍‍ଗତ କୋହକୁ ରୋଧ କରି କହିଲା ସୁନୀତା ।

 

–ତମେ କୁହ–ମତେ ସଙ୍ଗରେ ନେଇଯିବ । କାନ୍ଦୁ କାନ୍ଦୁ ମୁହଁ ନ ଉଠାଇ କହିଲା ଇଙ୍ଗୀତା ।

 

–ପାଗିଳୀ । ମୁଁ ତ ବେକାର ହୋଇ ବୁଲିବି ଆଜିଠୁ । ତୁ ବି ବୁଲିବୁ ମୋ ସାଙ୍ଗରେ ।

 

–ହଁ ଅପା । ତମେ ଯଦି ଧୂଳି ବାଲିରେ ବୁଲି ଖରାର ଝଲସ ସହିପାରିବ, ତୁମ ସାଙ୍ଗରେ ଥିଲେ ମୁଁ ବି ସହିପାରିବି ଦୁନିଆର ସବୁ ଜ୍ୱଳା, ଅଭିଶାପ ।

 

–ଅବୁଝା ହଅନା ଇଙ୍ଗୀ । ମୁଁ ଯେଉଁଠି ଥିଲେ ବି ତୁ ମନେପଡ଼ିବୁ ଯେ...

 

–ତାହେଲେ ନବନି ମତେ ?

 

ଆଖିରେ ଅଶେଷ କାରୁଣ୍ୟ ନେଇ ଅନାଇଲା ଇଙ୍ଗୀତା । ସେଇ ଆଖିର ଦୃଷ୍ଟିରେ ବନ୍ୟାରେ ଭାସିଗଲା ପରି ଭାସିଗଲା ନୀତାର ଧୈର୍ଯ୍ୟ । ଆଖିରୁ ଝରଝର ହୋଇ ଝରିପଡ଼ିଲା ବ୍ୟଥିତ ବିଦଗ୍ଧ ହୃଦୟର ବେଦନାଶ୍ରୁ ।

 

ଏଇପରି ହୁଏ । ପ୍ରାଣ ସହିତ ପ୍ରାଣର ସ୍ସର୍ଶ ଲାଗିଲେ, ଅନ୍ତରର ଉତ୍ତାପ ଅନ୍ତରକୁ ଛୁଇଁଲେ କିଛି ବାଧା ରହେନା, ସବୁ ଅଶ୍ରୁ ସଂଗମରେ ଏକାକାର ହୋଇଯାଏ ।

 

–ମୁଁ ଆଗ ଗୋଟେ କିଛି ଠିକ୍ କରେ । ତତେ ଠିକ୍ ନେଇଯିବ ଇଙ୍ଗୀ ।

 

କମ୍ପିତ କଣ୍ଠରେ କହିଲା ସୁନୀତା ।

 

ଦୁହେଁ ବୋଧହୋଇ ବସିଲେ ଯାଇ ତକ୍ତପୋଷ ଉପରେ । ରିକ୍ସା ବାହାରେ ଅପେକ୍ଷା କରୁଥିଲା ।

 

–ତସର ଠିକଣାଟି ମତେ ଦେଇଯାଅ ଅପା ।

 

–ମୋର କି ଠିକଣା ଅଛି ଇଙ୍ଗୀ । ଯେଉଁଠି ଆଶ୍ରୟ ପାଇବି ସେଇ ହେବ ଠିକଣା ।

 

ଏପର୍ଯ୍ୟନ୍ତ କେଉଁଠାକୁ ଯିବ, କାହାପାଖରେ ରହିବ ଭାବିନଥିଲା ସୁନୀତା ।

 

–ତେବେ କେଉଁଠି ରହିବ ଯେ...

 

–କିଛି ଭାବିନି ଭଉଣୀ–ଭାବିବାର ସମୟ ପାଇନି ।

 

ସତରେ ଏପର୍ଯ୍ୟନ୍ତ ଭାବିନଥିଲା ସୁନୀତା । ଏଇପରି ଅଭାବା ରହିଯାଏ ଅନେକ ପ୍ରଶ୍ନର ଉତ୍ତର । ଏତେବଡ଼ ପୃଥିବୀରେ ମଣିଷ କେଡ଼େ ଛୋଟ ଅଥଚ ପ୍ରଶ୍ନହୁଏ ସେ ରହିବ କେଉଁଠି, ଖାଇବ କ’ଣ ? ସୃଷ୍ଟିର ଅନଦି ଅନନ୍ତ କାଳରୁ ଏଇ ପ୍ରଶ୍ନର ଉତ୍ତର ଅନୁଚାରିତ ହୋଇ ରହିଯାଇଛି ହତଭାଗ୍ୟମାନଙ୍କ ଜୀବନରେ । କେହି ସମାଧାନ କରିପାରି ନାହିଁ ଏଇ ସମସ୍ୟା । ଯେତେବଡ଼ ପୃଥିବୀ ସେତିକି ବଡ଼ ତା’ର ସମସ୍ୟା । ସେଇ ସମସ୍ୟା ମଧ୍ୟରେ ହଜିଯାଇଛି ଆର୍ତ୍ତର ଆର୍ତ୍ତନାଦ, ଅଶାନ୍ତର ଅଗ୍ନି, କୋଟି କୋଟି ଶ୍ୱାସ ପ୍ରଶ୍ୱାସର ପ୍ରଜ୍ଜ୍ୱଳିତ ବହ୍ନି ।

 

ଯେଉଁ ପ୍ରଶ୍ନର ସମାଧାନ ଏତେଦିନ, ଏତେ ଯୁଗ ଧରି ହୋଇନି ତା’ର ଉତ୍ତର ସଠିକ୍ ଭାବରେ ଦେଇପାରିଲା ନାହିଁ ନୀତା ।

 

–ତାହେଲେ ?

 

–ତାହେଲେ ବି କିଛି ନା କିଛି ଗୋଟେ ମିଳେଇଦେବେ ଭଗବାନ । ଏତେ ବଡ଼ ସହରଟାରେ ଟିକିଏ ଆଶ୍ରୟ, ଚେନାଏ ସ୍ନେହ କେହି ଦେବେନି ତୋ ଅପାକୁ ।

 

ନିର୍ବାକ ହୋଇ ତା’ର ପରମ ଶୁଭକାଂକ୍ଷିଣୀକୁ ଅନାଇ ରହିଲା ଇଙ୍ଗୀତା । ତା’ ମୁହଁଉପରେ ଅଶାନ୍ତ ସାଗରର ତରଙ୍ଗ ପରି ଉକୁଟିଉଠୁଥିଲା ଅନ୍ତରର ବେଦନା ତରଙ୍ଗ ।

 

–ଭଗବାନ ରକ୍ଷା କରନ୍ତୁ ତମକୁ । ଏତିକି ପ୍ରାର୍ଥନା ।

 

ବହୁ କଷ୍ଟରେ କହିଲା ସେ ଏତିକି–ଘଡ଼ିଏ ପରେ ।

 

ବନ୍ଧାବନ୍ଧି ଶେଷ ହୋଇଥିଲା । ବାହାରେ ରିକ୍ସା ଅପେକ୍ଷା କରିଥିଲା । ଆଉ ବିଳମ୍ୱ ନକରି ଇଂଗୀତା ପାଖରୁ ବିଦାୟନେଇ ରିକ୍ସା ଉପରକୁ ଜିନିଷପତ୍ର ନବାପାଇଁ ଆଦେଶଦେଲା ସୁନୀତ ।

 

ରିକ୍ସା ଉପରେ ବସି ପୁଣି ଥରେ ଚାରିପାଖରେ ଘରବାଡ଼ି ବଗିଚା ଉପରେ ଦୃଷ୍ଟି ପକାଇଲା ସେ । ଅଳ୍ପ କେଇମାସ ମଧ୍ୟରେ ଏଇ ସ୍ଥାନ ଅତି ଆପଣାର ହୋଇଉଠିଥିଲା ତା’ର । ନିଜ ଜୀବନର କେତୋଟି ବେଦନାବିଧୂର ମୁହୂର୍ତ୍ତର ସ୍ମୃତି ଜଡ଼ି ରହିଥିଲା ଏହି ସ୍ଥାନ ମାଟି, ଗୋଡ଼, ପାଣି, ପବନରେ । ବେଦନା ଅନୁଭବ କଲା ହୃଦୟରେ ।

 

ଝୁଙ୍କିପଡ଼ି ଇଙ୍ଗୀତାର କାନପାଖରେ ଅସ୍ପଷ୍ଟ ସ୍ୱରରେ କିଛି କହିଲା ସୁନୀତା । ରିକ୍ସା ଚାଲିଲା ତାପରେ ।

 

ଛିଡ଼ାହୋଇ ତା’ ଯିବାପଥକୁ ଅନାଇ ରହିଲା ଇଙ୍ଗୀତା । ଆଖିରେ ଥିଲା ସର୍ବହରାର ଚାହାଣି । ହୃଦୟରେ ଥିଲା ଅନୁରାଗ ରଂଜିତ ଅନ୍ତରଙ୍ଗ ସାନିଧ୍ୟର ସୁଷମାମଣ୍ଡିତ ସ୍ମୃତି ।

 

ରିକ୍ସା ଆଗେଇଗଲା । ନାରୀ ସେବା ସଂଘର ଦକ୍ଷିଣକୁ ରାସ୍ତା ଭାଙ୍ଗିଉଠିଲା ଯାଇ ବକ୍ସିବଜାର ଛକରେ । ସେଠାରୁ ଦକ୍ଷିଣ ଦିଗକୁ ଗତି କରି ଘୂରିଘୂରି ଚାଲିଲା ଦୋଳମୁଣ୍ଡେଇଆଡ଼େ-

 

କେଉଁଆଡ଼େ ଯିବ । କେଉଁଠି ରହିବ । କିଏ ଆଶ୍ରୟ ଦବ ତାକୁ । ମାଉସୀ ପାଖକୁ ଯିବାପାଇଁ ଆଦୌ ଇଚ୍ଛାହେଲାନି । ସେ ବି ତ ସେଇ ଡିନୋସାର ଦଳଭୁକ୍ତ ।

 

ଘୃଣା ଏବଂ ଲଜ୍ଜାରେ ନିସ୍ତେଜ ଅନୁଭବ କଲା ଭାବିଲା ପୁରୁଷ କଅଣ ନାରୀକୁ ଅନ୍ୟ ଚକ୍ଷୁରେ ଦେଖିପାରେନା । ନାରୀର ସମସ୍ତ ଐଶ୍ୱର୍ଯ୍ୟ କେବଳ କ’ଣ ପୁରୁଷର ଲାଳସା ଚରିତାର୍ଥ ପାଇଁ । କାହିଁକି ବାନ୍ଧବୀ ବା ଭଗ୍ନିଭାବରେ, ଜନନୀ ବା କନ୍ୟା ଭାବରେ ନାରୀକୁ ଗ୍ରହଣ କରିବା ପାଇଁ ଅସମର୍ଥ ସେ । କାହିଁକି ଏହି ଜନାକୀର୍ଣ୍ଣ ପୃଥିବୀର ରାଜପଥ ଉପରୁ ଶଯ୍ୟା ସଙ୍ଗିନୀ ହବାପାଇଁ ତାକୁ ଆମନ୍ତ୍ରଣ ଜଣାଇଲେ ହିମାଂଶୁ !

 

ତା’ର ଚରିତ୍ର ବା ଚାଲିଚଳଣରେ ସେ ତେବେ କି ସୂଚନା ପାଇଛନ୍ତି କିଛି । ମନପ୍ରାଣରେ, ଜ୍ଞାତ ବା ଅଜ୍ଞାତରେ କେବେହେଲେ ସେ ଏପରି କୌଣସି ଆଚରଣ କରିନି ଯାହାକି ତାକୁ ଲୋଭନୀୟ ବା ଆକର୍ଷଣୀୟ କରି ତୋଳିବ ତାଙ୍କ ପାଖରେ । କାହିଁକି ତାହେଲେ ସେ ଏତେବଡ଼ ହୋଇ ଏଡ଼େ ଛୋଟ ହୋଇଗଲେ ତା’ ପାଖରେ ! ଯାହାଙ୍କୁ ଶ୍ରଦ୍ଧା କରୁଥିଲା ସମ୍ମାନୀୟ ପ୍ରଭୁ ଭାବରେ, ସେ ଖସିଗଲେ ଏତେ ତଳକୁ କେବଳ ଅସମ୍ମାନ ଏବଂ ଅଶ୍ରଦ୍ଧା ପାଇବା ପାଇଁ !

 

ସିଧା ଷ୍ଟେସନଆଡ଼କୁ ମୁହାଁଇଲା ରିକ୍ସା । ଫେରିଯିବ ବାରିପଦା । ଭାଇ ଭାଉଜ ନଥାନ୍ତୁ-। ରହିବା ପାଇଁ ଅସୁବିଧା ହେବନି । ତାପରେ ନିଶ୍ୱାସ ମାରିବାର ବେଳ ପାଇଲେ ପୁଣି ଆଶ୍ରୟ ଖୋଜିବା ପାଇଁ ପାଦ ବଢ଼ାଇବ ସେ । ଚାକିରିଟିଏ ମିଳିବା ପର୍ଯ୍ୟନ୍ତ ଅପେକ୍ଷା କରିବ ପୁଣି-

 

ଯୈର୍ଯ୍ୟଧରି ଅପେକ୍ଷା କରିବ । ସଂଗ୍ରାମରୁ ଅପମରି ଯିବ ନାହିଁ । ବିପଦର ମୁକାବିଲା ନକରି ଭୀରୁ ପରି ପଳାଇଯିବା ନାହିଁ । ନାରୀର ଯେ ଗୋଟିଏ ଦୁର୍ଗା ରୂପ ଅଛି । ସେ ବି ଯେ ଭୀମା ଭୟଙ୍କରୀ ହୋଇ ଅଶ୍ଳୀଳତା ଏବଂ ଅତ୍ୟାଚାରକୁ ଦଳନ କରିପାରେ ତାହାର ପ୍ରମାଣ କ’ଣ ବିରଳ ଏକ ଆର୍ଯ୍ୟାବର୍ତ୍ତରେ !

 

ହଠାତ କିଏ ପଛରୁ ଡାକିଲା–ନୀତା !

 

ଫେରି ଚାହିଁଲା । କିନ୍ତୁ ସେ ପାଖରେ ଦେଖିପାରିଲା ନାହିଁ କାହାକୁ । ଅଗ୍ରସର ହେଲା ରିକ୍ସା । କିନ୍ତୁ ପୁଣି କିଏ ଡାକିଲା–

 

ନୀତା !

 

ସେ ସ୍ୱର ସ୍ପଷ୍ଟ ଏବଂ ସୁପରିଚିତ । ରିକ୍ସା ଛିଡ଼ା କରିବା ପାଇଁ କହିଲା ସୁନୀତା ।

 

ସଙ୍ଗେ ସଙ୍ଗେ ମୋଡ଼ ଭାଙ୍ଗି ସାଇକେଲରୁ ଓହ୍ଲାଇ ତା’ ପାଖରେ ଛିଡ଼ାହେଲା ସବ୍ୟସାଚୀ । ଘନ ଘନ ନିଶ୍ୱାସ ପଡ଼ୁଥିଲା ନାକରୁ ।

 

ହଠାତ୍ ଅପ୍ରତ୍ୟାଶିତ ଭାବରେ ତା’ ଆଗରେ ସବ୍ୟସାଚୀକୁ ଦେଖି ବିହ୍ଵଳ ହୋଇଗଲା ସୁନୀତା ! ଈଶ୍ୱର କ’ଣ ତାହେଲେ ପଠାଇ ଦେଇଛନ୍ତି ତାକୁ ତା’ର ଶେଷ ରକ୍ଷା କରିବା ପାଇଁ ।

 

ସେଇ ମୁହୂର୍ତ୍ତକ ପାଇଁ ବିହ୍ଵଳ ହୋଇ ଭାବିଗଲା ସୁନୀତା । କିନ୍ତୁ ସେଇ ମୁହୂର୍ତ୍ତକ ମାତ୍ର ! ତାପରେ ଆତ୍ମସ୍ଥ ହୋଇ ପୁନର୍ବାର ପ୍ରଜ୍ଜ୍ୱଳିତ ଦୀପ ଶିଖା ପରି ଉଜ୍ଜ୍ୱଳ ହୋଇ ଦେଖାଦେଲା ।

 

–କୁଆଡ଼େ ଯାଉଛ ଯେ ! ଏତେ ଡାକୁଛି, ତଥାପି ଶୁଣିପାରୁନ !

 

ଲାଜେଇଗଲା ନୀତା । କିନ୍ତୁ ମୁହଁଉପରେ ହସର ସରୁ ରେଖାଟିଏ ଟାଣି କହିଲା–ଯେଉଁଠାରୁ ଆସିଥିଲି ଫେରିଯାଉଛି ସେଇଠାକୁ ।

Unknown

 

ମାନେ ?

 

–ମାନେ ବାରିପଦା ଯାଉଛି । କହିବା ପାଇଁ ସମୟ ପାଇନି ତୁମକୁ । ଚିଠିରୁ ଜାଣିଥିବ ସବୁ । ଚାକିରିରୁ ଇସ୍ତଫା ଦେଇଛି ।

 

ବେଶ୍ ଆଶ୍ଚର୍ଯ୍ୟ ହୋଇଗଲା ସବ୍ୟସାଚୀ । ଯେଉଁ ଚାକିରି ଏତେ ପ୍ରଚେଷ୍ଟା କରି ପାଇଥିଲା ସେ ଏଡ଼େ ସହଜରେ ଇସ୍ତଫା ଦେଇଦେଲା ସେଥିରୁ ।

 

ଇସ୍ତଫା ଦେଇଦେଇଛ ?

 

ଟିକିଏ ଉତ୍ତେଜିତ ହୋଇ ପଚାରିଲା ସବ୍ୟସାଚୀ ।

 

ହଁ ।

 

ବାରିପଦାରେ ପିଉସୀ ବ୍ୟତୀତ ଆଉ କେହି ନାହଁନ୍ତି କହୁଥିଲ । ତେବେ ଯେ ଯାଉଛ ?

 

ଗୋଟେ ଆଶ୍ରୟ ଆବଶ୍ୟକ ।

 

ବରଂ କଟକରେ ରହି ଚେଷ୍ଟାକର । ମୁଁ ବି ଯତ୍ନ କରିବି । ଆପତ୍ତି ନଥିଲେ ଏଇ ମୋ ବସାରେ ରହିପାର । ତମେ ନିଶ୍ଚିତ ରୁହ, ଅସମ୍ମାନ ହେବନି ତୁମର ।

 

ଅବାକ ହୋଇଗଲା ନୀତା ! ଏକ ବିହ୍ୱଳିତ ଆବେଗ ତା’ର ମନପ୍ରାଣକୁ ଆଚ୍ଛନ୍ନ କରିପକାଇଲେ ବିଜୁଳି ବେଗରେ । କାନଦୁଇଟା ଗରମ ହୋଇଉଠିଲା । ସମଗ୍ର ଅବୟବରେ ଅସ୍ୱାଭାବିକ ପ୍ରାଣ ଚାଞ୍ଚଲ୍ୟ ଅନୁଭବ କଲା ମୁହୂର୍ତ୍ତକରେ ।

 

ପିଲାଳିଆ କଥା ସବ୍ୟସାଚୀର । ସବୁଦିନ ସହଜ ଭାବରେ ପୁଙ୍ଖାନୁପୁଙ୍ଖ ବିବେଚନା ନକରି ସାଂସାରିକ ଦୃଷ୍ଟିରୁ ପରୀକ୍ଷା ନକରି କହିପକାଏ ସେ । ସ୍ୱଭାବସୁଲଭ ଏଇ ଆମନ୍ତ୍ରଣ ସ୍ନେହର, ଆନ୍ତରିକ ସ୍ୱଚ୍ଛତାର, ସରଳତାର । କିନ୍ତୁ, ସେ କ’ଣ ଗ୍ରହଣ କରିପାରିବ ଏଇ ଅଯାଚିତ, ଲୋଚକ୍ଷୁରେ ଅଚଳନୀୟ ଆଶ୍ରୟ !

 

–ରୁହ ବା ନ ରୁହ । ଫେରିଚାଲ । ଦଣ୍ଡେ ବସି କଥାବାର୍ତ୍ତା କରାଯାଉ ।

 

କିନ୍ତୁ....

 

–ଅବିଶ୍ୱାସ ହେଉଛି ?

 

ଏପରି, ଏକ ଅନୁପମ ସ୍ୱରରେ ପଚାରିଲା ସବ୍ୟସାଚୀ ଯେ, ଆଉ ଦ୍ୱିଧା ନକରି ଅନ୍ତତଃ କିଛି ସମୟ ଆଳାପ କରିଯିବାପାଇଁ ରିକ୍ସା ଫେରାଇବାକୁ କହିଲା ନୀତା !

 

ସବ୍ୟସାଚୀ ପଥ କଢ଼ାଇଲା ତା’ ଘରଆଡ଼କୁ ।

 

ଘରଭିତରକୁ ଜିନିଷପତ୍ର ଉଠାଇନେଇ ରିକ୍ସାବାଲାକୁ ବିଦା କରିଦେଲା ସବ୍ୟସାଚୀ ।

 

–ଛୋଟ ଘର । ତମର ଅସୁବିଧା ହୋଇପାରେ । କହିଲା ସବ୍ୟସାଚୀ ।

 

–ସବୁକଥା ଭାବିଛି ? ମୁଁ ରହିଲେ ବାହାରକୁ ସୁନ୍ଦର ଦିଶିବ ନାହିଁ । ତୁମେ ସମାଜକୁ ଯେତେ ସୁନ୍ଦର ଭାବ, ସେତେ ସୁନ୍ଦର ନୁହେଁ ସମାଜ ।

 

ପ୍ରକୃତରେ ଏତେ କଥା ଭାବିନଥିଲା ସେ । ନୀତା ମୁହଁରୁ ଏସବୁ ଶୁଣିବାକ୍ଷଣି ବେଶ୍‍ ଚିନ୍ତିତ ହୋଇପଡ଼ିଲା ସବ୍ୟସାଚୀ ।

 

–କ’ଣ ଭାବୁଛ ଏତେ । ଅନୁତାପ କରୁଛ ବୋଧେ ମତେ ଡାକିଆଣି ?

 

ହସିଦେଇ କହିଲା ନୀତା ।

 

–ନା

 

ସ୍ପଷ୍ଟ ଭାବରେ କହିଲା ସବ୍ୟସାଚୀ ।

 

–ଟିକେ ବସ । ମୁଁ ଆସୁଛି–

 

କହିଦେଇ ସୁନୀତା କିଛି କହିବା ପୂର୍ବରୁ ବାହାରିଗଲା ସବ୍ୟସାଚୀ ।

 

ପ୍ରାୟ ଗୋଟିଏ ମିନିଟ ପରେ ଫେରିଲା ସେ । ମୁହଁରେ ପ୍ରସନ୍ନତା !

 

–ବଡ଼ ଖୁସି ହେଲାପରି ଦେଖାଯାଉଛି ଯେ ..କହିଲା ସୁନୀତା ।

 

–ଦୁଃଖର କାରଣ କିଛି ତ ଘଟିନି । ବରଂ ବହୁଦିନ ପରେ ଫେରିପାଇଛି ତୁମକୁ ।

 

ତା’ କଥାରେ ଚଟୁଳତାରେ ପୁଣି ମୁହଁ କାନ ଲାଲ୍ ହୋଇଉଠିଲା ସୁନୀତାର ।

 

–ବଡ଼ ଦୁଷ୍ଟ ହୋଇଯାଇଛ ଦେଖୁଛି ।

 

–ଶିଷ୍ଟତା ନ ଶିଖାଇଲେ ଦୁଷ୍ଟ ହୁଅନ୍ତି ପିଲା ।

 

ହସିଉଠିଲେ ଦୁହେଁ । ତା’ପରେ ସମ୍ମୁଖରେ ପ୍ରସ୍ତାବ ରଖିଲା ସବ୍ୟସାଚୀ–ସବୁ ଠିକ୍ କରି ଆସିଲି । କିଶୋର ବାବୁଙ୍କ ପରିବାରରେ ରହିବ ତୁମେ । ଗୋଟିଏ ସ୍ୱତନ୍ତ୍ର କୋଠରୀ ତୁମର । ଏଇ ପାଖରେ । ଅସୁବିଧା ହବନି । ମୁଁ ରହିଲି ଏଠାରେ ଅପେକ୍ଷା କରିବ ଯେତେଦିନ ନ ଆସିଛି... ।

 

କୃତ୍ରିମ ରୋଗ ପ୍ରକାଶ କରି କହିଲା ସୁନୀତା–ସେଇ କଥା ପୁଣି । କିଶୋର ବାବୁ ସସ୍ତ୍ରୀକ... ।

 

 

ହସିଦେଇ କହିଲା ସବ୍ୟସାଚୀ–ଭୟ ନାହିଁ । ସେ ବୟସରୁ ଉତ୍ତୀର୍ଣ୍ଣ ହୋଇଛନ୍ତି ସେ । ପାଞ୍ଚଟି ସନ୍ତାନର ଜନକ । ସ୍ୱାମୀ ସ୍ତ୍ରୀ ପରସ୍ପର ପ୍ରତି ଗଭୀର ସ୍ନେହଶୀଳ ଏବଂ ଆସକ୍ତ ।

 

–ତୁମ ବିବରଣୀରୁ ତା’ର ସୂଚନା ପାଇଛି ।

 

ଖିଲ୍‍ଖିଲ୍‍ କରି ପୁଣି ହସିଉଠିଲା ସୁନୀତା ।

 

–ଖୁବ୍‍ ଭଦ୍ର ଉଭୟ । ତେବେ ପିଲାଗୁଡ଼ାକ ହୁଏତ ତୁମକୁ ବ୍ୟତିବ୍ୟସ୍ତ କରିପାରନ୍ତି । ସହିଯିବ ଟିକିଏ । ଭଦ୍ର ଏବଂ ନିରାପଦ ଆଶ୍ରୟ ।

 

ଖୁସିହେଲା ସୁନୀତା । ଏପରି ଏକ ଜଟିଳ ବିଷୟର ଆଶୁ ସମାଧାନ ଭାବିପାରିନଥିଲା–ରାଜି ହୋଇଗଲା ସେ ଜିନିଷପତ୍ର ସହିତ ପୁଣି କିଶୋର ବାବୁଙ୍କ ଘରକୁ ଯିବାପାଇଁ ପ୍ରସ୍ତୁତ ହୋଇଗଲା । କିନ୍ତୁ ସେ ଉଠିବା ପୂର୍ବରୁ କହିଲା ସବ୍ୟସାଚୀ–ଏତେଶୀଘ୍ର ଚାଲିଯିବ ।

 

–ସ୍ଥାନ ସ୍ଥିର କରି ଆସିଛ ଯେତେବେଳେ ‘ଶୁଭସ୍ୟ ଶୀଘ୍ରମ୍ ।’

 

–ସେ ପରେ ହେବ । ଚା’ ଟିକେ ଖାଅ । ଇମିତି ଇମିତି ଚାଲିଯିବାଟା ଶୋଭାପାଏନା ।

 

ତା’ର ମମତାଭରା ସ୍ୱରରୁ ମଧୁ ଝରୁଥିଲା । ସୁନୀତାର ଅନ୍ତର ପୁଲକିତ ହେଲା ନୂତନ ମହକରେ । ସବ୍ୟସାଚୀର ଚିରନ୍ତନ ସାନିଧ୍ୟ ପାଇଁ ବ୍ୟାକୁଳ ହୋଇଉଠିଲା ହୃଦୟ ।

 

–ରକ୍ଷା କର । ଚା’ ମୋର ସହ୍ୟ ହୁଏନା ଆଦୌ । ବରଂ ହରଲିକ୍ସ କରିଦଉଛି । ଖାଅ ଗିଲାସେ । ମୁଁ ବି ଖାଇବି ।

 

–ହରଲିକସ୍ ଆସିବ କେଉଁଠୁ ଏଇକ୍ଷଣି ।

 

–ଚିନ୍ତା ନାହିଁ । ମୋଠି ଅଛି ଯେ...

 

ସୁନୀତା ଉଠିଯାଇ ଅନାଥ ସହିତ ହରଲିକ୍ସ ତିଆରି କରି ଦୁଇଗିଲାସ ଭର୍ତ୍ତି ହରଲିକ୍ସ ନେଇ ଫେରିଆସିଲା ପାଞ୍ଚ ମିନିଟରେ ।

 

ସବ୍ୟସାଚୀ ହାତକୁ ହରଲିକସ୍ ଗ୍ଳାସ ବଢ଼ାଇଦେଇ କହିଲା ସେ–ଘରଟାକୁ ଇମିତି କରିଛ କାହିଁକି ? ବହିପତ୍ରଗୁଡ଼ା ଏଣେତେଣେ ପଡ଼ିଛି । ଲୁଗାପଟା–ରଖିବାର ଠିକ୍ ନାହିଁ ।

 

–ମୋର ଅପାରଗପଣିଆ । ନିଜ ସମ୍ପର୍କରେ ଭାବିବା ପାଇଁ ସମୟ ପାଏନା, ଆଉ ପାଇଲେ ବି ଭାବିପାରେନା ।

 

–ଥାଉ ସେ କଥା । ମୁଁ ଠିକ୍ କରିଦଉଛି ଏଇନେ କିନ୍ତୁ ତା’ ଆଗରୁ... ।

 

ଇତସ୍ତତଃ ହେଲା ଟିକିଏ । କଥା ଶେଷ କରିପାରିଲା ନାହିଁ । ତାକୁ କହିଲା ସବ୍ୟସାଚୀ–କ’ଣ କହୁଥିଲ କହିଲ ନାହିଁ ଯେ...

 

–ଥାଉ । ପରେ କହିବି । ବହୁତ ସମୟ ଅଛି ହାତରେ ।

 

ଜିଦ୍ କଲା ନାହିଁ ସବ୍ୟସାଚୀ । ତା’ର ବି କହିବାର ବହୁତ ଅଛି, ଜାଣିବାର ବହୁତ ଅଛି । ସେ କହିବ ସବୁ ଅକୁହାକଥା, ଶୁଣିବ ସବୁ ଅକୁହା ନିବେଦନ ।

 

ଉଠିଯାଇ ଅନାଥ ସହିତ ଝାଡ଼ିଝୁଡ଼ି ଘରଗୁଡ଼ିକର ଆସବାବପତ୍ର, ଲୁଗାପଟା ଇତ୍ୟାତି ଭଲଭାବରେ ସଜାଡ଼ିଦେଲା ସୁନୀତା । ଅନାଥକୁ ବୁଝାଇଦେଲା ଟିକିନିଖିକରି ପ୍ରତିଦିନ କିଭଳି ସଫାସୁତୁଚା କରିବାକୁ ହେବ । ସଜାଡ଼ିବାକୁ ହେବ ।

 

କାମ ଶେଷ କରି ଆସି ବସିଲା ସବ୍ୟସାଚୀ ପାଖରେ ।

 

–କିଶୋର ବାବୁ ପଚାରିଲେ କିଛି ।

 

–ହଁ । ମୁଁ କହିଲି ମୋର ବାନ୍ଧବୀ । ଅସୁବିଧାରେ ପଡ଼ିଯାଇଛୁ । ମୁଁ ଏକୁଟିଆ । ତେଣୁ ସାମାଜିକ ଦୃଷ୍ଟିକୋଣରୁ ଏକା ଘରେ ରୁହାଯାଏନା । ଆପଣ ଯଦି ସାହାଯ୍ୟ କରନ୍ତି ।

 

–ସେ କ’ଣ କହିଲେ ?

 

–ସଙ୍ଗେ ସଙ୍ଗେ ଅରୁନ୍ଧତି ଦେବୀଙ୍କୁ ଡାକିଆଣିଲେ ଭିତରୁ । ଅରୁନ୍ଧତି ଦେବୀ ତାଙ୍କ ସ୍ତ୍ରୀ-। ଆଗରୁ ଥରେ ଦେଖାହୋଇଥିଲା ତାଙ୍କ ସାଙ୍ଗରେ । ଖାଇବା ପାଇଁ ନିମନ୍ତ୍ରଣ କରିଥିଲେ ମତେ-। ଭଦ୍ର ମହିଳା–ଶାନ୍ତ, ସୁଶୀଳା ।

 

–ସେ କିଛି ପଚାରିଲେ ନାହିଁ ।

 

–ମୁଁ ସବୁ ଖୋଲି କହିଲି ଦୁହିଁଙ୍କ ଭିତରେ । ଦୁହେଁ ଦ୍ୱିଧା ନକରି ରାଜି ହୋଇଗଲେ ଗୋଟିଏ କୋଠରୀ ଛାଡ଼ିଦେଇ ତୁମକୁ ପରିବାରର ଜଣେ ଭାବରେ ଗ୍ରହଣ କରିନବା ପାଇଁ ।

 

–ଆଶ୍ଚଯ୍ୟ । ଏଭଳି ଭଦ୍ର ପରିବାର ସତରେ ବିରଳ ।

 

–ନିଶ୍ଚୟ । ମୁଁ କହିଛି ତମକୁ ଅତି ଭଦ୍ର ପରିବାର । ତେବେ ଅରୁନ୍ଧତି ଦେବୀଙ୍କର ଗୋଟିଏ ସର୍ତ୍ତ...

 

–ସର୍ତ୍ତ ?

 

–ହଁ

 

–ସେ କି ?

 

–ଯଦି...

 

ତୁନି ପଡ଼ିଗଲା ସବ୍ୟସାଚୀ । ରହିଗଲା ଆଉ ନକହି । ଉତ୍ସୁକ ହୋଇ ଶୁଣିବାପାଇଁ ତା’ ଆଡ଼କୁ ନଇଁପଡ଼ି କହିଲା ସୁନୀତା–ରହିଗଲ ଯେ ।

 

–ଥାଉ ପରେ କହିବି ।

 

–ନା, ଏଇକ୍ଷଣି କୁହ । ଶୁଣିବାକୁ ମନହଉଛି ।

 

–ଶୁଣିବାକୁ ତ ଅନେକ ମନହୁଏ ନୀତା, କିନ୍ତୁ ସବୁକଥା କି ଶୁଣିପାରେ ମଣିଷ !

 

ତା’ ମୁହଁକୁ ଅଭିଳାଷିତ ହୃଦୟର ଆବେଦନ ଜଣାଇ କାତରତା ଜଣଇଲା ନୀତା ! ଦୁହେଁ ନିକଟବର୍ତ୍ତୀ ହେଇଥିଲେ ପରସ୍ପରର ।

 

–ତୁମ ସାଙ୍ଗରେ କଥାରେ ପାରିବିନି । ତଥାପି ମନ କହୁଛି ଶୁଣିବା ପାଇଁ–ତୁମର ତୁଣ୍ଡରୁ ଶୁଣିବା ପାଇଁ ।

 

–ଯଦି ଏତେ ଇଚ୍ଛା କହିଦିଏ ଶୁଣ । କିନ୍ତୁ ଗୋଟିଏ ସର୍ତ୍ତରେ...

 

–ତାଙ୍କର ଗୋଟିଏ ସର୍ତ୍ତ ମୁଁ ରହିବା ସମ୍ପର୍କରେ । ପୁଣି ତୁମର ଗୋଟିଏ ସର୍ତ୍ତ କହିବା ପାଇଁ... । ଏତେ ସର୍ତ୍ତ ମୁଁ ପାଳନ କରିପାରିଲେ ତ !

 

–ହଁ । ସେ ଶକ୍ତି ଅଛି ତୁମର ।

 

–କୁହ । ପାଳନକରି ।

 

–ଅରୁନ୍ଧତି ଦେବୀ କହିଲେ–ବାନ୍ଧବୀ ଯେବେ ବନ୍ଧନରେ ପରିଣତ ହେବେ ସେ କନ୍ୟା ସଂପ୍ରଦାନ କରିବେ କିନ୍ତୁ ।

 

ଲଜ୍ଜାରେ ଲାଲ ପଡ଼ିଯାଇ ମୁହଁ ଲୁଚାଇଲା ନୀତା ।

 

–ଧେତ୍ !

 

–ଧେତ୍ କି !

 

–ତମେ ସବୁ ଗୋଟେ ପ୍ଳଟ୍‍ କରିଛ ମୋ ବିରୋଧରେ ।

 

–ଭୟ ନାହିଁ । ସେ ପ୍ଳଟର ପାଇଲଟ ମୁଁ ।

 

ହସିଦେଇ କହିଲା ସବ୍ୟସାଚୀ ।

 

–ତମେ କହିଲ ସବୁ ତାଙ୍କ ଆଗରେ ।

 

–ନ କହିଲେ ଅନ୍ୟାୟ ହୁଅନ୍ତା ! ସେମାନେ ମୋର ହିତାକାଙ୍‍କ୍ଷୀ । ତା’ପରେ ବିପଦରେ ବନ୍ଧୁ....

 

–ଛି, ଛି । କି ସବୁ ଭାବିବେ ମୋ ସମ୍ୱନ୍ଧରେ । ମୁଁ ଯାଇପାରିବିନି କହୁଛି ।

 

–ନ ଯାଇପାରିଲେ ଏଇଠି ରୁହ, ମନାକରୁନି ତ ? ତେବେ ସେମାନେ କିଛି ଭାବିନାହାନ୍ତି । କିଶୋର ବାବୁ ତ ମୋ ପିଠିରେ ହାତମାରି ବାହାବା ବି ଦେଲେ...

 

–ତମ ବାହାଦୁରି ଦେଖି ?

 

ଲଜ୍ଜ୍ୟା ମିଶ୍ରିତ ହସରୁ ଝଲକାଏ ଢାଳିଦେଇ କହିଲା ନୀତା ।

 

–ବାହାଦୁରି ଦୁହିଁଙ୍କର । ବୁଝିଛନ୍ତି ସେମାନେ ।

 

–ତମେ ଯେ କି....

 

ତା’ ହାତଟିକୁ ନିଜ ହାତମୁଠା ଭିତରେ ଚାପି ଦଉଁ ଦଉଁ କହିଲା ସବ୍ୟସାଚୀ–ତମେ ବି ଯେ କି....

 

ଦୁହେଁ କରୁଳି ଉଠିଲେ ପରସ୍ପରର ପରଶ ପାଖରେ । ସୁନୀତାକୁ ବକ୍ଷଉପରକୁ ଟାଣିନେଇ କହିଲା ସବ୍ୟସାଚୀ- ଏବେ ମୋ ସର୍ତ୍ତଟି କହୁଛି । କୁହ ତ ଆଉ କେତେଦିନ ତମେ ମୋଠାରୁ ଅଲଗା ରହିବ ନୀତା......

 

ନିଜକୁ ଗୋଟାଇଆଣି କହିଲା ସେ–ଅଧୀର ହୁଅନା ଏତେ । ଅନନ୍ତ ସମୟର ଐଶ୍ୱର୍ଯ୍ୟରେ ଫୁଟିଉଠିବା ଆମେ । କେବଳ ତମେ ଆଉ ମୁଁ...

 

ତା’ଆଡ଼କୁ ଝୁଙ୍କିପଡ଼ି କହିଲା ସବ୍ୟସାଚୀ–ମତେ ଭଲପାଅ ନୀତା...

 

–ହଁ, ହଁ, ହଁ । ଆଉ ତମେ ?

 

–ଖୁ... ଉ. ବ ।

 

–ଆଉ ଥରେ କୁହ ।

 

–ଅନେକ ଅନେକ ଭଲପାଏ ତୁମକୁ ।

 

–ସେଇ ଭଲପାଇବାର ଉପଯୁକ୍ତ ହୁଏ ମୁଁ । ଆଶୀର୍ବାଦ କର ମତେ ।

 

ହଠାତ୍ ନଇଁପଡ଼ି ସବ୍ୟସାଚୀର ପାଦ ଛୁଇଁଲା ସୁନୀତା । ତାକୁ ତଳୁ ଉଠାଇଆଣିବା ବେଳକୁ ଦ୍ୱାର ସେପାଖରେ କାହାର ପଦଧ୍ୱନି ସ୍ପଷ୍ଟ ହୋଇଉଠିଲା ।

 

କିଶୋର ବାବୁ ସେପାଖରୁ ପରିଷ୍କାର ଭାବରେ କହିଲେ–ଆସିପାରେ କି ?

 

ନିଜକୁ ପ୍ରସ୍ତୁତ କରିନେଇ ଜଣାଇଲା ସବ୍ୟସାଚୀ–ନିଶ୍ଚୟ ଅକୁଣ୍ଠିତ ଚିତ୍ତରେ ।

 

ଭିତରକୁ ପ୍ରବେଶ କରି କହିଲେ କିଶୋର ବାବୁ–କିନ୍ତୁ କୁଣ୍ଠା କାହିଁକି ବନ୍ଧୁ ?

 

–କେଉଁଥିରେ ।

 

ପଚାରିଲା ସବ୍ୟସାଚୀ ।

 

–କାହିଁ ଆସିଲ ନାହିଁ ତ ଏତେବେଳଯାଏ ।

 

ସୁନୀତାକୁ ତାଙ୍କ ସହିତ ପରିଚୟ କରାଇଦେଲା ସବ୍ୟସାଚୀ । ସୁନୀତା ନମସ୍କାର କଲା କିଶୋର ବାବୁ ସ୍ନେହ ସ୍ନିଗ୍ଧ କଣ୍ଠରେ କହିଲେ–ଥାଉ ଭଉଣୀ । ଲଜ୍ଜ୍ୟା କି । ଭାଇ ଭାଉଜ ପାଖରେ ରହିବାପାଇଁ । ଚାଲ, ଭାଉଜ ଅପେକ୍ଷା କରୁଛନ୍ତି ।

 

ତାଙ୍କ କଣ୍ଠରୁ ଝରୁଥିଲା ଭାଇର ମମତା, ଗୁରୁଜନର ସ୍ନେହ ।

 

ସବ୍ୟସାଚୀ, ସୁନୀତା ଏବଂ କିଶୋରବାବୁ ଅଗ୍ରସର ହେଲେ କିଶୋରବାବୁଙ୍କ ଘରଆଡ଼କୁ ।

 

ସନ୍ଧ୍ୟା ହୋଇ ରାତି ହୋଇଯାଇଥିଲା ।

 

ଆକାଶରେ ଦ୍ୱିତୀୟା ଚାନ୍ଦ ଉଁକି ମାରି ଚାହୁଁଥିଲା ବିପୁଳ ପୃଥିବୀର ଅତୁଳ ସମ୍ପଦ ଦେଖିବା ପାଇଁ । ଆକାଶରେ ସଭା ବସିଥିଲା ତାରାମାନଙ୍କର । କିଏ କିଏ ଡାକୁଥିଲେ ଧରିତ୍ରୀର ଆର୍ତ୍ତ ଏବଂ ଦୁର୍ଗତମାନଙ୍କୁ ସ୍ନେହ ମମତା ଜଣାଇ ।

 

କିଶୋର ବାବୁଙ୍କ ଘରଭିତରକୁ ପ୍ରବେଶ କରିବା ପୂର୍ବରୁ ଆକାଶ ସେଇ ଶୋଭା ଦେଖି ମନେ ମନେ ଈଶ୍ୱରଙ୍କ ନିକଟରେ ନତଜାନୁ ହୋଇ ପ୍ରାର୍ଥନା କଲା–ମତେ ଶକ୍ତି ଦିଅ, ମତେ ଶୁଭ୍ରକର ଭଗବାନ ।

 

ଅରୂନ୍ଧତୀ ସମେତ ତାଙ୍କର ପାଞ୍ଚୋଟି ସନ୍ତାନ ଦ୍ୱାରପାଖରେ ହସ ହସ ମୁହଁରେ ଛିଡ଼ା ହୋଇଥିଲେ ସେମାନଙ୍କୁ ସ୍ୱାଗତ ଜଣାଇବା ପାଇଁ ।

 

ପ୍ରଣାମ କରିବା ପାଇଁ ନଇଁପଡ଼ିଥିବା ସୁନୀତାକୁ ନିଜ ବକ୍ଷଉପରକୁ ନୁଆଁଇନେଲେ ଅରୁନ୍ଧତୀ ।

 

ତେଇଶ

 

ଯାହା ଭାବିଥିଲା ସବ୍ୟସାଚୀ ଠିକ୍ ସେହିପରି ହେଲା ।

 

ଧର୍ମଘଟ ଏବଂ ଶୋଭାଯାତ୍ରା ନିଷିଦ୍ଧ କରିଦିଆଗଲା । ଏହା ବ୍ୟତୀତ ତା’ ନାମରେ ଲୋକମୁଖରେ ନାନାଦି କୁତ୍ସା ପ୍ରଚାରିତ ହେଲା । ଶ୍ରମିକ ସ୍ୱାର୍ଥର ଅନ୍ତରାଳରେ ହୋଟେଲ ମାଲିକ ସହିତ ହାତମିଳାଇ ଚିକ୍କଣ କରିଛି ନିଜ ହାତ । ଏହା ଖବରକାଗଜରେ ହୋଟେଲ କ୍ୟାପିଟାଲରେ ନିଆଯାଇଥିବା ନନ୍ଦରାମଜୀଙ୍କ ସହିତ ତା’ ଛବି ଦେଖାଇ ପ୍ରମାଣ କରୁଥିଲେ ଅନେକ । ଉଷାର ସାନିଧ୍ୟ ପାଇଁ ତା’ ଜନ୍ମଦିନରେ ତା’ ଗହଣରେ ନିଆହୋଇଥିବା ଛବି ଦେଖାଇ ଲୋକେ ତାକୁ ଲମ୍ପଟ ଭାବରେ ମଧ୍ୟ ଚିତ୍ର କରିବା ପାଇଁ ପଛେଇଗଲେ ନାହିଁ । ଏହି ସମସ୍ତ ଅପବାଦ ପଛରେ ଯେ, ଏକାଧିକ ବ୍ୟକ୍ତିଙ୍କର ସୁଚତୁର ଯୋଜନା କାର୍ଯ୍ୟକାରୀ କରୁଥିଲା ଏହା ସହଜରେ ଅନୁମାନ କରି ହିମାଂଶୁଙ୍କୁ ସବୁଥିରୁ ଅଧିକ ଦାୟୀ କଲା ସବ୍ୟସାଚୀ । ତାଙ୍କରି ଅଭିଜ୍ଞତା ବିନିମୟ ପରେ, ତାକୁ ଶାସ୍ତି ଦେଲେ ହିମାଂଶୁ ।

 

ମଣିଷ ନିଜର ନ୍ୟସ୍ତସ୍ୱାର୍ଥକୁ ବଜାୟ ରଖିବାପାଇଁ ଏତେ ତଳକୁ ଖସିଯାଇପାରେ, ଏସବୁ ଦେଖି ସେ ମନେକଲା ଏ ଦୁନିଆରେ ସବୁ ସମ୍ଭବ ।

 

ନିଜର ସରଳ ବିଶ୍ୱାସକୁ ଏହିପରି ସଙ୍କଟ ସମୟରେ ଅନେକ ସମୟରେ ଧିକ୍କାର କରେ ସେ । ଆଜନ୍ମ ଆତ୍ମ–ପ୍ରତ୍ୟୟ ଉପରେ ଗଢ଼ିଉଠିଥିବା ଜୀବନର ମୂଲ୍ୟବୋଧ ଉପରେ ଆଞ୍ଚ ଲାଗେ-। ଅତ୍ୟାଚାର, ଅନ୍ୟାୟ ଏବଂ ଅବିଚାର ଆଗରେ ସେ ନତମସ୍ତକ ହେବନାହିଁ, ଏହାହିଁ ଜନ୍ମଗତ ଆଦର୍ଶ । ଏହାହିଁ ତ ଶାସ୍ତ୍ରର ନିର୍ଦ୍ଦେଶ । ଆଜି ତେବେ କ’ଣ ମିଥ୍ୟା ଓ ଛଳନାପୂର୍ଣ୍ଣ ଅପବାଦ ଆଗରେ ମ୍ରିୟମାଣ ହୋଇ ଅସହାୟ ପରି ଆତ୍ମଗୋପନ କରିବ ସେ ।

 

ଅପରାଧ ସେ କରିନି । ତା’ ସତ୍ତ୍ୱେ ଯଦି ସତ୍ୟର ଅପଳାପ କରି ତା’ ଉପରେ କେହି ଅପବାଦର ବୋଝ ଲଦିଦିଏ, ସେଥିରେ ବିଚଳିତ ହେବନାହିଁ ସେ । ତା’ର ବିଶ୍ୱାସ ସମୟ ତାକୁ ଧୋଇ ପୋଛି ପୁଣି ଶୁଦ୍ଧ ପବିତ୍ର ଭାବରେ ପ୍ରତିପାଦିତ କରିବ । ସେତେବେଳେ ମେଘମୁକ୍ତ ଆକାଶ ପରି ନିର୍ମଳ ହୋଇ ସେ ଦେଖାଦେବ ସମସ୍ତଙ୍କ ଆଗରେ ।

 

କିନ୍ତୁ ଏତେଟା ହବ ବୋଲି ସେ ବି ଆଶା କରିନଥିଲା । ଆଶଙ୍କା ଯେ ନଥିଲା ତାହା ନୁହେଁ । ଆଜି ସେ ହିମାଂଶୁ ବାବୁଙ୍କ କରିତ୍‍କର୍ମା ପୌରୁଷତ୍ୱ ପାଖରେ ହାରମାନିଛି । କେବଳ ଅପବାଦର ବୋଝ ତା’ ମଥାଉପରେ ଲଦିଦେଇ କ୍ଷାନ୍ତ ହୋଇନାହାନ୍ତି ସେ, ଶ୍ରମିକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ତାକୁ ସେକ୍ରେଟାରୀ ପଦରୁ ବହିଷ୍କାର କରି ତାଙ୍କୁ ସୁହାଇଲା ଭଳି ଜଣେ ବ୍ୟକ୍ତିଙ୍କୁ ସେକ୍ରେଟାରୀ ନିର୍ବାଚିତ କରାଇନବାରେ ସମର୍ଥ ହୋଇଛନ୍ତି । ଛଳେ, ବଳେ, କୌଶଳେ ହାତ କରିନେଇଛନ୍ତି କମିଟିର ଅନେକ ସଦସ୍ୟଙ୍କୁ ।

 

ଆଜି ସେ ସେମାନଙ୍କ ସମ୍ମୁଖରେ ଶ୍ରମିକ ବିରୋଧୀ ଦଲାଲ ଭାବରେ ପ୍ରତିପନ୍ନ । କିନ୍ତୁ କ’ଣ ଏତିକି ! ତାକୁ ଦୁର୍ନୀତି ଏବଂ ବିଶୃଙ୍ଖଳ ଆଚରଣ ପାଇଁ ପ୍ରାୟ ପାଞ୍ଚମାସ ଏଗାରଦିନ ଚାକିରି ପରେ କର୍ମ ବିରତ କରି ଛଟେଇ କରିଦେଇଛନ୍ତି ।

 

ଆଉ ତାକୁ ଶାସ୍ତି ଦବାପାଇଁ ଯାଇ ସୁନୀତାର ସର୍ବସ୍ୱ ଲୁଟିନବା ପାଇଁ ପ୍ରୟାସ କରିଥିଲେ ହିମାଂଶୁ ।

 

ଭାବିବାକ୍ଷଣି ଚକ୍ଷୁ ଦୁଇଟିରେ ଆଗ୍ନେୟ ଉତ୍ତାପ ଅନୁଭବ କଲା ସବ୍ୟସାଚୀ । ତା’ର ସର୍ବାଙ୍ଗ କଠୋର ହୋଇଉଠିଲା । ସେ ବଜ୍ର ମୁଷ୍ଟି ହୋଇ ଆକାଶଆଡ଼କୁ ହାତଟେକିଲା ହୁଏତ ପ୍ରତିଜ୍ଞା କରିବା ପାଇଁ–ସିମିତି ଦ୍ରୌପଦୀର ଅପମାନ ଓ ଲାଞ୍ଛନାକୁ କ୍ଷାଳନ କରିବା ପାଇଁ ବଜ୍ର ମୁଷ୍ଟିକରି ଦୁର୍ଯ୍ୟୋଧନକୁ ସମ୍ମୁଖ ସମର ପାଇଁ ପଦ୍ମାଳୟାଙ୍କ ଆଶ୍ରୟ ପରିତ୍ୟାଗ କରି ବାହାରକୁ ଆସିବା ପାଇଁ ଆହ୍ୱାନ କରିଥିଲା ଭୀମସେନ ।

 

ଅଫିସ୍‍ରୁ ସମସ୍ତଙ୍କ ପାଖରୁ ବିଦାୟନେଇ ରାସ୍ତାରେ ଆସୁ ଆସୁ ଏଇସବୁ ଭାବୁଥିଲା ସବ୍ୟସାଚୀ ।

 

ଚାନ୍ଦିନୀଚୌକ ଛକପାଖର ଗୋଟିଏ ବହି ଦୋକାନ ପାଖରେ ହଠତ ଦେଖାହୋଇଗଲା ଅମୟ ସହିତ । ସେ ହାଇକୋର୍ଟଆଡ଼ୁ ଆସୁଥିଲା । ଦେହରେ ଥିଲା କଳା କୋର୍ଟ-

 

–ଆରେ ଅମୟ ଯେ !

 

–ସବ୍ୟସାଚୀ, ଶୁଣ, ଶୁଣ । ତତେ ଏଇ କେତେଦିନ ହେଲା ସତରେ ଖୋଜୁଥିଲି ।

 

ତା’ କାନ୍ଧଉପରେ ହାତରଖି ପଚାରିଲା ଅମୟ ।

 

–କୋର୍ଟରୁ ଆସୁଛୁ ତ !

 

–ହଁ ।

 

–ଚାଲ ଚା ପିଇବା ।

 

–ଚାଲ ।

 

ଦୁହେଁ ଯାଇ ବସିଲେ ନିକଟସ୍ଥ ଗୋଟିଏ ରେସ୍ତୋରାଁରେ । ଛୋଟ ରେସ୍ତୋରାଁ । ଚା ଓ ବିସ୍କୁଟ ଆଣିବା ପାଇଁ କହିଲା ଅମୟ ।

 

–ମୋ କଥା ସବୁ ଶୁଣିଥିବୁ ବୋଧେ ।

 

ଧୀରେ ଧୀରେ ରହି ରହି ପଚାରିଲା ସବ୍ୟସାଚୀ ।

 

–କିଛି ଶୁଣିଛି । ଆଉ ସବୁ ଶୁଣିବି ତୋ ପଖାରୁ । ବର୍ତ୍ତମାନ ତୁ କ’ଣ କରୁଛୁ ଯେ ?

 

–ଏପର୍ଯ୍ୟନ୍ତ କରୁଥିଲି । ଦୁଇଦିନ ହେଲା କାର୍ଯ୍ୟରୁ ଅନ୍ତର ହୋଇଛି ।

 

–ମାମୁଁ ତତେ ଛଟେଇ କରିଦେଇଛନ୍ତି ?

 

–ହଁ ।

 

ଶ୍ଳେଷଭରା ସ୍ୱରରେ କହିଲା ସବ୍ୟସାଚୀ ।

 

–ମୁଁ ପ୍ରଥମରୁ ଏଇପରି ଗୋଟେ କିଛି ଆଶଙ୍କା କରିଥିଲି । ତୋ ପରି ସ୍ୱାଧୀନତା, ସଚେତନ ବ୍ୟକ୍ତି ସେପରି ସୈରାଚାରୀ ବ୍ୟକ୍ତିଗତ ଅନୁଷ୍ଠାନରେ ରହିବା ସତରେ ମୁସ୍କିଲ ।

 

–କିନ୍ତୁ ମୋ ନାମରେ ଯେଉଁସବୁ ଅପବାଦ ଶୁଣାଯାଉଛି, ତୁ ଶୁଣିଥିବୁ ବୋଧେ ।

 

–ଅପବାଦ ଶୁଣିବା ପାଇଁ ମୋର ସମୟ ବେଶୀ ନାହିଁ । ତଥାପି କାନକୁ ଯେ ପଦେଅଧେ ନ ଆସିଛି ଏପରି ନୁହେଁ ।

 

ଚା ଓ ବିସ୍କୁଟ ଦେଇଗଲା ବୟ ।

 

ବିସ୍କୁଟ ଗୋଟେ ପାଟିଭିତରେ ଭର୍ତ୍ତିକରି କହିଲା ସବ୍ୟସାଚୀ–ଅଥଚ ଏଇ କଥା ଅନେକ ବିଶ୍ୱାସ କରନ୍ତି । ମୁଁ ଆଜି ଅନେକଙ୍କ ଆଖିରେ ଅପରାଧୀ ।

 

–ତୁ ବିଚଳିତ ହେ’ନା । ସତକଥା ବେଶୀଦିନ ଲୁଚିରହେନା ।

 

–ସତ, କିନ୍ତୁ ବର୍ତ୍ତମାନ ମୁଁ କଳଙ୍କର ବୋଝ ବୋହି ବୁଲିବି ।

 

–ସେଥିପାଇଁ ଡରିଲେ ଚଳିବ କେମିତି ? ଦଶଜଣଙ୍କ ପାଇଁ କାମକଲେ ଦୋଷ ଅବଶ୍ୟ ଲାଗେ ଦେହରେ ।

 

–କିନ୍ତୁ ଏତେ ବେଶୀ ପାଇଁ ପ୍ରସ୍ତୁତ ନ ଥିଲି ଅମୟ ।

 

–ପ୍ରସ୍ତୁତ କରିନେ ମନକୁ । ନ୍ୟସ୍ତ ସ୍ୱାର୍ଥ ପାଣି, ପବନ, ସାର ପାଇ ମାଟିଭିତରେ ଦୃଢ଼ କରିଛି ତା’ର ଚେର । ତୁ ଏତେଶୀଘ୍ର ଉପାଡ଼ିପାରିବୁ ?

 

–ନା, ସେ କଥା କହନା । ପ୍ରଥମେ ଏଇପରି ହୁଏ । ସମୟ ଆସିବ ତୋର ସତତା, ସଂଗ୍ରାମୀ ପଣିଆ ଉପରେ ଲୋକମାନଙ୍କର ବିଶ୍ୱାସ ଜନ୍ମିବ । ସେତେବେଳ ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ଅପେକ୍ଷା କର ।

 

–ଅପେକ୍ଷା କରିବା ବ୍ୟତୀତ ଅନ୍ୟଉପାୟ ନାହିଁ । ପୁଣି ସେଇ ପଞ୍ଚାକ୍ଷର ମନ୍ତ୍ର ଜପ କରିବାକୁ ହେବ ।

 

–ତୁ ଜୟୀ ହେବୁ ସବ୍ୟସାଚୀ । ଶେଷରେ ମାମୁଁ ହାରିଯିବେ ମୁଁ କହିରଖୁଚି ।

 

ହସିଦେଇ କହିଲା ଅମୟ । ସ୍ତମ୍ଭିତ ହୋଇ ତା’ କଥାଗୁଡ଼ିକୁ ଶୁଣିଗଲା ସବ୍ୟସାଚୀ । ପ୍ରଥମ ଥର ପାଇଁ ତା’ ମଥାଉପରେ ଲଦି ଦିଆଯାଇଥିବା ଅପବାଦ ଯେ, ସତ୍ୟ ନୁହେଁ ତାହା ମୁକ୍ତ କଣ୍ଠରେ କହିବା ପାଇଁ ଜଣେ ପରମ ଆତ୍ମୀୟକୁ ପାଇ ଆନନ୍ଦିତ–ଶଯ୍ୟାରେ ନିଜର ସୁପ୍ତ ଆତ୍ମଗୌରବ ଫେରିପାଇଲା ସବ୍ୟସାଚୀ ।

 

ଚା ପିଇସାରି ପଇସା ଦବାପାଇଁ ଯାଇଥିଲା ସେ । କିନ୍ତୁ କାଉଣ୍ଟରରେ ଆଗ ପଇସା ଦେଇ କହିଲା ଅମର–ଯେ ବଡ଼ ସେ ବିଲ୍ ପରିଶୋଧ କରିବାର ନିୟମ ।

 

ଦୁହେଁ ବାହାରକୁ ଆସିଲେ । ସବ୍ୟସାଚୀ ଉପରେ ହାତରଖି କହିଲା ଅମୟ–ଦବିଯାଅନା । ଝଡ଼ଝଞ୍ଜାରେ ମରିହଜି ନଯାଇ ତୋ ଭତିରେ ଯେ ମଣିଷଟା ଏବେବି ଜୀଇରହିଛି ସେଇ ବଡ଼ କଥାରେ ।

 

ମଣିଷକୁ ଜିଇବା ପାଇଁ ହେବ । ଜିଇ ରହିବାରେ ରହିଛି ଐତିହାସିକ ଆବଶ୍ୟକତା । ମରିବା ପାଇଁ ଆସି ଜିଇ ରହିବା ତ ଏ ଯୁଗର ପରମ ବିସ୍ମୟ ! ମଣିଷ ମରିବା ଆଗରୁ ସଂଗ୍ରାମ କରେ ଜିଇବା ପାଇଁ । ସେଇ ସଂଗ୍ରାମର ଶ୍ରମ, ସ୍ୱେଦ, ! ଶୋଣିତ ହିଁ ତାକୁ ଜୀବନର ଜୟଗାନ ଶୁଣାଇ ଆଗକୁ ଯିବାପାଇଁ ଦିଏ ଇଶାରା, ପଡ଼ିଗଲେ ଉଠିବସିବା ପାଇଁ: ଦିଏ ବଳ ଏବଂ ଅନ୍ଧକାର ମଧ୍ୟରେ ଆଲୋକର ଦିଏ ସଙ୍କେତ । ସେଥିପାଇଁ ସିନା ମଣିଷର ଜୟଯାତ୍ରା ଆଗେଇଚାଲିଛି ଆଲୋକ ଏବଂ ଅନ୍ଧକାର ଭିତରେ ସମାନ ଭାବରେ ।

 

ଆଗେଇ ଚାଲିଛି ଦେଶର ଜନତା ।

 

ଜିଇ ରହିବ ଭାରତବର୍ଷ । ବଞ୍ଚି ରହିବ ଓଡ଼ିଶା । ତିଷ୍ଠି ରହିବ ସବ୍ୟସାଚୀ ମହାପାତ୍ର ଏବଂ ତିଷ୍ଠି ରହିବେ ତା’ରି ପରି ଏକ ନୁହେଁ, ଅନେକ, ଅଗଣନ ।

 

ସେଇ ବଞ୍ଚିବାର ସ୍ୱାଦ ବାର ବାର ଚାଖିବା ପାଇଁ ଇଚ୍ଛାହୁଏ ସବ୍ୟସାଚୀର । ଅମୃତ ପରି ଅମର କରି ରଖିବାପାଇଁ ଏହାହିଁ ତ ତାକୁ ଦେଖାଇବ ପଥ, ଦବ ପାଥେୟ । ବଞ୍ଚିବାର ସ୍ୱପ୍ନ ତା’ର ଅଶ୍ର, ପୋଛିଦେଇ ଦବ ଆଶା, ଶୋଣିତ ଧୋଇଦେଇ ଦବ ଶାଣିତ ଜୀବନାଦଶ ।

 

ସେଇ ଜୀବନର ଜୟଗାନ କରି ପରାଜୟର ପ୍ରଥମ ପର୍ଯ୍ୟାୟରେ ମନଭିତରର ସମସ୍ତ କାଳିମା ଓ ଅବସାଦକୁ ପୋଛିଦେଇ ଅମୟକୁ ଅଭ୍ୟର୍ଥନା ଜଣାଇଲା ସେ ଚା ପାନରେ । କିନ୍ତୁ ସବୁଦିନ ପରି ସ୍ନେହଦେଇ ତାକୁ ଋଣୀ କରିଦେଲା ଅମୟ ।

ବାହାରକୁ ଆସିଲେ ଦୁଇବନ୍ଧୁ । ରାଜପଥ ପରିପୂର୍ଣ୍ଣ କରିଚାଲିଛି ଜୀବନ–ପ୍ରବାହ । ଅଜସ୍ର ଲୋକଙ୍କର ଜୀବନଯାତ୍ରା ଚାଲିଛି ଅପ୍ରତିହତ ଭାବରେ । ସମୟର ଏଇ ଯାତ୍ରା ଅକ୍ଷୟ, ଅବ୍ୟୟ । ମନେ ମନେ ସେହି ଯାତ୍ରା ପ୍ରତି ଶ୍ରଦ୍ଧା ଜଣାଇଲା ସବ୍ୟସାଚୀ ।

–ତା’ହେଲେ କ’ଣ କରିବୁ ଠିକ୍ କରିଛୁ ଏହାପରେ ?

–କିଛି ଭାବିନି । ଭାବିବାର ସମୟ ପାଇନି ।

–କିଛି ଗୋଟେ କରେ ।

–ନିଶ୍ଚୟ । ନହେଲେ ବସି ରହିବି ଆଉ କେତେଦିନ ! ତେବେ ନିଜକୁ ପୁଣି ଥରେ ବୁଝିନବା ପାଇଁ ଚାହେଁ ।

ପଡ଼ନ୍ତ ସୂର୍ଯ୍ୟର ଆଲୋକରେ ଉଦ୍ଭାସିତ ହୋଇଉଠିଥିଲା ତା’ର ସମଗ୍ର ଅବୟବ । ତା’ ଉପରେ ଆଖିବୁଲାଇ ଆଗାମୀକାଲିର ଏକ ନୂତନ ସଂଗ୍ରାମୀ ପୁରୁଷର ସୂଚନା ପାଇଲା ଅମୟ ।

–ଆବଶ୍ୟକ ହେଲେ ନିର୍ଦ୍ୱନ୍ଦ୍ୱରେ ଜଣାଇବୁ ମତେ ।

–ତୋର ବିଶ୍ୱାସ ଅତୁଟ ରହୁ–ଏହାହିଁ କେବଳ କାମନା ଅମୟ ।

ଭାବପ୍ରବଣ ହୋଇ କମ୍ପିତ କଣ୍ଠରେ କହିଲା ସେ ।

ଆଜି ଆସେ ତାହେଲେ ।

ବିଦାୟନେଇ ଚାଲିଗଲା ଅମୟ, ସାଇକେଲ ଚଢ଼ି ଘରମୁହଁ ହେଲା ସବ୍ୟସାଚୀ । ଭଲ ଲାଗୁନଥିଲା ଦେହଟା । ମଥା ବିନ୍ଧୁଥିଲା ଶିର୍ ଶିର୍ କରିଉଠୁଥିଲା ସର୍ବାଙ୍ଗ ।

ସେ ଘରକୁ ଆସି ଲୁଗା ବଦଳାଇ ଥକ୍କାହୋଇ ଶୋଇପଡ଼ିଲା ବିଛଣାରେ ।

ଅନାଥ ଆସି କହିଲା–ଚା ଆଣିବି ?

–ନା, ଥାଉ । ଦେଈଙ୍କୁ ଖବର ଦେ ଟିକେ ଆସିବାପାଇଁ ।

ଅନାଥ ଚାଲିଗଲା ନୀତା ପାଖକୁ ।

ଶୋଇ ଶୋଇ କିଛିକ୍ଷଣ ଭାବିଲା ସବ୍ୟସାଚୀ । ଚାକିରି ଯାଇଛି । ରୋଜଗାର ନାହିଁ । ପାଖରେ ଯାହା ଅଳ୍ପଧନ ଅଛି ମାସ ଶେଷକୁ ନିଅଣ୍ଟ । ସୁନୀତା ପ୍ରତି ମଧ୍ୟ କିଛି କର୍ତ୍ତବ୍ୟ ଅଛି ତା’ର-

ନୀତା ପ୍ରତୀକ୍ଷା କରୁଥିଲା ତା’ ବାହୁଡ଼ା ପଥକୁ । ସେ ଘରଭିତରେ ପ୍ରବେଶ କରି ଚାହିଁଲା ସବ୍ୟସାଚୀକୁ ।

ସବ୍ୟସାଚୀର ମୁହଁରେ ବିଷଣ୍ଣତା ବୋଳା ହସର ସରୁ ରେଖାଟିଏ । ସେଇ ରେଖାତଳେ ଫଲଗୁର ବାରିଧାରା ପରି ଲୁଚି ରହିଥିଲା ବେଦନାର ପ୍ରବହମାନ ଅନ୍ତଃସଲୀଳା ! ହସଭିତରେ ବି ବିଷଣ୍ଣତା ଆତ୍ମପ୍ରକାଶ କରେ, ଯେପରି ପ୍ରକାଶପାଏ ଫୁଟିଲା ଫୁଲର ମଉଳିଯିବାର ଅସହାୟ ଅବସାଦ ।

–କ’ଣ ହେଲା ଯେ... ?

କୋମଳ କଣ୍ଠରେ ପଚାରିଲା ସୁନୀତା ।

–କାହିଁ ନା ତ । ଭଲଲାଗୁନି ।

ତା’ ମଥାରେ ହାତଦେଇ ଟିକିଏ ଉଷୁମ ବାରିପାରିଲା ନୀତା । କିନ୍ତୁ କହିଲା–ଦେହରେ ସାମାନ୍ୟ ତାତି ଥାଇପାରେ । କିନ୍ତୁ ତାହା ନୁହଁ । ଆଉ କ’ଣ ହୋଇଛି । ଏତେ ବିମର୍ଷ ଦିଶୁଛ ଯେ !

–ପାଣି ଗିଲାସେ ଦିଅ ।

–ହରଲିକ୍ସ ଦିଏ ।

–ନା. ଆସୁ ଆସୁ ବାଟରେ ଏଇ ଅଳ୍ପଆଗରୁ ଚା ପିଇଛି । ପାଣି ଗିଲାସେ ଦିଅ । କ୍ଳାନ୍ତ ଅନୁଭବ କରୁଥିଲା ସବ୍ୟସାଚୀ । ମଣିଷର ବ୍ୟଥା, ହର୍ଷ ଏବଂ ଆନନ୍ଦ ବୃଦ୍ଧିପାଏ ଆତ୍ମୀୟତା ପାଇଲେ । ନୀତାର ଅନ୍ତରଙ୍ଗତା ଭିତରେ ଭିତରେ ତା’ର ବିଷଣ୍ଣତା ବିଭାସିତ ହେଲା ଆହୁରି ବେଶୀ ।

 

ପାଣି ପିଇ ରୁମାଲରେ ମୁହ ପୋଛିଲା ସବ୍ୟସାଚୀ । ଗୋଟିଏ ହାଇମାରି କହିଲା–

 

–ଆଜି ଅଫିସରୁ ସବୁ ସମ୍ପର୍କ ତୁଟାଇ ବାକି ପାଉଣା ନେଇ ଚାଲିଆସିଲା ।

 

–ଭଲ କଲ । ଯେଉଁଠି ଆଦର୍ଶର ମେଳ ନାହିଁ, ସେଠାରେ କର୍ମ ପ୍ରେରଣା ରହେନା ।

 

–କିନ୍ତୁ ସହର ଭିତରେ ବୁଲାବୁଲି କରିବା ଆଉ ସମ୍ଭବ ନୁହେଁ । ଆନେକ ଗୁଜବ, ଅନେକ ଅପବାଦ ।

 

–ତମେ ସେ ସବୁ ଶୁଣୁଛ କାହିଁକି ?

 

–ନ ଶୁଣିବି କିପରି ! ତମେ ବୋଧେ ଦେଖିନାହଁ ସମ୍ୱାଦପତ୍ରରେ ପ୍ରକାଶ ପାଇଥିବା ଛବିଗୁଡ଼ା । ଆଉ ଯଦି ତା’ ସହିତ ପଢ଼ିଥାଆନ୍ତ ସମ୍ୱାଦଟି...

 

–ବାଜେ ଖବର ପଢ଼ିବାରେ ଆଗ୍ରହ ନଥାଏ ମୋର ।

 

–ବାଜେ ଖବର ନୁହେଁ ନୀତା ! ବାଜେ ଖବର ହୋଇଥିଲେ କ’ଣ ଏତେ ଲୋକ ବିଚାର ନକରି ମୋର ଉପରେ ଅକାତରେ ଲଦିଦିଅନ୍ତେ ଅପବାଦର ବୋଝ ।

 

–ଲୋକମାନେ ଅନ୍ୟକୁ ଅପବାଦ ଦେଇ ଅବଶର ଅପନୋଦନ କରନ୍ତି । କିନ୍ତୁ ସତରେ କୁହତ ଆଉ କ’ଣ ହୋଇଛି !

 

ସ୍ୱରରେ ଅନୁକମ୍ପାର କମ୍ପନ, ଅନୁରାଗର ରଞ୍ଜନ । କ୍ଷଣକ ପାଇଁ ଜୀବନାକାଶରେ, ନିଃସଙ୍ଗ ଅନ୍ତରୀକ୍ଷରେ ଘୂରିବୁଲିଲା ସବ୍ୟସାଚୀର ମନ । ତା’ପରେ ନୀତାର ଉତ୍କଣ୍ଠାକୁ ଶାନ୍ତ କରି କହିଲା ସେ–କେବଳ କାର୍ଯ୍ୟରୁ ଅନ୍ତର କରିନାହାନ୍ତି, ସେକ୍ରେଟାରୀ ପଦରୁ ମଧ୍ୟ ଅନ୍ତର କରାଯାଇଛି ମତେ । ଅବଶ୍ୟ ମାସକର ଅଗ୍ରୀମ ବେତନ ପାଇସାରିଛି ମୁଁ । ବୋଧହୁଏ ବେକାର ଜୀବନର କଷ୍ଟ ଲାଘବ ପାଇଁ ଏତେ ଦୟା !

 

ଅଭିଯୋଗର କ୍ଷୀଣ ରାଗିଣୀ ଝଂକୃତ ହୋଇଉଠିଲା ସେଇ ବ୍ୟଙ୍ଗୋକ୍ତିର ବେଦନା ମିଶା ଅଭିବ୍ୟକ୍ତିରେ, ଏପରି ବଙ୍କେଇ କଥା କୁହେନା ସେ । କହିବା ଶିଖିନାହିଁ । କିନ୍ତୁ ଯାହା ସିଧା, ସହଜ, ସରଳ ସବୁ ଯେପରି ବିପରୀତ ହୋଇଯାଇଛି ତା’ ଆଗରେ ।

 

ନିର୍ବାକ ହୋଇ କିଛି ସମୟ ଛିଡ଼ାହୋଇ ରହିଲା ନୀତା । ତା’ପରେ ଯେତେବେଳେ ଚାହିଁଲା ତା’ ଆଖିରେ ବାନ୍ଧବୀର ସ୍ନିଗ୍ଧତା ପରିବର୍ତ୍ତେ ଫୁଟିଉଠୁଥିଲା ଭୂମିକମ୍ପର ଉତ୍ତାପ, ପ୍ରତିରୋଧ କରିବାର ପ୍ରବଳ ପରାକ୍ରମ ।

 

ବିସ୍ମୟ ବିମୂଢ଼ ସବ୍ୟସାଚୀ ନୀତାର ନୂତନ ନୟନାଭିରାମ ସ୍ୱରୂପ ଦେଖିନେଲା । ସେଇ ଅଭିରାମ ଅପରୂପ ସୌନ୍ଦର୍ଯ୍ୟରେ ସେ ଦେଖିଲା ନାରୀର ସୌମ୍ୟା, କ୍ଷମା, ଧୃତୀ, ଶ୍ରଦ୍ଧା ମେଧା ସ୍ଥାନରେ ଆସନ୍ନ ପ୍ରଳୟର ସୂଚନା ।

 

–ଏୟା ଆଶଙ୍କା କରିଥିଲି ମୁଁ । କିନ୍ତୁ ଏହାର ପ୍ରତିରୋଧ କରିବା ପାଇଁ ହବ ସବ୍ୟସାଚୀ-!

 

ଅଗ୍ନିର ତେଜ ଥିଲା ସେଇ ବାଣୀରେ । ହଜିଯାଇଥିଲା ଆତ୍ମବଳ ପୁଣି ସଂଜୀବିତ ହେଲା ସବ୍ୟସାଚୀର ମନରେ । ସେ ସ୍ପଷ୍ଟ ସ୍ୱରରେ ଦୃଢ଼ତା ଖେଳାଇ କହିଲା–ମୁଁ ଭୟପାଇନି ନୀତା । ଆମକୁ ବଞ୍ଚିବା ପାଇଁ ହବ । ବଞ୍ଚିବାପାଇଁ ସଂଗ୍ରାମ ଯେପରି ଆବଶ୍ୟକ, ନ୍ୟସ୍ତସ୍ୱାର୍ଥ ସହିତ ସଂଘର୍ଷ ସେହିପରି ଅନିବାର୍ଯ୍ୟ ।

 

–ତାହାହିଁ ହେଉ ସବ୍ୟସାଚୀ ।

 

–କିନ୍ତୁ ଆମେ ଦୁହେଁ ଏଇ ବିରାଟ ବିପୁଳ ବସୁନ୍ଧରାରେ ବସ୍ତୁହରା ବେକାର–ଏକଥା ମନେରହେ ଯେମିତି ।

 

–ମନେରହିବ । ମନେ ନ ରହିଲେ କୌଣସି ସଂସ୍ଥା ଆଗରେ ଖଣ୍ଡେ ଚାକିରି ପାଇଁ ଧାରଣା ଦବ କିପରି ।

 

–ତମେ ଯେ ଯାଇଥିଲ କିଛି ସନ୍ଧାନ ପାଇଲ ଆଜି ?

 

–ଯାଇଥିଲି । କିନ୍ତୁ ଆଶା ପାଇଥିଲେ ବି ଗ୍ରହଣ କରିପାରିଲିନି ।

 

–କାହିଁକି ?

 

–କାରଣ ସେଇ ଏକା । ମୋର ବିଚାର ବୁଦ୍ଧି ଏବଂ ଦକ୍ଷତା ଉପରେ ଚାକିରି ନିର୍ଭର କରେନା । ନିର୍ଭର କରେ...

 

–ଆଉ କହିବାକୁ ହବନି । ଏଇ କ୍ଷୁଧିତ ମଣିଷଗୁଡ଼ାକ ପାଖରେ ନାରୀ ଏବଂ ପୁରୁଷ ମଧ୍ୟରେ ଅନ୍ୟ କିଛି ସଂପର୍କ ହୋଇପାରେ ଏ ବାର୍ତ୍ତା ପହଞ୍ଚି ନାହିଁ କେବେ ।

 

–କିନ୍ତୁ ସେମାନେ ପ୍ରାୟ ସମସ୍ତେ ସଂସାରୀ–କନ୍ୟାର ଜନକ, ପତ୍ନୀର ପତି ଏବଂ ଭଉଣୀର ଭାଇ !

 

ବେଦନାର୍ତ୍ତ କଣ୍ଠରେ କହିଲା ସୁନୀତା ।

 

ବାହାରେ ଡାକିଲା କିଏ । ଉଠିଲା ସବ୍ୟସାଚୀ । ଡାକ ପିଅନ । ଗୋଟିଏ ଏକ୍ସପ୍ରେସ୍ ଚିଠି ବଢ଼ାଇଦେଲା ତା’ ହାତରୁ । ଚିଠି ତା’ ନିଜର । ଦସ୍ତଖତ କରି ଲଫାପା ଖୋଲି ଚିଠି ପଢ଼ିବା ଆଗରୁ ଫେରିଆସିଲା କୋଠରୀ ଭିତରକୁ ।

 

–କଅଣ ?

 

–ଚିଠି ।

 

–ତମର

 

–ହଁ, ଏକ୍ସପ୍ରେସ ଲେଟର ।

 

ଚୌକିଉପରେ ବସି ଚିଠି ପଢ଼ି ଅପ୍ରତ୍ୟାଶିତ ବିସ୍ମୟର ପ୍ରବଳ ଉଦବେଳନରେ ଝଲସିଉଠିଲା ସବ୍ୟସାଚୀ । ଉଷା ଖାନ୍ନା ଲେଖିଥିଲା–

 

କଟକ

୨୦-୧୦-୬୮

 

ପ୍ରିୟ ବନ୍ଧୁ,

 

ମୁଁ ଅନୁତପ୍ତ । ତୁମର ସଙ୍କଟ ପାଇଁ ଅନେକାଶଂରେ ମୁଁ ଦାୟୀ । ତୁମ ପାଖକୁ ଯାଇଥିଲି ପଥଭ୍ରଷ୍ଟ କରି ବିଭ୍ରାନ୍ତ କରିବାପାଇଁ । କିନ୍ତୁ ଫେରିଆସିଲି ତୁମ ଶାଣିତ ବ୍ୟକ୍ତିତ୍ୱରେ ମୁଗ୍ଧ ମୋହିତ ହୋଇ । ମୋର ହୃଦୟ ଭିତରେ ତୁମ ପ୍ରତି ଭଲପାଇବାର ଯେଉଁ ମହକ ଜାଗିଛି ତା’ର ସୁରଭି କ’ଣ ଏଇ ପତିତ ଦେହ ଏବଂ ସ୍ଖଳିତ ମନରେ ବହନ କରିପାରିବି ମୁଁ ! ମୁଁ ତୁମର ନ ହୁଏ । କିନ୍ତୁ ଏ ମନ ତୁମକୁ ଚିରଦିନ ଆପଣାର କରି ରଖିବ । ବିଦାୟ ନେଉଛି । ଏ ଅଲୋଡ଼ା ଜୀବନର ଠିକଣାଦେଇ ଲାଭ କଅଣ ?

 

ତୁମର

ଅଭାଗିନୀ

ଉଷା

 

ସବ୍ୟସାଚୀ ଶୂନ୍ୟ ଦୃଷ୍ଟିରେ ଭାଷା ନଥିଲା, ନଥିଲା ସ୍ୱାକ୍ଷର । ହାତରୁ କେତେବେଳେ ଛୋଟ ଚିଠି ଖଣ୍ଡିକ ଖସିପଡ଼ିଲା ଭୂଇଁଉପରେ ଜାଣି ମଧ୍ୟ ପାରିଲି ନାହିଁ । ମନକୁମନ କହୁଥିଲା ସବ୍ୟସାଚୀ–କାହିଁକି ଏତେବଡ଼ ଭୁଲ୍ କଲ ଉଷା ।

 

–ଦୁଃସମ୍ବାଦ ନୁହେଁ ତ ?

 

ଡରିଡରି ପଚାରିଲା ସୁନୀତା । ତଳୁ ଚିଠିଟି ଗୋଟାଇଆଣି ତା’ ହାତକୁ ବଢ଼ାଇଦେଲା ସବ୍ୟସାଚୀ । ଆଖି ପଲକରେ ପଡ଼ିଗଲା ନୀତା । ସବ୍ୟସାଚୀକୁ ଏକା କୋଠରୀ ଭିତରେ ଛାଡ଼ିଦେଇ ଅନ୍ୟଘରକୁ ଚାଲିଗଲା ସେ ।

 

ଆଖିରେ ତା’ର ଜମିଆସୁଥିଲା ସାତ ସାଗରର ଜଳ ।

 

ଚବିଶ

 

ହିମାଂଶୁ ଆମୂଳଚୂଳ ସମସ୍ତ ସମ୍ବାଦ ଶୁଣି କିଛି ସମୟ ସ୍ଥିର ହୋଇ ବସିରହିଲା ।

 

ନିଜଆଗରେ ନିଜେ ଅନେକ ଛୋଟ ହୋଇଗଲେ ସେ ।

 

ଶେଷରେ ସୁନୀତା ତାଙ୍କୁ ପ୍ରତ୍ୟାଖ୍ୟାନ କରି ତାଙ୍କର ଜଣେ ସର୍ବକନିଷ୍ଠ ଅର୍ବାଚୀନ କିରାଣିର ପ୍ରଣୟ ପ୍ରାର୍ଥିନୀ ହୋଇ ତା’ର ଆଶ୍ରୟ ଗ୍ରହଣ କଲା !

 

ସେ ମନେମନେ ଆହୁରି ହିଂସ୍ର ହୋଇଉଠିଲେ ।

 

ହରି ସମସ୍ତ ବୃତ୍ତାନ୍ତ ଅନୁରଞ୍ଜିତ କରି ବେଶ୍ ମୁଖରୋଚକ ଭାବରେ ପ୍ରକାଶ କରିଥିଲା ତାଙ୍କ ଆଗରେ । ଶୁଣୁ ଶୁଣୁ କେତେବେଳେ ହିଂସାର କ୍ରୂରତାରେ ଆଉ କେତେବେଳେ ବା ନିଷ୍ଠୁରତାର ନିସ୍କରୁଣତାରେ ଥରିଉଠିଲା ହିମାଂଶୁ । ସେ ଗର୍ଜନ କରି କୃଦ୍ଧ ସ୍ୱରରେ କହିଲେ କେବଳ ‘ନିମକହାରାମ’ । ଅକୃତ୍ଜ୍ଞ !’

 

–ଆଜିକାଲିର ଢଙ୍ଗ ଏଇପରି ହଜୁର !

 

–ହଁ ! ତମେ ଯାଅ ଏଥର । ନନ୍ଦରାମଜୀ ଆସିଲେ ଉପରକୁ ନେଇଆସିବ ।

 

–ହଜୁର !

 

–ତା’ ପରେ ସବୁ ପ୍ରସ୍ତୁତ କରି ରଖ ! ତାଙ୍କ ଅଭ୍ୟର୍ଥନାରେ ଯେପରି କୌଣସି ତ୍ରୁଟି ନ ହୁଏ ।

 

–ମୁଁ ସବୁ ବ୍ୟବସ୍ଥା କରିବି ହଜୁର ।

 

–କିଏ ଆସିଛି ଶୁଣେ ।

 

–ବନାନୀ ।

 

–ବନାନୀ !

 

–ହଜୁର ବ୍ୟସ୍ତ ମଣିଷ । ମନେରହିବ କେଉଁଠୁ । ପ୍ରଥମ ଚିତ୍ର ‘ସାଗର ଓ ସରିତ’ରେ ପ୍ରଧାନ ଅଭିନେତ୍ରୀ ହୋଇଥିଲେ ଯେ !

 

–ଓଃ ! ମନେଅଛି । ବେଶ୍ ଭଲ ।

 

–ହଜୁର !

 

–ଯାଅ । ସମୟ ନଷ୍ଟ କରନା । ତୁମର ପାରିଶ୍ରମିକର ଅଭାବ ହେବନାହିଁ । ନମସ୍କାର କରି ଫେରିଯାଉଥିଲା ହରି । କିନ୍ତୁ ଅଟକିଗଲା ପୁଣି । ପଛରେ ପଚାରିଲେ ହିମାଂଶୁ–ବଡ଼ ବାବୁ କିଛି ଖବର ଦେଇଛନ୍ତି ?

 

–କ୍ଷମା କରିବେ ହଜୁର । ଭୁଲିଯାଇଥିଲି । ଦଶହଜାର ଟଙ୍କାର ଚେକ୍ ଅନାଥଆଶ୍ରମ ପାଇଁ ପଠାଇଦେଇଛନ୍ତି କହିଲେ ।

 

–ଉତ୍ତମ । ତାପରେ ‘ଆର୍ଯ୍ୟାବର୍ତ୍ତ’ର ପ୍ରତିନିଧି ଆସିଲେ ଖବର ଦବ ।

 

–ହଜୁର ।

 

ବ୍ୟସ୍ତତାର ବାହାନା ଦେଖାଇ ଚାଲିଗଲା ହରି । ବସି ବସି ଭାବିଚାଲିଲେ ହିମାଂଶୁ ।

 

ଅକ୍ଟୋପାସ । ଅଷ୍ଟପଦ ସାହାର୍ଯ୍ୟରେ ଯାହା ଚାହେଁ ତାହା ଆୟତ୍ତ କରିନିଏ । ଆୟତ୍ତ କରିବାର ଆବର୍ତ୍ତନ ସତେ କେଡ଼େ ନିଷ୍ଠୁର ! ସେ ବି ସେଇ ଅକ୍ଟୋପାସ ପରି ହାତ ଗୋଡ଼ ମେଲାଇଛନ୍ତି ଶିକାର ଧରିବା ପାଇଁ । ଶିକାର ଧରାପଡ଼ିଲେ ଯାଇ ଶାନ୍ତ ! ଧନ, ଜନ, ଗୋପ ଲକ୍ଷ୍ମୀ ଚତୁବର୍ଗ ଫଳପ୍ରାପ୍ତିର ପ୍ରୟୋଜନ ଅନୁଭବ କରନ୍ତି ହିମାଂଶୁ । ଚାହାନ୍ତି ତାଙ୍କର ହାତ ପୁତ୍ତଳିକା ଭାବରେ ଆତଯାତ ହୁଅନ୍ତୁ ସୁରା ଓ ସାକୀ, ତାଙ୍କ ଶୂନ୍ୟ ଅନ୍ତଃପୁର ପୂରିଉଠୁ ନୂତନ ଅଭିସାରିକାର ଆଗମନରେ ।

 

ସେଇ ଅକ୍ଟୋପାସର ଫାଶ ନନ୍ଦରାମ ହନୁତରାମଙ୍କ କଟିରେ ପରିବେଷ୍ଟିତ କରିବା ପାଇଁ ସୁନିର୍ଦ୍ଦିଷ୍ଟ କର୍ମସୂଚୀ ତିଆରି କରିଥିଲେ ସେ । ଆଧୁନିକ ସମାଜରେ ପୁଣ୍ୟର ନୁହେଁ, ପାପର ଅଂଶୀଦାର ହବାପାଇଁ ଯୌଥ ପ୍ରତିଷ୍ଠାନର ପ୍ରୟୋଜନୀୟତା ଅନେକ ଅଧିକ । ସେଇ ପ୍ରୟୋଜନୀୟତାର ତାଡ଼ନାରେ ସୁରାସିନ୍ଧୁ ପ୍ରାଇଭେଟ୍ ଲିମିଟେଡର ପ୍ରତିଷ୍ଠାତା ନନ୍ଦରାମ ହନୁତରାମଙ୍କୁ ନାରୀ ଓ ସୁରା ସହିତ ସଂଶ୍ଳିଷ୍ଟ କରିବା ପାଇଁ ଉଦ୍ୟମ କରି ଅନେକ ପରିମାଣରେ ସେ ସାର୍ଥକତାଆଡ଼କୁ ଅଗ୍ରସର ହେଉଛନ୍ତି ।

 

ନିର୍ଦ୍ଦିଷ୍ଟ ସମୟରେ ବୃହତ ଡଡ଼େଗେକାର ମଣ୍ଡିତ କରି ଆସି ପହଞ୍ଚିଲେ ନନ୍ଦରାମଜୀ । ପାଛୋଟି ଆଣିଲା ହରି । ଦ୍ୱାରମୁହଁରେ କରଯୋଡ଼ି ହସ ହସ ବଦନରେ ସ୍ୱାଗତ ଜଣାଇଲା ହିମାଂଶୁ ।

 

–ଆସନ୍ତୁ, ଆସନ୍ତୁ । ବଡ଼ ସୌଭାଗ୍ୟର ଦିନ ଆଜି ।

 

–ଆପଣ ସେପରି କହିବେ ନାହିଁ । ହାମେ ଆପଣଙ୍କ ଦୋସ୍ତ ଆଛେ । ଜରୁରତ ହେଲେ ଆସିବେ ।

 

–ହଁ, ହଁ । ସେଥିପାଇଁ ସିନା ଲୋକମାନେ କହନ୍ତି ଗଙ୍ଗାଯମୁନା ପରି ନନ୍ଦରାମ ହନୁତରାମ ଓ ହିମାଂଶୁ ପଟ୍ଟନାୟକ ଆତଯାତ ହୁଅନ୍ତି କଟକରେ ।

 

–ଐସା ! ବହୁତ ଆଚ୍ଛା, ବହୁତ ଆଚ୍ଛା !

 

ଚଳିଗଲେ ନନ୍ଦରାମ । କାଏଦା କଲେ ହିମାଂଶୁ ଏତେ ଅଭିଜ୍ଞ ପ୍ରତିଷ୍ଠିତ ଜନସେବକ ତଥା ଶିଳ୍ପପତି ସେ । ଜନମନ ଜାଣିବାରେ ତାଙ୍କର ଭୁଲ୍ ହେବ କିପରି ।

 

–ବଡ଼ ଜରୁରୀ ବାତ୍ ଆଛେ ହିମାଂଶୁ ବାବୁ । ହାମେ ବଡ଼ ଫିସାଦମେ ପଡ଼ିଯାଇଛେ ।

 

–କାହିଁକି ? ସେ ଫେର୍ କି ?

 

–ସେ ବାତ୍ କହନେକେଲିୟେ ହାମେ ଖୋଦ୍ ଆସିଛେ । ହାମକୁ ନେଇ ପୁଲିସ ଟଣାଟଣି କରୁଛେ ।

 

–ପୁଲିସ୍ ।

 

–ହଁ ।

 

–କାହିଁକି ?

 

–ହାମର ସୁସିଆଲ୍ ସେକ୍ରେଟାରୀ ଉଷାଦେବୀ ହୋଟେଲରେ ଆତ୍ମହତ୍ୟା କରିଛେ କାଲି ।

 

–ଉଷା ଆତ୍ମହତ୍ୟା କରିଛି !

 

ଚମକିପଡ଼ି କହିଲେ ହିମାଂଶୁ ।

 

–ହଁ ହିମାଂଶୁ ବାବୁ । ସ୍ଲିପିଂ ଡୋଜ ଜ୍ୟାଦା ଖାଇ ଆତ୍ମହତ୍ୟା କରିଛେ ରାତିରେ ।

 

–ବଡ଼ ଦୁଃଖର କଥା ନନ୍ଦରାମଜୀ । ଉଷାପରି ଝିଅ ଆତ୍ମହତ୍ୟା କରିବ ଏହା ଏବେବି ମୁଁ ବିଶ୍ୱାସ କରିପାରୁନି । ଜୀବନର ଜୁଆରରେ ସେ ଥିଲା ପରିପୂର୍ଣ୍ଣ ।

–ଔର ଦେଖନ୍ତୁ । ଆତ୍ମହତ୍ୟା କରନେ ସେ ଦୋସରା ଜାଗାମେ କରେ ! ହମାରା ହୋଟେଲ୍ କି ଅପରାଧ କରିଛେ ?

 

–ଅତି ଦୁଃଖର ଘଟଣା ପ୍ରକୃତରେ । ସେ ଥିଲା ଯେପରି ବୁଦ୍ଧିମତୀ, ସେହିପରି କର୍ମପଟୁ-। ଦେଖନ୍ତୁ ନା ! କିପରି କୌଶଳରେ ସବ୍ୟସାଚୀକୁ ଫାଶ ଭିତରକୁ ଟାଣିଆଣିଲା ।

 

–କି ନାମ କହିଲେ ହିମାଂଶୁ ବାବୁ ?

 

–ସବ୍ୟସାଚୀ ମହାପାତ୍ର ! ମୋର ‘ହିମାନୀ ଷ୍ଟୁଡିଓ’ର ଜଣେ କିରାଣି । ଲମ୍ବା; ଗୋରା । ବ୍ୟକ୍ତିତ୍ୱ ଅଛି । ଚାକିରିରେ ପଶୁ ପଶୁ କର୍ମଚାରୀ ସଂଘର ସେକ୍ରେଟାରୀ ।

 

–ହଁ । ହଁ । ମନେଅଛେ । ସେଦିନ ଉଷାଦେବୀର ପାର୍ଟି ମେ ସବ୍ୟସାଚୀ ବାବୁ ବି ଥିଲା-

 

–ହଁ । ଉଷା ନ ହୋଇଥିଲେ ସବ୍ୟସାଚୀକୁ କାବୁକରିବା କଷ୍ଟକର ହୋଇଥାଆନ୍ତା !

 

–କିନ୍ତୁ ଅଭି କି ହବ ହିମାଂଶୁ ବାବୁ । ବଡ଼ ଗୋଲ୍‍ମାଲ୍ ମେ ପଡ଼ିଗଲା ହାମେ ।

 

–ଆରେ ନା, ନା । ଆପଣ ନିଶ୍ଚିନ୍ତ ରୁହନ୍ତୁ । ଆପଣଙ୍କ ଦୋଷ କଅଣ ଯେ, ପୁଲିସ୍ ଆପଣଙ୍କୁ ସନ୍ଦେହ କରୁଛି ।

 

–ଦୋଷ ବିଲ୍‍କୁଲ୍ ନେହିଁ । ଲେକିନ ପୁଲିସ କହୁଛେ ଏତେ ବଡ଼ ଜୱାନ ଲଡ଼କୀ କୋ ହୋଟେଲମେ ରଖି ହାମେ ଦୁସରା କାରବାର କରୁଛେ ।

 

–ଛି, ଛି । ଏସବୁ କି କଥା । ଆପଣ ନିଶ୍ଚିନ୍ତ ରୁହନ୍ତୁ । ମୁଁ ଉପର ମହଲରେ ପରାମର୍ଶ କରିବି । ସବୁ ଠିକ୍ ହୋଇଯିବ ।

 

–ଗୋଟେ କାଗଜ ପ୍ୟାଡ୍ ଉଷାଦେବୀର ଟେବୁଲ୍ ମେ ଥିଲା ।

 

–ସେଥିରେ କିଛି ଲେଖାଥିଲା କି ?

 

–ହଁ । ପୁଲିସ ସେ କାଗଜ ଜବତ କରିଛେ । ଉଷାଦେବୀ ସବ୍ୟସାଚୀ ବାବୁ କା ନାମ ତିନି ଚାରି ବାର ଲେଖିଛେ ।

 

ସବ୍ୟସାଚୀର ନାମ ଏ ସଂକ୍ରାନ୍ତରେ ଶୁଣି ଗମ୍ଭୀର ହୋଇଗଲେ ହିମାଂଶୁ । ଯେଉଁଠି ଦେଖୁଛନ୍ତି ବା ଶୁଣୁଛନ୍ତି ସବୁଠି ସେଇ ସବ୍ୟସାଚୀ । ସର୍ବବ୍ୟାପକ ପରି ବ୍ୟାପି ରହିଛି ଚତୁର୍ଦ୍ଦିଗରେ-। ଉଷା ତାହେଲେ କି ଭଲପାଇଥିଲା ସବ୍ୟସାଚୀକୁ । ତାଙ୍କ ଛାତି ତଳର ଉତ୍ତାପ ଉପରେ ବରଫ ଖଣ୍ଡ ଖସିପଡ଼ିଲା ଯେପରି । ତାଙ୍କର ଆଭିଜାତ୍ୟ ଅହଙ୍କାର ଆଉ ଏକ ବଡ଼ ଧକ୍କା ପାଇଲା ପୁଣି-

 

–ଆଉ କିଛି ଲେଖିଯାଇଛି ଉଷା ?

 

–ହଁ, ଆତ୍ମହତ୍ୟା ପାଇଁ କେହି ଭି ଦାୟୀ ନେହିଁ ।

 

ଭାବୁ ଭାବୁ ପୁଣି ଅନ୍ୟମନସ୍କ ହୋଇପଡ଼ିଲେ ହିମାଂଶୁ । ଦୁଇ ହାତର ଆଙ୍ଗୁଳିଗୁଡ଼ିକ ପରସ୍ପର ସହିତ ଆବଦ୍ଧ । ବେଶ୍ ଚିନ୍ତିତ ଦେଖାଯାଉଥିଲେ । କ୍ରମେ କ୍ରମେ ପୁଣି ଭାବନାର ଖିଅ ଧରି ଅକ୍ଟୋପାସର ଶିକାର ରାଜ୍ୟକୁ ଫେରି ଆସି କ୍ରୂର ହସ ହସିଲେ ଟିକେ ।

 

–ଏଇ ସୁଯୋଗ ନନ୍ଦରାମଜୀ । ବେଶ୍‍ ଭଲ ହୋଇଛି ।

 

–ଏ କି କହୁଛେ ଆପଣ । ହାମର କି ବଢ଼ିଆ ହୋଇଛେ ।

 

–ଆପଣଙ୍କୁ ସନ୍ଦେହ କରିବାର କୌଣସି କାରଣ ନାହିଁ । ଯଦି ପ୍ରକୃତରେ କାହାକୁ ସନ୍ଦେହ କରାଯାଇପାରେ ସେ ଶ୍ରମିକ ନେତା ସବ୍ୟସାଚୀ ମହାପାତ୍ର । ଭାଗ୍ୟକୁ ତାକୁ କାମରୁ ଅନ୍ତର କରିଦେଇଥିଲି ମୁଁ ।

 

–ଲେକିନ ପୁଲିସ କହୁଛେ ପେରେମ କରୁଥିଲା ଉଷାଦେବୀ ।

 

–ପୁଲିସ ଠିକ୍ ସନ୍ଦେହ କରିଛି । ସେଥିରେ ଆପଣଙ୍କର କ୍ଷତି କି ହେଲା ?

 

–ହାମର ଫାଇଦା ଭି ନେହିଁ ।

 

–ଅଛି । ଫାଇଦା ଅଛି ନନ୍ଦରାମଜୀ । ପ୍ରଥମେ ଆପଣଙ୍କୁ ଆଉ ସନ୍ଦେହ କରିବାର ଅବକାଶ ନାହିଁ । ବୁଝିଲେ...

–ହାଁ ।

–ବର୍ତ୍ତମାନ ବନ୍ଧୁ ଭାବରେ ଆପଣ ମତେ ସାହାର୍ଯ୍ୟ କରିବେ ।

–ହାମେ ଆପଣଙ୍କୁ ସାହାର୍ଯ୍ୟ କରିତେ କଭି ଉନକାର କରିଛେ ?

–ନା । ତଥାପି କହିରଖିଲି । ରାସ୍ତାର କଣ୍ଟା ସଫା ନକଲେ ଆମର ଗୋଡ଼ରେ ଲାଗିବ ତାହା । ସବ୍ୟସାଚୀ ଉଷାର ଆତ୍ମହତ୍ୟାର କାରଣ ହୋଇପାରେ–ପୁଲିସକୁ କହିଲେ ପରେ ମୁକ୍ତ ପାଇଗଲେବି ଅନ୍ତତଃ ହଇରାଣ ହବ ପୁଅ କିଛିଦିନ ।

ନନ୍ଦରାମଙ୍କ ମୁହଁଉପରୁ ଭୟର ଚିହ୍ନ ଅନ୍ତର୍ହିତ ହୋଇ ଦେଖାଦେଲା ପ୍ରସନ୍ନତା । ଏଇ ସୁଯୋଗ । ଏଇ ସୁଯୋଗରେ ସେ କେବଳ ସନ୍ଦେହମୁକ୍ତ ହେବେନି, ଶ୍ରମିକ ନେତାକୁ ଶାସ୍ତି ଦେଇପାରିବେ ।

–ବାହାରମେ ନେତା ଔର ଭିତରମେ ପିରତୀ... ହସି ହସି ଟିପଣୀ କଲେ ନନ୍ଦରାମଜୀ-

–ଦେଖନ୍ତୁ । ଏଇ ଲୋକଗୁଡ଼ା କିପରି ଭୟାନକ । ସେଥିପାଇଁ ମୁଁ ସେମାନଙ୍କୁ ମଧୁର ସମ୍ବୋଧନ କରି କହେ ମୋ ସ୍ତ୍ରୀ ଥିଲେ ତାଙ୍କର ଏପରି ଭାଇକୁ ମୁଁ ହତ୍ୟା କରନ୍ତି ଦରକାର ହେଲେ-

–ଆପଣ ରକ୍ଷାକଲେ ହିମାଂଶୁ ବାବୁ । ହାମେ ତ ବଡ଼, ଭୟ କରିଥିଲା ।

 

–ଆପଣ ସାମାନ୍ୟ କଥାରେ ଭୟପାଆନ୍ତୁ । ଏପରି ହେଲେ ଶିଳ୍ପ ସାମ୍ରାଜ୍ୟ ଚଳାଇବେ କିପରି ! ଆଚ୍ଛା ! ଛାଡ଼ନ୍ତୁ, ସେ କଥା ମୁଁ ଉପର ମହଲ ସହିତ କଥାବାର୍ତ୍ତା କରିବି ଏ ସଂପର୍କରେ । ତାପରେ ଅନ୍ୟ ଖବର କୁହନ୍ତୁ ।

 

–ଆପଣ ଦଙ୍ଗା କେସ୍‍ଟା ବୁଝିବେ । ନେହିଁ ତ ମୁସ୍କିଲ୍ ଅଛେ ।

 

–ମୁଁ ସେ କଥା ବୁଝିବି ନନ୍ଦରାମଜୀ । ଆପଣ ଚିନ୍ତା କରନ୍ତୁ ନାହିଁ । କିନ୍ତୁ ରାଜନୀତି ସହିତ ସମ୍ପର୍କ ନ ରଖିଲେ ଆଜିକାଲିର ଜଟିଳ ଦୁନିଆରେ ତିଷ୍ଠିପାରିବେ ନାହିଁ ।

 

–ହାମେ ତ ବହୁତ୍ ଚାନ୍ଦା ଦେଉଛେ । ସରକାରଙ୍କ ଲୋନ୍ ବଣ୍ଡ ବି ଜାଣିଛେ ।

 

–ନନ୍ଦରାମଜୀଙ୍କ ରାଜନୀତିର ପରିଧି ଦେଖି ମନେ ମନେ ହସିଲେ ହିମାଂଶୁ । କିନ୍ତୁ ଏ ହସିବାର ବେଳ ନୁହେଁ । କାମର ବେଳ । ସୁଯୋଗ ବାରମ୍ବାର ମଣିଷ ଜୀବନରେ ଆସେନା । କିନ୍ତୁ ଯେତେବେଳେ ଆସେ ବୀର ପୁରୁଷ ପରି ତା’ର ସଦୁପଯୋଗ କରିବା ହିଁ ହେଉଛି ଧର୍ମ । ଆଜି ସେବା ଏବଂ ଶକ୍ତି ଦୁଇର ପ୍ରୟୋଜନ । ଶକ୍ତି ହାତରେ ନଥିଲେ ସେବା ହୁଏନା । ସେବାର ସ୍ଳୋଗାନ ଦେଲେ ଶକ୍ତି ଆସେନା ।

 

–ଆଉ ଗୋଟିଏ ପ୍ରସ୍ତାବ । ଆପଣ ସେଦିନ ଷ୍ଟୁଡିଓ ସମ୍ପର୍କରେ କହୁଥିଲେ । ଷ୍ଟୁଡିଓର ସଂପ୍ରସାରଣ ପାଇଁ ମୁଁ ବମ୍ବେରୁ ନୂଆ ପରିକଳ୍ପନା ଆଣିଛି । ନୂଆ ଫିଲିମ ସେଇ ପ୍ଳାନ୍ ଅନୁସାରେ ହେବ ।

 

–ବହୁତ ଆଚ୍ଛା ଜରୁରତ ପଡ଼େ ତ ନିଶ୍ଚୟ କହିବେ ।

 

–ଜରୁରତ ପଡ଼ିଛି ନନ୍ଦରାମଜୀ । ଏତେବଡ଼ ପରିକଳ୍ପନାରେ ଆପଣଙ୍କ ପରି ଉଦୀୟମାନ ଏବଂ ପ୍ରଗତିବାଦୀ ଶିଳ୍ପପତି ସହାୟତା ନକଲେ ଓଡ଼ିଶା ପରି ଅନୁନ୍ନତ ରାଜ୍ୟର ଉନ୍ନତି ହବ କିପରି !

 

–ନିଶ୍ଚୟ ସାହାର୍ଯ୍ୟ କରିବେ । ଆପଣଙ୍କ କମ୍ପାନୀରେ ପୁଞ୍ଜି ଲଗାଇବା ।

 

–ଆପଣ ଦଶ ଲକ୍ଷ ଟଙ୍କା ଦେଇ ପାର୍ଟନର ହୁଅନ୍ତୁ ।

 

–ଆପଣ ଯେତେବେଳେ କହୁଛେ ହାମେ ରାଜି ହିମାଂଶୁ ବାବୁ । ଲେକିନ ହାମେ ଫିଲ୍ମର କି ଜାଣିଛେ ।

 

–ଆପଣ କେବଳ ମୋ ପାଖରେ ଛିଡ଼ାହୁଅନ୍ତୁ । ସେସବୁ ଠିକ୍ ହୋଇଯିବ ।

 

–ଅଚ୍ଛି ବାତ । ଲେକିନ୍ ସୁରା ସିନ୍ଧରେ ଦଙ୍ଗା କେସ୍‍ଟା ଫଏସଲା ନହେଲେ...

 

–ଚିନ୍ତିତ ହେବେନାହିଁ । ସେସବୁ ଯଥାସମୟରେ ସମାଧାନ ହୋଇଯିବ । ଜନସାଧାରଣଙ୍କ ସ୍ମୃତି ଅତି କ୍ଷଣସ୍ଥାୟୀ ନନ୍ଦରାମଜୀ । ସମୟ ଅତିବାହିତ ହୋଇଗଲେ ଆପେ ଆପେ ଭୁଲିଯିବେ ଲୋକେ ଏ ବିଷୟରେ ।

 

ଗୋଟିଏ ଟ୍ରେରେ ଦୁଇଟି ରୂପାଥାଳି । ଗୋଟିକରେ କାଜୁବାଦାମ୍ ଏବଂ ଅନ୍ୟଟିରେ କିଛି କଲିଜା ଭଜା ଆଣି ଟେବୁଲ୍ଉପରେ ରଖିଲା ପୂଜାରୀ ।

 

ଘରଭିତରକୁ କାହାକୁ ନ ଆସିବା ପାଇଁ କଡ଼ା ଆଦେଶ ଦେଇ ନନ୍ଦରାମଜୀଙ୍କ ହାତରେ ଖଡ଼ି ଧରାଇବା ପାଇଁ ପ୍ରସ୍ତୁତ ହେଲେ ହିମାଂଶୁ । ଫ୍ରିଜ୍ ଭିତରୁ ବିଅର ବୋତଲ ଆଣିଲେ । ସୋଡ଼ା ଢାଳିଲେ ବିଅର ଗିଲାସରେ ।

 

ଟିକିଏ ବଙ୍କା ହସ ଓଠତଳେ ଖେଳାଇ ଗୋଟିଏ ଗିଲାସ ବଢ଼ାଇଦେଇ କଲିଜା ପ୍ଳେଟଟିକୁ ଆଗେଇଦେଲେ ହିମାଂଶୁ ।

 

–ରାମ, ରାମ । ଗଣେଶଜୀ ଗୁସ୍ସା ହେବେ ଯେ ।

 

–ଆରେ ନା, ନା । ଆଜିକାଲି ଏସବୁ ଟିକେ ନଚଳିଲେ ଆପଣ ସଭ୍ୟ ହୋଇପାରିବେନି । ସୋସାଇଟିରେ ମିଶି ପାରିବେନି । ନିରାମିଷାସୀ ହେଲେ ତାକତ ମିଳିବ କେଉଁଠୁ । ଆଜିକାଲି ଯାହା କରନ୍ତୁ ତାକତ ଚାହିଁ ପ୍ରଥମେ, ଟିକିଏ ଫୁର୍ତ୍ତି କରନ୍ତୁ ନନ୍ଦରାମଜୀ ।

 

ସଙ୍କୋଚ ମଧ୍ୟରେ ବିଅରରୁ ଢୋକେ ପିଇ କଲିଜା ଭଜାରୁ ଖଣ୍ଡେ ଆଖିବୁଜି ଗଳାଧକରଣ କଲେ ସେ । ଅଳ୍ପ ସମୟ ମଧ୍ୟରେ ରଙ୍ଗୀନ ଭାବନା ରଙ୍ଗୀନ କଲା ମନକୁ । ବନାନି ଗୋଟିଏ ପ୍ଳେଟରେ କିଛି ମୋଗାଲାଇ ପରଟା ଏବଂ ଚିକେନ୍ ରୋଷ୍ଟ ନେଇ ସାମ୍ନାରେ ରଖିଦେଲା-

 

ତା’ର ଆଖି ଝଲସା ମୋହନୀୟ ରୂପ ଦେଖି ମନତଳର ରଙ୍ଗୀନ ସ୍ୱପ୍ନ ଉଚ୍ଚାଟ କଲା ନନ୍ଦରାମଙ୍କୁ । ସେ ମନା କରୁ କରୁ ବନାନୀ ତାଙ୍କ ଗ୍ଳାସରେ ବିଅର ଢାଳିଦେଲା ପୁଣି ।

 

ଏକ ଉତ୍ତପ୍ତମାଦକତାର ଜୁଆରରେ ଭାସିବୁଲିଲେ ନନ୍ଦରାମଜୀ । ପ୍ରଗଳ୍‌ଭ ଭରା ଚଟୁଳ, ଚପଳ କଥାର ଲହରୀ ଖେଳିଲା ପ୍ରାଣ ପ୍ରାଚୁର୍ଯ୍ୟର ଇଙ୍ଗିତ ଦେଇ ।

 

ହିମାଂଶୁ କକ୍ଷାନ୍ତରକୁ ଚାଲିଯାଇଥିଲେ କେତେବେଳେ । ନବ ଉନ୍ମାଦନାର ଉତ୍ତାଳ ତରଙ୍ଗ ସେସବୁ ସୁନେଲି ଦେଖୁଥିଲେ ନନ୍ଦରାମଜୀ । ସୁରାଶ୍ରୀରେ ଏତେ ଆନନ୍ଦ, ଏତେ ଐଶ୍ୱର୍ଯ୍ୟ ଲୁଚି ରହିଛି ଏହା ‘ସୁରାସିନ୍ଧୁର ପ୍ରତିଷ୍ଠାତା ହୋଇ’ ଏଇ ପ୍ରଥମ ଜାଣିଲେ ସେ ।

 

ଯେତିକି ଜାଣିଲେ ସେତିକି ଉତ୍ତାଳ ଉନ୍ମାଦନାରେ ଭାସିଗଲେ ସେ । ସେଇ ଭାସିବା ଏବଂ ବୁଡ଼ିବାରେ ନାରୀର ସାନ୍ନିଧ୍ୟରେ ନୂତନ ସ୍ୱାଦ ଅନୁଭବ କଲେ । ଦେହରେ ଅବଗୁଣ୍ଠିତ ସଞ୍ଜମ ସୀମା ଲଙ୍ଘନ କରି ଅକୁଣ୍ଠିତ ଆଲିଙ୍ଗନ ଓ ଅବଲେହନରେ ତୁର୍ଯ୍ୟନାଦ କରିଉଠିଲା ତାଙ୍କର ସର୍ବାଙ୍ଗ-

 

ମୁକ୍ତଭୋଗର ରସାଳତାର ଚିରଦିନ କୁଚ୍ଛ ସାଧନ କରିଆସିଥିବା ନନ୍ଦରାମଜୀ ଏକ ଅପୂର୍ବ ଜୀବନ ସ୍ପନ୍ଦନ ଅନୁଭବ କଲେ । ଶ୍ରାବଣର କନ୍ୟା ନଦୀର ଦୁଇକୂଳ ଲଙ୍ଘନ କରି ସବୁ ଭସାଇନେଇ ଗଲା ପରି, ନାରୀ ସଂସ୍ପର୍ଶରେ ଉଚ୍ଚାଟ ସମ୍ମୋହନ ଶକ୍ତି ଭସାଇନେଲା ତାଙ୍କୁ ମାନସ ଲୋକରୁ ଉଜ୍ଜ୍ୱଳ ଉତ୍ତପ୍ତ ଅନ୍ତରୀକ୍ଷକୁ । ହେମନ୍ତ ରାତ୍ରିର ଶୀତଳତା ତାଙ୍କୁ ସ୍ନିଗ୍ଧ ଶୀତଳ ନକରି ତାଙ୍କର ସ୍ନାୟୁ ଓ ଶୋଣିତରେ ଭରିଦେଲା ଅଗଣିତ ବିଜୁଳିର ଜମକ, ଅମିତ ଅଗ୍ନିସ୍ଫୁଲଙ୍ଗର ଅସରନ୍ତି ଉତ୍ତାପ ।

 

ବନାନୀ ପାଖରେ ଆତ୍ମବିସର୍ଜନ କରି ବନାଗ୍ନିର ଦାଉ ଦାଉ ଲେଲିହାନ ଶିଖାରେ ଦଗ୍ଧ ହେଉଥିଲେ ନନ୍ଦରାମ ହନୁତରାମ ।

 

ପଚିଶ

 

ଆଜି ଇଣ୍ଟରଭିଉ ।

 

ସକାଳ ଦଶଟାରେ ।

 

ବିଦ୍ୟାଳୟର ପରିଚାଳନା ପରିଷଦ ତାକୁ ପରିଦର୍ଶନ କରିବେ ଶିକ୍ଷୟିତ୍ରୀ ହବାପାଇଁ ସେ ଉପଯୁକ୍ତ କି ନାହିଁ ତାହା ବିବେଚନା କରିବା ପାଇଁ । ସହଳ ସହଳ ସବୁ କାମ ଶେଷ କରିନେଲା ନୀତା ।

 

ଏଇ କେତେଦିନର ବେକାର ଜୀବନର ଗ୍ଳାନି ଏବଂ ଦୃଶ୍ଚିନ୍ତା ଯେ, ତା’ର ଅନ୍ତର ବାହାରକୁ ଅନେକ ପରିମାଣରେ କ୍ଷତବିକ୍ଷତ କରିଥିଲା ଏହା ତା’ ମୁହଁକୁ ଚାହିଁଲେ ସହଜରେ ଅନୁମାନ କରିହୁଏ । କିନ୍ତୁ ଆତ୍ମବିଶ୍ୱାସ ହରାଇନଥିଲା ସେ । ହରାଇନଥିଲା ଆତ୍ମନିଷ୍ଠ ।

 

ସବ୍ୟସାଚୀ କାଲିଠାରୁ ଚୌଦ୍ୱାର ଯାଇଛି ଯେ, ଏପର୍ଯ୍ୟନ୍ତ ଫେରିଆସିନି । ରାତିଟା ସେଇଠି କାହା ଘରେ ବା ୟୁନିଅନ ଅଫିସରେ ହୁଏତ କଟାଇଦେଇଥିବ । ଛାତ୍ରଭାବରେ ଜନପ୍ରିୟ ଏବଂ ବାଗ୍ମୀ ଭାବରେ ଖ୍ୟାତି ଅର୍ଜନ କରିଥିଲା । କଲେଜ ଇଉନିୟନର ସମ୍ପାଦକ ଭାବରେ ବେଶ୍ ଦକ୍ଷତା ଦର୍ଶାଇଥିଲା । ସେଇ ଅଭିଜ୍ଞତା ଏବଂ ଅଳ୍ପ କେତେମାସରେ ଶ୍ରମିକ ସଙ୍ଗଠନର ଅନୁଭୂତି ବଳଦେଲା ତାକୁ । ଏହାହିଁ ତାକୁ ପରିଚିତ କରାଇପାରିଥିଲା କଟକ, ଚୌଦ୍ୱାର ଶିଳ୍ପାଞ୍ଚଳର ଶ୍ରମିକ ମହଲରେ । ତେଣୁ କାର୍ଯ୍ୟରୁ ଅନ୍ତର ହବା ପରେ ପରେ ସେ ଆଉ ଚାକିରିର ଅନୁସନ୍ଧାନ ନକରି ମନଦେଇଥିଲା କଟକ ବାହାରେ ଶ୍ରମିକମାନଙ୍କ ମଧ୍ୟରେ ନିଜକୁ ଅଧିଷ୍ଠିତ କରିବା ପାଇଁ । ପ୍ରସଙ୍ଗ କ୍ରମେ ଚୌଦ୍ୱାର ଶ୍ରମିକ ସଂଘର ସଭାପତି ବିଶ୍ୱମୋହନ ସହିତ ବନ୍ଧୁତ୍ୱ ପ୍ରତିଷ୍ଠିତ କରିପାରିଥିଲା ସେ । ନିଜ ଶ୍ରମିକ ସଂଘଦ୍ୱାରା ବହିଷ୍କୃତ ହୋଇଥିଲେ ମଧ୍ୟ ଚୌଦ୍ୱାର ଶ୍ରମିକମାନଙ୍କ ମଧ୍ୟରେ ତା’ର ବୀରତ୍ୱ ଓ ସଂଗ୍ରାମୀ ପରିଚୟ ମ୍ଳାନ ପଡ଼ିନଥିଲା । ଗତକାଲି ଶ୍ରମିକ ସଂଘର ବାର୍ଷିକ ଉତ୍ସବକୁ ମୃଖ୍ୟବକ୍ତା ଭାବରେ ନିୟନ୍ତ୍ରିତ ହୋଇଯାଇଥିଲା ସେ ।

 

କେତେ ବେପରୁଆ ଏବଂ ଆତ୍ମଭୋଳା ଲୋକ ସବ୍ୟସାଚୀ । କିଶୋର ବାବୁଙ୍କ ଗୋଟିଏ ଛୋଟ କୋଠରୀ ମଧ୍ୟରେ ବସି ବସି ଭାବୁଥିଲା ନୀତା । ନିଜଉପରେ ଆଗ୍ରହ ଅପେକ୍ଷା ଅନାଗ୍ରହ ଅଧିକ । ନିଜ ପାଖରେ ନିଜେ ଏତେ ନିଗୃହୀତ ହେଲେ ସ୍ୱାସ୍ଥ୍ୟ ରହିବ କିପରି ।

 

କିନ୍ତୁ ଆଶ୍ଚର୍ଯ୍ୟ ! ଦିନୁ ଦିନୁ ଦୈନ୍ୟର ଶୀର୍ଣ୍ଣତା ଭିତରେ ସବ୍ୟସାଚୀର ପ୍ରଚ୍ଛନ୍ନ ଓ ପ୍ରଶାନ୍ତରୂପ ଏକ ନୂତନ ବ୍ୟକ୍ତିତ୍ୱର ସୁଷମା ନେଇ ପ୍ରକାଶିତ ହେଇଥିଲା । ଦେହର ସେଇ ତେଜରେ ବ୍ୟକ୍ତିତ୍ୱର ବ୍ୟଞ୍ଜନା ଥିଲା ।

 

ବହୁ କହି ବୋଲି ସବ୍ୟସାଚୀକୁ ଦୁଇଟି ସ୍ଥାନରେ ଚାକିରି ପାଇଁ ଦରଖାସ୍ତ କରାଇଛି । କିନ୍ତୁ ନିଜର ନିସ୍ପୃ ହତା ଜଣାଇ କହିଥିଲା ସେ–ଚାକିରି ଖୋଜି କ’ଣ ହବ ନୀତା । ଚାକିରି ରଖିପାରିଲେ ସିନା ।

 

–ଅନ୍ୟ କାହାରି ନ ହେଉ ନିଜର ଭରଣପୋଷଣ ହବ କିପରି ଭାବିଛ ଥରେ ! ଚାକିରି କରିବାରେ ଦୋଷ ନାହିଁ । ଚାକିରି କରି ମଧ୍ୟ ଦେଶ ସେବା କରାଯାଇପାରେ ।

 

ଶାନ୍ତ କଣ୍ଠରେ କହିଥିଲା ନୀତା । ସବ୍ୟସାଚୀ ଉତ୍ତର ଦେଇଥିଲା–ହଁ, ମାନୁଛି । କିନ୍ତୁ ମୋ କଥା ମୁଁ ଭାବିନି ଏଯାଏଁ ଗୋଟିଏ ପେଟ ତ ଅପୋଷା ରହିଯିବନି । ତୁମପାଖରେ ପହଞ୍ଚିଗଲେ ତୁମେ ଆଦର କରି ଓଳିଏ ଖାଇବାପାଇଁ ନ ଦେଇ କ’ଣ ଫେରାଇ ଦେଇପାରିବ !

ସେଦିନ ଚମକିପଡ଼ିଥିଲା ନୀତା । ତା’ପାଖରେ ପେଟପୂରାଇ ଖାଇବାପାଇଁ ତାହେଲେ ହାତପାତି ଛାଡ଼ିହେବ ସବ୍ୟସାଚୀ । ନା, ନା । ସେ ହୋଇପାରେନା । ସେ ପୁରୁଷ । ପୌରୁଷତ୍ୱର ପରାକାଷ୍ଠା ଦେଖାଇ କେବଳ ନିଜର ପେଟ ପୋଷିବ ନାହିଁ । ଯେଉଁମାନେ ତା’ର ଆଶ୍ରିତ, ତା’ ଉପାର୍ଜନ ଉପରେ ନିର୍ଭର କରନ୍ତି, ସେମାନଙ୍କୁ ଅଭୟ ଦବ, ଆଶ୍ରୟ ଦବ ! ଆବଶ୍ୟକ ହେଲେ ତା’ ହାତଟେକାକୁ ଚାହିଁରହିବେ ଚାରିଜଣ ।

ସେ ତତ୍‍କ୍ଷଣାତ କହିଥିଲା–ନା, ନା । ତମେ କିଛି ଗୋଟାଏ କର । ତାପରେ ଯେତେବେଳେ ନିଜର ଚଳିବା ଭଳି କିଛି ଗୋଟିଏ ହବ ଚାକିରି ଛାଡ଼ିଦବ । ଅତି ନିମ୍ନକଣ୍ଠରେ କହିଥିଲା ସେ–

–ଦେଖିବି, ଚେଷ୍ଟା କରିବି ।

–ଦେଖିବ କି । ମୁଁ ଫର୍ମ ଆଣିଛି । ପୂରଣ କରି ଡକରେ ପକାଇ ଦିଅ ଡେରିନକରି ।

–ଚାକିରି କେଉଁଠି ?

–ଏଇ ସହରରେ । ଅଧ୍ୟାପକ ଚାକିରି ବେସରକାରୀ କଲେଜରେ । ମାଧବାନନ୍ଦ ନାଇଟ୍ କଲେଜରେ ।

–ବେଶ୍ ଭଲ ପୋଷ୍ଟ ତ ! ଆଣ ଦେଖି ଫର୍ମଟା ।

ଫର୍ମଟା ଆଣି ଦେଇଥିଲା ନୀତା । ସେଇ ସଙ୍ଗେ ସଙ୍ଗେ ଫର୍ମ ପୂରଣ କରି ତା’ ହାତକୁ ବଢ଼ାଇଦେଇଥିଲା ସବ୍ୟସାଚୀ ।

ଆସନ୍ତା ଏକୋଇଶ ତାରିଖ ଇଣ୍ଟରଭିଉ । ସମୟ ଅଛି ହାତରେ । କିନ୍ତୁ ସେ ଦିଗକୁ ନଜର ନାହିଁ । ହୁଏତ ଟିକିଏ ଚେଷ୍ଟା କଲେ ମିଳିଯାଇପାରେ ଚାକିରିଟି ।

ଦିନେ ଡରି ଡରି କହିଥିଲା ସବ୍ୟସାଚୀକୁ ଯତ୍ନ କରିବାପାଇଁ । ନିର୍ବୋଧପରି ତା’ ମୁହଁକୁ ଅନାଇ ପଚାରିଥିଲା ସେ–କଅଣ ଯତ୍ନ କରିବ । ଇଣ୍ଟରଭିଉରେ ଯଦି ଅନ୍ୟାୟ ନହୋଇ ନ୍ୟାୟ ବିଚାରହୁଏ ମୁଁ ପାଏ ବା ଅନ୍ୟ କେହି ପାଉ ସେଥିରେ ଅବଶୋଷ କରିବାର କିଛି ନାହିଁ । ଆଉ ଯଦି ଇଣ୍ଟରଭିଉ କେବଳ ନିଜର କାହାକୁ ନବାର ଏକ ଆବରଣ ମାତ୍ର, ତାହେଲେ ମୁଁ ଯତ୍ନକଲେ ବି ଲାଭ ହେବନାହିଁ ।

–ତଥାପି ମ୍ୟାନେଜିଂ କମିଟିର ଜଣେ ଦୁଇଜଣଙ୍କ ସହିତ ପରିଚୟ ଥିଲେ ।

–ନା, ନା । ସେକଥା କରିପାରିବେନି ନୀତା । ପରିଚୟ ଯେ ନାହିଁ ତା’ ନୁହେଁ । ପ୍ରେସିଡ଼େଣ୍ଟ ତ ମୋର ଅଧ୍ୟକ୍ଷ ଥିଲେ ଅବସର ନବା ପୂର୍ବରୁ । କିନ୍ତୁ ଧରାଧରି କରିବା କେବଳ ଅବିଚାର ନୁହେଁ, ଅନ୍ୟାୟ ମଧ୍ୟ ।

 

–କିନ୍ତୁ ତାହାହିଁ ଆଜିର ସର୍ବଶ୍ରେଷ୍ଠ ଅସ୍ତ୍ର । ବ୍ୟକିଂର ଆବଶ୍ୟକତା ରହିଛି ଏ ଯୁଗରେ ।

 

–ସତ । ମୁଁ ମଧ୍ୟ ଦିନେ ଫର୍ମଟିଏ ପାଇଁ ଦୁଇଟଙ୍କା ଉତ୍କୋଚ ଦେଇଥିଲି । କିନ୍ତୁ ସେ ଯେ କେଡ଼େ ବଡ଼ ଅନ୍ୟାୟ ଓ ଅପରାଧ ତାହା ଆଜି ଅକ୍ଷରେ ଅକ୍ଷରେ ବୁଝିପାରୁଛି । ମଣିଷର ଧର୍ମ ଅନ୍ୟାୟ, ଅଧର୍ମ ତାହା ବିପକ୍ଷରେ ସଂଗ୍ରାମ କରିବା ।

 

ତା’ ସହିତ ଯୁକ୍ତିନକରି ଚୁପ୍ ରହିଥିଲେ ସେଦିନ । ସେ ଯେ ସବ୍ୟସାଚୀ ସହିତ ଏକମତ ନୁହେଁ, କିନ୍ତୁ ନାରୀର ମନନେଇ ସେ ବି ଚାହେଁ ସଂସାରରେ ସୁଖୀ ହେଉ, ତେଜସ୍ୱୀ ହେଉ ସବ୍ୟସାଚୀ । ଶୁଭାକାଙ୍‍କ୍ଷୀର ଚକ୍ଷୁରେ ସ୍ନେହର ସରୁ ଅଞ୍ଜନ ଦେଇ ଦେଖୁଥିଲା ନୀତା ।

 

ସେ ହୁଏତ ନିଜର ବୁଦ୍ଧି ବିବେକ ବଳରେ ଶେଷରେ ପାଇଯିବ କିଛି ଗୋଟେ କିନ୍ତୁ ନୀତା ଆଉ ଧୈର୍ଯଧରି ପାରୁନଥିଲା । ଦୁଇଟି ବେକାର ଜୀବନ ପରସ୍ପର ପ୍ରତି ସ୍ନେହଶୀଳ, କିନ୍ତୁ ନିର୍ଭରଶୀଳ ରହିବେ ଆଉ କେତେଦିନ । ପୃଥବୀର ଏଇ ପ୍ରଶସ୍ତ ବକ୍ଷଉପରେ ବଞ୍ଚି ରହିବାପାଇଁ ହେଲେ; ଆଲୋକ ଏବଂ ଉତ୍ତାପର, ଶୀତ ଏବଂ ବର୍ଷାରୁ ରକ୍ଷା ପାଇବା ପାଇଁ ଗୋଟିଏ ଗୃହର ଯେପରି ପ୍ରୟୋଜନ; ସେଇପରି ବସ୍ତ୍ରର ପ୍ରୟୋଜନ ଦେହରେ ଲୁକ୍କାୟିତ ଅଂଶକୁ ପରିବୃତ କରି ଲଜ୍ୟା ନିବାରଣ କରିବାପାଇଁ । ଉଦରର ଉଦ୍ଦାମ କ୍ଷୁଧାର ନିବୃତ୍ତି ପାଇଁ ଆବଶ୍ୟକ ଅନ୍ନ । ବସନ ଓ ଅନ୍ନ ନହେଲେ ମଣିଷ ବଞ୍ଚିବ ନାହିଁ । ସେଇ ବଞ୍ଚିବାପାଇଁ ମଣିଷକୁ ସଂଗ୍ରାମ କରିବାକୁ ହେବ ।

 

ନୀଡ଼ ରଚନାର ସ୍ୱପ୍ନ ପ୍ରଭାତର କୁଝଟିକା ପରି ଅସ୍ପଷ୍ଟ ଥିଲା ଆଜିଯାଏ ତାପାଖରେ । କିନ୍ତୁ ମନେମନେ ସେ ଯେ କେତେବେଳେ ଗୋଟିଏ ଘର, ଗୋଟିଏ ଛୋଟ ସଂସାର, ଟିକିଏ ମମତାଭରା ନିରାପଦ ଆଶ୍ରୟ, ଚେନାଏ ଭଲପାଇବା ପ୍ରତି ଆସକ୍ତ ହୋଇଉଠିଥିଲା ତାହା । ଆଜି କେବଳ ବିସ୍ମୟର ସହିତ ମାନସ ଲୋକରେ ଅବଲୋକନ କଲା ସୁନୀତା ।

 

ସବ୍ୟସାଚୀ କ’ଣ ତା’ ପ୍ରତି ଆକୃଷ୍ଟ । ସେ କି ଭଲପାଏ ତାକୁ । ନ ହୋଇଥିଲେ କି ସେ ଏତେ ପାଖକୁ ଆସିପାରିଥାଆନ୍ତା ! ଭଲପାଇବାର ସ୍ୱପ୍ନ ମନଭିତରେ ଫୁଲଝରି ଜାଳିଲା । ଫୁଲଝରି ଫୁଟିବାର ସେଇ ଆଲୋକରେ ସୁଷମାସିକ୍ତ ସେହି ପ୍ରତ୍ୟାଶିତ ପୁରୁଷର ପଦଧ୍ୱନି ଶୁଣିବା ପାଇଁ ପାଇଲା ସେ । ହୃଦୟ ମଣ୍ଡିତ କରି ତା’ ମନ ସିଂହାସନରେ ଅଧିଷ୍ଠିତ ସେଇ ପରମ ପ୍ରିୟତମକୁ ଅବଲୋକନ କରି ପୁଲକ ଓ ଆନନ୍ଦରେ ଅଭିଭୂତ ହୋଇପଡ଼ିଲା ନୀତା ।

ସେ ଭଲପାଏ ସବ୍ୟସାଚୀକୁ । ଆଉ ସବ୍ୟସାଚୀ ? ହଁ ହଁ । ସେ ବି ଭଲପାଏ ତାକୁ ।

କିନ୍ତୁ ଉଷା ଖାନ୍ନା....

ଧୂମକେତୁ ପରି ଉଷା ଖାନ୍ନାର ସ୍ମୃତି ଆଚ୍ଛନ୍ମ କରିପକାଇଲା ତା’ର ମନ ଆକାଶକୁ ।

ଉଷା ଖାନ୍ନା କ’ଣ ସତରେ ପାଇପାରିଥିଲା ସବ୍ୟସାଚୀର ସାନିଧି । ବହୁଦୂର ଅଗ୍ରସର ହୋଇଥିଲା ସେ । କଫି କର୍ଣ୍ଣରରେ ସେଦିନ କାହିଁକି ତେବେ ସବ୍ୟସାଚୀ ତା’ ସହିତ ଏକାନ୍ତରେ ବସି ସଙ୍ଗ ଦେଇଥିଲା ତାକୁ । କାହିଁକି ତାହେଲେ ତା’ ଜନ୍ମଦିନର ଉତ୍ସବରେ ହୋଟେଲ କ୍ୟାପିଟଲରେ ଯୋଗଦେଇ କେବଳ ନିଜର ନୁହେଁ, ଶ୍ରମିକ ଆନ୍ଦୋଳନର କ୍ଷତି ଘଟାଇଲା ସେ । ଖବରକାଗଜ ପୃଷ୍ଠାରେ ଉଷା ସହିତ ସବ୍ୟସାଚୀର ଯେଉଁ ଚିତ୍ର ପ୍ରକାଶ ପାଇଥିଲା ତାହା ଅସତ୍ୟ ବା ଅବାସ୍ତବ ବୋଲି ସହଜରେ ଉଡ଼ାଇଦେବ କିପରି ?

ଯେତେ ଭାବିଲା ସେତିକି ଅବୁଝା ମନ ଅଶାନ୍ତ ହୋଇଉଠିଲା । ଅଶାନ୍ତିର ତିକ୍ତତା ତାକୁ ଅଭାବର ଏକ ଜ୍ୱାଳାମୟ ବିଷାଦପୂର୍ଣ୍ଣ ଅନୁଭବ ଆଣିଦେଲା । ଭିତରେ ରିକ୍ତତାରେ ହାହାକାର କରିଉଠିଲା ତା’ର ଅନ୍ତର ।

 

ଆଜି ଯେ ଇଣ୍ଟରଭିଉ ଏହା ସମ୍ପୂର୍ଣ୍ଣ ଭୁଲିଯାଇଥିଲା ସେ । ଭାବୁ ଭାବୁ ଭାବାନ୍ତରର ଉଷର ଭୂଇଁଉପରେ କଚାଡ଼ିହୋଇ ପଡ଼ିଯାଇଥିଲା ସୁନୀତା । ଆହୁରି କେତେ ସମୟ ସେଇପରି ବସି ବସି ଭାବିଥାଆନ୍ତା । କିନ୍ତୁ ଅନାଥ ଆସି ସମ୍ୱାଦ ଦେଲା ସବ୍ୟସାଚୀ ଆସିଛି । ଅବସାଦରେ ଭାଙ୍ଗିପଡ଼ିଥିବା ଅନ୍ତରର କ୍ଷୋଭ ଓ ବେଦନା ନେଇ ତା’ ସହିତ ସାକ୍ଷାତ କରିବା ପାଇଁ ଗଲା ସୁନୀତା ।

 

–ସବୁ ଭଲ ତ ! କାଲି ରାତିରେ ଆସିପାରିଲି ନାହିଁ । ସଭା ଶେଷ ହେବା ବେଳକୁ ରାତି ବାରଟା ବାଜି ଯାଇଥିଲା ।

 

ଫେରିଆସିବାର ଅକ୍ଷମତା ପ୍ରକାଶ କରି ନିଜଆଡ଼ୁ କାରଣ ଦର୍ଶାଇଲା ସବ୍ୟସାଚୀ ।

 

–ମୁଁ ତ କାରଣ ଜାଣିବା ପାଇଁ ଚାହିଁନି । ତମର ଇଚ୍ଛାହେଲା ରହିଗଲ । ଇଚ୍ଛାହେଲା ଆସିଲ କାହାକୁ କାରଣ କହିବାର ପ୍ରୟୋଜନ କ’ଣ ?

 

ତା’ ସ୍ୱରର ଅପ୍ରତ୍ୟାଶିତ ରୂକ୍ଷତା ଅନୁଭବ କରି ଅବାକ୍ ହୋଇଗଲା ସବ୍ୟସାଚୀ । ସେ ଚାହିଁଲା ତା’ ଆଡ଼କୁ ।

 

ମଳିନ ମୁହଁର ରୁଜୁତା ଫୁଟିପଡ଼ୁଥିଲା । କାହିଁକି ଏପରି ହେଲା–ମନେ ମନେ ନିଜକୁ ପଚାରିଲା ସେ ।

 

କିନ୍ତୁ ଆକାଶ ପାତାଳ କେଉଁଠାରେ ଠାବ ପାଉନଥିଲା ସୁନୀତା । ତା’ ନିଜପାଖରେ ସେ ଅତି ଛୋଟ ହୋଇଯାଉଥିଲା ଉଷା ଖନ୍ନାର ଆବରଣ ତଳେ ଲୁଚିଯାଉଥିଲା ତା’ର ଅପରିସୀମ ଭଲପାଇବାର ଉନ୍ମୁଖ ଆନନ୍ଦ ।

 

ଅନ୍ୟ ଘରକୁ ଯାଇ ଗୋଟିଏ ଖଟଉପରେ ବସିପଡ଼ି ଫୁଲି ଫୁଲି କାନ୍ଦିଉଠିଲା ନୀତା । କାନ୍ଦିଲା ଅକ୍ଷତ ଅନ୍ତରର ଅସହନୀୟ ଅନ୍ତର୍ଦାହ ।

 

ଅନାଥ ଆସି ଜଣାଇଲା–ଆଜି ପରା ଦେଇ ଯିବେ କୁଆଡ଼େ । ନଅଟା ବାଜିଗଲାଣି ଯେ ।

 

ମନେପଡ଼ିଲା ସବ୍ୟସାଚୀର । ସତରେ ତ ! ଆଜି ଯେ ନୀତାର ଇଣ୍ଟରଭିଉ ।

 

ସେ ଅନ୍ୟ କୋଠରୀକୁ ଯାଇ ଡାକିଲା ତାକୁ ।

 

–ନୀତା !

 

କୌଣସି ଉତ୍ତର ଦେଲାନି ସେ ।

 

ତାପରେ ପୁଣି କହିଲା ସବ୍ୟସାଚୀ–ଇଣ୍ଟରଭିଉ ଯେ ଦଶଟାରେ । ତୁମେ ପ୍ରସ୍ତୁତ ହବ ତ ପୁଣି । ବାହାରିପଡ଼ ଶୀଘ୍ର ।

 

କୌଣସି ପ୍ରତ୍ୟୁତ୍ତର ନ କରି ପ୍ରାୟ ଦୁଇ ତିନି ମିନିଟ ପରେ ବାହାରିଆସିଲା ନୀତା । ମୁହଁଉପରେ ବେଦନାର ଛାପ ସୁସ୍ପଷ୍ଟ । ଭିତରେ ଭିତରେ ଅନ୍ତର୍ଦ୍ୱନ୍ଦ୍ୱରେ କ୍ଷତବିକ୍ଷତ ହେଉଥିଲା ସେ-

 

–କ’ଣ ହୋଇଛି ତୁମର ?

 

ଆଶ୍ଚର୍ଯ୍ୟ ହୋଇ ପଚାରିଲା ସବ୍ୟସାଚୀ ।

 

–କାହିଁ, କିଛିନୁହେଁ ତ !

 

ନୀତାର ଛୋଟ ନିର୍ଲିପ୍ତ ଉତ୍ତର ।

 

–ନା, ନା । ଲୁଚାଇପାରିବିନି ମୋପାଖରୁ ଯଦି କୌଣସି ଅପରାଧ ହୋଇଥାଏ କ୍ଷମାକର ମତେ । ମୁଁ ଜାଣିଶୁଣି.... ସବ୍ୟସାଚୀ ଶେଷ କରିବା ପୂର୍ବରୁ ଅବାକ ହୋଇ ଦେଖିଲା ଝରଝର ହୋଇ ଝରିପଡ଼ୁଥିଲା ଅଶ୍ରୁ ନୀତାର ଆୟତ୍ତ ଲୋଚନରୁ । ଲୁହର ସେହି ପ୍ଳାବନ ଦେଖି ସ୍ଥିର ନିର୍ଜୀବ ପରି ଛିଡ଼ାହୋଇ ରହିଲା ସବ୍ୟସାଚୀ ।

 

ନୀତା କାନ୍ଦୁଥିଲା ।

 

କାନ୍ଦୁଥିଲା ଅକ୍ଷତ ଅନ୍ତରର ଅସହନୀୟ ଅନ୍ତର୍ଦାହ ।

 

–ଥାଉ । ଏପରି ପିଲାଙ୍କ ପରି ହେଲେ ଚଳିବ । ଦୁନିଆର ପଥଉପରେ କେତେ ଘାତ ପ୍ରତିଘାତ ସହିବ ତମେ–କିନ୍ତୁ ଭାଙ୍ଗିପଡ଼ିବ କାହିଁକି ?

 

ତୁହାଇ ତୁହାଇ କାନ୍ଦୁଥିଲା ।

 

ତା’ ମଥାଉପରେ ସାନ୍ତ୍ୱନାର ପରଶଦେଇ କିଛି ସମୟ ହାତ ବୁଲାଇଲା ସବ୍ୟସାଚୀ ।

 

ମୁହ ଉଠା ଧୀରେ ଧୀରେ କହିଲା ନୀତା–ମୁଁ ଯେ ଆଉ ପାରୁନି ସବ୍ୟସାଚୀ...

 

–ପାରିବାପାଇଁ ହବ ନୀତା । ଭଲପାଇବା ପଥରେ ଆଶାର ଆଲୋକ ଦେଖିବ । ଅନୁଭବ କରିବ ଆଶ୍ରୁ ଓ ବେଦନା । ଭଲପାଇବାର କଷଟି ପଥରେଉପରେ ତୁମେତ, ମୋର ଜୀବନ ଯାଚନା ପରଖିନବ ବାରବାର ।

 

–କିନ୍ତୁ କେଉଁ ଆଶାରେ ସହିଯିବି ଏତେ ବେଦନା, ଏତେ ଯନ୍ତ୍ରଣା ।

 

–ଭଲପାଇବାର ଡାକ ଶୁଣିଛ ଯେତେବେଳେ ଏଇ ଟିକେ ଦୁଃଖ, ଏଇ ସାମୟିକ ବେଦନା ସହିପାରିବ ନାହିଁ ତମେ ?

 

–କିନ୍ତୁ ସତରେ କ’ଣ ମତେ ଭଲପାଅ ତମେ ?

 

ତା’ ଆଖିଉପରେ ଆଖିରଖି କିପରି କରୁଣ ଦୃଷ୍ଟରେ ଚାହିଁଲା ନୀତା ।

 

ତା’ଉପରେ ହାତରଖି କହିଲା ସବ୍ୟସାଚୀ ।

 

–ଭଲପାଏ । କେବଳ ତମକୁହିଁ ଭଲପାଏ ନୀତା ! ଅଭିମାନ କରନା, ଅଭିଯୋଗ କରନା–କେବଳ ବାରମ୍ୱାର କହିବାକୁ ଦିଅ–ମୁଁ ଭଲପାଏ, ଅନେକ ଭଲପାଏ ତୁମକୁ ।

 

ଜମାଟବନ୍ଧା ଅବସାଦର ବରଫ ପାହାଡ଼ ତରଳିବାପାଇଁ ଆରମ୍ଭ କରିଥିଲା ।

 

ତା’ ସ୍ୱପ୍ନଝରା ଆଖିର ଦୃଷ୍ଟିଆଗରେ ନିଜର ଲୋଟାଇ ଦେଇ କହିଲା ନୀତା–ତୁମକୁ ଅଜେୟ କିଛିନାହିଁ । ତୁମ ପାଖରେ ଅକୁହା କିଛି ନାହିଁ ମୋର । କିନ୍ତୁ କୁହ ତୁମେ କେବଳ ମୋର...ଏକାନ୍ତ ମୋର ।

 

–ମୁଁ ଏକାନ୍ତ ତୁମର ନୀତା । ତୁମେ ଏକାନ୍ତ ମୋର । ତୁମେ ଆଲୋକିତ କରିବ ମୋର ପଥ । ପୋଛିଦବ ମୋ ସଂଗ୍ରାମୀ ଦେବର ଧୂଳିମଳି । ଲୋତକ ଦେଇ ଧୋଇଦବ ମୋର ଶ୍ରାନ୍ତ ଶୋଣିତ ସିକ୍ତ ପଦର କ୍ଳାନ୍ତି । ପାରିବ ନାହିଁ ନୀତା ?

 

–ପାରିବି, ପାରିବି । ସେଇ ସୁଯୋଗରୁ ବଞ୍ଚିତ କରିବ ନାହିଁ–କଥାଦିଅ ମତେ !

 

ବିହ୍ୱଳିତ ପୁଲକରେ ତା’ଉପରେ ଢଳିପଡ଼ିଲା ନୀତା ।

 

ସେ ଦେହର ଉତ୍ତାପରେ ଭାସିଗଲା ସମସ୍ତ କୁଣ୍ଠା ଓ କାତରତା । ସର୍ବାଙ୍ଗରେ ଛୁଆଁ ଲାଗିଲା ଆଲୋକର । ଭାସିଗଲା ସୁନୀତା ସେଇ ଆଲୋକ ବନ୍ୟାରେ ।

 

ତା’ ଚିବୁକ ସ୍ପର୍ଶକରି ତାକୁ ଆଦର କଲା ସବ୍ୟସାଚୀ । ନଇଁପଡ଼ିଥିବା ମୁଦ୍ରିତ ନୟନା ନୀତା ଦୁଇହାତ ବେଷ୍ଟନ କରିଥିଲା ସବ୍ୟସାଚୀର କଟି ଦେଶରେ । ତା’ ଓଠଧରି ତା’ଆଡ଼କୁ ଉଠାଇଦେଲା ସବ୍ୟସାଚୀ ।

 

ସେ ଆଖିଖୋଲି ଚାହିଁଲା ।

 

ଚାହିଁଥିଲା ସବ୍ୟସାଚୀ ।

 

ଦୁଇଟି ଏକତ୍ରିତ ହେଉଥିବା ହୃଦୟର ମୁଗ୍ଧ ପୁଲକିତ ଦୃଷ୍ଟିର ଅନ୍ତରାଲୋକରେ ଉଦ୍ଭାସିତ ହେଉଥିଲା ଦୁଇଟି ପ୍ରବହମାନ ଜୀବନସ୍ରୋତର ଅନୁପମ ଝଙ୍କାର ।

 

ଶିହରିତ ଶରୀରକୁ ସମର୍ପଣ କରିବା ଆଗରୁ ସେପାଖରୁ କହିଲା ଅନାଥ–ଦେଇ ଯିବ ପରା କୁଆଡ଼େ । ଦଶଟା ବାଜିଗଲାଣି ଯେ ।

 

ତର ତର ହୋଇ ଉଠିବସିଲା ନୀତା । ବାହାରକୁ ବାହାରିଆସି କହିଲା ସବ୍ୟସାଚୀ–ରିକ୍ସା ଡାକ । ତମେ ଯାଅ ନୀତା । ଶୀଘ୍ର ପ୍ରସ୍ତୁତ ହୋଇଯାଅ ।

 

ସେ ତ୍ୱରିତ ପଦରେ କିଶୋର ବାବୁଙ୍କ ଘରଆଡ଼କୁ ଚାଲିଗଲା ସଜ ହେବାପାଇଁ ।

 

ଅଳ୍ପସମୟ ମଧ୍ୟରେ ଇଣ୍ଟରଭିଉ ଦବାପାଇଁ ଚାଲିଗଲା ସୁନୀତା ।

 

କାଲି ରାତିର ଅନିଦ୍ରା ହେତୁ ଅବସନ୍ନ ଲାଗୁଥିଲା ତାକୁ । ଆଉ ବିଳମ୍ବ ନକରି ସ୍ନାନ ଏବଂ ପ୍ରସାଧନ ଶେଷ କରିବା ପରେ ସାମାନ୍ୟ ଜଳଖିଆ କରି ଖଟଉପରେ ବସୁ ବସୁ କେତେବେଳେ ଶୋଇପଡ଼ିଲା ସବ୍ୟସାଚୀ ।

 

ଦିବା ନିଦ୍ରାରେ ଅଭିଭୂତ ସବ୍ୟସାଚୀର ମାନସପଟରେ ଭାସିଉଠିଲା କେତୋଟି ସଂଘାତପୂର୍ଣ୍ଣ ନାଟକର କେତୋଟି ସଂଘଟିତ ଦୃଶ୍ୟ । ସ୍ୱପ୍ନ ଦେଖିଲା ସେ ।

 

ସେ କର୍ମକ୍ଳାନ୍ତ ହୋଇ ସନ୍ଧ୍ୟାରେ ଫେରିଆସିଲା ଅଫିସରୁ । ବହୁତ କାମ । ସବୁ ଶେଷକର ଆସୁ ଆସୁ ଡେରି ହୋଇଯାଇଥିଲା । ଦେହରେ ଥିଲା ଅଜସ୍ର କ୍ଳାନ୍ତି ।

 

ତାକୁ ଅନାଇ ରହିଥିଲା ନୀତା ।

 

ତା’ର ରୁକ୍ଷ କେଶ, ଅବସନ୍ନ ମୁହଁ, ମଳିନ ଦେହ ଦେଖି ଆଖି ଛଳ ଛଳ କରି କୋମଳ ସ୍ୱରରେ ପଚାରିଲା ସେ–ଦେହ ଭଲନାହିଁ ? ବଡ଼ ଶୁଖିଲା ଦିଶୁଛ ଯେ...

 

–କାହିଁ ନା ତ । ବେଶ୍ ଭଲ ଅଛି ତ ।

 

ମୁହଁଉପରେ ହସ ଫୁଟାଇ ନିଜର ଅଜସ୍ର ଅଶାନ୍ତିକୁ ଛପାଇ ରଖି କହିଲା ସେ ।

 

–ନା । ନିଶ୍ଚୟ ହୋଇଛି କିଛି । ମତେ ଫାଙ୍କି ଦେଇପାରିବନି । କୁହ, ମୋ ରାଣ...

 

ତା’ ସାର୍ଟର ବୋତାମ ଖୋଲୁ ଖୋଲୁ ସମ୍ବେଦନ ଜଣାଇ କହିଲା ନୀତା–ମୋ ପାଇଁ ଏତେ କଷ୍ଟ ତମର । ଏଇ ଟିକକ ଦେହ । ସହିପାରିଲେ ହେଲା ।

 

ନା, ନା, ସେପରି କୁହନା ନୀତା ! ଏଇଥିରେ ଯେ ମୋର ଅଫୁରନ୍ତ ଆନନ୍ଦ ।

 

ତେବେ ଟିକେ ଭଲଲାଗୁନି ଆଜି...

 

–କାହିଁ, ମତେ କହିନ ଯେ ଏଯାଏଁ...

 

–କହିବା ପାଇଁ ସାହସ କରିନି । ଅଧିକ ବ୍ୟସ୍ତହୁଅନ୍ତ ତମେ ।

 

–ଏ କିନ୍ତୁ ଅନ୍ୟାୟ ସବ୍ୟସାଚୀ । ମୁଁ କ’ଣ ଏଡ଼େ ଅପଦାର୍ଥ ଯେ ଏସବୁ କୁହାଯାଏନା ମତେ ।

 

ତା’ ସ୍ୱରରେ ଅଭିମାନର ସ୍ପର୍ଶ ପାଇ ସ୍ୱୀକାର କଲା ସେ–ମାନୁଛି । କିନ୍ତୁ ଏତେ ଅଧିର ହେଲେ ଚଳିବ ? ଭିତରକୁ ଚାଲ ।

 

–ଟିକିଏ ବସ । ମୁଁ ଚା’ କରି ଆଣେ ।

 

ବିଜୁଳି ବେଗରେ ଚାଲିଗଲା ସୁନୀତା । ଖଟଉପରେ ବସିପଡ଼ିଲା ସବ୍ୟସାଚୀ । ଦେହଟା ତା’ର ଅବସନ୍ନ ହୋଇଆସୁଥିଲା ଅପରିସୀମା ଅବସାଦରେ । ପ୍ରାଣ ବହ୍ନି ନିସ୍ତେଜ ହୋଇଆସୁଥିଲା ।

 

ସେ କିନ୍ତୁ ମନ୍ତ୍ରମୁଗ୍ଧପରି ଅନାଇଥିଲା ନୀତାର ଯିବା ପଥକୁ । ଫୁଲ ଫୁଟାଇ ଚାଲେ ସେ-। ମଳୟର ପରଶ ନେଇ ଯିବାଆସିବା କରେ । ତା’ ପାଇଁ ଆଉଗୋଟିଏ ହୃଦୟରେ ଏତେ ଦରଦ, ଏତେ ଭଲପାଇବା କେଉଁଠାରେ ଲୁଚିରହିଥିଲା ଏତେଦିନ ଯାଏଁ ଭାବି ଭାବି ଥଳକୁଳ ନପାଇ ଅବାକ ହୋଇଗଲା ସେ ।

 

ସେ ଏତିକି ଚାହୁଁଥିଲା । ତାକୁ ଜଣେ ଆପଣାର କରିନବ । ଛୋଟ ସଂସାରର ସବୁ ସୁଖ ପାଇଁ ତା’ପାଖରେ ଅଳି କରିବା । ତା’ଉପରେ ନିର୍ଭର କରିବ ନିର୍ଭୟରେ ।

Unknown

 

ନୀତା ଏତକ ଦେଇପାରିବ ତାକୁ । ସେ ତା’ର । ଏକାନ୍ତ ନିଜର । ତାକୁ ସାମାଜିକ ବନ୍ଧନର ମହତ୍ୱ ଦେଇ ତା’ ସହିତ ଆହୁରି ଅନ୍ତରଙ୍ଗ ହେବ । ତାକୁ ସେ ବିବାହ କରିବ...

 

ବି ବା...ହ...

 

ଚମକିପଡ଼ିଲା ସବ୍ୟସାଚୀ । ଉତ୍ତପ୍ତ ଏକ ଅଗ୍ନିସ୍ରୋତ ତା’ର ଅବସନ୍ନ ସର୍ବାଙ୍ଗକୁ ବିଜୁଳି ବେଗରେ ସଂଜୀବିତ କରିଦେଇଗଲା ।

 

ସେ ବିବାହ କରିବ ନୀତାକୁ । ସଞ୍ଜମର ବାଲିବନ୍ଧ ଭାଙ୍ଗି ବା ପୂର୍ବରୁ ନିଜର କୋଳଉପରକୁ ଟାଣିଆଣି ଆଙ୍କିଦବ ଅଜସ୍ର ମଧୁବୋଳା ଚୁମ୍ବନ ।

 

–ଚା’ ନିଅ...ତା’ ଆଗରୁ ନିମିକ୍ ଗୋଟେ ଖାଇଦିଅ । ଭୋକ କରୁଥିବ...

 

କ’ଣ ସବୁ ଭାବୁଥିଲା ସବ୍ୟସାଚୀ । ଚମକିପଡ଼ି ଚାହିଁଲା ସେ । ନିମିକ୍ ଗୋଟେ ହାତରେ ଉଠାଇନବା ପାଇଁ ହାତ ବଢ଼ାଇ କିନ୍ତୁ ନିତାଇ ହାତଟିକୁ ଧରିପକାଇଲା ସେ । ସେଇଥିରେ ଚହଲିଗଲା ଚା’ କପ୍‍ଟା । ନିଜକୁ ଠିକ୍ କରି ରଖିପାରିଲା ନାହିଁ ନୀତା । ଚା’ କପ୍‍ଟିକୁ ରକ୍ଷାକରିବା ପୂର୍ବରୁ ସେ ସବ୍ୟସାଚୀର ଛାତିଉପରେ ଆଉଜି ପଡ଼ିଥିଲା । ତା’ର ଥରିଲା ଥରିଲା ଦେହଟିକୁ ପ୍ରବଳ ଆବେଗରେ ନିଷ୍ପେଷିତ କଲା ସବ୍ୟସାଚୀ । ହାତରୁ ଚା’ କପଟା ପଡ଼ିଗଲା–ଝଣ୍....ଝଣାତ୍... । ଗରମ ଚା ଗୋଡ଼ରେ ପଡ଼ିଲା ଯାଇ ।

 

–ଆଃ ! ନୀତା ଅନ୍ୟୁଚ୍ଚ ସ୍ୱରରେ କହିପକାଇଲା ।

 

–କ’ଣ ହେଲା– ? ଲାଗିଲା ?

 

କହୁ କହୁ ତାକୁ ଟେକିନେଇ ନିଜର ଛାତିଉପରେ ଜାକିଧରି ତା’ ମୁହଁରେ, ନାକରେ, କାନ ଓ କପାଳରେ ସହସ୍ର ଶିହରିତ ଚୁମ୍ବନର ଶ୍ରୀତ୍କାର ଦେଇ ଯେତେବେଳେ ଗୋଟିଏ ପରେ ଗୋଟିଏ ଅଙ୍ଗବାସ କାଢ଼ିନେଲା ସେ ପ୍ରବଳ ଅଦମ୍ୟ ଉତ୍ତେଜନାରେ, ଆଖିବୁଜି ନିଜର ନିରାଭରଣ ସର୍ବାଙ୍ଗର ଲଜ୍ୟା ଓ ଭୀରୁତାକୁ ଆଖିର ଅନ୍ତରାଳରେ ନଗ୍ନଦେହର ଉତ୍ତାପ ମଧ୍ୟରେ ଅନୁଭବର ଐଶ୍ୱର୍ଯ୍ୟକୁ ଉପଲବ୍ଧି କରୁଥିଲା ନୀତା ।

 

ତା’ର କାନେ କାନେ ପାଗଳ ପରି କହୁଥିଲା ସବ୍ୟସାଚୀ ତମକୁ ମୁଁ ଅନେକ ଅନେକ ବେଶି ଭଲପାଏ ନୀତା । ତମେ ମୋର... ଅତି ଆପଣାର । ଆମେ ଦୁଇ ନୋହୁଁ–ଏକ, ଏକାତ୍ମ ।

 

ସ୍ୱପ୍ନରେ ବିଡ଼୍ ବିଡ଼୍ କରୁଥିଲା ସବ୍ୟସାଚୀ ।

 

–କଅଣ ଗୁଡ଼ାଏ ଗପୁଛ ଯେ ?

 

ତାକୁ ହଲାଇଦେଇ କହିଲା ନୀତା । ସେ ଫେରିଆସିଥିଲା ସେତେବେଳକୁ । ଯିବାଆସିବାର ପ୍ରାୟ ଦୁଇଘଣ୍ଟା ବ୍ୟବଧାନ । ଇଣ୍ଟରଭିଉ ଶେଷ ହୋଇଯାଇଥିଲା ।

 

ସେଇ ଝାଙ୍କୁଣୀରେ ନିଦ ଭାଙ୍ଗିଗଲା ସବ୍ୟସାଚୀର, ସ୍ୱପ୍ନର ଆବେଶ କିନ୍ତୁ କଟିଗଲାନି ତା’ ସର୍ବାଙ୍ଗରୁ । ଦେହସାରା ଏକ ଅଭୂତପୂର୍ବ ସ୍ନିଗ୍ଧ, ମଧୁର, ଶିହରିତ ଅନୁଭୂତି ମୁହଁଉପରେ ଅଗ୍ନି ଉଜ୍ଜ୍ୱଳତା ଏବଂ ଆଲୋକର ପ୍ରସନ୍ନତା ଦେଖି ହତାବାକ୍ ହୋଇଗଲା ନୀତା ।

 

ଜଳୁଥିଲା ସବ୍ୟସାଚୀର ଆଖିଦୁଇଟା ।

 

ସେଇ ଅପରିଚିତ ଦୃଷ୍ଟିପଥରୁ ଅନ୍ତର ହୋଇଯିବା ପାଇଁ କହିଲା ସେ–ଶୋଇ ଶୋଇ ନିଦରେ ସ୍ୱପ୍ନ ଦେଖିଥିଲା ପରା !

 

–ସ୍ୱପ୍ନ ନୁହେଁ, ସାକାର ବାସ୍ତବତା ମୋ ଆଖିଆଗରେ ମୋତେ ବିହ୍ୱଳ କରିପକାଇଥିଲା....

 

ଧୀରେ ଧୀରେ କହିଲା ସବ୍ୟସାଚୀ ।

 

–ସ୍ୱପ୍ନ ଆଉ କେତେଦିନ ଧରି ଦେଖିବ ତମେ ? ବାସ୍ତବ ଦୁନିଆର ଏତେ ଉତ୍ତାପ, ଏତେ ଜ୍ୱାଳା ସହ୍ୟକରି ଆଉ କେତେଦିନ ଧରି ନିଜକୁ ଦଗ୍ଧ କରୁଥିବ ସେଥିରେ ।

 

କହୁ କହୁ ଭାବାବେଗରେ କହିପକାଇଲା ନୀତା ।

 

–ମୁଁ କେବଳ ଭାବୁଛି...

 

–କ’ଣ ଭାବୁଛ ?

 

–ତମ କଥା,

 

–କୁହ । ଶୁଣିବାକୁ ମନହେଉଛି,

 

–ଏଇ ବ୍ୟବଧାନ ଭାଙ୍ଗି କେବେ ଆମେ ଏକ ହୋଇପାରିବା, କେବେ ଆମର ଶ୍ୱାସ ପ୍ରଶ୍ୱାସରେ ଶୁଣାଯିବ ଗୋଟିଏ ପ୍ରାଣର କମ୍ପନ, ଆମ ଦୁହିଙ୍କ ସ୍ୱର ଏକ ହୋଇଯିବ ପୃଥିବୀର ଅଶେଷ ଶବ୍ଦ ତରଙ୍ଗରେ ।

 

ଏହି ସ୍ୱପ୍ନ ପ୍ରତିଦିନ ଦେଖେ ନୀତା । ହୁଏତ ସେଇ ସ୍ୱପ୍ନ ଆଜି ଦେଖୁଥିଲା ସବ୍ୟସାଚୀ । ଧୀରେ ଧୀରେ ତା’ର ମଥାଉପରେ ହାତ ବୁଲାଇ ତା’ର ପରମ କଲ୍ୟାଣୀୟ ନାରୀର ଆତ୍ମୀୟତା ଦେଇ କହିଲା ନୀତା–ମୁଁ ମନାକରିନି । ତମେ ଯାହା ଭଲ ଭାବିବ ସେୟା ହେବ ସବ୍ୟସାଚୀ ।

 

ଅଥଚ ତମର ନୀରବତା ଦେଖି ମୁଁ ବେଳେବେଳେ ଶଙ୍କିଯାଏ ନୀତା ! ଆଶଙ୍କା ନୁହେଁ, ଆଶା ରଖ । ସେଇ ଆଶାର ଝଲକ ପାଇଛି ଆଜି !

 

ଟିକିଏ ହସିଦେଇ କହିଲା ନୀତା !

 

–କିଛି ଶୁଭ ଖବର ?

 

–ହଁ । ଇଣ୍ଟରଭିଉ ପରେ କାମ ପାଇବାର ଆଶ୍ୱାସନା ପାଇଛି ।

 

–କାମ ପାଇଛ । କ’ଣ ଦବ କୁହ ?

 

ଖୁସିହୋଇ ତା’ଆଡ଼କୁ ଅର୍ଥପୂର୍ଣ୍ଣ ନୟନରେ ଚାହିଁ ପଚାରିଦେଲା ସବ୍ୟସାଚୀ ।

 

ନୀରବ ହୋଇଗଲା ନୀତା ଲଜ୍ୟାରେ । ଅବିର ବୋଳିଦେଲା ତା’ ମୁହଁରେ । କିଛି ଉତ୍ତର ଦେଇପାରିଲା ନାହିଁ । ଯାହା ମୁଖର ହୋଇ ଉଚ୍ଚ କଣ୍ଠରେ କହିବା ପାଇଁ ଚାହୁଁଥିଲା ତାହା କହିପାରିଲା ନାହିଁ ।

 

ନାରୀ ନୀରବ ରହେ ଯେତେବେଳେ ସେ ସବୁଠାରୁ ଅଧିକ ପୁଲକିତ ହୁଏ, ଅଧିକ ମୁକୁଳିତ ହୁଏ ।

 

ଥରିଲା ଥରିଲା ହାତର ସ୍ପର୍ଶଦେଇ ନୀତାକୁ ଆବେଗରେ ଟାଣିଆଣିଲା ସବ୍ୟସାଚୀ । ପ୍ରତିବାଦ କରିନି, ବାଧାଦେଲାନି ସେ । ତା’ର କମ୍ପିତ ଦେହଟିକୁ ଲୋଟାଇଦେଲା ସବ୍ୟସାଚୀର ପ୍ରଶସ୍ତ ବକ୍ଷଉପରେ । ପରମ ନିର୍ଭୟତାର ସହିତ ଆଶ୍ରୟଦେଲା ସବ୍ୟସାଚୀ ।

 

ମୁଦ୍ରିତ ନୟନାର ସେହି ମୁଗ୍ଧ ମୋହିତ ମୁହଁ ଏବଂ ଦେହଉପରେ ଉତ୍ତାଳ ତରଙ୍ଗର ଅଜସ୍ର ଆବେଗ ପରି ନିଜର ଉଷ୍ମ ଚୁମ୍ବନ ଅସରନ୍ତି ପ୍ରବାହ ଅଜାଡ଼ିଦେଲା ସବ୍ୟସାଚୀ ।

 

ତା’ କାନପାଖରେ ଭଙ୍ଗା ଭଙ୍ଗା କଣ୍ଠରେ କହିଲା ନୀତା–ତମେ ମୋତେ ଭଲପାଅ ?

 

ହଁ, ହଁ । କେବଳ ତୁମକୁହିଁ ଭଲପାଏ ନୀତା । କହିସାର ପରମ ପୁଲକରେ ଅନାଇଲା ନୀତାକୁ ।

 

ନୀତା ନିଜକୁ ଅକାତରେ ସମର୍ପଣ କରି ମନେ ପ୍ରାର୍ଥନା କଲା–ମତେ ସବୁ ଦେଇ ପୂର୍ଣ୍ଣ କର, ଧନ୍ୟକର, ମୁକ୍ତ କର ।

 

ଛବିଶ

 

ସବୁ ଖବର ରଖୁଥିଲେ ହିମାଂଶୁ ।

 

ପୃଥିବୀ ଯେତେବେଳେ ଶୋଇପଡ଼େ ନିଦରେ ସେତିକିବେଳେ ଚେଇଁଉଠନ୍ତି ସେ ।

 

ସେଇ ଚେଇଁଉଠିବା ତାଙ୍କ ସୌରାଚାରୀ ଜୀବନର ଧର୍ମ । ଜୈବ ଜ୍ୱଳନର ଉଜ୍ଜୀବିତ ସର୍ବାଙ୍ଗରେ ସେ ଏକ ଅପରିସୀମ ଜ୍ୱାଳା ଅନୁଭବ କରନ୍ତି । ଅନ୍ତର୍ମୁଖୀ ସେଇ ଜ୍ୱାଳା ଦେହ ଓ ମନକୁ ତାଙ୍କର ତତାଇଦିଏ ଅନ୍ଧକାରର ନଗ୍ନତାରେ । ଦେହରେ ଏତେ ଜାତି, ମନରେ ଏତେ ଉତ୍ତାପ ତାହା କ’ଣ ଆଗରୁ ଜାଣିଥିଲେ ସେ ।

 

ଯେତିକି ଜାଣୁଛନ୍ତି ସେତିକି ସବୁ ନୂଆ ନୂଆ ଲାଗୁଛି ତାଙ୍କୁ । ନୂଆ ଜାଣିବାପାଇଁ ନୂଆ ଦେଖିବା ପାଇଁ ଏକ ଉଦ୍ଦାମ ଉତ୍ସାହ ଜାଗେ ମନଭିତରେ । ସର୍ବାଙ୍ଗର ଶିର ଶିର ଶିହରଣରେ ଫଗୁଣର ଶିର ଶିର ମଳୟ ପରି କାମନାର ସୁରଭିତ କୁସୁମ ଫୁଟିଉଠେ ।

 

ଫୁଟିଉଠିଥିଲା ହିମାଂଶୁ । ତାଙ୍କର ଫୁଟିଉଠିବାରେ ଚମକିପଡ଼ି ଚାହିଁଥିଲେ ଅନ୍ୟମାନେ ବଣ୍ୟ ହରିଣୀର ଭୀତି ନେଇ ।

 

ବୀରଭୋଗ୍ୟ ବସୁନ୍ଧରା । ଯେ ବୀର ଭୋଗ କରିବ ବସୁନ୍ଧରାର ବୈଭବକୁ । ସେ ସୁପୁରୁଷ ଏବଂ ସୁପ୍ରତିଷ୍ଠିତ ସମାଜରେ । ତେବେ କହିଁକି ସେ ସଙ୍କୁଚିତ କରି ରଖିବେ ନିଜର ଲାଳସାକୁ । କାହିଁକି କୁଚ୍ଛ୍ର ସାଧନ କରିବେ ଶୃଙ୍ଖଳା ଓ ବନ୍ଧନ ମଧ୍ୟରେ । ସମ୍ଭୋଗରେ ଫୁଲଉଠିବେ ସମ୍ଭ୍ରାନ୍ତ ପଣିଆର ପ୍ରସାରଣରେ ଲୁଚିଯିବ ପରିତ୍ୟକ୍ତାର ପରାଭବ, ହଜିଯିବ ଜୀବନ ଯନ୍ତ୍ରଣା ।

 

କିନ୍ତୁ ତାହା ନିରସ୍ତ୍ର କରିବ ନାହିଁ ତାଙ୍କୁ । ସେ ଯାହା ଚାହାନ୍ତି ପାଇବେ ନିଜର ହାତମୁଠାରେ । ଉଦଯୋଗ କରି ଅର୍ଜନ କରିବେ ଇପ୍‍ସିତାକୁ ।

 

ଯାହା ଚାହିଁଥିଲେ ପାଇନଥିଲେ ବୋଲି ବିମର୍ଷ ହୋଇପଡ଼ିଥିଲେ ହିମାଂଶୁ । ଥରେ ସେ ହାରିଗଲେ । ସେଇ ଥରକ ପାଇଁ ହାରିଯିବାର ତିକ୍ତ ଅନୁଭୂତି ତାଙ୍କୁ ଅସ୍ୱାଭାବିକ ଭାବରେ ଅସହନୀୟ କରିପକାଇଥିଲା, ତାଙ୍କ ଅହଙ୍କାର ଉପରେ ଆଘାତ ହାଣିଥିଲା ।

 

ସେ ତ ପିଲା ନୁହଁନ୍ତି ଯେ ଭୁଲିଯିବେ । ଭୁଲି ପାରିନାହାନ୍ତି । ଚେଷ୍ଟା କରି ବି ପାରିନାହାନ୍ତି । ଆଉ ପାଞ୍ଚ ଜଣଙ୍କର ମୁହଁ ଦେଖି ସୁନୀତାକୁ ଭୁଲିଯାଇ ପାରିନାହାନ୍ତି । ବରଂ ଆଉ ପାଞ୍ଚଜଣକୁ ଦେଖି ତାକୁ ପାଇବାର ବାସନା ଜଳିଉଠିଛି ଅଧିକ ତୀକ୍ଷ୍ଣ ଭାବରେ; ସେଇ ସୁନୀତା କିନ୍ତୁ ଧରାନଦେଇ ଅପସରି ଯାଇଛି ।

 

ସବୁକଥା ଶୁଣିଥିଲେ ହିମାଂଶୁ । ସୁନୀତା ଯେ ସବ୍ୟସାଚୀର ନିର୍ଭୟ ଆଶ୍ରୟ ପାଇପାରିଛି ଏହା ଠିକ୍ ସମୟରେ ସେ ଜାଣିଥିଲା । ପୌରୁଷତ୍ୱ ତାଙ୍କର ପରାଜୟରେ ମ୍ଲାନ ପଡ଼ିଯାଇଥିଲା ଏତେଶୀଘ୍ର ଏପରି ଭାବରେ ଯେ, ସେ ଦୁହେଁ ଏକ ହୋଇଯିବେ ଏହା ସେ କଳ୍ପନା ବି କରିନଥିଲେ ଆଗରୁ । ଏଇଠି ବହୁତଦିନ ପରେ ଭଲକଲେ ହିମାଂଶୁ । ତାଙ୍କର ଗଣନା ଏବଂ କଳନା ଦୁଇଟି ପ୍ରାଣର ଏକ ହବାର ସଂକଳ୍ପ ଆଗରେ ଭୁଲ୍ ପ୍ରମାଣିତ ହେଲା ।

 

ଯାହାକୁ ଯେତେବେଳେ ଚାହିଁଛନ୍ତି ପାଇଛନ୍ତି ସେ । ନାରୀର କୋମଳ ଉଷ୍ଣ ତନୁର ଆଲୁଳାୟିତ ବିଳାସ ମଧ୍ୟରେ ଲୋଟାଇ ଦେଇଛନ୍ତି ନିଜକୁ । କେତେ ଆସିଛନ୍ତି ଯେପରି ଆକର୍ଷଣରେ, ଫେରିଯାଇଛନ୍ତି ସେଇପରି ଗତାନୁଗତିକାର ବେଦନା ନେଇ । ପ୍ରୟୋଜନ ପୂରଣ ହବାପରେ କେହି ରହିପାରିନାହାନ୍ତି ତାଙ୍କପାଖରେ ।

 

କରିତ୍‍କର୍ମା ହିମାଂଶୁଙ୍କର ଉଦଯୋଗ ଫଳରେ ହିମାନୀ ଷ୍ଠୁଡ଼ିଓର ଶ୍ରମିକ ଅଶାନ୍ତିର ଅବସାନ ହୋଇଛି । ଶାନ୍ତି ପାଇଛନ୍ତି ସେ ତାଙ୍କର ପ୍ରଚେଷ୍ଟାରେ । ‘ସୁରାନ୍ଧୁର’ର ଦଙ୍ଗା ମୋକଦ୍ଦମା ପ୍ରମାଣ ଅଭାବରୁ ଉଠାଇ ନିଆଯାଇଛି । ବିନିମୟରେ, ନନ୍ଦରାମ ଷ୍ଟୁଡ଼ିଓରେ ପୁଞ୍ଜି ବିନିଯୋଗ କରି ଓଡ଼ିଶାର ଚଳଚ୍ଚିତ୍ର ଜଗତରେ ହିମାନୀ ଷ୍ଟୁଡ଼ିଓକୁ ଆହୁରି ଆଗେଇ ଦେଇଛନ୍ତି ।

 

ଯେତେବେଳେ ସବୁଦିଗରେ ସଫଳତା ଆସିଛି ଠିକ୍ ସେହି ସମୟରେ ଏହି ଅପ୍ରତ୍ୟଣିତ ପରାଜୟ ମ୍ଳାମ କରି ଦେଇଗଲା ତାଙ୍କର ପୌରୁଷତ୍ୱକୁ ।

 

ପରାଜୟ ବୋଧେ ଏହିପରି ଆସେ । ଅଧିକ ଲୋଖାଥିଲା ତାଙ୍କ ଭଲ ପଟରେ । ହରି ଆଉ ଏକ ଜଟିଳ ସମ୍ୱାଦ କଥା ଜଣାଇଦେଇଗଲା ।

 

–ବନାନୀ ଅସୁସ୍ଥ ହଜୁର ।

 

ଡାକ୍ତର ଡାକିଥିଲା ?

 

–ହଁ, କିନ୍ତୁ –କିନ୍ତୁ କ’ଣ ? ଔଷଧ ଦିଅ । ଚିକିତ୍ସା କର ।

 

–ସେତିକି କରାହୋଇଛି । କିନ୍ତୁ ସମାଧାନ ହୋଇନି । ଜଟିଳତା ଦେଖାଦେଇଛି ।

 

–ପରିଷ୍କାର କରି କୁହ ।

 

–ଡାକ୍ତର ସନ୍ଦେହ କରୁଛନ୍ତି–

 

–କି ସନ୍ଦେହ କରୁଛନ୍ତି ?–କହୁଥିଲେ ବନାନୀର ଲକ୍ଷଣ ଦେଖି ବର୍ତ୍ତମାନ ସଠିକ୍ କହିବା ସମ୍ଭବ ନୁହେଁ । ତଥାପି ତାଙ୍କର ଅନୁମାନ ସେ ମା’ ହବା ପଥରେ....

 

ଚମକିପଡ଼ିଲେ ହିମାଂଶୁ । କିନ୍ତୁ ତାହା କ୍ଷଣିକ । ତାଙ୍କର ଭାବାନ୍ତର ଲକ୍ଷ୍ୟ କରିପାରିଲା ନାହିଁ ହରି । ଧୈର୍ଯ୍ୟହରା ହୋଇ ସେ କହିଲେ–ବାଜେ କଥା ।

 

ମନରୁ କିନ୍ତିୁ ଆଶଙ୍କା ଦୂର ହେଲାନାହିଁ । ପାପ କଲେ ପ୍ରାୟଶ୍ଚିତ କରିବାକୁ ହୁଏ । ତାହା କରିବାକୁ ପଛେଇଯିବେ ନାହିଁ । ଟିକିଏ ନରମ ସ୍ୱରରେ କହିଲେ ସେ–ତୁମେ ଅଧିକ କିଛି କହିନ ତ-!

 

–ନା ହଜୁର । ମୁ ତ କହିଲି ଦୁଇ ଚାରିଦିନ ଖାଇବା ପିଇବା ଓ ଶୋଇବାରେ ଗଣ୍ଡଗୋଳ ହୋଇ ପେଟ ଗରମ ହୋଇଛି । ସେଇଥିପାଇଁ ବୋଧେ ମଥା ବୁଲା, ବାନ୍ତି.....

 

–ତା’ପରେ.....

 

ତାପରେ ଆଉ କିଛି ନାହିଁ । ତା’ ବାପା ମା’ ତ ବୋକା । ଗାଁ ଲୋକ । ବଡ଼ ଆଶାକରି ଆସିଥିଲେ ଝିଅ ଅଭିନେତ୍ରୀ ହେବ ବୋଲି ।

 

–କିନ୍ତିୁ ଆଶ୍ୱାସନା ଦିଅ ସେ ଆଶା ମଉଳିଯାଇନି ।

 

–ସେକଥା କହିବାକୁ ମୁଁ ବାକିରଖିନି । ହଜୁରଙ୍କ ସୁନଜରରେ ଆସିଛି ଯେତେବେଳେ ନିଶ୍ଚୟ କୂଳରେ ଲାଗିଯିବ । କିନ୍ତୁ ଯଦି ବିପଦ ଆସେ ।

 

କୌଣସି ଉତ୍ତର ନଦେଇ ଦଣ୍ଡେ ନୀରବରେ ବସିରହିଲେ ହିମାଂଶୁ । ବିପଦ ଆସନ୍ନ ହେଲେ ବୁଦ୍ଧି ପ୍ରଖର ହୁଏ ତାଙ୍କର । ସେ ପ୍ପଷ୍ଟ ଅଥଚ ଧୀର କଣ୍ଠରେ କହିଲେ–ସେ ସେମାନଙ୍କୁ ନେଇ ତୁମେ କାଲି କଲିକତା ଚାଲିଯାଅ ହରି । ସେଠାରେ ଠିକ୍ ହୋଇଯାଇପାରିବ ।

 

–ମୁଁ ଯିବି ? ମୁଁ ଗଲେ ହଜୁରଙ୍କ ଅସୁବିଧା......

 

ମୋକଥା ମୁ ବୁଝିବି । ଯାଅ ପ୍ରସ୍ତୁତ ହୁଅ । ତୁମକୁ ତ ଜଣାଅଛି ସବୁ ।

 

–ହଁ । –ଆବଶ୍ୟକ ହେଲେ ଟ୍ରଙ୍କ କଲ୍ କରି ଜଣାଜାଏ ମତେ !

 

ହରି ପ୍ରଭୁଭକ୍ତ ଶ୍ୱାନ ପରି ମୁହଁଉପରେ କୃତଜ୍ଞତା ଫୁଟାଇ ବାହାରିଗଲା ଧୀରେ ଧୀରେ-। ତା’ଉପରେ ଅଗାଢ଼ ବିଶ୍ୱାସ ପାଇଁ ତା’ର କୃତଜ୍ଞତାଝରା ମୁହଁଉପରେ ଯେଉଁ ଖିଏ ହସ ଲାଗିରହିଥିଲା ତାହା ନିହାତି କଦର୍ଯ୍ୟ ଦିଶିଲା ତାଙ୍କୁ । ସେ ଘୃଣାରେ ମୁହଁ ଫେରାଇଲେ-

 

ମନଟା ଟିକିଏ ଦବିଯାଇଥିଲା ତାଙ୍କର । ଲମ୍ୱାହୋଇ ପଲଙ୍କଉପରେ ଶୋଇପଡ଼ିଲେ ଟିକେ । ଦୁଇପାଖରେ ଦର୍ପଣରେ ସମ୍ପୂର୍ଣ୍ଣ ଦେଖିପାରିଲେ ସେ । ଦେହ ସାମାନ୍ୟ ପୃଥୁଳ ହୋଇଛି । କାନ ପାଖରେ ବାଳ କେଇକେରା ପାଚିଗଲାଣି । ମୁହଁର ପୂର୍ବ ଦୀପ୍ତିରେ ମଳିନତା ଦେଖାଦେଇଛି ।

 

ଦେହ ସଙ୍ଗେ ସଙ୍ଗେ ତାଳ ରଖି ମନଟା ମଧ୍ୟ ଅନେକ ପରିମାଣର ନିସ୍ତେଜ ନିଃସଙ୍ଗ ହୋଇପଡ଼ିଛି । କିଛି ସମୟ ଶୋଇ ଶୋଇ ଅନ୍ୟମନସ୍କ ଭାବରେ ଦେଖିଲେ ନିଜକୁ ଓ ଭାବିଲେ ଏଣୁତେଣୁ । ତାପରେ ଉଠିବସି ଟେଲିଫୋନର ରିସିଭରଟା ଉଠାଇନେଇ ଡାଏଲ କଲେ ନମ୍ୱର ।

 

–କିଏ ନନ୍ଦରାମଜୀ କହୁଛନ୍ତି ?

 

ସେ ପାଖରୁ ଉତ୍ତର ଆସିଲା–

 

–ନା, ମୁଁ ନରହରି କହୁଛି ।

 

–ଡାକିଦିଅ ତ ନନ୍ଦରାମଜୀଙ୍କୁ । ମୁଁ ହିମାଂଶୁ ପଟ୍ଟନାୟକ କହୁଛି ।

 

–ଆଜ୍ଞା !

 

ଟିକିଏ ପରେ ସ୍ୱୟଂ ନନ୍ଦରାମଜୀ ଆସି ଟେଲିଫୋନ ଧରି କହିଲେ–ନମସ୍କାର ହିମାଂଶୁ ବାବୁ । –ନମସ୍କାର ।

 

–ସୌଭାଗ୍ୟ । ଆପଣ ମନେପକେଇଛେ ।

 

–ଜରୁରି କାମ ଅଛି ଆପଣଙ୍କ ପାଖରେ ।

 

–କୁହନ୍ତୁନା.... –ଟେଲିଫୋନରେ ଏସବୁ କୁହାଯାଏନା ।

 

ଓଃ ! ଆଚ୍ଛା, ଆଚ୍ଛା । ଆପଣ ଆସିବେ ନା ହାମେ ଯିବା ?

 

–ମୁଁ ଆସୁଛି । ଆପଣ ଅପେକ୍ଷା କରନ୍ତୁ ।

 

–ଅଭି ଆସିବେ ?

 

–ହଁ ଏଇକ୍ଷଣି ।

 

–ଆସନ୍ତୁ । ହାମେ ଇନ୍ତିଜାର କରୁଛେ ।

 

ବଡ଼ ଗାଡ଼ିଟି ଗ୍ୟାରେଜରୁ ବାହାର କରି ନିଜେ ଡ୍ରାଇଭିଂ କରି ନନ୍ଦରାମିଜୀଙ୍କ କୋଠିଆଡ଼କୁ ବାହାରିଗଲେ ହିମାଂଶୁ ।

 

ପୋର୍ଟିକୋ ପାଖରେ ତାଙ୍କୁ ଅଭ୍ୟର୍ଥନା କଲେ ନନ୍ଦରାମଜୀ ।

 

ଦୁହେଁ ଯାଇ ନିଭୃତରେ ଆଳାପ କରିବା ପାଇଁ ବସିଲେ ଡ୍ରଇଂ ରୁମରେ ।

 

–ଆଉ ଖବର କ’ଣ ? ବଡ଼ ଜରୁରୀ ବାତ ଅଛେ କହିଲେ....

 

–ହଁ, ଜରୁରୀ । ନନ୍ଦନକାନନରେ ଆପଣଙ୍କ ଗେଷ୍ଟ ହାଉସଟା ! ମୋତେ ଦିଅନ୍ତୁ ସାତଦିନ ପାଇଁ ।

 

–ସେ ତ ଆପଣଙ୍କ ଲାଏକ ରସିକ ଲୋକଙ୍କ ପାଇଁ କରିଛେ ହିମାଂଶୁ ବାବୁ ।

 

–କିନ୍ତୁ ଆପଣ ବି ଯିବାକୁହେବ ଯେ…

 

–ହଁ । ଆପଣ କହିଲେ ଅବଶ୍ୟ ଯିବା ।

 

–ଚାଲନ୍ତୁ, ସେଇଠି ନୂତନ ମୁହଁର ସନ୍ଧାନ ପାଇବେ ।

 

–ଏତେ ନୂଆ ମାଲ କାହିଁ । ସେ ପାଉଛେ ଆପଣ ।

 

–ନୂଆ ମନ ଥିଲେ ନୂଆ ମାଲର ଅଭାବ ହୁଏନା ନନ୍ଦରାମଜୀ । ଦେଖିଲେ ଆଖି ଝଲସିଯିବ ଆପଣଙ୍କର ।

 

–ଖାନଦାନ ଘରକୀ ଲଡ଼କୀ ?

 

–ହଁ ।

 

–କିନ୍ତୁ ବିପଦ ନାଇଁ ତ ହିମାଂଶୁ ବାବୁ ?

 

ମୁହଁଉପରେ ସନ୍ଦିଗ୍ଧ ଭାବ ଖେଳାଇ ପଚାରିଲେ ନନ୍ଦରାମଜୀ ।

 

–ବିପଦ ମୁଁ ସ୍ୱୀକାର କରେନା । ତାପରେ ଜାଣିଶୁଣି ମୁଁ ବିପଦ ମୁହଁକୁ ଆପଣଙ୍କୁ ଠେଲିଦେବିନି ନନ୍ଦରାମଜୀ ।

 

–ଠିକ୍ ଆଛେ । ହାମେ ଯିବ । ହୋଟେଲ ସେ ବି କୁଛ ନୟା ପାନୀ ନେଇଯିବ ।

 

ବସି ବସି ଦୁଇବନ୍ଧୁ ଆଳାପ ଆଲୋଚନା କଲେ ବହୁ ସମୟ ପର୍ଯ୍ୟନ୍ତ । ନନ୍ଦରାମଜୀ ‘ସୁରା ସିନ୍ଧ’ ସମ୍ପର୍କରେ ଅବତାରଣା କରି କହିଲେ–ହାମର ସୁରା ପରଖିବା ପାଇଁ ବୋମ୍ୱେଇ ସେ ଦୁଇଜଣ ଏକ୍ସପାର୍ଟ ଆସୁଛେ ହିମାଂଶୁ ବାବୁ ।

 

–ଆସନ୍ତୁ । ଭଲଭାବରେ ଅଭ୍ୟର୍ଥନା ଓ ଆପ୍ୟାୟନ କରନ୍ତୁ । କୌଣସି ତ୍ରୁଟି ନରହେ ଯେପରି । ନେଇଆସନ୍ତୁ ନା ନନ୍ଦକକାନନ ପାର୍ଟିକୁ ।

 

–ଅଚ୍ଚି ବାତ କହିଛେ ଆପଣ । ହାମେ ନେଇଆସିବେ ସଭିଙ୍କୁ ।

 

–କିନ୍ତୁ ଆପଣଙ୍କ ‘ସରେସିନ୍ଧୁ’ରେ ଯେଉଁ ନୂତନ ୟୁନିୟନ ମୁଣ୍ଡଟେକୁଛି ତା’ର ଖବର ରଖିଛନ୍ତି ନିଶ୍ଚୟ ।

 

ଥକ୍କା ହୋଇ ତାଙ୍କ ମୁହଁ ଚାହିଁଲେ ନନ୍ଦରାମଜୀ । ନୂଆ ୟୁନିଅନ ଆରମ୍ଭ ହେଉଛି ସୁରାସିନ୍ଧୁରେ । କାହିଁ ସେ ତ ଜାଣିନଥିଲେ ଆଜିଯାଏ । ନା, ଆଉ ହବନି । ଶିଳ୍ପର ଅଗ୍ରଗତି ହେବା ଅସମ୍ଭବ । ଆଜି ଫ୍ୟାକ୍ଟରୀ ବସିଲା ତ କାଲିଠାରୁ ୟୁନିଅନ ଆରମ୍ଭ ହେଲା । ପଅରଦିନ ଧର୍ମଘଟ ଚାଲୁହେବ । ଭାବରେ ଧନ୍ଦା ହୋଉଛନ୍ତି ଦିନରାତି । ଯେଉଁ ଦେଶବାସୀ ପାଇଁ ଏସବୁ କଲେ ସେ, ସେମାନେ ତ ଦିନେହେଲେ ବୁଝିଲେ କି ଜାଣିଲେ ନାଇଁ ତାଙ୍କର ଅନ୍ତରର ଅଭିପ୍ରାୟ ।

 

–ସବ୍ ନିମକହରାମ ଆଜ୍ଞା ! ସବ୍ ଦଗାବାଜ୍ । ଏ ଦେଶ କୈସେ ଟେକିବ ?

 

–ହଁ ସତ । ହେଲେ ଆରାମରେ ବସିରହିଲେ ଫ୍ୟାକ୍ଟରୀ ଚଲେନା ନନ୍ଦରାମଜି । ସେଥିପାଇଁ ପକ୍କା ଖେଳବାଡ଼ ହବାକୁ ହେବ ।

 

–ହାମେ ତ ପରିସାନ ହୋଇଗଲା ଆଜ୍ଞା । ଆପଣ କୁହନ୍ତୁ ହାମେ କି କରିବା ।

 

–କଅଣ ଆଉ କରିବେ । ଆମ ଶାସ୍ତ୍ର କହୁଛି ମୁଳୁ ମାଇଲେ ଯିବ ସରି, ଦେବଙ୍କ ସହ କିପାଁ କଳି ।

 

–କ’ଣ କହିଲେ ଆପଣ ?

 

–ମାନେ ଅତି ସହଜ ! ସିଏ ଏସବୁ ମୂଳରେ ତାକୁ ସମୂଳେ ଉପାଡ଼ି ପକାଇଲେ ଆଉ ପରେ ମନସ୍ତାପ କରିବାପାଇଁ ପଡ଼ିବ ନାହିଁ ।

 

ଲେକିନ ସେ ବଦତମିଜ୍ କିଏ ଆଛେ ?

 

–ସେଇଥିପାଇଁ ମୁ କହେ ଆପଣ ଏ ବିଷୟରେ ଏଇ ନିଷ୍କ୍ରିୟତା ନେଇ କାରଖାନା ଚଳାଇବେ କିପରି । କଟନ ମିଲ୍, ସୁରାସିନ୍ଧୁ ସବୁ ଗୋଟି ଗୋଟି କରି ବନ୍ଦ ହୋଇଯିବ । ବେଳହୁ ସାବଧାନ ହୁଅନ୍ତୁ ।

 

ଟିକିଏ ଅନ୍ୟମନସ୍କ ହୋଇଗଲେ ନନ୍ଦରାମଜି । ଆଶଙ୍କା ଲାଗୁଥିଲା ଏତେ କଥା ଶୁଣି । ଭାବିପାରୁଥିଲେ ନିଜେ ଏକା ଏ ସବୁର ମୁକାବିଲା କରିବେ ।

 

ଅଳ୍ପ ସମୟ ପରେ ସେ ଉଦବେଗ ପ୍ରକାଶ କରି କହିଲେ–ଉପାୟ ?

 

–ଉପାୟ ଅଛି ।

 

–ରାସ୍ତା କହିଲେ ହାମେ ନିଶ୍ଚୟ କାମ କରିବେ ଆଜ୍ଞା ।

 

–ଶ୍ରମିକ ନେତା ସବ୍ୟସାଚୀ ମହାପାତ୍ରକୁ ଚିହ୍ନନ୍ତି ।

 

–ନାମଟା ଶୁଣିଲା ପରି ମନେହଉଛେ ।

 

–ହଁ ଶୁଣିଥିବେ, ଦେଖିଥିବେ ମଧ୍ୟ । ସେଦିନ ହୋଟେଲ କ୍ୟାପିଟାଲରେ ଆପଣ ତ ତା’ ସହିତ କରମର୍ଦ୍ଦନ ବି କରିଥିଲେ ।

 

–ହଁ, ହଁ ।

 

–ଆପଣଙ୍କୁ ସେଦିନ କହୁଥିଲି ସେ ଏବଂ ଆଉ ଦୁଇଚାରିଜଣ ଟୋକା ଶ୍ରମିକ ନେତା ସାଜି ଶ୍ରମିକ ସଂଗଠନକୁ ବିପଥଗାମୀ କରୁଛନ୍ତି । ହିମାନୀ ଷ୍ଟୁଡ଼ିଓ ଗଣ୍ଡଗୋଳ ମୂଳରେ ଥିଲା ସବ୍ୟସାଚୀ । ଆଉ ଚୌଦ୍ୱାରରେ ଯେଉଁ ଗଣ୍ଡଗୋଳ ମୁଣ୍ଡ ଟେକୁଛି ସେଠାରେ ମଧ୍ୟ ତା’ର ସହଯୋଗ ଅଛି ।

 

–ଆରେ ବାବା ! ଲୋକଟା ତ ବଡ଼ ଭୟାନକ ଆଛେ ତାହେଲେ ।

 

–ନିଶ୍ଚୟ । ସେଥିପାଇଁ କହୁଛି ଆପଣ ଏହାର ବିହିତ ପ୍ରତିକାର କରନ୍ତୁ ।

 

–ଲେକିନ ହାମେ ଏକାକି କରିପାରିବେ ।

 

–ଏକା ନୁହେଁ । ମୋର ସହାୟତା ପାଇବେ । ଜଲୁମ ଶେଖକୁ ଚିହ୍ନନ୍ତି ।

 

–ସେ କିଏ ଆଛେ ହିମାଂଶୁ ବାବୁ ?

 

–ସେ କଟକର ନାମଜାଦା ଲାଠିଆଳ, ତାକୁ ବକ୍ସିସ ଦେଲେ ଏପରି କିଛି କାମ ନେହିଁ ଯାହା ତା’ର ଅସାଧ୍ୟ ।

 

–ତା’ହେଲେ ?

 

–ତା’ହେଲେ ମୁଁ କହିରଖିବି ତାକୁ । ଦିନେ ସୁବିଧା ଦେଖି–

 

–ଏତେବଡ଼ ଭୟାନକ ବାତ ଆଜ୍ଞା !

 

–ଭୟ କରନ୍ତୁ ନାହିଁ ନନ୍ଦରାମଜୀ । ସେ ଜୀବନରେ ମାରିବ ନାହିଁ । ପଙ୍ଗୁ କରିଦେଇପାରେ ।

 

–ହଁ । ଓହି ଆଚ୍ଛା ହବେ ।

 

ଦୁହେଁ ବସି ଗୋପନରେ ପରାରମର୍ଶ କଲେ ବହୁତ ସମୟ । ସନ୍ଧ୍ୟା ଯାଇ ରାତି ଆସିଲା ସରିସୃପର ବିଶ୍ୱାସହୀନତା ନେଇ । ସେଇ ଅନ୍ଧକାର ରାତ୍ରିର ବହଳତାରେ ସହସ୍ର ସହସ୍ର ସରିସୃପ ସେମାନଙ୍କର ନିଶ୍ୱାସ ପ୍ରଶ୍ୱାସରେ ବିଷ ସଞ୍ଚାରଣ କଲେ ଏହି ବିଶାଳ ପୃଥିବୀ ବକ୍ଷରେ ! ଆଦିମ ମଣିଷର ଜାନ୍ତବ କ୍ଷୁଧା ରାତ୍ରିର ଅନ୍ଧକାରରେ ଦାବାଗ୍ନି ପରି ଦାଉ ଦାଉ ଧାଇଁବୁଲିଲା ଦଗ୍ଧ କରିବା ଲାଳସାରେ !

 

ଯୁଗେ ଯୁଗେ ବଳବାନ ଦୁର୍ବଳକୁ ପୀଡ଼ନ କରିଛି । ତା’ର ଦାବି ଅସ୍ୱୀକାର କରିଛି । ଯାହା ସେ ପାଇବାପାଇଁ ଅଧିକାରୀ ସେଥିରୁ ବଞ୍ଚିତ ହୋଇଛି । ଜଣେ ନିଜର ଅଧିକାରକୁ ସାବ୍ୟସ୍ତ କରିବାକୁ ଯାଇ ଦଶଜଣର ଅଧିକାରକୁ ଦବାଇଦେଇଛି । ସେଇ ଦବାଇଦବାର ଉଦ୍ୟମ ପିପାସାରେ ମଣିଷ ଭୁଲିଯାଇଛି ଦୟା, କ୍ଷମା, ସୌହାଦ୍ର୍ୟ ।

 

ଭୁଲିଯାଇଥିଲେ ହିମାଂଶୁ ପଟ୍ଟନାୟକ ଓ ନନ୍ଦରାମ ହନୁତରାମ ଅନ୍ୟର ନାର୍ଯ୍ୟ ଦାବିକୁ ସ୍ୱୀକାର କରିବାପାଇଁ ।

 

ଏମାନଙ୍କର ଅସ୍ଥି, ମେଦ, ମଜ୍ଜା ଓ ଶୋଣିତରେ ଏକ ଅତୃପ୍ତ ବାସନା ପ୍ରବଳ ହୋଇଉଠିଲା ସେଇ ବାସନାରେ ପରିତୃପ୍ତି ପାଇଁ ପ୍ରୟୋଜନ ନାରୀ ଓ ସୁରା । ସେଇ ବାସନାରେ ବିଳାସ ପାଇଁ ଆବଶ୍ୟକ ଶିଳ୍ପ ସାମ୍ରାଜ୍ୟ । ସମ୍ପଦ ଠୁଳ କରିବାର ଅଦମ୍ୟ ଲାଳସା ସେମାନଙ୍କୁ ବ୍ୟାଘ୍ରପରି ଭୟଙ୍କର, ସର୍ପପରି ବିଶ୍ୱାସଘାତକ କରିଛି । ଏମାନଙ୍କର ସଂଖ୍ୟା ନଗଣ୍ୟ, କିନ୍ତୁ ଅସଂଖ୍ୟର କବର ଉପରେ ଏଇମାନେହିଁ ପ୍ରାସାଦ ତୋଳିଛନ୍ତି ଅନାୟାସରେ ।

 

ଏମାନଙ୍କର କ୍ଷୁଧା ଅପରିସୀମା, ତୃଷା ଅଶେଷ । ଏମାନେ ଚାହାଁନ୍ତି ମଣିଷର ଯାହା ଏକାନ୍ତ ନିଜସ୍ୱ, ଅତି ଆପଣାର ସେହି–ଦେହ, ମନ, ସ୍ନେହ ଓ ପ୍ରେମ ଅପହରଣ କରିବାପାଇଁ । ସରିସୃପର ବିଷକ୍ରିୟା ପରି ଏମାନେ ସଞ୍ଚରି ଯାଇଛନ୍ତି ସମାଜର ପ୍ରତ୍ୟେକ ସ୍ତରରେ, ଗୃହାଙ୍ଗନର ନିଭୃତ କକ୍ଷରେ, ଅନୁପମ ଅକ୍ଷତ ଅନ୍ତଃସ୍ଥଳରେ ଓ ସଂରକ୍ଷିତ ହାଡ଼ ମାଂସରେ ।

 

ଗଭୀର ରାତ୍ରିରେ ନନ୍ଦରାମଙ୍କ କୋଠିରୁ ଅଶାନ୍ତ ଦେହ ମନକୁ ଅନେକ ପରିମାଣରେ ଶାନ୍ତ କରି ବିଦାୟ ନେଲେ ହିମାଂଶୁ ।

 

ସମ୍ପଦଶାଳୀର ଅସହାୟ, ନିଃସମ୍ବଳ ବିରୁଦ୍ଧରେ ଅଭିଯାନ ଦେଖି ମଉଳିଯାଇଥିଲେ ଆକାଶର ସତ୍ୟଦ୍ରଷ୍ଟା ସପ୍ତର୍ଷି ମଣ୍ଡଳୀ, ମଉଳିପଡ଼ିଥିଲା ସପ୍ତମୀର ଚନ୍ଦ୍ରମା ।

 

ସତାଇଶ

 

ଚୌଦ୍ୱାର ଅଞ୍ଚଳକୁ ନୂତନ କର୍ମକ୍ଷେତ୍ର ଭାବରେ ବାଛିନେଇଛି ସବ୍ୟସାଚୀ । ଅଳ୍ପଦିନର ସମ୍ପର୍କ ତାକୁ ସାଂଗଠନିକ କାର୍ଯ୍ୟରେ ଉତ୍ସାହ ତଥା ଶକ୍ତି ଦେଇଛି । ସେ ପ୍ରବୀଣ ଶ୍ରମିକ ନେତାମାନଙ୍କ ସଂପର୍କରେ ଆସି ସଂଗ୍ରାମୀ ମଣିଷର ନାନା ସରଞ୍ଜାମ ଯୋଗାଡ଼ କରିଛି ।

 

ଶ୍ରମିକ ସଂଗଠନ କାର୍ଯ୍ୟରେ ଚୌଦ୍ୱାର ଯାଇଥିଲା ରବିବାର ସକାଳେ । ସଂଗଠନର ଅଗ୍ରଗତି ହେଉଛି । ସଭ୍ୟ ସଂଖ୍ୟା ବୃଦ୍ଧିପାଉଛି । ନିଷ୍ଠା, ନିଃସ୍ୱାର୍ଥପରତା ଏବଂ ସତ୍ୟତା ଉପରେ ପ୍ରତିଷ୍ଠିତ ସଂଗଠନକୁ ସୁସଂହତ ଭାବରେ ଗଢ଼ି ତୋଳିବା ପାଇଁ ସମୟ ଲାଗେ, ଯେପରି ସମୟରେ ଆବଶ୍ୟତା ହୁଏ ଗୋଟିଏ ସୁଦୃଢ଼, ସୁନ୍ଦର ସୌଧ ନିର୍ମାଣ କରିବା ପାଇଁ । ଏକା ଦିନକେ ଦିଲ୍ଲୀ ନଗରୀ ନିର୍ମାଣ ହୋଇନାହିଁ ।

 

ସବ୍ୟସାଚୀ ଦେହରେ ଓ ମନରେ କାମ କରିବାର ନୂତନ ଉତ୍ସାହ, ଉଦ୍ଦୀପନା ଅନୁଭବ କରୁଛି । ଆଶା ପଲ୍ଲବ ମୁକୁଳିତ ହେଉଛି ।

 

ତା’ର ପ୍ରଚେଷ୍ଟାରେ ଅଳ୍ପ କେଇ ସପ୍ତାହ ମଧ୍ୟରେ ସୁରାସିନ୍ଧୁ, ପ୍ଳାଷ୍ଟିକ ଫ୍ୟାକ୍ଟରୀ, କଟକ ମିଲ୍ସ ଏବଂ କଳିଙ୍ଗ କଳକବ୍ଜା କାରଖାନାରେ ଶ୍ରମିକ ସଂଗଠନ ଦୃଢ଼ ଭିତ୍ତିରେ ଗଢ଼ିଉଠୁଛି । ନିଜ କୃତିତ୍ୱ ଉପରେ ଯେତେ ନୁହେଁ, ନିଜ ଭିତରେ ଏତେ ସୁପ୍ତ ଉଦ୍ୟମ ଓ ଉଦ୍ଦୀପନା କେଉଁଠାରେ ଆଜିଯାଏ ଲୁଚି ରହିଥିଲା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଏ କିଏ ତା’ ଦେହ ମନରେ ଭରିଦେଲା ଶ୍ରମ କରିବାରେ ଏତେ ଶକ୍ତି, ସଂଗ୍ରାମ କରିବାର ଏତେ ସାହସ, ସଂଗଠନ କରିବାରେ ଏତେ ନିଷ୍ଠା-!

 

ସୁନୀତା ।

 

ହଁ । ତା’ ଜୀବନକୁ ପରିପୂର୍ଣ୍ଣ କରିବା ପାଇଁ ଆଗଭର ହୋଇ ଉଭାହୋଇଛି ସେ । ତା’ ଶୋଣିତରେ ଅଦ୍ଭୁତପୂର୍ବ ପ୍ରୋତ୍ସାହନ ଆଣି ସେ ଆସିଛି, ଯେପରି ଆସେ କଳ କଳ ନାଦ କରି ସୁନ୍ଦର, ସୁଶ୍ରୀ ସାରରମୁଖୀ ତଟିନୀ ।

 

ମନରେ କେତେ ଆଶା, କେତେ ଲକ୍ଷ୍ୟ ।

 

ଦେଖେ ସେ କେତେ ସ୍ୱପ୍ନ, କେତେ ଆଲୋକ,

 

ସେ ଆଗକୁ ଯାଉଛି ଆଶା, ଉତ୍ସାହ ନେଇ ।

 

ସେ ନିଜର ହାତମୁଠା ଟାଣ ନକରି ସମସ୍ତଙ୍କର ହାତମୁଠା ଟାଣ କରିବା ପାଇଁ ଚାହେଁ ସଂଚୟ ନକରି ସମସ୍ତ ଉପାର୍ଜନର ସମନ୍ୱିତ ବଣ୍ଟନ ଆଶା କରେ ।

 

ୟୁନିୟନ ଅଫିସରେ କାମ ସମାପ୍ତ କରି ଫେରୁଥିଲା କଟକ ।

 

ରାସ୍ତାରେ ତାକୁ ପଛରେ ପକାଇ ଆଗେଇ ଯାଉ ଯାଉ ଝଲକାଏ ଧୂଳି ଫିଙ୍ଗି ଚାଲିଗଲା ଗୋଟିଏ କଳା ମୋଟର ଗାଡ଼ି । ଲାଲ ଧୂଳିର ଝଡ଼ରେ ମୁହୂର୍ତ୍ତକ ପାଇଁ କିଛି ଦେଖିପାରିଲା ନାହିଁ ସେ । ହାତ ଶିଥିଳ ହୋଇଯାଇ ଟିକିଏ ଏପାଖ ସେପାଖ ହୋଇଗଲା ସାଇକଲଟି । ଗାଡ଼ିଭିତରୁ ଉଚ୍ଛ୍ୱସିତ ବ୍ୟଙ୍ଗହସର ପ୍ରବାହ ଭାସିଆସିଲା ।

 

ନିଜକୁ ଭାବନାମୁକ୍ତ କରି ସଞ୍ଜତ ହୋଇଗଲା ସବ୍ୟବାଚୀ । ମହାନଦୀ ପୋଲ ପାର ହୋଇ ଯୋବ୍ରାଆଡ଼କୁ ରାସ୍ତା ଧରିଥିଲା ସେ । ମହାନଦୀର ଧାରେ ଧାରେ ଲାଲ୍ ମାଟି ରାସ୍ତା । ସୂର୍ଯ୍ୟ ଧବଳେଶ୍ୱର ପଠାଉପରେ ନଇଁପଡ଼ିଥିଲେ । ରେଳପଥ ଉପରେ ଗୋଟିଏ ଡିଜେଲ ଇଂଜିନ ଚାଳିତ ମାଲଗାଡ଼ି ତୁରୀ ବଜାଇ କଟକଆଡ଼କୁ ଆଗେଇ ଆସୁଥିଲା ।

 

ନଦୀ ବକ୍ଷକୁ ଚାହିଁଲା ସବ୍ୟସାଚୀ ।

 

ସୂର୍ଯ୍ୟର ସୁନେଲି କିରଣ ଝଲମଲ କରୁଥିଲା ପାଣି ଓ ବାଲିଉପରେ ।

 

ଲାଲ ପେଣ୍ଡୁପରି ସୂର୍ଯ୍ୟ ଦେଉଥିଲେ ବୃକ୍ଷ ଶାଖାଉପରୁ ।

 

ମନୋରମ ଦୃଶ୍ୟ । ପ୍ରକୃତି ପସରା ମେଲାଇ ବସିଛି । ଦଣ୍ଡେ ଛିଡ଼ା ହୋଇଗଲା ସବ୍ୟସାଚୀ ।

 

ସାଇକଲରୁ ଓହ୍ଲାଇ ଗୋଟିଏ ଗଛଉପରେ ଭରାଦେଇ ରଖିଦେଲା ସାଇକଲ । ତାପରେ ବାଲି ପାରହୋଇ ନଦୀର ଜଳଧାରାକୁ ଛୁଇଁବସିଲା ଯାଇ ଗୋଟିଏ କୃଷ୍ଣଶୀଳା ଉପରେ । ମହାନଦୀର ଶୀତଦିନର ସ୍ୱଚ୍ଛ ଜଳରାଶି ବହିଯାଉଥିଲା ପାଦଛୁଇଁ କଳ କଳ ନାଦରେ ।

 

ପ୍ରବାହମାନ ସ୍ରୋତର ଝଙ୍କାରରେ ଜୀବନର ପ୍ରକୃତ ସଙ୍ଗୀତ ଶୁଣିପାରିଲା ସବ୍ୟସାଚୀ । ବେଗହିଁ ତ ଉନ୍ନତିର ଲକ୍ଷଣ । ଗତିହିଁ, ଜୀବନର ପ୍ରକୃତି । ଯାହାର ଗତିନାହିଁ, ସେ ଛନ୍ଦହୀନ, ନିର୍ଜୀବ ।

 

ବସି ବସି ସୂର୍ଯ୍ୟାସ୍ତ ଦେଖୁଥିଲା ସବ୍ୟସାଚୀ ।

 

ଶୀତ ପବନ ବହିଆସୁଥିଲା ନଦୀଉପରୁ ।

 

ଏପାଖର ରାସ୍ତା ଅପେକ୍ଷାକୃତ ନିର୍ଜନ । ଦ୍ୱିପ୍ରହର ପରେ ଜନଗହଳି ନ ଥାଏ କହିଲେ ଚଳେ । ଶ୍ରମିକ ବସ୍ତିର ଅପରିଚ୍ଛନ୍ନ ଅଞ୍ଚଳ । ଏଆଡ଼କୁ ଆସନ୍ତି ନାହିଁ ବେଶୀ କେହି । କେତେବେଳେ ରିକ୍ସା ଗୋଟେ ବା ଶ୍ରମିକ କେହି ଯିବାଆସିବା କରନ୍ତି ସନ୍ଧ୍ୟା ପରେ ।

 

ମୁହଁ ହାତ ଧୋଇ ରୁମାଲରେ ପୋଛି ପକାଇଲା ସେ । ପାଦ ଦୁଇଟି ବି ଧୋଇଲା ନଦୀ ଜଳରେ । ବେଶ୍ ଆରାମ ଲାଗୁଥିଲା ତାକୁ ।

 

ଗୁଣୁଗୁଣୁ ହୋଇ ଗୋଟିଏ ମନେଥିବା ପ୍ରଥମ ପଂକ୍ତିଟିକୁ ଗାଉଥିଲା ସେ ।

 

ସନ୍ଧ୍ୟା ହେଲା । ରାସ୍ତାକଡ଼ର କିରାସିନୀ ବତୀଗୁଡ଼ିକରେ ଆଲୁଅ ଜଳିଉଠିଲା । ଅଳ୍ପ ସମୟ ମଧ୍ୟରେ ନଦୀ ଧାରର ଏହି ଅଖ୍ୟାତ ପଥଟି ଅପେକ୍ଷାକୃତ ନିର୍ଜନ ମନେହେଲା ।

 

ଆକାଶର ଦେହରେ ଅଭିସାରର ଇଙ୍ଗିତ ଦେଇ ଦେଖ । ଦେଲେ ଗୋଟି ଗୋଟି ତାରକା ।

 

ପଚା, ପଳିତ ଏବଂ ଅପରିଚ୍ଛିନ୍ନ ପୃଥିବୀ ଅନ୍ଧକାରର ପଣତ ତଳେ ଅନ୍ତର୍ହିତ ହୋଇଗଲା ଚକ୍ଷୁ ସମ୍ମୁଖରୁ । ଅସମାନତାର ନିଷ୍ଠୁର ପ୍ରକାଶ ନିଭିଗଲା ସମାନତାର ସୀମାହୀନ ଅଭ୍ୟୁଦୟ ମଧ୍ୟରେ ।

 

ସନ୍ଧ୍ୟା ଅତିକ୍ରମ କରି କେତେବେଳେ ରାତି ଆସିଲା ଜାଣିପାରିଲା ନାହିଁ ସବ୍ୟସାଚୀ । ମୋହାବିଷ୍ଟ ହୋଇ ସ୍ୱପ୍ନ ଦେଖୁଥିଲା ସେ ନିଜ ଭବିଷ୍ୟତର ।

 

ତା’ର ଦାବିତ ବଡ଼ ନୁହେଁ । ସେ ଚାହେଁ ବଞ୍ଚିବା ପାଇଁ । ବଞ୍ଚିବାପାଇଁ ବାସନା ତା’ର । ଅନ୍ୟକୁ ବଞ୍ଚିତ କରି ନୁହେଁ, ଅନ୍ୟକୁ ସୁସ୍ଥ, ସମୃଦ୍ଧ, ସୁଖୀ କରି ସେ ଚାହେଁ ନିଜେ ସୁସ୍ଥ, ସବଳ, ସୁଖୀ ହେବ । ନିଜ ଦାବିର ପୂର୍ଣ୍ଣତା ପାଇଁ କାମ କଲାବେଳେ ଅନ୍ୟର ଦାବି ଏଡ଼ାଇ ଦେଇଯିବ ନାହିଁ । ଯାହାର ପ୍ରାପ୍ୟ ତାକୁ ଦବାକୁ ହେବ । ନ ଦବା ତ ଏ ଯୁଗର ସବୁଠାରୁ ବଳି ବଡ଼ ଅପରାଧ-

 

ନୀଡ଼ ରଚନା କରିବାପାଇଁ ଯେଉଁ ପ୍ରଚ୍ଛନ୍ନ ସ୍ୱପ୍ନ ଜାଗିଛି ନୀତାର ଆୟତ ନୟନର କୋମଳ ଦୃଷ୍ଟିରେ, ସେହି ସ୍ୱପ୍ନକୁ ସାର୍ଥକ କରି ସେ ଦବ ତାକୁ ଗୋଟିଏ ଛୋଟ ସଂସାର, ଯେଉଁଥିରେ ସେମାନେ ସ୍ୱୟଂ ସମ୍ପୂର୍ଣ୍ଣ ହେବେ । ଯେଉଁଠାରୁ ସେମାନେ ପାଇବେ କଣିକାଏ ଆଶା, ଚେନାଏ ହସ ଓ ମୁଠିଏ ମମତା ।

 

ଏଇ ଟିକକ ଦାବି ଏତେ ବଡ଼ ପୃଥିବୀରେ ଅପୂର୍ଣ୍ଣ ରହିଯିବ ? ଏଇ ଟିକେ ଆଶା ରହିଯିବ ମରିଚିକା ପରି ଅଳୀକ ହୋଇ ? ସେ ଚାହିଁନି ସଞ୍ଚୟ କରି ଅନ୍ୟକୁ ବଞ୍ଚିତ କରିବାପାଇଁ । ମଣିଷ ପରି ସଂଗ୍ରାମ କରି ନିଜ ସ୍ୱେଦ ଓ ଶୋଣିତ ଦ୍ୱାରା ସେ ବଞ୍ଚିବାପାଇଁ ଚାହେଁ ।

 

ଭାବୁ ଭାବୁ ନିଜଭିତରକୁ ନିରେଖି ଚାହିଁଲା ସବ୍ୟସାଚୀ । ସେ କ’ଣ ସବୁ ସ୍ୱାର୍ଥର ଊର୍ଦ୍ଧ୍ୱରେ ? ଶ୍ରଦ୍ଧା ପାଇବା ପାଇଁ ସାଧନା କରିବାକୁ ହୁଏ । ସମ୍ମାନ ଆପେ ଆପେ ଆସେ ନାହିଁ । ସେଥିପାଇଁ ନିଜକୁ ଉପଯୁକ୍ତ କରିବାକୁ ହୁଏ । ହୁଏତ ସେ ସମ୍ପୂର୍ଣ୍ଣ ଦୋଷ ଶୂନ୍ୟ ନୁହେଁ । ନୋହିଲେ ଏପରି ଲାଞ୍ଛିତ କରି ହିମାନୀ ଷ୍ଟୁଡିଓରୁ ତାକୁ ବାହାର କରିଦେଇଥାଆନ୍ତେ କାହିଁକି ?

 

ଆତ୍ମନିରୀକ୍ଷଣର ନିଦାରୁଣ ସମୀକ୍ଷା ଭିତରେ ଆତ୍ମ ପ୍ରତ୍ୟୟ ଫେରିପାଇଲା ସବ୍ୟସାଚୀ-। ପ୍ରକୋଷ୍ଠର କୋଣରେ ଆବର୍ଜନା ଲୁଚିରହେ ଯେପରି ସେଇପରି ହୁଏତ ତା’ ମନର ଅନ୍ଧିସନ୍ଧିରେ କେଉଁଠି ଲୁଚି ରହିଛି ନିଷ୍ଠାହୀନତା, ନିରୁଦ୍ୟମତା !

 

ମନେପଡ଼ିଲା ପଛରେ ପଡ଼ିଥିବା କେତୋଟି ଘଟଣା । ଉଷା ଖାନ୍ନା ସହିତ ତା’ର ସାନିଧ୍ୟ ତା’ ମନରେ ଛାଡ଼ିଯାଇଛି ଏକ ତିକ୍ତ ଅନୁଭୂତି । ତା’ ସହିତ ଅନ୍ତରଙ୍ଗ ହୋଇ ସେ କ’ଣ ଠିକ୍ କରିଥିଲା ? ଦୁଇଟି ଭିନ୍ନମୁଖୀ ପ୍ରବାହ । ସେମାନଙ୍କ ମଧ୍ୟରେ ସାମଞ୍ଜସ୍ୟ ଅପେକ୍ଷା ପାର୍ଥକ୍ୟ ଥିଲା ଅଧିକ । କିନ୍ତୁ ତାହା ସତ୍ତ୍ୱେ ସେ ତା’ ମନରେ ଆଶାର ଅଙ୍କୁରୋଦଗମ କଲା କାହିଁକି । ବ୍ୟଥିତ ହୃଦୟରେ ସ୍ତବ୍ଧ ହୋଇ ସେ ଅନୁଭବ କଲା ନିଜର ସୁପ୍ତ ଦୁର୍ବଳତା । ଉଷା ଅଲକ୍ଷ୍ୟରେ ନିଜର ଅବଚେତନ ମନରେ ଅଙ୍କୁରିତ ହୋଇଥିଲା ଏକ ଆକର୍ଷଣ ।

 

ଛି, ଛି । ଲଜ୍ୟା ଏବଂ ଗ୍ଳାନିରେ ତା’ର ଅନ୍ତର ଧିକ୍କାର କରିଉଠିଲା ।

 

ସୁନୀତା ତା’ ଜୀବନର ସିଂହଦ୍ୱାର ଖୋଲିଦେଇଛି । ସେ ତ ସମ୍ପୂର୍ଣ୍ଣ ଅଧିକାର କରିବସିଛି ତା’ ହୃଦୟ ସିଂହାସନ । ସେଥିରେ ଆଉକାହାରି ସ୍ଥାନ ହୋଇପାରେନା, ହବା ଅସମ୍ଭବ ।

 

ଅତୀତର ସ୍ମୃତିକୁ ଅପାଂକ୍ତେୟ ପରି ଫିଙ୍ଗିଦେଲା ଦୂରକୁ । ପୁଣି ନଦୀର ପ୍ରବାହିତ ଜଳପରି ସ୍ୱଚ୍ଛ, ଉପରର ସୁନୀଳ ଆକାଶ ପରି ଉଚ୍ଚ ହୋଇଗଲା ତା’ର ମନ । ସାଗର ପରି ଗଭୀର ହେଲା ତା’ର ଅନୁଭବ ।

 

ପାଣିରେ ହାତରଖି କୁଳୁ କୁଳୁ କଲା ସେ । ଥଣ୍ଡାପବନ ବହୁଥିଲା ଧୀରେ ଧୀରେ । ନଦୀର ସ୍ୱଚ୍ଛ ଧାରରେ ଝଟକିଉଠୁଥିଲେ କେତୋଟି ତାରକାର ଚକିତ, ଚିକ୍କଣ ରୂପ ।

 

ରାସ୍ତାଉପରେ କେହି ଆସୁଥିବାର ପାଦଶବ୍ଦ ଭାସିଆସିଲା ।

 

ଆଉ ଟିକେ ବସିବ ସେ । ଫେରିବାର ତାଡ଼ନା ଅଛି, କିନ୍ତୁ ମନ କହୁଛି ଆଉ ଟିକେ ବସିବା ପାଇଁ । ଲୁଚିଛପି ଜନ ଚକ୍ଷୁର ଅନ୍ତରାଳରେ ଅପେକ୍ଷାକୃତ ନିର୍ଜନତାରେ ବସି ବସି ଆତ୍ମ ପରୀକ୍ଷା କରିବାପାଇଁ ଭଲଲାଗୁଥିଲା ।

 

ହଠାତ କାହାର ଶକ୍ତହାତ ଗଳା ବେଷ୍ଟନ କଲା ତା’ର । କିନ୍ତୁ ସେ ଘୂରିପଡ଼ି ଦେଖିବା ପୂର୍ବରୁ ତା’ ମଥାଉପରେ ସଜୋରେ ଆଘାତ କଲା କିଏ । କରୁଣ ଆର୍ତ୍ତନାଦ କରି ଟଳିପଡ଼ିଲା ସବ୍ୟସାଚୀ । ସଜ୍ଞାହୀନ ସବ୍ୟସାଚୀ ଉପରେ ବିଧା, ଗୋଇଟା, ଲାଠି ମାଡ଼ଦେଇ ପ୍ରାୟ ଦୁଇମିନିଟ ମଧ୍ୟରେ ଅନ୍ଧକାର କେଉଁଆଡ଼େ ଅଦୃଶ୍ୟ ହୋଇଗଲେ ଦୁର୍ବୃତ୍ତମାନେ ।

ଘର ବାହାର, ବାହାର ଘର ହେଉଥିଲା ସୁନୀତା । ଅଧିର ହୋଇଉଠିଥିଲା ଅନାଥ । ସନ୍ଧ୍ୟା ପୂର୍ବରୁ ଫେରିବା ମଣିଷ ରାତି ଦଶଟା ସୁଦ୍ଧା ବି ଫେରିଲା ନାହିଁ । ମନେମନେ ଅଭିମାନରେ ଫାଟିପଡ଼ୁଥିଲା ସେ । ଆକୁଳ ହେଉଥିଲା ଅନ୍ତର । ଘରେ କ’ଣ କିଛି ଆକର୍ଷଣ ନାହିଁ ସବ୍ୟସାଚୀର-। ସେ କି ବୁଝେନା ତାରି ପଥ ଚାହିଁ ଦୁଇଟି ନୟନର କାତର ଦୃଷ୍ଟି ଅନାଇ ରହେ ଫେରିବା ପଥକୁ-। ତା’ହେଲେ ଜାଣିଶୁଣି କାହିଁକି ଡେରିକରେ ସେ ।

ରାତି ଅଧିକ ହେଲା । କିନ୍ତୁ ଫେରିଲା ନାହିଁ ସବ୍ୟସାଚୀ । ହୃଦୟରେ ଆଶଙ୍କା ହେଲା ସୁନୀତାର । କେତେ ପାପ ଚିନ୍ତା ମନକୁ ଆସିଲା । ସେ ଜାଣେ ସବ୍ୟସାଚୀ ସମସ୍ତଙ୍କର ପ୍ରିୟପାତ୍ର ନୁହେଁ । ମିତ୍ର ଓ ଶୁଭେଚ୍ଛୁ ତା’ର ଯଥେଷ୍ଟ । କିନ୍ତୁ ପରାକ୍ରମଶାଳୀ ଶତ୍ରୁ ଛପି ରହିଛି ତା’ ଉପରେ ଝାମ୍ପ ଦବା ପାଇଁ–ଯେପରି ନିର୍ବୀହ. ନିଃସହାୟ ପଥିକ ଉପରେ ଝାମ୍ପଦିଏ ବଣର ବାଘ, ଯେପରି ଅନ୍ଧାରରେ ଆଗେଇଆସି ଦଂଶନ କରେ ବିଶ୍ୱାସଘାତକ ବିଷଧର ।

କେହି ଆଉ ତା’ ସହିତ ବିଶ୍ୱାସଘାତକତା କରିନାହିଁ ତ !

ଅସମ୍ଭବ ନୁହେଁ । କିଏ ଯେପରି ମନଭିତରେ କହିଉଠିଲା ବାରମ୍ବାର ।

ଅସମ୍ଭବ ନୁହେଁ ।

ଏହି ପରିବ୍ୟାପ୍ତ ସଂସାରରେ ସବୁ ସମ୍ଭବ । ରାତି ଏଗାରଟା ବାଜି ବାରଟା ବାଜିଗଲା । କ୍ୟାଲେଣ୍ଡରର ଗୋଟିଏ ତାରିଖ ବାତିଲ ହୋଇଗଲା । ନୂଆ ତାରିଖ ଆସିଲା କିନ୍ତୁ ସବ୍ୟସାଚୀର ପ୍ରତ୍ୟାଗମନ ପାଦଶବ୍ଦ ଶୁଣାଗଲା ନାହିଁ ।

 

ପଥ ଚାହିଁ ଚାହିଁ ଶେଷରେ ଫେରିବାର ଆଶା ରଖି ଶୋଇପଡ଼ିଥିଲେ କିଶୋରବାବୁ, ତାଙ୍କ ସ୍ତ୍ରୀ ଓ ପିଲାମାନେ ।

 

କିନ୍ତୁ ଶୋଇପାରିନଥିଲା ସୁନୀତା । ଝରକା ଦେଇ ରହିଥିଲା ପଥଉପରକୁ ।

 

ଗୋଟାଏ ବାଜିଗଲା ।

 

ଦରଜା ଖୋଲି ସବ୍ୟସାଚୀର ବସାକୁ ଗଲା ସୁନୀତା ଏକ ପ୍ରବୋଧହୀନ ପ୍ରତ୍ୟାଶା ନେଇ । ଯଦି ଆସିଥାଏ.....

 

ଅନାଥ ଶୋଇପଡ଼ିଥିଲା ଦ୍ୱାର ଖୋଲା ରଖି । ତା’ ଅସାବଧାନତା ପାଇଁ ବିରକ୍ତି ହେଲାନାହିଁ ସୁନୀତା ! ତା’ର ଉନ୍ମୁକ୍ତ ଅନ୍ତରର ଆକୁଳତା ପରି ଖୋଲା ରହିଛି ସବ୍ୟସାଚୀର ଫେରିବା ପଥର ପ୍ରଥମ ଦ୍ୱାର । ଅନାଥକୁ ଉଠାଇଲା ନାହିଁ । ଭିତରପଟୁ ଦରଜା ବନ୍ଦକରି ବସିବା ଘରେ ବସିଲା ଯାଇ । ଟେବୁଲ ଉପରୁ ସବ୍ୟସାଚୀର ଫଟୋଟିକୁ ଉଠାଇନେଇ ହୃଦୟର ଅସରନ୍ତି ଉଚ୍ଛ୍ୱାସ ଦେଇ କିଛି ସମୟ ଜାକିଧରିଲା ସୁନୀତା ।

 

ଠକ୍...... ଠକ୍.... ଠକ୍.....

 

ଦରଜା ଉପରେ କାହାର ମୃଦୁ ଆଘାତ ଶୁଣାଗଲା ।

 

ସ୍ପନ୍ଦିତ ହୃଦୟରେ ଉଠିବସିଲା ସୁନୀତା । ଆଖିର ଉନ୍ମୁଖ ଆକୁଳତା ଫୁଟିଉଠିଲା । ଆଲୋକର ଆବେଗ ନେଇ । ଆଲୁଳାୟିତ ଭାବରେ ଆଗେଇଗଲା ସେ ଆବାହନ କରିବା ପାଇଁ ପ୍ରତିକ୍ଷିତ ପୁରୁଷକୁ ।

 

ଦେହ ପ୍ରତି ଯତ୍ନ ନାହିଁ । ଉଦାର, ସବୁଥିରେ ଉଦାସ ହେଲେ ଚଳିବ ! ଏତେ ବିଳମ୍ୱରେ କେହି ଫେରେ ଘରକୁ । ସେ ଜାଣେ ତା’ର ଉଦବେଗ । ତଥାପି କାହିଁକି ଅବହେଳା କରେ ସବ୍ୟସାଚୀ । ଅଭିମାନ ଗୁଞ୍ଜରିଉଠିଲା ଅବନତ ମନଭିତରେ, ଆଖିପତା ଓଦା ହୋଇଆସିଲା ।

 

ଠକ୍...ଠକ୍....ଠକ୍.....

 

ଆଗେଇଗଲା ସୁନୀତା । ବ୍ୟସ୍ତ ହୋଇ ପାଦ ବଢ଼ାଇଲା ସେ । କେତେ ଡେରି । ହୁଏତ ଖାଇନଥିବେ । ଶୀତ କରୁଥିବ । ଶ୍ରମ ଓ ଶାନ୍ତରେ ଅବସନ୍ନ ହୋଇପଡ଼ିଥିବେ । ସବ୍ୟସାଚୀ ଶ୍ରମକ୍ଳାନ୍ତ ଶରୀର ଦେଖିଲେ, ତା’ ମୁହଁ ଓ ଦେହରେ ସ୍ୱେଦ ଦେଖିଲେ ଉଲ୍ଲସିତ ହୁଏ ସୁନୀତ । ଏହା ହିଁ ଜୀବନର ଲକ୍ଷଣ, ସଂଗ୍ରାମୀ ଜୀବନର ପରିଚୟ ।

 

ପୌରୁଷତ୍ୱ ଭୀରୁତା ଦ୍ୱାରା ନୁହେଁ, ପରାକ୍ରମ ଦ୍ୱାରା ପ୍ରତିଷ୍ଟିତ ହୁଏ । ତା’ ସଙ୍ଗେ ସଙ୍ଗେ ଆସେ ପ୍ରତିଜ୍ଞା, ଖ୍ୟାତ ଓ ମହତ୍ୱ ।

 

ସବ୍ୟସାଚୀ ପୁରୁଷ । ପଛରେ ପଡ଼ିନଯାଇ ଆଗେଇ ଚାଲିଛି । ଝୁଣ୍ଟିପଡ଼ି ଅଟକିନଯାଇ ଉଠିପଡ଼ି ଆଗେଇ ଆସିଛି । ସ୍ୱେଦ, ଶୋଣିତ ପୋଛି ପରାଜୟ ଭିତରେ ବିଜୟର ସ୍ୱପ୍ନ ଦେଖିଛି ।

 

ଆଉ ବିଳମ୍ୱ କରିବ ନାହିଁ । ଅଭିମାନ ଭୁଲି ଆବାହନ କରିବ ତାକୁ । ଖୋଲିଦବ ବାହାରର ଦରଜା ଭିତରର ସଦା ଉନ୍ମୁକ୍ତ ପ୍ରକୋଷ୍ଟ ମଧ୍ୟରେ ପ୍ରବେଶ କରିବା ପାଇଁ ।

 

ବନ୍ଦ ଦରଜା ଖୋଲିଦେଲା ସୁନୀତା ।

 

କିନ୍ତୁ ଆଶ୍ଚର୍ଯ୍ୟ ! ସବ୍ୟସାଚୀ ତା’ ଆଗରେ ଛିଡ଼ାହୋଇଥିଲା ଜଣେ ଅଜ୍ଞାତ ପୁରୁଷ !

 

–ଆପଣ ସୁନୀତା ଦେବୀ ?

 

ଧୀର କଣ୍ଠରେ ପଚାରିଲା ଆଗନ୍ତୁକ ।

 

–ହଁ ।

 

ଭଙ୍ଗା ଭଙ୍ଗା କଣ୍ଠରେ କମ୍ପିତ ହୃଦୟର ଶଙ୍କିତ ଚାହାଣି ଢାଳି କହିଲା ସୁନୀତା ।

 

–ମୁଁ ସବ୍ୟସାଚୀ ବାବୁଙ୍କ ପାଖରୁ ଆସିଛି......

 

–ସେ କାହାନ୍ତି ? ତାଙ୍କର ତ.....

 

କଥା ଛଡ଼ାଇନେଇ କହିଲା ଆଗନ୍ତୁକ–ସେ କିମିତି ଆସିପାରନ୍ତେ କୁହନ୍ତୁ । ଆସୁ ଆସୁ ହଠାତ ଯୋବ୍ରା ପୋଲ ପାଖରେ ଟ୍ରକ୍ ଦୁର୍ଘଟଣାରେ ଆହତ ହୋଇଛନ୍ତି ।

 

–ଏଁ !

 

ଆଉ କିଛି କହିନପାରି ଅସ୍ପଷ୍ଟ ସ୍ୱରରେ ଆର୍ତ୍ତନାଦ କରିଉଠିଲା ସୁନୀତା ।

 

–ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ଥିଲି ତାଙ୍କ ସାଙ୍ଗରେ । ସେ ଆମର ନେତା । ମୁଁ ମଧ୍ୟ ଶ୍ରମିକ ୟୁନିଅନର ଜଣେ କର୍ମୀ । ଆପଣ ଯିବେ ହସ୍ପିଟାଲ ?

 

–ହଁ, ହଁ, ହଁ । ଏଇକ୍ଷଣି....

 

ମୁହୂର୍ତ୍ତେ ମାତ୍ର ଦ୍ୱିଧା ନକରି ଉଦବେଗ ଜଡ଼ିତ କଣ୍ଠରେ କହିଲା ସୁନୀତା ।

 

ମଥା ଘୂରିଗଲା ତା’ର । ଘୂରୁଥିଲା ସମଗ୍ର ପୃଥିବୀ ଚାରିପାଖରେ । ହୃଦୟରେ ତୀବ୍ର ସ୍ପନ୍ଦନ ଅବଶ କରି ଆଣୁଥିଲା ତାକୁ । ଆଶଙ୍କା ଓ ଉଦବେଗରେ ସମଗ୍ର ଅବୟବ ତା’ର ଥରୁଥିଲା ଶୀତଦିନର ରୋଗୀପରି । ବସି ରହିବାର ବେଳନାହିଁ । ବିଳମ୍ବ କରିବା ଅକ୍ଷମଣୀୟ ।

 

ସେ ଯିବ ହସ୍ପିଟାଲ ।

 

ସବ୍ୟସାଚୀ ହୁଏତ ସତୃଷ୍ଣ ନୟନରେ ପଥ ଚାହିଁଥିବ ତାରି ପ୍ରତୀକ୍ଷା କରି ।

 

ଆଘାତ ଗୁରୁତର ହୋଇଥିଲେ । ସେ ଫେରିପାଇବ ତ ତାକୁ ! ହୃଦୟ ଭିତରେ ଜାକି ରଖିଥିବା କୋହ ଶତଧାରରେ ଗଡ଼ିପଡ଼ିଲା ଆଖିରୁ ।

 

ଅନାଥ ଉଠିପଡ଼ିଥିଲା ।

 

ତାକୁ ବୁଝାଇଦେଇ ବାହାରକୁ ପାଦ ବଢ଼ାଇଲା ସୁନୀତା । ଉତ୍କଣ୍ଠାର ଆତିଶଯ୍ୟରେ ଭୁଲିଗଲା ନିଜ ବିଷୟରେ, ପାଶୋରିଗଲା ଅନ୍ତତଃ କିଶୋର ବାବୁଙ୍କ କହିଯିବା ପାଇଁ ।

 

–ଆସନ୍ତୁ । ଏଇ ଯେ ଟ୍ୟାକ୍ସି ଛିଡ଼ା ହୋଇଛି ।

 

ଅନ୍ଧକାରରେ ଗଳିର ଏକ ଧାରରେ ଛିଡ଼ାହୋଇଥିବା ଟ୍ୟାକ୍ସିକୁ ଦେଖାଇ କହିଲା ଆଗନ୍ତୁକ ।

 

–ଟ୍ୟାକ୍ସି ?

 

–ହଁ । ନହେଲେ ଅଯଥା ବିଳମ୍ବ ହେବ । ସେଇଥିପାଇଁ ଷ୍ଟାଣ୍ଡରୁ ନେଇଆସିଲି ଆସିଲାବେଳେ ।

 

ଦରଜା ଖୋଲିଦେଲା ଆଗନ୍ତୁକ । ପଛ ସିଟରେ ବସିଲା ସୁନୀତା । ଡ୍ରାଇଭର ପାଖରେ ବସିଲା ଆଗନ୍ତୁକ ଛାଡ଼ିଦେଲା ମୁହୂର୍ତ୍ତକରେ ।

 

ଟ୍ୟାକ୍ସି ଗାଡ଼ି ଚାଲିଲା ଅଙ୍କାବଙ୍କା ପଥଦେଇ । ଜୀବନର ଯାତ୍ରା ପଥ ବି ଏହିପରି ଅଙ୍କାବଙ୍କା ସିଧା ନୁହେଁ, ସରଳ ନୁହେଁ । କେତେ ପଥ, କେତେ ଉପପଥ ଉପରେ ଯାଉ ଯାଉ ଏଇଥିପାଇଁ ଥରେ ଥରେ ହଜିଯାଏ ମଣିଷ ।

 

ସାମ୍ନାକୁ ଚାହିଁଥିଲା ସୁନୀତା ।

 

ସବ୍ୟସାଚୀ ତା’ ପାଇଁ ପ୍ରତୀକ୍ଷା କରୁଥିବ । ପହଞ୍ଚିବାକ୍ଷଣି ଦେଖିବ ସେ ମନର ମଣିଷକୁ ହୃଦୟର ପ୍ରିୟତମକୁ । ନିଜର ଅଞ୍ଚଳ ଦେଇ ପୋଛିଦବ ସବ୍ୟସାଚୀର ଦେହରେ ଜମିଥିବା ଧୂଳିମଳି-। ତାକୁ ପରିବୃତ୍ତ କରି ରକ୍ଷା କରିବ ପୃଥିବୀର ଅସହନୀୟ ଉତ୍ତାପରୁ । ସହାୟତା ଦେଇ ତାକୁ ଦବ ଶକ୍ତି, ସମ୍ବେଦନ ଦ୍ୱାରା ତା’ ଜୀବନକୁ କରିବ ସମୃଦ୍ଧ । ମମତା ଦେଇ ପୋଛିଦବ ସଞ୍ଚିତ ଶାନ୍ତିର ସ୍ୱେଦବିନ୍ଦୁ ।

 

ଆଗେଇ ଚାଲିଛି ଟ୍ୟାକ୍ସି ।

 

ହସ୍ପିଟାଲର ସଦର ରାସ୍ତା ଛାଡ଼ି ମୋଡ଼ିନେଲା ଟ୍ୟାକ୍ସି ଦକ୍ଷିଣ ଦିଗକୁ ।

 

ମୋଡ଼ନେଲା ଚଳନ୍ତି ଜୀବନ ପ୍ରବାହ ।

 

ଅଠାଇଶ

 

ଯେତେବେଳେ ସଜ୍ଞା ଫେରିପାଇଲା ସବ୍ୟସାଚୀ ସେତେବେଳକୁ ରାତି ପ୍ରାୟ ଗୋଟାଏ-

 

ଅର୍ଦ୍ଧରାତ୍ରିର ନଦୀ ବକ୍ଷର ଶୀତଳତା ସର୍ବାଙ୍ଗକୁ ଥରାଇ ଦେଇଥିଲା ।

 

ରାତ୍ରିର ସେଇ ପ୍ରଶାନ୍ତ ନିସ୍ତବ୍ଧ ରୂପ ଦେଖି ସ୍ତବ୍ଧ ହୋଇଗଲା ସେ । ବହୁରୂପା ବସୁନ୍ଧରାକୁ ଗୋଟାଏ ଅନନ୍ୟ ରୂପର ଆଲେଖ୍ୟ ଦେଇଛି ରାତ୍ରି । ଚତୁର୍ଦ୍ଦିଗ ନିର୍ଜନ, ନିସ୍ତବ୍ଧ । ମହାନଦୀର ପ୍ରବାହମାନ ଜଳରାଶିର ଉଜ୍ଜ୍ୱଳ ଜଳ ତରଙ୍ଗର ଝଙ୍କାର ଭାସିଯାଇ ମିଶିଯାଉଛି ଦାବ୍ୟା ପୃଥିବୀର ଶ୍ୱାସ ପ୍ରଶ୍ୱାସରେ ।

 

ଦୂରରେ ରାସ୍ତାଉପରେ କେତୋଟି ଆଲୋକ ଅଭୟ ଦେଉଥିଲା ପଥିକକୁ ।

 

ନିସ୍ତବ୍ଧତା ଭଙ୍ଗକରି ରେଳ ପୋଲ ଉପର ଦେଇ ଗୋଟିଏ ମାଲଗାଡ଼ି ଚାଲିଗଲା କଟକଆଡ଼କୁ ।

 

ରାତ୍ରିର ତପସ୍ୟାରତ ମୋହିନୀମୂର୍ତ୍ତି ଦେଖି ମୁଗ୍ଧହେଲା ସେ । ନିର୍ବାକ ରୂପ ପୁଣି ଏତେ ସବାକ୍ ହୋଇପାରେ ଏହା କେବେ କଳ୍ପନା କରିନଥିଲା । ସେଇ ସବାକ୍ ରାତିର ନିଝୁମ୍ନିଶୂନ ଅନ୍ଧକାର ଭିତରୁ କେତେବେଳେ ବିଜୁଳି ପୋକର କେତୋଟି ଆଲୋକ କେତେବେଳେ ବା ପାଖ ପଥରର ଶିଉଳି ଲଗା ଦେହଉପରୁ କେଉଁ ପତଙ୍ଗର ବଂଶୀସ୍ୱନ ଭାସିଆସୁଥିଲା ।

 

ନିଜ ପ୍ରତି ସଜାଗ ହେବାକ୍ଷଣି ସର୍ବାଙ୍ଗରେ ଅଶେଷ ଜ୍ୱାଳା ଅନୁଭବ କଲା ସେ । ଯନ୍ତ୍ରଣାରେ ମଥା ଭାରି ହୋଇଯାଇଥିଲା । କଷ୍ଟରେ ହାତ ବୁଲାଇଲା କପାଳ ଓ ମୁହଁଉପରେ । ମନେପଡ଼ିଲା ସବୁ । ଆହତ ସେ । ହୁଏତ ରକ୍ତ ବହି ଶୁଖିଯାଇଛି । ମଥାଉପରେ ହାତବୁଲାଇ ବେଦନାରେ ଶିହରିଉଠିଲା । କ୍ଷତସ୍ଥାନରେ ଗୋଟିଏ ଆଙ୍ଗୁଳି ଲାଗିଲା ଯାଇ । ଦେହସାରା ନିଦାରୁଣ ଆଘାତର କ୍ଷତଚିହ୍ନ ସୃଷ୍ଟି ହୋଇଉଠିଲା ତା’ପାଖରେ ।

 

ଘଡ଼ିଟା ନଥିଲା ହାତରେ । ଚାହିଁଲା ସେପାଖକୁ । ସାଇକଲଟି ଦିଶୁନଥିଲା । ହୁଏତ ନେଇଯାଇଥିବେ ଦୁର୍ବୃତ୍ତମାନେ ।

 

ଭଗବାନ ବଞ୍ଚାଇଦେଲେ ତାକୁ !

 

ଗୋଟିଏ ଗଭୀର ଦୀର୍ଘନିଶ୍ୱାସ ଛାତିଭିତରୁ ବାହାରିଆସିଲା ଥରି ଥରି ।

 

ଉଠିବାପାଇଁ ଚେଷ୍ଟା କରି ପ୍ରଥମରେ କିନ୍ତୁ ଉଠିପାରିଲା ନାହିଁ ସେ । ଦେହଟା ଥରିଗଲା ନଖରୁ ଚୂଳ ପର୍ଯ୍ୟନ୍ତ । ସାହା ସମ୍ବଳ ନିସ୍ତବ୍ଧ ରାତିରେ ମିଳିବ କେଉଁଠୁ ? ଚେଷ୍ଟା କରି ବହୁ କଷ୍ଟରେ ଉଠି ବସି ଧୀରେ ଧୀରେ ଅଜସ୍ର ଯନ୍ତ୍ରଣାରେ ଦଗ୍ଧହୋଇ ଚାଲିବା ପାଇଁ ଆରମ୍ଭକଲା ସବ୍ୟସାଚୀ । ଆଉ ଟିକିଏ ଆଗକୁ ଯାଇପାରିଲେ ହୁଏତ ରିକ୍ସା ଗୋଟେ ମିଳିଯାଇପାରେ ।

 

ସବ୍ୟସାଚୀ ଏକାକୀ ଅତି କଷ୍ଟରେ ଚାଲୁ ଚାଲୁ ନିତାନ୍ତ ଅସହାୟ ମନେକଲା ନିଜକୁ । ପର ମୁହୂର୍ତ୍ତରେ ସାନ୍ତ୍ୱନା ପାଇଲା ମନରେ ସମ୍ଭାବନାମୟ ଜୀବନର ପୂର୍ଣ୍ଣ ଚିତ୍ର କଳ୍ପନା କରି ।

 

ସେ ନିଃସହାୟ ନୁହେଁ । ନୋହିଲେ କଅଣ ପାଇଥାଆନ୍ତା । ଏତେ ଲୋକଙ୍କର ସ୍ନେହ ଓ ସଦ୍ଦିଚ୍ଛା । ଏକା ନୁହେଁ ସେ । ପଥ ଅନାଇ ତା’ ପାଇଁ ଅନେକ ନହୁଅନ୍ତୁ ଅନ୍ତତଃ ଜଣେ ତ ଅପେକ୍ଷା କରି ରହେ ।

 

ତାକୁ ସାହାଯ୍ୟ କରିବା ପାଇଁ ଅମ୍ଳାନ ବଦନରେ ଅନେକ ଆଗେଇ ଆସିଛନ୍ତି । ଶୁଭାପରି ହତଭାଗିନୀ, ଉଷାପରି ଅନୁରାଗିଣୀ ତାକୁ ସୁଖି କରିବାପାଇଁ ନିଜର ଗ୍ଳାନିରେ ଆହୁତି ଦେଇଥିଲେ ନିଜକୁ । ପଥପାର୍ଶ୍ୱର ମାଇଲ ଖୁଣ୍ଟପରି ସମସ୍ତେ ତା’ ସ୍ମୃତିର ସ୍ମାରକ । ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧା ଜଣାଇଲା ସବ୍ୟସାଚୀ ।

 

ମନଟା ଉଦାସ ହୋଇଉଠୁଥିଲା ।

 

ଏଇ ରାସ୍ତାଉପରେ, ଏଇ ଆନିକଟ ନିକଟରେ କେତେ ଚାଲିଛି, କେତେ ବୁଲିଛି ସେ । ଛାତ୍ର ଜୀବନରେ ବେପରୁଆ ହୋଇ ସ୍ୱପ୍ନର ସାମୁକା ଖୋଜି ଖୋଜି କେତେ ଘୂରିବୁଲିଥିଲା ସେ । ତାପରେ ବେକାର ଜୀବନର ବିଡ଼ମ୍ବନାନେଇ ଭୋକକୁ ଅନ୍ୟପାଖରୁ ଲୁଚାଇବା ପାଇଁ କେତେଥର ଆକଣ୍ଠ ଜଳପାନ କରିଥିଲା କଲ୍ୟାଣମୟୀ ମହାନଦୀର ଏଇ ଜଳଧାରାରୁ । କେତେଥର ସୁଖ ସ୍ୱପ୍ନ ଦେଖି ବା ବେଦନା ବିଦଗ୍ଧ ହୃଦୟରେ ଶୋଇପଡ଼ିଥିଲା ନଦୀର ଏଇ ବାଲୁକାଶଯ୍ୟା ଉପରେ । କେହି ତାକୁ ମନାକରିନଥିଲେ, ଲେଉଟାଇ ଦେଇନଥିଲେ । ପବନ ପରି ସମସ୍ତେ ନିବିଡ଼ ଭାବରେ ତାକୁ ଦେଇଯାଇଛନ୍ତି ଅକୁଣ୍ଠିତ, ଅମ୍ଳାନ ବଦନରେ ।

 

ଆଜି ତେଣୁ ସେ କାହାଉପରେ ଆକ୍ରୋଶ କରିବ ନାହିଁ । ଅଭିଯୋଗ କରିବ ନାହିଁ । ଅଭିଶାପ ଦବ ନାହିଁ ଅନ୍ୟକୁ । ଯାହା ସେ ପାଇଛି କିଛି କମ୍ ନୁହେଁ, ଯାହା ନପାଇଛି ତା’ର ହିସାବ କରିପାଇବାର ଆନନ୍ଦ ଟିକକୁ ମଉଳାଇ ଦବ କାହିଁକି ।

 

ମନକୁ ଉଦାର କରି ତୋଳିଲା ସବ୍ୟସାଚୀ । ମୁକ୍ତ, ନିର୍ମୋକହୀନ, ନିରହଙ୍କାର ମନଦେଇ ସେ ବିଶ୍ୱ ଚରାଚରକୁ ପ୍ରସାରିତ ଦୃଷ୍ଟିରେ ଅନୁଭବ କରିବାପାଇଁ ଚେଷ୍ଟା କଲା ।

 

ଥକ୍କା ହୋଇ ଦଣ୍ଡେ ଛିଡ଼ାହେଲା ଗୋଟିଏ ରାସ୍ତାକଡ଼ରେ ଗଛଉପରେ ଭରାଦେଇ । ସର୍ବାଙ୍ଗ ଜ୍ୱାଳାରେ ଜର୍ଜରିତ ହେଉଥିଲା ।

 

ଏଇ ଜ୍ୱାଳା ଯେତେ ବେଶୀ ସେତେ ବେଶୀ ପ୍ରିୟ ହୋଇଉଠେ ଜୀବନ । ଜ୍ୱାଳା ନଥିବା, ଯନ୍ତ୍ରଣା ନଥିବା ଜୀବନ, ଜୀବନ ନୁହେଁ, ଯାଦୁ ଘରର ଦର୍ଶନୀୟ ଏକ ସ୍ଥାଣୁ ସତ୍ତା ମାତ୍ର ।

 

ଆକାଶର କେଉଁ ଅଖ୍ୟାତ କୋଣରେ କୋଟିଏ ଯୋଜନ ଦୂରରେ ଜଳୁଥିବା ତାରକା ଗୋଟିଏ ଖସିପଡ଼ିଲା ଆକାଶର ବକ୍ଷ ବିଦୀର୍ଣ୍ଣ କରି । ଚାହିଁ ରହିଲା ସବ୍ୟସାଚୀ ଉଲ୍‍କା ପତନର ସେଇ ଆଖି ଝଲସା ଦିଗକୁ ।

 

ଏହିପରି ବେଳେବେଳେ ମଣିଷର ସଞ୍ଚିତ ଆଶା ଛିଟିକିପଡ଼େ ମନ ଆକାଶରୁ ।

 

ପୁଣି ଅଳ୍ପ ଅଳ୍ପ ଆଗେଇଲା ସବ୍ୟସାଚୀ ।

 

ଦିନର ହାଡ଼ଭଙ୍ଗା ମେହେନତ ପରେ ରିକ୍ସାଉପରେ ଛିଣ୍ଡାକନା ଖଣ୍ଡେ ଘୋଡ଼େଇହୋଇ ଶୋଇଥିଲା ରିକ୍ସାବାଲା । ଦୟାହେଲା ମନରେ । ଉଠାଇବାପାଇଁ ଇଚ୍ଛାହେଲାନି । ଦଣ୍ଡେ ସେଇପରି ଛିଡ଼ାହୋଇ ରହିଲା ସେ ।

 

ଶୀତରେ ଥରୁଥିଲା ଲୋକଟି ।

 

–ଉଠିବୁ ଭାଇ !

 

ଯନ୍ତ୍ରଣାରେ ଧୀରେ ଧୀରେ କହିଲା ସବ୍ୟସାଚୀ ।

 

–କିଏ ସେ ?

 

ଟିକିଏ ମୋଡ଼ିହୋଇ ଛିଣ୍ଡାଲୁଗା ତଳୁ ପଚାରିଲା ରିକ୍ସାବାଲା ।

 

–ରିକ୍ସାରେ ଯିବି । ଉଠିବୁ ଭାଇ !

 

ନ ଉଠି ଆଖି ମଳି ଚାହିଁଲା ରିକ୍ସାବାଲା ।

 

–କେଉଁଠିକୁ ଯିବ ବାବୁ.... ?

 

ବିଡ଼୍ ବିଡ଼୍ କରି କହିଲା ସେ ।

 

–ମଙ୍ଗଳାବାଗ ଛକ ତଳ ମଧୁବାବୁ ଗଳି......

 

–ଏ ଶଳା ଶୀତଙ୍କ ଦାଉରେ ଆଉ କ’ଣ ଶୋଇ ହଉଛି ବାବୁ । ଚାଲ....

 

ଉଠି ବସିଲା ରିକ୍ସାବାଲା ।

 

ରିକ୍ସା ଉପରକୁ ଉଠିବାପାଇଁ ବଳ ପାଇଲା ନାହିଁ ସବ୍ୟସାଚୀର ।

 

–ବାବୁ ! ବେମାରି ହୋଇଛି ?

 

–ଦେହସାରା ଦରଦ । କ୍ଷତ ହୋଇଛି କେତେ ଜାଗାରେ । ହାଡ଼ ବି ଭାଙ୍ଗିଛି ହୁଏତ ।

 

–ଆହା !

 

ତାକୁ ଉପରକୁ ଉଠିବାପାଇଁ ସାହାଯ୍ୟ କଲା ରିକ୍ସାବାଲା ।

 

ତାପରେ ଠୁଣ୍‍ ଠୁଣ୍‍ ଘଣ୍ଟି ବଜାଇ ରିକ୍ସାଟାଣି ଆଗକୁ ଅଗ୍ରସର ହେଲା ସେ ।

 

ଦାରିଦ୍ର୍ୟର ନଗ୍ନ ପ୍ରକାଶ ପୂରି ରହିଥିଲା ତା’ ଦେହରେ । ମୁଣ୍ଡରେ ଅଲରେ ବାଳ । ମୁହଁରେ ଦାଢ଼ି । ଦେହରେ ଅଳପ ଆଭରଣ । ଖାଲି ପାଦ । ଶୀର୍ଣ୍ଣ ଦେହ !

 

ଜନାକୀର୍ଣ୍ଣ ଏଇ ପୃଥିବୀରେ ଏହି ଭାରବାହୀ ମଣିଷ ନାମକ ଜନ୍ତୁଗୁଡ଼ିକର କଥା କେହି କେବେ କ’ଣ ଶୁଣିଛି ! କେହି କି ଦରଦ ଦେଇ ଦଣ୍ଡେ ଭାବିନି ଏମାନଙ୍କର କଥା ! ଏମାନଙ୍କର ଯେ ବଞ୍ଚିବାର ଦାବି ଅଛି, ସେ କଥାର ବିଚାର ବି କେହି କରିନାହିଁ ! ଡଷ୍ଟବିନର ମଇଳା ପରି ସମାଜ କେବଳ ଏମାନଙ୍କୁ ଫିଙ୍ଗିଦେଇଛି ଦୂରକୁ । ଏମାନଙ୍କର ନାମ ନାହିଁ, ପରିଚୟ ନାହିଁ । ଏମାନେ ଏକ ନୁହଁନ୍ତି, ଅନେକ । ଏମାନଙ୍କ ମଧ୍ୟରେ ଜୀଇଁରହିଛି ଏ ଜାତିର ଜୀବନ ନାଟିକା । ଏମାନଙ୍କର ସ୍ୱେଦରେ ନିର୍ମିତ ହୋଇଛି ଏ ଦେଶର କୋଟି କୋଟି ସୌଧ । ତଥାପି ଏମାନଙ୍କ ରହିବା ପାଇଁ ଟିକିଏ ବାସନାହିଁ । ଏମାନେ ଏ ଦେଶର ସାର୍ବଭୌମ ନାଗରିକ । ଏମାନେ ଏ ଦେଶର ଲକ୍ଷ କୋଟି ରାମ, ଶ୍ୟାମ, ଯଦୁ ଓ ମଧୁ । ଏମାନେ ଅବଦୁଲା, ରହମାନ ଓ ଅଜିଜ୍ ।

 

ରିକ୍ସା ଚାଲିଥିଲା ।

 

ଗୋଟିଏ କୁଡ଼ିଆଘର ସାମ୍ନାରେ ଟିକିଏ ଅଟକିଯାଇ ବିଡ଼ି ଧରାଇଲା ରିକ୍ସାବାଲା । ତାପରେ କହିଲା–ଶୋଇଛ କି ବନା ଭାଇ ?

 

ବନା ଭାଇ ଶୋଇନଥିଲା । ସେ କୁଡ଼ିଆ ଭିତରୁ ଉତ୍ତର ଦେଲା–ମଶା ଆଉ ଶୀତଦାଉରେ ଶୋଇହେଇଛି କେଉଁଠି କହ । ଲୁଗା ଭେଦି ବିନ୍ଧୁଛନ୍ତି ମଶାଗୁଡ଼ାକ . . .ତାପରେ ଘା’ଟା ବି ଆଜି ବଡ଼ କଷ୍ଟ ଦଉଛି ଭାଇ ।

 

–ବଡ଼ ଡାକ୍ତରଖାନାକୁ ଯାଇଥିଲା ପରା ?

 

–ନା ଆଉ ଗଲି କେତେବେଳେ । ଗଲେବି ମନର କଥା କିଏ ପଚାରୁଛି କହ । ସେଦିନ ଯାଇଥିଲି ଯେ, ସାରାଦିନ ବସିବା ପରେ ଟିକିଏ କ’ଣ ମଲମ ମାରିଦେଇଥିଲେ କମ୍ପାଉଣ୍ଡର ବାବୁ ! କାଗଜ ଖଣ୍ଡେ ଦେଇ କହିଲେ ବଜାରରୁ ଔଷଧ କିଣିନବାପାଇଁ ।

 

–ଡାକ୍ତରଖାନାରେ ଏତେ ଔଷଧ !

 

ଆଶ୍ଚର୍ଯ୍ୟ ହୋଇ କହିଲା ରିକ୍ସାବାଲା ।

 

–ଆମପରି ମଳିମୁଣ୍ଡିଆଙ୍କ ପାଇଁ ସେ ସବୁ ମିଳେନାହିଁରେ ବିଶୁ । ସେଇଦିନୁ କିନ୍ତୁ ଔଷଧ କିଣାହୋଇନି । ନଅଟଙ୍କା ହେଲେ ତ ଯାଇ କିଣିବି ଭାଇ !

 

ବିଳମ୍ବ ହେଉଥିଲା ଦୁଃଖସୁଖ ସେଇଠାରେ ଶେଷ କରି ପୁଣି ରିକ୍ସା ଟାଣିବା ଆଗରୁ କହିଲା ସେ–ଯାଉଛି ବନା ଭାଇ । ସବାରି ଅଛି ।

 

–ଯା, ଯା । ଏତେ ରାତିରେ ପୁଣି ସବାରି ।

 

ବିଶ୍ୱର ରିକ୍ସା ଆଗେଇଗଲା । ପଛରେ ପଡ଼ିରହିଲା ପରିତ୍ୟକ୍ତ ବନା ନାଏକ । ପଛରେ ପଡ଼ିରହିଲେ ଏ ଦେଶର ଶତ ସହତ୍ସ ଅତି ସାଧାରଣ ମଣିଷ ।

 

ଏଇମାନଙ୍କ କଥାଭାବେ ସବ୍ୟସାଚୀ । ଦାରିଦ୍ର୍ୟର କରୁଣ ଛବି ଆଖିଆଗରେ କେତେ ଦେଖିଛି ସେ । ରିକ୍ସାବାଲା, କୁଲି, ଦିନ ମଜୁରିଆ ଓ ରାସ୍ତାକଡ଼ରେ ଦିନ କାଟୁଥିବା ସହସ୍ର ବେକାର, ପଙ୍କ, ଓ ନିବେଦମାନଙ୍କର ଚେହେରା ତା’ ମାନସପଟରେ ଛାୟାଚିତ୍ର ପରି ଭାସିଗଲା । ଏମାନଙ୍କ ପାଇଁ ସେ କରିଛି କ’ଣ ? ଏ ଜାତି କରିଛି କଣ ?

 

ତା’ ହାତମୁଠା ଆପେ ଆପେ ଟାଣି ହୋଇଗଲା । ମୁହଁଉପରେ କଠୋରତା ଦେଖଗଲା-। ତା’ର ଉଦ୍ଦେଶ୍ୟ ତା’ ସମ୍ମୁଖରେ ଆହୁରି ଅଧିକ ପ୍ରାଞ୍ଜଳ ହୋଇଉଠିଲା ।

 

ରିକ୍ସା ଥାନା ଦେଇ ଆଗେଇଯାଉଥିଲା । ଥାନାରେ ଖବରଟା ଦେଇଯିବା ପାଇଁ ମନହେଲା ସବ୍ୟସାଚୀର । ଚୋରି ହୋଇଛି ସାଇକେଲ ଓ ଘଡ଼ି । ତାପରେ ଦେହରେ ଆଘାତ । ନ କହିବାଟା ଅନ୍ୟାୟ ହବ । ପୁଣି ଭାବିଲା ସେ କହିଲେ ବା ଲାଭ କଅଣ ହବ ଯେ । ଚୋରି ଧରାପଡ଼ିବାର, ଆତତାୟୀକୁ ଦଣ୍ଡ ଦବାର କିଛି ଆଶା ଅଛି କି ?

 

ନା । ନ କହିବା ଅନ୍ୟାୟ । ସେ କହିବ ପୁଲିସକୁ । ଶାନ୍ତିଶୃଙ୍ଖଳା ରକ୍ଷା କରିବା ଯେଉଁମାନଙ୍କ କର୍ତ୍ତବ୍ୟ, ସର୍ବସାଧାରଣଙ୍କ ଜୀବନଯାତ୍ରାକୁ ଅବ୍ୟାହତ ରଖିବା ଯେଉଁମାନଙ୍କର କର୍ତ୍ତବ୍ୟ ସେମାନଙ୍କୁ ସମାଜ ବିରୋଧୀ କାର୍ଯ୍ୟକଳାପ ସମ୍ପର୍କରେ ଅବିହତ ନ କରାଇବା ଅନ୍ୟାୟ । କିନ୍ତୁ ଥାନାକୁ ଗଲେ ସଙ୍ଗେ ସଙ୍ଗେ ଘରକୁ ଫେରିବାର ଆଶା ନାହିଁ । ଡେରି ହୋଇଯିବ । ସୁନୀତା ସେଆଡ଼େ ବ୍ୟାକୁଳ ହୋଇ ହୁଏତ ଅନାଇ ଅନାଇ ଶୋଇପଡ଼ିଥିବ । ଆଶଙ୍କା କରିଥିବ ଅନାଥ, କିଶୋର ବାବୁ.... ।

 

ନା, ଆଗ ଘରକୁ ଯାଇ ତାପରେ ଥାନାକୁ ଆସି ଏତଲାଦେଇ ଡାକ୍ତରଖାନାକୁ ମଧ୍ୟ ଯିବ ।

 

ରିକ୍ସା ମଙ୍ଗଳାବାଗ ଛକର ମୋଡ଼ଉପରେ ବାଟ ଭାଙ୍ଗିଲା । ଛକଉପରେ ଶିବ ମନ୍ଦିର । ମନ୍ଦିରର ପିଣ୍ଡା ଉପରେ ଶୋଇଥିବା ଗୋଟିଏ ବୁଲା ଷଣ୍ଢ. ଦୁଇଟି କୁକୁର । ସେମାନଙ୍କ ମଝିରେ ଭିକାରି ଗୋଟିଏ ! ଅନ୍ୟପାଖରେ ଜଣେ ଖୁଁ ଖୁଁ କାଶୁଥିଲା ଶ୍ୱାସରୋଗୀ ପରି ।

 

ମଣିଷ ବଞ୍ଚିତ । ତା’ର ବଞ୍ଚିବା ଶକ୍ତି ଅଦ୍ଭୁତ । ନଖାଇ ନପିଇ ଦିନ ଦିନ ସେ ରହିପାରେ-। ଅଖାଦ୍ୟ ଖାଇ ହଜମ କରିପାରେ । ଗୋରୁ, କୁକୁର, ଛେଳିମାନଙ୍କ ଗହଣରେ ଅନେକଦିନ ସ୍ୱଚ୍ଛନ୍ଦରେ ରହିପାରେ । ଏଇ ମଣିଷମାନେ ଶୁଅନ୍ତି ଯେତେ ଜାଗନ୍ତି ତାଠାରୁ ବେଶୀ-। ଶୋଇବା ପାଇଁ ଅଏସ କରି ନିଜର ଉତ୍ତାପ ଅନ୍ୟ ସହିତ ବିନିମୟ କରିବା ପାଇଁ ବେଳ ବା ବଳ ନାହିଁ ଏମାନଙ୍କର । ଶୋଇ ଶୋଇ କରିବେ କଅଣ ? ସ୍ୱପ୍ନ ନାହିଁ, ସୋହାଗ ନାହିଁ । ଆଶା ନାହିଁ-। ଉତ୍ସାହ ନାହିଁ । କେବଳ ଏକଟଣା ଏକ ରଙ୍ଗର ଜୀବନ ।

 

ଗୋଟାଏ ଦୀର୍ଘଶ୍ୱାସ ଛାତିଭିତରୁ ବାହାରିଆସିଲା ସବ୍ୟସାଚୀର । ସେ ଦୃଢ଼ କଣ୍ଠରେ ଧୀରେ ଧୀରେ ଉଚ୍ଚାରଣ କଲା–ସେ ବଞ୍ଚିବ ନିଜ ପାଇଁ ନୁହେଁ, ଏଇମାନଙ୍କ ପାଇଁ ।

 

ସମ୍ମୁଖରେ ତା’ର ପଥ ସୁନିର୍ଦ୍ଦିଷ୍ଟ । ଦୁଃଖ, ଦୈନ୍ୟ, କାତରତା ସବୁ ଭୁଲିଯାଇ ସେ ଚଳାଇଯିବ ଆଦିମ କାଳରୁ ରିକ୍ସା ଆରମ୍ଭ ହୋଇଥିବା ମଣିଷର ଅସମପ୍ତ ଜୀବନ ସଂଗ୍ରାମ ।

 

ଘର ସାମ୍ନାରେ ରିକ୍ସା ରହିଲା । ରିକ୍ସା ରଖି ଦାମ୍ ନବାପାଇଁ ସିଧାହୋଇ ଛିଡ଼ାହେଲା ରିକ୍ସାବାଲା ।

 

ପେଣ୍ଟ ପକେଟରେ ଗୋଟିଏ କୋଣରେ ଚିପିହୋଇ ପଡ଼ିରହିଥିଲା ଗୋଟେ ଦୁଇଟଙ୍କିଆ ନୋଟ । ତା’ ହାତକୁ ବଢ଼ାଇଦେଇ ଧୀରେ ଧୀରେ ଉପରକୁ ଗଲା ସେ ।

 

–ବାବୁ. ଖୁଚୁରା ନାହିଁ ତ ମୋ ପାଖରେ ।

 

ଫେରିପଡ଼ି ତା’ ମୁହଁକୁ ଚାହିଁଲା ସବ୍ୟସାଚୀ । ତା’ପରେ କହିଲା–ଯା, ଶୋଇପଡ଼ କେଉଁଠି ଟିକିଏ । ମୁଁ ପଇସା ଫେରାଇବା ପାଇଁ କହିଛି ଯେ ତୁ ଖୁଚୁରା ଖୋଜୁଛୁ ।

 

କୃତ କୃତ୍ୟ ହୋଇଗଲା ରିକ୍ସାବାଲା । ଠୁଣ୍‍ ଠୁଣ୍‍ କରି ପୁଣି ଫେରିଲା ମଙ୍ଗଳାବାଗଆଡ଼କୁ ।

 

ହୁଏତ ବୁଲା କୁକୁର ଶୋଇଥିବା ମନ୍ଦିର ପିଣ୍ଡାର ବାକି ଖାଲି ସ୍ଥାନ ଟିକକ ଦଖଲ କରିବ ରିକ୍ସାବାଲା । କିମ୍ବା ଆଉ ଗୋଟେ ସବାରୀ ଯଦି ଜୁଟିଯାଏ ଷ୍ଟେସନ ଯିବ ପଚାଶ ପଇସା କମାଇବା ପାଇଁ ।

 

ତାରି ଯିବାପଥକୁ ନିଷ୍ପଲକ ନୟନରେ କେତୋଟି ମୁହୂର୍ତ୍ତ ଅନାଇ ରହିଲା ସବ୍ୟସାଚୀ ।

 

ବାହାରେ କାହାର କଥାବାର୍ତ୍ତା ଶୁଣି ସେତେବେଳକୁ ଉଠିବସିଥିଲା ଅନାଥ । ସବ୍ୟସାଚୀର ସ୍ୱର ବାରି ପାରି ଆନନ୍ଦରେ କବାଟ ଖୋଲିଲା ସେ ।

 

ଭିତରକୁ ଯାଇ ମୋଡ଼ଉପରେ ଧୀରେ ଧୀରେ ବସିପଡ଼ିଲା ସବ୍ୟସାଚୀ ।

 

ଆଲୋକରେ ତା’ ମଥା ଓ କପାଳଉପରେ ରକ୍ତର ଦାଗ ଦେଖି ଚିତ୍କାର କରିଉଠିଲା ଅନାଥ–ବାବୁ ! ଏତେ ରକ୍ତ ମଥାରେ !

 

–ଆଘାତ ଲାଗିଛିରେ ଅନାଥ । ତୁ ବ୍ୟସ୍ତହୁଅନା । ଦେଈ ଖୋଜୁଥିଲେ ସଂଧ୍ୟାରେ ?

 

–ଆପଣଙ୍କ ପାଇଁ ତ ରାତି ଦଶଟା ଯାଏ ଅପେକ୍ଷା କରିଥିଲେ ଦେଈ । ତାପରେ ପୁଣି ଗୋଟାକବେଳେ ଆସିଥିଲେ ଫେରିଛନ୍ତି କି ନାହିଁ ଦେଖିବାପାଇଁ ।

 

–ଗୋଟାଏ ବେଳେ ?

 

–ହଁ । ସେତେବେଳେ ଆଉଜଣେ କିଏ ଆସି କହିଲେ ଆପଣ ଆହତ ହୋଇଛନ୍ତି ଦୁର୍ଘଟଣାରେ । ସେ ତ କହିଲେ ଦେଈଙ୍କୁ ଆପଣ ଡାକ୍ତରଖାନାରେ....

 

ବିସ୍ମୟ ବିମୂଢ଼ ସବ୍ୟସାଚୀ କିଛି ବୁଝିପାରୁନଥିଲା । ଉତ୍କଣ୍ଠା ଜଡ଼ିତ କଣ୍ଠରେ କହିଲା ସେ–ତୁମମାନଙ୍କୁ ନ ଦେଖି ଡାକ୍ତରଖାନା ଯିବି କିମିତି ଅନାଥ । ସେଇଥିପାଇଁ ପରା ସିଧା ଚାଲିଆସିଛି । ରାତି ଅନେକ ହୋଇଛି ।

 

–କିନ୍ତୁ ଦେଈ ଯେ ଡାକ୍ତରଖାନା ଗଲେ ବାବୁ ।

 

–ଡାକ୍ତରଖାନା ! କାହିଁକି ? କାହା ସାଙ୍ଗରେ ? କେତେବେଳେ ?

 

ଏକାବେଳକେ ଏତେଗୁଡ଼ିଏ ପ୍ରଶ୍ନ ପଚାରିଦେଇ ଆତଙ୍କିତ ହୋଇ ଅନାଥ ମୁହଁକୁ ଅନାଇ ରହିଲା ସବ୍ୟସାଚୀ ।

 

–ପ୍ରାୟ ଦୁଇଘଣ୍ଟା ହେବ । କିଏଜଣେ ୟୁନିଅନର ଲୋକ ଆସିଥିଲା ଦେଈଙ୍କୁ ନବାପାଇଁ-। ଟ୍ୟାକସିରେ ଗଲେଣି ତା’ ସାଙ୍ଗରେ । ସେ କହିଲା ବାବୁ ଚିହ୍ନା ଲୋକ !

 

ଗୋଟି ଗୋଟି କରି ସବୁକଥା କହିଗଲା ଅନାଥ ।

 

–ମୋଟରଗାଡ଼ିର ରଙ୍ଗ ମନେଅଛି ?

 

–ହଁ କଳା ରଙ୍ଗର ।

 

ଛାତିଭିତରେ ସ୍ପନ୍ଦନ ଦୃଢ଼ତର ହେଲା । ପାଦତଳୁ ଚହଲି ଯାଉଥିଲା ପୃଥିବୀ । ମନ ପୂରିଉଠିଥିଲା ଆଶଙ୍କା ଓ ଉଦବେଗରେ । ଛାତିଭିତରେ ଅନୁଭବ କରୁଥିଲା ସେ ଯେପରି ରେଳ ଇଞ୍ଜିନର ବଡ଼ ବଡ଼ ଚକଗୁଡ଼ାକ ମାଡ଼ିମକଚି ବୁଲାଇଲା ପରି ମନେହେଲା । ଶୀତ ରାତିରେ କପାଳଉପରେ ଘର୍ମ ବିନ୍ଦୁ ଦେଖାଗଲା । ଥକ୍କାହୋଇ ମୁହୂର୍ତ୍ତେ ବସିପଡ଼ିଲା ସବ୍ୟସାଚୀ ।

 

କିନ୍ତୁ ବସି ରହିବାପାଇଁ ବେଳ ନାହିଁ । ବିଳମ୍ବ କଲେ ହୁଏତ ସବୁଦିନ ପାଇଁ ସୁନୀତା ଖସିଯିବ ତା’ ହାତରୁ ।

 

ସମସ୍ତ ଘଟଣାଟି କ୍ରମଶଃ ସ୍ପଷ୍ଟ ହୋଇଉଠିଲା ତା’ ମାନସପଟରେ । ନିଜ ଦୁର୍ଘଟଣା ସହିତ ସୁନୀତାର ରହସ୍ୟଜନକ ଅନ୍ତର୍ଦ୍ଧାନ ମଧ୍ୟରେ ଏକ ସଂପର୍କ ସହଜରେ ବାରିପାରିଲା ସେ । ଆଉ ସେଇ ସଙ୍ଗେ ସଙ୍ଗେ ସ୍ଥିର ଭାବରେ ବୁଝିପାରିଲା ସବ୍ୟସାଚୀ ଯେ, ତା’ପାଖରୁ ଚିରଦିନ ପାଇଁ ସୁନୀତାକୁ ଅନ୍ତର କରିନବା ପାଇଁ ଶେଷ ଆଘାତ ହାଣିଛି ଶତ ।

 

ସାଧାରଣତଃ ବିଚଳିତ ହୁଏନାହିଁ ସେ । ଆହତ ହୋଇ ମଧ୍ୟ ନିଜର ସମସ୍ତ ବେଦନା ସେଇକ୍ଷଣି ଭୁଲିଯାଇ କେବଳ ସୁନୀତାର ସ୍ଥିତି ଓ ନିରାପତ୍ତା ସଂପର୍କରେ ସଜାଗ ହୋଇଉଠିଲା ସେ-

 

ସୁନୀତା !

 

ବିହ୍ଵଳ ଚିତ୍ତର ଆକୁଳତାରେ ଗୁଞ୍ଜନ କରିଉଠିଲା ସବ୍ୟସାଚୀ ।

 

ତା’ ହୃଦୟ ଭିତରଟା ହାହାକାର କରିଉଠିଲା । ଦୀର୍ଘନିଶ୍ୱାସ ତା’ର ସମଗ୍ର ସତ୍ତାକୁ ଥରାଇଦେଇ ବାହାରିଆସିଲା ବାରମ୍ବାର । ସମଗ୍ର ବିଶ୍ୱାସ ଉପରେ ଆଘାତ ପାଇଲା ସେ । ଆଖି କୋଣର ସ୍ୱେଦ ପୋଛିବା ପାଇଁ ଯାଇ ସେ ଅନୁଭବ କଲା ତାହା ସ୍ୱେଦ ନୁହେଁ–ଶୋଣିତାଶ୍ରୁ ।

 

ନିରୁପାୟ ହୋଇ ବସି ନରହି ପୁଣି ଉଠିବସିଲା ସବ୍ୟସାଚୀ ।

 

ସୁନୀତାକୁ ଶତ୍ରୁ ହାତରୁ ଉଦ୍ଧାର କରିବ ।

 

ସୀତାଙ୍କୁ ରାବଣ ହାତରୁ ରକ୍ଷା କରିଥିଲେ ରାମଚନ୍ଦ୍ର ।

 

ରାତିର ସେଇ ବହଳ ଅନ୍ଧାର ଭିତରେ ସର୍ବହରା ପାଗଳ ପରି ଟଳି ଟଳି ଥାନାଆଡ଼କୁ ବାହାରିପଡ଼ିଲା ସବ୍ୟସାଚୀ ।

 

ଅନାଥର ଛୋଟ ଛୋଟ ଆଖିରୁ ଲୁହ ଝରୁଥିଲା । ଶିଶିର ଢାଳି କାନ୍ଦୁଥିଲା ରାତ୍ରୀ । ଅସହାୟ ମଣିଷର ବେଦନା ଉପଲବଧି କରି ଶିହରିଉଠୁଥିଲା ପୃଥିବୀ ।

 

ଅଣତିରିଶ

 

ନନ୍ଦରାମଜୀ ନାରୀ ଦେହରେ ଏତେ ଉଦ୍ଦାମ ଆକର୍ଷଣ ଓ ଉନ୍ମତ ଉଦ୍ଦୀପନା ଅଛି ଏହା ଆଗରୁ ଉତ୍ତାପର ଅପରିସୀମ ଉତ୍ତାଳ ଆବେଦନ ।

 

ସୁରାରେ ସ୍ୱରଦେଇ ତାଙ୍କ ସମଗ୍ର ସତ୍ତାକୁ ଏକ ନୂତନ ସମ୍ମୋହନରେ ବିହ୍ୱଳ କରି ରଖିଥିଲା ଚିତ୍ରିତା । ଦେହର ପୁଣି ଏତେ କ୍ଷୁଧା, ଏତେ ପ୍ରୟୋଜନ ! କେଉଁଠାରେ ଲୁଚି ରହିଥିଲା ଏତେ ଗୋପନ ବାସନା, କେଉଁଠାରେ ଛପି ରହିଥିଲା ଭିତରର ଏଇ ଜାନ୍ତବ କ୍ଷୁଧିତ ମଣିଷଟା । ନାରୀର ରକ୍ତମାଂସର ଦେହ ଆଜି ତାଙ୍କ ପାଖରେ ବ୍ୟାଘ୍ରର ଶିକାର ପରି ଅତି ଆଦରଣୀୟ ଓ ଅତି ଆପଣାର ।

 

ଉନ୍ମତ୍ତ ନନ୍ଦରାମଜୀ, ନନ୍ଦରାମ ହନୁତରାମ ପରିଚାଳିତ ‘ସେବା ଏବଂ ସେବା’ ଶିଳ୍ପ ସାମ୍ରାଜ୍ୟର ସମଗ୍ର ସତ୍ତା ମଧ୍ୟରେ କେବଳ ରାତ୍ରିର ସମ୍ଭୋଗକୁ ଯୁଗ ଯୁଗ ଧରି ବନ୍ଦୀ ରଖିବାପାଇଁ ବାସନା କରୁଥିଲେ ।

 

ଚିତ୍ରିତା ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଆୟତ୍ତ କରିନେଇଥିଲା । ସ୍ୱପ୍ନ ବୋଲି ଯାହା ମନେହେଉଥିଲା, ତାହା ବାସ୍ତବରେ ନଗ୍ନରୂପ ନେଇ ଅଙ୍ଗେ ଅଙ୍ଗେ ରଙ୍ଗ ବୋଳିଥିଲା ତାଙ୍କର । ଜୀବନର ଅନ୍ୱାସ୍ୱାଦିତ ସ୍ୱାଦର ଅଲଙ୍ଘନୀୟ ଆକର୍ଷଣ ଏଡ଼ିନପାରି ଚିତ୍ରିତାର ଚିକ୍କଣ ଦେହ ମୁହଁ ଲେହନ କରିବାକୁ ଲାଗିଲେ ସେ ।

 

ଉନ୍ମତ୍ତ ଜୀବନର ବିକାରଗ୍ରସ୍ତ ରାସଲୀଳାରେ ନିର୍ଜୀବ ପ୍ରକୋଷ୍ଠ ମଧ୍ୟ ପ୍ରଗଲ୍‍ଭ ହୋଇଉଠିଲା ।

ନନ୍ଦନକାନନ ପ୍ରସ୍ଫୁଟିତ ସୁମନର ବିପୁଳ, ଉଚ୍ଛ୍ୱଳା ସୁରଭି ପ୍ରାଣକୋଷର ପ୍ରତ୍ୟେକ ତରଙ୍ଗରେ ଅନୁଭବ କରୁଥିଲେ ସେ ।

ହିମାଂଶୁ ଅପେକ୍ଷା କରୁଥିଲେ ଅନ୍ୟ ଏକ କକ୍ଷରେ । ନିଶାତୁର ନୟନରେ ସମ୍ଭୋଗର ନଗ୍ନ ସ୍ୱପ୍ନ ଉଦ୍ଭାସିତ ହୋଇଉଠୁଥିଲା ।

ଅସୀମ ଆଗ୍ରହ ଓ ଅପର୍ଯ୍ୟାପ୍ତ ଲାଳସା ନେଇ ଅପେକ୍ଷା କରୁଥିଲେ ସେ । ତାଙ୍କ ସୁଖର ସୌଧକୁ ନଷ୍ଟ କରିବାପାଇଁ ଯେ, ଗୋଟିଏ ଇଟାଉପରେ ଗାର ଟାଣିଛି ତାକୁ କ୍ଷମା କରିପାରିବେ ନାହିଁ । ସେଇଥିପାଇଁ ଅକ୍ଷତ ଯୌବନର ପ୍ରତ୍ୟେକ ଅଙ୍ଗରେ ସଙ୍ଗ ସୁଖର କ୍ଷତଚିହ୍ନ ରଖିଦେଇ ନିଜ ପୌରୁଷତ୍ୱର ସ୍ୱାକ୍ଷରକୁ ବିଭାସିତ କରିବାପାଇଁ ପ୍ରୟାସ ତାଙ୍କର ।

ଅଙ୍ଗେ ଅଙ୍ଗେ ରଙ୍ଗ ଲାଗିଛି ହିମାଂଶୁଙ୍କର; କାମନାର ଉତ୍ତାଳ ତରଙ୍ଗ ଲହଡ଼ି ଭାଙ୍ଗୁଥିଲା-। ମନର ପ୍ରତ୍ୟେକ କୋଣେ ଜାଗୁଥିଲା ବାସନାର ଜ୍ୱଳନ୍ତ ବହ୍ନି । ଜୀବନଟାଯାକ ସୁରାର ସୁରଭି ଓ ନାରୀର ସମ୍ଭୋଗକୁ ମନପ୍ରାଣରେ ଆଦର କରିଆସିଛିନ୍ତି ସେ । ମୁକ୍ତ ଜୀବନରେ ମୃକ୍ତ ଭୋଗକୁ ବହୁଭାବରେ କରିଛିନ୍ତି । ତାଙ୍କ ଜୀବନର ସେଇ ବର୍ଣ୍ଣାଢ଼୍ୟ ଅନୁଭୂତି ମଧ୍ୟରେ କେବେ ମନକୁ ଏତେ ପ୍ରୟାସ, ଏତେ ପ୍ରତୀକ୍ଷା, ଏତେ ଉତ୍ତେଜନା ଅଥୟ କରିନଥିଲା ଆଗରୁ । ଆଜିର ଏଇ ଅପରିସୀମ ଆଗ୍ରହ ଭିତରେ ଲୁଚି ରହିଥିଲା ତାଙ୍କର ଆଭିଜାତ୍ୟର ଅହଙ୍କାର, ସ୍ୱୈରାଚାରୀ କଦାକାର ଜୀବନର ବିଭତ୍ସ ସ୍ୱାର୍ଥପରତା ।

ଟ୍ୟାକ୍ସି ଆସି ପହଞ୍ଚିଯାଇଥିଲା ନନ୍ଦନକାନନର ପ୍ରମୋଦ ଭବନର ପୋର୍ଟିକୋ ଉପରେ-। ପରିଚାରିକା ପାଖରୁ ସବୁ ଶୁଣି ପାଖ ପ୍ରକୋଷ୍ଠ ଭିତରକୁ ଚାଲିଗଲେ ହିମାଂଶୁ ।

ସୁନୀତା ଆହତା ସର୍ପିଣୀ ପରି ଗୋଟିଏ କୋଣରେ ଛିଡ଼ାହୋଇଥିଲା । ସେ ଅନ୍ୟଆଡ଼କୁ ମୁହଁ କରିଥିଲା ପ୍ରଜ୍ଜ୍ୱଳିତ ବହ୍ନିଶିଖାର ସଂକ୍ରମଣ କରି । ତା’ର ଘନଘନ ଶ୍ୱାସପ୍ରଶ୍ୱାସର ଝଂକାର ବେଶ୍‍ ଶୁଣିପାରିଲେ ହିମାଂଶୁ । ।

ନୀଳାଭଲୋକିକ ରୁଦ୍ଧ ପ୍ରକୋଷ୍ଠ ମଧ୍ୟରେ ନୀଳ ବସନା ସୁନ୍ଦରୀକୁ ଦେଖି ଦେହରେ ସହସ୍ର ବିଜୁଳିର ଆବେଗ ଅନୁଭବ କଲେ ସେ । ମନେକଲେ, ସେ ଯେପରି ଅନନ୍ତକାଳ ଧରି ଏହି ଅନୁପମାର ଅପେକ୍ଷାରେ ବସି ରହିଥିଲେ ।

–ବସ

ନରମ ସ୍ୱରରେ ଅନୁରୋଧ କଲେ ହିମାଂଶୁ ।

କୌଣସି ଉତ୍ତର ନଦେଇ ବା ନବସି ସେଇପରି ଛିଡ଼ାହୋଇ ରହିଲା ସୁନୀତା ।

ତା’ଆଡ଼କୁ ଏକ ପାହୁଣ୍ଡ ଆଗେଇଆସି ପୁଣି କହିଲେ ସେ–ବସ । କଥା ଅଛି ।

କଥା ନକହି ତାଙ୍ଗଆଡ଼କୁ ଚାହିଁଲା ମୁହୂର୍ତ୍ତେ ସୁନୀତା ଆଗରେ ହିମାଂଶୁଙ୍କୁ ଦେଖି ଅବାକ ହୋଇଗଲା ସେ ।

ଚକ୍ରାନ୍ତ, ଚକ୍ରାନ୍ତ, । ଖାଲି ଚକ୍ରାନ୍ତ ।

ଶ୍ୱାସ ପ୍ରଶ୍ୱାସ ସହିତ ସମଗ୍ର ଅବୟବ ଥରିଉଠିଲା ସୁନୀତାର ।

–ମୁଁ ତମର ଅପରିଚିତ ନୁହେଁ ସୁନୀତା । ମୁଁ ତମର ଶୁଭାକାଙ୍‍କ୍ଷୀ ! ବସ । ପ୍ରକୃତିସ୍ଥ ହୁଅ ।

ଆଉ ନିର୍ବାକ ନିସ୍ପନ୍ଦ ଭାବରେ ଛିଡ଼ା ହୋଇପାରିଲା ନାହିଁ ସେ । ଫେରି ପଡ଼ି ତାଙ୍କ ମୁହଁକୁ ସିଧାସଳଖ ଚାହିଁ ଦାନ୍ତ ଚାପି ବ୍ୟଙ୍ଗୋକ୍ତି କଲାଭଳି ଉଚ୍ଚାରଣ କଲା ସୁନୀତା–ଶୁ.... ଭା..... କା..... ଙ଼କ୍ଷୀ !

ଇତଃସ୍ତତ ନ ହୋଇ ଆରମ୍ଭ କଲେ ହିମାଂଶୁ–ତମକୁ ସେଦିନ ବି କହିଥିଲେ, ତମର ପ୍ରତିଭା ଅଛି । ତମେ ସୁନ୍ଦରୀ...–ସଟ୍ଅପ୍ୟୁ ସଇତାନ୍.....

ବନ୍ଧୁକର ଗୁଳିପରି ମୁହଁରୁ ବାହାରିଗଲା ସୁନୀତାର । ଥରୁଥିଲା ସେ କ୍ରୋଧରେ ।

ତା’ଆଡ଼କୁ ଦୁଇପାଦ ପୁଣି ଅଗ୍ରସର ହେଲେ ହିମାଂଶୁ । ସଙ୍କଟ ଏହିପରି ଅଗ୍ରସର ହୁଏ-। ଏହିପରି ଆଖିଆଗରେ ଅଗ୍ରସର ହୁଏ ସନ୍ଧିକ୍ଷଣ ।

ସଙ୍କଟ କାଳରେ ସଙ୍କଟ ତାରଣୀ ଉପାୟ ଭାବି ସ୍ଥିର କରିବାପାଇଁ ଆପ୍ରାଣ ଚେଷ୍ଟା କରୁଥିଲା ସେ । ସିଂହ ଗୁହାରେ ପାଦଦେଇ ବିନା ରକ୍ତକ୍ଷଣରେ ସେ ଯେ, ସହଜରେ ଚାଲିଯାଇପାରିବ, ଏ ବିଶ୍ୱାସ କ୍ରମଶଃ ମନରୁ ଅନ୍ତନିର୍ହିତ ହୋଇଯାଉଥିଲା । ନିଜକୁ ତାହେଲେ କ୍ଷୁଧିତ ସିଂହପାଖରୁ ରକ୍ଷା କରିପାରିବ ନାହିଁ ସେ । ପଶୁରାଜ ଥରେ ରକ୍ତପାନ କଲେ ଉନ୍ମତ୍ତହୁଏ ଅଧିକ ପାଇଁ । ଏକାଧିକ ଦେହର ଅସରନ୍ତି ରକ୍ତମାଂସ ଯାହାର ଦନ୍ତ ଓ ଜିହ୍ୱାକୁ ଦେଇଛି ଉନ୍ମତ୍ତ ଅନୁଭବ; ସେ କଅଣ ତା’ ସମ୍ମୁଖରେ ଜନ କୋଳାହଳର ବହୁ ଦୂରରେ ନିଶିର ସଂକ୍ରମିତ ଲାଳସାପୂର୍ଣ୍ଣ ଏକ ସୂନ୍ଦରୀ, ଶୋଭାବତୀକୁ ଅକ୍ଷତ ଭାବରେ ଛାଡ଼ିଦେଇ ଫେରିଯିବ ନିଜର ଗୁହାକୁ-। ଭାବୁ ଭାବୁ ଆତଙ୍କରେ ଶିହରିଉଠିଲା ସୁନୀତା ।

ସୁରାର ସୁରଭି ବସି ବୁଲୁଥିଲା ପ୍ରକୋଷ୍ଠ ଭିତରେ ।

ମଦର ଉତ୍କଟ ଗନ୍ଧ ବେଶ୍ ଅନୁମାନ କରିପାରୁଥିଲା ସେ ।

ସେଇ ଉତ୍ତେଜନାରେ ଟିକେ ଟିକେ ଟଳୁଥିଲେ ହିମାଂଶୁ ।

ତାକୁ ମୁହାଁମୁହିଁ ତାଙ୍କଆଡ଼କୁ ଚାହିଁ ଛିଡ଼ା ଥିବାର ଦେଖି ପୁଲକିତ ଚିତ୍ତରେ କହିପକାଇଲେ ସେ–ବାଃ ଚମତ୍କାର ! ଏଇ ପୋକଟା ସତରେ ଆକର୍ଷଣୀୟ ନୀତା ।

–ମୁଁ କିନ୍ତୁ ଏହା ଆପଣଙ୍କ ପାଖରୁ ଆଶା କରିନଥିଲି ହିମାଂଶୁ ବାବୁ.....

ମଥାନତ କରି ରକ୍ଷା ପାଇବା ପାଇଁ ଅନୁନୟ କଲା ଅରକ୍ଷଣୀୟ ।

ତା’ ସ୍ୱରର ଲାଳିତ, କମ୍ପନରେ ଯାଦୁ ଥିଲା ଯେପରି । ତା’ ପାଖକୁ ଆଗେଇଆସି କହିଲେ ସେ–ତୁମେ ଭୁଲ୍ ବୁଝନା । ତମର ସର୍ବନାଶ କରିବାପାଇଁ ଏଠାକୁ ନେଇଆସିନି ତମକୁ । ଇଚ୍ଛାକଲେ ତମେ ସୂଖୀ ହେବ, ସର୍ବମୟ କର୍ତ୍ତୀ ମଧ୍ୟ ହୋଇପାର......

 

–ସତେ ! ମୋ ପ୍ରତି ଏତେ ଦରଦ ଆପଣଙ୍କର !

 

ସହିନପାରି ପୁଣି ଶାଣିତ ସ୍ୱରରେ କହିଲା ସୁନୀତା ।

 

କିନ୍ତୁ ରାଗକୁ ଅନୁରାଗ ମନେକଲେ ହିମାଂଶୁ ।

 

–ଏଇ ଦରଦ ଟିକକ ହିଁ ତୁମ ପାଇଁ ମୁଁ ସଞ୍ଚୟ କରି ରଖିଚି ନୀତା ।

 

ଟଳିଟଳି ପାଖେଇ ଆସୁଥିଲେ ହିମାଂଶୁ । ଉତ୍କଟ ମଦର ଗନ୍ଧ ଝରିପଡ଼ୁଥିଲା ତାଙ୍କ ମୁହଁରୁ ।

 

ସଙ୍କୁଚିତ ହୋଇ ପଛେଇଗଲା ସୁନୀତା । ନିରୁପାୟ ସେ । ଅସହାୟା, ଅର–କ୍ଷଣୀୟା । ରକ୍ଷା ପାଇବାର ଉପାୟ ରାତ୍ରିର ଅନ୍ଧକାର ପରି ନୀରବରେ ବସି ରହିଥିଲା କେଉଁଠାରେ ।

 

ଉପାୟ ଚିନ୍ତା କରୁଥିଲା ସୁନୀତା ।

 

ସବ୍ୟସାଚୀର ଆବର୍ତ୍ତମାନରେ ତା’ ପ୍ରତି ତା’ର ଅନୁରାଗର ପୂର୍ଣ୍ଣ ବ୍ୟବହାର କରି ପ୍ରତାରିତ କରି ରାତ୍ରିର ନିଘଞ୍ଚ ଅନ୍ଧକାର ମଧ୍ୟରେ ଏତେ ଦୂରକୁ ନେଇଆସିଥିଲେ ତାକୁ । ମଣିଷ ଏତେ ନିଷ୍ଠୁର, ଏଡ଼େ ଅସୁନ୍ଦର ହୋଇପାରେ !

 

ନନ୍ଦନକାନନର ଅପେକ୍ଷାକୃତ ଗୋଟିଏ ନିରୋଳା ସ୍ଥାନରେ ନନ୍ଦରାମଜୀଙ୍କ ପ୍ରମୋଦ ଭବନ ‘ଆନନ୍ଦ ଶ୍ରମ’ । ପ୍ରାୟ ପାଞ୍ଚବର୍ଷ ହେଲା ତୋଳିଛନ୍ତି ସେ ଏହି କୋଠା । ବିଜୁଳି ଆଲୁଅ, କଳପାଣିର ସ୍ୱତନ୍ତ୍ର ବ୍ୟବସ୍ଥା ଅଛି । ଛୋଟ ବଡ଼ ହୋଇ ଏହି ଦ୍ୱିତଳ ପ୍ରାସାଦରେ ପ୍ରାୟ ସତରଟି କୋଠରୀ । ଚାକରମାନଙ୍କ ପାଇଁ ରହିଛି ଆବଶ୍ୟକୀୟ ବାସସ୍ଥାନ । ପାହାଡ଼ ତଳୁ ଅଙ୍କାବଙ୍କା ପଥ ଦେଇ ଉଠିଆସିଛି ସଡ଼କ । ମଝିରେ ମଝିରେ ଗଣ୍ୟମାନ୍ୟ ଅତିଥିମାନଙ୍କୁ ଆପ୍ୟାୟିତ କରନ୍ତି ନନ୍ଦରାମଜୀ ଏଇ ‘ଆନନ୍ଦାଶ୍ରମ’ରେ ।

 

ଭିତରେ ନୀଳ ଆଲୋକର ସ୍ତିମିତ ରେଖା ବାହାରେ ନିରନ୍ଧ୍ର ଅନ୍ଧକାର । ମନେ ମନେ ବେଶ୍ ବିଚଳିତ, ବିବ୍ରତ ହୋଇପଡ଼ିଲା ସୁନୀତା । ଆଉ ବୋଧେ ସେ ରକ୍ଷା ପାଇପାରିବ ନାହିଁ । ବିଶ୍ୱାସଘାତକ ବିଷଧର ସର୍ପ ପଦେ ପଦେ ଆଗେଇଆସୁଥିଲା ତାକୁ ଦଂଶନ କରିବା ପାଇଁ ।

 

ଆଖିଦୁଇଟି ଜଳୁଥିଲା ହିମାଂଶୁଙ୍କର । ସେ ଜ୍ୱଳନ ଏତେ ତୀବ୍ର, ଏତେ ଅସହନୀୟ ଓ ଭୟଙ୍କର ହୋଇପାରେ ଆଗରୁ କେବେ ଭାବିନଥିଲା ସେ ।

 

ଅନନ୍ୟୋପାୟ ହୋଇ ଆତ୍ମରକ୍ଷାର ଉପାୟ ଖୋଜୁ ଖୋଜୁ ନିବେଦନ କଲା ସେ ଏତେବଡ଼ ଆପଣ । ଅଥଚ ମୋ ପାଇଁ ଏତେ ଛୋଟ ହୋଇଯିବେ ।

 

କହିଦେଇ ତାଙ୍କର ଜ୍ୱଳନ୍ତ ଆଖିର କ୍ଷୁଧିତ ଦୃଷ୍ଟିପଥରୁ ନିଜର ବକ୍ଷକୁ ଉହଡ଼ କରିବାପାଇଁ ବେକପାଖରେ ଖୋଲା ଅଂଶକୁ ପଣତରେ ଆବୃତ୍ତ କଲା ସୁନୀତା ।

 

ଶୁଣି ଖୁସିହେଲେ ହିମାଂଶୁ । ତା’ ମୁହଁରୁ ପଦେ ଶୁଣିବା ପାଇଁ ଭଲଲାଗେ ତାଙ୍କୁ । ନାରୀ ଚରିତ୍ର ବୁଝନ୍ତି ସେ । ସମସ୍ତେ ସେଇ ଗୋଟିଏ ପଥର ଭିକାରୁଣୀ । ତା’ ମନକୁ ଉଲ୍ଲସିତ କରିବା ପାଇଁ କହିଲେ ସେ–ଏହି ଛୋଟ ହୋଇଯିବାରେ ଯଦି ଏତେ ଆନନ୍ଦ, ତେବେ ତମେ ଆଉ ମୁଁ ପଛେଇଯିବା କାହିଁକି । ଭୟ ନାହିଁ, ଭ୍ରାନ୍ତ ନାହିଁ । ତମେ ମୋତେ ପାଇବ, ମୁଁ ପାଇବି ତମକୁ । ଆଉ ତମର ଅଙ୍ଗେ ଅଙ୍ଗେ ଅନୁରାଗର ସରାଗ ବୋଳି ମୁଁ କରିବି ମଉଛବ.... । ତମେ ପାଇବ ଅସରନ୍ତି ଆନନ୍ଦ ।

 

–ସତେ ! ଏତେ ସ୍ୱପ୍ନ ସାର୍ଥକ ହବ ମୋର ।

 

ଅଭିପ୍ରାୟ ଗୋପନ କରି ନିବେଦନ କଲା ସୁନୀତା ।

 

–କାହିଁକି ନହେବ ? ତମେ ଚାହିଁଲେ ସବୁ ସମ୍ଭବ ନୀତା । ତମେ ରାଜିହୁଅ । ତମର ପାଦ ଧୋଇବା ପାଇଁ ଗଙ୍ଗାକୁ ମଧ୍ୟ ତମ ପାଦତଳ ବୁଝାଇ ଦେଇପାରିବି ।

 

–ଆପଣ ପାରିବେ । ମାନୁଛି । ଏତେବଡ଼ ପ୍ରତିପତ୍ତିଶାଳୀ ଧନୀ, ମାନୀ, ଗୁଣୀ ଆପଣ......ଏତିକି ପାରନ୍ତେନି !

 

କହୁଥିଲା କିଛି ଗୋଟେ କହି ସମୟ ଟାଳିବା ପାଇଁ । କିନ୍ତୁ ଛାତିଭିତରେ ଅଜଣା ଭୀତିର କ୍ରମଶଃ ତା’ର ସର୍ବାଙ୍ଗକୁ ଶିଥିଳ କରିଆଣୁଥିଲା ।

 

ହିମାଂଶୁ ହଠାତ୍ତାର ଗୋଟିଏ ହାତକୁ ଧରିପକାଇ ଏକ ଗାଢ଼ ଚୁମ୍ବନ ହାତ ପାପୁଲି ଉପରେ ଆଙ୍କି ଦଉ ଦଉ ସଜୋରେ ତା’ର ନରମ ପାପୁଲି ଉପରେ ଦାଗ ବସାଇଦେଲେ ।

 

ଘୃଣା ଓ ବେଦନାରେ ଚିତ୍କାର କରି ଦୁଇ ପାହୁଣ୍ଡ ପଛକୁ ଘୁଞ୍ଚିଗଲା ସୁନୀତା ।

 

ଦୁଇହାତ ଖୋଲି ତାକୁ ଆଲିଙ୍ଗନ କରିବା ପାଇଁ ଆଗେଇଆସିଲେ ହିମାଂଶୁ । ପଥ ନାହିଁ ।

 

ରୁଦ୍ଧ କକ୍ଷ ମଧ୍ୟରୁ ଅପସରି ଯିବାପାଇଁ ପଥ ନାହିଁ ଆଲୋକର କିନ୍ତୁ ଅନ୍ଧକାରକୁ ଭେଦ କରି ନିଜର ପ୍ରତିଷ୍ଠା ପାଇଁ ଅନନ୍ତକାଳ ଧରି ଆୟାସ କରିଆସିଛି ଆଲୋକ ।

 

ଶେଷ ରକ୍ଷାପାଇଁ ମୁହୂର୍ତ୍ତକ ପାଇଁ ଦେହ ଓ ମନର ସମସ୍ତ ଶକ୍ତି ସଞ୍ଚୟ କରି ଆଖିପିଛୁଳାକେ ପାଖ ଟେବୁଲ ଉପରୁ ଫୁଲଦାନିଟା ଉଠାଇନେଇ ତାଙ୍କ ମୁହଁଉପରକୁ ଫିଙ୍ଗିଦେଲା ସୁନୀତା । ଲକ୍ଷ୍ୟ ଏକାବେଳକେ ଠିକ୍ ନହେଲେ ମଧ୍ୟ ଡାହାଣ ଆଖି ଓ କପାଳରେ ବାଜିଲା ଯାଇ । ବେଦନାର୍ତ୍ତ ହିମାଂଶୁ ସେଇ ଅପ୍ରତ୍ୟାଶିତ ଆଘାତର ପ୍ରଚଣ୍ଡତା ସହିନପାରି ସଜ୍ଞାହୀନ ପ୍ରାୟ ପଡ଼ିଯିବା ବେଳକୁ, ପ୍ରକୋଷ୍ଠର ଆଲୋକ ଲିଭାଇ ସଂଲଗ୍ନ ପ୍ରକୋଷ୍ଠକୁ ଚାଲିଯାଇ ଭିତରପଟୁ ଶିକୁଳି ଲଗାଇଦେଲା ସେ ।

 

ଶୀଘ୍ର ପଳାଇବା ପାଇଁ ହେବ ।

 

ପଥ ପାଇଲେ ମୁହୂର୍ତ୍ତେ ହେଲେ କଅଣ ଅପେକ୍ଷା କରେ ଆଲୋକ ଆଗକୁ ଯିବାପାଇଁ ।

 

ନା । ଅପେକ୍ଷା କଲାନାହିଁ ସୁନୀତା । ସ୍ନାନଘର ଭିତର ଦେଇ ବାହାରକୁ ତ୍ୱରିତ ପଦ, କମ୍ପିତ ହୃଦୟରେ ଆସି ଚାରିଆଡ଼କୁ ଥରେ ଚାହିଁନେଲା ସେ । ନିରନ୍ଧ୍ର ଅନ୍ଧକାର । ବନସ୍ପତିଗୁଡ଼ିକ ମିଶିଯାଇଥିଲେ ଅନ୍ଧକାର ସହିତ । ଉପରେ ଆକାଶ, ତଳେ ପୃଥିବୀ । ଉପରେ ସ୍ୱପ୍ନ, ତଳେ ବାସ୍ତବ ଦୁନିଆ ।

ସମସ୍ତ ସାହସ, ଶକ୍ତି ସଞ୍ଚୟ କରି ଧାଇଁଲା ସୁନୀତା । ପଥ ଅପଥରେ, ଘାସ, ବଣ ବୁଦା ଓ ଶିଳା ଉପରେ ପଳାୟମାନା ତଟିନୀ ପରି ପଳାଇବାକୁ ଲାଗିଲା ସେ । ପ୍ରାୟ ଅଧଘଣ୍ଟେ ଏକା ଟାଣରେ ଜଙ୍ଗଲ ମଧ୍ୟରେ ଦୌଡ଼ିବା ପରେ ମୁହୂର୍ତ୍ତେ ଛିଡ଼ାହୋଇ ଦିଗ ନିର୍ଣ୍ଣୟ କରିବା ପାଇଁ ଚେଷ୍ଟାକଲା ସେ । ସ୍ଥାନ ସଂପର୍କରେ ସେ ସଠିକ୍ କିଛି ଜାଣିପାରିନଥିଲେ ମଧ୍ୟ ତା’ର ଅନୁମାନକୁ ଅଭ୍ରାନ୍ତ ପ୍ରମାଣିତ କରି କିଛି ଦୂରରେ ଗୋଟିଏ ଚଳନ୍ତା ରେଳଗାଡ଼ିର ତୁରୀ ଶବ୍ଦ ଭାସିଆସିଲା ଅରଣ୍ୟର ନିସ୍ତବ୍ଧତା ଭଙ୍ଗ କରି । ପ୍ରଥମେ ଚମକିପଡ଼ିଥିଲା ସେ ! କିନ୍ତୁ ନିଜର ଭ୍ରମ ବୁଝିପାରି ନିମେଷକରେ ପୁଣି ଧାଇଁବା ପାଇଁ ଆରମ୍ଭ କରିଦେଲା ସେ ରେଳଲାଇନଆଡ଼କୁ ।

ଆଲୁଳାୟିତ କେଶ । ଅସଞ୍ଜତ କେଶ ବିନ୍ୟାସ । ଅନଭ୍ୟସ୍ତ ସେ ଅପଥରେ ଚାଲିବାରେ । ସେଇ ଅଜ୍ଞାତ ଅଙ୍କାବଙ୍କା କଙ୍କରିତ ପଥରେ ବେଳ ଆଗକୁ ମାଡ଼ିଯାଉଥିଲା ସେ । ଶିଳାଖଣ୍ଡ ବା ଶୁଷ୍କ ଦଣ୍ଡର ଆଘାତରେ କ୍ଷତବିକ୍ଷତ ହେଲା ପାଦ । କଣ୍ଟା ଡାଳରେ ଲାଗି ଛିନ୍ନ ବିଚ୍ଛିନ୍ନ ହେଲା ଆଭରଣ । ଲହୁ ଝରିଲା ଦେହରୁ । କିନ୍ତୁ କୌଣସି ଆଡ଼କୁ ଭ୍ରୂକ୍ଷେପ ନକରି କେବଳ ଧାଇଁଥିଲା ସେ । ମଣିଷଠାରୁ ପୃଥିବୀର ଅନ୍ୟ କୌଣସି ସରିସୃପ, ସ୍ୱାପଦ ବା ସ୍ଥାବର, ଜଙ୍ଗମ ଯେ ଅଧିକ ଭୟଙ୍କର, ନିଷ୍ଠୁର ଏବଂ ବିଶ୍ୱାସଘାତକ ହୋଇପାରନ୍ତି ଏହିକଥା ତିଳେହେଲେ ବିଶ୍ୱାସ ହେଲାନି ମନରେ । ସିଂହ ମୁହଁରେ ଆତ୍ମ ସମର୍ପଣ କରିବା ପୂର୍ବରୁ ପ୍ରାଣରକ୍ଷା କରିବା ପାଇଁ ଯେପରି ଦଉଡ଼େ ହରିଣୀ, ସେହିପରି ନିଜର ଶେଷ ରକ୍ଷାକୁ ଅକ୍ଷୁଣ୍ଣ କରିବା ପାଇଁ ଟିକିଏ ଅଭୟ ପାଇ ଦଉଡ଼ୁଥିଲା ସୁନୀତା ।

ଏଇପରି ଆଦିମ କାଳରୁ କୋଟି କୋଟି ରାତ୍ରିର ଅନ୍ଧକାର ଭିତରେ ଦଉଡ଼ୁଛନ୍ତି କେତେ ନାରୀ ନିଜର ଅକ୍ଷତ ଅନ୍ତଃସ୍ଥଳକୁ ପୁରୁଷର ଅସହନୀୟ ଲାଳସା ପାଖରୁ ରକ୍ଷା କରିବା ପାଇଁ । ଯେଉଁ ଦୌଡ଼ ଆରମ୍ଭ ହୋଇଥିଲା ମଣିଷର ଜନ୍ମ କାଳରୁ, ସେ ଦୌଡ଼ ଶେଷହୋଇନି ସତ୍ୟ, କ୍ରେତା, ଦ୍ୱାପରରେ । ସେହି ଦୌଡ଼ ଶେଷହୋଇନି କଳିରେ । ଦଉଡ଼ି ଚାଲିଛି ସୃଷ୍ଟିର ସନାତନ ସୃଜନଶୀଳ ପ୍ରକୃତି । ଆକ୍ରାନ୍ତ ହବା ଭୟରେ ଦଉଡ଼ି ଚାଲିଛି କରୁଣା, ପ୍ରଜ୍ଞା, ଧ୍ରତୀ, କ୍ଷମା, ଶ୍ରୀ ଓ ଶୋଭା ।

ଦଉଡ଼ୁଥିଲା ସୁନୀତା ।

ଦଣ୍ଡେ ଛିଡ଼ାହୋଇ ଦମ୍ ନେଲା ସେ । ସମସ୍ତ ନୟନରେ ଥରେ ଚାରିଆଡ଼କୁ ଅନାଇଲା-। କେହି ତାକୁ ଅନୁସରଣ କରୁନାହିଁ ତ । କିଟି କିଟି କଳା ଅନ୍ଧାର । କିଛି ଦେଖିପାରିଲା ନାହିଁ-। କାନପାରି ଶୁଣିଲା କୌଣସି ପାଦ ଶବ୍ଦ ବାରିପାରିଲା ନାହିଁ ।

ପୁଣି ଚାଲିବା ପାଇଁ ଆରମ୍ଭ କରିବା ପୂର୍ବରୁ ଅରଣ୍ୟର ଅନ୍ଧକାର ଭେଦି ଧାରେ ଆଲୋକ ଆସି ଦୃଷ୍ଟିରେ ପଡ଼ିଲା ତା’ର । ତା’ ସଙ୍ଗେ ସଙ୍ଗେ ଅଦୂରରେ ଶବ୍ଦ । ମୋଟର ଗୋଟେ ଯାଉଥିଲା ପରା !

ବେଶ୍ ଜାଗ୍ରତ ହୋଇ ଶବ୍ଦ ଓ ଆଲୋକ ଆସୁଥିବା ଦିଗକୁ ଅନାଇ ରହିଲା ସେ । ବୃକ୍ଷର ଅନ୍ତରାଳରେ ନିଜର ସର୍ବାଙ୍ଗକୁ ଲୁଚାଇରଖି ଚେଷ୍ଟାକଲା ଜାଣିବା ପାଇଁ କେଉଁଆଡ଼ୁ ଆସୁଥିଲା ତାହା ।

ଅତି ଅଳ୍ପ ସମୟ ମଧ୍ୟରେ ବେଶ୍ ବୁଝିପାରିଲା ସୁନୀତା ସେ ରାସ୍ତାରେ ପ୍ରାୟ ସମାନ୍ତରାଳ ଭାବରେ ଦଉଡ଼ିଆସିଛି ଏଯାଏଁ । କାରଣ ତା’ର ଆସିବା ଆସୁଥିଲା ଆଲୋକ, ଶୁଣାଯାଉଥିଲା ମୋଟରଗାଡ଼ି ଆସିବାର ଶବ୍ଦ ।

ଛାତି ଭିତରର ସ୍ପନ୍ଦନ ଦ୍ୱିଗୁଣିତ ହେଲା । ଆଶଙ୍କା ଓ ଉଦବେଗରେ କାତର ହୋଇପଡ଼ୁଥିଲା ତା’ର ଦେହ, ମନ ।

ଗଛ ଉହାଡ଼ରୁ ଯାଇ ଳୁଚିଗଲା ଗୋଟିଏ ସମାଚ୍ଛନ୍ନ ଲତା ଅନ୍ତରାଳରେ । ଗଭୀର ଅନ୍ଧକାର । ମଶାମାନଙ୍କ ଉପଦ୍ରବରେ ଅତିଷ୍ଠ ହୋଇଉଠୁଥିଲା ସେ । କିନ୍ତୁ ଉପାୟନଥିଲା ବାହାରକୁ ଆସିବାପାଇଁ । ଦାନ୍ତରେ ଦାନ୍ତ ଚାପି ସ୍ଥାଣୁ, ନିର୍ଜୀବ ପରି ଛିଡ଼ାହୋଇ ରହିଲା ସେ ।

ଅଳ୍ପ ଦୂରରେ ମୋଟର ଆସିବାର ଓ ନିଜର ଶ୍ୱାସ ପ୍ରଶ୍ୱାସର ଶବ୍ଦ ବ୍ୟତୀତ ଅନ୍ୟ କିଛି ଶୁଣାଯାଉନଥିଲା ତାକୁ । ମୁହଁଭିତରେ ଲୁଗାକାନି ଜାକି ନିଜ ଶ୍ୱାସପ୍ରଶ୍ୱାସ ଶବ୍ଦକୁ ଆହୁରି ନିଷ୍ପ୍ରଭ କରିଦେଲା ସୁନୀତା ।

ପ୍ରାୟ ଶହେହାତ ଦୂରରେ ମୋଟରଗାଡ଼ିଟା ଛୁଟି ଚାଲିଗଲା ଆଗକୁ । ଲତା ଅନ୍ତରାଳରୁ ବାହାରିଆସି ଚାରିଆଡ଼କୁ ଚାହିଁ ଅନୁମାନ କଲା ସେ ଗାଡ଼ିଟା ପୂର୍ବକୁ ଗଲା ବୋଲି ।

ଟିକିଏ ଆଶ୍ୱସ୍ତ ହେଲା ।

ଭଗବାନଙ୍କ ପାଖରେ ଶରଣାଗତ ହୋଇ ସ୍ପନ୍ଦିତ ବକ୍ଷରେ ଆଗେଇଲା ସେ । ଅତି ସାବଧାନତାର ସହିତ ଶବ୍ଦ ସୃଷ୍ଟି ନକରି ପଳାଉଥିଲା । ହଠାତ କିନ୍ତୁ ଝୁଣ୍ଟିପଡ଼ି ପଡ଼ିଗଲା ଭୂଇଁଉପରେ । ଆଉ ସେଇ ମୁହୂର୍ତ୍ତରେ ଆଉ ଗୋଟିଏ ମୋଟରଗାଡ଼ି ପୂର୍ବରୁ ଯାଇଥିବା ଗାଡ଼ିର ଅନୁସନ୍ଧାନ ପାଇଁ ଯେ ଏହି ମୋଟର ଗାଡ଼ିରେ ଶତୃପକ୍ଷ ଅଭିଯାନ ଆରମ୍ଭ କରିଛନ୍ତି ଏହା ଅନୁମାନ କରିପାରିଲା ।

ଗାଡ଼ିଟା ଚାଲିଯାଉଥିଲା । ଦଣ୍ଡେ ଅଟକିଯାଇ ମୁହଁ ଫେରାଇଲା । ଝଲକାଏ ଆଲୁଅ ଗଛଲତା ଭିତର ଦେଇ ଆସି ପଡ଼ିଲା ତା’ ଦେହଉପରେ । ଝୁଣ୍ଟିପଡ଼ି, ପଡ଼ିଯାଇଥିବା ଅବସ୍ଥାରେ ଶବ୍ଦ ନକରି ମୁହଁଭିତରେ ଲୁଗା ଜାକି ସେହିପରି ଆବୁଡ଼ାଖାବୁଡ଼ା ଭୂଇଁଉପରେ ଶୋଇରହିଲା ସୁନୀତା ।

ଆଲୁଅଟି ଏପାଖ ସେପାଖ କରି ମୁହଁଫେରାଇ ପୁଣି ଅଗ୍ରସର ହେଲା ଗାଡ଼ିଟି ।

ଉଠିବସି ପୁଣି ଧାଇଁଲା ସୁନୀତା । କିଛି ବାଟ ବଣଭିତରେ ଯିବାପରେ ହଠାତ ସେ ଦେଖିଲା ବହଳ ଅନ୍ଧକାର ପତଳା ହୋଇଆସିଛି । ସେ ବଣଭିତରୁ ବାହାରିଆସି ପ୍ରାୟ ରେଳଲାଇନ ପାଖରେ ପହଞ୍ଚିଯାଇଛି ।

ଆଗକୁ ଚାହିଁଲା ସେ । ରେଳଲାଇନ ଉପରେ ପ୍ରହରୀ ଭଳି ଛିଡ଼ାହୋଇଥିଲା ସିଗ୍‍ନାଲ ଖମ୍ବ । ଆଉ ଜକଜକ ହୋଇ ଜଳୁଥିଲା ସିଗ୍‍ନାଲ ଖମ୍ବର ଲାଲ୍ ଆଲୋକ ।

ଲାଲବତୀ ଦେଖି ଅନୁମାନ କଲା ସୁନୀତା ଯେ ଷ୍ଟେସନ ସନ୍ନିକଟରେ ।

ଯଦି ନିରାପଦରେ ଆଉଟିକେ ଆଗେଇଯାଇ ଷ୍ଟେସନରେ କୌଣସି ଗାଡ଼ିଭିତରେ ଚାଲିଯାଇପାରେ ସେ......

ଆଙ୍ଗୁଳି ଓ ପାଦ ଜଳୁଥିଲା । କଣ୍ଟା ପଶିଥିଲା କେତେ ସ୍ଥାନରେ । ଓଦା ଲାଗୁଥିଲା ଡାହାଣ ପାଦର ବୁଢ଼ା ଆଙ୍ଗୁଳି । ରକ୍ତ ଝରୁଥିଲା ବୋଧେ । ପଥର ବାଜି କଟିଯାଇଥିଲା । ରକ୍ତ ଝରୁଥିଲା । ଶୀତ ରାତିର ଶୀତଳତା ସତ୍ତ୍ୱେ ଦେହ ଓ ମୁହଁରୁ ଝରୁଥିଲା ଝାଳ ।

କିନ୍ତୁ ସେଆଡ଼କୁ ନଜର ନ ଥିଲା ସୁନୀତାର । ପୁଣି ଧାଇଁଲା ସେ ।

ସ୍ୱେଦ ଓ ଶୋଣିତ ସିକ୍ତ ଅକ୍ଷତା ହସ୍ତ, ପଦରେ କ୍ଷତ ନେଇ ଧାଉଁଥିଲା ନିଜର ସର୍ବସ୍ୱ ରକ୍ଷା କରିବା ପାଇଁ ।

ହଠାତ ସେ ଦେଖିପାରିଲା ତା’ ଆଗରେ ଲେଭେଲ କ୍ରସିଂର ଆଲୋକ । ବନ୍ଦଥିଲା ଫାଟକ । ଦୂରରୁ ଆଉ ଗୋଟିଏ ରେଳଗାଡ଼ି ଆସିବାର ଶବ୍ଦ ଭାସିଆସୁଥିଲା ।

ଛିଡ଼ା ହୋଇଗଲା ସୁନୀତା । ଆଗରେ ସଡ଼କ । ଆଗକୁ ବା ପଛକୁ କେଉଁଆଡ଼କୁ ଯିବ ସହସା ସ୍ଥିର କରିପାରିଲା ନାହିଁ । ଆତଙ୍କ, ଅବସନ୍ନତା ତାକୁ ସମ୍ପୂର୍ଣ୍ଣ ଗ୍ରାସ କରିଥିଲା ସେତେବେଳକୁ । ଆଉ ଶକ୍ତି ନ ଥିଲା ଦଉଡ଼ିବା ପାଇଁ । ଶୀତଦିନର ଶ୍ୱାସରୋଗୀ ପରି ଥରୁଥିଲା ପରିଶ୍ରାନ୍ତ ଅବୟବ ।

ବିପରୀତ ଦିଗରୁ ଗୋଟିଏ ଜିପ୍ ଆସି ପ୍ରଚଣ୍ଡ ଶବ୍ଦ କରି ଛିଡ଼ାହୋଇଗଲା ବନ୍ଦ ଫାଟକର ସମ୍ମୁଖରେ । ରେଳଗାଡ଼ିଟା ତୁରୀ ବଜାଇ ଅଗ୍ରସର ହେଉଥିଲା ଲେଭେଲକ୍ରସିଂ ଆଡ଼କୁ ।

ସଶଙ୍କିତା ସୁନୀତା ପୁଣି ଧରାପଡ଼ିଯିବାର ସମ୍ଭାବନାରୁ ଶେଷ ମୁକ୍ତି ପାଇଁ କୁଦିପଡ଼ିଲା ଆଗେଇ ଆସୁଥିବା ରେଳଗାଡ଼ିର ପଥଉପରେ ।

ଆଉ ସେଇ ମୁହୂର୍ତ୍ତରେ ଜିପ୍‍ର ସାମ୍ନା ସିଟ୍‍ରୁ ଛିଟିକିପଡ଼ିଲା ପୁଲିସ ଇନିସ–ପେକ୍ଟର ଅଭୟ ପ୍ରହରାଜ । ସୁନୀତାର ସଜ୍ଞାହୀନ ଦେହଟାକୁ ପ୍ରାୟ ଶୂନ୍ୟରେ ଟେକିନେଇ ଯେତେବେଳେ ସେ ଆଉଜିପଡ଼ିଲା ଫାଟକର କାଠଦଣ୍ଡ ଉପରେ, ତୁରୀ ବଜାଇ ଭୂମି କମ୍ପାଇ ପାହାନ୍ତାର ମାନ୍ଦ୍ରାଜ ମେଲ୍ ।

କିପରି ପଛ ସିଟରେ ବସିଥିଲା ସବ୍ୟସାଚୀ ।

ବେଦନା ଜଡ଼ିତ ବକ୍ଷରେ ଘଟିଯାଇଥିବା ଘଟଣାବଳୀର ସମୀକ୍ଷା କରୁ କରୁ କେତେ ବେଳେ ତନ୍ଦ୍ରା ଆସିଯାଇଥିଲା ଆଖିପତାରେ ।

ଧାବମାନ ରେଳଗାଡ଼ିର ପ୍ରଚଣ୍ଡ ଶବ୍ଦରେ ତନ୍ଦ୍ରା ଅନ୍ତର୍ହିତ ହୋଇଗଲା । କିନ୍ତୁ ସେଇ ମୁହୂର୍ତ୍ତରେ ଫାଟକର ସ୍ତିମିତ ଆଲୋକରେ ଇନିସପେକ୍ଟର ଅଭୟ ପ୍ରହରାଜ ହାତଉପରେ ନାରୀ ମୂର୍ତ୍ତିଟିକୁ ଦେଖି ଚିତ୍କାର କରି ଏକା କୁଦାକେ ବାହାରକୁ ଛିଟିକିଆସିଲା ସବ୍ୟସାଚୀ ।

ସୁନୀତାର ସଜ୍ଞାହୀନ ଦେହଟିକୁ ଜିପ୍‍ ଭିତରକୁ ଆଣି ରଖିଲେ ଦୁହେଁ ।

ସେତେବେଳକୁ ଫାଟକ ଖୋଲିଯାଇଥିଲା । ଲାଲ୍ ଆଲୋକ ସ୍ଥାନରେ ଆଗକୁ ଯିବାର ଇଙ୍ଗିତ ଦେଇ ଜଳିଉଠିଥିଲା ସବୁଜ ଆଲୋକ ।

ରୁଦ୍ଧ ପଥକୁ ଅବାରିତ ଯାତ୍ରାପାଇଁ ଉନ୍ମୁକ୍ତ କରି ଫାଟକର ଅର୍ଗଳ ଉପରକୁ ଉଠିଯାଇଥିଲା ।

ସୁନୀତାର ସଜ୍ଞାହୀନ ଦେହଟିକୁ ନିଜ କୋଳଉପରେ ରଖି ସର୍ବହରା ସମ୍ରାଟ ହବାର ବିହ୍ୱଳତା ନେଇ ଆଗକୁ ଚାହିଁଲା ସବ୍ୟସାଚୀ ।

ସମ୍ମୁଖରେ ପ୍ରସାରିତ ପଥ । ଆଗକୁ ଯିବାପାଇଁ ଆଖିଠାରି ଡାକୁଛି ପାହାନ୍ତିଆ ତାରା । ସହସ୍ର ଯୋଜନ ଦୂରରୁ ପ୍ରତ୍ୟୁଷର ଆଗମନ ବାର୍ତ୍ତା ନେଇ ବହିଆସୁଛି ସମୀରଣ ।

ରାତ୍ରିର ସୀମାନ୍ତରେ ନୂତନ ଦିନର ଆଗମନକୁ ସ୍ୱାଗତ ଜଣାଉଥିଲା ପକ୍ଷୀର କାକଳି ।

ଲୁଚିଯାଉଥିବା ଅନ୍ଧକାରକୁ ପଛରେ ପକାଇ ପକ୍ଷୀର କାକଳିରେ ଜାଗ୍ରତ ମଣିଷର ସ୍ପନ୍ଦନ ନେଇ ଆଲୋକକୁ ବରଣ କରିବାପାଇଁ ଆହ୍ୱାନ ପାଇଲା ସବ୍ୟସାଚୀ ।

ବିଜୟର ମହାନତା ଦେଇ ପୋଛିଦେଲା ବେଦନାର୍ତ୍ତ ହୃଦୟର ଅଭିଯୋଗ ଓ ଅହଙ୍କାର-। ପୃଥିବୀର ପ୍ରଶାନ୍ତ ନେଇ ଚାହିଁଲା ସେ ସୁନୀତାକୁ, ସେଇ ମୁହଁଉପରେ ଲୁଚକାଳି ଖେଳୁଥିଲା ସ୍ୱପ୍ନ ଓ ଆଲୋକ, କଳ୍ପନା ଓ ବାସ୍ତବତା ।

ନିର୍ଭୟ ଆଶ୍ରୟ ପାଇ ପରମ ଶାନ୍ତିରେ ଶୋଇରହିଥିଲା ପ୍ରୋଷିତ ଉତ୍ତୃକା ସୁନୀତା ।

Image